ସେଚ ଦୁର୍ନୀତିର ଅନ୍ୟ ଏକ ଫର୍ଦ୍ଦ

Jul 25, 2019 - 07:28
 1312
ସେଚ ଦୁର୍ନୀତିର ଅନ୍ୟ ଏକ ଫର୍ଦ୍ଦ
ସ୍ବତନ୍ତ୍ର ପ୍ରତିନିଧି ଖୋଲିଛି ଓଡ଼ିଶା ଜଳସେଚନ ଦୁର୍ନୀତିର ଅନ୍ୟ ଏକ ଫର୍ଦ୍ଦ। ଜଳସେଚନ ଲକ୍ଷ ପୂରଣ କରିବାକୁ ଯାଇଁ ଉଭୟ ଅପାରଗତା ଓ ଦୁର୍ନୀତିର ପ୍ରମାଣ ଦେଇଛନ୍ତି ଓଡ଼ିଶା ସରକାର। ଏହା ପୁଣି ଘଟିଛି ସେହି ସମୟରେ ଯେଉଁ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଜଳସଂପଦ ମନ୍ତ୍ରୀ ଦାୟିତ୍ବ ନିଜ ପାଖରେ ରଖିଥିଲେ। ରାଜ୍ୟର ଜଳ ନିଅଣ୍ଟିଆ ବ୍ଲକଗୁଡ଼ିକରେ ୩୫ ପ୍ରତିଶତ ଜମିକୁ ସେଚ ସୁବିଧା ଯୋଗାଇଦେବା ନାଁରେ ଧାର୍ଯ୍ୟ ଅଟକଳର ୭୦ ପ୍ରତିଶତ ଉପରେ ଅର୍ଥ ଖର୍ଚ୍ଚ ହୋଇଥିଲେ ବି ଧାର୍ଯ୍ୟ ଲକ୍ଷ୍ୟର ୨୫ ପ୍ରତିଶତ ଜମିକୁ ବି ସେଚ ସୁବିଧା ଯୋଗାଇ ଦିଆଯାଇ ନାହିଁ। ୨୦୧୯ ଜୁଲାଇ ୧୮ ତାରିଖରେ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ ରାଜ୍ୟ ବିଧାନସଭାରେ ଉପସ୍ଥାପନ କରିଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇଯାଇଛି। ବିରୋଧୀ ଦଳ ମୁଖ୍ୟ ସଚେତକ ତଥା କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ରଘୁନନ୍ଦନ ଦାସ କହିଥିଲେ ଯେ ରାଜ୍ୟରେ ପ୍ରତି ବ୍ଲକରେ ଅନ୍ୟୁନ ୩୫% ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ୨୦୦୫ ମସିହାରେ ସରକାରୀ ନିଷ୍ପତ୍ତି ହୋଇଥିଲଶ। ସେଥିପାଇଁ ଜିଲ୍ଲା ୱାରି ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଥିଲା। ଏଥି ନିମନ୍ତେ ରାଜ୍ୟରେ ୧୯୮ଟି ନିଅଣ୍ଟିଆ ବ୍ଲକରେ ୨୦୦୫ ମସିହାରୁ ୨୦୧୦ ମସିହା ମଧ୍ୟରେ ଅନ୍ୟୁନ ୩୫ ପ୍ରତିଶତ ଜମିକୁ ଜଳସେଚନ ସୁବିଧା ପ୍ରଦାନ ନିମନ୍ତେ ଜଳସଂପଦ ବିଭାଗର ବିଭିନ୍ନ ଉତ୍ସ ଯଥା ବୃହତ ଓ ମଧ୍ୟ ଜଳସେଚନ ପ୍ରକଳ୍ପ ପାଇଁ ୬୦୧୫.୮୯ କୋଟି ଟଙ୍କା, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୧୧୧୨.୬୯ କୋଟି ଟଙ୍କା, ଉଠା ଜଳସେଚନ ପ୍ରକଳ୍ପ ନିମନ୍ତେ ୭୨୦.୮୫ କୋଟି ଟଙ୍କା ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଏସଟିଏସସି ବିକାଶ ବିଭାଗ ଇତ୍ୟାଦି ବିଭାଗର ବିଭିନ୍ନ ପ୍ରକଳ୍ପ ନିମନ୍ତେ ୧୩୩୭.୭୧ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇ ରାଜ୍ୟରେ ଅଧିକ ୧୦,୧୦,୪୨୮ ହେକ୍ଟର ଚାଷଜମିରେ ସେଚ ସାମର୍ଥ୍ୟ ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଥିଲା। ମନ୍ତ୍ରୀ ପ୍ରଦାନ କରିଥିବା ସରକାରୀ ତଥ୍ୟ ଅନୁସାରେ ୨୦୦୫ ଏପ୍ରିଲ ମାସରୁ ୨୦୧୦ ମସିହା ମଧ୍ୟରେ ମୋଟ ବ୍ୟୟ ଅଟକଳର ପ୍ରାୟ ୭୦ ପ୍ରତିଶତ ଟଙ୍କା ଖର୍ଚ୍ଚ ହୋଇଥିଲା। ଉପରୋକ୍ତ ୪ ପ୍ରକାର ପ୍ରକଳ୍ପ ପାଇଁ ମୋଟ ଉପରେ ୯୧୮୭.୧୪ କୋଟି ଟଙ୍କାର ବ୍ୟୟ ଅଟକଳ ରହିଥିବାବେଳେ ଖର୍ଚ୍ଚ ହୋଇଥିଲା ୬୦୪୪.୬୬ କୋଟି ଟଙ୍କା। କିନ୍ତୁ ଏହି ୪ ପ୍ରକାର ପ୍ରକଳ୍ପ ଜରିଆରେ ୧୦,୧୦,୪୨୮ ହେକ୍ଟର ଜମିକୁ ସେଚ ସୁବିଧା ଯୋଗାଇବାକୁ ଲକ୍ଷ୍ୟ ରହିଥିଲାବେଳେ ମାତ୍ର ୨,୫୪,୮୯୪ ହେକ୍ଟର ଜମିକୁ ଏହି ସୁବିଧା ଯୋଗାଇ ହୋଇଥିଲା। ଅର୍ଥାତ ବ୍ୟୟ ଅଟକଳର ୭୦ ପ୍ରତିଶତ ଖର୍ଚ୍ଚ କରି ଧାର୍ଯ୍ୟ ଲକ୍ଷ୍ୟର ୨୫ ପ୍ରତିଶତ ହାସଲ ହୋଇପାରିଥିଲା। ଏହା ସରକାରଙ୍କର ସାମୂହିକ ଅପାରଗତା ଓ ଦୁର୍ନୀତିମୂଳକ ଅଭିସନ୍ଧିର ସଂକେତ ଦିଏ। ଉଲ୍ଲେଖଯୋଗ୍ୟ ଯେ ନବୀନବାବୁଙ୍କ ୨୦ ବର୍ଷର ଶାସନ କାଳରୁ ସର୍ବାଧିକ ସମୟ ସେ ନିଜେ ହିଁ ଜଳସଂପଦ ବିଭାଗର ମନ୍ତ୍ରୀ ଥିଲେ। ମହାନଦୀ ଜଳ ବଣ୍ଟନ ବିବାଦରେ ସରକାରଙ୍କର ଅପାରଗତା ପଦାରେ ପଡ଼ିଲା ପରେ ସେ ଏହି ବିଭାଗ ନିଜ ହାତରୁ ଛାଡ଼ି ଦେଇଛନ୍ତି। ତାଙ୍କରି ସମୟରେ ହିଁ ଜଳସଂପଦ ବିଭାଗର ୮୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରାଯାଇଛି। ଏଥିରେ କିନ୍ତୁ ରାଜ୍ୟର ସମସ୍ତ ଚାଷଜମିକୁ ଜଳସେଚନ ସୁବିଧାକୁ ହୋଇପାରି ନାହିଁ। ଛତିଶଗଡ଼ ସରକାର କେବଳ ମହାନଦୀ ଉପରେ ୪ ହଜାର ଉପରେ ଛୋଟଛୋଟ ବନ୍ଧ ଓ ବ୍ୟାରେଜ ଇତ୍ୟାଦି ନିର୍ମାଣ କରି ତାଙ୍କ ରାଜ୍ୟର ଶିଳ୍ପ ଓ ଚାଷଜମିକୁ ପାଣି ଯୋଗାଉଥିବାବେଳେ ଓଡ଼ିଶାର ନବୀନ ପଟ୍ଟନାୟକ ସରକାର ରାଜ୍ୟର ସବୁ ନଈର ପାଣିକୁ ସମୁଦ୍ରକୁ ଛାଡ଼ିଦେଇ ଆମ ପାଣି ଛତିଶଗଡ଼ କି ଆନ୍ଧ୍ର ପ୍ରଦେଶ ନେଇଗଲେ ବୋଲି ଚିତ୍କାର କରୁଛନ୍ତି। ଏବେ ବି ମହାନଦୀର ୭୫ ପ୍ରତିଶତ ବର୍ଷାଜଳ ସମୁଦ୍ରକୁ ଚାଲିଯାଉଛି। ଠିକ ସେହିପରି ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବ୍ରାହ୍ମଣୀ, ବୈତରଣୀ, ବଂଶଧାରା ଓ ଋଷିକୂଲ୍ୟା ଆଦି ରାଜ୍ୟର ବୃହତ ନଦୀ ବ୍ୟବସ୍ଥାର ଅର୍ଦ୍ଧାଧିକ ଜଳ ସମୁଦ୍ରକୁ ଚାଲି ଯାଉଛି। ଓଡ଼ିଶା ସରକାର ଯଦି ସବୁ ନଦୀରେ ଛୋଟଛୋଟ ଆଡ଼ିବନ୍ଧ ଆଦି ନିର୍ମାଣ କରି ଜଳ ସଂରକ୍ଷଣ କରନ୍ତେ ଓ ତାହାକୁ କେନାଲ ବା ଲିଫ୍ଟ ପଏଣ୍ଟ ଜରିଆରେ ଚାଷଜମିକୁ ଯୋଗାଇ ଦିଆଯାଆନ୍ତା ତେବେ ରାଜ୍ୟର ପ୍ରାୟ ସବୁ ଚାଷଜମି ବର୍ଷକ ବାର ମାସ ସୁଜଳା ସୁଫଳ ଶସ୍ୟଶ୍ୟାମଳା ହୋଇପାରନ୍ତା। ନବୀନ ସରକାରଙ୍କୁ ଏଯାଏଁ ସେ ବୁଦ୍ଧି ଜୁଟି ନାହିଁ। ଲୋକେ ଅଧିକ ଉତ୍ପାଦନକ୍ଷମା ହେଲେ ସେମାନଙ୍କର ରୋଜଗାର ବୃଦ୍ଧି ହେବ, ରୋଜଗାର ବଢ଼ିଲେ ସେମାନଙ୍କର କ୍ରୟଶକ୍ତି ବଢ଼ିବ, କ୍ରୟଶକ୍ତି ବଢ଼ିଲେ ସେମାନଙ୍କର ହାତ ମୁଣ୍ଡକୁ ପାଇଯିବ ଓ ସେମାନେ ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ବିଷୟରେ ଆତ୍ମନିର୍ଭରଶୀଳ ହୋଇଯିବେ। ଏହା ପରେ ନବୀନ ପଟ୍ଟନାୟକଙ୍କୁ ତାଙ୍କ ବିଜେଡିକୁ ଆଉ ପ୍ରଶଂସା କରିବା କିମ୍ବା ଭୋଟ ଦେବାର ବାଧ୍ୟବାଧକତାରୁ ସେମାନେ ସହଜରେ ମୁକ୍ତ ହୋଇଯିବେ। ସେପରି ହେବା ନବୀନବାବୁ ଓ ତାଙ୍କ କ୍ଷମତାର ଅଂଶୀଦାର ବଡ଼ବଡ଼ କମ୍ପାନୀ ଓ ବାବୁମାନଙ୍କ ପାଇଁ ହାନିକାରକ। ତେଣୁ ଓଡ଼ିଶା ଜମି ପଡ଼ିଆ ପଡ଼ୁ, ଓଡ଼ିଆ ଚାଷୀ ଟଙ୍କିକିଆ ଚାଉଳ ଖାଉ, ଜଳସେଚନ ସୁବିଧା ନାଁରେ ଟଙ୍କା ହଡ଼ପ ହଉ, ଠିକାଦାର ପାଣ୍ଠି ଦଉ, ସେଇ ପାଣ୍ଠିରେ ଭୋଟ କିଣାଯାଉ, ଭଲ କାମ ଭୋଟ ନୁହେଁ- ଏଇ ନୀତିରେ ୫ ଥର ଜିତିଲାଣି ବିଜେଡି।