ମନେ ପଡ଼ନ୍ତି ଶହୀଦ ଶ୍ରୀନିବାସ ପାତ୍ର

Jul 7, 2019 - 03:06
 790
ମନେ ପଡ଼ନ୍ତି ଶହୀଦ ଶ୍ରୀନିବାସ ପାତ୍ର
ହେମାଙ୍ଗ ପ୍ରସାଦ ରାଉଳ ୧୯୯୯ ମସିହା କାର୍ଗିଲ ଯୂଦ୍ଧରେ ବହୁ ଭାରତୀୟ ବୀର ଜବାନ ଦେଶ ମାତୃକା ପାଇଁ ପ୍ରାଣବଳି ଦେଇଥିଲେ। ଏଥିରେ ଷଷ୍ଠ ଓଡ଼ିଆ ଭାବେ ଗଂଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍ ତଥା ବ୍ରହ୍ମପୁର ସହର ନିକଟବର୍ତ୍ତି ଜଗଦଳପୁର ଗ୍ରାମର ଶହୀଦ ଏସ୍. ଶ୍ରୀନିବାସ ପାତ୍ର ମଧ୍ୟ ରହିଥିଲେ। ସେ ଯୁଦ୍ଧରେ ବୀରତ୍ୱର ସହ ଲଢ଼ି ୫.୭.୧୯୯୯ରେ ଶହୀଦ ହୋଇଥିଲେ। କାର୍ଗିଲ ବିଜୟ ଦିବସକୁ ୨୦ ବର୍ଷ ପୂର୍ତ୍ତି ହୋଇଛି। ଜଗଦଳପୁର୍ ଗ୍ରାମ ସ୍ଥିତ ଶହୀଦଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ଅନୁଷ୍ଠାନ ଏବଂ ସଂଗଠନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ସ୍ମ୍ମୃତିଚାରଣ କରାଯାଇଥିଲା। ବିବାହର କିଛି ଦିନ ପରେ ହିଁ ଶ୍ରୀନିବାସ ଦେଶପାଇଁ ଯୁଦ୍ଧ କରିବାକୁ ଯାଇ ଶହୀଦ ହୋଇଥିଲେ। ବର୍ଷକରେ କେବଳ ଥରେ ଏହି ଦିନ ହିଁ ସବୁ ସଂଗଠନ ଏବଂ ନେତା ଅଫିସର ଶହୀଦ ଶ୍ରୀନିବାସକୁ ମନେ ପକାଇଥାନ୍ତି। ଦିନେ ଏହି ମାଟିରୁ ଦେଶସେବା ଓ ସାଧନାର ଏକ ଶୁଦ୍ଧ ସଂକଳ୍ପ ନେଇ ପ୍ରତିଜ୍ଞାର ଦୀପ୍ତ ଜ୍ୱଳନ ନେଇ ଯେଉଁ ପ୍ରଜ୍ଞାର ପ୍ରଦୀପ ଟିଏ ଜଗଦଳପୁର୍ ଗ୍ରାମରେ ଜଳି ଉଠିଥିଲା ସେ ଆଉ କେହି ନୁହଁନ୍ତି, ଭରତମାତାର ବୀର ପୁରୁଷ ଶହୀଦ ଶ୍ରୀନିବାସ ପାତ୍ର। ଏହି ପବିତ୍ର ଭୂମିରେ ଜନ୍ମନେବା ଦିନଠାରୁ ହିଁ ପବିତ୍ର ମାଟିକୁ ସ୍ପର୍ଶକରି ଦେଶ ମାତୃକାର ସେବା ପାଇଁ ମନ ବଳାଇଥିଲେ। ପିଲାଟି ବେଳୁ ସେହି ସ୍ୱପ୍ନକୁ ସାକାର କରିବା ପାଇଁ ଯେଉଁ ଅଦମ୍ୟ ସାହସ ଏବଂ ଉଦ୍ୟମ ଦେଖାଇଥିଲେ ତାହା ତାଙ୍କୁ ମଣିଷ ପରି ମଣିଷଟିଏ ହେବାପାଇଁ ଅପୂର୍ବ ମନ୍ତ୍ରରେ ଦୀକ୍ଷିତ କରାଇଥିଲା। ମାନବିକତାର ବେଦୀତଳେ ଯିଏ ଦେଶ ଓ ଦଶର ସେବା ପାଇଁ ନିଜକୁ ସଂପୂର୍ଣ୍ଣ ଭାବେ ସମର୍ପିତ କରିଥିଲେ ସେହି ସୌମ୍ୟ ପୁରୁଷ ଶ୍ରୀନିବାସ। ଆଜି ସେ ଘରେଘରେ ଜଣେ ମହାନ ବୀର ପୁରୁଷ ଭାବେ ପୂଜା ପାଇ ଆସୁଛନ୍ତି। ଦେଶସେବା ପାଇଁ ସେ ସୈନ୍ୟ ବାହିନୀରେ ଯୋଗ ଦେବା ନିମନ୍ତେ ବାରମ୍ୱାର ସାକ୍ଷାତକାର ଦେଇ ଶେଷରେ ନିଯୁକ୍ତି ପାଇ ଦେଶସେବା କାର୍ଯ୍ୟରେ ଯୋଗ ଦେଇଥିଲେ। ଏହାର କିଛିବର୍ଷ ପରେ ଶ୍ରୀନିବାସ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କିନ୍ତୁ ବିବାହର ୭ ଦିନରେ ତାଙ୍କ ଛୁଟି ଶେଷ ହୋଇଥିଲା। ଏହାପରେ ସେ ପୁଣି ନିଜ କର୍ତ୍ତବ୍ୟ କରିବାକୁ ଫେରିଯାଇଥିଲେ। ଶୀଘ୍ର କ୍ୱାର୍ଟର୍ ବ୍ୟବସ୍ଥା କରି ଆସିବି ଆଉ ତୁମକୁ ସାଙ୍ଗରେ ନେଇଯିବି ବୋଲି ପ୍ରତିଶ୍ରୁତି ଦେଇ ଯାଇଥିଲେ ନବ ବିବାହିତା ସ୍ତ୍ରୀଙ୍କୁ। ହେଲେ ଆଉ ଘରକୁ ଫେରିନଥିଲେ ଶ୍ରୀନିବାସ। ବିବାହ ପରେ କାର୍ଯ୍ୟରେ ଯୋଗଦେବା ପରେ କାର୍ଗିଲରେ ପାକ୍ ଅନୁପ୍ରବେଶକାରୀଙ୍କ ସହ ଭାରତୀୟ ସୈନିକଙ୍କ ଯୁଦ୍ଧ ଚାଲିଥାଏ। ଏତିକି ବେଳେ ଉଚ୍ଚ ପଦାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ଯୁଦ୍ଧରେ ସାମିଲ୍ ହେବାକୁ ପଡ଼ିଥିଲା ଶ୍ରୀନିବାସଙ୍କୁ। ପାକ୍ ଅନୁପ୍ରବେଶକାରୀଙ୍କ ସହ ସଂଘର୍ଷ କରି ୧୯୯୯ ମସିହା ଜୁଲାଇ ମାସ ଜୁଲାଇ ମାସ ୫ ତାରିଖରେ ପ୍ରାଣବଳି ଦେଇଥିବା ଷଷ୍ଠ ଓଡ଼ିଆ ବୀର ଥିଲେ ଶହୀଦ ଏସ୍. ଶ୍ରୀନିବାସ ପାତ୍ର। ତାଙ୍କ ମର ଶରୀରକୁ ଯେଉଁଦିନ ନିଜ ଗ୍ରାମକୁ ଅଣାଯାଇଥିଲା ସେହିଦିନ ହଜାର ହଜାର ସଂଖ୍ୟାରେ ଜନସାଧାରଣ, ବୁଦ୍ଧିଜିବୀ, ରାଜନେତା ରାସ୍ତାକଡ଼ରେ ଘଣ୍ଟାଘଣ୍ଟା କାଳ ଫୁଲମାଳ ଧରି ଅପେକ୍ଷା କରି ରହିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ। ଦେଶଭକ୍ତି ସଙ୍ଗୀତରେ ଏବଂ ଶହୀଦ ଶ୍ରୀନିବାସ ଅମର ରହେ ଧ୍ୱନୀରେ ଫାଟି ପଡ଼ୁଥିଲା ସହର। ଶେଷରେ ଦେଶପାଇଁ ତାଙ୍କ ସେବା ମନୋବୃତ୍ତି ହିଁ ଆଜି ତାଙ୍କୁ ସମସ୍ତଙ୍କ ହୃଦୟରେ ସ୍ଥାନିତ କରିଛି। କିନ୍ତୁ କ୍ଷୋଭ ଏବଂ ପରିତାପର ବିଷୟ ଏହିକି ଯେ, ଏହି ବୀର ପୁରୁଷଙ୍କ ଶହୀଦ ପରେ ବର୍ଷବର୍ଷ ଧରି ପ୍ରଶାସନର ଅବହେଳାର ଶିକାର ହୋଇ ଆସିଥିଲେ ତାଙ୍କ ପରିବାର। ତାଙ୍କ ବାପା ପୁଅକୁ ଝୁରିଝୁରି ପାଗଳ ହୋଇ ଶେଷରେ ପ୍ରାଣ ହରାଇଥିଲେ ଆଉ ମା’ ଙ୍କ ଗୋବର ଘଷି ଗୋଟାଇ ଗୋଟାଇ ପ୍ରାଣ ଚାଲିଗଲା। କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳିନଥିଲା। ସେହିଭଳି ଶହୀଦଙ୍କ ସ୍ମ୍ମୃତି ଏବଂ ସମ୍ମାନାର୍ଥେ ବ୍ରହ୍ମପୁର ଗେଟ୍‌ ବଜାର୍ ଠାରୁ ଜଗଦଳପୁର୍ ପର୍ଯ୍ୟନ୍ତ ରାସ୍ତାକୁ ଶହୀଦ ଶ୍ରୀନିବାସ ମାର୍ଗ ଭାବେ ନାମିତ କରାଯିବ ବୋଲି ଯେଉଁ ଦୃଢ଼ ପ୍ରତିଶ୍ରୁତି ମିଳିଥିଲା ତାହା ପାଣିର ଗାର ସଦୃଶ ହୋଇଯାଇଛି। ଉକ୍ତ ରାସ୍ତାଟି ତାଙ୍କ ନାମରେ ନାମିତ ହୋଇପାରିଲା ନାହିଁ। କେବଳ ମାତ୍ର ଗେଟ୍‌ ବଜାର ଛକଠାରେ ଏକ ଫଳକ ଲାଗିଥିଲା। କିନ୍ତୁ ତାହା ମଧ୍ୟ ସେଠାରୁ ଉଭାନ୍ ହୋଇଯାଇଛି। କେବଳ କାର୍ଗିଲ ଦିବସ ଏବଂ ଶ୍ରୀନିବାସଙ୍କ ଶହୀଦ ଦିବସରେ ମନେ ପଡ଼ନ୍ତି ଏହି ବୀର ପୁରୁଷ। ଅନ୍ୟ ଦିନମାନଙ୍କରେ ଗ୍ରାମ ଶୁନ୍‌ସାନ୍ ରହୁଥିବା ବେଳେ ଶହୀଦଙ୍କ ପ୍ରତିମୂର୍ତ୍ତିଟି ପକ୍ଷୀମଳଠାରୁ ଆରମ୍ଭ କରି ଧୂଳିମଳି ହୋଇ ରହିଥାନ୍ତି।