ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ

ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ

Share :

କବିସୂର୍ଯ୍ୟ ବଳଦେବ ରଥ ଜଟିଳ କରି ସ୍କନ୍ଧ ରୋମରାଜି, ଶିଖରୀ ଦରୀରେ ମରୁଁ ଗରଜି, କୁଟିଳ କରି ଭ୍ରୂକୁଟିକୁ ଚାହୁଁ, ସରମା କଣ୍ଠୀରବ ହେବ କାହୁଁ ? ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ। ଅଲକତ ଦ୍ରବ ନୟନେ ବୋଳି, ରସାଳ ଗହଳେ କରିଲେ କେଳି, କବଳ କରୁଁ ତା କଳି କଳାପ, କାକ କି କରିବ ପଞ୍ଚମାଳାପ? ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ। ବରଜୀବ-ରସେ ଦେଇ ମାନସ, ବରଜି ବରଷେ ଅମେଧ୍ୟ ଗ୍ରାସ, ଦେହେ ମନ୍ଦାକିନୀ ରଜ ଲଗାଇ, ଗ୍ରାମ ଶୂକରୀ କି ହୋଇବ ଗାଈ? ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ। ଚଞ୍ଚୁ ଚରଣେ ଲଗାଇ ହିଙ୍ଗୁଳ, ନିଜ ତୁଣ୍ଡେ ମଣ୍ଡି ଖଣ୍ଡ-ମୃଣାଳ, ଚାଲୁଁ ପୂର୍ବ ଅଙ୍ଗ ବୁଲାଇ ବକୀ, ତେବେ ସେ ମରାଳୀ ବୋଲାଇବ କି? ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ। ରଞ୍ଜି ନାୟକ ରଙ୍ଗେ ଚୋପଦାର, ଖଞ୍ଜିଲେ ହେଲେ ଚାବୁକ ସବାର, ଖିଲାଇଲେ ହେଲେ ନାନା ମସଲା, ତୁରଙ୍ଗ ହୁଏ କି ରାସଭ ପିଲା? ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ। ବଦରିକା ବନେ ନିତ୍ୟ ନିବାସ, କରି ଆଚରି ବ୍ରତ ଉପବାସ, ପ୍ରଯତ୍ନ କଲେ ହେଁ ନାନା ପ୍ରକାର, ଖଦ୍ୟୋତ ହୋଇବ କି ପ୍ରଭାକର? ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ। ଯାହାକୁ ଯାହା କରିଛି ଦଇବ, ତହୁଁ ନି କି ସେ ଅନ୍ୟଥା ହୋଇବ? ଘେନିଲେ ହେଲେ ଯତ୍ନେ କୋଟି ପୁଟ, ପିତ୍ତଳୁଟି କେହି ହେବ ପୁରଟ? ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ। ଦେବ ଉପବନେ ହୋଇ ଜନିତା, ସୁବାସ-ମଦରୁ ଜବସ ଲତା, ତୁଳସୀ ତୁଲେ ହେଲେ ମିଶାମିଶି, ତାହାକୁ ଯେବେ ବୋଲିବା ତୁଳସୀ? ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ। ସମଜଇ ନାହିଁ ସ୍ୱଜାତି ଭାଷା, କହିଲେ ଯେ ହୁଅଇ ଲୋକହସା, ଜଡ଼ ମୁଁ ବୋଲି ନ ଜନ୍ମି ନିର୍ବେଦ, ଷଡ଼ଦର୍ଶୀ ତୁଲେ କଲେ ବିବାଦ? ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ। ଦେହରେ ବାଜିଲେ ପର ନିଃଶ୍ୱାସ, ସମ୍ଭାଳିବାକୁ ନ ଥାଇ ବିଶ୍ୱାସ, ନିର୍ଲଜ୍ଜ ଅଭିମାନେ ଡେରି ଛାତି, ହାତୀ ଲଢ଼ାଇକି ବାନ୍ଧିଲେ କାତି? ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ। କରମରେ ତ ହୋଇଅଛି ଲେଖା, କରମର୍ଦ୍ଦକ ଯୋଗ୍ୟ ତୋର ଶିଖା, ହରମଉଳି ଯୋଗ୍ୟ ଚମ୍ପକକୁ, ଭରମରେ ବୃଥା ପଡ଼ି ଯା ଟାକୁ? ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ। ଚାରୁଚନ୍ଦ୍ରୋଦୟ ମଶାଲ ପାଖେ, ବହ୍ନି ଜାଳିବ ଯେବେ ଦିଶା ମୁଖେ, ଧାତା ତ କରିନାହିଁ ତା ନିକାଶ, କି ରୂପେ ହେବ ସେପରି ପ୍ରକାଶ? ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ। ବୋଳି ହୋଇ ଭୂତି ଧରି ପରଶୁ, ବଳୀବର୍ଦ୍ଦବର ଚରମେ ବସୁ, ଗଉରୀ-ପ୍ରାଣନାଥ ଅନୁଭାବ, ଠଉରି ପାରିବ ନାହିଁ ତ ଲବ? ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ। ସର ପର୍ପଟି ଯାହାକୁ ମିଳଇ, ସେ ସୁଖେ ତା ଭୋଜନେ ପ୍ରବଳଇ, ସଢ଼ାଇବାକୁ ତା ବଡ଼ାଇ ବସି, ଦୁର୍ମତି ଯେବେ ଚୋବାଇବ ଘଷି? ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ। ଚିର ତପବଳୁ କେଉଁ ପୁରୁଷ, ସମ୍ପାଦି ଯୋଗ୍ୟ ଗୁଣ ପଉରୁଷ, କରିଷେ ସଞ୍ଚରିବା ନ ସହିବ, କରୀଷକଟେ ଯେବେ ଆରୋହିତ? ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ। ଗଙ୍ଗାର ପ୍ରବାହେ ଅଳପେ ବୁଡ଼ି, ଅଙ୍ଗାର ନିକି ନିଜ ବର୍ଣ୍ଣ ଛାଡ଼ି, ବଳାହିତ ରତ୍ନ ପରି ଦିଶିବ, ବାଳା ପୟୋଧର ହାରେ ମିଶିବ? ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ। ସତରବୟସୀ ସତତ ମନ, କରଇ ଯାହାକୁ ଅନୁଗମନ, ଛବି-ଶୂନ୍ୟ ଷଣ୍ଡ ବୃଦ୍ଧ ତା ତୁଲେ, ଅବିବେକବଶୁ ବିବାଦୀ ହେଲେ? ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ। ଗୁଞ୍ଜର କେଉଁ ପୁଣ୍ୟବଳୁ ସିନା, ସଙ୍ଗକୁ ଅଙ୍ଗୀକାର କଲା ସିନା, ହୋଇଲି ତ ବୋଲି କନକ ତୁଲ୍ୟ, ଲୋଡ଼ିବ ଯେବେ ତାହା ତୁଲ୍ୟ ମୂଲ୍ୟ? ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ। ଗଜପତି କୁମ୍ଭସ୍ଥଳ ବିଦାରି, ସଜ ପଲକ ଭୁଞ୍ଜିବାରୁ ହରି, ଦୃଷ୍ଟି ନ ଦେଲା ବୋଲି ଅନ୍ୟ ଶବେ, ଜମ୍ବୁକେ ଯଶସ୍ୱୀ ବୋଲିବା ଯେବେ? ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ। ମାନୋଦ୍ଧାରଣ ଶରଣପଞ୍ଜର, ବଘେଲ ବାଦଶା ନୃପକୁଞ୍ଜର, ରାଜା ଜଗଦ୍ଦେବ ହରିଚନ୍ଦନ, ଲଙ୍ଘିଲେ ତାକୁ ନ କରି ଚନ୍ଦନ? ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ। ତାଙ୍କ ସୁଧର୍ମା ତୁଲ୍ୟ ସଭା କବି, ଭଣିଲେ ରାୟଗୁରୁ କବିରବି, ଶ୍ରବଣ-ସର୍ବାବୟବୀ ମାନବ, ସହସ୍ରାକ୍ଷ ସାମ୍ୟ ଯେବେ ଲୋଡ଼ିବ, ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ ଯେ।

Share :