ସ୍ୱାଭିମାନ, ସମ୍ମାନ ଓ ପ୍ରତିଷ୍ଠାର ପ୍ରଶ୍ନ

May 8, 2024 - 01:39
 42
ସ୍ୱାଭିମାନ, ସମ୍ମାନ ଓ ପ୍ରତିଷ୍ଠାର ପ୍ରଶ୍ନ
ଦେବେନ୍ଦ୍ର ପୃଷ୍ଟି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସ୍ୱାଭିମାନ ବୋଲି ଗୋଟେ ଶବ୍ଦ ନାହିଁ। କିନ୍ତୁ ଅଭିମାନ ବୋଲି ଗୋଟେ ଶବ୍ଦ ଅଛି ଓ ତାହାର ଅର୍ଥ ଉଲ୍ଲେଖ ରହିଛି। ଅଭିମାନକୁ ଯଦି ଏକ ସଂସ୍କୃତ ବିଶେଷ୍ୟ ପଦ ଭାବେ ଗ୍ରହଣ କରାଯିବ ତେବେ ତାହାର ଅର୍ଥ ପରର ଅନିଷ୍ଟ କାମନା ବା ହିଂସା ଇଚ୍ଛା। ଏହାର ଅନ୍ୟ ଅର୍ଥଗୁଡ଼ିକ ହେଲା ଆପଣାର ବଡ଼େଇ, ଆତ୍ମଗରିମା, ଅହଂକାର, ଗର୍ବ, ଅହଂ ଭାବ, ପ୍ରଣୟ, ସ୍ନେହ, ଇଚ୍ଛା। ଷଷ୍ଠ ମନ୍ୱନ୍ତରରେ ଏହି ନାମରେ ଜଣେ ଋଷି ଥିଲେ ବୋଲି ବି ପୂର୍ଣ୍ଣଚନ୍ଦ୍ର ଭାଷାକୋଷ କହେ। ସେହିପରି ଜ୍ଞାନ, ଅସନ୍ତୋଷ ଓ ସାମାନ୍ୟ କଥାରେ ମନଦୁଃଖ କରିବାକୁ ମଧ୍ୟ ଅଭିମାନ କୁହାଯାଏ। ଏହିସବୁ ଅର୍ଥ ବହନ କରି ଯଦି ଅଭିମାନ ଆଗରେ ସ୍ୱ-ଟିଏ ଯୋଡ଼ାଯାଏ ତେବେ ତାହା ନିଶ୍ଚୟ ମଣିଷର ଏକ ସକାରାତ୍ମକ ଗୁଣ ହେବ ନାହିଁ। ତେବେ ସେହି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅଭିମାନର ଅନ୍ୟ ଏକ ଅର୍ଥ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି। ଏହାକୁ ଯଦି ଏକ ଦେଶଜ ବିଶେଷ୍ୟ ଶବ୍ଦ ଆକାରରେ ଗ୍ରହଣ କରିବା ତେବେ ଏହାର ଅର୍ଥ ହେବ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରଣୟ ସଂପର୍କରେ ନୀରବ ମନୋମାଳିନ୍ୟ ଓ ଗୁପ୍ତ ବିରକ୍ତି। ଦେଶଜ ବିଶେଷ୍ୟ ଭାବେ ଏହାର ଅନ୍ୟ ଏକ ଅର୍ଥ ହେଉଛି ସମ୍ମାନ, ମର୍ଯ୍ୟାଦା ଓ ସମ୍ଭ୍ରମ। ଏଇ ଶେଷ ଅର୍ଥକୁ ନେଇ ହିଁ ସ୍ୱାଭିମାନ ଶବ୍ଦର ସୃଷ୍ଟି। ସ୍ୱାଭିମାନ ହେଉଛି ସ୍ୱ ଅଭିମାନ, ସ୍ୱ ସମ୍ମାନ, ସ୍ୱ ସମ୍ଭ୍ରମ। ସେହି ପୂର୍ଣ୍ଣଚନ୍ଦ୍ର ଭାଷକୋଷରେ ଯଦି ମମତା ବା ମମତ୍ୱ ଶବ୍ଦର ଅର୍ଥ ଖୋଜିବା ତେବେ ଦେଖିବା ଯେ ତାହା ସ୍ୱାଭିମାନ ସହିତ ସମାର୍ଥବୋଧକ। ପ୍ରହରାଜେଙ୍କ ଅନୁସାରେ ମମତା ଓ ମମତ୍ୱର ଅର୍ଥ ହେଲା ସ୍ୱାଭିମାନ, ମମକାର; ଏ ପଦାର୍ଥ ମୋର, ଏ ଧନ ମୋର, ଏ ପୁଅ ଭାର୍ଯ୍ୟା ମୋର, ଏବଂଭୂତ ଭାବ। ଅହଂକାର ଓ ଅହଂ ଭାବ ଓ ଦର୍ପ ବି ମମତାର ଅର୍ଥ ହୋଇପାରେ ବୋଲି ସେ ଦର୍ଶାଇଛନ୍ତି। ମାତ୍ର, ଆମେ କେବେ ମମତା କହିଲେ ଦର୍ପ ବା ଅହଂକାରକୁ ବୁଝନ୍ତି କି? ବୁଝନ୍ତି ନାହିଁ। ଏସବୁ ଅଭିଧାନ ଓ ଭାଷାକୋଷର କଥା। ସାଧାରଣ ଭାବରେ ସ୍ୱାଭିମାନ କହିଲେ ଆତ୍ମାଭିମାନ, ଆତ୍ମସମ୍ମାନ, ଆତ୍ମମର୍ଯ୍ୟାଦା ଆଦିକୁ ବୁଝାଏ। ଏହା ଏକ ଭଲ ଗୁଣ। ନିଜକୁ ହୀନ ମନେ କରିବା ହେଉଛି ହୀନମନ୍ୟତା। ନିଜକୁ ଉଚ୍ଚ ମନେ କରିବା ହେଉଛି ସ୍ୱାଭିମାନ। ମୋର ପାଞ୍ଚଟା ପୁଅ, ୨୦ ବାଟି ସଂପତ୍ତି, ତିନିଟା ସୁନ୍ଦରୀ ସ୍ତ୍ରୀ। ଇଏ ଆତ୍ମ ଗର୍ବର କଥା। ମୋର ପାଞ୍ଚ ପୁରୁଷ ଶିକ୍ଷକ, ମୋ ବଂଶର ଲୋକେ କାବ୍ୟ ରଚନା କରିଥିଲେ, ମୋ ଜେଜେ ପଦ୍ମଶ୍ରୀ ପାଇଥିଲେ ଆଦି ହେଉଛି ବଂଶଗରିମା। ମୁଁ ଚୋର ନୁହେଁ, ମୁଁ ମୁର୍ଖ ନୁହେଁ, ମୁଁ ଦୁର୍ନୀତି କରେ ନାହିଁ, ମୁଁ କାହାକୁ ଠକେ ନାହିଁ, ମୁଁ ଖଟି ଖାଏ ଏସବୁ ସ୍ୱାଭିମାନର କଥା। ବ୍ୟକ୍ତିର ସ୍ୱାଭିମାନ ଓ ଦେଶ ବା ଜାତିର ସ୍ୱାଭିମାନ ଭିତରେ ଫରକ ଅଛି। ବ୍ୟକ୍ତିର ସ୍ୱାଭିମାନ ତା’ ନିଜର ପ୍ରତିଷ୍ଠା, ସମ୍ମାନ ଓ ମର୍ଯ୍ୟାଦା ଆଦିକୁ ବୁଝାଏ। ଜାତି ବା ଦେଶର ସ୍ୱାଭିମାନ ଦେଶ ବା ଜାତିର ସାମୂହିକ ହାସଲ, ଭାଷା, ସାହିତ୍ୟ, ସଂସ୍କୃତି, ସଂପଦ ଆଦିକୁ ବୁଝାଏ। କୋଣାର୍କର ସୂର୍ଯ୍ୟ ମନ୍ଦିର, ପୁରୀର ଶ୍ରୀମନ୍ଦିର, କୋରାପୁଟର ଦେଓମାଳି, ଖୋର୍ଦ୍ଧା ଓ ଗଞ୍ଜାମର ଚିଲିକା, କେନ୍ଦ୍ରାପଡ଼ାର ଭିତରକନିକା, ରାଉରକେଲାର ଇସ୍ପାତ କାରଖାନା, ସମ୍ବଲପୁରର ହୀରାକୁଦ ଜଳ ଭଣ୍ଡାର ଆଦି ଆମର ସ୍ୱାଭିମାନ। ଆମର ସଂସ୍କୃତି ଓ ଐତିହ୍ୟ, ଆମର ଭାଷା ଓ ସାହିତ୍ୟ, ଆମର ଜ୍ଞାନ, ବିଜ୍ଞାନ ଓ ପ୍ରଯୁକ୍ତି ଆମର ସ୍ୱାଭିମାନ। ଇଂରାଜୀରେ ଯାହାକୁ ସେଲ୍‌ଫ ଏଷ୍ଟିମ, ସେଲ୍‌ଫ ପ୍ରାଇଡ୍‌ କୁହାଯାଏ ତାହା ହିଁ ସ୍ୱାଭିମାନ। ଅକ୍ସଫୋର୍ଡ଼ ଅଭିଧାନ ଅନୁସାରେ ନିଜର କୌଣସି ହାସଲକୁ ନେଇ ଗଭୀର ସନ୍ତୋଷ ପ୍ରକାଶ କରିବା ବା ଖୁସି ହେବା ହିଁ ପ୍ରାଇଡ଼୍‌। ମେରିଆମ ୱେବଷ୍ଟର ଅଭିଧାନ ଅନୁସାରେ ପ୍ରାଇଡ଼୍‌ ହେଉଛି ରିଜନେବ୍‌ଲ ସେଲ୍‌ଫ ଏଷ୍ଟିମ ବା ଗୌରବ ହେଉଛି ଯଥାର୍ଥ ଆତ୍ମସମ୍ମାନ। ବିଶ୍ୱ ବିଖ୍ୟାତ ଅଭିନେତ୍ରୀ ମେରିଲିନ ମୁନରୋ କହିଲେ, ଅନ୍ୟ ଲୋକ ପରି ହେବା ନିଜତ୍ୱର ଅପଚୟ। ଆଇନ୍‌ ରିଆଣ୍ଡ କହିଲେ ଯିଏ ନିଜର ମୂଲ୍ୟ ବୁଝି ନାହିଁ ସେ ଅନ୍ୟ କାହାର ମୂଲ୍ୟାୟନ କରିପାରିବନି। ଏଇ ନିଜକୁ ବୁଝିବା, ନିଜର ଗୁରୁତ୍ୱକୁ ଉପଲବ୍ଧି କରିବା ହିଁ ସ୍ୱାଭିମାନ। ଏହା ସଂପୂର୍ଣ୍ଣ ଏକ ବ୍ୟକ୍ତିଗତ ବ୍ୟାପାର। ଦେଶ ବା ଜାତି କ୍ଷେତ୍ରରେ ସ୍ୱାଭିମାନ ଏକ ରାଜନୀତିକ ପ୍ରସଙ୍ଗ। ଏଇ ଯେମିତି ଭାରତକୁ ବ୍ରିଟିଶ ଲୋକମାନେ ଶାସନ କରୁଥିଲେ। ସେମାନଙ୍କ ପୂର୍ବରୁ ମୋଗଲ, ପଠାଣ, ହୁନ୍‌ମାନେ ଶାସନ କରୁଥିଲେ। ସେମାନଙ୍କର ଅନ୍ୟାୟ, ଅତ୍ୟାଚାର ସମେତ ଆମର ସାମୂହିକ ସଂପଦର ଲୁଣ୍ଠନ ଆମର ସ୍ୱାଭିମାନକୁ ଆଘାତ ଦେଉଥିଲା ବୋଲି ଆମେ ନିଜ ଶାସନର ଡୋରି ନିଜେ ରଖିବାକୁ ଚାହିଁଲେ ଓ ସ୍ୱାଧୀନତା ପାଇଁ ଆନ୍ଦୋଳନ କଲେ। ବିଶ୍ୱର ବିବିଧ ପ୍ରାନ୍ତରେ ଉପନିବେଶ ଶାସନ ସେହି ଅଞ୍ଚଳର ଲୋକମାନଙ୍କର ସ୍ୱାଭିମାନ ଓ ସାର୍ବଭୌମତ୍ୱ ଉପରେ ଆଘାତ ଆଣିବାରୁ ସେମାନେ ସ୍ୱାଧୀନ ହେବାକୁ ଆନ୍ଦୋଳନ କଲେ ଓ ହେଲେ। ଊନ୍ନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ସମଗ୍ର ବିଶ୍ୱରେ ଔପନିବେଶିକ ପରାଧୀନତା ବିରୋଧରେ ଆନ୍ଦୋଳନ ଚାଲିଥିବା ସମୟରେ ଭାଷା ଆଧାରିତ ଜାତୀୟତା ବା ଜାତୀୟ ସ୍ୱାଭିମାନ ପରିକଳ୍ପନା ଦାନା ବାନ୍ଧିଥିଲା। ସେହି ସମୟରେ ପୃଥିବୀର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ମାନ୍ୟତା ପାଇଲେ ବ୍ରିଟିଶ ଭାରତର ସିନ୍ଧୁ ପ୍ରଦେଶ ଓ ଓଡ଼ିଶା। ଏହା ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଅବସ୍ଥାରେ ୟୁରୋପରେ ଅନେକ ପୁରୁଣା ରାଷ୍ଟ୍ର ବିଭାଜିତ ହୋଇ ଭାଷାଭିତ୍ତିକ ରାଷ୍ଟ୍ର ଗଠିତ ହେଲା। ତାହାକୁ ଭାଷା ଆଧାରିତ ବା ଭାଷା କୈନ୍ଦ୍ରିକ ଜାତୀୟତା କୁହାଗଲା। ସେସବୁ ଦେଶରେ ଭାଷା ହେଉଛି ସେମାନଙ୍କର ସ୍ୱାଭିମାନ। ସେହି ସମୟରେ ଧର୍ମ ଭିତ୍ତିରେ ମଧ୍ୟ ଗୋଟିଏ ରାଷ୍ଟ୍ର ସୃଷ୍ଟି ହେଲା। ତାହା ହେଉଛି ଇସ୍ରାଏଲ। ସେଠାରେ ଇହୁଦୀ ଧର୍ମ ହିଁ ହେଲା ସେମାନଙ୍କର ସ୍ୱାଭିମାନ ବା ଆତ୍ମ ପ୍ରତିଷ୍ଠା। ଭାରତରୁ ପାକିସ୍ତାନ ସୃଷ୍ଟି ହେବା ପଛରେ ଥିଲା ମଧ୍ୟ ଏହି ଧର୍ମର ଆଧାର। ସେ କ୍ଷେତ୍ରରେ ମଧ୍ୟ ଧର୍ମ ଥିଲା ପାକିସ୍ତାନ ଦାବି କରିଥିବା ଲୋକମାନଙ୍କର ସ୍ୱାଭିମାନର ପରିଚୟ। ଏବେ ଅବଶ୍ୟ ଏସବୁ ଧାରଣା ବଦଳିଲାଣି। ଭାରତରେ ତେଲୁଗୁ ଭାଷାଭାଷୀ ଆନ୍ଧ୍ର ପ୍ରଦେଶରୁ ଅଲଗା ହେଲା ତେଲେଙ୍ଗାନା। ସେଠି ଭାଷା ନୁହେଁ, ବିକାଶ ହେଲା ବିଭାଜନର ଭିତ୍ତି। ଓଡ଼ିଶାରେ ଏବେ କୋଶଳ କଥା କୁହାଯାଉଛି। ଭିତ୍ତି ହେଉଛି ସେହି ବିକାଶ ଓ କୋଶଳୀ ଭାଷା, ଯଦିଓ ଏହା ଏକ ସ୍ୱୟଂସପୂର୍ଣ୍ଣ ଭାଷା ନୁହେଁ, କେବଳ ଓଡ଼ିଆର ଏକ ଉପଭାଷା। ସ୍ୱାଭିମାନକୁ ରାଜନେତାମାନେ ଅନେକ ସମୟରେ ଅସ୍ତ୍ର କରି ରାଷ୍ଟ୍ର ବା ସମାଜରେ ରାଜନୀତିକ ବିଭାଜନ କରିବାକୁ ଚେଷ୍ଟା କରିଥାନ୍ତି। ଆଞ୍ଚଳିକ ସ୍ୱାଭିମାନ, ଭୌଗୋଳିକ ସ୍ୱାଭିମାନ, ଧାର୍ମିକ ସ୍ୱାଭିମାନ, ଭାଷାଭିତ୍ତିକ ସ୍ୱାଭିମାନ, ସାଂସ୍କୃତିକ ସ୍ୱାଭିମାନ ଏପରି ବହୁ କଥା ଉଠେ। ସ୍ୱାଭିମାନକୁ ଆଧାର କରି ଗୋଟିଏ ଜାତି ବା ଜନସମୂହକୁ ଏକଜୁଟ କରିହୁଏ। ଜନଶକ୍ତି ଏକଜୁଟ୍‌ ହେଲେ ଜନସମାଜ ସୁଦୃଢ଼ ହୁଏ। ମାତ୍ର, ଏହା ଯଦି ସଂସ୍କୃତି ଓ ପ୍ରଗତିକୁ ଦୁର୍ବଳ କରେ, ଯଦି ଏହା କିଛି ରାଜନେତାଙ୍କ ଏକଛତ୍ରବାଦର ଅସ୍ତ୍ର ହୁଏ, ଯଦି ଏହା ଭିନ୍ନ ଏକ ସ୍ୱାଭିମାନୀ ଜନତାଙ୍କ ଉପରେ ଆକ୍ରୋଶର ଆକ୍ରମଣ ପାଇଁ ପଥ ପ୍ରସ୍ତୁତ କରେ ତେବେ ତାହା ଆଦୌ ଗ୍ରହଣୀୟ ହୁଏନାହିଁ। ମୋ ସ୍ୱାଭିମାନର ଟେକ ରହିବା ଦରକାର। କିନ୍ତୁ ଏହାର ଅର୍ଥ ନୁହେଁ ଯେ ତାଙ୍କ ସ୍ୱାଭିମାନକୁ ଭୁଲୁଣ୍ଠିତ କରିବା। ଗଣତନ୍ତ୍ର ବିବିଧତାକୁ ସମ୍ମାନ ଦେବା ଦରକାର। ଆମେ କେତେ ଖର୍ଚ୍ଚ କରି ଜାଗାଟିଏ କିଣି ଘରଟିଏ କଲେ। ସେ ଘରେ ରହିଲେ। କିନ୍ତୁ କେହି ବାହାର ଲୋକ ଆସି ଯଦି କଳକୌଶଳରେ, କୂଟକପଟରେ ଆମ ଘରର ଗେଟ୍‌ ସାମ୍ନାରେ ତାଙ୍କ ନାଁ ଲେଖି କହିଲା ଏଇଟା ମୋ ଘର, ଏଠି ଲାଗିଥିବା କବାଟ ମୁଁ କରିଛି, ବାଇଗଣ ମୁଁ ଫଳାଇଛି, ଏଠି ରହୁଥିବା ଲୋକମାନେ ମୋର ଭଡ଼ାଟିଆ, ସେତେବେଳେ ଆମକୁ କେମିତି ଲାଗିବ? ଆମ ସଂପତ୍ତି ହଡ଼ପ ହେଲା ବୋଲି ଭାବିବା ନାହିଁ? ତା’ର ପ୍ରତିବାଦ କରିବା ନାହିଁ? ଠିକ ସେମିତି ଜାତୀୟ ସ୍ୱାଭିମାନର କଥା। ଆମକୁ ବ୍ରିଟିଶ ଶାସନ କଲେ ବୋଲି ଆମେ ଆନ୍ଦୋଳନ କରି ସେମାନଙ୍କୁ ହଟେଇ ନିଜେ ନିଜ ଡଙ୍ଗାର ନାଉରୀ ହେଲେ। ଏବେ ଯଦି ସେହି ବ୍ରିଟିଶ ବା ଅନ୍ୟ କୌଣସି ଦେଶର ଲୋକ ଆସି ଆମ ଶାସନ ମୁଖ୍ୟଙ୍କୁ ପରାମର୍ଶ ଦେଉ ଦେଉ ଶାସନ କ୍ଷମତାକୁ ନିଜ ହାତକୁ ନେଇଯିବେ ତେବେ ତାହାକୁ ସମର୍ଥନ କରିବା କେତେ ଦୂର ସ୍ୱାଭିମାନ ଓ ସାର୍ବଭୌମତାର କଥା ହେବ?