ଓଡ଼ିଶା ଖଣି ଦୁର୍ନୀତିର ଚିଠା ଖୋଲିବ ବିଜେପି

ଓଡ଼ିଶା ଖଣି ଦୁର୍ନୀତିର ଚିଠା ଖୋଲିବ ବିଜେପି

Share :

ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଛି। ଏଥର ବିଜେପି ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠାତାରେ ସରକାର ଗଢ଼ିବାକୁ ଯାଉଛି ବୋଲି ଗଣମାଧ୍ୟମ ଏବଂ ଜନମତର ଆଭିମୁଖ୍ୟରୁ ଜଣାପଡ଼ିଛି। ଜୁନ୍ ୪ ତାରିଖରେ ଏହା ସ୍ପଷ୍ଟ ହୋଇଯିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଆହୁରି ଗୋଟିଏ ପର୍ଯ୍ୟାୟ ନିର୍ବାଚନ ବାକିଥିବା ସତ୍ୱେ ସରକାର ଗଢ଼ିବା ପାଇଁ ଆବଶ୍ୟକ ହେଉଥିବା ମ୍ୟାଜିକ ନମ୍ବର ବିଜେପି ହାସଲ କରିପାରିଛି। ଓଡ଼ିଶାର ସବୁ ବର୍ଗର ଲୋକେ ବିଜେପିକୁ ସମର୍ଥନ କରିଥିବାରୁ ଏହା ସମ୍ଭବ ହୋଇପାରିଛି। ଗତ ୨୫ ବର୍ଷ ମଧ୍ୟରେ ବିଜେଡି ସରକାର ଅନେକ ଦୁର୍ନୀତି କରିଛି। ବିଜେପି ସରକାର ଗଢ଼ିଲେ ଏହାର ତଦନ୍ତ କରାଯିବା ସହ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୂର୍ବତନ ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହଦେଓ କହିଛନ୍ତି ଯେ, ଗତ ୨୫ ବର୍ଷ ମଧ୍ୟରେ ବିଜେଡି ସରକାର ୨୪ଟି କମିଶନ ବସାଇଥିଲେ। ମାତ୍ର ଏହା ଭିତରୁ କୌଣସି ଗୋଟିଏର ତଦନ୍ତ ରିପୋର୍ଟ ଲୋକଲୋଚନକୁ ନ ଆଣି ଚାପି ଦେଇଥିଲେ। ଏହି କମିଶନ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ପ୍ରତି କମିଶନରେ ୩ରୁ ୪ କୋଟି ଟଙ୍କା ହିସାବରେ ୨୪ଟି କମିଶନ ପାଇଁ ଶତାଧିକ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। କିନ୍ତୁ ଦୁଃଖର ବିଷୟ, ଏହିପରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ବିଜେଡି ସରକାର କ୍ୟାବିନେଟ୍ କିମ୍ବା ବିଧାନସଭାକୁ ନେଇ ନ ଥିଲା। ରାଜ୍ୟରେ ବିଜେପି ସରକାର ଆସିଲେ ବିଜେଡି ସରକାର ଅମଳରେ ଯେଉଁ ୨୪ଟି କମିଶନ ବସାଯାଇଥିଲା ତାହାର ରିପୋର୍ଟ ସାର୍ବଜନୀନ କରାଯିବ। ରତ୍ନଭଣ୍ଡାର ପ୍ରସଙ୍ଗରେ ହାଇକୋର୍ଟର ନିର୍ଦ୍ଦେଶ ପରେ ବି ବିଜେଡି ସରକାର କୌଣସି ପଦକ୍ଷେପ ନେଇ ନାହିଁ। ଭାରତୀୟ ଜନତା ପାର୍ଟିର ସରକାର ହେଲେ ରତ୍ନଭଣ୍ଡାର ତଥ୍ୟ ୩ ମାସ ମଧ୍ୟରେ ସାର୍ବଜନୀନ କରାଯିବ। ଏହାର ଚାବି କୁଆଡ଼େ ଗଲା ତାହାର ମଧ୍ୟ ତଦନ୍ତ କରାଯାଇ ଓଡ଼ିଶାର ଜନସାଧାରଣଙ୍କୁ ଅବଗତ କରାଯିବ। ବିଜେଡି ସରକାର ପକ୍ଷରୁ ଚାପି ଦିଆଯାଇଥିବା ଖଣି ଦୁର୍ନୀତି ଘଟଣା ଉପରେ ବିଜେପି ସରକାର ତଦନ୍ତ କରିବ। ୨୦୦୯ ଓ ୨୦୧୦ରେ ଏହି ଦୁର୍ନୀତି ଉପରେ ବିଜେପି ପ୍ରଥମେ ବିଧାନସଭାରେ ଉଠାଇଥିଲା। ମାତ୍ର ରାଜ୍ୟ ସରକାର ସେତେବେଳେ ଏହି ପ୍ରସଙ୍ଗକୁ ଚାପି ଦେବାକୁ ସମ୍ପୂର୍ଣ୍ଣ ଚେଷ୍ଟା କରିଥିଲେ। ଏହି ଦୁର୍ନୀତି ୨ ପ୍ରକାର ଥିଲା। ଗୋଟିଏ ହେଲା ଯେଉଁମାନେ ଲିଜରେ ଖଣି ନେଇଥିଲେ। ସେମାନେ ଅବଧି ସରିଗଲା ପରେ ପୁନଃ ପଞ୍ଜୀକରଣ ପାଇଁ ଆବେଦନ କରି ଖଣି ବିଭାଗକୁ ନିଜ ପ୍ଲାନ ଦେଖାଇ ଖନନ କାର୍ଯ୍ୟ କରୁଥିଲେ। ଅନ୍ୟଟି ହେଲା, ଖଣି ଲିଜ୍ ନ ଥାଇ ମଧ୍ୟ କେତେ ଜଣ ଖଣିରୁ ଲଗାତାର ଚୋରି କରୁଥିଲେ। ଏ ବିଷୟରେ ବିଜେପି ପକ୍ଷରୁ ଉଠାଯାଇଥିଲେ ମଧ୍ୟ ରାଜ୍ୟ ସରକାର ତାହାକୁ ଅଣଦେଖା କରିଥିଲେ। ଏନେଇ ଶାହା କମିଶନ ବସାଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟରେ ଆସି ନ ଥଲା। ଏହି କେଳେଙ୍କାରୀ ପ୍ରସଙ୍ଗକୁ ବିଜେପି ପୁଣି ଥରେ ଲୋକଲୋଚନକୁ ଆଣି ଦୋଷୀଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ନେବ। ସେହିପରି ଚିଟଫଣ୍ଡ ଦୁର୍ନୀତିରେ ହିତାଧିକାରୀମାନେ ହରାଇଥିବା ଟଙ୍କା କିପରି ସେମାନଙ୍କୁ ମିଳିବ ସେନେଇ ପଦକ୍ଷେପ ନିଆଯିବ। ରାଜ୍ୟ ସରକାର ଚିଟ୍‌ଫଣ୍ଡ ଦୁର୍ନୀତି ପ୍ରସଙ୍ଗରେ ସେତେବେଳେ କହିଥିଲେ, ଚିଟ୍‌ଫଣ୍ଡ ପାଇଁ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରାଯାଇଛି। ଯେଉଁମାନେ ଚିଟ୍‌ଫଣ୍ଡରେ ଟଙ୍କା ହରାଇଛନ୍ତି ସେମାନଙ୍କୁ କର୍ପସ ଫଣ୍ଡରୁ ଟଙ୍କା ଫେରସ୍ତ କରାଯିବା କଥା। ମାତ୍ର ଏହା କେବଳ ପ୍ରତିଶ୍ରୁତିରେ ହିଁ ସୀମିତ ଥିଲା। ଏହି କର୍ପସ ଟଙ୍କା କୁଆଡ଼େ ଗଲା ତାହାର ତଦନ୍ତ କରାଯାଇ ଲୋକଙ୍କୁ ସେମାନଙ୍କ ଟଙ୍କା ଫେରାଇବା ପାଇଁ ବ୍ୟବସ୍ଥା କରାଯିବ। ଏହା ବ୍ୟତୀତ ବିଜେଡି ସରକାର ଦ୍ୱାରା କରାଯାଇଥିବା ଆବାସ, ପାଣି ଓ ଅନ୍ୟାନ୍ୟ ଦୁର୍ନୀତିର ତଦନ୍ତ କରାଯାଇ ଦୋଷୀଙ୍କୁ ଦଣ୍ଡ ଦିଆଯିବା ସହ ଓଡ଼ିଶାବାସୀ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ କରାଯିବ। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଓ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Share :