ପ୍ରବାସୀ ଶ୍ରମିକଙ୍କ ପରିସ୍ଥିତି ଓ ଆମର ଦାୟିତ୍ଵ

Jun 28, 2020 - 04:39
 1139
ପ୍ରବାସୀ ଶ୍ରମିକଙ୍କ ପରିସ୍ଥିତି ଓ ଆମର ଦାୟିତ୍ଵ
ବର୍ତ୍ତମାନ ସମୟରେ ଦେଶର ମାନବିକ ଅଧିକାର ଉଲ୍ଲଂଘନର ବିରାଟ ଉଦାହରଣ ପାଲଟିଛି ପ୍ରବାସୀ ଶ୍ରମିକଙ୍କ ପରିସ୍ଥିତି। ଏହା ବିରୁଦ୍ଧରେ ଉଭୟ ରାଜ୍ୟର (ଜନ୍ମସ୍ଥାନ ଓ ଚାକିରି କ୍ଷେତ୍ର) ସଂଗଠନମାନେ କାର୍ଯ୍ୟ କରିବା ଜରୁରୀ। ଏହି କୋଭିଡ଼ ଅପଡେଟ ମାଧ୍ୟମରେ ‘ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ’ (GASS) ଓଡିଶା ସମେତ ଅନ୍ୟ ରାଜ୍ୟର ସମସ୍ତ ରାଜନୈତିକ ଓ ପ୍ରଗତିଶୀଳ ସଂଗଠନ, ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ଅନୁରୋଧ କରୁଛି ଯେ ପ୍ରବାସୀ ଶ୍ରମିକଙ୍କ ପରିସ୍ଥିତିର ଉନ୍ନତି ଲାଗି ମିଳିତ ଉଦ୍ୟମ କରାଯାଉ । ୧. ଓଡିଶାର ରାୟଗଡା ଜିଲ୍ଲାର ବିଷମକଟକ ଓ ମୁନିଗୁଡା ତଥା କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକର ୪୭ ଜଣ ବାଳିକା (ମୁଖ୍ୟତଃ ଆଦିବାସୀ ଓ ନାବାଳିକା) ଦୀର୍ଘ ୨୦ରୁ ୨୨ ଦିନର ଲଗାତର ଉଦ୍ୟମ ପରେ ତାମିଲନାଡ଼ୁର ତିରୁପୁରର ଏକ ପୋଷାକ ତିଆରି ଫ୍ୟାକ୍ଟରୀରୁ ନିଜ ରାଜ୍ୟକୁ ଗଲା ଜୁନ ୨୪ ତାରିଖରେ ଫେରିଆସି ପାରିଛନ୍ତି। କୋଭିଡ ଲକଡାଉନ ସତ୍ତ୍ୱେ ଗାରମେଣ୍ଟ କମ୍ପାନୀ ମାଲିକ ସେହି ବାଳିକାମାନଙ୍କୁ ନିଜ ରାଜ୍ୟକୁ ନଛାଡି ଜବରଦସ୍ତି କାମରେ ନିଯୁକ୍ତ ରଖିଥିଲା। ଗୋଟିଏ କୋଠରିରେ ସେହି ସମସ୍ତ 47 ବାଳିକାଙ୍କୁ ରଖାଯାଇଥିଲା ଯେଉଁଠି ସେମାନଙ୍କୁ ସର୍ବଦା କରୋନା ସଂକ୍ରମଣର ଭୟ ରହୁଥିଲା। ସେମାନଙ୍କୁ ମୁକ୍ତ କରିବାରେ ଉଭୟ ତାମିଲନାଡୁ ଓ ଓଡିଶାର ପୁଲିସ, ଶ୍ରମବିଭାଗ ଓ ODMMI ହ୍ଵାଟ୍ସଆପ ଗୃପରେ ଜଡିତ ଅନେକ ସାଥିଙ୍କର ଉଦ୍ୟମ ରହିଛି। ଏହି ବାଳିକାମାନେ ଦୈନିକ ୧୨ ଘଣ୍ଟିଆ ଶିଫ୍ଟରେ କାମ କରୁଥିଲେ ଓ ମାସକୁ ମାତ୍ର ୪୦୦୦ ଟଙ୍କା ଦରମା ପାଉଥିଲେ। ଓଡିଶାର ଝିଅମାନଙ୍କ ଗରିବୀ ତାମିଲନାଡୁର ପୋଷାକ ତିଆରି କମ୍ପାନୀମାଲିକ ଲାଗି ଏକ ବରଦାନ ପାଲଟିଛି। ୨. ତାମିଲନାଡୁର ତିରୁପୁର ଅଞ୍ଚଳରେ ଥିବା ଅନେକ ଗାରମେଣ୍ଟ କମ୍ପାନୀରେ ଓଡିଶା, ବିହାର ଓ ପଶ୍ଚିମବଙ୍ଗ ରାଜ୍ୟର ଅନେକ ଆଦିବାସୀ ଓ ଦଳିତ ବର୍ଗର ଝିଅମାନେ କାମ କରୁଛନ୍ତି। ସେମାନଙ୍କୁ କମ୍ପାନୀର ମାଲିକ ରହିବା ଲାଗି ଘର ଦେବା ନାମରେ ଏକ ଛୋଟ କୋଠରୀରେ ଅଘୋଷିତ ବନ୍ଦୀ ଭାବରେ ରଖିଥାଏ। ସେମାନଙ୍କୁ ନିଜ ରାଜ୍ୟରୁ “ପାଠ ପଢିବା ଓ କିଛି ରୋଜଗାର କରିବାର” ପ୍ରଲୋଭନ ଦେଖାଇ ନିଆଗଲା ପରେ ସେଠାରେ କୌଣସି ସୁରକ୍ଷା ନଥାଇ ଅତି ଖରାପ ସ୍ଥିତିରେ କାମ କରିବା ଲାଗି ବାଧ୍ୟ କରାଯାଉଛି। ଏହି ମାତ୍ର ପାଞ୍ଚ ଛଅ ବର୍ଷ ହେଲା ଅଧିକ ସଂଖ୍ଯାରେ ବାଳିକାମାନେ ନିଜର ଗରିବୀ ସ୍ଥିତିରୁ ମୁକୁଳିବା ଲାଗି ପ୍ରବାସୀ ହେବାର ରାସ୍ତା ବାଛୁଛନ୍ତି। ୩. ପ୍ରବାସୀ ଶ୍ରମିକଙ୍କ ନିଜ ରାଜ୍ୟରେ କ୍ରମାଗତ ମରୁଡି, ଜଙ୍ଗଲ ଓ ଜଙ୍ଗଲଜାତ ଦ୍ରବ୍ୟର କ୍ରମାଗତ ଅବକ୍ଷୟ, ଆଦିବାସୀ ଜମି ପ୍ଳାଣ୍ଟେସନ କମ୍ପାନୀ ଓ ଖଣିମାଲିକ ଇତ୍ୟାଦିଙ୍କ ହାତକୁ ଚାଲିଯିବା, ମନେରେଗା କାମରେ ମେସିନର ବ୍ୟବହାର, ନିଜେ କାର୍ଯ୍ୟକ୍ଷମ ଥାଇ ମଧ୍ୟ ନିଜ ରାଜ୍ୟରେ କୌଣସି କାମ ନମିଳିବା, ଘରଲୋକଙ୍କ ଚିକିତ୍ସା ଲାଗି ଲକ୍ଷାଧିକ ଟଙ୍କା ଋଣ ହୋଇଯିବା, ବ୍ୟୟବହୁଳ ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷାର ଅଭାବ ସାଙ୍ଗକୁ ନିଜ ସମାଜରେ ଧନୀ-ଗରିବର ପାର୍ଥକ୍ୟ ବଢିବା ବର୍ତ୍ତମାନ ପୀଢିର ଯୁବକ ଯୁବତୀ ଅନ୍ୟ ରାଜ୍ୟକୁ ଚାଲିଯିବାର କାରଣ ଯାହା ସେମାନେ ବିଭିନ୍ନ ଆଲୋଚନା ସମୟରେ ‘ଗାସ’ର ପ୍ରତିନିଧିଙ୍କୁ କୁହନ୍ତି। ୪. ଦେଶର ପ୍ରମୁଖ ସହରମାନଙ୍କରେ ଥିବା ଟେକ୍ସଟାଇଲ, ଟ୍ରାନ୍ସପୋର୍ଟ, କୃଷିଫାର୍ମ, ନିର୍ମାଣ, ବ୍ୟବସାୟ ଅନୁଷ୍ଠାନ, ଇଟାଭାଟି ଭଳି କମ ଟେକନୋଲୋଜି ବ୍ୟବହୃତ କ୍ଷେତ୍ର ଲାଗି ଆବଶ୍ୟକ ଶ୍ରମଶକ୍ତି ମୁଖ୍ୟତଃ ଓଡିଶା, ଝାଡଖଣ୍ଡ, ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ରାଜ୍ୟ ପୂରଣ କରିଥା’ନ୍ତି। ଶ୍ରମିକ ଜନଗଣନା, ୨୦୧୧ ତଥ୍ୟ ଅନୁସାରେ ଓଡିଶାର ସମୁଦାୟ ଜନସଂଖ୍ୟାର ୩.୪୭% ଲୋକ ପ୍ରବାସୀ ଶ୍ରମିକ (ଯାହା ଏବେ ଦୁଇ ଗୁଣା ହେବ) ଓ ସେମାନେ ସାମାଜିକ ସୁରକ୍ଷା ନଥାଇ ମାସିକ ହାରାହାରି ୮୩୯୭ ଟଙ୍କା (୨୦୧୭ – ୧୮ ସୂଚକାଙ୍କ ଅନୁସାରେ) ସେହି ସହରମାନଙ୍କରେ ଆୟ କରିଥା’ନ୍ତି। କିନ୍ତୁ ଏବେ ସେମାନେ ନିଜ ରାଜ୍ୟରେ କାମ ପାଉନାହାନ୍ତି ଓ ସେମାନଙ୍କ ପାଖରେ କୌଣସି ସଞ୍ଚୟ ମଧ୍ୟ ନାହିଁ। ଯେଉଁ ରାଜ୍ୟକୁ ସେମାନେ ମୁଖ୍ୟତଃ ଯାଇଥା’ନ୍ତି ସେଠାରେ ମଧ୍ୟ କରୋନାର ସଂକ୍ରମଣ ବଢୁଥିବାରୁ ନିଜ ରାଜ୍ୟ ଛାଡିପାରୁ ନାହାନ୍ତି, ଯାହା ସେମାନେ ଦୁଃଖର ସହିତ କୁହନ୍ତି। ୫. ଅତି ଖରାପ ପରିବେଶ, କମ ମଜୁରୀ, ପ୍ରାୟତଃ ବନ୍ଦୀ ଜୀବନ, ସର୍ବଦା ଛଟେଇ ହେବାର ଭୟ ମଧ୍ୟରେ ନିଜର ଯୁବ ସମୟକୁ କାମରେ ଲଗେଇ ପ୍ରତି ମାସରେ କିଛି ଅର୍ଥ ବାପାମା’ ଓ ପରିବାରର ଅନ୍ୟମାନଙ୍କୁ ପ୍ରବାସୀ ଶ୍ରମିକମାନେ ପଠାଇଥାନ୍ତି। ଏହା ନିଜ ରାଜ୍ୟର କୃଷି ଓ ବ୍ୟବସାୟକୁ ମଧ୍ୟ ସାହାଯ୍ୟ କରିଥାଏ। କିନ୍ତୁ ଅନ୍ୟ ରାଜ୍ୟରେ ସେମାନଙ୍କ ଦୟନୀୟ ସ୍ଥିତି ସମ୍ପର୍କରେ ନିଜ ରାଜ୍ୟର ମିଡିଆ; ଭାଷା, ସଂସ୍କୃତି ସୁରକ୍ଷା ଓ ଅନ୍ୟ ଅସ୍ମିତାବାଦୀ ସଂଗଠନ (ବିଭିନ୍ନ ଓଡିଆ ସମାଜ ଇତ୍ୟାଦି ମଧ୍ୟ), ଟ୍ରେଡ ଯୁନିଅନ, ରାଜନୈତିକ, ଗଣତାନ୍ତ୍ରିକ ଓ ମାନବିକ ଅଧିକାର ସଂଗଠନ ବିଭିନ୍ନ କାରଣ ଲାଗି ନିରବ ରହିଆସିଛନ୍ତି। ୬. ଉକ୍ତ ଧନୀ ରାଜ୍ୟମାନଙ୍କରେ ଥିବା ଅନେକ ଟ୍ରେଡ ଯୁନିଅନ, ଗଣତାନ୍ତ୍ରିକ ଓ ମାନବିକ ଅଧିକାର ସଂଗଠନମାନେ ମଧ୍ୟ ଗରିବ ରାଜ୍ୟରୁ ଆସିଥିବା ପ୍ରବାସୀ ଶ୍ରମିକଙ୍କ ସମସ୍ୟା ପ୍ରତି ବିଭିନ୍ନ କାରଣ ଲାଗି ନଜର ଦେଇନାହାନ୍ତି। ଆମର ସେହି ସଂଗଠନମାନଙ୍କ ସହିତ ଆଲୋଚନାରୁ ଜାଣିପାରୁଛୁ ଯେ ପ୍ରବାସୀ ଶ୍ରମିକଙ୍କ ଭାଷାକୁ ବୁଝିବାରେ ସମସ୍ୟା, ମାଲିକର ନଜର ମଧ୍ୟରେ ସେମାନେ ସର୍ବଦା ରହିବା, ମାଲିକର ଶାସକ ଦଳସହିତ ବୁଝାମଣା ସମ୍ପର୍କ, ପୁଲିସ ଓ ଶ୍ରମବିଭାଗର ଦୁର୍ନୀତି ତଥା ମିଡିଆର ଉଦାସୀନତା ଏହାର କେତେକ କାରଣ। ଶେଷରେ : ରାଜ୍ୟକୁ ଫେରିଥିବା ସମସ୍ତ ପ୍ରବାସୀ ଶ୍ରମିକ ଆଜି ଅତ୍ୟନ୍ତ ଦୁଃସ୍ଥିତି ମଧ୍ୟରେ ଜୀବନ ବିତାଉଛନ୍ତି। ସରକାର ନିଜ ରାଜ୍ୟର ମନେରେଗା କାମ ଜୁନ ମାସ ୧୫ ତାରିଖରୁ ବନ୍ଦ କରିଦେବା ଫଳରେ ଏବେ ସେମାନେ କାର୍ଯ୍ୟଶୂନ୍ୟ। ଆଜି ଆମେ ସମସ୍ତ ଜନସଂଗଠନ, ରାଜନୈତିକ ଓ ପ୍ରଗତିଶୀଳ ସଂସ୍ଥା ବିଶେଷକରି ରାଜ୍ୟର ଯୁବାବର୍ଗକୁ ଅନୁରୋଧ କରୁଛୁ। କ) ଶ୍ରମିକଙ୍କ ଆବଶ୍ୟକତା ପୂରଣ ଲାଗି ଅନ୍ତତଃ ମାସକୁ ୭୫୦୦ ଟଙ୍କାର ସହଯୋଗ ରାଶି ପ୍ରତ୍ଯେକ ଶ୍ରମିକକୁ ଦେବା ଲାଗି ରାଜ୍ୟ ସରକାରମାନଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଉ। ଏହି ସହଯୋଗ ରାଶି ଦେଶ ସଂପୂର୍ଣ୍ଣ କରୋନା ବିପଦରୁ ମୁକ୍ତ ହେବାର ସରକାରୀ ଘୋଷଣା ପର୍ଯ୍ୟନ୍ତ ଦିଆଯାଉ। ଖ) ନିଜ ଅଞ୍ଚଳର ଏହି ପ୍ରବାସୀ ଶ୍ରମିକଙ୍କର ଏକ ଡାଟା ବ୍ୟାଙ୍କ କରାଯାଉ। ଗ) ଶ୍ରମିକର ଅଧିକାର କିପରି ସୁରକ୍ଷିତ ରହିବ ସେଥିଲାଗି ଗ୍ରାମ ବା ପଞ୍ଚାୟତ ଅନୁସାରେ ସେହି ପ୍ରବାସୀ ଶ୍ରମିକଙ୍କର ଛୋଟ ଛୋଟ ଦଳ ଗଠନ କରି ନିକଟସ୍ଥ ବିଭିନ୍ନ ଶ୍ରମିକ ସଂଗଠନ, ଦଳିତ ଓ ଆଦିବାସୀ ସଂଗଠନ, ଚାଷୀ ସଂଗଠନ, ଗଣତାନ୍ତ୍ରିକ ଓ ମାନବିକ ଅଧିକାର ସଂଗଠନ ଓ ଅନ୍ୟମାନଙ୍କ ସହିତ ସଂଯୋଗ ସ୍ଥାପନ କରାଯାଉ। ଘ) ବାଧ୍ୟବାଧକତାରେ ପ୍ରବାସୀ ହେବାର ପରିସ୍ଥିତି ଯେପରି କାହାରି ନଆସେ ସେଥିଲାଗି ନଜର ଦିଅନ୍ତୁ। ଙ) ରାଜ୍ୟରେ ଶ୍ରମିକ ଠିକାଦାରୀ ପ୍ରଥା ଯେପରି ଉଚ୍ଛେଦ ହେବ ଓ ସରକାରଙ୍କ ଜିଲ୍ଲା ଶ୍ରମଅଧିକାରୀଙ୍କ ଲିଖିତ ଅନୁମତି କ୍ରମେ ଇଛୁକ ରାଜ୍ୟବାସୀ ପ୍ରବାସୀ ଶ୍ରମିକ ଭାବରେ ଯେପରି ବାହାର ରାଜ୍ୟକୁ ଯା’ନ୍ତି ସେଥିଲାଗି ଧ୍ୟାନ ଦିଅନ୍ତୁ। ଆଗାମୀ ଦିନରେ ଶ୍ରମିକମାନେ ଆସୁଥିବା ରାଜ୍ୟ ଓ ନିଯୁକ୍ତି ପାଉଥିବା ରାଜ୍ୟମାନଙ୍କରେ ଥିବା ମାନବିକ ଅଧିକାର ସଂଗଠନ, ଚାଷୀ ସଂଗଠନ ଓ ଟ୍ରେଡ ଯୁନିଅନର ଆପୋଷ ଯୋଗାଯୋଗା ମାଧ୍ୟମରେ ପ୍ରବାସୀ ଶ୍ରମିକର ଅଧିକାରର ସୁରକ୍ଷା ଲାଗି ଉଦ୍ୟମ କରାଯାଇପାରିବ। ନଚେତେ ଧନୀ ରାଜ୍ୟର ଟେକ୍ସଟାଇଲ, ଟ୍ରାନ୍ସପୋର୍ଟ, ବ୍ଯବସାୟିକ କୃଷି ଫାର୍ମ, ନିର୍ମାଣ, କ୍ଷୁଦ୍ର ବ୍ୟବସାୟ, ଇଟାଭାଟି ଶିଳ୍ପ ଚିରକାଳ ଲାଗି ମାନବିକ ଅଧିକାର ଉଲ୍ଲଂଘନର ନମୁନା ପାଲଟିଯିବେ। ପ୍ରସ୍ତୁତି : ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡିଶା ଯୋଗାଯୋଗ: gassbhubaneswara@gmail.com (ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ (ଗାସ) ଓଡିଶାରେ ମାନବିକ ଅଧିକାର ଓ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ଲାଗି କାମ କରୁଥିବା ଏକ ସଂଗଠନ। ଏହା ସଂପୂର୍ଣ୍ଣ ଭାବରେ ସଦସ୍ୟମାନଙ୍କ ସହଯୋଗ ଉପରେ ନିର୍ଭରଶୀଳ। ଏହା କୌଣସି ସରକାରୀ ଅଥବା ବେସରକାରୀ ସଂସ୍ଥାଠାରୁ କୌଣସି ଆର୍ଥିକ ସହଯୋଗ ନେଇ ନଥାଏ। ‘ଗାସ’ ସର୍ବଦା ‘ଦେଶଦ୍ରୋହୀ’ ଧାରା 124A ଓ ମୃତ୍ୟୁଦଣ୍ଡ ବ୍ୟବସ୍ଥାର ଉଚ୍ଛେଦ ପାଇଁ ଦାବି କରିଆସିଛି। ଏତଦବ୍ୟତୀତ, ଏହା ସମସ୍ତ ସାମ୍ପ୍ରଦାୟିକ, ଜାତିଗତ, ଲିଙ୍ଗଗତ ଓ ରାଷ୍ଟ୍ର ପ୍ରଯୋଜିତ ହିଂସାକୁ ବିରୋଧ କରିଥାଏ। ଏହା ନୂତନ ସଦସ୍ଯତା ଆହ୍ଵାନ କରେ।)