ବିନା ଖଦୀର ସାରେଣ ହାରେଣ...

May 8, 2024 - 05:24
 42
ବିନା ଖଦୀର ସାରେଣ ହାରେଣ...
ପ୍ରଶାନ୍ତ ବେଉରିଆ ଆପଣ ପାନ ଖାଆନ୍ତି ? ଜାଣନ୍ତି , ପାନକୁ ନେଇ ଭାରତୀୟ ପ୍ରାଚୀନ ସାହିତ୍ୟ କଣ କୁହେ ? ପାନର ପରମ୍ପରା , ଏହାର ଉତ୍ପତ୍ତି , କିମ୍ବଦନ୍ତୀ ଓ ସଂସ୍କୃତି ? ପାନର ଇତିହାସ ବହୁ ପ୍ରାଚୀନ । ସ୍କନ୍ଦ ପୁରାଣ ଅନୁସାରେ , ଅମୃତ ପ୍ରାପ୍ତି ନିମନ୍ତେ ଦେବ ଦାନବଙ୍କ ଦ୍ୱାରା ସମୁଦ୍ର ମନ୍ଥନ ସମୟରେ ପାନ ଲତାର ସନ୍ଧାନ ମିଳିଥିଲା । ରାମାୟଣର ବର୍ଣ୍ଣନା ଅନୁସାରେ , ହନୁମାନ ଦେବୀ ସୀତାଙ୍କ ସନ୍ଧାନରେ ଯେତେବେଳେ ଲଙ୍କାର ଅଶୋକ ବନରେ ପହଁଚିଲେ , ସେତେବେଳେ ଦେବୀ ସୀତା ପ୍ରୀତ ହୋଇ ଆଶ୍ରୀବାଦ ପ୍ରଦାନ ପୂର୍ବକ ତାଙ୍କ ଗଳାରେ ପାନପତ୍ରର ହାରଟିଏ ପିନ୍ଧାଇ ଦେଇଥିଲେ । ଏହାର ପ୍ରତୀକ ସ୍ୱରୂପ , ଏବେ ବି ଭାରତରେ ମଲ୍ଲ କୁସ୍ତି ଯୋଦ୍ଧା ମାନେ ପ୍ରତ୍ୟେକ ଶନିବାର ଦିନ ଆଶ୍ରୀବାଦ ପାଇବା ପାଇଁ ହନୁମାନଙ୍କ ମୂର୍ତ୍ତିରେ ପାନପତ୍ରର ହାର ପିନ୍ଧାଇ ଦିଅନ୍ତି । ମହାଭାରତ ସମୟରେ , ରାକ୍ଷସ ମାନଙ୍କ ଉପରେ ପାଣ୍ଡଵ ମାନଙ୍କ ବିଜୟ ପ୍ରାପ୍ତି ପରେ ଋଷିମାନେ ଏକ ରାଜସ୍ଵୟ ଯଜ୍ଞ କରିଥିଲେ । ପାନପତ୍ର ବିନା ଯଜ୍ଞ ଅସମ୍ପୂର୍ଣ୍ଣ ହୋଇଯିବ ବୋଲି ଋଷି କହିବାରୁ , ଅର୍ଜୁନ ନାଗଲୋକରୁ ନାଗରାଜ ବାସୁକୀଙ୍କ ଠାରୁ ଏହି ନାଗବଲ୍ଲୀ (ପାନ ଲତା) ଆଣିଥିଲେ । ସଂସ୍କୃତ ଶବ୍ଦ 'ପର୍ଣ୍ଣ ' ଅର୍ଥାତ୍ ପତ୍ରରୁ ଉତ୍ପର୍ଣ୍ଣ 'ପାନ' ଶବ୍ଦ । ହିନ୍ଦୀ, ଓଡ଼ିଆ, ବଙ୍ଗଳା, ଉର୍ଦ୍ଦୁ ଇତ୍ୟାଦି ଭାଷାରେ ନାମିତ 'ପାନ' ବିଭିନ୍ନ ଭାଷାରେ ଭିନ୍ନ ଭିନ୍ନ ନାମରେ ନାମିତ । ସଂସ୍କୃତ ଭାଷାରେ , ଏହା ତାମ୍ବୁଳ , ମୁଖଭୂଷଣଃ , ନାଗବଲ୍ଲୀ , ବର୍ଣ୍ଣଲତା ଓ ନାଗବଲ୍ଳରୀ ରୂପେ ପରିଚିତ । ତେଲୁଗୁରେ ଏହା ତାମ୍ଳପାକୁ , ତାମଲ୍ ପାକୁ । ତାମିଲିରେ ଏହା ବେତ୍ରୀଲାଇ, ବେଟ୍ଟିଲୀ । ଗୁଜୁରାଟୀରେ ଏହା ନାଗର୍ ବଲେ, ନାଗବେଲ। ମାଲାୟାଲାମରେ ଭେଟ୍ଟିଲା କୋଟ୍ଟୀ , ଭେଟ୍ଟିଲା । କନ୍ନଡ଼ରେ ଏହା ଭିଲେୟା । ମରାଠୀରେ ଏହା ଉଦ୍ୟାଚେ ପାନ୍ । ବାତ୍ସାୟନଙ୍କ କାମସୁତ୍ର ଅନୁସାରେ ପାନର ବୈଦିକ ନାମ ଥିଲା 'ସପ୍ତଶିରା', ଯାହାର କାମୋଦ୍ଦୀପକ ଗୁଣ ଥିଲା । କୁହାଯାଏ ରତିକ୍ରିଡାରେ 'ପଲଙ୍କ ତୋଡ୍ ପାନ୍' ଭାଏଗ୍ରା ପରି କାମ କରେ । ପ୍ରତ୍ୟେକ ଦେବଦେବୀଙ୍କ ପୂଜା ଆରାଧନାରେ ପାନର ବ୍ୟବହାର ଦେଖିବାକୁ ମିଳେ । ଆରାଧ୍ୟାଙ୍କ ପୂଜାରେ ମୁଖବାସ ଅର୍ପଣ କରିବାକୁ ଯାଇ ମନ୍ତ୍ର ପଢ଼ାଯାଏ - “ ପୁଗୀଫଳଂ ମହାଦିବ୍ୟଂ ନାଗବଲ୍ଲୀ ଦଳୈୟୁତମ୍ । ଏଲାଦି ଚୁର୍ଣ୍ଣ ସଂଯୁକ୍ତଂ ତାମ୍ବୁଳଂ ପ୍ରତିଗୁହ୍ୟତମ୍ ॥“ ଅର୍ଥାତ୍ - ଦିବ୍ୟ ପୁଗୀଫଳ (ଗୁଆ ) , ନାଗବଲ୍ଲୀ ପତ୍ର (ପାନ ପତ୍ର ), ପବିତ୍ର ଅଳେଇଚ ସଂଯୁକ୍ତ ଏହି ତାମ୍ବୁଳକୁ ମୁଁ ପ୍ରସ୍ତୁତ କରିଛି । ହେ ଦେବ /ଦେବୀ ! କୃପାପୂର୍ବକ ଏହାକୁ ଗ୍ରହଣ କରନ୍ତୁ । ବୈଦିକ କର୍ମକାଣ୍ଡରେ ଆହୂତି ପ୍ରଦାନ ବେଳେ ଘୃତ ଶ୍ରୂଵ ଦ୍ୱାରା ଅଗ୍ନିଙ୍କୁ ନିବେଦନ କରି ଘୃତପାତ୍ରକୁ ଫେରାଇଲା ବେଳେ ଏକ ପାର୍ଶ୍ୱପାତ୍ରରେ ରଖାଯାଇଥାଏ ଖଣ୍ଡିଏ ପାନ । ସେହି ପାନ ଉପରେ ଶ୍ରୂଵରୁ ବୋହୁଥିବା ଘୃତ ବୁନ୍ଦା ଯେତେ ପତିତ ହୋଇ ପାର୍ଶ୍ୱରେ ସଂଚିତ ହୁଏ , ତାହା ନୈବେଦ୍ୟ ରୂପେ ପ୍ରାପ୍ୟ ହୋଇଥାଏ ଯାଜ୍ଞିକ ମାନଙ୍କୁ । ଧର୍ମ ମାସ କାର୍ତ୍ତିକ ପୂର୍ଣ୍ଣମୀର ପ୍ରଭାତରେ ମଧ୍ୟ ପ୍ରତ୍ୟେକ ଓଡ଼ିଆ, ନଦୀ, ପୋଖରୀ ଓ ଗାଡି଼ଆରେ କଦଳୀ ପଟୁଆର ଡଙ୍ଗାଟିଏ ଭସାଇବାକୁ ଯାଇ କହେ - “ ଆ କା ମା ବୈ , ପାନ ଗୁଆ ଥୋଇ । ପାନ ଗୁଆ ତୋର , ମାସକ ଧରମ ମୋର ॥“ ତେଣୁ ପାନର ଧାର୍ମିକ ମହତ୍ୱକୁ ଏଡାଇ ଦିଆଯାଇ ହେବନାହିଁ । ବଙ୍ଗଳା ବିବାହରେ 'ଶୁଭ ଦୃଷ୍ଟି'ରେ ନାମିତ ପରମ୍ପରା ଅନୁସାରେ , କନ୍ୟା ପାନପତ୍ରରେ ମୁହଁ ଲୁଚାଇ ରଖିଥାଏ । ସାତ ଥର ପତି ଚାରିପଟେ ପ୍ରଦକ୍ଷିଣା କରି ସାରିଲା ପରେ, ପତି ମୁହଁକୁ ଦର୍ଶନ କରେ। ଦକ୍ଷିଣ ଭାରତରେ , ଜୀବନରେ ସତେଜତା ଓ ସୁଖ ସଂବୃଦ୍ଧିର ପ୍ରାପ୍ତିର ପ୍ରତୀକ ସ୍ୱରୂପ , ବିବାହ ସମୟରେ କନ୍ୟାର ଭାଇ ପାନଟିଏ ଦମ୍ପତିଙ୍କୁ ଖାଇବାକୁ ଦେଇଥାଏ । ଉକ୍ତ ପରମ୍ପରା 'ତାମ୍ବୁଳ ଚର୍ବଣମ୍' ନାମରେ ପରିଚିତ । ଆଗନ୍ତୁକ ଅତିଥି ମାନଙ୍କୁ ପାନ ପ୍ରଦାନ ଏକ ସାମାଜିକ ଚଳଣି ଥିଲା । ବିବାହିତା ନାରୀଙ୍କୁ ଦେବୀ ମା'ଙ୍କ ପ୍ରତୀକ ସ୍ୱରୂପ ପାନ ପ୍ରଦାନ କର ଯାଉଥିଲା । ବିଦ୍ୟାରମ୍ଭରେ ଗୁରୁଙ୍କୁ ପାନ ଓ ଗୁଆ ସମ୍ନାନ ପୂର୍ବକ ପ୍ରଦାନ କରାଯାଉଥିଲା । ପାନର ଔଷଧୀୟ ଗୁଣ ବହୁତ ଥିଲା । ପ୍ରାୟ ଦୁଇ ହଜାର ବର୍ଷ ପୂର୍ବରୁ ଚରକ ଏବଂ ଶୁଶ୍ରୂତ ଏହାକୁ ବିଭିନ୍ନ ରୋଗରେ ଆୟୁର୍ବେଦିକ ଔଷଧ ରୂପେ ବ୍ୟବହାର କରିବାର ଉଲ୍ଲେଖ କରିଛନ୍ତି। ବୈଦିକ ମତରେ ଏହା କଫ , ମୁଖ ଦୌର୍ଗନ୍ଧ୍ୟ, ମଳ , ବାୟୁ , ଶ୍ରାନ୍ତି ,ରାତ୍ର୍ୟନ୍ଧତା ନାଶକ । ଭୋଜନ ପରେ ଗୁଆ , ଖଇର , ଚୂନ ଓ ପାନମଧୁରୀ ଦିଆ ପାନ ଖାଇଲେ ମୁଖର ଦୁର୍ଗନ୍ଧ ନଷ୍ଟ ହୁଏ ଓ ଖାଦ୍ୟଦ୍ରବ୍ୟ ଜୀର୍ଣ୍ଣ ହେବାରେ ସାହାଯ୍ୟ କରେ । ମାଘ , ଶ୍ରୀହର୍ଷ , ଭବଭୁତି , କାଳିଦାସ , ରାଜଶେଖର , ଦଣ୍ଡୀ ଓ ସୋମେଶ୍ୱରଙ୍କ ପର୍ଯ୍ୟନ୍ତ ସମସ୍ତେ ଥିଲେ ପାନ ରସିକ । ମହର୍ଷି ବାଲ୍ମୀକି ବି ପମ୍ପା ସରୋବର କୂଳରେ ନାଗବଲ୍ଲୀ (ପାନ) ପ୍ରତି ଦୃଷ୍ଟିପାତ କରିଛନ୍ତି । ମଧ୍ୟଯୁଗରେ ପାନରେ ପ୍ରଦାନ କରାଯାଉଥିଲା ତାନ୍ତ୍ରିକ ପଦ୍ଧତିରେ ପ୍ରସ୍ତୁତ ମୋହନ ଓ ବଶୀକରଣ ଔଷଧ । ସେଇ ପାନରେ ବି ପ୍ରଦାନ କରା ଯାଉଥିଲା ମାରଣ ଓ ମନଫଟା ଉଚ୍ଚାଟନର ବିଷ । କବି ଭୋଜ, ମଧ୍ୟଯୁଗର ଦୁଇ ମହାନ ପାନ ରସିକଙ୍କ ବାବଦରେ ଏକ ସୁନ୍ଦର ଗଳ୍ପଟିଏ ରଚନା କରିଥିଲେ । ଥରେ ଦୁଇ ମହାକବି ଭବଭୂତି ଓ କାଳିଦାସ ସାଙ୍ଗ ହୋଇ ଯାଉଥିଲାବେଳେ, ରାସ୍ତା ପାର୍ଶ୍ଵର ଏକ ପାନଦୋକାନରେ, ଖାଇବା ପାଇଁ ଦୁଇଟି ପାନ ବରାଦ କରିଛନ୍ତି । ତାମ୍ବୁଳିକା ଵା ପାନଦୋକାନୀ ଜଣେ ଯୁବତୀ ପାନ ଦୁଇଖଣ୍ଡ ଭାଙ୍ଗି ବସିଛି । ଭବଭୂତି ନିଜ ପାନରେ ଚୂନର ପରିମାଣ କମିଯାଉଥିବା ଦେଖି କହୁଛନ୍ତି : 'ଚୁର୍ଣ୍ଣ ମାନୀୟତାଂ ତୂର୍ଣ୍ଣଂ ପୂର୍ଣ୍ଣଚନ୍ଦ୍ର ନିଭାନନେ'। ଅର୍ଥାତ୍ - ହେ ପୂର୍ଣ୍ଣଚନ୍ଦ୍ର ନିଭାନନେ ! ଆଉ ଟିକିଏ ଚୂନ ଦିଅ । ତାମ୍ବୁଳିକା ତତ୍ କ୍ଷଣାତ୍ ବଢ଼ାଇ ଦେଇଛି ଚୂନର ପରିମାଣ । ଏଣେ କାଳିଦାସ ଭବଭୂତିଙ୍କ ଶ୍ଲୋକର ପଂକ୍ତି ଶୁଣି ନିରବ ରହିବା ବ୍ୟକ୍ତି ନୁହନ୍ତି । ସିଏ ଦେଖିଲେ ତାଙ୍କ ପାନରେ ଖଇର କମିଛି । ସେ ଉପମା ପ୍ରୟୋଗ କରି କହିଲେ : 'ବିନା ଖଦିର ସାରେଣ ହାରେଣ ହରିଣୀ ଦୃଶାମ୍ । ନାଧରେ ଜାୟତେ ରାଗେଃ ନାନୁରାଗଃ ପୟୋଧରେ'। ଅର୍ଥାତ୍ ହରିଣୀନୟନାଙ୍କ ଓଠ ବିନା ଖଇରରେ ଆରକ୍ତ ନହେଲେ ରାଗ ଅନୁରାଗ ଜାତ ହୁଏ ନାହିଁ ; ଠିକ୍ ଯେମିତି ପୃଥୁଳ ବକ୍ଷୋଜ ଯୁଗ୍ମ ହାର ବିନା ଶୋଭନୀୟ ଦିଶେନାହିଁ , ଠିକ୍ ସେମିତି ପାନ ଖଇର ବିନା ଓ଼ଷ୍ଠକୁ ଭଲ ଲାଗେନାହିଁ । ତାମ୍ବୁଳିକା ମୃଦୁ ହସି କାଳିଦାସଙ୍କ ପାନରେ ଖଇର ପରିମାଣ ଆଉଟିକିଏ ବଢ଼ାଇ ଦେଇ ଦୁହିଁଙ୍କୁ ନମସ୍କାର କରି ଅନୁରୋଧ କରିଥିଲା , ତାମ୍ବୁଳ ସେବନ ପାଇଁ ତା' ବିପଣୀକୁ ସବୁଦିନ ଆସିବାକୁ । ଏହି ଗଳ୍ପରୁ ପ୍ରମାଣିତ ହୁଏ ଗୁପ୍ତ ଯୁଗରେ ପାନର ଆଦର ଥିଲା ଏବଂ ପାନରେ ଚୂନ ଓ ଖଇର ପ୍ରଭୃତି ବ୍ୟବହାର କରାଯାଉଥିଲା। ପାନ ଚର୍ବଣ କରି ଓଷ୍ଠ ଲୋକ କରୁଥିଲେ ଆରକ୍ତ । ମହାକବି ମାଘ 'ଶିଶୁପାଳ ଵଧ' ମହାକାବ୍ୟର ଲେଖିଛନ୍ତି : "ସ୍ୱଚ୍ଛାୟ ସ୍ଵପନ ବିଧୌତିମଙ୍ଗମୋଷ୍ଠସ୍ତାମ୍ବଳ ଦ୍ଵିତି ବିଶଦୋ ବିଳାସିନୀନାମ୍ । ବାସସ୍ତ ପ୍ରତନୁ ବିବିକ୍ତମସ୍ତ୍ବିତୀୟାନ୍ କଳ୍ପୋ ଯଦି କୁସୁମେଷୁଣା ଚ ଶୁନ୍ୟଃ ।" ଅର୍ଥାତ୍ - ସ୍ୱଚ୍ଛ ଜଳରେ ସ୍ନାନଦ୍ୱାରା ବିଧୌତ ଅଙ୍ଗ , ତାମ୍ବୁଳ ଦ୍ଵିତିଦ୍ୱାରା ବିଶଦ ଓଷ୍ଠ ଓ ବିମଳ ସୂକ୍ଷ୍ମ ବସ୍ତ୍ରବେଶ - ଏତିକି ମାତ୍ର ବେଶ ବିନ୍ୟାସ ବିଳାସିନୀ ମାନଙ୍କ ପାଇଁ ଅଟେ ପ୍ରର୍ଯ୍ୟାପ୍ତ । ଯଦି କୁସୁମ ବାଣରେ ସେମାନେ ହୋଇ ନଥାନ୍ତି ବେଦନାଶୂନ୍ୟ । ମୁଖବାସ , ଓଷ୍ଠକୁ ଲାଲ କରିବା ଓ ଦାନ୍ତକୁ ରଙ୍ଗାଇବା ପାଇଁ ଲୋକେ ଖାଉଥିଲେ ପାନ । 'ବୃହତ୍ ସଂହିତା' ର ଶ୍ଲୋକଟିଏ - "ପାର୍ଶ୍ୱଦବୟାଧିଷ୍ଠିତ ଚକ୍ରବାକାମାପୁଷ୍ୟତୀ ସସ୍ଵନ ହଂସ ପଂକ୍ତିମ୍ ତାମ୍ବୁଳ ରକ୍ତୋତ୍କର୍ଷିତାଗ୍ରଦନ୍ତୀ ବିଭାତି ଯୋଷେଦ ସରିତ୍ ସହାସା ।" ଅର୍ଥାତ୍ - ଉଭୟ ପାର୍ଶ୍ୱରେ ଚକ୍ରବାକ ଦ୍ୱାରା ଅଧିଷ୍ଠିତ ଓ ସସ୍ଵନ ହଂସ ପଂକ୍ତିଙ୍କୁ ଧାରଣ କରିଥିବା ନଦୀ ତାମ୍ବୁଳର ଲାଲିମା ଦ୍ୱାରା କଷାୟିତ ଦଂଶନା ହସୁଥିବା ସୁନ୍ଦରୀ ପରି ଦିଶୁଅଛି । ଶ୍ରୀହର୍ଷ 'ନୈଷଧ' ମହାକାବ୍ୟର ତାମ୍ବୁଳର ଅଲଗା ପ୍ରକାର ବ୍ୟବହାରର ବର୍ଣ୍ଣନା କରିଛନ୍ତି । ତାଙ୍କ ସମୟରେ ରାଜସଭାରେ ପାନ ପ୍ରଦାନ ସମ୍ନାନ ପ୍ରାପ୍ତିର ବସ୍ତୁ ରୂପେ ବ୍ୟବହୃତ ହେଉଥିଲା । ସଭାସଦ୍ କବି ଖଣ୍ଡିଏ ପାନ ଓ ଆସନ ପ୍ରାପ୍ତ ହେଉଥିବାବେଳେ କାନ୍ୟକୁବ୍ଜ ନରେଶ ଶ୍ରୀହର୍ଷଙ୍କୁ ଅଧିକ ସମ୍ନାନ ପ୍ରଦାନ ସ୍ୱରୂପ ଦୁଇ ଖଣ୍ଡି ପାନ ପ୍ରଦାନ କରୁଥିଲେ : 'ତାମ୍ବୁଳ ଦ୍ୱୟମାସନଂ ଚ ଲଭତେ କାନ୍ୟକୁବଜେଶ୍ୱରାତ୍ ।' ପାନପିକ ପକାଇବାକୁ କେନ୍ଦ୍ରକରି 'ଦେଶ କୁମାର ଚରିତ'ରେ ଦଣ୍ଡୀ ସୁନ୍ଦର ବର୍ଣ୍ଣନାଟିଏ କରିଛନ୍ତି । ରାଜକନ୍ୟା ଅମ୍ବାଳିକା ଘରେ ଚୋରି କରିବାକୁ ପହଂଚିଛି ନାଗଦତ୍ତ । ଶୋଇଥିବା ରାଜକନ୍ୟା ସହିତ ନିଜର ଏକ ସୁନ୍ଦର ଚିତ୍ର ପ୍ରଥମେ ସେ କାନ୍ଥରେ ଆଙ୍କି ଦେଇଛି । ଚୂନ ଲିପା ସ୍ୱଚ୍ଛ କାନ୍ଥରେ ସେ ଏପରି ପାନପିକ ଫିଂଗିଛି ଯେ, ତାହା ମୈଥୁନରତ ଚକ୍ରବାକ ଓ ଚକ୍ରବାକୀର ଦୃଶ୍ୟ ଅଙ୍କିତ ହୋଇଯାଇଛି । ଏବେ ପ୍ରାୟ ପ୍ରତ୍ୟେକ ସ୍ଥାନରେ ପାନଦୋକାନ ଦେଖିବାକୁ ମିଳୁଛି । ଅର୍ଥଅର୍ଜ୍ଜନ ପାଇଁ ସବୁଠୁଁ ନିମ୍ନତମ ସମ୍ନାନଜନକ ବୃତ୍ତି ହେଲା ପାନ ଦୋକାନଟିଏ କରିବା । କିନ୍ତୁ ପ୍ରାଚୀନ ଅଯୋଧ୍ୟାରେ ' ତାମ୍ବୁଳିକ' ବୋଲି ଗୋଟିଏ ଜାତି ଥିଲା ବୋଲି ରାମାୟଣରେ ଉଲ୍ଲେଖ ଅଛି । ପାନ ଭାଙ୍ଗି ବିକ୍ରୟ କରିବା ଥିଲା ଏମାନଙ୍କ ବୃତ୍ତି । ବୌଦ୍ଧ ଜାତକ ଗଳ୍ପରେ ମଧ୍ୟ ' ତାମ୍ବୁଳିକ' ଜାତିର ଉଲ୍ଲେଖ ଅଛି । ସେମାନଙ୍କୁ ମଧ୍ୟ କୁହାଯାଉଥିଲା ତାମ୍ବୁଳ ବିକ୍ରେତା । ଭୋଜ , ନାଗ ଓ ଯାଦବ - ଏହି ବଂଶତ୍ରୟ ଥିଲେ ଭାରତର ଆଦିମମାନଵ ଅଂଶ । ପାନ ନାଗ ସଭ୍ୟତା ଵା ନାଗ ସଂସ୍କୃତିରୁ ଆସିଥିବାର ଅନୁମାନ କରାଯାଏ । ନାଗ ପରମ୍ପରାରେ ପାନର ବ୍ୟବହାରର ବହୁତ ମହତ୍ୱ ଥିଲା । ରାଜଶେଖର ସୂରୀ ଏହି ପ୍ରସଙ୍ଗରେ ଏକ ସୁନ୍ଦର କାହାଣୀ ତାଙ୍କ ରଚିତ 'ପ୍ରବନ୍ଧ କୋଷ 'ରେ ଲେଖିଛନ୍ତି । କୌଶାମ୍ବିର ଏକ ଉଦ୍ୟାନରେ ଦିନେ ନାଗରାଜ ବାସୁକୀଙ୍କ କନ୍ୟା କୁମୀବସୁଦତ୍ତିକା ବିହାର କରୁଥାନ୍ତି । ସାଙ୍ଗରେ ସଖୀ ଦଳ । ମତକାଶିନୀ, ଗଜଗାମିନୀ, ପିକଵଚନୀଙ୍କ କଳରୋଳରେ ପରିପୂର୍ଣ୍ଣ ଉଦ୍ୟାନ । ଉଦ୍ୟାନପାଳଙ୍କ କର୍ଣ୍ଣରେ ବାଜିଲା ସେମାନଙ୍କ ମଧୁର ହିଲ୍ଲୋଳ । କୁମାରୀ କନ୍ୟାମାନଙ୍କ ଅଲୌକିକ ରୂପଶୋଭା ଓ ଲାବଣ୍ୟ ଦେଖି ସେ ରାଜାଙ୍କୁ ସମ୍ବାଦ ଦେଲେ । ବୃକ୍ଷ ଆଢୁଆଳରେ ଉପସ୍ଥିତ ରହି ରାଜା ଉଦୟନ ନାଗ କନ୍ୟା ବସୁଦତ୍ତିକାଙ୍କୁ ଦେଖି ହେଲେ ମନ୍ତ୍ରମୁଗ୍ଧ । କାମନା ଜର୍ଜରିତ ରାଜା ହଠାତ୍ ସେମାନଙ୍କ ମଧ୍ୟରେ ଆବିର୍ଭୁତ ହେଲେ । ରାଜାଙ୍କୁ ଦେଖି କୁମାରୀ ସଖୀ ସବୁ ହେଲେ ଅଦୃଶ୍ୟ । ବସୁଦତ୍ତିକା ପାତାଳର ବିବର ଭିତରକୁ ପ୍ରବେଶ କରିଗଲେ । କିନ୍ତୁ ତାଙ୍କ ସୁଦୀର୍ଘ ବେଣୀ ରହିଗଲା ରାଜାଙ୍କ ହାତ ମୁଠାରେ । ରାଜା ତାକୁ କାଟି ରଖିଦେଲେ । କାମ ପୀଡିତ ରାଜା ସେହି ବେଣୀକୁ ସିଂହାସନରେ ବସାଇ ରାଜକାର୍ଯ୍ୟ ପରିଚାଳନା କରାଇବାକୁ ମନ୍ତ୍ରୀ ପରିଷଦଙ୍କୁ ଦେଲେ ଆଦେଶ । ନାଗ କନ୍ୟାଙ୍କ ବିରହରେ ରାଜା ହେଲେ ଅସୁସ୍ଥ , ଶୀର୍ଣ୍ଣ ଓ ରୁଗ୍ଣ । ଏଣେ ପାତାଳରେ କନ୍ୟାର କଟା ବେଣୀକୁ ଦେଖି କ୍ରୋଧିତ ବାସୁକୀ ରାଜାଙ୍କ ରାଜ୍ୟକୁ ଭସ୍ମ କରିଦେବାକୁ ତକ୍ଷକକୁ ଆଦେଶ ଦେଲେ । ତକ୍ଷକ ଆସି ଦେଖିଲେ, ବସୁଦତ୍ତିକାଙ୍କୁ ମନେ ପକାଇ ପକାଇ ରାଜା ଦେହତ୍ୟାଗ କରିବାକୁ ବସିଛନ୍ତି । ରାଜାଙ୍କ ଅନୁପସ୍ଥିତିରେ ରାଜ୍ୟ ସମ୍ପୂର୍ଣ୍ଣ ନଷ୍ଟ ଭ୍ରଷ୍ଟ । ତକ୍ଷକ ଫେରିଆସି ବାସୁକୀଙ୍କୁ ପରାମର୍ଶ ଦେଲେ ଅତିଶୀଘ୍ର ବସୁଦତ୍ତିକାଙ୍କୁ ରାଜା ଉଦୟନଙ୍କ ସହ ବିବାହ କରି ଦେବାକୁ । ଏହା ଦ୍ୱାରା ଉଦୟନ ବଞ୍ଚିଯିବେ ଓ ଉଜୁଡା ରାଜ୍ୟ ସଜାଡି ହୋଇଯିବ । ବାସୁକୀ ତାଙ୍କ କଥାରେ ଏକମତ ହୋଇ ନିଜ କନ୍ୟା ସହ ରାଜାଙ୍କର ବିବାହ କରିଦେଲେ । ସେଇ ବିବାହରେ ରାଜା ଉଦୟନଙ୍କୁ ବାସୁକୀ ଯୌତୁକରେ ଦେଇଥିଲେ ଚାରୋଟି ଦ୍ରବ୍ୟ - ୧. ସବତ୍ସା କାମଧେନୁ , ୨. ନାଗବଲ୍ଲୀ ଵା ପାନଲତା,୩. ସୋପାଧାନ ସତୂଳିକା ଖଟ ୪. ଏକ ରତ୍ନୋଦ୍ୟେତ ଦୀପ । ସେହିଦିନ ଠାରୁ ପାତାଳରୁ ମର୍ତ୍ତ୍ୟକୁ ଆସିଛି ପାନ । ତାମ୍ବୁଳ ଅର୍ଥାତ୍ ପାନ ଏକ ସଉକ ଓ ସୁଖର ବସ୍ତୁ ଏବଂ ତାହାର ବ୍ୟବହାର ବିଳାସୀ ଓ ଉଚ୍ଚ ମିଜାଜୀର ପରିଚୟ ପ୍ରଦାନ କରୁଥିଲା । ଏବେ ବି ଆମ ଓଡ଼ିଆରେ କୁହାଯାଏ ' ପାନଖିଆ ରସିକ ଟୋକା' । ପାନର ଏହି କାହାଣୀ ପଢିଲା ପରେ ଆପଣଙ୍କୁ ପାନ ଖଣ୍ଡେ ଚୋବାଇବାକୁ ନିଶ୍ଚୟ ମନେ ହେଉଥିବ ! ଫୋ- ୯୪୩୭୦୪୬୮୪୯