‘ବିଜୁ’ ନାଁରେ ଗୋଟିଏ ରାଜନୀତିକ ଦଳ ଅଛି। ‘ବିଜୁ’ ନାଁରେ ଏହି ଦଳର ସରକାରଙ୍କ ଦ୍ୱାରା ଅନେକ ଗୁଡ଼ିଏ ଯୋଜନା ଅଛି। ଏଇ ଯେପରି ବିଜୁ କେବିକେ, ବିଜୁ ପକ୍କାଘର, ବିଜୁ ଗାଁ ଗାଡ଼ି- ଏମିତି ଡଜନେ ଯୋଜନା ଓ କାର୍ଯ୍ୟକ୍ରମ ରହିଛି। ସେହିପରି ‘ନବୀନ’ ନାମରେ ମଧ୍ୟ କେତେକ ସରକାରୀ ଯୋଜନା ଏଇ ନିର୍ବାଚନ ପୂର୍ବରୁ କାର୍ଯ୍ୟକାରୀ କରାଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନାଁ ହେଉଛି ନବୀନ ପଟ୍ଟନାୟକ। ସେ ହେଉଛନ୍ତି ବିଜୁ ପଟ୍ଟନାୟକଙ୍କ ପୁଅ ଓ ‘ବିଜୁ’ ନାଁରେ ନାମିତ ଦଳର ସଭାପତି। ଯେତେବେଳେ ଏହି ଯୋଜନା ଓ କାର୍ଯ୍ୟକ୍ରମ ଗୁଡ଼ିକ ସରକାରୀ ଅର୍ଥରେ କାର୍ଯ୍ୟକାରୀ ତଥା ପ୍ରଚାରିତ ହୁଏ ସେତେବେଳେ ଏହି ଦଳର ପ୍ରଚାର ହୋଇଥାଏ। ଆଉ ସେହିସବୁ ଯୋଜନାରୁ କିଛି ଯୋଜନାର ଲୋଗୋ ଯଦି ଶଙ୍ଖାକୃତିର ଓ ସବୁଜ ରଙ୍ଗର ହେଲା ତେବେ ତ ଦଳଟା ସରକାର ନଚଳେଇ ସରକାରଟା ଦଳ ଚଳେଇବା ଭଳି କଥା ହୋଇଯାଏ, ଦଳଟା ସରକାର ତଥା ସମାଜ ବା ରାଜ୍ୟ ପାଇଁ ଉତ୍ସର୍ଗୀକୃତ ନହୋଇ ରାଜ୍ୟ ବା ସମାଜକୁ ସରକାର ଜରିଆରେ ଦଳ ପାଇଁ ଉତ୍ସର୍ଗୀକୃତ କରିଦିଆଯାଏ। କେତେକ ଅଫିସର ସେହି ପ୍ରକାରେ କାମ କରିଥାନ୍ତି। ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଁକରୁଁ ଦଳୀୟ କର୍ମୀଙ୍କ ପାଇଁ ଓ ଦଳୀୟ କର୍ମୀଙ୍କ ପାଇଁ କାମ କରୁଁକରୁଁ ଦଳ ପାଇଁ କାମ କରିପକାନ୍ତି। ଦଳର ଭୋଟ୍ ବ୍ୟାଙ୍କ ବଢ଼େଇବାକୁ ନୂଆ ନୂଆ ହିତାଧିକାରୀ ଅଭିମୁଖୀ ଯୋଜନା କାର୍ଯ୍ୟକାରୀ କରନ୍ତି। ଯୋଜନା ଓ କାର୍ଯ୍ୟକ୍ରମ ଗୁଡ଼ିକର ହିତାଧିକାରୀମାନଙ୍କୁ ପରିଚାଳିତ କରୁଁକରୁଁ ଦଳକୁ ମଧ୍ୟ ପରିଚାଳିତ କରିପକାନ୍ତି ଓ ସରକାର ହୋଇଯାଆନ୍ତି! ଆଉ ଯଦି ଅଫିସର କେହି ସରକାର ଚଳଉଥିବା ସେହି ଦଳର ସର୍ବୋଚ୍ଚ ନେତା ତଥା ମୁଖ୍ୟମନ୍ତ୍ରୀଙ୍କର କା’ ଭାବେ କାର୍ଯ୍ୟ କରୁଥାନ୍ତି ତେବେ ସେ ହିଁ ଦଳ ଓ ସରକାର ହୋଇଯାଆନ୍ତି। ଏଭଳି ଏକ ଅଜବ ସ୍ଥିତିରେ ହିତାଧିକାରୀମାନେ ଦଳୀୟ ଭୋଟର, କର୍ମୀ ଓ ନେତା, ଅଫିସର ମଣ୍ଡଳି ଦଳ ଓ ସରକାରର ହର୍ତ୍ତା କର୍ତ୍ତା ଓ ଦଇବ ବିଧାତା ଭାବରେ କାର୍ଯ୍ୟ କରିଥାନ୍ତି। ଲୋକଙ୍କ ଟିକସକୁ ଏହିପରି ଢଙ୍ଗରେ ଶାସକ ଦଳ ଓ ଶାସନ କଳ ଏକ ବା ମିଳିତ ହୋଇ କାମ କରିବା ଭତରେ ସ୍ୱାଭାବିକ ଭାବେ ଏକ ଅସାଧୁ ମେଣ୍ଟ ସୃଷ୍ଟି ହୋଇଯାଏ। ସ୍ୱାଭାବିକ ଭାବେ ଏହି ମେଣ୍ଟ ପରକୁ ପର ନିର୍ବାଚନ ଜିତି କ୍ଷମତାରେ ରହିବାକୁ ଚାହିଁବ, ଚାହିଁବାକୁ ବାଧ୍ୟ ବି, ନହେଲେ ମେଣ୍ଟ ଭାଙ୍ଗିଯିବ, ବେଣ୍ଟ ଭାଙ୍ଗିଯିବ, ଗଳାରେ ଗଜରା ଜାଗାରେ ହାତରେ ହାତକଡ଼ି ପଡ଼ିଯିବ, ଏଇ ଡର ସେମାନଙ୍କୁ ଏକାଠି ବାନ୍ଧି ରଖିବ! ତେଣିକି କେଉଁ ଅଣଓଡ଼ିଆର ହୁକୁମାତି ତାଲିମ କରିବାକୁ ପଡ଼ୁ ପଛେ, ଗଣତାନ୍ତ୍ରିକ ସହଭାଗିତା, ମିଳିତ ନେତୃତ୍ୱ ଆଦି ନୀତି ଓ ମୂଲ୍ୟବୋଧ ଚୁଲିକୁ ଯାଉ ପଛେ! ଅମଲାବାବୁଙ୍କ ପାଇଁ ଉତ୍ସର୍ଗୀକୃତ ନେତାମାନେ ପଦବୀ-ସର୍ବସ୍ୱ ଆଭିମୁଖ୍ୟ ନେଇ ରାଜନୀତି କରନ୍ତି, ତ୍ୟାଗ, ତିତୀକ୍ଷା, ସେବା ଓ କାର୍ପଣ୍ୟ ମୂଲ୍ୟବୋଧ ନେଇ ନୁହେଁ। ଓଡ଼ିଶାରେ ଏଇଆ ଚାଲୁ ରହିବ କି ଆଉ କ’ଣ ହେବ, ସରକାର ଲୋକଙ୍କର ହେବ କି ଅମଲାଙ୍କର ହେବ, ଆଗାମୀ ନିର୍ବାଚନରେ ତାହାର ନିର୍ଣ୍ଣୟ ହେବ।