‘ବିଜେଡି ଇସ୍ତାହାର କେବଳ ପମ୍ପା ପ୍ରତିଶ୍ରୁତି’

‘ବିଜେଡି ଇସ୍ତାହାର କେବଳ ପମ୍ପା ପ୍ରତିଶ୍ରୁତି’

Share :

ବିଜେଡି ଜାରି କରିଥିବା ନିର୍ବାଚନୀ ଇସ୍ତାହାରରେ କୌଣସି ନୂତନତ୍ୱ ନାହିଁ। ଗୁଡ଼ାଏ ଜିନିଷରେ ବିଜେପିର ଇସ୍ତାହାରକୁ କପି କରିବାର ଚେଷ୍ଟା କରାଯାଇଛି। ବିଜେଡି ଇସ୍ତାହାର କେବଳ ଏକ ପ୍ରହସନ ଓ ଫମ୍ପା ପ୍ରତିଶ୍ରୁତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅକ୍ଷୟ ତୃତୀୟା ଅବସରରେ ସମ୍ବଲପୁର ସାପଲହରା ଗାଁରେ ଚାଷୀ ଭାଇ ମାନଙ୍କ ସହ ମିଶି ଅକ୍ଷିମୁଠି ଅନୁକୂଳ କରିଛନ୍ତି। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ବିଜେଡି ଇସ୍ତାହାର ସମ୍ପର୍କୀତ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ବିଜେଡିର ଇସ୍ତାହାରରେ ଅନେକ ଗୁଡ଼ିଏ ବିଷୟରେ ବାରମ୍ବାର ପ୍ରତିଶ୍ରୁତି ଦିଆଯାଇଛି। ଇସ୍ତାହାରରେ କୌଣସି ନୂଆ କଥା ନାହିଁ। ୨ ଲକ୍ଷ ଚାକିରି ଦେବା କଥା ଇସ୍ତାହାରରେ କହିଛନ୍ତି। ୨୪ ବର୍ଷ ସରକାରରେ ରହିବା ପରେ ଏ ଯାଏଁ କାହିଁକି ରୋଜଗାର ଦେଲେନି? ରାଜ୍ୟରେ ୧ ଲକ୍ଷ ସରକାରୀ ପଦବୀ ଖାଲି ଥିବା କଥା ବିଧାନସଭାରେ ସରକାରଙ୍କ ମନ୍ତ୍ରୀ ଉତ୍ତର ରଖିଛନ୍ତି। ଏସବୁ ପଦବୀ ପୂରଣ କରିବାକୁ କିଏ ମନା କରିଥିଲା? ସରକାରୀ ପଦବୀ ପୂରଣ ନ କରି ଏବେ ଚାକିରି ଦେବି ବୋଲି କହିବା ପ୍ରହସନ ବ୍ୟତୀତ ଅନ୍ୟ କିଛି ନୁହଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ସେହିପରି ଯୁବକମାନଙ୍କ ପାଇଁ ବଜେଟ୍ ଆଣିବା କଥା ଇସ୍ତାହାରରେ କୁହାଯାଇଛି। ଏହା ପୂର୍ବରୁ ମହିଳା ବଜେଟ୍ ଓ କୃଷି ବଜେଟ୍ ଆଣିଥିଲେ। ଏନସିଆରବିର ତଥ୍ୟ ଦେଖିଲେ ଓଡ଼ିଶାରେ ହିଁ ମହିଳାମାନେ ଅସୁରକ୍ଷିତ ଓ ଅତ୍ୟଧିକ ଅତ୍ୟାଚାର ଶୀକାର ହେଉଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି। ରାଜ୍ୟରେ ଜଳସେଚନର ସୁବିଧା ନଥିବା ବେଳେ ଶୀତଳ ଭଣ୍ଡାର ନାହିଁ। ଚାଷୀଙ୍କୁ ସାମାନ୍ୟତମ ସୁବିଧା ମିଳିପାରୁନାହିଁ। ବିଜେଡିର ଘୋଷଣା ଗୁଡ଼ିକ କେବଳ ଲୋକ ଦେଖାଣିଆ। ଓଡ଼ିଶାର ବିକାଶ ସହ କିଛି ସମ୍ପର୍କ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଓଡ଼ିଶାର ଅଧିକାଂଶ ଭାଗ ଲୋକମାନେ ଚାଷ ଉପରେ ନିର୍ଭର କରନ୍ତି। ବିଜେପି ସରକାର ଓଡ଼ିଶାରେ ହେଲେ କଟନୀ ଛଟନୀ ବନ୍ଦ କରିବା ସହ ଧାନର ଏମଏସପି ୨୧୮୩ ଟଙ୍କାରୁ ୩୧୦୦ ଟଙ୍କା ବୃଦ୍ଧି କରିବା ନେଇ ଘୋଷଣା କରିଛି। ବିଜେଡି ସରକାରର ନିର୍ବାଚନୀ ଇସ୍ତାହାରରେ ଚାଷୀଙ୍କ ପାଇଁ କିଛି ଯୋଜନା ନାହିଁ। ବିଜେଡିର ପ୍ରତିଶ୍ରୁତି କେବଳ ଘୋଷଣାରେ ସୀମିତ। ଆଜି ଓଡ଼ିଶାରେ ଜଳସେଚନର ବ୍ୟବସ୍ଥା ନାହିଁ, ଶୀତଳଭଣ୍ଡାର ନାହିଁ, ଚାଷୀମାନେ ଅତ୍ୟନ୍ତ ଖରାପ ଅବସ୍ଥାରେ ଅଛନ୍ତି। ଏହାର ଉତ୍ତର ସେମାନେ ଦେବେ କି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି।

Share :