ପ୍ରକୃତ ପୁରୁଷତା କଣ?

Nov 18, 2022 - 20:33
 611
ପ୍ରକୃତ ପୁରୁଷତା କଣ?
ସ୍ବଦେଶୀ ମେଘ ମହ୍ଲାର ପୃଷ୍ଟି ଦ୍ରୌପଦୀଙ୍କ ସ୍ବୟମ୍ବର ସଭା । ସଭାରେ ଥାଆନ୍ତି ଭାରତବର୍ଷର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି । କୁରୁ ଯୁବରାଜ ଦୁର୍ଯୋଧନଙ୍କଠାରୁ ଆରମ୍ଭ କରି ମତ୍ସ୍ୟଦେଶର ରାଜା ବିରାଟଙ୍କ ପର୍ଯ୍ୟନ୍ତ .. ଏପଟେ ମଗଧ ସମ୍ରାଟଙ୍କଠାରୁ ଆରମ୍ଭ କରି ଅଙ୍ଗରାଜ କର୍ଣ୍ଣଙ୍କ ପର୍ଯ୍ୟନ୍ତ । ଅପରୂପ ସୌନ୍ଦର୍ଯ୍ୟା ଦ୍ରୌପଦୀଙ୍କୁ ପ୍ରାପ୍ତ କରିବାକୁ ସମସ୍ତେ ବ୍ୟାକୁଳ । ଠିକ୍ ଏତିକି ବେଳେ ସଭା ଆରମ୍ଭ କରିବାକୁ ଯାଇ ପାଞ୍ଚାଳ ଯୁବରାଜ ଦୃଷ୍ଟଦ୍ୟୁମ୍ନ ସ୍ବୟମ୍ବରର ସର୍ତ୍ତ ସଭାଜନଙ୍କ ସାମ୍ନାରେ ରଖିଲେ । ଜଳପାତ୍ରରେ ଉପରେ ଥିବା ଘୂର୍ଣ୍ଣନ ମତ୍ସ୍ୟର ଆଖିକୁ ଯେ ଭେଦ କରି ପାରିବ ସେ ହିଁ ଯଜ୍ଞଜାତ ଦ୍ରୌପଦୀଙ୍କ ବର ହେବାକୁ ଯୋଗ୍ୟ ବୋଲି ଘୋଷଣା କରାଗଲା । ଆର୍ଯ୍ୟବର୍ତ୍ତର ରାଜା, ମହାରାଜା, ସମ୍ରାଟ ସମସ୍ତେ ଆସି ନିଜ ନିଜର ଭାଗ୍ୟ ପରୀକ୍ଷା କରି ଯାଉଥାଆନ୍ତି । କିନ୍ତୁ ପ୍ରତିଥର ନିରାଶ ଓ ନିସ୍ଫଳ ହେଉଥାଆନ୍ତି । ଠିକ୍ ଏତିକି ବେଳେ ବୀରଶ୍ରେଷ୍ଠ ଅଙ୍ଗରାଜ ନିଜର ବୀରତ୍ବ ପରୀକ୍ଷା କରିବାକୁ ଉଦ୍ୟୋତ ହୁଅନ୍ତେ, ଦ୍ରୌପଦୀ ତାଙ୍କୁ ବିରତ ରହିବାକୁ କହିଲେ । ସୁତପୁତ୍ରକୁ ସେ ବିବାହ କରି ପାରିବେ ନାହିଁ ବୋଲି ରୋକଠୋକ ଭାବେ ଜଣାଇ ଦେଲେ । ଦ୍ରୌପଦୀଙ୍କୁ ସମ୍ମାନ ଜଣାଇ, ଅଙ୍ଗରାଜ ଆଉ ଲକ୍ଷ୍ୟ ଭେଦିଲେ ନାହିଁ । କିନ୍ତୁ ପ୍ରଚଣ୍ତ ଅପମାନରେ ତାଙ୍କର ହୃଦୟ ଜଳି ଉଠିଲା । ଦ୍ରୌପଦୀଙ୍କୁ ସେ କହିଲେ, "ସୁତୋ ବା ସୁତୋ ପୁତ୍ର .. ବା ୟୋ ବା କୋ ବା ଭବମ୍ୟହମ୍ ..... ଦୈବାୟତ୍ତଂ କୁଳେ ଜନ୍ମଂ ମଦାୟତ୍ତଂ ତୁ ପୌରୁଷମ୍ " ଅର୍ଥାତ୍, "ମୁଁ ଜଣେ ସୂତ କିମ୍ବା ସୂତ୍ରପୁତ୍ର ହୋଇପାରେ .. ଏକ ନିର୍ଦ୍ଦିଷ୍ଟ ପରିବାରରେ ଜନ୍ମ ହେବା ମୋର ଭାଗ୍ୟର ଅଧୀନ । କିନ୍ତୁ ମୁଁ ମୋ ପାଖରେ ଥିବା ପୁରୁଷତାକୁ ସୃଷ୍ଟି କରିଛି " ସେଦିନ ସ୍ବୟମ୍ବର ସଭାରେ ଅଙ୍ଗରାଜ କର୍ଣ୍ଣ ଦେଖେଇ ଥିଲେ, ପ୍ରକୃତ ପୁରୁଷ ଓ ପୁରୁଷତା କାହାକୁ କୁହାଯାଏ । କର୍ଣ୍ଣ ତାଙ୍କ ଜୀବନକାଳରେ ଅନେକ ଅପମାନ ସହିଥିଲେ । ରାଜପୁତ୍ର ହୋଇ ମଧ୍ୟ ସୁତପୁତ୍ର ଭାବେ ଜୀବନ କାଟିଥିଲେ । ତେବେ ସେ ସମସ୍ତ ପ୍ରତିକୂଳ ପରିବେଶ ସତ୍ତ୍ବେ ସେ ନିଜର ସମ୍ମାନ ହଜାଇ ନଥିଲେ । ସ୍ବାଭିମାନର ସହ ସେ ବଞ୍ଚିବା ଶିଖିଥିଲେ । ନିଜ ପାଇଁ ଲଢ଼ିବା ଶିଖିଥିଲେ । କର୍ଣ୍ଣଙ୍କ ଜୀବନ ଅବଲୋକନ କଲେ ଆମେ ପ୍ରକୃତ ପୌରୁଷର ପ୍ରମାଣ ପାଇ ପାରିବା । ଶାସ୍ତ୍ରରେ କୁହାଯାଇଛି, "ନା ଅଭିଷେକୋ, ନା ସଂସ୍କାରଃ .. ସିଂହସ୍ୟ କ୍ରିୟତେ ବନେ ବିକ୍ରମାର୍ଜିତା ସତ୍ବସ୍ୟ, ସ୍ବୟଂମେବ ମୃଗେନ୍ଦ୍ରତା .." ଅର୍ଥାତ୍, ନା ଅଭିଷେକ କରାଯାଏ .. ନା କିଛି ରୀତିନୀତି କରାଯାଏ .. ନିଜର ବୀରତ୍ବ ତଥା ପୌରୁଷତା ପାଇଁ ସିଂହକୁ ବଣର ରାଜା ହିସାବରେ ମାନ୍ୟତା ଦିଆଯାଏ । ସବୁ ପୁରୁଷଙ୍କ ପାଖେ ଯେ ପୌରୁଷତା ଥାଏ, ଏହା ଆମେ କହି ପାରିବା ନାହିଁ । କିନ୍ତୁ ପୌରୁଷତା ଥିବା ମଣିଷ ନିହାତି ଜଣେ ଜଣେ ପୁରୁଷରେ ଗଣା । ଯେପରି ଜଙ୍ଗଲରେ ଅନେକ ପଶୁ ଥିବା ସତ୍ତ୍ବେ ସିଂହକୁ ରାଜା ଭାବେ ସମ୍ମାନ ମିଳେ ଠିକ୍ ସେପରି କେବଳ ନିଜ କାର୍ଯ୍ୟ ଦ୍ବାରା ହିଁ ଜଣେ ପୌରୁଷତାକୁ ପ୍ରାପ୍ତ କରିପାରିବ । କେହି କାହାକୁ ଏକଥା ଶିଖାଇ ପାରିବେ ନାହିଁ । ଆଉ ଏକ ଉଦାହରଣ ବିଚାରକୁ ନେବା । କୁହାଯାଏ, ଆଜକୁ ପ୍ରାୟ 5200 ବର୍ଷ ପୂର୍ବରୁ କୃଷ୍ଣ ଅବତାର ଗ୍ରହଣ କରିଥିଲେ । ପୁରୁଷତାର ପ୍ରମାଣ ଶ୍ରୀକୃଷ୍ଣ ପ୍ରତି ପଦପାଦରେ ଶିଖାଇ ଯାଇଛନ୍ତି । କୃଷ୍ଣ ପୂର୍ଣ୍ଣ ପୁରୁଷ ଥିଲେ । କାରଣ ସ୍ତ୍ରୀର ସମ୍ମାନ ତାଙ୍କ ପାଇଁ ସବୁଠାରୁ ଉଚ୍ଚାରେ ଥିଲା । କର୍ଣ୍ଣଙ୍କୁ ମାରିବାର ଆଦେଶ, ଅର୍ଜୁନଙ୍କୁ ଏଥିପାଇଁ ଦେଇଥିଲେ, କୁରୁ ରାଜସଭାରେ ଦ୍ରୌପଦୀଙ୍କ ପ୍ରତି ଅନ୍ୟାୟ ହେଉଥିବାର ଦେଖି ମଧ୍ୟ କର୍ଣ୍ଣ ଚୁପ ରହିଥିଲେ । ମହାଭାରତ ଯୁଦ୍ଧରେ ଯେତେବେଳ କର୍ଣ୍ଣ ନିଜର ବଧକୁ ଅଧର୍ମ କହିଥିଲେ, ସେବେ କୃଷ୍ଣ ନିଜ ପକ୍ଷ ରଖିବାକୁ ଯାଇ କହିଥିଲେ, " ପ୍ରଲାପୀ ଓ ଉଜାଗର ଧର୍ମୱାଲେ .. ବଡ଼େ ନିଷ୍ଠା .. ବଡ଼େ ସତକର୍ମ ୱାଲେ .. ସଭା ମୈ ଦ୍ରୌପଦୀ କୋ ଖିଞ୍ଚ ଲାକେ .. ଦୁର୍ଯ୍ୟୋଧନ କି ଉସେ ଦାସୀ ବତାକେ .. ସୁୟାମା ଜାତିକୋ ଆଦର ଦିଆ ଯୋ .. ବହତ ସତ୍କାର ତୁମ ସବନେ କିୟା ଯୋ .. ନହିଁ ୱ ଔର କୁଛ୍ ସତକର୍ମ ହି ଥା .. ଉଜାଗର ଶୀଲ ଭୂଷିତ ଧର୍ମ ହି ଥା .." ~ ରଶ୍ମୀରଥିରୁ ଉଦ୍ଧୃତ କୃଷ୍ଣ ସିଧା କଥା ହିଁ କହିଥିଲେ । ଯେ ନାରୀର ସମ୍ମାନ କରିପାରିବନି, ସେ ପୁରୁଷରେ ଗଣା ନୁହେଁ । କୃଷ୍ଣ ଭଗବାନ ଥିଲେ, ପୂର୍ଣ୍ଣ ପୁରୁଷ ଥିଲେ । କିନ୍ତୁ ଗାନ୍ଧାରୀ କିଏ ଥିଲେ । ମାତ୍ର ଜଣେ ମଣିଷ । କିନ୍ତୁ ଯେତେବେଳେ ଗାନ୍ଧାରୀ କୃଷ୍ଣଙ୍କୁ ନିର୍ବଂଶ ହୋଇ ମରିବାର ଅଭିଶାପ ଦେଇଥିଲେ, କୃଷ୍ଣ ହସି ହସି ତାକୁ ସ୍ବୀକାର କରି ନେଇଥିଲେ । କୃଷ୍ଣ ପାଇଁ ସ୍ତ୍ରୀର ସମ୍ମାନ ସର୍ବୋପରି ଥିଲା । ଇତିହାସ ତଥା କିମ୍ବଦନ୍ତୀରେ ଏପରି ଅନେକ କଥା ଅଛି, ଯାହା ଆମକୁ ପୌରୁଷ ବା ପୁରୁଷତା କଣ ଶିଖାଏ । ପ୍ରକୃତ ପୁରୁଷ କିଏ .. ତାହା ଆମକୁ ଜଣାଏ ।