ସେକ୍ସ, ଶାରଳା ଦାସ ଓ ଅନ୍ୟମାନେ...

Jul 31, 2019 - 04:32
 2111
ସେକ୍ସ, ଶାରଳା ଦାସ ଓ ଅନ୍ୟମାନେ...
ରାଜେନ୍ଦ୍ର ରାଉଳ ‘ସେକ୍ସ ପାପ ନୁହେଁ, ଏହା କୃଶବିଦ୍ଧ ଯୀଶୁଙ୍କ ହସ ପରି ମହନୀୟ!’ ମୋର ଏକ ଗପ (ସମ୍ଭବତଃ ‘ଘଟାନ୍ତର’)ରେ ମୁଁ ଏଭଳି କିଛି ଲାଇନ୍ ରଚନା କରିଥିଲି। ପୁଣି ମୋର କୌଣସି ଏକ ବହି (‘କାଡ଼ବରୀ’ କିମ୍ବା ‘ଶିବଦାସ’ - ଠିକ ମନେ ପଡୁନି)ର ମୁଖବନ୍ଧରେ ମୁଁ ଏକଥା ବି ଲେଖିଥିଲି ଯେ, ସୃଷ୍ଟିର ଏକମାତ୍ର ଛଳନା ବିହୀନ ସତ୍ୟ ହେଉଛି ସେକ୍ସ। ଅବଶ୍ୟ ସେଥିପାଇଁ ମୋତେ ଉଭୟ ସକରାତ୍ମକ ଓ ନକରାତ୍ମକ ପ୍ରତିକ୍ରିୟା ମିଳିଥିଲା। ତା’ ସତ୍ତ୍ବେ ବି ମୁଁ ମୋର ମତ ଅପରିବର୍ତ୍ତିତ ରଖିଥିଲି। ଅାଉ ଅାଜି ବି ତାହା ବଳବତ୍ତର ଅଛି। ମୁଁ ଏବେ ବି ଭାବେ, ସୃଷ୍ଟିର ଅାଦ୍ୟତମ ଅଲଂଘନୀୟ ସତ୍ୟ ହେଉଛି ସେକ୍ସ। ସୃଷ୍ଟିର ପ୍ରଥମ ପୁରୁଷ ନାରୀ ନିଷିଦ୍ଧ ଫଳ ଖାଇବା ପରେ ପ୍ରଥମଥର ପାଇଁ ଯାହା କରିଥିଲେ ତାହା ହିଁ ତ ଥିଲା ସେକ୍ସ (ଜେନେସିସ୍)। ସେକ୍ସ କବଳରୁ ମୁକ୍ତି କାହିଁ? ଅାଉ ମୁକ୍ତ କିଏ? ଅାଜି ଏତେକଥା ମନକୁ ଅାସିବାର କାରଣ- ଶୁଦ୍ରମୁନି ଶାରଳା ଦାସ! ସାମୟିକ ଅସୁସ୍ଥତା ସତ୍ତ୍ୱେ ‘ମହାଭାରତ’ ପଢ଼ିବାର ଲୋଭ ସମ୍ବରଣ କରିପାରିଲିନି। ମହାଭାରତର ଅାଦିପର୍ବ ପଢୁଥିବା ବେଳେ ହାବୋଡ଼ିଲି ଏ ଘଟଣା। (ଘଟଣାଟି ଅତି ପରିଚିତ ବହୁ ଲୋକପ୍ରିୟ। ତେଣୁ ବର୍ଣ୍ଣନା ନିଷ୍ପ୍ରୟୋଜନ।) ଶାପଗ୍ରସ୍ତ ପଣ୍ଡୁ ମହାମୁନି ଅଗସ୍ତିଙ୍କୁ ପଚାରୁଛନ୍ତି, ଅଗ୍ନିକାଙ୍କ ଭଳି ଜଣେ ତପଃସିଦ୍ଧ ଋଷି ଗୋଟେ ମୃଗୁଣୀ ସହ ସମ୍ଭୋଗରେ ରତ ରହି ପାରିଲେ କିପରି? କ’ଣ ମଣିଷ-ପଶୁ ସଂଗମ ଏଭଳି କିଛି ବ୍ୟବସ୍ଥା ଅଛି? ଶୁଦ୍ରମୁନୀଙ୍କ ଅବିକଳ ଭାଷାରେ ପଣ୍ଡୁ ପଚାରୁଛନ୍ତି : ପଣ୍ଡୁ ପ୍ରତିବାକ୍ୟ ମୁନି ହେ ମୁଂ କଲି ମନ୍ଦକୃତ୍ୟ ଋଷି ମୃଗୀ ସଙ୍ଗମ ଅଛି କି ୟେମନ୍ତ॥ ପଣ୍ଡୁଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶୁଦ୍ରମୁନି କ'ଣ କହୁଛନ୍ତି ଦେଖନ୍ତୁ : ଅଗସ୍ତି ବୋଇଲେ ହୋ ତପି ଲୋକମାନେ ବଳବପୁ ବୟସେ ଯେ ଥାନ୍ତି ଘୋର ବନେ॥ କାମଦେବ ବୋଲି କରି ସେ ଯେବଣ ପୁରୁଷଇ ବତିଶ କଳା ଘେନିଣ ସେ ସବୁରି ଦେହେ ବସଇ॥ ତୈଲୋକ୍ୟେ ଜିଣିବାକୁ କେ ସମାନ ନାହିଂ ସେ କାମକୁ ସେହି ସେ ନାଶ କରଇ ସମସ୍ତ ତପିମାନଙ୍କୁ ॥ ଯହିଂ ଧର୍ମ ତହିଙ୍କି ଦିଗୁଣ ଯୋଚଇ ଶର ଦୁର୍ଲଭ ଗୋଟିୟେ ଅଛି କାମକୁ ଜିଣିମାକୁ କୋଟିକର ॥ ସେ କାମ ଯେତେବେଳେ କରଇ ଉନୁମତ୍ତ କେ କାହାର ଗଉରୋବ କେ କାହାର ମାନିତ ॥ ବନସ୍ତରେ ସ୍ତିରୀନ୍ତ ସେ ପାଇବେ କାହିଂ ଲୋଡ଼ି କେ ବିନ୍ଦୁ ପକାନ୍ତି ହସ୍ତରେ ରେତ କରି ॥ ପକୁଂ କଦଳୀ କେ ଲାଇଣ କରେ ରତି ତେମନ୍ତେ ହେଂ ଢାଳି କରି ରେତ ପକାବନ୍ତି ॥ କେ ମୃତ୍ତିକା ଖଣ୍ଡିରେ ଜଳା ଗୋଟିୟେ କରି ପକାଇ ମହାରସ ଭିତରେ ପତ୍ର ଭରି ॥ କେ ଗାଈ ମଇଂଷୀ କେ ଅବା ମେଷ ଛେଳି କାମ ଅବସ୍ଥାଏ କରନ୍ତି ତହିଂ କେଳି ॥ ଅଦ୍ଭୁତ... ଅନିର୍ବଚନୀୟ ଶୁଦ୍ରମୁନୀଙ୍କର ଶବ୍ଦସବୁ । କାମନା! ତାହାକୁ ଲଷ୍ଟ କୁହାଯାଉ କି ସେକ୍ସ - ଏହା ଏକ ଅନୁଲ୍ଲଂଘନୀୟ ସତ୍ୟ। ୟେ ଏକ ଅଦ୍ଭୁତ ସଂରଚନା। ଭାରତୀୟ ପୁରାଣଶାସ୍ତ୍ରରେ କାମନାର ଦେବତାଙ୍କୁ କୁହାଯାଏ କନ୍ଦର୍ପ, କାମଦେବ, ମଦନ; ଯାହାଙ୍କ ହାତରେ ସବୁବେଳେ ରହିଥାଏ ପଞ୍ଚଫୁଲର ଧନୁ (ପୁଷ୍ପ ଶାୟକଃ)। ପାଶ୍ଚାତ୍ୟରେ ତାଙ୍କୁ କୁହାଯାଏ କ୍ୟୁପିଡ୍। ତାଙ୍କର ଧନୁକୁ କୁହାଯାଏ କ୍ୟୁପିର୍ଡସ ଆରୋ। କନ୍ଦର୍ପ ହୁଅନ୍ତୁ କି କ୍ୟୁପିଡ୍ - ତାଙ୍କର ଅାକ୍ରମଣରୁ କାହାରି ମୁକ୍ତି ନାହିଁରେ ବାପା। ସିଏ ଋଷି ଅଗ୍ନିକା ହୁଅନ୍ତୁ କି ଆଉ କିଏ। ଓ୍ବିଲିୟମ୍ ସେକ୍ସପିୟର ତାଙ୍କ ପ୍ରସିଦ୍ଧ ନାଟକ ମଚ୍‌ ଅଡ଼ୋ ଏବାଉଟ୍‌ ନଥିଙ୍ଗରେ କହନ୍ତି : ସମ୍‌ କ୍ୟୁପିଡ଼୍‌ସ କିଲ୍‌ସ ଉଇଥ୍‌ ଆରୋଜ୍‌, ସମ୍‌ ଉଇଥ୍‌ ଟ୍ରାପ୍ସ। ଅାମର କବିବର ରାଧାନାଥ ତ ‘ଚନ୍ଦ୍ରଭାଗା’ କାବ୍ୟରେ ଅାହୁରି ପ୍ରାଞ୍ଜଳ କରିଦେଇଛନ୍ତି କାମଦେବଙ୍କର ସ୍ବରୂପକୁ। କବିବରଙ୍କ ଭାଷାରେ କନ୍ଦର୍ପ କହୁଛନ୍ତି : ଯେ ଯେଡ଼େ ତେଜସ୍ବୀ ତା ତେଜ ମୋତେ ଅଛଇ ଜଣା/ଫୁଲଧନୁ ଅାଗେ ପଡ଼ିଲେ ବୁଦ୍ଧି ହୁଅଇ ବଣା। (ଅାରେ ବାପ୍ ରେ!)। ପୁଣି ଦେଖନ୍ତୁ କ’ଣ କହୁଛନ୍ତି ବିଦଗ୍ଧ କବି ଅଭିମନ୍ଯୁ : ଅନଳ ନୁହଇଁ ଦେହ ଦହଇ ଅସ୍ତ୍ର ନୁହଁଇ ମରମେ ଭେଦଇ...। ମହାଭାରତୀୟ ସଂସ୍କୃତି କାମନାର ମହତ୍ୱ ଉପଲବଧି କରି ତାକୁ ଦିବ୍ୟତ୍ୱ ସହିତ ସମ୍ମିଳିତ କରାଇ ଦେବତ୍ୱ ପ୍ରଦାନ କରିଛି। ସମ୍ଭବତଃ ସେଇଥିପାଇଁ ପରିବାର ସହିତ ବି ଅତି ସହଜ ଅାଖିରେ ଦେଖି ହୋଇଯାଏ କୋଣାର୍କର ପାଷାଣୀ ପ୍ରତିମାମାନଙ୍କୁ। କିମଧତ୍କମ୍! (ଲେଖିବାର ଅଭିପ୍ରାୟ ନଥିଲା। ପଢୁପଢୁ ଲେଖି ହୋଇଗଲା। ଅତଏବ- ଭୀମସ୍ୟାପି ରଣେ ଭଙ୍ଗୋ ମୁନେରପି ମତିଭ୍ରମଃ, ଯଦି ଶୁଦ୍ଧମ ଅଶୁଦ୍ଧବା ମମ ଦୋଷ ନବିଦ୍ୟତେ।)