ସଭ୍ୟତାର ସୂଚୀପତ୍ର

May 10, 2024 - 05:42
 42
ସଭ୍ୟତାର ସୂଚୀପତ୍ର
ଡି. ଶୁଭମ୍ କୃଷି ମାନବ ସମାଜର ସଂଚାଳକ ଶକ୍ତି। ଜୀଇଁବାର ପ୍ରତ୍ୟେକଟି ମୁହୂର୍ତ୍ତକୁ ଅନୁଭବ କରିବାର ମାଧ୍ୟମ ଏଇ କୃଷି। ସଭ୍ୟତାର ସୂଚୀପତ୍ର ଆଉ ଚିନ୍ତା ଓ ଚେତନାର ଉନ୍ମେଷକ। ଦିନରେ ଦି ଓଳି ଖାଇବାର ସ୍ୱପ୍ନକୁ ଚରିତାର୍ଥ କରେ କୃଷି। ଆଉ ଏସବୁକୁ ନିଜ ହାତରେ ବାସ୍ତବତାର ରୂପ ଦିଏ ସେ ମାଟିର ମଣିଷ। କାଦୁଅ କ୍ଷେତର ସେ ଚିରପରିଚିତ ସାଥୀ। ରାତି ପାହିଲେ ପଖାଳ ମୁଠାଏରୁ ଆରମ୍ଭ ହୋଇଯାଏ ଏ ଚାଷର ମହାନ ପର୍ବ। ବ୍ୟବସାୟ ନୁହେଁ ବରଂ ନିଜ କର୍ମସିକ୍ତ ଜୀବନର ଏକ ସାର୍ଥକ ପ୍ରତିବେଦନ ଭାବରେ ପ୍ରତ୍ୟେକ ଦିନ ଏହି ସ୍ୱର୍ଗୀୟ ଅନୁଭୂତିକୁ ଅବଲୋକନ କରେ ଚାଷୀ। ବନ୍ଧ୍ୟା ଜମିକୁ ଶ୍ୟାମଳା କରିବାର ସେ ସାଜେ ସାରଥୀ। ସର୍ବୋପରି ଏ ଧରାପୃଷ୍ଠରେ ଧରିତ୍ରୀ ମାତାର ଅମୃତସନ୍ତାନ ଭାବରେ ନିଜ କର୍ମକୁ ସଠିକ ଢଙ୍ଗରେ ପାଳନ କରେ। ଅନୁଭବ କରେ ସେ ମହାର୍ଘ୍ୟ ଅନୁଭୂତିର ଉଚ୍ଚାରଣକୁ ମର୍ମେମର୍ମେ। କାହିଁ କେଉଁ କାଳରୁ ଅଖିମୁଠି ପରମ୍ପରା ଆମ ଗାଁମାନଙ୍କରେ ରହି ଆସିଛି। ଚାଷୀ ବୈଶାଖରେ ଜମିରେ ବିହନ ବୁଣେ। ଏଇ ଦିନ ହିଁ ବିହନର ଅନୁକୂଳ ହୁଏ। କର୍ଷଣରୁ କୃଷି। ଆଜିର ଦିନରେ ଚାଷ ଜମିରେ ଲଙ୍ଗଳର ସ୍ପର୍ଶ ହୁଏ। ସୁବର୍ଣ୍ଣ ଫଳେଇବାର ସ୍ୱପ୍ନ ଦେଖେ ଚାଷୀ। ଅଖିମୁଠି ଅନୁକୂଳ ପରେ ଆଷାଢ଼ର ବର୍ଷା ଧାରାରେ ଏସବୁ ଗଜାର ରୂପ ନିଏ। ଆଉ ଚାଷୀ ମନରେ ଖେଳିଯାଏ ଆନନ୍ଦର ବର୍ଣ୍ଣବିଭା। ବାସ୍ . . ଏ ଅକ୍ଷୟ ତୃତୀୟାଠୁ ଆରମ୍ଭ ହୁଏ ବୁଣା ବେଉଷଣର ପର୍ବ। ବିହନ ବୁଣିବାଠାରୁ ଜମିରେ ପାଚିଲା କେଣ୍ଡା ଫୁରୁଫୁରୁ ହୋଇ ପବନର ସାଥୀରେ ଝୁଲିବା ଯାଏଁ ସ୍ଥିର ହୋଇ ବସିପାରେନି ଚାଷୀ। କହିବାକୁ ଗଲେ ଏ ପାଚିଲା କେଣ୍ଡାର ପ୍ରକୃତ ଏନ୍ତୁଡ଼ିଶାଳ ହିଁ ଅକ୍ଷି ତୃତୀୟା। ମାଟିର ମଣିଷ, ମାଟି ସହ ମାଟି ହୋଇ ଲାଗିପଡ଼େ ସଭ୍ୟତାର ସୂଚୀପତ୍ରକୁ ସଠିକ ରୂପ ଦେବା ପାଇଁ। ଏହା ତ ଚାଷୀର ପର୍ବ। ଏକଥାକୁ ଅସ୍ୱୀକାର କରାଯାଇ ନପାରେ। ବାସ୍ତବ ଚିତ୍ରକୁ ଯଦି ଲକ୍ଷ୍ୟ କରାଯାଏ ଚାଷୀର ମନ କଥା ବୁଝିବାକୁ ଆଜି ଯାଏଁ ବି କେହି ସମର୍ଥ ନୁହନ୍ତି। ଏକ ନିରୀହ ଚାହାଣିରେ ସେ ଅସୁମାରୀ ଲୋକଙ୍କ ମନରେ ଫୁଟାଇ ପାରେ ଅଫୁରନ୍ତ ହସ। ସେଇଥି ପାଇଁ ତ ସେ ମହାନ। ସରକାର ସବୁବେଳେ ଚାଷୀଙ୍କୁ ନିଜ ଫୋକସରେ ରଖିଥାନ୍ତି। ଏକଥା ସତ। କିନ୍ତୁ ସେସବୁ ଯେ ସତରେ କେତେଦୂର ଗ୍ରହଣୀୟ ସେକଥା କେବଳ ନିଜେ ଚାଷୀଟିଏ ହିଁ କହିପାରିବ। ଗତ ବର୍ଷେ ତଳେ ଯେତେବେଳେ ମୁଁ କୃଷି ପ୍ରଶିକ୍ଷଣ ଦେବା ପାଇଁ ଅନେକ ଗାଁକୁ ଯାଉଥିଲି ମନରେ ତ ଅନେକ ଭୟ ନେଇ ଯାଉଥିଲି। ଛଅ ବର୍ଷର ପାଠପଢ଼ାକୁ ମୁଁ ସେମାନଙ୍କୁ କହିବାକୁ ଯାଉଛି, ହେଲେ ସେମାନେ ତ ତିରିଶ ବର୍ଷ ହେବ ସେଇ ମାଟି ସହ ଜଡ଼ିତ ହୋଇ ଅଛନ୍ତି। ସେଇଠି ଘର, ସେଇଠି ସ୍ୱର୍ଗ। ସେମାନଙ୍କୁ ବି ଆମେ କଣ ପ୍ରଶିକ୍ଷଣ ଦେବୁ। କିନ୍ତୁ ଯେତେବେଳେ ସେ ଚାଷୀଙ୍କ ସହ ବହୁ ପାଖରୁ ମିଶିବାର ସୁଯୋଗ ମିଳିଲା ସେତେବେଳେ ପ୍ରଶିକ୍ଷଣ କମ୍ ଆଉ ଆଳାପ ବେଶୀ ହେଲା। ଅର୍ଥାତ ଏଇ ଚାରି ଘଣ୍ଟାର ପ୍ରଶିକ୍ଷଣ ସମୟ ଭିତରେ ଆମେ ସମସ୍ତେ ଆମ ଜୀବନର ଅନେକ ପୁରୁଣା କଥା ସାଉଁଟି ବସୁ। ସେ ମୁହୂର୍ତ୍ତ ସତରେ ସ୍ମରଣୀୟ। ନିଜେ ଜାଣିବାକୁ ଚେଷ୍ଟା କଲି ସତରେ ଏ ଚାଷରେ ଅଛି କଣ? ଏବେର ଆଧୁନିକ ଯୁଗରେ ଲୋକ ଚାଷ ନାଁ ଶୁଣିଲେ ନାକ ଟେକୁଛନ୍ତି। ଆଉ ମୁଁ ତ ଏହାର ଭୁକ୍ତଭୋଗୀ। ପିଲାଦିନେ ଯେବେ ଆମେ କିଛି ଭୁଲ କରିବସୁ, ଆମା ବାପା ମା’ ଆମକୁ ଗାଳି କରିବା ଉଦେ୍ଦଶ୍ୟରେ କହନ୍ତି: ଆରେ ପାଠପଢ଼ୁନୁ, ବଡ଼ ହେଲେ କଣ ଗାଈ ଚରେଇବୁ ନା ଚାଷ କରିବୁ! ଏକଥା କଟାକ୍ଷ ଭାବରେ ସିନା ବ୍ୟବହାର କରାଯାଏ। କିନ୍ତିୁ ଏ ମାନସିକତାର ଅନ୍ତ ହେବା ନିତ୍ୟାନ୍ତ ଜରୁରୀ। ପ୍ରଥମ ବର୍ଷ ଯେବେ କୃଷି ସ୍ନାତକରେ ପାଠ୍ୟକ୍ରମରେ ନାଁ ଲେଖାଇଲି, କେତେ କଥା ଗାଁରେ। ପୁଅ ଚାଷ କରିବ ବଡ଼ ହୋଇ, ଆମ ବିଲ ଖାଲି ଅଛି, ଆସିବୁ ପାଠ ପଢ଼ି। ଏମିତି ଅନେକ। ସେତେବେଳେ ତ କିଛି ବୁଝିପାରି ନଥିଲି। କେବଳ ଏତିକି ମନେ ହେଲା ଯେ ସତରେ କଣ ଚାଷ ଏତେ ଖରାପ? ଲୋକ କଣ ପାଇଁ ଏ ପାଠ ପଢ଼ିଲା ବେଳକୁ ଏମିତି କଥା କହୁଛନ୍ତି? ଯଦି କେଉଁ ପିଲା ମେଡ଼ିକାଲ କି ଇଂଜିନିୟରିଂ ପଢ଼ୁଛି, କି ଆଇନ ପାଠ ପଢ଼ୁଛି ସେବେ ବାହାବାହା ଦେଲା ବେଳକୁ ଏ ପାଠରେ ଏତେ କୁଣ୍ଠାବୋଧ କଣ ପାଇଁ? ଅନ୍ୟପକ୍ଷରେ ସରକାର କୃଷିକୁ ଯଥୋଚିତ ଗୁରୁତ୍ୱ ଦେଉଥିଲା ବେଳେ ଲୋକେ କଣ ପାଇଁ କୃଷି ଶିକ୍ଷାକୁ ନାକ ଟେକୁଛନ୍ତି? ସେ ଯାହା ବି ହେଉ ଏବେ ମୋର ଚାରି ବର୍ଷର କୃଷି ସ୍ନାତକ ଶେଷ ହୋଇଯାଇଛି। ଅନେକ କିଛି ଶିଖିଛି। ଅନେକ ଚାଷୀଙ୍କ ସହ ମିଶିଛି। ଆଉ ମୋ ମତରେ କୃଷି ପାଠ୍ୟକ୍ରମ ମୋ ପାଇଁ ସବୁକିଛି। ଜୀବନର ପ୍ରକୃତ ରହସ୍ୟକୁ ଖୋଜି ଆଣିବାରେ ଏହା ମୋତେ ବାଟ ଦେଖାଇଛି। ଯେତେବେଳେ ଚାଷୀଙ୍କ ସହ ମିଶିବାର ସୁଯୋଗ ମିଳେ, ସେମାନେ ନିଜ ଚାଷବାସର କଥାକୁ ବେଶ ନିଖୁଣ ଭାବେ କହିଚାଲନ୍ତି, ତାହାକୁ ଶୁଣି ଆଖିରୁ ଲୁହ ଆସିଯାଏ। ମନେ ମନେ ଭାବିଲି, ଆମେ ବଡ଼ ଚାକିରୀ ପାଇଁ କେତେ ଲୋଭ କରୁଛନ୍ତି, ବର୍ଷରେ ଚାକିରୀର ପ୍ୟାକେଜ କେତେ ଅଛି ପ୍ରଥମେ ଦେଖୁଛନ୍ତି କିନ୍ତୁ ଏମାନଙ୍କ କଥା ଭାବିଲେ? ନା ପ୍ୟାକେଜ, ନା ହାକିମ ହେବାର ଇଚ୍ଛା, ସବୁକିଛି ଏମାନଙ୍କ ଆଗରେ ତୁଚ୍ଛ। ବାସ ଚାଷ ଜମିରେ କେଇ ଘଣ୍ଟା ବିତାଇଦେଲେ ସେମାନଙ୍କର ଆତ୍ମତୃପ୍ତି ମିଳିଯାଏ। କିନ୍ତୁ ଯଦି ଚାଷୀମାନଙ୍କୁ ହିଁ ଅଣଦେଖା କରାଯାଏ, ଏହାଠୁ ବଡ଼ ଦୁଃଖର ବିଷୟ କିଛି ନାହିଁ। ସମୟ ଆସିଛି ଚାଷୀଙ୍କ କଥାକୁ ଗୁରୁତ୍ୱ ଦେବାର। ଚାଷକୁ ଭଲ ପାଇବାର। ନାକ ଟେକିବାନି ବରଂ ନିଜେ ଚାଷ ଓ ଚାଷୀର ଗହନ କଥାକୁ ଅନୁକରଣ କରିବା। କୃଷି ପାଠ୍ୟକ୍ରମକୁ ବି ସମ୍ମାନ ଦେବା। ଆମ ଚାଷୀ ଆମ ଦେଶର ବଳ। ଆମ ଶକ୍ତି ଆଉ ଚେତନାର ପରିମାପକ। ଆମ ସଂସ୍କୃତିର ମୂଳାଧାର। ସେ ଚାଷୀକୁଳକୁ ମୋର କୋଟି ନମନ। ଜୈବ ନିରୀକ୍ଷକ, ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥା (ଓସୋକା), ଭୁବନେଶ୍ୱର , ମୋ-୯୪୩୮୪୬୭୦୭୯