‘ପଶୁପାଳନ ପାଇଁ ୭୦ ପ୍ରତିଶତ ସବ୍‌ସିଡି ବ୍ୟବସ୍ଥା କରିବ ବିଜେପି’

‘ପଶୁପାଳନ ପାଇଁ ୭୦ ପ୍ରତିଶତ ସବ୍‌ସିଡି ବ୍ୟବସ୍ଥା କରିବ ବିଜେପି’

Share :

ଓଡ଼ିଶାରେ ୩ଟି ପର୍ଯ୍ୟାୟ ନିର୍ବାଚନ ସରିଛି। ଏ ପର୍ଯ୍ୟନ୍ତ ନିର୍ବାଚନରେ ମିଳିଥିବା ଜନମତ ଅନୁଯାୟୀ ୨୦୨୪ରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବାକୁ ଯାଉଛି। ବିଜେପି ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବଢ଼ିଚାଲିଛି। ଅପରପକ୍ଷେ ଦୁର୍ନୀତିଗ୍ରସ୍ତ ବିଜୁ ଜନତା ଦଳ ଉପରେ ଲୋକେ ଆଉ ଭରସା କରୁନାହାନ୍ତି। ୨୦୨୪ରେ ଭାରତୀୟ ଜନତା ପାର୍ଟିର ସରକାର ପ୍ରତିଷ୍ଠା ହେଲେ ପାନ, ଧାନ, ମୀନ ଓ ପଶୁପାଳନ ଭଳି ବିଭିନ୍ନ ଚାଷୀଙ୍କ ସାମଗ୍ରିକ ବିକାଶ ପାଇଁ ଯେଉଁ ସବୁ ସଂକଳ୍ପ କରିଛି ତାହାକୁ ପୂରଣ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ରାଜ୍ୟ ମୁଖପାତ୍ର ପ୍ରଦୀପ ପୁରୋହିତ କହିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପୁରୋହିତ କହିଛନ୍ତି, ନବୀନ ପଟ୍ଟନାୟକ ଦୀର୍ଘ ୨୫ ବର୍ଷ ହେବ ଓଡ଼ିଶାର ଚାଷୀଙ୍କ ସହ ଅନେକ ବିଶ୍ୱାସଘାତ କରିଛନ୍ତି। ସେମାନଙ୍କ ଆୟ ବଢ଼ାଇବାକୁ ସକ୍ଷମ ହୋଇନାହାନ୍ତି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଚାଷୀଙ୍କ ଆୟ ସାରା ଭାରତରେ ତଳଆଡ଼ୁ ଦ୍ୱିତୀୟ ସ୍ଥାନରେ ରହିଛି। ୨୦୧୯ ନିର୍ବାଚନରେ ସମୟରେ କାଳିଆ ଯୋଜନା ଆଣି ଚାଷୀଙ୍କୁ ଭଣ୍ଡାଇଥିଲେ। ଏହି ଯୋଜନାରେ ପ୍ରତି ଚାଷୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେବାକୁ ସେତେବେଳେ ବିଜେଡି ସରକାର ଘୋଷଣା କରିଥିଲେ। ମାତ୍ର ନିର୍ବାଚନ ଜିତିବାପରେ ସବୁ ଭୁଲିଗଲେ। ବିଜେଡି ସହ ସମ୍ପୃକ୍ତ ଅଳ୍ପ କେତେଜଣ ଚାଷୀଙ୍କୁ ୪ ହଜାର ଲେଖାଏଁ ଟଙ୍କା ଦେଇ ବାକି ୬ ହଜାର ଟଙ୍କା ବାଟମାରଣା କରିଦେଲେ। କାଳିଆ ଯୋଜନା ଅଧୀନରେ ବ୍ୟାଙ୍କ ଋଣ ୬୦% ଅଣକୃଷି କାର୍ଯ୍ୟ ନିମନ୍ତେ ବ୍ୟବହାର କରାଯାଇଛି। ସୋହେଲା ସମାବେଶରେ ଧାନ କୁଇଂଟାଲ ପିଛା ୧୦୦ ଟଙ୍କା ବୋନସ ଚାଷୀଙ୍କୁ ଦେବାକୁ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ କିନ୍ତୁ ଏଯାଏଁ ଦେଇନାହାନ୍ତି। ୨୦୧୯ ନିର୍ବାଚନରେ ମଧ୍ୟ ସମାନ ପ୍ରତିଶ୍ରୁତି ଦେଇଥିଲେ। ଉକ୍ତ ପ୍ରତିଶ୍ରୁତି ଏଯାଏଁ ପୂରଣ ହୋଇନଥିବାବେଳେ ୨୦୨୪ର ଘୋଷଣା ମଧ୍ୟ କେବଳ ଚାଷୀଙ୍କୁ ନିର୍ବାଚନ ଥୋପ ଦେଇ ସେମାନଙ୍କୁ ଠକିବାର ପ୍ରୟାସ କରାଯାଉଛି। ରାଜ୍ୟରେ ବିଜୁ ଜନତା ଦଳ ୧ ହଜାର ନୂତନ ଶୀତଳ ଭଣ୍ଡାର ଖୋଲିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେଥିରୁ ମାତ୍ର ୩୬ଟି କାର୍ଯ୍ୟକ୍ଷମ ହୋଇଥିବା ବେଳେ ପୂର୍ବରୁ ଥିବା ୨୦୦ଟି ଶୀତଳ ଭଣ୍ଡାର ଏବେ ଅଚଳ ହୋଇଯାଇଛି। ଏପରିକି ମୁଖ୍ୟମନ୍ତ୍ରୀ ତାଙ୍କ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜଳିକାଟୁରେ ଗୋଟିଏ ବି ଶୀତଳ ଭଣ୍ଡାର ସ୍ଥାପନ କରିପାରିନାହାନ୍ତି। ଏଭଳି ସ୍ଥିତିରେ ତାଙ୍କଠାରୁ ଅଧିକ ଆଶା ରଖିବା ଏକ ବୃଥା ପ୍ରୟାସ। ଏହାଛଡ଼ା ଲୋୟର ସୁକତେଲ, ତେଲେଙ୍ଗିର, ମହେନ୍ଦ୍ର ତନୟା, ବଂଶଧାରା ଅଙ୍ଗ, ଅପରଲଂଥ, ଲୋୟର ଲାଂଥ ଏବଂ ରେତ ଭଳି ବୃହତ ଜଳସେଚନ ପ୍ରକଳ୍ପଗୁଡ଼ିକ ଦଶନ୍ଧି ପୂର୍ବରୁ କାର୍ଯ୍ୟକ୍ଷମ ହେବାସତ୍ୱେ ଅସମ୍ପୂର୍ଣ୍ଣ ରହିଛି। ଅପରପକ୍ଷେ ଭାରତୀୟ ଜନତା ପାର୍ଟି ସରକାର ହେଲେ ସମସ୍ତ ଚାଷୀଙ୍କ ସାମଗ୍ରିକ ବିକାଶ ପାଇଁ ସଂକଳ୍ପବଦ୍ଧ। ସଂକଳ୍ପପତ୍ର ଘୋଷଣା କରାଯାଇଥିବା ପ୍ରତିଶ୍ରୁତିଗୁଡିକ କିଭଳି ପୂରଣ ହେବ ସେନେଇ ବ୍ୟାପକ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପୁରୋହିତ କହିଛନ୍ତି। ସେହିପରି ଭାରତୀୟ ଜନତା ପାର୍ଟି ସରକାର ହେଲେ ୫ ବର୍ଷରେ ଚାଷୀଙ୍କ ଆୟ କିପରି ଦୁଇ ଗୁଣିତ ହେବ ସେନେଇ ବିଭିନ୍ନ ପଦକ୍ଷେପ ନିଆଯିବ। ସେମାନଙ୍କ ପାଇଁ ରାଜକୋଷରେ ସ୍ୱତନ୍ତ୍ର ପାଣ୍ଠି ଗଠନ କରାଯିବ। ଧାନ କୁଇଂଟାଲ ପିଛା କ୍ରୟ ମୂଲ୍ୟ ୩୧୦୦ ଟଙ୍କା ଧାର୍ଯ୍ୟ କରାଯିବ। ଡିବିଟି ଜରିଆରେ ୪୮ ଘଂଟା ମଧ୍ୟରେ ଚାଷୀମାନଙ୍କୁ ଅର୍ଥ ହସ୍ତାନ୍ତର କରାଯିବ। ଏବେର କଟଣି-ଛଟଣି ବ୍ୟବସ୍ଥାରେ ଚାଲିଥିବା ଲୁଟ୍ ପ୍ରକ୍ରିୟାକୁ ସମାପ୍ତ କରାଯିବ। ଏହି ବ୍ୟବସ୍ଥାରେ ବିଜେଡି ଦ୍ୱାରା ୫୦୦ କୋଟି ଟଙ୍କାର ଲୁଟ୍ ହୋଇଛି। ମାତ୍ର ବିଜେପି ସରକାରରେ ସମସ୍ତ ମଣ୍ଡିରେ ଇଲେକ୍ଟ୍ରୋନିକ ଓଜନ ଯନ୍ତ୍ର ମାଧ୍ୟମରେ ଧାନ କିଣାଯିବ। କୃଷି କାର୍ଯ୍ୟରେ ଯନ୍ତ୍ରପାତି ବ୍ୟବହାର ପାଇଁ ଚାଷୀଙ୍କୁ ୮୦ରୁ ୮୫ ପ୍ରତିଶତ ସବ୍ସିଡି ପ୍ରଦାନ କରାଯିବ। ଚାଷୀମାନଙ୍କ ଦକ୍ଷତା ବୃଦ୍ଧି କରାଯିବା ସହ ଆଧୁନିକ କୃଷି ପ୍ରଣାଳୀ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ। ଏନେଇ ବିଭିନ୍ନ କର୍ମଶାଳା ଓ ପ୍ରଦର୍ଶନୀର ଆୟୋଜନ କରାଯିବ। ୩୦୦୦ କୋଟି ଟଙ୍କାରେ କୃଷି ସଂରକ୍ଷଣ କୋଷ ପ୍ରତିଷ୍ଠା କରି ବ୍ଲକ ସ୍ତରରେ ଶୀତଳଭଣ୍ଡାର ଖାଦ୍ୟ ପ୍ରକ୍ରିୟାକରଣ ଏବଂ ରପ୍ତାନି କେନ୍ଦ୍ର ପ୍ରତିଷ୍ଠା କରାଯିବା ସହ ମଣ୍ଡି ଗୁଡ଼ିକର ଉନ୍ନତିକରଣ କରାଯିବ ବୋଲି ଶ୍ରୀ ପୁରୋହିତ କହିଛନ୍ତି। ମତ୍ସ୍ୟଜୀବୀମାନଙ୍କ ଜୀବନ ଜୀବିକାର ଉନ୍ନତି ପାଇଁ ଅନେକ ପଦକ୍ଷେପ ନିଆଯିବ। ଅଣ ଉତ୍ପାଦନ ସମୟରେ ପ୍ରତେକ ମତ୍ସ୍ୟଜୀବୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦିଆଯିବ। ମତ୍ସ୍ୟଜୀବୀ ବନ୍ଦର ନବୀକରଣ ସହ ଶୀତଳଭଣ୍ଡାର ସ୍ଥାପନ କରାଯିବ। ଏହାଦ୍ୱାରା ମତ୍ସ୍ୟ ଶିଳ୍ପରେ ବୈପ୍ଲବିକ ପରିବର୍ତ୍ତନ ହୋଇପାରିବ। ପଶୁପାଳନ ଚାଷୀଙ୍କ ଉନ୍ନତି ଲାଗି ରାଜ୍ୟରେ ଦୁଗ୍ଧ ଉତ୍ପାଦନ କ୍ଷମତାକୁ ୧୦୦ ଲକ୍ଷ ଟନକୁ ବୃଦ୍ଧି କରିବା ଏବଂ “କ୍ଷୀର ଧାରା ମିଶନ” ଜରିଆରେ ଓମ୍ଫେଡ୍ର ସମ୍ପୂର୍ଣ୍ଣ ପୂନଃଗଠନ କରାଯିବ। ସେଥିରେ ଚାଲିଥିବା ଦୁର୍ନୀତିକୁ ବନ୍ଦ କରାଯିବ। ପଶୁପାଳନ କ୍ଷେତ୍ରରେ ୬୦ ପ୍ରତିଶତ, ଅନସୂଚିତ ଜାତି ଓ ଜନଜାତିଙ୍କ ପାଇଁ ୭୦ ପ୍ରତିଶତ ସବ୍ସିଡି ପ୍ରଦାନ କରାଯିବ। ଘାସ ଚାଷ ପାଇଁ ୫୦ ପ୍ରତିଶତ ସବ୍ସିଡି ପ୍ରଦାନ କରାଯିବ। ଫିଡ୍ ୟୁନିଟ୍ ପାଇଁ ୫୦ ପ୍ରତିଶତ ସବ୍ସିଡି ପ୍ରଦାନ କରାଯିବ। ୨୦୨୭ ସୁଦ୍ଧା ରାଜ୍ୟରେ ୫୪୦ ଲକ୍ଷ ଟନ୍ କୁକୁଡା ମାଂସ, ୨ ଲକ୍ଷ ମେଟି୍ରକ ଟନ୍ ଛେଳି ମାଂସ ଏବଂ ୧୧ ହଜାର କୋଟି ଅଣ୍ଡା ଉତ୍ପାଦନ ପାଇଁ ପଦକ୍ଷେପ ନିଆଯିବ। ଏହାଦ୍ୱାରା ମାଂସ ଓ ଅଣ୍ଡା ପାଇଁ ଆଉ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିବନାହିଁ। କୁକୁଡ଼ା, ଛେଳି, ଘୁଷୁରୀ ଫାର୍ମ ପ୍ରତିଷ୍ଠା କରି ବ୍ୟବସାୟ କରିବା ପାଇଁ ୪୦ ପ୍ରତିଶତ ସବ୍ସିଡି ପ୍ରଦାନ କରାଯିବ। କୃଷକ ଉତ୍ପାଦକ ସଂଗଠନ(ଏଫପିଓ) ଏବଂ ମହିଳା କ୍ଲଷ୍ଟର ଦ୍ୱାରା ଚାଷ କାର୍ଯ୍ୟ ପାଇଁ ୫୦ ପ୍ରତିଶତ ସବ୍ସିଡି ପ୍ରଦାନ କରାଯିବ। ଅନୁସୂଚିତ ଜାତି ଓ ଅନସୂଚିତ ଜନଜାତିଙ୍କ ପାଇଁ ୬୦ ପ୍ରତିଶତ ସବ୍ସିଡି ଦିଆଯିବ ବୋଲି ଶ୍ରୀ ପୁରୋହିତ କହିଛନ୍ତି। ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଗୋ ସୁରକ୍ଷାକାରୀଙ୍କୁ ଆକ୍ରମଣ କରାଯାଉଛି। ବିନା କାରଣରେ ସେମାନଙ୍କୁ ଦଣ୍ଡିତ କରାଯାଉଛି। ବେଆଇନ ଭାବେ ଗୋ ହତ୍ୟା ଏବଂ ଗୋମାଂସ ବ୍ୟବସାୟ ବନ୍ଦ କରିବା ପାଇଁ ଗୋହତ୍ୟା ନିରୋଧ ଆଇନ ଲାଗୁ କରାଯିବ। ଗୋବଂଶ ସୁରକ୍ଷା ଯୋଜନା ମାଧ୍ୟମରେ ୨୦୦ ସରକାରୀ ସାହାଯ୍ୟ ପ୍ରାପ୍ତ ଗୋଶାଳା ପ୍ରତିଷ୍ଠା କରାଯିବ। ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରି ଝୋଟ ଚାଷ, ଚିନବାଦାମ୍ ଚାଷକୁ ପ୍ରୋତ୍ସାହିତ କରାଯିବ। ଓଡ଼ିଶା ବଳଭଦ୍ର ଚାଷ ମିଶନ ପ୍ରତିଷ୍ଠା କରି ଜୈବିକ ଚାଷକୁ ପ୍ରୋତ୍ସାହନ କରାଯିବ। ଶ୍ରୀ ଅନ୍ନ ଅଭିଯାନ ଆରମ୍ଭ କରି ମିଲେଟ ଉତ୍ପାଦନ କରାଯିବ ସହ ଓଡ଼ିଶାକୁ ମିଲେଟ ହବରେ ପରିଣତ କରିବା ପାଇଁ ଆମେ ପ୍ରତିଶୃତିବଦ୍ଧ ବୋଲି ଶ୍ରୀ ପୁରୋହିତ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଅଶୋକ ମିଶ୍ର, ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

Share :