ସରକାର କିଛି ଜାଣନ୍ତି ନାହିଁ!

Mar 12, 2020 - 01:31
 1126
ସରକାର କିଛି ଜାଣନ୍ତି ନାହିଁ!
ଦେବେନ୍ଦ୍ର ପୃଷ୍ଟି ସରକାର ଜାଣିଛନ୍ତି ତମାଖୁ ସେବନ କର୍କଟ ରୋଗର କାରଣ। ତଥାପି ସରକାର ତମାଖୁ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁମତି ଦିଅନ୍ତି ଓ ଲୋକେ ନଶୁଣିଲା ବା ନଦେଖିଲ ଭଳି କହନ୍ତି, ତମାଖୁ ସେବନ କର୍କଟ ରୋଗର କାରଣ ହୋଇପାରେ। ସରକାର ଜାଣନ୍ତି ମଦ ପିଇବା ଶରୀର ଓ ସମାଜର ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ। ଅଧିକ ଆଲ୍‌କୋହଲ ଅଧିକ କ୍ଷତିକାରକ। ତଥାପି ସରକାର ମଦ ଶିଳ୍ପକୁ ଅନୁମତି ଦିଅନ୍ତି ଓ ମଦ ବିକ୍ରି ବୃଦ୍ଧି କରିବାକୁ ସବୁ ପ୍ରକାର ବ୍ୟବସ୍ଥା କରନ୍ତି। ଅଥଚ ଲୋକଙ୍କୁ ନଶୁଣେଇଲା ଭଳି ମଦ ବିରୋଧୀ ସଚେତନତାର ବିଜ୍ଞାପନ ଦିଅନ୍ତି। ସବୁଦିନ କି ସବୁବେଳେ ନୁହେଁ, କେବେ କେମିତି କେହି ଦେଖି ନପାରିଲା ଭଳି। ସରକାର ଜାଣନ୍ତି, ସ୍ମାର୍ଟ ଫୋନ୍‌ ଯୋଗୁଁ ପିଲାଙ୍କ ପଠନ ଅଭ୍ୟାସ କମୁଛି। ଯୁବପିଢ଼ି ଦିଗଭ୍ରଷ୍ଟ ହେଉଛି। ଅନେକଙ୍କର ଚାରିତ୍ରିକ ସ୍ଖଳନ ଘଟୁଛି। ଅନେକ ଅପରାଧ ପ୍ରବଣ ହେଉଛନ୍ତି। ସମାଜରେ ଧର୍ଷଣ ଆଦି ଘଟଣା ବୃଦ୍ଧି ପାଇବା ପଛରେ ସ୍ମାର୍ଟ ଫୋନ୍‌ର ଭୂମିକା ଅଧିକ ବୋଲି ପ୍ରାୟ ସବୁ ସରକାରୀ ବଡ଼ପଣ୍ଡା ଜାଣିଛନ୍ତି। ତଥାପି ସରକାର ଦେଶ ଓ ରାଜ୍ୟରେ କିପରି ଅଧିକରୁ ଅଧିକ ସ୍ମାର୍ଟ ଫୋନ୍‌ ବିକ୍ରି ହେବ, ଅଧିକ ଲୋକଙ୍କ ପାଖରେ ମୋବାଇଲ୍‌ ସଂଯୋଗ ପହଂଚିବ ସେ ଦିଗରେ କୋଟିକୋଟି ଟଙ୍କା ଖର୍ଚ୍ଚ କରନ୍ତି। ଯୁବ, ମହିଳା ଓ କୃଷକ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ମଧ୍ୟ ଲ୍ୟାପ୍‌ଟପ୍‌ ଓ ସ୍ମାର୍ଟ ଫୋନ ବାଣ୍ଟନ୍ତି। ସରକାର ଜାଣନ୍ତି ଇଣ୍ଟର୍ନେଟ୍‌ ଜରିଆରେ ବହୁତ ଖରାପ କଥା ଓ କାମର ପ୍ରଚାର ହୁଏ। ଅଶିକ୍ଷିତ ଓ ଅସଚେତନ କିଶୋର ଓ ଯୁବ ପିଢ଼ି ଏଥିରୁ ଭଲ କାମ ଶିଖିବା ପରିବର୍ତ୍ତେ ସହଜରେ ଖରାପ କାମ ଶିଖନ୍ତି। ତଥାପି ସରକାର ଇଣ୍ଟର୍ନେଟ କିପରି ଗାଁ ଗାଁରେ ଘରେ ଘରେ ପହଂଚିବ ସେ ବ୍ୟବସ୍ଥା କରନ୍ତି। ସରକାର ଜାଣନ୍ତି ମାଗଣା ଓ ଶସ୍ତା ଡାଟା ଅନେକ ଯୁବକଙ୍କୁ ଉଦଭ୍ରାନ୍ତ କରିବାର କ୍ଷମତା ରଖିଛି। ସରକାର ଜାଣନ୍ତି ଶସ୍ତା ଡାଟା ସୁବିଧା ଭଲ କାମର ପ୍ରଚାର ଅପେକ୍ଷା ଭୁଲ କାମର ପ୍ରଚାର କରିବାରେ ଅଧିକ ବ୍ୟବହୃତ ହୋଇପାରେ। ତଥାପି ସରକାର ଶସ୍ତା ଡାଟା ସଂପ୍ରସାରଣ ପାଇଁ ଜିଓ ଭଳି ସଂସ୍ଥାକୁ ଅନୁମତି ଦେଇପାରନ୍ତି। ସରକାର ଜାଣନ୍ତି, ଅନେକ ତାରକା ହୋଟେଲ୍‌, ଗେଷ୍ଟ ହାଉସ୍‌, ଡ୍ୟାନ୍ସ ବାର୍‌, ବିଉଟି ପାର୍ଲର ଆଦି ବ୍ୟାବସାୟିକ ସଂସ୍ଥାରେ ଅନୈତିକ ଦେହବେପାର ହୁଏ। ଅଥଚ ସେଗୁଡ଼ିକର ଏପ୍ରକାର ଅନୈତିକ ବେପାର ବନ୍ଦ କରିବା ପରିବର୍ତ୍ତେ ଏପରି ଅଧିକ ବ୍ୟାବସାୟିକ ପ୍ରତିଷ୍ଠା ଖୋଲିବା ପାଇଁ ସମସ୍ତ ପ୍ରକାର ସରକାରୀ ସହଯୋଗ ଯୋଗାଇଦିଆଯାଏ। ସରକାର ଏମିତି ବହୁ କଥା ଜାଣନ୍ତି। କିନ୍ତୁ କାମ ବେଳକୁ ଓଲଟା କରନ୍ତି। ଏବେ ସମାଜରେ ବୃଦ୍ଧି ପାଉଥିବା ଯୌନ ଅପରାଧଗୁଡ଼ିକର ତର୍ଜମା କରାଯାଉ। ଓଡ଼ିଶା ସମେତ ଭାରତର ପ୍ରାୟ ସବୁ ରାଜ୍ୟରେ ଯୌନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ବିଂଶ ଶତାବ୍ଦୀର ଶେଷ ଦୁଇ ଦଶନ୍ଧି ତୁଳନାରେ ଏକବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶନ୍ଧିରେ ଦେଶରେ ଜଘନ୍ୟ ଯୌନ ଅପରାଧ ସଂଖ୍ୟା ଢେର ଗୁଣ ବୃଦ୍ଧି ପାଇଛି। ଏଭଳି ଅପରାଧ ସବୁ ଅନ୍ତର୍ଜାତୀୟ ସ୍ତରରେ ଭାରତର ଭାବମୂର୍ତ୍ତି ଖରାପ କରୁଛି। ଯୌନ ଅପରାଧ ଯୋଗୁଁ ଅନେକ ମହିଳାଙ୍କ ଇଜ୍ଜତ ଯାଉଛି, ଜୀବନ ଯାଉଛି, ବଂଚି ରହିଲେ ବି ସାରା ଜୀବନ ପାଇଁ ସୁଖ ଓ ସରଳତା ହଜି ଯାଉଛି। ଅନେକ ପରିବାର ଉଜୁଡ଼ି ଯାଉଛି। ଅନେକ ସଂପର୍କ ଭାଙ୍ଗି ଯାଉଛି। ଅନେକ ଭବିଷ୍ୟତ ସମାଧି ନେଉଛି। ଏଭଳି ସବୁ ଘଟଣା ରାଜ୍ୟ ଓ ଜାତୀୟ ସ୍ତରରେ ରାଜନୀତିକ ପ୍ରସଙ୍ଗରେ ପରିଣତ ହେଲେ ନେତା ଓ ମନ୍ତ୍ରୀମାନେ ଇଣ୍ଟର୍ନେଟ, ସ୍ମାର୍ଟ ଫୋନ୍‌, ପାଶ୍ଚାତ୍ୟ ଶିକ୍ଷା, ସିନେମା, ଟିଭି ସିରିଆଲ୍‌, ଗଣମାଧ୍ୟମ ଆଦିକୁ ଦୋଷ ଦେଇଥାନ୍ତି। ନୈତିକ ଶିକ୍ଷାର ଅଭାବ କଥା କହନ୍ତି। ଅଥଚ ଲୋକ କିପରି ଅଧିକରୁ ଅଧିକ ମୋବାଇଲା ଫୋନ୍‌ ବ୍ୟବହାର କରିବେ, ଅଧିକରୁ ଅଧିକ ଡାଟା କିଣିବେ, ଅଧିକ ଟିଭି ସିରିଆଲ ଓ ସିନେମା ଦେଖିବେ ସେ ବ୍ୟବସ୍ଥା କରନ୍ତି। ନେତା ଓ ମନ୍ତ୍ରୀମାନେ ଆପଣାର ଲୋକପ୍ରିୟତା ବୃଦ୍ଧି କରିବାକୁ ସିନେ ଓ ଟିଭି କଳାକାରମାନଙ୍କ ଲୋକପ୍ରିୟତାକୁ କାମରେ ଲଗାନ୍ତି। ସିନେମାରେ ନାରୀ ହରଣ କରିଥିବା କଳାକାରଙ୍କୁ ବି ଦଳୀୟ ଟିକେଟ ମିଳେ। ସିରିଆଲରେ ବହୁ ପୁରୁଷଙ୍କ ସହ ସଂପର୍କ ରଖିଥିବା ମହିଳାଙ୍କୁ ବି ମନ୍ତ୍ରୀ ପଦ ମିଳେ। ଭାରତର ପୁରୁଷ ପ୍ରଧାନ ସମାଜରେ ନାରୀମାନେ ଶତାଦ୍ଦୀ ଧରି ଅବହେଳିତ ଓ ଲୁଣ୍ଠିତ। ସେମାନଙ୍କ ଭୋଟ ପାଇବାକୁ ସରକାର ନାରୀ ସଶକ୍ତିକରଣ କଥା କହନ୍ତି। ସେମାନଙ୍କ ପାଇଁ ଆସନ ସଂରକ୍ଷଣ କରାଯାଏ। ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଏ। ଆମ ସମାଜରେ ନାରୀମାନେ ପୂଜ୍ୟ ବୋଲି ପ୍ରଚାର କରାଯାଏ। କିନ୍ତୁ ଯେତେବେଳେ ନାରୀଟିଏ କୌଣସି ପ୍ରଭାବଶାଳୀ ଲୋକ ଦ୍ୱାରା ନିର୍ଯାତିତା ହୁଏ, ସେତେବେଳେ ସରକାର ଆଇନ ତା ବାଟରେ ଯିବ ବୋଲି କହି ମୁହଁ ବୁଲେଇ ଦିଅନ୍ତି। ନାରୀକୁ ସୁରକ୍ଷା ଦେବାକୁ ନୁହେଁ ନାରୀ-ଧର୍ଷକକୁ ସୁରକ୍ଷା ଦେବା ପାଇଁ ଫୋରେନ୍ସିକ ରିପୋର୍ଟ ବଦଳିଯାଏ, ତଦନ୍ତକାରୀ ଅଫିସର ବଦଳାଯାଏ, ଦୋଷୀ ସାବ୍ୟସ୍ତ ନହେଲା ଯାଏଁ ଅଭିଯୁକ୍ତ ନିର୍ଦ୍ଦୋଷ ବୋଲି କୁହାଯାଏ ଏବଂ ପୀଡ଼ିତାର ଚରିତ୍ରହାନୀ କରାଯାଏ। ସରକାର କାହିଁକି ଏପରି ହୁଅନ୍ତି? ଏପରି କରନ୍ତି? ଡାହାଣୀ ହୋଇ ଲାଗିବା ଓ ଗୁଣିଆ ହୋଇ ଝାଡ଼ିବା କାମର ଠିକା କାହିଁକି ନେଇଛନ୍ତି ସରକାର? ସରକାର ଯାହା ପାପ ବା ଅପରାଧ ବୋଲି ଜାଣନ୍ତି ତାହାର ମୂଳୋତ୍ପାଟନ ପାଇଁ ସବୁ ଶକ୍ତି ଲଗେଇ ଉଦ୍ୟମ କରନ୍ତି ନାହିଁ କାହିଁକି? ସେଥି ପାଇଁ ତ ଜନସମର୍ଥନ ମିଳିବ। ନିର୍ଭୟା ଦୋଷୀକୁ ଫାଶୀ ଦେବାକୁ ଭାରତର କେତେ ଲୋକ ଦାବି କରିଥିଲେ ଓ ଏବେ ବି କରୁଛନ୍ତି ତାହା କ’ଣ ସରକାର ଜାଣନ୍ତି ନାହିଁ? ତଥାପି କାହିଁକି ଏତେ ଡେରୀ? ସରକାର ଦେଖିଲେ ପରା ହାଇଦ୍ରାବାଦ ଦିଶା ପାଇଁ କେତେ ଲୋକ ବାହାରିଲେ! ତାହା ଦେଖି ସେଠା ସରକାର ଆଇନ ବାଟରେ ଦୋଷୀକୁ ଦଣ୍ଡିବା ଛାଡ଼ି ତରବରରେ ବେଆଇନ ବାଟ ଧରିଲେ। ସରକାର ଏମିତି ଅନେକ ସମୟରେ ଭଲ କରିବାକୁ ଯାଇଁ ଭୁଲ କରନ୍ତି। ଲୋକେ ବି ସବୁ ଭୁଲି ଯାଆନ୍ତି। ଲୋକେ ଭାବନ୍ତି ନାହିଁ ଯେ ସରକାରଙ୍କ ଯୋଗୁଁ ସେମାନେ ସହଜରେ ମଦ ପିଇବାକୁ ପାଇଲେ ଓ ମଦୁଆ ହେଲେ। ଲୋକେ ଭାବନ୍ତି ତାହା ସେମାନଙ୍କ ମନ୍ଦ ଅଭ୍ୟାସ, କୁସଙ୍ଗ ଦୋଷ। ଲୋକେ ଭାବନ୍ତି ନାହିଁ ଯେ ସରକାରଙ୍କର ବିଭିନ୍ନ ନୀତି ଓ ନିଷ୍ପତ୍ତି ଜରିଆରେ ସାମାଜିକ ଓ ସାଂସ୍କୃତିକ ମୂଲ୍ୟବୋଧ ବଦଳିଯାଏ। ଲୋକେ ଭାବନ୍ତି ଆଧୁନିକତା ସବୁଠୁ ବଡ଼ ଅପରାଧୀ। ଏ ଆଧୁନିକତା ଆଣିଲା କିଏ ତାହା ଲୋକେ ପଚାରନ୍ତି ନାହିଁ। ଲୋକେ ଭାବନ୍ତି, ସବୁ ସମୟର ଦୋଷ। ସମୟକୁ କିଏ ବାଟ କଢ଼ାଏ? ସରକାର ନା ସମାଜ? ସମାଜ ନା ବଜାର? ଆଜିକାଲି ଦେଶ, ସରକାର, ସମାଜ ଓ ବଜାର ଭିତରେ ପାର୍ଥକ୍ୟ କ’ଣ? ଲୋକେ ତାହା ବୁଝନ୍ତି ନାହିଁ। ସରକାର ତାହା ବୁଝାନ୍ତି ନାହିଁ। ତେଣୁ ମଦ ପ୍ରସାରଣ, ନାରୀ ଧର୍ଷଣ, କର୍କଟ ଓ ଏଡ୍ସ ସଂକ୍ରମଣ ପରି ଅନେକ ଭୁଲ କାମ ପାଇଁ କେହି ଦୋଷୀ ହୁଅନ୍ତି ନାହିଁ। ସମୟ ଗଡ଼ି ଯାଏ। ସ୍ମୃତି ଦୁର୍ବଳ ହୋଇଯାଏ। ପୁଣି ଥରେ ଭୋଟ ଆସେ, ସରକାର ଗଢ଼ା ହୁଏ। ପୁରୁଣା ନୂଆ ହୋଇ ବା ନୂଆ ପୁରୁଣା ହୋଇ ଫେରେ। (ସୌ-ଓଡ଼ିଶା ରିପୋର୍ଟର)