ଶାସକ ବିଜେଡି ସମ୍ପୂର୍ଣ୍ଣଭାବେ ମିଛ କହି ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛି। ବିଜେଡି ଓଡ଼ିଶାର ସମସ୍ତ ପରିବାରକୁ ସମ୍ପୂର୍ଣ୍ଣ ମାଗଣା ବିଦ୍ୟୁତ ଯୋଗାଇଦେବା ପାଇଁ ଇସ୍ତାହାର ପତ୍ରରେ ପ୍ରକାଶ କରିଛି। କିନ୍ତୁ ଅପରପକ୍ଷେ ବିଜୁ ଜନତା ଦଳ ନେତା ତଥା ଗୁମାସ୍ତା ଜନସଭା ଓ ବିଜ୍ଞାପନ ମାଧ୍ୟମରେ ପ୍ରଚାର ପ୍ରସାର କରୁଛନ୍ତି ଯେ, ଆସନ୍ତା ଜୁଲାଇ ମାସରୁ ଓଡିଶାର ବିଦ୍ୟୁତ ଉପଭୋକ୍ତାଙ୍କୁ ୧୦୦ ୟୁନିଟ୍ ମାଗଣା ଦିଆଯିବ। ଏହାର ଅର୍ଥ ବିଜେଡି ଇସ୍ତାହାର ପତ୍ର ସମ୍ପୂର୍ଣ୍ଣ ମିଥ୍ୟା ପ୍ରହେଳିକା ବୋଲି ପୂର୍ବତନ ରାଜ୍ୟ ସଭାପତି ତଥା ବରିଷ୍ଠ ନେତା ଶ୍ରୀ ସମୀର ମହାନ୍ତି କହିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଦୀର୍ଘ ୨୫ ବର୍ଷ ଓଡ଼ିଶାବାସୀଙ୍କୁ ଶାସନ କରିବା ପରେ ପୁଣି ନିର୍ବାଚନ ସମୟରେ ମିଛ କହି ଭ୍ରମିତ କରୁଛନ୍ତି ବିଜେଡିର ଆମଦାନୀ ନେତା ତଥା ଗୁମାସ୍ତା। ଓଡ଼ିଆ ଲୋକଙ୍କୁ ବିଜେଡି ନଭଣ୍ଡାଉ। ଓଡ଼ିଶାରେ ପ୍ରାୟ ୯୬ ଲକ୍ଷ ପରିବାର ବିଦ୍ୟୁତ୍ ଉପଭୋକ୍ତା ଅଛନ୍ତି। ବିଜେଡି କେତେ ଉପଭୋକ୍ତାଙ୍କୁ ମାଗଣା ବିଜୁଳି ଦେବ ତାହାର ସ୍ପଷ୍ଟ କରୁ। ପ୍ରଥମେ ବିଜୁଳି ବିଲ୍ ଆସିବନି ବୋଲି କହୁଥିଲେ, ପୁଣି ଏବେ ୧୦୦ ୟୁନିଟ୍ ମାଗଣା କଥା କହୁଛନ୍ତି କାହିଁକି? ଓଡ଼ିଆ ଲୋକଙ୍କୁ ନଭୂତେଇ, ପ୍ରତାରଣା ତଥା ନଭଣ୍ଡେଇ ବିଜେଡିର ମୁଖିଆ ସତ କ’ଣ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ନିର୍ବାଚନ ପରିପ୍ରେକ୍ଷିରେ ବିଜେପିର ସଂକଳ୍ପପତ୍ର ପ୍ରକାଶ ପାଇଛି। ସଂକଳ୍ପପତ୍ରରେ ଆମେ ଓଡ଼ିଶାର ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ “ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା”ରେ ମାଗଣାରେ ବିଦ୍ୟୁତ୍ ଦେବାର ସଂକଳ୍ପ କରିଛୁ। ଅପରପକ୍ଷେ କିଛିଦିନ ତଳେ ବିଜେଡି ମେନିଫେଷ୍ଟୋ ପ୍ରକାଶ କରିଛି। ବିଜେଡି ୨୫ ବର୍ଷ ଶାସନ କରିବା ପରେ ଏକ ମିଛ ମେନିଫେଷ୍ଟୋରେ ବିଦ୍ୟୁତ୍ ଉପଭୋକ୍ତାମାନଙ୍କ କଥା ମନେ ପକାଇଛି। ବିଦ୍ୟୁତ୍ ସେବା ରାଜ୍ୟ ଅର୍ଥନୀତି ପ୍ରଗତିର ସାରଥୀ। କିନ୍ତୁ ସମ୍ବେଦନଶୀଳ ବିଜୁଳି ଘଟଣାର ସ୍ପଷ୍ଟୀକରଣ ବିଜେଡି ପାଖରେ ନାହିଁ। ଓଡ଼ିଶାରେ ବିଦ୍ୟୁତ ଦରର ଜାତୀୟ ହାରଠାରୁ ପ୍ରାୟ ୯୦ ପଇସା ୟୁନିଟ୍ ପିଛା ଅଧିକ। ଓଡ଼ିଶାର ବିଦ୍ୟୁତ ଉପଭୋକ୍ତା ହାରାହାରି ୟୁନିଟ୍ ପିଛା ୫ ଟଙ୍କା ୯୦ ପିଇସା କିଣୁଛି ଯାହା ଅନ୍ୟ ରାଜ୍ୟ ତୁଳନାରେ ଢ଼େର ଅଧିକ। ଭାରତ ବର୍ଷରେ ୨୭ଟି ରାଜ୍ୟ ସେମାନଙ୍କ ଉପଭୋକ୍ତାଙ୍କୁ ମାଗଣା ବିଦ୍ୟୁତ ଯୋଗାଇ ଦେଉଛନ୍ତି କିମ୍ବା ସବ୍ସିଡି ମଧ୍ୟ ଦେଉଛନ୍ତି। ଓଡ଼ିଶା ଏକମାତ୍ର ରାଜ୍ୟ ସେ ପ୍ରକ୍ରିୟା ଭିତରକୁ ୨୫ ବର୍ଷ ହେଲା ଗଲାନାହିଁ। ୧୯୯୫ ମସିହାରୁ ବିଦ୍ୟୁତ ସଂସ୍କାର କରିଛି ବୋଲି ବିଜେଡି ଡିଣ୍ଡିମ ପିଟୁଛି। ଓଡ଼ିଶାରେ କୋଇଲା ପ୍ରଚୁର ମାତ୍ରାରେ ଥିବା ସତ୍ୱେ ଓଡ଼ିଶାର ଲୋକ ତାମିଲନାଡୁ ଅପେକ୍ଷା ଅଧିକ ମୂଲ୍ୟରେ ବିଜୁଳି କିଣୁଛି। ତାମିଲନାଡୁକୁ ୨ ଟଙ୍କା ୫୩ ପଇସାରେ ବିଦ୍ୟୁତ ଦିଆଯାଉଛି। ଓଡ଼ିଶାରେ ବିଦ୍ୟୁତ ବିତରକ କମ୍ପାନୀ ୨ ଟଙ୍କା ୮୩ ପଇସାରେ କିଣୁଛନ୍ତି। ରାଜ୍ୟ ସ୍ୱାର୍ଥକୁ ଅଣଦେଖା କରି ୨୫ ବର୍ଷ ପାଇଁ ଏନଏନସିଏଲଆଇର ୩୨୦୦ ମେଗାୱାଟ ତଲାବିରା ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ତାମିଲନାଡୁ ସରକାରଙ୍କୁ ସମର୍ପଣ କରିଦେଇଛନ୍ତି ରାଜ୍ୟ ସରକାର। ଏଥିରେ ସିଧାସଳଖ ଭାବେ ରାଜ୍ୟର ରାଜସ୍ୱ ୫୦ ହଜାର କୋଟି ଟଙ୍କା କ୍ଷତି ସହିବ, ଏହା କାହା ସ୍ୱାର୍ଥରେ ବୋଲି ନବୀନ ବାବୁ ସ୍ପଷ୍ଟୀକରଣ ଦିଅନ୍ତୁ। ଦୀର୍ଘ ୨୫ ବର୍ଷ ଧରି ରାଜ୍ୟର ବିଜୁଳି ଉପଭୋକ୍ତାମାନଙ୍କୁ ବିଜେଡି ଅଣଦେଖା କରିଥିଲା। ନିର୍ବାଚନ ଆସିବାରୁ ନବୀନ ବାବୁ ମିଥ୍ୟା ବିଜୁଳିର ପ୍ରଲୋଭନ ଦେଖାଇ ଭୋଟ ହାତେଇବାର ଅପଚେଷ୍ଟା କରିଛନ୍ତି। ଏବେ ପୁଣି ଲୋକଙ୍କୁ ଭ୍ରମିତ କରିବା ପାଇଁ ୧୦୦ ୟୁନିଟ୍ କଥା କହି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି। ବିଗତ ଦିନମାନଙ୍କରେ ପିଠା, କାଳିଆ ଯୋଜନା ଭଳି ମାଗଣା ବିଦ୍ୟୁତ କଥା କହି ଭ୍ରମିତ କରିବା ସହ ବୋକା ବନାଇବାକୁ ଚେଷ୍ଟା କରୁଛି ବିଜେଡି। ଯାହାକୁ ବିଜେପି ନିନ୍ଦା କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ଅନିଲ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।