ପ୍ରକୃତିକୁ କେତେ ଭଲ ପାଆନ୍ତି ନବୀନବାବୁ!

Jul 16, 2019 - 05:58
 1523
ପ୍ରକୃତିକୁ କେତେ ଭଲ ପାଆନ୍ତି ନବୀନବାବୁ!
ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ପ୍ରକୃତି ପ୍ରେମୀ ବୋଲି ତାଙ୍କ ଦଳ ତରଫରୁ ଅନେକ ସମୟରେ ପ୍ରଚାର କରାଯାଇଥାଏ। ୧୯୯୩ ମସିହାରେ ତାଙ୍କ ଲିଖିତ ଏକ ବହି ପ୍ରକାଶ ପାଇଥିଲା। ତାହାର ନାମ ହେଉଛି ‘ ଦ ଗାର୍ଡେନ ଅଫ୍‌ ଲାଇଫ୍‌- ଆନ୍‌ ଇନ୍‌ଟ୍ରଡକ୍ସନ ସହ ହିଲିଂ ପ୍ଲାଣ୍ଟସ ଅଫ୍‌ ଇଣ୍ଡିଆ’। ବହିରେ ସେ ରୋଗ ଭଲ କରିପାରୁଥିବା ଭାରତର କେତେକ ଗଛ ବିଷୟରେ ଉଲ୍ଲେଖ କରିଛନ୍ତି। ସେଥିପାଇଁ ତାଙ୍କୁ ପ୍ରକୃତି ପ୍ରେମୀ ବୋଲି କୁହାଯାଏ। ନବୀନବାବୁ ନବୀନ ନିବାସର ସ୍ଥାୟୀ ବାସିନ୍ଦା ହେବା ପରେ ଏହାର ପରିସରରେ ଅନେକ ଭଲ ଭଲ ଗଛ ଲାଗିଛି। ଚଢ଼େଇ ପାଇଁ ସେ ସବୁଦିନିଆ ପାଣି ବ୍ୟବସ୍ଥା କରିଛନ୍ତି। ସେ ଭିଡ଼ ଭିତରେ ରହିବା ଅପେକ୍ଷା ନବୀନ ନିବାସର ଗଛବୃଚ୍ଛଙ୍କ ଗହଣରେ ରହିବାକୁ ଭଲ ପାଆନ୍ତି ବୋଲି ଗୋଟେ ଧାରଣା ଅଛି। ସେଥିପାଇଁ ସେ ପ୍ରକୃତି ପ୍ରେମୀ! ନବୀନବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେଲା ପରେ ସେ ସଦସ୍ୟ ଧିବା ଇନ୍‌ଟାଚ୍‌କୁ ବିନ୍ଦୁସାଗର ପୁନରୁଦ୍ଧାର ଦାୟିତ୍ବ ଦେଇଥିଲେ। ତାଙ୍କ ଇଚ୍ଛା ଯୋଗୁଁ ବିନ୍ଦୁସାଗର କୂଳରେ କୋଟିକୋଟି ଟଙ୍କା ବ୍ୟୟରେ ଏକ ଔଷଧୀୟ ଉଦ୍ୟାନ ପ୍ରତିଷ୍ଠା କରାଯାଇଛି। ନବୀନବାବୁ ମଝିରେ ମଝିରେ ଯାଇଁ ସେଇ ଉଦ୍ୟାନରେ ବସନ୍ତି। ତେଣୁ ସେ ପ୍ରକୃତି ପ୍ରେମୀ! ତେବେ ନବୀନ ପଟ୍ଟନାୟକଙ୍କ ଶାସନ କାଳ ମଧ୍ୟରେ ଓଡ଼ିଶାର ପରିବେଶ ଓ ପ୍ରକୃତି ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲେ ହେଁ ସେଥିପ୍ରତି ତାଙ୍କର ଆବେଗ ନାହିଁ କି ଉଦବେଗ ନାହିଁ। ଖଣି, ଶିଳ୍ପାୟନ, ସହରାୟନ, ଚିଙ୍ଗୁଡ଼ି ଚାଷ ଆଦି ଅନେକ କାରଣରୁ ଓଡ଼ିଶାର ପରିବେଶ ଓ ପ୍ରକୃତି ଧ୍ବଂସ ହେବାରେ ଲାଗିଛି। ତାହାର ପ୍ରତିକାର ପରିବର୍ତ୍ତେ ସରକାରଙ୍କ ତରଫରୁ ତାହା ଯେପରି ଶୀଘ୍ର ଉଜୁଡ଼ିଯିବ ସେହିପ୍ରକାର ଯୋଜନା ତିଆରି ହେଉଛି। ପରିବେଶ ଓ ପ୍ରକୃତିର ସଂରକ୍ଷଣ ଓ ବିକାଶ ପାଇଁ ରାଜ୍ୟରେ କେତେକ ସଂସ୍ଥା ଗଠିତ ହୋଇଛି। ଏସବୁ ସଂସ୍ଥାର ମୁଖ୍ୟ ହେଲେ ମୁଖ୍ୟମନ୍ତ୍ରୀ। କିନ୍ତୁ ସେହିସବୁ ସଂସ୍ଥାର ବୈଠକ ବର୍ଷ ବର୍ଷ ଧରି ବସୁନାହିଁ। ଫଳରେ ପରିବେଶ ଓ ପ୍ରକୃତିର ସୁରକ୍ଷା ଓ ବିକାଶ କାର୍ଯ୍ୟ ତ୍ବରାନ୍ବିତ ହୋଇପାରୁ ନାହିଁ। ସେପରି କେତେକ ସଂସ୍ଥା ହେଲା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ଆଞ୍ଚଳିକ ଉଦ୍ଭିଦ ସଂପଦ କେନ୍ଦ୍ର, ଓଡ଼ିଶା ବନ୍ୟପ୍ରାଣୀ ବୋର୍ଡ଼, ଓଡ଼ିଶା କାମ୍ପା ପରିଚାଳନା କର୍ତ୍ତୃପକ୍ଷ। ୨୦୧୯ ଜୁଲାଇ ୧୬ ତାରିଖରେ କେନ୍ଦୁଝର ବିଧାୟକ ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯେଉଁ ତଥ୍ୟ ରଖିଛନ୍ତି ସେଥିରୁ ଓଡ଼ିଶାର ପରିବେଶ ଓ ପ୍ରକୃତି ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରୀତି କେତେ ତାହା ଜଣାପଡ଼ିଯାଉଛି। କେନ୍ଦୁଝର ବିଧାୟକ ଶ୍ରୀ ମାଝୀଙ୍କର ପ୍ରଶ୍ନ ଥିଲା, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିବେ କି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ରିଜିଓନାଲ ପ୍ଲାଂଟ୍‌ ରିସୋର୍ସ ସେଣ୍ଟର, ଓଡ଼ିଶା ବନ୍ୟପ୍ରାଣୀ ବୋର୍ଡ଼, ଓଡ଼ିଶା କେନ୍ଦୁପତ୍ର ଉନ୍ନୟନ ବୋଡ଼୍ଡ଼ ଓ ଓଡ଼ିଶା କାମ୍ପା ପରିଚାଳନା କମିଟି କେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ କେବେ ଗଠନ କରାଯାଇଥିଲା, ସଂପୃକ୍ତ କେଉଁ ସଂସ୍ଥାର ଗଭର୍ଣ୍ଣିଂ ବଡି, ବୋର୍ଡ଼ ଓ ମ୍ୟାନେଜମେଣ୍ଟ କମିଟିର ବୈଠକ କେତେ ଅନ୍ତରରେ ବସିବା ପାଇଁ ନୀତି ନିର୍ଦ୍ଧାରଣ ହୋଇଥିଲା ଏବଂ କେଉଁ ସଂସ୍ଥାର ଶେଷ ବୈଠକ କେଉଁ ତାରିଖରେ କାହା ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା? ଏହାର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ ଚିଲିକା ହ୍ରଦର ପରିବେଶ ଓ ସଂରକ୍ଷଣ ନିମନ୍ତେ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ୨୦.୧୧.୧୯୯୧ ତାରିଖର ସଂକଳ୍ପନାମା ଅନୁସାରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଗଠନ କରାଯାଇଥିଲା। ଚିଲିକା ହ୍ରଦ ଓ ତା’ର ଚତୁଃପାର୍ଶ୍ବର ଉନ୍ନତିକରଣ ପାଇଁ ଏହା ଗଠିତ ହୋଇଥିଲା। ଏହାର ପରିଚାଳନା ପରିଷଦର ବୈଠକ ପ୍ରତି ୩ ମାସରେ ଥରେ ବସିବା ପାଇଁ ନିର୍ଦ୍ଧାରଣ କରାଯାଇଛି। ଏହାର ଶେଷ ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାର ୨୫.୨.୨୦୧୫ ତାରିଖରେ ବସିଥିଲା। ଅର୍ଥାତ ଇତିମଧ୍ୟରେ ୪ ବର୍ଷ ବିତି ଯାଇଥିଲେ ବି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ପରିଚାଳନା ପରିଷଦ ଆଉ ବସି ନାହିଁ। ନିୟମ ଅନୁସାରେ ବୈଠକ ବସିଥିଲେ ଏହି ୪ ବର୍ଷ ଭିତରେ ୧୬ ଥର ବୈଠକ ବସନ୍ତାଣି। ଚିଲିକା ଅଧା ପୋତିହୋଇ ଗଲାଣି। ଦଳ ମାଡ଼ି ଗଲାଣି। ମାଫିଆମାନେ ମଧ୍ୟ ବେଆଇନ ଚିଙ୍ଗୁଡ଼ି ଘେରି ପାଇଁ ଚିଲିକାର ଅନେକ ଅଂଶ ଜବରଦଖଲ କରିଗଲେଣି। ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ରାଜ୍ୟ ସରକାର ବେଆଇନ ଘେରି ଉଚ୍ଛେଦ କାର୍ଯ୍ୟ ତ୍ବରାନ୍ବିତ ନକରି ମଝିରେ ମଝିରେ ବନ୍ଦ କରିଦେଉଛନ୍ତି। ଘେରି ଉଚ୍ଛେଦ କାର୍ଯ୍ୟକୁ କୋର୍ଟଙ୍କ ରାୟ ଅନୁସାରେ ଆଗେଇ ନେଇଥିବା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ଜନୈକ ଅଧିକାରୀଙ୍କୁ ବଦଳି କରିଦିଆଯାଇଛି। ସେହିପରି ବିଧାୟକ ମାଝୀଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଆରୁଖ କହିଛନ୍ତି ଯେ ବନ୍ୟପ୍ରାଣୀ ସୁରକ୍ଷା ସଂଶୋଧନ ଅଧିନିୟମ ୨୦୦୨ ଅନୁଯାୟୀ ଜଙ୍ଗଲ ଓ ପରିବେଶ ବିଭାଗର ୨୯.୯.୨୦୦୩ ସଂକଳ୍ପନାମା ଅନୁସାରେ ଓଡ଼ିଶା ବନ୍ୟପ୍ରାଣୀ ବୋର୍ଡ଼ ଗଠିତ ହୋଇଛି। ବନ୍ୟପ୍ରାଣୀ ସଂପର୍କୀତ ବିଷୟରେ ଏହା ରାଜ୍ୟ ସରକାରଙ୍କୁ ଆବଶ୍ୟକ ପରାମର୍ଶ ପ୍ରଦାନ କରିଥାନ୍ତି। ଏହାର କାର୍ଯ୍ୟକାଳ ୩ ବର୍ଷ ଏବଂ ନିୟମ ଅନୁଯାୟୀ ବୋର୍ଡ଼ର ବୈଠକ ବର୍ଷକୁ ୨ ଥର ବସିବା ପାଇଁ ଧାର୍ଯ୍ୟ ହୋଇଛି। ବୋର୍ଡ଼ ଗଠନ ମଧ୍ୟରୁ ଏଯାବତ ବୋର୍ଡ଼ର ହୋଇଥିବା ୩ ଗୋଟି ବୈଠକ ମଧ୍ୟରୁ ଶେଷ ବୈଠକଟି ୧୧.୨.୨୦୧୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଅର୍ଥାତ ଗଠନର ୧୬ ବର୍ଷ ଭିତରେ ବନ୍ୟପ୍ରାଣୀ ବୋର୍ଡ଼ର ବୈଠକ ୩୨ ଥର ବସିବା ପରିବର୍ତ୍ତେ ମାତ୍ର ୩ ଥର ବସିଛି। ଶେଷ ଥର ବୈଠକ ପରେ ବି ୫ ବର୍ଷ ବିତିଗଲାଣି। ଆଉ ବୈଠକ ବସିନାହିଁ। ତେଣକି ହାତୀ-ମଣିଷ ଲଢ଼େଇ ଗୁରୁତର ରୂପ ଧାରଣ କରୁ, ହାତୀମାନେ ଶହଶହ ସଂଖ୍ୟାରେ ମରନ୍ତୁ, ମଣିଷମାନେ ବି ମରନ୍ତୁ, ଜଙ୍ଗଲ ସଫା ହୋଇ ଅନ୍ୟ ବନ୍ୟପ୍ରାଣୀମାନେ ବେଘର ହୁଅନ୍ତୁ, ଖାଦ୍ୟାଭାବରେ ଲୋପ ପାଇଯାନ୍ତୁ, ମୁଖ୍ୟମନ୍ତ୍ରୀଙ୍କର କିଛି ଚିନ୍ତା ନାହିଁ। ବୈଠକ ହେଲେ ସିନା ସେସବୁ ବିଷୟରେ ଚିନ୍ତା କରିବାକୁ ପଡ଼ିବ! ମନ୍ତ୍ରୀଙ୍କ ଉତ୍ତର ଅନୁସାରେ ଜଙ୍ଗଲ ଓ ପରିବେଶ ବିଭାଗର ୨୮.୧.୨୦୧୪ ତାରିଖର ସଂକଳ୍ପନାମା ଅନୁସାରେ ଓଡ଼ିଶା କେନ୍ଦ୍ରପତ୍ର ଉନ୍ନୟନ ବୋର୍ଡ଼ ଗଠନ କରାଯାଇଛି। ଏହି ବୋର୍ଡ଼ କେନ୍ଦୁପତ୍ରର କ୍ରୟମୂଲ୍ୟ ଧାର୍ଯ୍ୟ କରିବା ସହିତ ଏ ସଂପର୍କୀତ ଅନ୍ୟାନ୍ୟ ଉପଦେଶାବଳି ନିର୍ଣ୍ଣୟ କରିଥାନ୍ତି। ଶେଷ ଥର ପାଇଁ ୯.୭.୨୦୧୯ ତାରିଖରେ ବୋର୍ଡ଼ର ବେଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା। ଏ ବୋର୍ଡ଼ ପାଇଁ ମୁଖ୍ୟମନ୍ତ୍ରୀଙ୍କର ଏତେ ଦରଦର କାରଣ ହେଲା ଭୋଟ! କେନ୍ଦୁପତ୍ର ଶ୍ରମିକମାନେ ଭୋଟର। ସେମାନଙ୍କୁ କେନ୍ଦୁପତ୍ର ପାଇଁ ଅଧିକ ଦର ଦେଲେ, ଛତା, ଜୋତା ଇତ୍ୟାଦି ବାଣ୍ଟିଲେ ଅଧିକ ଭୋଟ୍‌ ମିଳିବାର ସମ୍ଭାବନା ଅଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ଏ ବୈଠକରେ ଯୋଗ ଦିଅନ୍ତି। ପଶୁ ଓ ଗଛମାନେ କ’ଣ ଭୋଟ ଦିଅନ୍ତି? କାମ୍ପା ବୋର୍ଡ଼ ସଂପର୍କରେ ମନ୍ତ୍ରୀ କହିଛନ୍ତି ଯେ ସୁପ୍ରିମ କୋର୍ଟଙ୍କ ୩୦.୧୦.୨୦୦୨ ତାରିଖର ଆଦେଶ ମୁତାବକ ଭାରତ ସରକାରଙ୍କ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ କ୍ଷତିପୂରକ ବନୀକରଣ ପାଣ୍ଠିର ପରିଚାଳନା ପାଇଁ ଏକ ସଂସ୍ଥା ଗଠନ କରିଛନ୍ତି। ସୁପ୍ରିମ କୋର୍ଟଙ୍କ ୫.୫.୨୦୦୬ ତାରିଖର ଆଦେଶ ଅନୁଯାୟୀ ଭାରତ ସରକାର ଆଡ଼୍‌ ହକ୍‌ କାମ୍ପା ଗଠନ କରିଥିଲେ। ପୁଣି ସର୍ବୋଚ୍ଚ ନ୍ୟାୟାଳୟଙ୍କ ୧୦.୭.୨୦୦୯ ତାରିଖର ମାର୍ଗଦର୍ଶିକା ଅନୁଯାୟୀ ଓଡ଼ିଶା ସରକାର ୧୪.୮.୨୦୦୯ ତାରିଖରେ ରାଜ୍ୟ କାମ୍ପା ଗଠନ କରିଥିଲେ। ପରେ ଭାରତ ସରକାରଙ୍କ ୩.୮.୨୦୧୬ ତାରିଖର କ୍ଷତିପୂରକ ବନୀକରଣ ଅଧିନିୟମ ଏବଂ ୧୦.୮.୨୦୧୮ ତାରିଖର କ୍ଷତିପୂରଣ ବନୀକରଣ ଆଇନ ଅନୁସାରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ୨୯.୯.୨୦୧୮ ତାରିଖର ବିଜ୍ଞପ୍ତି ଜାରି କରି କ୍ଷତିପୂରକ ବନୀକରଣ ପାଣ୍ଠି ପରିଚାଳନା ଏବଂ ଯୋଜନା କର୍ତ୍ତୃପକ୍ଷ ଗଠନ କରିଛନ୍ତି। ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁଯାୟୀ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଜଙ୍ଗଲ ଜମି ଅପସାରଣ ପାଇଁ ସଂଗୃହୀତ ହେଉଥିବା କ୍ଷତିପୂରକ ବନୀକରଣ, ଅତିରିକ୍ତ କ୍ଷତିପୂରକ ବନୀକରଣ, ଦଣ୍ଡ କ୍ଷତିପୂରକ ବନୀକରଣ, ନେଟ୍‌ ବର୍ତ୍ତମାନ ମୂଲ୍ୟ, ଜଳାଞ୍ଚଳ ପରିଚାଳନା ଯୋଜନା, ବନ୍ୟଜନ୍ତୁ ପରିଚାଳନା ବାବଦ ସମସ୍ତ ଅର୍ଥକୁ ଆଡ଼୍‌ ହକ୍‌ କାମ୍ପା ପାଣ୍ଠିକୁ ହସ୍ତାନ୍ତର କରିଥାନ୍ତି। ଆଡ଼୍‌ ହକ୍‌ କାମ୍ପା ଉତ୍ତ ଅର୍ଥରୁ ରାଜ୍ୟ କାମ୍ପାମାନଙ୍କୁ ବାର୍ଷିକ କାର୍ଯ୍ୟ ଯୋଜନା ପାଇଁ ଅର୍ଥ ଯୋଗାଇ ଦିଅନ୍ତି। ଏହି ଅର୍ଥକୁ ମାର୍ଗଦର୍ଶିକା ଅନୁଯାୟୀ କ୍ଷତିପୂରକ ବନୀକରଣ, ପତିତ ଜଙ୍ଗଲର ପୁନଃର୍ଜନନ, ପ୍ରାକୃତିକ ଜଙ୍ଗଲର ରକ୍ଷଣାବେକ୍ଷଣ ଓ ସୁରକ୍ଷା, ବନ୍ୟଜନ୍ତୁ ସଂରକ୍ଷଣ ଓ ସୁରକ୍ଷା, ଭିତ୍ତିଭୂମିର ବିକାଶ ଇତ୍ୟାଦି କାର୍ଯ୍ୟ ପାଇଁ ବିନିଯଗ କରାଯାଇଥାଏ। ରାଜ୍ୟ କାମ୍ପା ପରିଚାଳନା ପାଇଁ ତିନିଟି କମିଟି ଗଠନ କରାଯାଇଛି। କମିଟିଗୁଡ଼ିକ ହେଲା ନିର୍ବାହୀ କମିଟି, ଷ୍ଟିଅରିଂ କମିଟି ଓ ଗଭର୍ଣ୍ଣି ବଡି। ଜଙ୍ଗଲ ଓ ପରିବେଶ ବିଭାଗର ୨୯.୯.୨୦୧୮ ତାରିଖ ବିଜ୍ଞପ୍ତି ଅନୁଯାୟୀ ନିର୍ବାହୀ କମିଟି ଓ ଷ୍ଟିଅରିଂ କମିଟିର ବୈଠକ ପ୍ରତି ୩ ମାସରେ ଥରେ ଏବଂ ଗଭର୍ଣ୍ଣିଂ ବଡିର ବୈଟକ ପ୍ରତି ୬ ମାସରେ ଥରେ ବସିବା ପାଇଁ ନୀତି ନିର୍ଦ୍ଧାରଣ କରାଯାଇଛି। ନିର୍ବାହୀ କମିଟି ଓ ଷ୍ଟିଅରିଂ କମିଟିର ଶେଷ ବୈଠକ ଯଥାକ୍ରମେ ୫.୧୨.୨୦୧୮ ଓ ୨୦.୧୨. ୨୦୧୮ ତାରିଖରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷଣ ଓ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଗଭର୍ଣ୍ଣିଂ ବଡିର ଶେଷ ବୈଠକ ୨୭.୬.୨୦୧୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଅର୍ଥାତ ଇତିମଧ୍ୟରେ ୬ ବର୍ଷ ବିତି ଯାଇଥିଲେ ବି କାମ୍ପା ଗଭର୍ଣ୍ଣିଂ ବଡି ବୈଠକ ଅନୁଷ୍ଠିତ ହୋଇନାହିଁ। ହୋଇଥିଲେ ୧୨ ଥର ବୈଠକ ବସି ସାରନ୍ତାଣି। ରାଜ୍ୟର ପରିବେଶ ଓ ପ୍ରକୃତି ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନିଷ୍ଠା କେତେ ତାହା ଏଥିରୁ ସ୍ପଷ୍ଟ।