ଓଡ଼ିଶା ହେଉଛି ଅନନ୍ତ ସମ୍ଭାବନାର ପ୍ରଦେଶ। ପ୍ରାକୃତିକ ଓ ମାନବ ସମ୍ପଦରେ ଭରପୂର ଓଡ଼ିଶା। ଓଡ଼ିଶାରେ ଦୀର୍ଘ ୨୫ ବର୍ଷ ବିଜେଡି ସରକାର ରହିଛି। ମୁଣ୍ଡ ପିଛା ଆୟରେ ଓଡ଼ିଶା ୨୫ ନମ୍ବରରେ ଅଛି। ଅନ୍ତର୍ଜାତୀୟ ଶ୍ରମ ସଂସ୍ଥା ୨୦୨୪ ରିପୋର୍ଟ ଅନୁସାରେ-ଦେଶର ୨୨ଟି ରାଜ୍ୟର ଦରିଦ୍ର ହାରକୁ ନିଖୁଣ ଭାବେ ବର୍ଣ୍ଣନା କରିଛି ଏବଂ ଓଡ଼ିଶାର ସ୍ଥାନ ହେଉଛି ୨୨। ୪୩ ପ୍ରତିଶତ ଶିକ୍ଷିତ ଯୁବକ ଓ ଯୁବତୀ ବେରୋଜଗାର ଅଛନ୍ତି ଓ ଏମାନେ ଅନ୍ୟ ରାଜ୍ୟ (ସୁରତ, ହାଇଦ୍ରାବାଦ, ବାଙ୍ଗାଲୋର, କେରଳର ଇଟାଭାଟି)କୁ ଦାଦନ ଖଟିବାକୁ ଯାଉଛନ୍ତି। ବିଜେପି ସରକାର ଓଡ଼ିଶାରେ ଆସିଲା ପରେ ସବୁ ହାତକୁ କାମ, ସବୁ କ୍ଷେତକୁ ପାଣି ଓ ସବୁ ମଣ୍ଡ ଉପରେ ଛାତର ସଂକଳ୍ପର ପ୍ରତିଶୃତିକୁ ପୂରଣ କରିବ। ୨୦୨୯ ସୁଦ୍ଧା ୧ କୋଟି ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥା ହେବ। ବିଜେପି ସଂକଳ୍ପ ପତ୍ରର ଲକ୍ଷ୍ୟ ହେଉଛି ସମସ୍ତଙ୍କ କଲ୍ୟାଣ ଏବଂ ସାମଗ୍ରିକ ବିକାଶ ସହିତ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା, ଦୁର୍ନୀତିର ମୂଳୋତ୍ପାଟନ, ଆଗାମୀ ଭବିଷ୍ୟତ ନିର୍ମାଣ, ମହିଳା ଓ ଯୁବବର୍ଗର ବିକାଶ, କୃଷକର ଆର୍ଥିକ ଅଭିବୃଦ୍ଧି ବୋଲି ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ଯେ, ବିଜେପିର ସଂକଳ୍ପ ହେଉଛି, ବିକଶିତ ଓଡ଼ିଶା ଗଠନ। ଜଳ ଜୀବନ ମିଶନ ଅନ୍ତର୍ଗତ ଆଗାମୀ ଦିନରେ ଓଡ଼ିଶାରେ ୨୬ ଲକ୍ଷ ଘର ପର୍ଯ୍ୟନ୍ତ ପାଇପ ଯୋଗେ ପାଣି ଯୋଗାଇ ଦିଆଯିବ। କେନ୍ଦ୍ର ସରକାର ଏହି ଯୋଜନା ଦ୍ୱାରା ଓଡ଼ିଶାକୁ ୧୦ ହଜାର କୋଟି ଦେଲେ କିନ୍ତୁ ଆଜି ବି ବିଶୁଦ୍ଧ ପାନୀୟ ଜଳ ମିଳୁନାହିଁ। ଓଡ଼ିଶା ସରକାର ସକ୍ରିୟ ନୁହନ୍ତି। ମୋଦି ସରକାର ଓଡ଼ିଶାର ବିକାଶ ପାଇଁ ଟଙ୍କା ଦେବାକୁ ବସିଛନ୍ତି କିନ୍ତୁ ରାଜ୍ୟ ସରକାର ତାହା ଖର୍ଚ୍ଚ କରିବାରେ ବିଫଳ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦ ଲକ୍ଷ ଗ୍ରାମାଂଚଳ ଓ ୫ ଲକ୍ଷ ସହରାଂଚଳରେ ଘର ତିଆରି କରାଯିବ। କିନ୍ତୁ ପୋଟାର୍ଲରେ ନାମ ଚଢ଼ାଇବା ପାଇଁ ନବୀନ ବାବୁ ଯୋଗ୍ୟ ହିତାଧିକାରୀଙ୍କ ଲିଷ୍ଟ ଦେଲେ ନାହିଁ। ଏଥିପାଇଁ ଅର୍ଥ ବରାଦ କରିବାରେ ବିଳମ୍ବ ହେଲା। ଲୋକେ ଆବାସ ନପାଇ ଚାଳଘରରେ ରହୁଛନ୍ତି। ବିଜେପି ସରକାରକୁ ଆସିଲେ ସଂକଳ୍ପ ପତ୍ରରେ ଥିବା ସମସ୍ତ ପ୍ରତିଶୃତିକୁ ଅକ୍ଷର ଅକ୍ଷର ପାଳନ କରିବ ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି। ନବୀନ ବାବୁ ଭୋଟ ନେବା ପାଇଁ ରାଜଧାନୀର ବସ୍ତିମାନଙ୍କରେ ଜାଗାମିଶନର ହୋର୍ଡିଂ ଲଗାଇଛନ୍ତି କିନ୍ତୁ ଏଯାଏଁ ପଟ୍ଟା ଦେଇନାହାନ୍ତି। ବିଜେପି ସରକାରକୁ ଆସିଲେ ପ୍ରତି ପରିବାରକୁ ୬୦୦ ସ୍କୋୟାରଫୁଟର ଜମି ଯୋଗାଇଦେବ। ୪୦ରୁ ୬୦ବର୍ଷର ବୁଣାକାର ପରିବାରକୁ ୩ ହଜାର ଟଙ୍କା ଦିଆଯିବ ଓ ୬୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ବୁଣାକାରଙ୍କୁ ୩,୫୦୦ ଦିଆଯିବ। ଆଦିବାସୀ ଭାଇଭଉଣୀଙ୍କ ପାଇଁ ୫୦୦ କୋଟି ଟଙ୍କା ବିନିମୟରେ ମୁଖ୍ୟମନ୍ତ୍ରୀ ଆରୋଗ୍ୟ ନିଧି ଯୋଜନା କାର୍ଯ୍ୟକାରୀ କରାଯିବ। କୃଷି କଲ୍ୟାଣ ବିଜେପିର ପ୍ରଥମ ପ୍ରାଥମିକତା ରହିବ ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି। ବିଜେପି ସରକାରକୁ ଆସିଲେ ସ୍କୁଲରେ ମଧ୍ୟାହ୍ନ ଭୋଜନ ସହ ଜଳଖିଆ ପାଇଁ ଆପୁର୍ତି ଯୋଜନା ଆରମ୍ଭ ହେବ। ମଧ୍ୟ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ଟି କ୍ୟାନସର ହସ୍ପିଟାଲ ହେବ। ସବୁ ଚିନିକଳ କାର୍ଯ୍ୟକ୍ଷମ କରାଯିବ। ଅଢ଼େଇ ଲକ୍ଷ କୋଟି ଟଙ୍କାର ଘରୋଇ ନିବେଶ ଓଡ଼ିଶାକୁ ଆଣିବ। ବିଜେଡି ସରକାର ବନ୍ଦ କରିଥିବା ୩ଟି ଟେକ୍ସଟାଇଲ ମିଲ ଆଇ ୭ଟା ସ୍ପିନିଂ କାରଖାନାକୁ କାର୍ଯ୍ୟକ୍ଷମ କରାଯିବ। ଶିକ୍ଷକଙ୍କ ପାଇଁ ସମାନ କାମକୁ ସମାନ ଦରମା ଦେବ। ବିଜେପି ସରକାରକୁ ଆସିଲେ ମାତୃଶକ୍ତି ଯୋଜନା ଆରମ୍ଭ କରିବ। ଗର୍ଭବତୀ ମହିଳାଙ୍କ ନେବା ଆଣିବା ପାଇଁ ଆମ୍ବୁଲାନ୍ସ ପାଇଁ “ସୁଗମ ଯୋଜନା” ଆରମ୍ଭ କରିବ। ଗର୍ଭବତୀ ମହିଳାଙ୍କ ପାଇଁ ହେଲ୍ପ ଲାଇନ ନମ୍ବର ଜାରୀ କରିବୁ। ୧୮ ମାସରେ ଚିଟଫଣ୍ଡ କ୍ଷତିଗ୍ରସ୍ତ ନିଜ ଟଙ୍କା ଫେରି ପାଇବେ। କାର୍ଯ୍ୟରତ ଅଙ୍ଗନବାଡ଼ି ଦିଦିଙ୍କର ମାସିକ ଦରମା ୧୨ ହଜାର ଓ ହେଲପରଙ୍କ ଦରମା ୮୦୦୦କୁ ବଢ଼ାଇବ। ସୁଭଦ୍ରା ଯୋଜନାରେ ୫୦ ହଜାରର କ୍ୟାସ ଭାଉଚର ମହିଳାଙ୍କୁ ଦିଆଯିବ ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି। ୨୦୧୬, ୨୦୧୮, ୨୦୨୨ରେ ମେକ୍ ଇନ୍ ଓଡ଼ିଶା ରାଜ୍ୟ ସରକାର କରିଥିଲେ, ଯାହା ପ୍ରହସନରେ ପରିଣତ ହୋଇଛି। ୨୦୧୬ରେ ୨ ଲକ୍ଷ ୩ ହଜାର କୋଟି ଟଙ୍କାର କମ୍ପାନୀ ସହ ଡିଲ୍ କଲେ ଓ କହିଥିଲେ ୧ ଲକ୍ଷ ୪୦ ହଜାର ଲୋକ ଚାକିରି ପାଇବେ। ୨୦୧୮ରେ ୪ ଲକ୍ଷ୨୩ ହଜାର କୋଟି ଟଙ୍କାର କମ୍ପାନୀ ସହ ଡିଲ୍ କଲେ ଏବଂ ୫ ଲକ୍ଷ ୫୧ ହଜାର ଚାକିରୀ ମିଳିବ ବୋଲି କହିଲେ। ମେକ୍ ଇନ ଓଡ଼ିଶା ନାଁରେ ନବୀନ ବାବୁ ଓଡ଼ିଶାର ସରଳ ଲୋକଙ୍କୁ ଧୋକ୍କା ଦେଇଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରାଗଲେ, ରାଜ୍ୟରେ ବିଜେଡି ସରକାର ଏହାର ଜବାବ୍ ରଖୁନାହାନ୍ତି। ଆଗାମୀ ପିଢ଼ିର ନିର୍ମାଣ ବିଜେପିର ଲକ୍ଷ୍ୟ। ରାଷ୍ଟ୍ର ନିର୍ମାଣରେ ଶିକ୍ଷକଙ୍କ ବଡ ଭୂମିକା ରହିଛି। କିନ୍ତୁ ତାହାକୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି। ଏସ୍ଏଚଜି ମାଧ୍ୟମରେ ରାଜ୍ୟ ସରକାର ଭୂଆଁ ବୁଲାଉଛନ୍ତି। ରାଜ୍ୟ ସରକାରଙ୍କର ମହିଳାଙ୍କ ପ୍ରତି ଯଦି ଦରଦ ଅଛି ତାହାଲେ ମହିଳାମାନଙ୍କୁ ଭୋଟ ବ୍ୟାଙ୍କ କରିବାରୁ ଦୂରେଇ ରୁହନ୍ତୁ। ମହିଳାଙ୍କ ଆତ୍ମସମ୍ମାନ ରଖନ୍ତୁ ରାଜ୍ୟ ସରକାର। ମୋଦି ସରକାର ଯାହା କୁହେ ତାହା କରେ, ଯାହା କରିପାରିବ ନାହିଁ ତାହା କୁହେଁ ନାହିଁ। ସଂକଳ୍ପରୁ ସିଦ୍ଧି ମିଳିବା ପର୍ଯ୍ୟନ୍ତ ବିଜେପି କାର୍ଯ୍ୟ କରେ ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।