ବିଶ୍ୱ ତାପନ ଓ ପାଗ ପରିବର୍ତ୍ତନ ସମୟରେ ପାଟରା ପରମ୍ପରା

Jul 25, 2022 - 05:11
 559
ବିଶ୍ୱ ତାପନ ଓ ପାଗ ପରିବର୍ତ୍ତନ ସମୟରେ ପାଟରା ପରମ୍ପରା
ଦେବେନ୍ଦ୍ର ପୃଷ୍ଟି ଆମର ଇଷ୍ଟଦେବ ହେଲେ ବଳଭଦ୍ର। ବଳଭଦ୍ର ହେଉଛନ୍ତି କୃଷି ଶକ୍ତି ଓ ସଂସ୍କୃତିର ପ୍ରତୀକ। ତାଙ୍କର ଆୟୁଧ ହେଲା ହଳ। ସେଥିପାଇଁ ତାଙ୍କୁ ହଳଧର କୁହାଯାଏ। ସେ ଯେମିତି ବଳବାନ, ସେମିତି ଭଦ୍ର। ତେଣୁ ବଳଭଦ୍ର। ସେ ତାଙ୍କର ବଳ ଗୁଣ୍ଡାଗିରି କରିବାକୁ, ହତ୍ୟା ଓ ଧର୍ଷଣାଦି ଜରିଆରେ ଆପଣା ସ୍ୱାର୍ଥ ହାସଲ କରିବାକୁ ପ୍ରୟୋଗ କରିନଥାନ୍ତି। ତାଙ୍କର ବଳ ଏକ ଭଦ୍ର ସମାଜ ଗଠନ ପାଇଁ ଉଦ୍ଦିଷ୍ଟ। ତାଙ୍କର ବଳ କୃଷି କର୍ମରେ ପ୍ରୟୋଗ ହୋଇ ସଂସାରକୁ ଆହାର ଯୋଗାଇଥାଏ। ସେ ହିଁ ଆମର ଇଷ୍ଟଦେବ। ହଳରେ ଚାଷ ପାଇଁ ମୃତ୍ତିକା କର୍ଷଣ କରାଯାଏ। କର୍ଷଣରୁ ହିଁ କୃଷି। କୃଷି ଜ୍ଞାନକୌଶଳ ଦ୍ୱାରା ମାଟିରୁ ଖାଦ୍ୟ ଉପଯୋଗୀ ବିଭିନ୍ନ ଫସଲ ଉତ୍ପାଦନ କରାଯାଏ। ମଣିଷ ଓ ପଶୁପକ୍ଷୀଙ୍କ ପାଇଁ ପ୍ରକୃତି ଗଛବୃଚ୍ଛ, ଗୁଳ୍ମଲତା ଆଦିରେ ଫଳୁଥିବା ଫୁଲ, ଫଳ, ପନିପରିବା, ଶସ୍ୟ, ମୂଳ, ପତ୍ର ଓ କାଣ୍ଡାଦି ସୃଷ୍ଟି କରିଛି। ମଣି ପ୍ରଥମେ ଏହାକୁ ବନ ପ୍ରାନ୍ତରରୁ ସଂଗ୍ରହ କରି ଖାଉଥିଲା। ସେତେବେଳେ ସେ ଥିଲା ସଂଗ୍ରାହକ। କିନ୍ତୁ ଯାଯାବର ଜୀବନ ଛାଡ଼ି ମଣିଷ ଯେତେବେଳେ ପରିବାର, କୁଟୁମ୍ବ ଓ ଜନପଦ ଆଦି ଗଠନ କଲା ସେତେବେଳେ ତାହାକୁ ଗୋଟିଏ ସ୍ଥାନରେ ରହିବାକୁ ପଡ଼ିଲା ଓ ସେହି ସ୍ଥାନରୁ ଖାଦ୍ୟ ଉତ୍ପାଦନ କରିବା ଦରକାର ହେଲା। ତେଣୁ ସେ ପ୍ରକୃତିକୁ ପର୍ଯ୍ୟବେକ୍ଷଣ ଓ ଅନୁଶୀଳନ କରି କୃଷି ପଦ୍ଧତି ଓ ସେଥିନିମନ୍ତେ ବିଭିନ୍ନ ପ୍ରକାର ଯନ୍ତ୍ରପାତି ଉଦ୍ଭାବନ କଲା। ସେହିସବୁ ଯନ୍ତ୍ରପାତି ମଧ୍ୟରେ ହଳ ହେଲା ଅନ୍ୟତମ। ବିଶ୍ୱବାସୀଙ୍କୁ ଖାଦ୍ୟ ଯୋଗାଇବା ଦିଗରେ ହଳର ଆବଶ୍ୟକତା କେତେ ଅଧିକ ତାହା କାହାକୁ ବୁଝେଇବା ଦରକାର ନାହିଁ। ଆଜିକାଲି କୃଷିକ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ହେଲାଣି। ହଳ ବଳଦ ବଦଳରେ ପାୱାର ଟିଲର ଓ ଟ୍ରାକ୍ଟର ଆଦି ବ୍ୟବହୃତ ହେଲାଣି। ତେବେ ଆଧୁନିକ କୃଷି ଯନ୍ତ୍ରପାତି ସମାଜର ସବୁ ବର୍ଗର ଲୋକଙ୍କ ପାଇଁ ଶସ୍ତା ଓ ସହଜଲବ୍ଧ ନୁହେଁ। ଟ୍ରାକ୍ଟର ଆଦି ଅନେକ ଯନ୍ତ୍ରପାତିରେ ଜୀବାଶ୍ମ ଇନ୍ଧନ ବା ଫସିଲ ଫୁଏଲ ବ୍ୟବହୃତ ହୋଇଥାଏ। ଜୀବାଶ୍ମ ଇନ୍ଧନ କହିଲେ କୋଇଲା, ପେଟ୍ରୋଲ, ଡିଜେଲ, କିରୋସିନ୍‌ ଆଦିକୁ ବୁଝାଯାଏ। ଏସବୁର ବ୍ୟାପକ ବ୍ୟବହାର ଫଳରେ ଆଜିର ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପନର ସଂକଟ ସୃଷ୍ଟି ହୋଇଛି। ଆଜିର ବିଜ୍ଞାନ ଓ ପ୍ରଯୁକ୍ତିର ଯୁଗରେ ଯଦିଓ ପଛକୁ ବା ପ୍ରକୃତିକୁ ଫେରିବାର ଇଚ୍ଛା ଓ ଆଗ୍ରହ କାହାର ନାହିଁ, ତଥାପି ଏହା ସ୍ୱୀକାର କରିବାକୁ ପଡ଼ିବ ଯେ କୃଷି ହେଉଛି ଏକ ପରିପୋଷଣୀୟ ବା ଚିରନ୍ତନୀ ଆର୍ଥନୀତିକ କର୍ମସଂସ୍କୃତି। ପାଟରା ଜାତିର ଇଷ୍ଟଦେବ ବଳଭଦ୍ର ହୋଇଥିଲେ ହେଁ ଜଗନ୍ନାଥ ହେଉଛନ୍ତି ପରମ ଆରାଧ୍ୟ ଦେବତା। ଗହ୍ମା ପୁନେଇଁରେ ପାଟରାମାନେ କେବଳ ବଳଭଦ୍ରଙ୍କୁ ପୂଜା କରନ୍ତି ନାହିଁ। ଜଗନ୍ନାଥଙ୍କୁ ମଧ୍ୟ ପୂଜା କରିଥାନ୍ତି। ଜଗନ୍ନାଥ ମନ୍ଦିରର ଅନ୍ୟତମ ସେବାୟତ ହେଲେ ପାଟରା ଗୋସେଇଁ। ଜଗନ୍ନାଥଙ୍କ ପୂର୍ବ ଅବତାର ହେଉଛନ୍ତି ଶ୍ରୀକୃଷ୍ଣ। ବଳଭଦ୍ରଙ୍କର ପୂର୍ବ ଅବତାର ହେଉଛନ୍ତି ବଳରାମ। ବଳରାମ ଯେପରି କୃଷି ସଂସ୍କୃତିର ପ୍ରତୀକ ଠିକ ସେହିପରି ଶ୍ରୀକୃଷ୍ଣ ହେଲେ ଗୋପାଳନର ପ୍ରତୀକ। ଦ୍ୱାପର ଯୁଗରେ କୃଷ୍ଣବଳାରାମ କୃଷି ଓ ଗୋପାଳନ ସଂସ୍କୃତିର ପ୍ରବର୍ତ୍ତକ ନହେଲେ ବି ପ୍ରଚାରକ ଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ। ସେତେବେଳେ ଗୋପ ଓ ମଥୁରାରେ ସରଲବଣୀର ପ୍ରାଚୁର୍ଯ୍ୟ ଥିଲା। ଯମୁନା କୂଳ, କଦମ୍ବ ମୂଳ, କୁଞ୍ଜବନ, ରାସକ୍ରୀଡ଼ା ଏହି ପ୍ରାଚୁର୍ଯ୍ୟ ଓ ବିଳାସର ପରିପ୍ରକାଶ। ହସ୍ତିନାପୁର, ବାରୁଣାବନ୍ତ ଓ ଦ୍ୱାରକା ଥିଲା ବିକାଶ ଓ ଅଭିବୃଦ୍ଧିର ବାସ୍ତବିକ ଅଭିବ୍ୟକ୍ତି। କୃଷ୍ଣଙ୍କର ସୁଦର୍ଶନ ଚକ୍ର ଓ ନନ୍ଦିଘୋଷ ରଥ ଏବଂ ବଳରାମଙ୍କର ଶୂଳ ଓ ତାଳଧ୍ୱଜ ଥିଲା ବିଜ୍ଞାନ ଓ ପ୍ରଯୁକ୍ତିର ଉତ୍ତରଣ। ମହାଭାରତ ଯୁଦ୍ଧ ଓ ତତ୍ ପରବର୍ତ୍ତୀ ପରିଣାମଗୁଡ଼ିକୁ ବାଦ ଦେଇ ଯଦି ଅନୁଶୀଳନ କରାଯାଏ ତେବେ ଏହା ନିଶ୍ଚିତ ଭାବେ ଗ୍ରହଣୀୟ ଯେ ସତ୍ୟ, ତ୍ରେତୟା, ଦ୍ୱାପର ଓ କଳି ଯୁଗ ମଧ୍ୟରେ ଦ୍ୱାପର ଯୁଗ ହିଁ ସର୍ବଶ୍ରେଷ୍ଠ। ସତ୍ୟ ଓ ତ୍ରେତୟାରେ ଭଗବାନ ବିଷ୍ଣୁଙ୍କ ଅବତାରମାନଙ୍କୁ ସମାଜ ବିରୋଧୀ ଅସୁରମାନଙ୍କୁ ଦମନ କରିବାରେ ଅନେକ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥିଲା। କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନ ଥିଲା ସ୍ନେହ, ମମତା, ପ୍ରେମ ଓ ସୈଖ୍ୟର ସହସ୍ର ସଙ୍ଗମ। ଆଜିର ବିଜ୍ଞାନ ଓ ପ୍ରଯୁକ୍ତିର ଦିଗ୍‌ବିଜୟ ସମଗ୍ର ବିଶ୍ୱ ପାଇଁ ଯେଉଁ ସଂକଟ ସୃଷ୍ଟି କରିଛି ସେ ବିଷୟରେ ଊଣାଅଧିକେ ପ୍ରାୟ ସମସ୍ତ ମାନବଗୋଷ୍ଠୀ ସଚେତନ। ଆଣବିକ, ରାସାୟନିକ ଓ ଜୈବାସ୍ତ୍ରର ଧ୍ୱଂସଶକ୍ତି ଏବଂ କୃତ୍ରିମ ବା ଅପ୍ରାକୃତ ଉପଭୋଗବାଦ ଯୋଗୁଁ ସୃଷ୍ଟ ହୋଇଥିବା ପାଗ ପରିବର୍ତ୍ତନ ଓ ବିଶ୍ୱ ତାପନ ସଂକଟ ଯୋଗୁଁ ସମଗ୍ର ବିଶ୍ୱ ଏବେ ବିପଦରେ। ଯେଉଁ ବୈଜ୍ଞାନିକ ଓ ପ୍ରଯୁକ୍ତିବିତ୍‌ମାନେ ନୂଆ ନୂଆ ଉଦ୍ଭାବନ ଜରିଆରେ ବିଶ୍ୱକୁ ଚମତ୍କୃତ କରିଛନ୍ତି ସେଇମାନେ ହିଁ ଏବେ ପଛକୁ ଫେରିବାର ଆବେଦନ ଓ ଆବାହନ କରିଚାଲିଛନ୍ତି। ଆକଳନ କରାଯାଉଛି, ଏବେକାର ବିକାଶ ଓ ଅଭିବୃଦ୍ଧିର ଧାରା ସନାତନ ବା ଚିରନ୍ତନ ନୁହେଁ। ଏହା ଆମ ସମସ୍ତଙ୍କୁ ଧ୍ୱଂସ ଆଡ଼କୁ ତ୍ୱରାନ୍ୱିତ ଗତିରେ ଆଗେଇ ନେଇ ଚାଲିଛି। ସେଥିପାଇଁ ସେମାନେ ଏହି ବିକାଶ ଓ ଅଭିବୃଦ୍ଧିର ଧାରାରେ ବ୍ରେକ୍‌ ମାରିବାକୁ ବିଶ୍ୱବାସୀଙ୍କୁ ନିବେଦନ କରୁଛନ୍ତି। ବିଶ୍ୱର ରାଜନେତାମାନେ ମଧ୍ୟ ବିଳମ୍ବରେ ହେଲେ ବି ଏହା ବୁଝିଲେଣି। ସେଥିପାଇଁ ପ୍ୟାରିସ ସମ୍ମିଳନୀ, କୋପେନହାଗେନ ସମ୍ମିଳନୀ, ଦୋହା ଆଲୋଚନା ଆଦି ଅନ୍ତର୍ଜାତୀୟ ଆୟୋଜନ ଅନୁଷ୍ଠିତ ହୋଇଛି ଏବଂ ବିଶ୍ୱର ତାପମାତ୍ରାକୁ ଶିଳ୍ପ ବିପ୍ଳବର ପୂର୍ବ ସ୍ତରକୁ ଖସେଇ ଆଣିବାର ସଂକଳ୍ପ ଘୋଷଣା କରାଯାଇଛି। ଏଥିପାଇଁ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଓ ଅନ୍ୟ ସବୁଜଗୃହ ବାଷ୍ଫ ହ୍ରାସ କରିବାକୁ ଉଦ୍ୟମ ଆରମ୍ଭ ହୋଇଯାଇଛି। ଆଉ ଏହି ପ୍ରକ୍ରିୟା ମଧ୍ୟରେ ଖୋଜା ଚାଲିଛି ଏକ ପରିପୋଷଣୀୟ ବିକାଶର ସୂତ୍ର। କହିବା ବାହୁଲ୍ୟ, ଏହି ପରିପୋଷଣୀୟ ବା ସନାତନ ବିକାଶର ସୂତ୍ର କେବଳ କୃଷି ଓ ଗୋପାଳନ ଆର୍ଥିକ ସଂସ୍କୃତିରେ ହିଁ ନିମଜ୍ଜିତ ଅଛି। ଏହି ଦୁଇଟି ଆର୍ଥନୀତିକ କର୍ମସଂସ୍କୃତି ବାୟୁ, ଜଳ, ମୃତ୍ତିକାଦି ପ୍ରଦୂଷିତ ହୁଏ ନାହିଁ। ଏହା ଯଦି ଜୈବିକ ପଦ୍ଧତିରେ ହେଲା ତ ପ୍ରକୃତିର ସୁରକ୍ଷା ସାଙ୍ଗକୁ ସମୃଦ୍ଧି ହେବ ସିନା ପ୍ରାକୃତିକ ପରିବେଶ ଓ ପରିବେଷ୍ଟନୀର କୌଣସି ପ୍ରକାର କ୍ଷୟକ୍ଷତି ହେବନାହିଁ। ଜଗନ୍ନାଥ ସଂସ୍କୃତିରେ ନିହିତ ରହିଛି ଏହି ତତ୍ତ୍ୱ। ଭାରତବର୍ଷର ଅନ୍ୟ ପ୍ରାୟ ସମସ୍ତ ପ୍ରସିଦ୍ଧ ମନ୍ଦିରରେ ପୂଜା ପାଉଥିବା ଦେବତାମାନଙ୍କର ମୂର୍ତ୍ତି ପଥର ଓ ବିଭିନ୍ନ ପ୍ରକାର ଧାତୁରେ ନିର୍ମିତ ହୋଇଥିବାବେଳେ ବଳଭଦ୍ର, ଜଗନ୍ନାଥ ଓ ଦେବୀ ସୁଭଦ୍ରା ହେଉଛନ୍ତି ଦାରୁ ବିଗ୍ରହ। ଦାରୁ ହେଉଛି ଦ୍ରୁମ-ଜାତ। ସରଳ ଶବ୍ଦରେ କହିଲେ ଗଛର କାଠରେ ହିଁ ତିଆରି ହୋଇଛନ୍ତି ଆମର ଇଷ୍ଟ। ଗଛ ହେଉଛି ସାଧାରଣ ଜୀବନର ସୃଷ୍ଟି ଓ ସ୍ଥିତିର କାରଖାନା। ଧରାବତରଣ ପରେ ପ୍ରାଣୀର ନିରନ୍ତର ଆବଶ୍ୟକତା ହେଉଛି ଅନ୍ନ ବା ଆହାର, ପାନୀୟ ବା ପାଣି ଏବଂ ଅମ୍ଳଜାନ। ପୃଥିବୀ ପୃଷ୍ଠ ଏବଂ ଏହାର ବାୟୁମଣ୍ଡଳରେ ଏସବୁ ଜିନିଷ ଭରି ଦେଇଥାଏ ବୃକ୍ଷ। ବୃକ୍ଷ ଯୋଗୁଁ ମାଟି ଉପରର ପାଣି ବାଷ୍ଫରେ ପରିଣତ ହୋଇ ବର୍ଷା ସୃଷ୍ଟି କରେ। ସେହି ବର୍ଷା ପର୍ଜନ୍ୟ ରୂପରେ ପୁଣି ଥରେ ମାଟି ଉପରେ ପଡ଼ି ଜୀବନର ସୃଷ୍ଟି ଓ ବିକାଶ କରେ। ଗଛ ହିଁ ମଣିଷ ଓ ଅନେକ ପ୍ରାଣୀଙ୍କ ପାଇଁ ଆହାରର ଉତ୍ସ। ଆଉ ଏତେ ସବୁ ଆଧୁନିକ ବିକାଶ ଓ ବିଜ୍ଞାନର ଅଗ୍ରଗତି ସତ୍ତ୍ୱେ ଏଯାଏଁ ସବୁ ମଣିଷଙ୍କ ପାଇଁ ଅମ୍ଳଜାନର ଉତ୍ପାଦନ କରିବା ଭଳି ମେସିନ୍‌ କିମ୍ବା କାରଖାନା ତିଆରି ହୋଇନାହିଁ। ସେହି କାରଖାନା ହେଉଛି ଗଛ। ଏହା ଆମକୁ ମାଗଣାରେ ଅମ୍ଳଜାନ ଯୋଗାଇ ଚାଲିଛି। ସେଇଥିପାଇଁ ହିଁ ଆମେ ଦାରୁକୁ ପୂଜା କରନ୍ତି, ଗଛକୁ ପୂଜା କରନ୍ତି। ପାଟରାମାନେ ଜଗନ୍ନାଥ ଓ ବଳଭଦ୍ରଙ୍କୁ ଇଷ୍ଟ ମାନୁଥିବାରୁ ଏହି କର୍ମସଂସ୍କୃତିର ସୁରକ୍ଷା ଓ ବିକାଶ ଜରିଆରେ ବୈଶ୍ୱିକ ବିପର୍ଯ୍ୟୟରୁ ମାନବ ସମେତ ପ୍ରାଣୀ ଜଗଚକୁ ରକ୍ଷା କରିପାରିବେ। ମାତ୍ର, ଆଜି ପାଟରାମାନେ ଏକ ବେପାରୀ ଜାତି ଭାବରେ ପ୍ରତିଷ୍ଠିତ। ସେମାନଙ୍କ ବେପାରର ମୂଳଦରବ କ’ଣ ଥିଲା ତାହା ଆଜି ହୁଏତ ସେମାନେ ଭୁଲିଗଲେଣି। କିନ୍ତୁ, ଏକଦା ସେମାନେ ଯେ ଏକ ସମୃଦ୍ଧ ସାଧବ ସଂସ୍କୃତିର ଉଦଗାତା ଥିଲେ ତାହା ଆଜି ବି ଦୀପାବଳି ଅମାବାସ୍ୟା ବାସିଦିନ ପାଟରା ପରିବାରରେ ପୂଜା ହେଉଥିବା ମୁରୁଜ ଅଙ୍କା ବୋଇତ ଜଣେଇଦିଏ। ସେଦିନର ଦରିଆପାରି ବାଣିଜ୍ୟ ହୁଏତ ସେମାନଙ୍କଠାରୁ ଦୂରେଇ ଯାଇଛି, ତେବେ ଶ୍ରୀମନ୍ଦିରରେ ସେମାନେ ଯୋଗେଇ ଦେଉଥିବା ପାଟ ଓ ଫୁଲିର ସେବାଠାରୁ ଆରମ୍ଭ କରି ମୌଳିକ ପାଟ ଓ ପୋଷାକର ବ୍ୟବସାୟ ଏକ ପରିପୋଷଣୀୟ କର୍ମସଂସ୍କୃତିର ସୂଚନା ପ୍ରଦାନ କରେ। କୁହାଯାଏ, ବାଣିଜ୍ୟେ ବସତେ ଲକ୍ଷ୍ମୀ ତଦର୍ଦ୍ଧମ କୃଷିକର୍ମଣି, ତଦର୍ଦ୍ଧମ ରାଜକର୍ମଣି ଭିକ୍ଷେ ନୈବ ଚ ନୈବ ଚ। ପାଟରା ଜାତି ଉଭୟ ବାଣିଜ୍ୟ ଓ କୃଷି ସଂସ୍କୃତିର ବାହକ। ଏ ଦୁଇ ଆର୍ଥନୀତିକ ବୃତ୍ତି ଜରିଆରେ ସମଗ୍ର ବିଶ୍ୱରେ ଏକ ପରିପୋଷଣୀୟ ବିକାଶ ଧାରା ପ୍ରବାହିତ ହୋଇପାରିବ। ଏଇ ଦୁଇ କର୍ମସଂସ୍କୃତି ଜରିଆରେ ପାଟରାମାନେ ଏକ ଜାତି ହିସାବରେ ସାମୂହିକ ଭାବେ ସ୍ୱତନ୍ତ୍ର ପରିଚୟ ବହନ କରିବା ସହିତ ସମୃଦ୍ଧ ହୋଇପାରିବା। ଏହାର ଅର୍ଥ ନୁହେଁ ଯେ ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତିକୁ ସଂପୂର୍ଣ୍ଣ ଭାବେ ପରିତ୍ୟାଗ କରିବା। ଚତୁର୍ଦ୍ଧା ମୂର୍ତ୍ତିର ଅଂଶବିଶେଷ ହେଲେ ସୁଦର୍ଶନ ଚକ୍ର। ଚକ୍ର ହେଉଛି ପ୍ରଯୁକ୍ତିର ପ୍ରଥମ ପରିପ୍ରକାଶ। ଚକର ଉଦ୍ଭାବନ ହୋଇ ନଥିଲେ ଅନ୍ୟ କୌଣସି ମେସିନ ବା ଜ୍ଞାନକୌଶଳର ଉଦ୍ଭାବନ ହୋଇପାରିନଥାନ୍ତା। ଫୋ-୯୪୩୭୦୩୬୨୭୬