ପ୍ରଯୁକ୍ତିର ପରିଣାମ ସଭ୍ୟତାର ବିନାଶ!

Oct 22, 2018 - 08:52
 1423
ପ୍ରଯୁକ୍ତିର ପରିଣାମ ସଭ୍ୟତାର ବିନାଶ!
ଦେବେନ୍ଦ୍ର ପୃଷ୍ଟି ‘ପ୍ରଥମ ପ୍ରଯୁକ୍ତି ବିପ୍ଳବ ହେଉଛି ପ୍ରଥମ ବିଶ୍ୱ ଯୁଦ୍ଧର କାରଣ । ଦ୍ୱିତୀୟ ପ୍ରଯୁକ୍ତି ବିପ୍ଳବ ହେଉଛି ଦ୍ୱିତୀୟ ବିଶ୍ୱ ଯୁଦ୍ଧର କାରଣ । ଏବେ ତୃତୀୟ ପ୍ରଯୁକ୍ତି ବିପ୍ଳବ ଚାଲିଛି ।’ ଏକ ସାକ୍ଷାତକାରରେ ଏକଥା କହିଥିଲେ ଜ୍ୟାକ୍ ମା, ଜଣେ ବିଶ୍ୱ ବିଖ୍ୟାତ ଶିଳ୍ପୋଦ୍ୟୋଗୀ । ଚୀନା ମୂଳୋଦ୍ଭବ ଏହି ଶିଳ୍ପୋଦ୍ୟୋଗୀଙ୍କ କମ୍ପାନୀର ନାଁ ହେଲା ଆଲିବାବା, କଂପ୍ୟୁଟର ଜଗତର ଏକ ଅଗ୍ରଣୀ ସଂସ୍ଥା । ତାଙ୍କ କହିବା କଥା ହେଲା, ଏବେ ଯେଉଁ ତୃତୀୟ ପ୍ରଯୁକ୍ତି ବିପ୍ଳବ ଚାଲିଛି ତାହା ଯେଉଁ ତୃତୀୟ ବିଶ୍ୱ ଯୁଦ୍ଧର ବାର୍ତ୍ତାବହ ହେବ ତାହା ମଣିଷ ବିରୋଧରେ ନହୋଇ କ୍ଷୁଧା, ଦାରିଦ୍ର‌୍ୟ ଓ ବ୍ୟାଧି ବିରୋଧରେ ହେବା ଉଚିତ । ଅନେକ ବୈଜ୍ଞାନିକ କୁହନ୍ତି, ଏବେ ଯଦି ତୃତୀୟ ବିଶ୍ୱ ଯୁଦ୍ଧ ହେବ ତେବେ ତାହା ହେବ ଏକ ଆଣବିକ ମହାସମର ଏବଂ ଏହି ମହାସମର ହେବ ବିଶ୍ୱର ଶେଷ ଯୁଦ୍ଧ । କାରଣ ଏହା ପରେ ଆଉ ମଣିଷ ଜାତି ବଞ୍ଚି ନଥିବ । ଆଣବିକ ଘନଘୋଟାର ପ୍ରଭାବରେ କେବଳ ମଣିଷ କାହିଁକି ସମସ୍ତ ଜୀବ ଓ ଉଦ୍ଭିଦ ଜଗତ ମଧ୍ୟ ଲୋପ ପାଇଥିବ । ଏଭଳି ଏକ ସମ୍ଭାବନାକୁ ଲକ୍ଷ୍ୟ କରି ବିଶ୍ୱ ବିଖ୍ୟାତ ପଦାର୍ଥ ବିଜ୍ଞାନୀ ଆଇନଷ୍ଟାଇନ ଥରେ କହିଥିଲେ, ତୃତୀୟ ବିଶ୍ୱ ଯୁଦ୍ଧ କେଉଁ ଅସ୍ତ୍ରରେ ଲଢ଼ାଯିବ ମୁଁ ଜାଣିନାହିଁ କିନ୍ତୁ ଚତୁର୍ଥ ବିଶ୍ୱ ଯୁଦ୍ଧର ଅସ୍ତ୍ର ହେବ ଲାଠି ଓ ପଥର । ଏବେ ଏଇପରି ଏକ ମୋଡ଼ରେ ଉପନୀତ ହୋଇଛନ୍ତି ବିଶ୍ୱବାସୀ । ଲାଗୁଛି ଯେମିତି ଯୁଦ୍ଧ ହେଉ କି ନହେଉ, ବିନାଶ ଓ ବିପର୍ଯ୍ୟୟ ସୁନିଶ୍ଚିତ । ତୃତୀୟ ବିଶ୍ୱ ଯୁଦ୍ଧର ଆଶଙ୍କା ଲାଗି ରହିଥିବାବେଳେ ବିଶ୍ୱବାସୀ ଏବେ ସମ୍ମୁଖୀନ ହୋଇଛନ୍ତି ପାଗ ପରିବର୍ତ୍ତନ ଯୁଦ୍ଧର । ବିଶ୍ୱ ତାପନ ଓ ପାଗ ପରିବର୍ତ୍ତନ ବିଶ୍ୱବାସୀଙ୍କ ପାଇଁ ସୃଷ୍ଟି କରିଛି ଅନ୍ୟ ଏକ ଯୁଦ୍ଧର ଆହ୍ୱାନ । ଏ ଯୁଦ୍ଧରେ ସାମିଲ ହେବାକୁ ପଡ଼ିବ ସମଗ୍ର ବିଶ୍ୱକୁ, ବିଶ୍ୱର ସମସ୍ତ ଦେଶଙ୍କୁ । ସବୁ ଶିଳ୍ପ ଓ ଉଦ୍ୟୋଗଙ୍କୁ ସାମିଲ ହେବାକୁ ପଡ଼ିବ ଏଇ ଯୁଦ୍ଧରେ । ଧନ ସଂପତ୍ତି ଓ ଭୋଗବିଳାସ ତ୍ୟାଗ କରି ବଞ୍ଚେଇବାକୁ ପଡ଼ିବ ଜୀବନକୁ, ପରିବେଶ ଓ ପରିବେଷ୍ଟନୀକୁ । ନହେଲେ ହୁଏତ, ଅତୀତର ଅନେକ ସଭ୍ୟତା ପରି ଏହି ପ୍ରଯୁକ୍ତିଭିତ୍ତିକ ସଭ୍ୟତା ମଧ୍ୟ ଲୋପ ପାଇବ । ହୁଏତ ସେହି ପରିଣାମ ଏବେ ଖୁବ ନିକଟରେ । ଆରମ୍ଭ ହୋଇଯାଇ ପାରେ ଷଷ୍ଠ ଗଣବିଲୋପ ପ୍ରକ୍ରିୟା । ଧ୍ୱଂସ ପାଇଯାଇ ପାରେ ବର୍ତ୍ତମାନର ପାର୍ଥିବ ପରିବେଶ । ଦିନେ ଏମିତି ପ୍ରଯୁକ୍ତି ଓ ପ୍ରଗତିର ଶୀର୍ଷ ଦେଶରେ ପହଞ୍ଚିଥିବା ଅନେକ ସଭ୍ୟତା ଧ୍ୱଂସ ପାଇଥିଲା । ହରପ୍ପା ଓ ମହେଞ୍ଜୋଦାରୋ ସଭ୍ୟତାର ପତନର କାରଣ ଥିଲା ପାଗ ପରିବର୍ତ୍ତନ । ମିଶରୀୟ ନୀଳ ଉପତ୍ୟକା ସଭ୍ୟତାର କାରଣ ଥିଲା ଯୁଦ୍ଧ ଓ ମରୁଡ଼ି । ଚୀନର ହୁଆଙ୍ଗ ହୋ ବା ପୀତ ନଦୀ ସଭ୍ୟତାର ବିନାଶର କାରଣ ଥିଲା ଜୈବ ବିବିଧତାର ପରିର୍ତ୍ତନ । ପ୍ରାଚୀନ ଗ୍ରୀସ ସଭ୍ୟତାର ପତନର କାରଣ ଥିଲା ମରୁଡ଼ି । ୟୁଫ୍ରେଟିସ ଓ ଟାଇଗ୍ରିସ ନଦୀ ଅବବାହିକାରେ ଗଢ଼ି ଉଠିଥିବା ମେସୋପଟାମିଆ ସଭ୍ୟତାର ଧ୍ୱଂସର କାରଣ ମଧ୍ୟ ଥିଲା ଏଇ ପାଗ ପରିବର୍ତ୍ତନ । ସେହିପରି ଏଇ ପାଗ ପରିବର୍ତ୍ତନ ଯୋଗୁଁ ହିଁ ଲୋପ ପାଇଥିଲା ପ୍ରାଚୀନ ମାୟା ସଭ୍ୟତା । ଆଉ ମଜାର କଥା ହେଲା ଏସବୁ ସଭ୍ୟତା ଯେତେବେଳେ ପ୍ରଯୁକ୍ତିଗତ ପ୍ରଗତିର ଶୀର୍ଷ ସୋପାନରେ ଥିଲେ ଠିକ ସେତିକିବେଳେ ହିଁ ଘଟିଛି ବିନାଶ ଓ ବିପର୍ଯ୍ୟୟ । ଏବେ ପୃଥିବୀର ବିଭିନ୍ନ ପ୍ରାନ୍ତରେ ପାଗ ପରିବର୍ତ୍ତନ ଓ ବିଶ୍ୱ ତାପନ ଯୋଗୁଁ ଘଟି ଚାଲିଛି ବଡ଼ ବଡ଼ ପାରିବେଶିକ ବିପର୍ଯ୍ୟୟ । ପାଣିପାଗ ଉଗ୍ର ହେଉଛି । ଆତଙ୍କ ଖେଳାଉଛି । ଧନଜୀବନ ନଷ୍ଟ କରୁଛି । କୃଷି ଉତ୍ପାଦନ କମୁଛି । ରୋଗ୍ୟବ୍ୟାଧି ବଢ଼ୁଛି । ଜୀବିକା ଉଜୁଡ଼ୁଛି । ଧନୀ-ଗରିବ ତାରତମ୍ୟ ବୃଦ୍ଧି ପାଉଛି । କେଉଁଠି ଅଦିନରେ ବାତ୍ୟା ଓ ବନ୍ୟା । କେଉଁଠି ଦୀର୍ଘସ୍ଥାୟୀ ଗ୍ରୀଷ୍ମ ପ୍ରବାହ । କେଉଁଠି ପୁଣି ବର୍ଷ ବର୍ଷ ଧରି ମରୁଡ଼ି । ପୌନଃପୌନିକ ଭୂମିକମ୍ପ ଓ ସୁନାମି । ତରଳୁଛି ଆର୍କଟିକ ଓ ଆଣ୍ଟାର୍କଟିକ ତୁଷାର ସ୍ତର । କ୍ଷୟ ପାଉଛି ହିମାଳୟର ହିମାଚ୍ଛାଦନ । ଅନୁର୍ବର ହେଉଛି ମୃତ୍ତିକା । ମାଟି, ପାଣି ଓ ପବନରେ ବଢ଼ି ଚାଲିଛି ଅମ୍ଳ ଓ କ୍ଷତିକାରକ ନାନାଦି ଉପାଦାନ । ଶିଳ୍ପ ଓ ପ୍ରଯୁକ୍ତି ବିପ୍ଳବର ପ୍ରଗତି ସହିତ ବଢ଼ି ଚାଲିଛି ପ୍ରଦୂଷଣ । ମାଟିରୁ ଆକାଶ ଯାଏଁ ସବୁଠି ଏବେ ଗଦାଗଦା ଆବର୍ଜନା । ବିଷର ବଳୟ ଘେରି ଚାଲିଛି ଜୀବନକୁ, ଜୀବନ ପାଇଁ ଉପଯୋଗୀ ବାତାବରଣକୁ । ଏହାର ପରିଣାମ ନିଶ୍ଚିତ ଧ୍ୱଂସ । ଯାହାର ସୂଚନା ଓ ସଂକେତ ଦେଉଛନ୍ତି ତିତ୍ଲି, ହୁଡ଼ହୁଡ଼, ଫାଇଲିନ୍, ଆଇଲା, ନାଡ଼ା, ମାରୁତ ଓ ଓଖି ଆଦି ଘୂର୍ଣ୍ଣିବାତ୍ୟା । ଆଫ୍ରିକାର ଜଳ ସଂକଟ, ଆମେରିକାର ନିଷ୍ଠୁର ବସ୍ତୁବାଦ ଭିତରେ ଘଟିଚାଲିଥିବା ଉଦ୍ଦେଶ୍ୟ ଓ ଆବେଗ ହୀନ ଗଣସଂହାର, ୟୁରୋପ ଓ ଏସିଆର ତାପ ପ୍ରବାହ ଏବଂ ସମଗ୍ର ବିଶ୍ୱରେ ଲାଗି ରହିଥିବା ଯୁଦ୍ଧ ଓ ଆତଙ୍କବାଦ, ଯନ୍ତ୍ର ଓ ଅସ୍ତ୍ର ସର୍ବସ୍ୱ ସଭ୍ୟତାର ଜୀବନ ବିରୋଧୀ ବ୍ୟବସାୟୀକରଣ ହୁଏତ ଏହି ବିନାଶର ଆବାହନୀ ବାର୍ତ୍ତା । ମଣିଷ ଜାତି ଏହାକୁ ବୁଝିବା ଦରକାର । ବୈଜ୍ଞାନିକମାନେ କହିଲେଣି ପ୍ରାକ୍ ଶିଳ୍ପ ଯୁଗର ତାପମାତ୍ରାଠାରୁ ଏବେ ପୃଥିବୀର ତାପମାତ୍ରା ୧ ଡିଗ୍ରୀ ସେଲସିୟସ ଅଧିକ ହୋଇଗଲାଣି । ୨୦୩୦ ସୁଦ୍ଧା ଏହା ୨ ଡିଗ୍ରୀ ସେଲସିୟସ ହୋଇଯିବ । ସେପରି ହେଲେ ସମୁଦ୍ର ଜଳସ୍ତର ବୃଦ୍ଧି ପାଇବ । ଉପକୂଳ ସହରସବୁ ବୁଡ଼ିଯିବ । ପୃଥିବୀ ସାରା ଘଟିବ ଧନ ଓ ଜୀବନକୁ ନାନାଦି ବିପର୍ଯ୍ୟୟ । ମଣିଷ ସମାନକୁ ଗ୍ରାସ କରିବ ରୋଗ, ଶୋକ ଓ ଅଭାବ । ସ୍ୱର୍ଗତ ବୈଜ୍ଞାନିକ ଷ୍ଟିଫେନ ହକିଙ୍ଗ ତ କହିଗଲେ, ଏ ଗ୍ରହ ଆଉ ଜୀବନ ପାଇଁ ଉପଯୋଗୀ ହୋଇ ରହିବ ନାହିଁ । ମଣିଷ ଜାତି ତିଷ୍ଠିବା ପାଇଁ ଅନ୍ୟ ଗ୍ରହକୁ ବାସୋପଯୋଗୀ କରିବା ଦରକାର । ସେଥିପାଇଁ ବୋଧହୁଏ ମହାକାଶରେ ଜୀବନର ସନ୍ଧାନ କରୁଛି ମଣିଷ! ଖୋଜିଛି, କେଉଁଠି କାଳେ ରହି ହେବ! ତାହା ମଙ୍ଗଳ ହେଉ ତ ବୃହସ୍ପତି- କେଉଁଠି ଟିକିଏ ଜଳ ଓ ଜୀବନର ସନ୍ଧାନ ମିଳିଲେ ପୃଥିବୀରୁ ସେଠିକି ଉଠିଯିବ! ରାବଣ ପରି ଆଧୁନିକ ମଣିଷର ଅନେକ ମୁଣ୍ଡ, ସେସବୁ ମୁଣ୍ଡରେ ଅନେକ ବୁଦ୍ଧି । ବିଜ୍ଞାନ, ଦର୍ଶନ, ପ୍ରଯୁକ୍ତି-ସବୁଥିରେ ଆଗୁଆ ଆଜିର ଏହି ମଣିଷ ଜାତି । ଭୌତିକ ସୁଖରେ କାହିଁ କେତେ ଆଗରେ । କିନ୍ତୁ ତଥାପି କାହିଁକି ଅର୍ଦ୍ଧେକ ପୃଥିବୀକୁ ମାଡ଼ି ବସିଛି ବିଷଣ୍ଣତା, ମାଡ଼ି ଚାଲିଛି ବୈଷମ୍ୟ ଓ ପକ୍ଷ ମେଲାଉଛି ମୃତ୍ୟୁ? ୧୯୪୫ ମସିହାରେ ଜାପାନର ହିରୋସିମା ଓ ନାଗାସାକିରେ ପଡ଼ିଥିଲା ଆମେରିକାର ପରମାଣୁ ବୋମା । ସେଥିରେ ଆଗପଛ ହୋଇ ପ୍ରାଣ ହରାଇଥିଲେ ପ୍ରାୟ ୩ ଲକ୍ଷ ଲୋକ । ଏବେ ପୃଥିବୀର ୯ଟି ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ରଙ୍କ ନିକଟରେ ରହିଛି ପ୍ରାୟ ୧୫ ହଜାର ଆଣବିକ ଅସ୍ତ୍ର । ଗୋଟିଏ ଗୋଟିଏ ଆଣବିକ ବୋମା ଗୋଟିଏ ଗୋଟିଏ ଦେଶକୁ ସଂପୂର୍ଣ୍ଣ ଧ୍ୱଂସ କରିପାରିବ । ପୃଥିବୀର ଦେଶ ସଂଖ୍ୟା ୧୯୫ । ସତରେ କ’ଣ ମାଳିକା ବଚନରେ ରହିଛି ଏଇ ସଭ୍ୟତାର ଅମୃତର ସନ୍ଧାନ? ଉତ୍ତରେ ଉଇଁବ, ଦକ୍ଷିଣେ ଗାଜିବ, ପୂର୍ବେ ନରହିବେ କେହି, ଝାଡ଼ବାଡ଼ ମାଡ଼ି ଯେତିକି ରହିବେ କୂଳକୁ ବିହନ ସେହି! ଝାଡ଼ ହେଉଛି ଜଙ୍ଗଲ । ଜଙ୍ଗଲ ହେବ କି ଆଧୁନିକ ମଣିଷର ଶେଷ ଠିକଣା? କିଏ କହିବ, କ’ଣ ହେବ ପ୍ରଯୁକ୍ତିର ଶେଷ ପରିଣାମ?