ଖୁଆଡ଼ ଡେଇଁବେ ବିଜେଡି ନେତା!

ଖୁଆଡ଼ ଡେଇଁବେ ବିଜେଡି ନେତା!

Share :

ସ୍ୱତନ୍ତ୍ର ପ୍ରତିନିଧି କୌଶଳ କିଛି ନୂଆ ନୁହେଁ । ନିରଙ୍କୁଶ କ୍ଷମତା ବଜାୟ ରଖିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏମିତି ପ୍ରତି ନିର୍ବାଚନରେ କରିଥାନ୍ତି । ତାଙ୍କର ଅର୍ଥାତ ତାଙ୍କ ସରକାରର ସମସ୍ତ ବଦନାମ କେତେ ଜଣ ବିଧାୟକଙ୍କ ମୁଣ୍ଡରେ ଢାଳି ଦେଇ ନିଜେ ଖସି ଯାଆନ୍ତି । ଲୋକେ ଭାବନ୍ତି, ଏଇ ବିଧାୟକଗୁଡ଼ା ବାଜ୍ୟେ ଲୋକ, ଦୁର୍ନୀତିଗ୍ରସ୍ତ, ଅପାରଗ; ନବୀନବାବୁ ଭାରି ଭଲ! ୨୦୦୦ ମସିହାରେ ଯେଉଁମାନେ ବିଜେଡି ଟିକେଟ ପାଇଥିଲେ ୨୦୦୪ରେ ସେମାନେ ସମସ୍ତେ ଦଳୀୟ ପ୍ରାର୍ଥୀ ହୋଇ ନଥିଲେ । ୨୦୦୪ରେ ଯେଉଁମାନେ ଦଳୀୟ ପ୍ରାର୍ଥୀ ହେଲେ ୨୦୦୯ରେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ବଦଳାଇ ଦିଆଗଲା । ସେହିପରି ୨୦୧୪ ମସିହାରେ ମଧ୍ୟ ଅନେକ ଦଳୀୟ ବିଧାୟକଙ୍କ ଟିକେଟ କଟିଗଲା । ଏବେ ୨୦୧୯ରେ ସେଇ କୌଶଳର ପୁନରାବୃତ୍ତି ହେବାକୁ ଯାଉଛି । ଏଥର ଟିକେ ବଡ଼ ଆକାରରେ । କାରଣ ନବୀନ ସରକାର ଅଧିକ ବଦନାମ, ବିଜୁ ଜନତା ଦଳ ବି । ସେଥିପାଇଁ ଏଥର ଆଉ ଏକତୃତୀୟାଂଶ ନୁହେଁ, ଦୁଇ ତୃତୀୟାଂଶ ବିଧାୟକଙ୍କ ଟିକେଟ କାଟିବାକୁ ତୃତୀୟ ମହଲାରେ ବସୁଥିବା ଦଳର ମୁଖ୍ୟ କାର୍ଯ୍ୟନିର୍ବାହୀ ନବୀନଙ୍କ ବ୍ରେନୱାଶ କରିଥିବା କଥା ଦଳ ଭିତରେ ଧୀରେ ଧୀରେ ଫୁଟିଆରା ହେଲାଣି । ନବୀନବାବୁଙ୍କ ପ୍ରଥମ ମାର୍ଗଦର୍ଶକ ଓ ଦଳୀୟ ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ୟାରୀ ମୋହନ ମହାପାତ୍ର ହିଁ ଏହି କୌଶଳରେ ନବୀନଙ୍କୁ ନିଷ୍କଣ୍ଟକ କରିଥିଲେ । ସେ ନବୀନଙ୍କ କାନରେ ପ୍ରତି ବିଧାନସଭା ନିର୍ବାଚନରେ ବିଜେଡିର ଏକତୃତୀୟାଂଶ ବିଧାୟକଙ୍କୁ ବଦଳାଇବାର ମନ୍ତ୍ର ଫୁଙ୍କି ଦେଇଥିଲେ । ଏବେ ଯାଏଁ ସେ ସେହି ମନ୍ତ୍ରକୁ ପ୍ରତି ନିର୍ବାଚନରେ କାର୍ଯ୍ୟକାରୀ କରିଚାଲିଛନ୍ତି । ପ୍ରତି ନିର୍ବାଚନରେ ଏକତୃତୀୟାଂଶ ନହେଲେ ବି ଅନେକ ବିଧାୟକଙ୍କ ଗୋଛି କାଟି ନିଜ ସରକାରର ଦୁର୍ନୀତି ଓ ଅପାରଗତାର ବୋଝକୁ ସେମାନଙ୍କ ଉପରେ ଲଦି ଦେଇଛନ୍ତି । ୨୦୦୯ ନିର୍ବାଚନରେ ବିଜେପିକୁ ଛାଡ଼ପତ୍ର ଦେଲା ପରେ ବିଜେଡିର ପ୍ରାର୍ଥୀ ସଂଖ୍ୟା ୮୦ରୁ ୧୦୦ ଟପିଥିଲା । ସେଥର ଖୁବ ଅଳ୍ପ କିଛି ଆସନ ଅନ୍ୟ ଦଳଗୁଡ଼ିକୁ ଛାଡ଼ି ଦିଆଯାଇଥିଲା । ୨୦୧୪ରେ ଆଉ କୌଣସି ଦଳ ସହିତ ମେଣ୍ଟ ହେଲା ନାହିଁ । ବରଂ ଅନ୍ୟ ଦଳର ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ନିଜ ଦଳକୁ ଆଣି ନବୀନବାବୁ ପୁଣି ଥରେ ଜିତିଗଲେ । ଖାଲି ଜିତିଲେ ନାହିଁ, ଦଳର ବିଧାୟକଙ୍କ ସଂଖ୍ୟା ୧୧୭କୁ ବଢ଼ାଇଦେଲେ । ୨୦୧୯ ନିର୍ବାଚନରେ ଏହି ସଂଖ୍ୟାକୁ ୧୨୩ ଟପାଇବା ପାଇଁ ନବୀନବାବୁ ପୁଣି ଥରେ ସେହି ଫର୍ମୁଲା ପ୍ରୟୋଗ କରିବେ ବୋଲି ଦଳ ଭିତରେ ଗୁଂଜରଣ ସୃଷ୍ଟି ହେଲାଣି । ଏଥିନେଇ ଅନେକ ବିଧାୟକ ମଧ୍ୟ ଆଶଙ୍କାଗ୍ରସ୍ତ । କୌଶଳ ଅନୁସାରେ ଖୁବ ଅଳ୍ପ କେତେ ଜଣ ବିଧାୟକଙ୍କୁ ନିର୍ବାଚନ ପରେ ସରକାରରେ ଥଇଥାନ କରାଯିବାର ପ୍ରତିଶ୍ରୁତି ଦିଆଯାଇ ସେମାନଙ୍କ ଟିକେଟ କଟାଯିବ । ସେହିପରି କେତେ ଜଣ ବିଧାୟକଙ୍କୁ ଲୋକସଭା ପାଇଁ ପ୍ରାର୍ଥୀ କରାଯିବ । ଆଉ କେତେ ଜଣଙ୍କୁ ଦଳୀୟ ପଦପଦବୀରେ ମୁକରିର କରାଯିବ । ଅନ୍ୟମାନଙ୍କୁ ଏକରକମ ବାଧ୍ୟତାମୂଳକ ଅବସର ଦିଆଯିବ । ନବୀନଙ୍କ ଏପରି କୌଶଳ ପଛରେ ସବୁଠୁଁ ବଡ଼ କାରଣ ହେଲା ତାଙ୍କର ଇନଫିଅରିଟି କଂପ୍ଲେକ୍ସ ବା ହୀନମନ୍ୟତା । ବିଜୁବାବୁଙ୍କ ମୃତ୍ୟୁ ପରେ ସେ ବାଧ୍ୟବାଧକତାରେ ରାଜନୀତିକୁ ଆସିବା ସମୟରେ ଜାଣିଥିଲେ ଯେ ଓଡ଼ିଶା ରାଜନୀତିରେ ବିଶେଷକରି ତକ୍ରାଳୀନ ଜନତା ଦଳରେ ତାଙ୍କଠାରୁ ଢେର ଅଧିକ ଶକ୍ତିଶାଳୀ, ଲୋକପ୍ରିୟ, ଦକ୍ଷ ଓ ଅଭିଜ୍ଞ ରାଜନେତା ରହିଛନ୍ତି । ସେମାନେ ଚାହିଁଲେ ଯେକୌଣସି ମୁହୂର୍ତ୍ତରେ ଦଳ ଓ ସରକାରରେ ତାଙ୍କ ପଦ ଚାଲିଯିବ । ପ୍ୟାରୀବାବୁ ଏହା ବୁଝାଇ ଦେଇଥିଲେ । ତେଣୁ ସେ ଦଳର ସବୁଠୁ ଦକ୍ଷ ଓ ଅଭିଜ୍ଞ ନେତାମାନଙ୍କୁ ଜଣକ ପରେ ଜଣେ ବିଭିନ୍ନ ଉପାୟରେ ଅପଦସ୍ତ ଓ ବହିଷ୍କାର କରିବାରେ ଲାଗିଲେ । ତାଙ୍କର ଏଇ ହୀନମନ୍ୟତାର ଶିକାର ହୋଇସାରିଛନ୍ତି ବିଜୟ ମହାପାତ୍ର, ଦିଲ୍ଲିପ ରାୟ, ନଳିନୀ ମହାନ୍ତି, କମଳା ଦାସ, ରାମକୃଷ୍ଣ ପଟ୍ଟନାୟକ, ପ୍ରଫୁଲ୍ଲ ଘଡ଼ାଇ, ଦାମୋଦର ରାଉତ, ସୁରେନ୍ଦ୍ର ନାଥ ନାୟକଙ୍କ ପରି ଅନେକ ବରିଷ୍ଠ ନେତା । ଏଇ ହୀନମନ୍ୟତା ବା ପଦ ହରାଇବାର ଭୟ ତାଙ୍କୁ ଏମିତି ଘାରି ରଖିଛି ଯେ ସେ ନିଜ ଦଳର କୌଣସି ଦକ୍ଷ ଓ ସ୍ୱାଭିମାନୀ ନେତାଙ୍କୁ ଅଧିକ ଦିନ କ୍ଷମତାର ଗାଦିରେ ରଖାଇ ଦେବାକୁ ନିଜ ପାଇଁ ବୁଦ୍ଧିମାନର କାମ ବୋଲି ଭାବି ନାହାନ୍ତି । ନିଜ ମନ୍ତ୍ରିମଣ୍ଡଳରେ ମଧ୍ୟ ସେ ଏହି କାରଣରୁ ଅଧିକ ଯୋଗ୍ୟ ଓ ଦକ୍ଷ ବିଧାୟକଙ୍କୁ ସାମିଲ ନକରି ଅପେକ୍ଷାକୃତ କନିଷ୍ଠ ଓ ତାଙ୍କଠାରୁ ଅଧିକ ହୀନମନ୍ୟ ନେତାମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦେଇ ଆସିଛନ୍ତି । ଅଳ୍ପ ଶିକ୍ଷିତ, ରାଜନୀତିରେ ଅନଭିଜ୍ଞ, ଶାସନ ପରିଚାଳନାରେ ଅଜ୍ଞ ତଥା କଞ୍ଚା ବୟସର ବିଧାୟକମାନଙ୍କୁ ମନ୍ତ୍ରୀ କଲେ ସଚିବମାନଙ୍କ ଜରିଆରେ ସେମାନଙ୍କୁ ନିୟନ୍ତ୍ରିତ କରିହେବ ବୋଲି ବୋଲି ପ୍ୟାରୀଙ୍କ ଅମଲାତାନ୍ତ୍ରିକ ବୁଦ୍ଧି ନବୀନଙ୍କୁ ମଧ୍ୟ ଆକ୍ରାନ୍ତ କରିଥିଲା ଓ ସେ ତାହା ହିଁ କରିଚାଲିଛନ୍ତି । ତାଙ୍କର ପ୍ରଥମ ଦଫାର ମୁଖ୍ୟମନ୍ତ୍ରିତ୍ୱର ପ୍ରଥମ ଦୁଇ ତିନି ବର୍ଷ ଛାଡ଼ିଦେଲେ ଏଯାଏଁ ଖଣି, ଅର୍ଥ, ଜଳସଂପଦ, ପୂର୍ତ୍ତ, ଶକ୍ତି, ଶିଳ୍ପ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକ ପ୍ରାୟ ସବୁବେଳେ କନିଷ୍ଠ ବିଧାୟକମାନଙ୍କୁ ଦିଆଯାଇ ଆସିଛି । ଅଜ୍ଞ ଓ ଅନଭିଜ୍ଞମାନେ ଏସବୁ ବିଭାଗ ବିଷୟରେ ଅନେକ କଥା ଜାଣି ନଥିବାରୁ ସଚିବମାନଙ୍କ ଜରିଆରେ ତୃତୀୟ ମହଲା ହିଁ ସବୁ କ୍ଷମତା ଉପଭୋଗ କରିଛି । ସେତେବେଳେ ତୃତୀୟ ମହଲାରେ ନଥାଇ ପ୍ୟାରୀବାବୁ ଯେଉଁ କ୍ଷମତା ଉପଭୋଗ କରୁଥିଲେ ଏବେ ତୃତୀୟ ମହଲାର ଅଫିସରମାନେ ସେଇ କ୍ଷମତା ଜାହିର କରୁଛନ୍ତି । ଏହି ହୀନମନ୍ୟତା ବା ପଦ ହରାଇବାର ଭୟରୁ ସେ ଯୋଗ୍ୟ ଓ ଦକ୍ଷ ବିଧାୟକଙ୍କୁ କେବେ ବି ରାଜନୀତିକ ସ୍ଥିରତା ପ୍ରଦାନ କରିନାହାନ୍ତି । କାହାର କେତେବେଳେ ମନ୍ତ୍ରୀପଦ ଚାଲିଗଲାଣି ତ କାହାର ନିର୍ବାଚନ ମଣ୍ଡଳୀ । କାହା ପଛରେ ଅନ୍ୟ କାହାକୁ ଫିଟ୍ କରିଦିଆଗଲାଣି ତ କାହାକୁ ବିବାଦ ଘେରକୁ ଠେଲି ଦିଆଗଲାଣି । ଅଳ୍ପ ଶିକ୍ଷିତ ଓ ଅନଭିଜ୍ଞ ବିଧାୟକମାନଙ୍କୁ ଦଳ ଓ ସରକାରରେ ଯେତେ ଅଧିକ ଗୁରୁତ୍ୱ ମିଳେ ଦକ୍ଷ ଓ ଅଭିଜ୍ଞମାନଙ୍କୁ ତତ୍ତୁଲ୍ୟ ଗୁରୁତ୍ୱ ମିଳେ ନାହିଁ । ଏହା ଡାକ୍ତର ଦାମୋଦର ରାଉତ ବାରମ୍ବାର କହି ଆସିଛନ୍ତି । କିନ୍ତୁ ଦାମଙ୍କ ବାଣ ଟାଣ ନଥିବାରୁ ନବୀନବାବୁ କେବେ ବି ତାଙ୍କ କଥା ଶୁଣି ନିଜ କୌଶଳ ବଦଳାଇ ନାହାନ୍ତି କି ତାଙ୍କ ପରି ବରିଷ୍ଠ ନେତାମାନଙ୍କୁ ନିଜର ପରାମର୍ଶଦାତା ପଦରେ ନିଯୁକ୍ତ କରି ନାହାନ୍ତି । ସେ ସବୁବେଳେ ଗୁପ୍ତ ପରାମର୍ଶଦାତାଙ୍କ ପ୍ରଦର୍ଶୀତ ରାସ୍ତାରେ ଚାଲିଛନ୍ତି । ଓଡ଼ିଶାର ଦକ୍ଷ, ଯୋଗ୍ୟତା ସଂପନ୍ନ, ଅଧିକ ଶିକ୍ଷିତ ଓ ପ୍ରକୃତ ସେବା ମନୋଭାବ ନେଇ କାର୍ଯ୍ୟ କରୁଥିବା ଲୋକମାନେ ରାଜନୀତିରେ ମିଶିବା ଏକ ବିରଳ କଥା । କିଛି କରିପାରୁ ନଥିବା ଲୋକମାନେ ଓଡ଼ିଶାରେ ଅଧିକ ସଂଖ୍ୟାରେ ସାମ୍ବାଦିକତା ନହେଲେ ରାଜନୀତିରେ ପ୍ରବେଶ କରନ୍ତି । ସେମାନଙ୍କ ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଚରିତ୍ରକୁ ଠିକ ବୁଝିଛନ୍ତି ନବୀନବାବୁ । ସେଥିପାଇଁ ସେମାନଙ୍କ ଜରିଆରେ ସଂଗୃହୀତ ଦୁର୍ନୀତି ପ୍ରସାଦ ଏବଂ ଭୋଟ୍ ଫଳର ପ୍ରମୁଖ ଉପଭୋକ୍ତା ସେ ନିଜେ ହେଲେ ବି ବଦନାମର ବାନା ଅନ୍ୟମାନଙ୍କୁ ବୋହିବାକୁ ପଡ଼ୁଛି । କିନ୍ତୁ ଏଥର ନବୀନଙ୍କର ଏହି ଚାଲ୍ କାମ ଦେବନି ବୋଲି ଆକଳନ କରାଯାଉଛି । କେଇ ଦିନ ତଳେ ଡାକ୍ତର ଦାମୋଦର ରାଉତ ଗଣମାଧ୍ୟମରେ ଯେଉଁ ତଥ୍ୟ ରଖିଛନ୍ତି ତାହା ଯଦି ସତ ହୋଇଥାଏ ତେବେ ଏଥର ଯେଉଁ ବିଜେଡି ବିଧାୟକଙ୍କର ଟିକେଟ କଟିବ ସେମାନେ ଅନ୍ୟ ଦଳକୁ ଲମ୍ଫ ଦେବାର ସମ୍ଭାବନା ଅଧିକ । ଡାକ୍ତର ରାଉତ ଅବଶ୍ୟ କଥାଟାକୁ ବୁଲେଇ କରି କହିଛନ୍ତି । ସେ କହିଛନ୍ତି ଯେ ପ୍ରାୟ ୪୦ ଜଣ ବିଜେଡି ବିଧାୟକ ବିଜେପିକୁ ସମର୍ଥନ କରିବା ପାଇଁ ଅଗ୍ରୀମ ନେଇଛନ୍ତି । କିନ୍ତୁ ଥରେ ବିଜେଡି ଜିତି ସରକାର ଗଢ଼ିଲା ପରେ ଚାକର ସଂସ୍କୃତିରେ ପ୍ରତିପାଳିତ ବିଧାୟକମାନେ ଦଳତ୍ୟାଗ କରିବାର ସମ୍ଭାବନା କମ୍ । ତା’ ପୂର୍ବରୁ ନିର୍ବାଚନ ସମୟରେ ଟିକେଟ ନପାଇଲେ ଅବଶ୍ୟ ନିଜର ରାଜନୀତିକ ଅସ୍ତିତ୍ୱ ଓ ପରିଚୟ ବଜାୟ ରଖିବା ପାଇଁ କେତେକ ବିଧାୟକ ଦଳତ୍ୟାଗ କରିବା ଅସମ୍ଭବ ନୁହେଁ ।

Share :