ପ୍ରେମ- ଉଲ୍ଲାସ ଓ ଅଶ୍ରୁ

Jan 24, 2019 - 21:45
 1731
ପ୍ରେମ- ଉଲ୍ଲାସ ଓ ଅଶ୍ରୁ
ମୂଳ ଲେଖା- ଖଲିଲ ଜିବ୍ରାନ, ଅନୁବାଦ- ରବିନାରାୟଣ ସେନାପତି ଯେବେ ଅଂଶୁମାନ ଅଂଶୁମାନଙ୍କୁ ଫେରାଇ ନେଲେ ଉଦ୍ୟାନ ଉପରୁ ଏବଂ ଚନ୍ଦ୍ରମା ପିଚକାରୀ ପ୍ରାୟ ଅଜାଡି ଦେଲେ ପୁଷ୍ପରାଜିଙ୍କ ପରେ ମୋଲାୟମ ଚାନ୍ଦିନୀ, ମୁଁ ବସିଥିଲି ବୃକ୍ଷ ମୂଳେ, ଗହଳ ପତ୍ର ମଧ୍ୟ ଦେଇ ଚକିତେ ନିରୀକ୍ଷଣ କରୁଥିଲି ପରିବେଶର ଅପୂର୍ବ ଘଟଣା, ଆକାଶର ନୀଳିମା ଗାଲିଚାରେ ଜିକ୍ ଜିକ୍ ଜଳି ଆସୁଥିବା ବିଛୁରିତ ରୌପଖଣ୍ଡ ତାରକାମାନଙ୍କୁ; ଏବଂ ଶୁଣି ପାରୁଥିଲି ଅଦୂରେ ସେ ଉପତ୍ୟକାକୁ ଧାବମାନ, କ୍ଷୀପ୍ରଗତି ସ୍ରୋତସ୍ବିନୀର ଆଲୋଡିତ କଳକଳ ସଂଗୀତ ମୁର୍ଛନା। ପକ୍ଷୀମାନେ କ୍ରମଶଃ ବାହୁଡିଲେ ବୃହତ ଶାଖାଧାରୀ ବୃକ୍ଷର ନୀଡ଼ମାନଙ୍କୁ, କଞ୍ଚିତ ପୁଷ୍ପ ତାଙ୍କ ପାଖୁଡ଼ାମାନଙ୍କୁ ମୁଦିଦେଲେ ଏବଂ ବହଳ ନୀରବତା ଅବତରଣ କଲା। ମୁଁ ଶୁଣିଲି ଘାସର ଗାଲିଚାରେ ଆଚ୍ଛାଦିତ ଶୁଷ୍କପତ୍ର ଉପରେ ଖର୍ ଖର୍ ପାଦଶବ୍ଦ। ଉଦ୍ୟାନାଶ୍ରୟ ମଧ୍ୟୁ ମୁଁ ନିରେଖି ଦେଖିଲି ନବୀନ ପ୍ରେମୀ ଯୁଗଳ ସେହି ଦିଗେ ଅଗ୍ରସର, ମୁଁ କିନ୍ତୁ ଦୃଶ୍ୟ ହେଉ ନଥିଲି ସେମାନଙ୍କୁ। ମୁଁ ଶୁଣିଲି, ଚତୁର୍ଦ୍ଦିଗ ନିରୀକ୍ଷଣ ଅନ୍ତେ ଯୁବକଟି କହିଲା, ‘ଆସ ପ୍ରାଣପ୍ରିୟେ! ପାଶେ ବସି ଶୁଣ ମୋର ହୃଦୟର ସ୍ବର; ହସିଦିଅ, ଏହା ଆମ ସୁଖ ଭବି୍ୟ ପ୍ରତୀକ; ଖୁସି ରୁହ ଯାହା, ଉଜ୍ଜଳ ଉଲ୍ଲାସର ଚିରସ୍ଥାୟୀ ଆବାହନି।’ ‘ମୋ ଆତ୍ମା ଦିଏ ଚେତାବନୀ ତୁମ ସନ୍ଦେହୀ ହୃଦୟ ସମ୍ବନ୍ଧେ, ସନ୍ଦେହ ଯେ ପାପ ନ୍ୟଷ୍ଟି ପ୍ରଣୟ ମଧ୍ୟରେ। ଦେଖ ଏ ଚନ୍ଦ୍ର ଚକିତ ବିଶାଳ ଭୂଖଣ୍ଡେ, ଅଚିରେ ବୋଲାଇବ ପ୍ରଭୁ; ହେବ ଆମ ପ୍ରାସାଦର ଯୁବରାଣୀ, ଦାସ ଦାସୀ ପାଳୁଥିବେ ଆଜ୍ଞା। ହସିଦିଅ ପ୍ରିୟେ, ଯେମିତି ମୋ ସମ୍ରାଟ ପିତାଙ୍କ ଅସୁମାରୀ ରତ୍ନ ଭଣ୍ଡାରରେ ବୈଦୁର୍ଯ୍ୟ ଝଟକେ।’ ‘ହୃଦୟ ମୋ ବାରଣ କରଇ, ତୁମ୍ଭଠାରୁ କିବା ଗୋପନୀୟ! ସମ୍ପୂର୍ଣ୍ଣ ବାର ମାସର ଆରାମ ଅପେକ୍ଷା କରେ ଆମ୍ଭଙ୍କୁ; ଉନ୍ମୁକ୍ତ ମୋ ପିୟରଙ୍କ ସ୍ବର୍ଣ୍ଣ ଭଣ୍ଡାର, ଯେତେ ପାର ଭ୍ରମଣରେ ଖର୍ଚ୍ଚ କର ସୁଇଜରଲାଣ୍ଡର ନୀଳ ହ୍ରଦମାନଙ୍କରେ, ଇଟାଲୀ ଓ ଇଜିପ୍ଟର ସ୍ଥାପତ୍ୟ ସମ୍ଭାର ମଧ୍ୟରେ ଏବଂ ପବିତ୍ର ଲେବାନନର ସୁବିଶାଳ ଦେବଦାରୁ ଛାୟାରେ ବିଶ୍ରାମ; ସବୁକିଛି ହାତ ପାଆନ୍ତାରେ। ସ୍ଥାନୀୟ ଜେମା ଈର୍ଷାନ୍ବିତ ହେବେ ଦେଖି ତୁମ ଆଭରଣ ଓ ଅଳଙ୍କାର।’ ‘ଏ ସମସ୍ତ ମୁଁ ବାଢି ଦେବି ତୁମ୍ଭ ସମ୍ମୁଖରେ; ହେବ ମୁଗ୍ଧ ପ୍ରିୟେ?’ ଏମିତି କହୁ କହୁ ମାଡ଼ି ମକଚି ଚାଲିଗଲେ କେତେ କଢି, ଆସନ୍ତା କାଲିର ଫୁଲ, ଯେମିତି ଧନୀକ ପଦାଘାତ କରେ ଦରିଦ୍ରର ହୃଦୟ ଉପରେ। ମୋ ଦୃଷ୍ଟି ଆଢୁଆଳକୁ ସେମାନଙ୍କ ପ୍ରସ୍ଥାନରେ, ତୁଳନାତ୍ମକ ଭାବନା ଆସିଲା ପ୍ରେମ ବନାମ ଅର୍ଥର ପ୍ରାଚୁର୍ଯ୍ୟ ଏବଂ ହୃଦୟରେ ସେମାନଙ୍କ ସ୍ଥାନ। ଟଙ୍କା! ନିଷ୍ଠାହୀନ ପ୍ରେମର ଉତ୍ସ; ଭ୍ରମାତ୍ମକ ଆଲୋକ ଓ ସୌଭାଗ୍ୟର ଏକ ଝରଣା, ବିଷାକ୍ତ କୂପର ଜଳ, ବାର୍ଦ୍ଧକ୍ୟର ନୈରାଶ୍ୟ। ମୁଁ ତଥାପି ଅନୁଧ୍ୟାନ ରୂପକ ମରୁଭୂମିରେ ବିଚରଣ କରୁଥିଲି ଯେବେ ମୋ ପାର୍ଶ୍ବ ଅତିକ୍ରମି ଘାସ ଗାଲିଚାରେ ବସିଗଲେ ଏକ ଯୋଡି ପରିତ୍ୟକ୍ତ ପ୍ରେତ ପ୍ରାୟ ଦୃଶ୍ୟମାନ ପ୍ରେମୀ। ଯୁବକ ଓ ଯୁବତୀ ସନ୍ନିକଟ କୃଷିକ୍ଷେତ୍ରର କୁଡ଼ିଆ ଛାଡ଼ି ଆସିଥିଲେ ଶୀତଳ ସମୀରଣରେ ନିରୋଳା ମୁହୁର୍ତ୍ତମାନ ଆନନ୍ଦେ ବିତାଇବା ପାଇଁ। କିଛିକ୍ଷଣ ନୀରବତା ଅନ୍ତେ, ମୁଁ ଶୁଣିଲି ଦୀର୍ଘଶ୍ବାସ ଓ ନିମ୍ନୋକ୍ତ ସଂଳାପ ସେମାନଙ୍କ ପ୍ରକୃତି ଆହତ ଶୁଷ୍କ ଓ ଫଟା ଓଷ୍ଠ ମଧ୍ୟୁ। ‘ଝରାଅନି ଲୁହ ପ୍ରିୟେ; ପ୍ରେମ ଆମ ଆଖି ଖୋଲିଦିଏ ଏବଂ ହୃଦୟକୁ ବଶ କରେ ଓ ଦିଏ ଆଶୀର୍ବାଦ-ଧୈର୍ଯ୍ୟ ରଖ। ବିଳମ୍ବତା ଦିଏ ପ୍ରବୋଧ, ପ୍ରତିଶୃତ ଆମେ ପ୍ରବେଶିଲେ ଯେବେ ପ୍ରେମର ନିଳୟେ; ଆମ ସ୍ନେହ ଯେ ବୃଦ୍ଧି ପାଇବ ସମସ୍ତ ବାଧା ବିଘ୍ନ ସତ୍ତ୍ବେ, ଏହି ପ୍ରେମ ନାମରେ ଆମେ ପୀଡିତ; ଦାରିଦ୍ର୍ୟର ପ୍ରତିରୋଧ, ତୀକ୍ଷ୍ଣ ଦୁରବସ୍ଥା ଓ ବିରହର ଶୂନ୍ୟତାରେୟ ଏ ସମସ୍ତ କଠିନତା ସହ ବିଜୟ ମିଳିବା ପର୍ଯ୍ୟନ୍ତ ସଂଗ୍ରାମ କରିବି ଏବଂ ତୁମ୍ଭ ହସ୍ତରେ ଦୃଢତା ଅର୍ପଣ କରିବି ଯାହା ଏ ଜୀବନ ବିତାଇବା ପାଇଁ ହେବ ସର୍ବଶ୍ରେଷ୍ଠ ଉପଲବ୍ଧୀ।’ ‘ପ୍ରେମ - ଯାହା ଈଶ୍ବର - ନିଶ୍ଚିତ ସିଦ୍ଧାନ୍ତ କରିବେ ଆମର ଏ ଦୀର୍ଘଶ୍ବାସ ଓ ଲୋତକ ଯେମିତି ତାଙ୍କ ଶ୍ରୀଚରଣେ ଜଳିଯାଉଥିବା ଧୂପ ଅର୍ଘ୍ୟ ଏବଂ ସେ ଆମକୁ ସହିବାର ଶକ୍ତି ଦେବେ। ବିଦାୟ ପ୍ରିୟେ, କୁଶଳରେ ଥାଅ; ଏ ମଧୁ ଚନ୍ଦ୍ରମା ଲିଭିବା ପୂର୍ବରୁ ମୋ ବିଦାୟ ଜରୁରୀ।’ ପ୍ରେମ ବହ୍ନିରେ ପ୍ରଜ୍ବଳିତ, ନୈରାଶ୍ୟର ତିକ୍ତତାରେ ଜର୍ଜରିତ ତଥାପି ଉଜ୍ଜୀବିତ ଆଶାର ଅପେକ୍ଷା ସହ, ଏବଂ ଦୃଢପ୍ରତିଜ୍ଞ ଧୈର୍ଯ୍ୟର ମାଧୁର୍ଯ୍ୟ ମିଶା ଏକ ପବିତ୍ର ସ୍ବର ଉତ୍ତର ଦେଲା, ‘ଶୁଭ ବିଦାୟ ପ୍ରିୟତମ।’ କେତେ କ୍ଷଣ ମିଳନର ଦୁଃଖଭରା ପ୍ରଣୟ କବିତାର ଅନ୍ତଃ ଘଟିଲା ବିରହ ଯନ୍ତ୍ରଣାଶିକ୍ତ ହୃଦୟର ରୋଦନରେ, ସେମାନେ ପରସ୍ପର ବିଦାୟ ନେଲେ। ମୁଁ ଅବଲୋକନ କଲି ସୁନିଦ୍ରାରେ ଅନିନ୍ଦ୍ୟ ପ୍ରକୃତିକୁ, ଯେମିତି ଏହା ଏକ ଗଭୀର ବାସ୍ତବତାକୁ ପ୍ରତିଫଳନ କରୁଥିଲା ବିଭୋର ଭାବରେ, ସୁବିଶାଳ ଓ ଅନନ୍ତ - କୌଣସି କ୍ଷମତା ଯାହା ଦାବି ନକରିପାରେ, ପ୍ରତିପତ୍ତି ହାସଲ କରି ନପାରେ କିମ୍ବା ଧନ ଦ୍ବାରା କିଣା ହୋଇନପାରେ। କାଳ ଏହାକୁ କ୍ଷୟ କରି ନପାରେ, ଦୁଃଖ ଦୈନ୍ୟରେ ଏହାର ବିଲୋପ ନାହିଁ; ଏ ଅମୂଲ୍ୟ ପଦାର୍ଥ ସୁଇଜରଲାଣ୍ଡର ନୀଳ ହ୍ରଦରେ ମିଳେନା, ନା ଥାଏ ଏହା ଇଟାଲୀୟ ସ୍ଥାପତ୍ୟର ସୁଦୃଶ୍ୟ ଅଟ୍ଟାଳିକାରେ। ଏହା ତ ଧୈର୍ଯ୍ୟରୁ ସଂଗ୍ରହ କରେ ଶକ୍ତି, ପ୍ରତିରୋଧ ସତ୍ତ୍ବେ ବୃଦ୍ଧି ଘଟୁଥାଏ, ହୀମ ଶୀତଳତାରୁ ବି ଆହରଣ କରେ ତାପ, ଅଦିନରେ ପ୍ରସ୍ଫୁଟିତ ହୁଏ, ଗ୍ରୀଷ୍ମରେ ମଳୟ ବୁହାଏ, ପ୍ରତି ବିପରୀତ ପରିସ୍ଥିତିରେ ସଫଳତା ଅବଶ୍ୟ ଲାଭ କରେ- ମୁଁ ପ୍ରେମକୁ ପାଇଗଲି ଯାହା ଦିବ୍ୟ।