ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିପିଏମ ସଂପାଦକ ଅଳୀ ପଟ୍ଟନାୟକଙ୍କ ଦାବିପତ୍ର

May 10, 2020 - 06:28
 1211
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିପିଏମ ସଂପାଦକ ଅଳୀ ପଟ୍ଟନାୟକଙ୍କ ଦାବିପତ୍ର
ପ୍ରିୟ ମୁଖ୍ୟମନ୍ତ୍ରୀ ମହୋଦୟ, ଏହା ପୂର୍ବରୁ କୋଭିଡ-୧୯ ର ମୁକାବିଲା ପାଇଁ ଘୋଷିତ ଲକ୍ଡାଉନ୍ ଯୋଗୁଁ ରାଜ୍ୟରେ ବ୍ୟାପକ ଅଂଶର ଲୋକେ ଯେଉଁ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି ତାହା ଲାଘବ କରିବା ନିମନ୍ତେ କେତେକ ପ୍ରସ୍ତାବ ସମ୍ୱଳିତ ପତ୍ର ଆମ ପାର୍ଟି ପକ୍ଷରୁ ଦିଆଯାଇଥିଲା। ଉକ୍ତ ପତ୍ରର ଉତ୍ତର ମିଳିନାହିଁ। ଏପରିକି ପ୍ରାପ୍ତି ସ୍ୱୀକାର ମଧ୍ୟ କରାଯାଇନାହିଁ। ମାତ୍ର ୪ ଘଣ୍ଟାରେ ନୋଟିସ୍ରେ କେନ୍ଦ୍ର ସରକାର ଲକ୍ଡାଉନ୍ ଘୋଷଣା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୪୦ ଦିନରୁ ଉର୍ଦ୍ଧ୍ୱ ସମୟ ଧରି ଲକ୍ଡାଉନ୍ ଯୋଗୁଁ, ଜୀବନ ରକ୍ଷାର ଲଢେଇ ବେଳେ ଲୋକଙ୍କ ଜୀବିକା ମଧ୍ୟ ବିପନ୍ନ ହେଉଛି। ଏହି ପରିସ୍ଥିତିର ମୁକାବିଲା ପାଇଁ ନିମ୍ନ ଲିଖିତ କେତେକ ପ୍ରସ୍ତାବ ପୁଣି ଥରେ ଉପସ୍ଥାପନ କରୁଛୁ। କୋଭିଡ-୧୯ ମୁକାବିଲା ଯୁଦ୍ଧରେ ରାଜ୍ୟ ସରକାରମାନେ ଆଗ ଧାଡିରେ ରହିଛନ୍ତି। କେନ୍ଦ୍ର ସରକାରଙ୍କ ସକ୍ରୀୟ ସହଯୋଗ ବିନା ଏହାର ମୁକାବିଲା ସମ୍ଭବ ନୁହେଁ। କେନ୍ଦ୍ର ସରାକର ରାଜ୍ୟମାନଙ୍କୁ କେବଳ ପରାମର୍ଶ ଦେଲେ ଚଳିବ ନାହିଁ। ଆର୍ଥିକ ଭାବେ ଦୃଢତାର ସହ କେନ୍ଦ୍ର ସରକାରଙ୍କୁ ରାଜ୍ୟମାନଙ୍କ ସପକ୍ଷରେ ଛିଡା ହେବାକୁ ପଡିବ। ଏଥିପାଇଁ ଜରୁରୀ ଆବଶ୍ୟକତା ହେଉଛି, କେନ୍ଦ୍ର ସରକାର ତୁରନ୍ତ ରାଜ୍ୟମାନଙ୍କର ହକ୍ ବକେୟା ଦେୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ, ରାଜ୍ୟମାନଙ୍କର ଋଣ ଉଠାଣ ପରିମାଣ ଦ୍ୱିଗୁଣିତ କରିବାକୁ ହେବ ଏବଂ ରାଜ୍ୟମାନଙ୍କୁ ଖୋଲା ବଜାରରୁ ଋଣ ଉଠାଣ ପରିବେର୍ତ୍ତ ରିଜର୍ଭ ବ୍ୟାଙ୍କରୁ ଋଣ ମିଳିବା ଦରକାର। କାରଣ ଖୋଲାବଜାରରୁ ବଣ୍ଡ୍ ନିଲାମର ସୁଧ ପରିମାଣ ଇତିମଧ୍ୟରେ ବୃଦ୍ଧି ପାଇଥିବା ଯୋଗୁଁ ରାଜ୍ୟମାନଙ୍କୁ ଅଧିକ ବୋଝ ମୁଣ୍ଡାଇବାକୁ ପଡିବ। ଏତଦ୍ ବ୍ୟତୀତ ପ୍ରଧାନମନ୍ତ୍ରୀ ସୃଷ୍ଟି କରିଥିବା ଘରୋଇ ଫଣ୍ଡ୍ ବା ପ୍ରଧାନମନ୍ତ୍ରୀ କେଆର ଫଣ୍ଡ୍ରେ ପୈଠ ହୋଇଥିବା ହଜାର ହଜାର କୋଟି ଟଙ୍କାରୁ ସର୍ବବ୍ୟାପି ମହାମାରୀ କୋଭିଡ-୧୯ ରୋକିବା ଓ ଚିକିତ୍ସା ପାଇଁ ଆବଶ୍ୟକୀୟ ମେଡିକାଲ ଉପକରଣ ଯଥା ଭେଣ୍ଟିଲେଟର, ମାସ୍କ, ପରୀକ୍ଷା ଉପକରଣ ସହିତ ସ୍ୱାସ୍ଥ୍ୟ ସେବାର ଉନ୍ନତିକରଣ ନିମନ୍ତେ ରାଜ୍ୟମାନଙ୍କୁ ସହାୟତା ପ୍ରଦାନ କରିବା ଦରକାର। ଉପରୋକ୍ତ ପ୍ରଶ୍ନ ଗୁଡିକ ଓଡିଶା ସରକାରଙ୍କ କେନ୍ଦ୍ର ନିକଟରେ ଉପସ୍ଥାପନ କରିବା ସହିତ ଓଡିଶାରେ ଜନଗଣଙ୍କ ଜୀବନ ଜୀବିକା ରକ୍ଷା କରିବା ନିମନ୍ତେ ନିମ୍ନ ପ୍ରସ୍ତାବମାନ ଆଗତ କରୁଛୁ। ୧- ଓଡିଶାରେ ସର୍ବବ୍ୟାପି ମହାମାରୀ କୋଭିଡ-୧୯ ରୋକିବା ଦିଗରେ ରାଜ୍ୟ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ନେଇଥିବା ପଦକ୍ଷେପ, ଏ ବାବଦରେ କରିଥିବା ଖର୍ଚ୍ଚ ସହିତ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ଆଶୁ, ସ୍ୱଳ୍ପ ମିଆଦି ଓ ଦୀର୍ଘ ମିଆଦି କାଯ୍ର୍ୟକ୍ରମର ସମ୍ପର୍କରେ ଏକ ଶ୍ୱେତ ପତ୍ର ପ୍ରକାଶ କରନ୍ତୁ। କୋଭିଡ- ୧୯ର ମୁକାବିଲା ପାଇଁ ରାଜ୍ୟ ସରକାର ଏହି ମୁକାବିଲାକୁ କେବଳ ଏକ ସରକାରୀ କାର୍ଯ୍ୟକ୍ରମରେ ସୀମୀତ ନରଖି ସକଳ ବର୍ଗର ଲୋକଙ୍କୁ ଏକାଠି କରିବା ଦରକାର। ଏଥିପାଇଁ ଏକ ସର୍ବଦଳୀୟ ବୈଠକର ଆହ୍ୱାନ କରାଯାଉ। ରାଜ୍ୟର ଅଭିଜ୍ଞ ଡାକ୍ତର, ଅର୍ଥନୀତିଜ୍ଞ ବୁଦ୍ଧିଜୀବୀ, ସାମାଜିକ କର୍ମୀ ପ୍ରମୁଖଙ୍କୁ ନେଇ ଏକ ପରାମର୍ଶଦାତା କମିଟି ଗଠନ କରାଯାଉ ଏବଂ ଏଥିପାଇଁ ଏକ ବୈଠକ ସଂଗଠିତ କରାଯାଉ। ୨- ରାଜ୍ୟର ସମସ୍ତ ଇଛୁକ ପରିବାରକୁ ମୁଣ୍ଡପିଛା ମାସିକ ୧୦ କିଲୋଗ୍ରାମ ହିସାବରେ ୬ ମାସ ପର୍ଯ୍ୟନ୍ତ ଚାଉଳ/ଗହମ ସହିତ ଖାଇବା ତେଲ ରେସନ ସାମଗ୍ରୀ ମାଗଣାରେ ଦିଆଯାଉ। ଏଥିପାଇଁ ରେସନ କାର୍ଡ ଇତ୍ୟାଦିକୁ ଗୁରୁତ୍ୱ ଦିଆନଯାଉ। ଯେଉଁ ପରିବାର ମାଗଣା ଖାଦ୍ୟ ସାମଗ୍ରୀ ନେବାକୁ ଆଗ୍ରାହୀ ନୁହଁନ୍ତି ସେମାନଙ୍କୁ ବାଦ ଦିଆଯାଉ। କେନ୍ଦ୍ର ସରକାରଙ୍କ ଭାରତୀୟ ଖାଦ୍ୟ ନିଗମରେ ବର୍ତ୍ତମାନ ୭ କୋଟି ୭୦ ଲକ୍ଷ ଟନ୍ ଖାଦ୍ୟ ସାମଗ୍ରୀ ମହଜୁଦ ରହିଛି। ଏତଦ୍ ବ୍ୟତୀତ ରବି ଫସଲରୁ ଖାଦ୍ୟ ସାମଗ୍ରୀ ସଂଗୃହିତ ହେଲେ, କେନ୍ଦ୍ର ଖାଦ୍ୟ ଗୋଦାମରେ ବିପୁଳ ପରିମାଣ ଖାଦ୍ୟ ସାମଗ୍ରୀ ଗଛିତ ହେବ। ରାଜ୍ୟମାନଙ୍କୁ ଏଥିରୁ ଖାଦ୍ୟ ସାମଗ୍ରୀ ମାଗଣାରେ ଯୋଗାଇବା ଲାଗି କେନ୍ଦ୍ର ସରକାର ନିକଟରେ ଦାବୀ ଉପସ୍ଥାପନ କରାଯାଉ। ୩- ରାଜ୍ୟର ଆୟକର ଦେବା ସୀମା ମଧ୍ୟରେ ଆୟ କରୁଥିବା ପରିବାରର ବ୍ୟାଙ୍କ ଖାତାକୁ ମାସିକ ୭୫୦୦ଟଙ୍କା ନଗଦ ରାଶି ଟ୍ରାନ୍ସଫର ପାଇଁ ବ୍ୟବସ୍ଥା କରାଯାଉ। ମାଗଣା ଖାଦ୍ୟ ଯୋଗାଣ ଓ ନଗଦ ରାଶୀ ଟ୍ରାନ୍ସଫର ଖର୍ଚ୍ଚ ମିଳାଇଲେ ଏହା ଆମ ଦେଶର ମୋଟ ଜାତୀୟ ଉପିାଦନ (ଏଊଚ)ର ଶତକଡା ୩ ଭାଗ। ଏଥିପାଇଁ କେଦ୍ର ସରକାରଙ୍କ ନିଟକରେ ଦାବି କରାଯାଉ। ଏତଦ୍ ବ୍ୟତୀତ ଅତି ଉଚ୍ଚ ଆୟକାରୀ ପରିବାର ଉପରେ ସ୍ୱତନ୍ତ୍ର ଆୟକର ଲାଗୁ ପାଇଁ ପ୍ରସ୍ତାବ ଦିଆଯାଉ। ନିକଟରେ କେନ୍ଦ୍ର ସରକାର ଘୋଷଣା କରିଥିବା ୧ ଲକ୍ଷ ୭୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ହେଉଛି, ମୋଟ ଜାତୀୟ ଉତ୍ପାଦନର ଶତକଡା ୦.୮ ଭାଗ ମାତ୍ର ଆର୍ଥିକ ପ୍ୟାକେଜ ପରିମାଣ ଏଊଚ ର ଶତକଡା ୫୦ ଭାଗ କରିବାକୁ କେନ୍ଦ୍ର ନିକଟର ଦାବୀ ଉପସ୍ଥାପନ କରାଯାଉ। ୪- ସମସ୍ତ କୃଷକମାନଙ୍କୁ ସଂପୂର୍ଣ୍ଣ ଭାବେ କୃଷିଋଣ ଛାଡ କରାଯାଉ। ପରବର୍ତ୍ତୀ ଖରିଫ୍ ଚାଷ ପାଇଁ ସୁଧମୁକ୍ତ ବ୍ୟାଙ୍କ/ସମବାୟ କୃଷି ଋଣ ପ୍ରଦାନକୁ ସୁନିଶ୍ଚିତ କରାଯାଉ। ଖରିଫ୍ ଫସଲ ପାଇଁ ବିହନ ମାଗଣାରେ ଯୋଗାଇବା ସହିତ ସାର କୀଟନାଶକ ଉପରେ ରିହାତି ଦିଆଯାଉ। ୫- ଲକ୍ଡାଉନ୍ ଯୋଗୁଁ ରବି ଫସଲ ବିକ୍ରୀ ହୋଇନଥିବା/କ୍ଷତି ହୋଇଥିବା ଚାଷୀମାନଙ୍କୁ କ୍ଷତିପୁରଣ ଦିଆଯାଉ। ୬- ଓଡିଶାର ସମସ୍ତ ବ୍ଳକ୍ରେ ‘ମନରେଗା’ ଯୋଜନାରେ ୨୦୦ ଦିନ ପାଇଁ କାମ ଦେବା ସହିତ ଦୈନିକ ମଜୁରୀ ୩୦୦ ଟଙ୍କା ଧାଯ୍ର୍ୟ କରାଯାଉ। ଗ୍ରାମାଞ୍ଚଳରେ ଛୋଟ ବଡ଼ କାମ ବ୍ୟକ୍ତିଗତ ଜମି ଓ ଗୃହ ନିର୍ମାଣ ଆଦିକୁ ମଧ୍ୟ ମନରେଗା କାର୍ଯ୍ୟକ୍ରମରେ ସାମିଲ କରାଯାଉ। ୭-ସହରାଞ୍ଚଳରେ ମଧ୍ୟ ଶ୍ରମଦିବସ ସୃଷ୍ଟିକାରୀ କାର୍ଯ୍ୟକ୍ରମ ଜରିଆରେ ପୌରାଞ୍ଚଳ ଶ୍ରମଜିବୀଙ୍କ ପାଇଁ କାମର ବ୍ୟବସ୍ଥା କରାଯାଉ। ସମସ୍ତ ରବି ଫସଲ ଏବଂ ଖରିଫ୍ ସମୟର ପଡି ରହିଥିବା ଧାନକୁ ମଣ୍ଡି ଜରିଆରେ ସର୍ବନିମ୍ନ ସହାୟକ ମୂଲ୍ୟ (ଗଝଚ) ଦେଇ କ୍ରୟ କରିବ ପାଇଁ ସୁନିଶ୍ଚିତ କରାଯାଉ। ସମସ୍ତ ଶୀତଳ ଭଣ୍ଡାର ଗୁଡିକୁ କାଯ୍ର୍ୟକ୍ଷମ କରିବା ପାଇଁ ବ୍ୟବସ୍ଥା କରାଯାଉ। ଗ୍ରାମାଞ୍ଚଳରେ କୃଷି ଅର୍ଥନୀତିର ବିକାଶ ଲାଗି ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରାଯାଉ। ୮- ଦୁଗ୍ଧ, ଅଣ୍ଡା, କୁକୁଡା, ଛେଳି, ମାଛ, ଛତୁ, ପାନ ଚାଷୀମାନେ ଗଭୀର ସଙ୍କଟ ଦେଇ ଗତି କରୁଛନ୍ତି। ସରକାର ଲାଭଜନକ ମୂଲ୍ୟ ପ୍ରଦାନ କରି ସଂପୃକ୍ତ ଦ୍ରବ୍ୟଗୁଡିକ କିଣି ଖାଉଟିମାନଙ୍କୁ ବିକ୍ରୀ ବ୍ୟବସ୍ଥା କରାଯାଉ। ଦୁଗ୍ଧ ଚାଷୀମାନଙ୍କୁ ଲିଟର ପିଛା ୫ ଟଙ୍କା ସବ୍ସିଡି ଓମ୍ଫେଡ୍ ଏବଂ ଅନ୍ୟ ଦୁଗ୍ଧ ଉତ୍ପାଦନକାରୀ ସମବାୟ ସମିତି ଜରିଆରେ ପ୍ରଦାନ କରାଯାଉ। ୯- ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୦୨୦-୨୧ ବର୍ଗର ସମସ୍ତ କିସ୍ତି ଟଙ୍କା ଚାଷୀମାନଙ୍କୁ ପ୍ରଦାନ କରାଯାଉ। ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ପରିମାଣ ବାର୍ଷିକ ୧୮,୦୦୦ ଟଙ୍କାକୁ ବୃଦ୍ଧି କରାଯାଉ। ୧୦- ରାଜ୍ୟକୁ ଫେରି ଆସିଥିବା ଶ୍ରମିକମାନଙ୍କର ଗ୍ରାମ୍ୟ ଅର୍ଥନୀତିରେ ଯୋଗଦାନ ପାଇଁ ଲାଭଦାୟକ ସ୍ୱଳ୍ପ, ମଧ୍ୟମ ଓ ଦୀର୍ଘମିଆଦି କାର୍ଯ୍ୟକ୍ରମର ଖସଡା ପ୍ରସ୍ତୁତ କରାଯାଉ। ୧୧- ରାଜ୍ୟରେ ସମସ୍ତ ଶ୍ରମିକଙ୍କୁ ଲକ୍ଡାଉନ୍ ସମୟର ପୂର୍ଣ୍ଣ ମଜୁରୀ ସହିତ ଛଟେଇ ନକରିବା ଲାଗି ରାଜ୍ୟ ସରକାର କଡା ନିଦ୍ଦେର୍ଶନାମା ଜାରୀ କରନ୍ତୁ। ମଧ୍ୟମ , କ୍ଷୁଦ୍ର ଓ କୁଟୀର ଶିଳ୍ପ ଲକ୍ଡାଉନ ଯୋଗୁଁ ବିଶେଷ କ୍ଷତିର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ପୁଣି ସବଳ କରିବାକୁ ବ୍ୟାଙ୍କ୍ ଋଣ ପ୍ରଦାନରେ ରିହାତି, ମଜୁରୀ ପରିମାଣ ଉପରେ ଜି.ଏସ୍.ଟି., ବିଦ୍ୟୁତ , ପାଣି ଓ ଅନ୍ୟାନ୍ୟ ସରକାରୀ ଦେୟ ଛାଡ କରିବା ସହିତ ବ୍ୟାଙ୍କଋଣ ନିଶ୍ଚିତ କରାଯାଉ। ୧୨- ସରକାରୀ ଓ ବେସରକାରୀ ମାଲ ଓ ଯାତ୍ରୀ ପରିବହନ ବ୍ୟବସ୍ଥାରେ କର୍ମରତ ଶ୍ରମିକମାନଙ୍କ (ଡ୍ରାଇଭର, ହେଲପର, ଅଟୋଚାଳକ ଇତ୍ୟାଦି) ପାଇଁ ପ୍ୟାକେଜ ଘୋଷଣା କରିବା ସଙ୍ଗେ ସଙ୍ଗେ ପରିବହନ ମାଲିକମାନଙ୍କର ବ୍ୟାଙ୍କଋଣ ଦେୟ, ଟ୍ୟାକ୍ସ ପ୍ରଦାନରେ ରିହାତି ଦିଆଯାଉ। ୧୩- ସମସ୍ତ ନିର୍ମାଣ ଶ୍ରମିକଙ୍କୁ ମାସିକ ୫୦୦୦ ଟଙ୍କା କରି ୬ ମାସ ଯାଏଁ ଆର୍ଥିକ ସୟାୟତା ପ୍ରଦାନ କରାଯାଉ। ପଞ୍ଜିକୃତ ପାଇଁ ଆବେଦନ କରିଥିବା ଶ୍ରମିକମାନଙ୍କୁ ମଧ୍ୟ ଏହି ସହାୟତା ପ୍ରଦାନ କରାଯାଉ। ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ଗଛିତ ରାଶିରୁ ଏହା ଭରଣା କରାଯାଇପାରିବ। ୧୪- ପୌରାଞ୍ଚଳରେ ରେଜିଷ୍ଟ୍ରିଭୁକ୍ତ ଉଠାଦୋକାନୀଙ୍କ ସମେତ ପୌରାଞ୍ଚଳରେ ଦୈନିକ ଟିକସ ଦେଇ ବ୍ୟବସାୟ କରୁଥିବା ଛୋଟ ବ୍ୟବସାୟୀ, ଠେଲାଗାଡି ବ୍ୟବସାୟୀଙ୍କୁ ମଧ୍ୟ ସହାୟତା ଦିଆଯାଉ। ୧୫- ଇଛୁକ ଓଡିଆ ପ୍ରବାସୀ ଶ୍ରମିକମାନଙ୍କୁ ରାଜ୍ୟକୁ ରେଳଯୋଗେ ମାଗଣାରେ ଆଣିବା ବ୍ୟବସ୍ଥା କରାଯାଉ। ଯେଉଁମାନେ ବସ ଓ ଟ୍ରେନ୍ ଟିକେଟ ନିଜ ତରଫରୁ କରି ଫେରିଛନ୍ତି ସେମାନଙ୍କୁ ଟିକଟ ଦେୟ ଫେରସ୍ତ କରାଯାଉ। ରାଜ୍ୟକୁ ଫେରିଥିବା ଶ୍ରମିକମାନଙ୍କୁ ସଙ୍ଗ ନିରୋଧ କେନ୍ଦ୍ରରେ ରଖାଯାଉ ଏବଂ ଯେଉଁମାନେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ସେମାନଙ୍କୁ ଆଇନ ଅନୁଯାୟୀ ବ୍ୟବସ୍ଥା ଗ୍ରହଣ କରାଯାଉ। ସଙ୍ଗନିରୋଧ କେନ୍ଦ୍ରରେ ଖାଦ୍ୟପେୟ, ରହଣି, ପାନୀୟ ଜଳ, ପାଇଖାନା, ଚିକିତ୍ସା ଆଦିର ସୁବନ୍ଦୋବସ୍ତ କରାଯାଉ। ମହିଳା ଓ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ। ସଙ୍ଗନିରୋଧ ଅବଧି ସରିବା ପରେ ରାଜ୍ୟ ସରକାର ଘୋଷଣା କରିଥିବା ୨୦୦୦ଟଙ୍କାର ଆର୍ଥିକ ସହାୟତା ରାଶି ବୃଦ୍ଧି କରି ସଙ୍ଗନିରୋଧ ସମୟରେ ହିଁ ପ୍ରବାସୀ ଶ୍ରମିକଙ୍କ ପରିବାରକୁ ଦିଆଯାଉ। କେତେକ ରାଜ୍ୟରେ ସେଠାରେ ଅଟକି ଥିବା ଶ୍ରମିକମାନଙ୍କୁ ଓଡିଶା ନ ଛାଡିବା ନିଷ୍ପତ୍ତିର ପରିବର୍ତ୍ତନ ପାଇଁ ପଦକ୍ଷେପ ନିଆଯାଉ ଏବଂ ଯେଉଁମାନେ ଫେରିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ଫେରାଇ ଆଣିବା ବ୍ୟବସ୍ଥା କରାଯାଉ। ଓଡିଶା ରାଜ୍ୟ ସରକାର ଜାରୀ କରିଥିବା ହେଲଁ ଲାଇନ ୨୪ ଘଣ୍ଟା ଖୋଲା ରଖିବା ସହିତ ସଠିକ୍ ଉତ୍ତର ଦିଆଯାଉ। ୧୬- ପ୍ରବାସୀ ଶ୍ରମିକ ଏବଂ କରୋନା ପଜିଟିଭ ଚିହ୍ନିତ ଲୋକଙ୍କ ବିରୋଧରେ ମନ୍ତବ୍ୟ ସହିତ ସାମାଜିକ ଗଣମାଧ୍ୟମ ମଞ୍ଚକୁ ସଂାପ୍ରଦାୟିକ ବିଦ୍ୱେଷ ସୃଷ୍ଟିକାରି ମଞ୍ଚରେ ବ୍ୟବହାର କରାଯାଉଛି। ଏହାକୁ ଅପରାଧିକ କାଯ୍ର୍ୟ ରୂପେ ବିବେଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ୧୭- ବର୍ତ୍ତମାନ ସ୍କୁଲ୍ କଲେଜ ଖୋଲିବା ଅନିଶ୍ଚିତତା ମଧ୍ୟରେ ରହିଛି। ରାଜ୍ୟ ସରକାର ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଟ୍ୟୁସନ ଫି, ଆଡମିଶନ ଫି ଛାଡ କରିବା ସଙ୍ଗେ ସଙ୍ଗେ ଘରୋଇ ସ୍କୁଲରେ ପଢୁଥିବା ଅସ୍ୱଚ୍ଛଳ ବର୍ଗ ଛାତ୍ରଛାତ୍ରୀମାନଙ୍କୁ ଟ୍ୟୁସନ ଫି ଓ ଆଡମିଶନ ଫି ଛାଡ ପାଇଁ ନିର୍ଦ୍ଦେଶାବଳୀ ଜାରୀ କରନ୍ତୁ କିମ୍ୱା ସେମାନଙ୍କ ଖର୍ଚ୍ଚ ସରକାର ବହନ କରନ୍ତୁ। ୧୮- ଅନଲାଇନ ପାଠ ପଢା ପାଇଁ ଦୁରଦର୍ଶନର ସହାୟତାରେ ନିର୍ଦ୍ଦିଷ୍ଟ ସମୟରେ ଟେଲିଭିଜନ ଜରିଆରେ ମାଗଣା ଶିକ୍ଷାର ବ୍ୟବସ୍ଥା କରାଯାଉ। ସମଗ୍ର ରାଜ୍ୟରେ ଇଣ୍ଟରନେଟ ସୁବିଧା ଉପଲବ୍ଧ ସହିତ ବେଗ ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉ। ଅନଲାଇନ ପାଠପଢା ପାଇଁ ଅସ୍ୱଚ୍ଛଳ ବର୍ଗର ସବୁ ଛାତ୍ରଛାତ୍ରୀଙ୍କୁ ମାଗଣା ଲ୍ୟାପଟପ୍ ଯୋଗାଇ ଦିଆଯାଉ। ୧୯- ସଂକ୍ରମଣ ବ୍ୟାପୁଥିବା ଅଞ୍ଚଳକୁ ଚିହ୍ନଟ କରି କଟକଣା ଲାଗୁ କରାଯାଉ ଏବଂ ଅନ୍ୟ ସର୍ବତ୍ର ଆବଶ୍ୟକୀୟ ଶାରୀରିକ ଦୂରତ ଉପରେ ଗୁରତ୍ୱ ଦେଇ କଟକଣା କୋହଳ କରାଯାଉ। ୨୦- କୋଭିଡ୍ - ୧୯କୁ ମୁକାବିଲା କଲାବେଳେ ଭୟ ସୃଷ୍ଟି ନକରି ସଚେତନତା ବୃଦ୍ଧି କରାଯାଉ। ସଙ୍ଗରୋଧ ବ୍ୟବସ୍ଥା କୁ ଅଘୋଷିତ ଜେଲ ରୂପେ ବର୍ଣ୍ଣନା ନକରି ଏକ ଜରୁରୀ ସ୍ୱାସ୍ଥ୍ୟଗତ ସାମାଜିକ ଦାୟିତ୍ୱ ରୂପେ ସଚେତନ କରାଯାଉ। ଶାରୀରିକ ଦୂରତା ରକ୍ଷା ସହିତ , ସାମାଜିକ ଦୂରତାକୁ ସାମାଜିକ ବାଛନ୍ଦ ନୁହେଁ ବରଂ ଦୃତ ସାମାଜିକ ସଂହତିର ଆବଶ୍ୟକତା ଉପରେ ଯୋର ଦିଆଯାଉ। ଆଶା କରୁଛୁ ଏହି କେତେକ ପଦକ୍ଷେପ ଉପରେ ସବିଶେଷ ଦୃଷ୍ଟି ଦେଇ ଓଡିଶାବାସୀଙ୍କ ଜୀବନ ସହିତ ଜିବୀକା ବଞ୍ଚାଇବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ। ସମ୍ମାନର ସହ ଅଳି କିଶୋର ପଟ୍ଟନାୟକ ସମ୍ପାଦକ, ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟି