ବିଜୟଙ୍କ ପରାଜୟ- ଅନ୍ୟ ଏକ ଆଞ୍ଚଳିକ ଦଳ ପାଇଁ ଭୂମିପୂଜା!

Jul 28, 2019 - 03:18
 3337
ବିଜୟଙ୍କ ପରାଜୟ- ଅନ୍ୟ ଏକ ଆଞ୍ଚଳିକ ଦଳ ପାଇଁ ଭୂମିପୂଜା!
ଡକ୍ଟର ଗୋବିନ୍ଦ ଭୂୟାଁ ବହୁ ଚର୍ଚ୍ଚିତ ପାଟକୁରା ନିର୍ବାଚନ ଯୁଦ୍ଧ ସରିଲା। ବିଜେଡି ଜିତିଲା, ବିଜୟ ମହାପାତ୍ର ହାରିଲେ, ଗୋଟାଏ ବଡ଼ ବ୍ୟବଧାନରେ କଂଗ୍ରେସ ତୃତୀୟ ସ୍ଥାନରେ ରହିଲା। ଓଡ଼ିଶାରେ ପାଟକୁରା ହେଉଛି ଗୋଟାଏ ନାଁ ଥିବା ନିର୍ବାଚନମଣ୍ଡଳୀ। ୧୯୬୭ ମସିହାରେ କଂଗ୍ରେସ ପ୍ରାର୍ଥୀଭାବରେ ଏଠୁ ବିଜୁ ପଟ୍ଟନାୟକ ନିର୍ବାଚନ ହାରିଥିଲେ। ସେତେବେଳେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଥିଲେ ଜଣେ ସ୍ଥାନୀୟ ସ୍କୁଲ ଶିକ୍ଷକ ଚକ୍ରଧର ଶତପଥୀ। କାହିଁକି କେଜାଣି ସେଥର ବିଜୁବାବୁ ଏକକାଳୀନ ପାଞ୍ଚଟି ସ୍ଥାନରୁ ନିର୍ବାଚନ ଲଢୁଥିଲେ; ଏବଂ ଏବେ ସେ କଥା ଭାବିଲେ କାବା-କାବା ଲାଗୁଛି; କାରଣ ପାଞ୍ଚଟିଯାକ ଆସନରୁ ବିଜୁବାବୁ ହାରିଥିଲେ। ସେହି ବିଜୁବାବୁଙ୍କ ଜୀବନକୁ ଯଦି ଆମେ ଉଦାହରଣ ଭାବରେ ଅନୁଶୀଳନ କରିବା; ଆମେ ସିଦ୍ଧାନ୍ତରେ ପହଞ୍ଚିବା ଓ ସ୍ୱୀକାର କରିବା, ହାରିବା ବା ଜିତିବା ସହିତ ପ୍ରକୃତ ନେତୃତ୍ୱର କିଛି ସଂପର୍କ ନ ଥାଏ। କେବଳ ବିଜୁବାବୁ ନୁହନ୍ତି, ଏହାର ପ୍ରମାଣ ବିଶ୍ୱର ବହୁ ରାଜନେତାଙ୍କ ଜୀବନରେ ଘଟିଛି। ନେତୃତ୍ୱ ବ୍ୟକ୍ତିର ଗୋଟାଏ ଅନ୍ତର୍ନିହିତ ଅବଦମିତ ଆବେଗିକ ସତ୍ତା; ପ୍ରାୟତଃ ତାହା ସହଜାତ। ଜୀବନଯାତ୍ରାର ପ୍ରତ୍ୟେକଟି ଭୂମିକାରେ ବ୍ୟକ୍ତିର ଝୁଣ୍ଟି ପଡ଼ିବାର ସମ୍ଭାବନା ଥାଏ; ହେଲେ ପଡ଼ିଯାଇ ପ୍ରତିଥର ପୁଣି ସଳଖି ଠିଆହେବାର ଶୌର୍ଯ୍ୟ ଓ ଧୈର୍ଯ୍ୟ ହେଉଛି ସଫଳ ମଣିଷର କାହାଣୀ; ଏବଂ ତାହା ହିଁ ନେତୃତ୍ୱର ନିଚ୍ଛକ ନିଦର୍ଶନ। ଲଢ଼େଇ ହେଉଛି ନେତୃତ୍ୱର ଅସଲ ଅବଲମ୍ୱନ ଓ ପ୍ରକୃତ ନେତାର ଲଢ଼େଇ ସବୁବେଳେ ନିର୍ଦ୍ଦିଷ୍ଟ ବିଚାର ଉପରେ ପର୍ଯ୍ୟବସିତ ହୋଇଥାଏ। ଲଢ଼େଇ ଓ ନେତୃତ୍ୱ, ଏ ଦୁଇଟା ପରସ୍ପର ପରିପୂରକ; ଗୋଟାଏ ମୁଦ୍ରାର ଦୁଇଟା ପାଖ। ହଁ, ଓଡ଼ିଶାରେ ବିଜୟ ମହାପାତ୍ର ଆମ ସମୟର ଜଣେ ଲଢୁଆ ରାଜନେତା। ସେହି ପାଟକୁରା ମାଟିରେ, ଗୋଟାଏ ସାଧାରଣ ଚାଷୀ ପରିବାରରେ ତାଙ୍କର ଜନ୍ମ। ଯୁବାବସ୍ଥାରୁ ବିଜୁବାବୁଙ୍କ ଅକୁଣ୍ଠ ସମର୍ଥନ ଓ ନିଜର ପାରଦର୍ଶିତା ବଳରେ ସେ ନିଜର ପରିଚୟ ଗଢ଼ିଛନ୍ତି। ଏଥରର ପାଟକୁରା ଯୁଦ୍ଧରେ ସେ ଥିଲେ ମୁଖ୍ୟ ଚରିତ୍ର; କେନ୍ଦ୍ରବିନ୍ଦୁ। ସେ ଜିତିବେ ଅବା ହାରିବେ, ଏହା ହିଁ ଥିଲା ଚର୍ଚ୍ଚା। ସେ ହାରିଗଲେ। ୨୦୧୯ର ପାଟକୁରା ବିଧାନସଭା ନିର୍ବାଚନଟି ଯେଉଁ ପୃଷ୍ଠଭୂମି ଉପରେ ଅନୁଷ୍ଠିତ ହେଲା, ତାହାକୁ ଆମେ ସାଧାରଣ ନ କହି ଅସାଧାରଣ କହିଲେ, ବୋଧହୁଏ ଅଧିକ ଠିକ୍ ହେବ। ଏଠାରେ ବିଜେଡିର ପ୍ରାର୍ଥୀଭାବରେ ପ୍ରାକ୍ତନମନ୍ତ୍ରୀ ବେଦପ୍ରକାଶ ଅଗ୍ରୱାଲ ନାମାଙ୍କନପତ୍ର ଦାଖଲ କରିଥିଲେ। ୮୨ ବର୍ଷ ବୟସ୍କ ବେଦୁବାବୁ ଲମ୍ୱା ସମୟ ଧରି ଅସୁସ୍ଥ ଥିଲେ ଏବଂ ନିର୍ବାଚନ ପୂର୍ବରୁ ଏପ୍ରିଲ ୨ ତାରିଖରେ ତାଙ୍କର ଦେହାନ୍ତ ଘଟିଲା। ଜାତୀୟ ନିର୍ବାଚନ ଆୟୁକ୍ତ ଦେଶରେ ଅନୁଷ୍ଠିତ ସାତ ପର୍ଯ୍ୟାୟ ବିଶିଷ୍ଟ ସାଧାରଣ ନିର୍ବାଚନର ଫଳ ଘୋଷଣାର ଧାର୍ଯ୍ୟ ଦିବସ ମେ’ ୨୩ ପୂର୍ବରୁ ମେ’ ୧୯ରେ ପାଟକୁରା ଭୋଟପାଇଁ ଦିନ ସ୍ଥିର କରି ବେଦୁବାବୁଙ୍କ ସ୍ଥାନରେ ସାନି ପ୍ରାର୍ଥୀ ଦେବାପାଇଁ ବିଜେଡିକୁ ସୁଯୋଗ ଦେଲେ। ସେଠାରେ ଦଳର ଅନେକ ଆଶାୟୀ ବ୍ୟକ୍ତି ଥାଇ ସୁଦ୍ଧା ବୋଧହୁଏ ବେଦୁବାବୁଙ୍କ ମୃତ୍ୟୁଜନିତ ଅନୁକମ୍ପା ପାଇବା ଲକ୍ଷ୍ୟରେ ବିଜେଡି ବେଦୁବାବୁଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କଲା। କିନ୍ତୁ ଓଡ଼ିଶାପାଇଁ ଲଘୁଚାପ ଜନିତ ସାମ୍ଭାବ୍ୟ ଘୂର୍ଣ୍ଣିବାତ୍ୟା ‘ଫନି’ର ସ୍ଥଳଭାଗ ଛୁଇଁବାର ଧାର୍ଯ୍ୟ ଦିବସ ମେ’ ୩କୁ ଆଖି ଆଗରେ ରଖି ପାଟକୁରା ନିର୍ବାଚନଟି ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ଏପ୍ରିଲ ୩୦ରେ ନିର୍ବାଚନ ଆୟୁକ୍ତଙ୍କୁ ସାକ୍ଷାତକରି ପ୍ରସ୍ତାବ ଦେଲେ । ଶେଷରେ ତାହା ହିଁ ହେଲା। ସାରା ଦେଶର ନିର୍ବାଚନ ଫଳ ଘୋଷଣା ପରେ, ରାଜ୍ୟରେ ନବୀନବାବୁଙ୍କ ପଞ୍ଚମ ପାଳିର ସରକାର ଗଠନ ହେବାର ୧ ମାସ ୨୧ ଦିନ ପରେ ଜୁଲାଇ ୨୦ରେ ପାଟକୁରା ନିର୍ବାଚନ ଅନୁଷ୍ଠିତ ହେଲା। ନିର୍ବଚାନରେ ଦେଖାଗଲା, ୧୧୨ ବିଧାୟକ ଜିଣି ପଞ୍ଚମ ପାଳିକୁ ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନବାବୁ କାହିଁକି କେଜାଣି ପାଟକୁରା ଆସନଟିକୁ ଖୁବ୍ ‘ସିରିୟସ୍’ ଭାବରେ ଗ୍ରହଣ କରିଥିଲେ। ଲକ୍ଷ୍ୟ କରାଯାଇଛି, ନିର୍ବାଚନର କାର୍ଯ୍ୟସୂଚୀ ଘୋଷଣା ପୂର୍ବରୁ ସେଠାରେ ୫୧ଟି ପଞ୍ଚାୟତ ପାଇଁ ପ୍ରାୟ ପ୍ରତି ପଞ୍ଚାୟତରେ ସର୍ବନିମ୍ନ ଜଣେ ଲେଖାଏ ବିଧାୟକଙ୍କୁ ସ୍ଥାନୀୟ ଭୋଟରଙ୍କୁ ମନେଇବା ଦାୟିତ୍ୱରେ ନିୟୋଜିତ କରାଯାଇଥିଲା। ରାଜ୍ୟର ବହୁ ମନ୍ତ୍ରୀ, ସମଗ୍ର ରାଜ୍ୟରୁ ଶତାଧିକ ଆଗଧାଡ଼ିର ନେତା ମଧ୍ୟ ଏଠାରେ ନିର୍ଦ୍ଦିଷ୍ଟ ଦାୟିତ୍ୱ ନେଇ ଡେରା ପକେଇଥିଲେ। ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକର ଆଲୋଚନା ରହିଥିବାବେଳେ ବିଧାନସଭା ଛାଡ଼ି ନିଜେ ମୁଖ୍ୟମନ୍ତ୍ରୀ ନିର୍ବାଚନର ତିନିଦିନ ପୂର୍ବରୁ, ଦିନେ ସକାଳ ୯ରୁ ରାତି ୯ଟା ଯାଏ ୧୨ ଘଣ୍ଟିଆ ପ୍ରଚାରରେ ପାଟକୁରାରେ ବୁଲିଲେ। ଏବେ ୧୭,୯୨୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡିର ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ନିର୍ବାଚନ ଜିତିଲେ; ହେଲେ ଏହି ପାଟକୁରା ଜିତିବାପାଇଁ ନବୀନଙ୍କର ଏତେବଡ଼ ଜିଦ୍ ପଛର କାରଣଟି କ’ଣ? ଯଦି ନିଜ ଦଳର ସମ୍ମାନ ରକ୍ଷାପାଇଁ ତାଙ୍କର ଏପରି ଜିଦ୍‌ ବୋଲି କୁହାଯାଏ ତେବେ ଆମ ମନରେ ସ୍ୱାଭାବିକ ଭାବରେ କୌତୂହଳ ଜାତ ହେଉଛି- ନବୀନବାବୁଙ୍କର ନିଜ ଉପରେ ଆତ୍ମବିଶ୍ୱାସଟି ଏତେ ଊଣା କାହିଁକି? ଲଗାତାର ୫ ଥରର ମୁଖ୍ୟମନ୍ତ୍ରୀ, ୨୦ ବର୍ଷର ନିରଙ୍କୁଶ ଶାସନ, ଅଜସ୍ର ଲୋକକଲ୍ୟାଣମୂଳକ କାର୍ଯ୍ୟକ୍ରମର ୨୪ ଘଣ୍ଟିଆ ଡେଙ୍ଗୁରାପିଟା ଓ ମାତ୍ର ଦୁଇମାସ ତଳେ ଅନୁଷ୍ଠିତ ଲୋକସଭା ନର୍ବାଚନରେ ପାଟକୁରାରେ ବିଜେଡି ପ୍ରାର୍ଥୀ ବିଜେପିଠାରୁ ୬ ହଜାର ଅଧିକ ଭୋଟ ପାଇବା ଏବଂ ସବୁରି ଊର୍ଦ୍ଧ୍ୱରେ ସାବିତ୍ରୀଙ୍କ ପାଇଁ ଅନୁକମ୍ପାର ନିଶ୍ଚିତତା ସତ୍ତ୍ବେ ଦଳୀୟ ପ୍ରାର୍ଥୀ ଜିତିବାକୁ ନେଇ ନବୀନଙ୍କ ମନରେ କ’ଣ ପାଇଁ ସନ୍ଦେହ ଥିଲା? ଯଦି ସନ୍ଦେହ ନ ଥିଲା, ତେବେ କ’ଣ ପାଇଁ ନୀତି-ନୈତିକତାର ସବୁ ହିଡ଼-ବାଡ଼କୁ ଭାଙ୍ଗିଦେଇ ଯୁଦ୍ଧକୁ ଏତେ ଜୋରଦାର କରିବାକୁ ପଡ଼ିଲା? ପ୍ରଚାରପାଇଁ ନବୀନବାବୁ ପାଟକୁରାରେ ବୁଲିଲାବେଳେ ତାଙ୍କପାଇଁ ସ୍ୱତନ୍ତ୍ର ଓ ଅଭିନବ ଢଙ୍ଗରେ ତିଆରି ଲମ୍ୱା ବସ୍‌ ଭିତରୁ ଠିଆହୋଇ ଶୁଆପକ୍ଷୀପରି ଘୋଷିଥିବା ଦି’ ଧାଡ଼ିଆ ଭାଷଣରେ ପାଟକୁରାବାସୀଙ୍କୁ ସେ କହୁଥାନ୍ତି; ମୋତେ ଆପଣମାନେ ଆଶୀର୍ବାଦ କରନ୍ତୁ। ଏବଂ ପୁଣି କହୁଥା’ନ୍ତି, ପାଟକୁରାର ଦାୟିତ୍ୱ ଆଜିଠାରୁ ମୋର। ଆଜ୍ଞା! ଗଲା ୨୦ ବର୍ଷ ହେଲା ପାଟକୁରା କ’ଣ ଆପଣଙ୍କ ଦାୟିତ୍ୱରେ ନ ଥିଲା? ବାବୁ! ମାସେ ନୁହେଁ ବର୍ଷେ ନୁହେଁ, କୋଡ଼ିଏ ବର୍ଷ ବିତିଗଲା; ତଥାପି କୁମ୍ଭୀର କାନ୍ଦଣା! କୁହାଯାଉଛି, ବିଜୟ ବିଧାନସଭା ନ ଜିତନ୍ତୁ, ଏହା ହିଁ ନବୀନଙ୍କର ଇଚ୍ଛା। ଅବଶ୍ୟ ଏ କଥା ସେ କେବେ କେଉଁଠି ମୁହଁ ଖୋଲି କହି ନାହାନ୍ତି। ବିଜୟ ବିଜୁବାବୁଙ୍କର ଜଣେ ବିଶ୍ୱସ୍ତ ଅନୁଗତ ଥିଲେ। ବିଧାୟକ, ମନ୍ତ୍ରୀ ଓ ସଂଗଠକ ଭାବରେ ସେ ସର୍ବତ୍ର ଦକ୍ଷତା ପ୍ରମାଣିତ କରିଛନ୍ତି। ୧୯୯୭ରେ ବିଜୁବାବୁଙ୍କ ଦେହାନ୍ତ ପରେ ଦିଲ୍ଲୀରୁ ନବୀନବାବୁଙ୍କୁ ଆମନ୍ତ୍ରଣକରି ବିଜୁ ଜନତା ଦଳ ଗଠନରେ ସେ ଥିଲେ ଅନ୍ୟତମ ବିନ୍ଧାଣି। କିନ୍ତୁ ୨୦୦୦ ମସିହାରେ ସାଧାରଣ ନିର୍ବାଚନବେଳେ ନବୀନବାବୁ ବିଜୟଙ୍କ ପ୍ରତି ଯେଉଁ ଆଚରଣ ପ୍ରଦର୍ଶନ କଲେ; ସେଦିନ ସମସ୍ତେ ସ୍ତବ୍ଧ- ଚକିତ ହୋଇଯାଇଥିଲେ। କାରଣ ରାଜନୀତିରେ ଏପରି କୁତ୍ରାପି ଘଟେ ନାହିଁ। ତାଙ୍କୁ ପାଟକୁରାରେ ଲଢ଼ିବାପାଇଁ ଟିକେଟ ଦେଇ, ସେ ପ୍ରାର୍ଥୀପତ୍ର ଦାଖଲ କରିସାରିବା ପରେ ଶେଷ ମୁହୂର୍ତ୍ତରେ ଅପ୍ରତ୍ୟାଶିତ ଭାବରେ ତାଙ୍କ ଟିକେଟ୍ କାଟି ଦିଆଗଲା। ଏପରିକି ସ୍ୱାଧୀନଭାବରେ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ତାଙ୍କ ହାତରେ ଆଉ ସମୟ ନ ଥିଲା; ସମୟକୁ ଘଣ୍ଟା କଣ୍ଟାରେ ମିନିଟ୍‌ କଣ୍ଟାରେ ହିସାବକରି ବିଜୟଙ୍କପାଇଁ ଚକ୍ରାନ୍ତ ରଚନା କରାଯାଇଥିଲା। ବିଚାରଶୀଳ ବ୍ୟକ୍ତିମାନେ କହନ୍ତି, ବିଜୟଙ୍କ ଭିତରେ ଥିବା ପ୍ରଚଣ୍ଡ ଉଚ୍ଚାଭିଳାଷ ନିମନ୍ତେ ତାଙ୍କୁ ଏଭଳି ନିଷ୍ଠୁର ଶାସ୍ତି ଭୋଗିବାକୁ ପଡ଼ିଲା। ଅସମ୍ଭବ ନୁହେଁ, ତାହା ହୋଇଥାଇ ପାରେ; ମାତ୍ର ତାହା ରାଜନୀତି ନ ଥିଲା; ତାହା ଥିଲା ତାଙ୍କପାଇଁ ରାଜନୀତିକ ବିଶ୍ୱାସଘାତ। କ୍ଷମତା ରାଜନୀତିରେ କୂଟନୀତି ଚଳେ; କୂଟନୀତି ହେଉଛି ବୁଦ୍ଧିମତ୍ତାର ପଶାପାଲି। କିନ୍ତୁ ବିଶ୍ୱାସଘାତ; ତାହା କାଳେକାଳେ ଅସ୍ପୃହଣୀୟ। ପାଟକୁରା ନିର୍ବାଚନରେ ସାମ୍ନାକୁ ଆସିଥିବା ଆଉ ଏକ ବିଶେଷ ଦିଗ ହେଉଛି, ବିଜେପିର ଭୂମିକା। ରାଜନୀତିରେ ନିଘନ ରୁଚି ରଖୁଥିବା ଲୋକମାନେ କହୁଛନ୍ତି, କାଳେ ବିଜେପି ସାମଗ୍ରିକ ଭାବରେ ସେଠାରେ ନିର୍ବାଚନ ଲଢୁ ନ ଥିଲା। ବିଜୟ ଏକା ଲଢୁଥିଲେ। ଏବଂ ଇଚ୍ଛା ମୁତାବକ ଲଢିବାର ସୁଯୋଗ ବି ବୋଧହୁଏ ତାଙ୍କ ପାଖରେ ନ ଥିଲା; କାରଣ ତାଙ୍କ ପିଠିରେ ସବାର ହୋଇଥିଲା, ମାତ୍ର ମାସକତଳେ ରାଜସ୍ଥାନର ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା ଯିବାକୁ ନେଇ ବିଜେପି-ବିଜେଡି ମଧ୍ୟରେ ଶୀର୍ଷ-ସ୍ତରୀୟ ବୁଝାମଣାର ବୋଝ; ଯାହାକୁ କୁହାଯାଇପାରିବ, ଗୋଟାଏ ଅବୈଧ ବଡ଼ ବୁଜୁଳା। ଏହି ବୁଝାମଣାର ପ୍ରଭାବଟି ନିର୍ବାଚନମଣ୍ଡଳୀ ସ୍ତରରେ ଲଢୁଆ କର୍ମୀମାନଙ୍କର ମନୋବଳକୁ ସ୍ୱାଭାବିକଭାବରେ ଦି’ ଖଣ୍ଡ କରିଦେଇଥିଲା। ଅପରପକ୍ଷରେ ଗଲା ସାଧାରଣ ନିର୍ବାଚନବେଳେ ବିଜେପିର ଯେଉଁ ବଡ଼ ନେତା ରାଜ୍ୟସାରା ବୁଲି ନବୀନ ଶାସନର ଅପାରଗତା ଓ ଭ୍ରଷ୍ଟାଚାର ସଂପର୍କରେ ଗର୍ଜନ କରୁଥିଲେ ପାଟକୁରା ପ୍ରଚାର ମଇଦାନରେ ସେମାନଙ୍କ ସ୍ୱରରେ ସେପରି ତାତି କାହିଁ କେହି କେଉଁଠି ଦେଖିଲେ ନାହିଁ। ବିଧିରକ୍ଷା ପାଇଁ ସେମାନେ ବିଜୟଙ୍କ ସପକ୍ଷରେ ଦି’ ପଦ କହୁଥିଲେ; କିନ୍ତୁ ମୁଖ୍ୟ ପ୍ରତିପକ୍ଷ ବିଜେଡି ସମ୍ୱନ୍ଧରେ ଚୁପ୍ ରହୁଥିଲେ। ରାଜ୍ୟସଭାକୁ ନେଇ ଦୁଇଦଳ ମଧ୍ୟରେ ଘଟିଥିବା ସଲାସୁତୁରାର ପ୍ରଭାବ ଆସନ୍ତା ଦିନରେ କାହା ପାଇଁ ଲାଭ ଓ କାହା ପାଇଁ ଲୋକସାନ ହେବ କେଜାଣି; କିନ୍ତୁ କ୍ଷତିର ପ୍ରଥମ ଚୋଟଟି ବ୍ୟକ୍ତିଗତ ଭାବରେ ବିଜୟଙ୍କୁ ସହିବାକୁ ପଡ଼ିଲା। ଏପରି ଅଘଟଣକୁ ବିଜୟଙ୍କ ପାଇଁ ଭାଗ୍ୟର ବିଡ଼ମ୍ୱନା ବୋଲି କୁହାଯାଇପାରେ। ଦଳୀୟ ରାଜନୀତିର ଊର୍ଦ୍ଧ୍ୱରେ ପାଟକୁରାର ସଚେତନ ବ୍ୟକ୍ତିମାନେ ନିଷ୍ଠାର ସହିତ ବିଜୟଙ୍କର ବିଜୟ କାମନା କରୁଥିଲେ। ସେମାନେ ୧୯୯୦ରୁ ୧୯୯୫ ମସିହା ମଧ୍ୟରେ ବିଜୟଙ୍କ ମନ୍ତ୍ରୀଥିବା ସମୟର ପାଟକୁରାରେ ବିକାଶର ଚିତ୍ର କଥା ସ୍ମରଣ କରୁଥିଲେ ଏବଂ ସେମାନେ ମୁଖ୍ୟତଃ ସ୍ୱାଭିମାନର କଥା ଉଠଉଥିଲେ। ହେଲେ ସ୍ୱାଭାବିକ ଭାବରେ ସେମାନଙ୍କର ସଂଖ୍ୟା ଥିଲା ଊଣା। ଅପରପକ୍ଷରେ ଦୃଶ୍ୟମାନ ଓ ଅଦୃଶ୍ୟମାନ ଅଗଣିତ ସୈନ୍ୟ ଓ ସାମନ୍ତଙ୍କ ଗହଗହ କୋଳାହଳ ଏବଂ ସେ ସମସ୍ତେ ଆଧୁନିକ ନିର୍ବାଚନୀ ଅସ୍ତ୍ର ଓ ଶସ୍ତ୍ରରେ ସୁସଜ୍ଜିତ ଥିଲେ। ତେଣୁ ମନେହେଉଛି, ବିଜୟଙ୍କ ହାରିବାରେ ବିସ୍ମିତ ହେବାରେ ବିଶେଷ କିଛି କାରଣ ନାହିଁ। ପ୍ରତ୍ୟକ୍ଷ ହେଉ ବା ପରୋକ୍ଷ ହେଉ, ଆମ୍ଭେ ସମସ୍ତେ ଦେଖିଲେ, ଯେଉଁ ଢଙ୍ଗରେ ପାଟକୁରାରେ ନିର୍ବାଚନ ହେଲା। ଏବେ ଆମେ ନିଜକୁ ନିଜେ ଖୁବ୍ ଜୋରରେ ପଚାରିବା, ଆମ ଗଣତନ୍ତ୍ରର ଗତି କୁଆଡେ଼ ଯାଉଛି? ଆମେ ଶୁଦ୍ଧ ଗଣତନ୍ତ୍ର, ଯାହା ସ୍ୱାଭାବିକ ଜନମତ ଦ୍ୱାରା ଗଢ଼ା; ସେହି ଗଣତନ୍ତ୍ରର ସୁରକ୍ଷାରେ ଅଂଶୀଦାର ହେବା ନା ନିୟନ୍ତ୍ରିତ ଗଣତନ୍ତ୍ର (ମ୍ୟାନେଜ୍ଡ ଡେମୋକ୍ରାସି)ର ସୁଅରେ ଭାସିଯିବା? ସଂପ୍ରତି ଭାରତବର୍ଷ ନିୟନ୍ତ୍ରିତ ଗଣତନ୍ତ୍ର ଆଡକୁ ଜୋରରେ ମୁହାଁଉଛି। ବିଜୟଙ୍କ ରାଜନୀତିକ ଜୀବନରେ ଆଉ ସମ୍ଭାବନା ନାହିଁ ବୋଲି କେହି କେହି କହୁଛନ୍ତି। କିନ୍ତୁ ଏହା ନିହାତି ଭ୍ରାନ୍ତି। ଗଣତନ୍ତ୍ରରେ ଏଭଳି ଗଣନା ନିରାଧାର ଓ ନିରର୍ଥକ। ପ୍ରତ୍ୟେକଟି ମୁହୂର୍ତ୍ତ ଗଣତନ୍ତ୍ରରେ ମହାର୍ଘ ଏବଂ ରାଜନୀତି ହେଉଛି ସମ୍ଭାବନାର ଖେଳ; ପ୍ରକୃତ ଖେଳାଳି ପାଇଁ ସେଥିରେ ଶେଷ ବୋଲି କିଛି ନ ଥାଏ। ୨୦୧୪ରୁ ୨୦୧୯ ମସିହାଯାଏ ଗଲା ଦୁଇଟି ନିର୍ବାଚନକୁ ବିଶ୍ଳେଷଣ କଲେ ଓଡ଼ିଶାର ଯାହା ଚିତ୍ର, ଯଦି କଂଗ୍ରେସ ଖୁବ୍ ଶୀଘ୍ର ନିଜକୁ ସମର୍ଥ କରି ଠିଆ ନ ହୁଏ, ଆସନ୍ତା ଦିନରେ ମନେହୁଏ ଗୋଟାଏ ନୂଆ ଆଞ୍ଚଳିକ ଦଳପାଇଁ ଏକ ଚଉକସିଆ ଭୂମି ଆପେ ଆପେ ସଜାଡ଼ି ହୋଇଯିବ। ଦେଖାଯାଉ। ‘ଶକୁନ୍ତଳା’ ୫୬୧, ମହାନଦୀ ବିହାର, କଟକ ମୋ: ୯୪୩୮୨୭୫୦୯୧