ପିତୃସ୍ବପ୍ନର ପଛେ ପଛେ-୭

Apr 8, 2019 - 03:24
 664
ପିତୃସ୍ବପ୍ନର ପଛେ ପଛେ-୭
ବିଶ୍ବଜିତ ମହାନ୍ତି ବେଦାନ୍ତ ଶାସନ ‘ମୁଁ ଭାରତୀୟ ମନସ୍ତତ୍ତ୍ୱ ବୁଝେ। ତାହା ହିଁ ମୋର ସବୁଠୁ ବଡ଼ ସୁବିଧା। ଭାରତରେ ତୁମେ ଧୈର୍ଯ୍ୟ ରଖିବା ଦରକାର। ଆପେ ଆପେ ସବୁ ମିଳିବ।’ ଏହା କହିଛନ୍ତି ବେଦାନ୍ତ ରିସୋର୍ସେସ ପିଏଲସିର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ। ଜଣେ ସାଧାରଣ ସ୍କ୍ରାପ ବ୍ୟବସାୟୀରୁ ଅଗ୍ରୱାଲ କିପରି ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଶହଶହ କୋଟି ପାଉଣ୍ଡ ସଂଗ୍ରହ କରିପାରିଲେ ତାହା ଏକ ରହସ୍ୟ। ଭାରତର ଅନେକ ଉଚ୍ଚସ୍ତରର ରାଜନେତା ତାଙ୍କ ସାଙ୍ଗ ତାଲିକାରେ ଅଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି. ଚିଦାମ୍ୱରମ ଏକଦା ବେଦାନ୍ତ ବୋର୍ଡ଼ର ସଦସ୍ୟ ଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ଅନ୍ୟମାନଙ୍କୁ ସପ୍ତାହ ସପ୍ତାହ ଅପେକ୍ଷା କରିବାକୁ ପଡ଼ୁଥିବାବେଳେ ଅନୀଲ ଅଗ୍ରୱାଲ ଯେତେବେଳେ ଚାହାନ୍ତି ସେତେବେଳେ ଭେଟନ୍ତି। ଅଲିଭା ଛାପ ବେଦାନ୍ତ ହେଉଛି ଏମିତି ଏକ କର୍ପୋରେଟ ଗୋଷ୍ଠୀ ଯାହା ସହିତ ନବୀନ ପଟ୍ଟନାୟକ ସରକାରର ପରିଚୟ ଯୋଡ଼ି ହୋଇଯାଇଛି। ଏପରିକି ୨୦୦୪ ମସିହାରେ ନିୟମଗିରି ଖଣି ଦୁର୍ନୀତି କଥା ପଦାରେ ପଡ଼ିବା ପରେ ମଧ୍ୟ। ଷ୍ଟେର୍ଲାଇଟ୍ ଇଣ୍ଡଷ୍ଟ୍ରିଜ ନାମରେ ପୂର୍ବରୁ ପରିଚିତ ବେଦାନ୍ତ ଆଲୁମିନିୟମ ପୂର୍ବର କଂଗ୍ରେସ ସରକାର ସହିତ ମଧ୍ୟ ବ୍ୟବସାୟ କରିଥିଲା। ତଥାପି ଓଡ଼ିଶାରେ ବିଜେଡି ସରକାର ପ୍ରତିଷ୍ଠିତ ହେଲା ପରେ ହିଁ ଓଡ଼ିଶାରେ ଆଲୁମିନିୟମ କାରଖାନା ପ୍ରତିଷ୍ଠା କରିବାକୁ ସମର୍ଥ ହୋଇଥିଲେ ଅନୀଲ ଅଗ୍ରୱାଲ। ଓଡ଼ିଶାରେ ଭାରତର ୨୫ ପ୍ରତିଶତ ବକ୍ସାଇଟ୍ ଗଚ୍ଛିତ ଅଛି। ବକ୍ସାଇଟ ହେଉଛି ଆଲୁମିନିୟମ ଉପିାଦନର ମୁଖ୍ୟ କଞ୍ଚାମାଲ। ୧୯୫୭ ଏମଏମଡିଆର ଆଇନ ଅନୁସାରେ ବେଦାନ୍ତକୁ ଓଡ଼ିଶାରେ ବକ୍ସାଇଟ ଖଣି ଲିଜ ମିଳିବା ସମ୍ଭବ ନହେଲାରୁ ଖାସ ବେଦାନ୍ତ ପାଇଁ ଓଡ଼ିଶା ସରକାରଙ୍କ ଅଧୀନସ୍ତ ଓଡ଼ିଶା ଖଣି ନିଗମକୁ ନିୟମଗିରି ଖଣି ଲିଜ୍ ଦିଆଗଲା। ଘଂଚ ଜଙ୍ଗଲ ପରିବେଷ୍ଟିତ ନିୟମଗିରିରେ ୭୨ ନିୟୁତ ଟନ ବକ୍ସାଇଟ୍ ଗଚ୍ଛିତ ରହିଛି ବୋଲି ହିସାବ କରାଯାଇଛି। ଓଡ଼ିଶା ଖଣି ନିଗମ ବା ଓଏମସିରୁ ଦୀର୍ଘକାଳୀନ ଭିତ୍ତିରେ ବକ୍ସାଇଟ ନେବା ପାଇଁ ବେଦାନ୍ତ ଏକ ଯୌଥ ଉଦ୍ୟୋଗ ଗଠନ କରିଥିଲା। ୨୦୦୪ ଅକ୍ଟୋବର ୫ ତାରିଖରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ର ଅନୁଯାୟୀ ଏହିଯୌଧ ଉଦ୍ୟୋଗରେ ବେଦାନ୍ତର ୭୪ ପ୍ରତିଶତ ଅଂଶଧନ ରହିବ ଓ ଉଦ୍ୟୋଗ ଯେତେ ପରିମାଣର ବକ୍ସାଇଟ ଉେତ୍ତାଳନ କରିବ ସବୁ ବେଦାନ୍ତକୁ ବିକିଦେବ। ପ୍ରତି ଟନ୍ ପିଛା ଓଏମସି ପାଇବ ମାତ୍ର ୬୪ ଟଙ୍କା। ସେତେବେଳେ ବକ୍ସାଇଟ ଦର ଥିଲା ଟନ୍ ପିଛା ୧୦୦୦ ଟଙ୍କା ଓ ଏହାର ଉେତ୍ତାଳନ ଖର୍ଚ୍ଚ ଥିଲା ଟନ୍ ପିଛା ମାତ୍ର ୧୦୦ ଟଙ୍କା। ଏତେ ଲାଭ ମିଳିବାର ସମ୍ଭାବନା ଥିଲେ ବି ଓଏମସି କାହିଁକି ନିଜେ ନକରି ବେଦାନ୍ତକୁ ୭୪ ପ୍ରତିଶତ ଅଂଶଧନ ଦେଲା ସେ ପ୍ରଶ୍ନ କେହି ଉଠେଇଲେ ନାହିଁ। କମ୍ପାନୀ ଆଇନଗତ ମଂଜୁରୀକୁ ଅପେକ୍ଷା ନକରି କାମ ଆରମ୍ଭ କଲା। ୨୦୦୪ ଅକ୍ଟୋବରରେ ଏହାକୁ କେନ୍ଦ୍ର କରି ବିବାଦ ଆରମ୍ଭ ହେଲା। ବିରୋଧୀ ବିଧାୟକମାନେ ଅଭିଯୋଗ କଲେ ବେଦାନ୍ତ କମ୍ପାନୀ ଅନେକ ଆଇନ ଉଲ୍ଲଙ୍ଘନ କରିଛି। ସମୁଦ୍ର ପତନରୁ ୪୨୪୮ ଫୁଟ ଉଚ୍ଚରେ ଥିବା ନିୟମଗିରି ଖଣି ପ୍ରକଳ୍ପ ପାଇଁ ଜଙ୍ଗଲ ଓ ପରିବେଶ ମଂଜୁରୀ ମିଳି ନଥିଲେ ମଧ୍ୟ କମ୍ପାନୀର ରିଫାଇନାରୀ କାମ ଅଧା ଆଗେଇ ସାରିଥିଲା। ସେହି ବର୍ଷ ନଭେମ୍ୱର ମାସରେ ଏ ନେଇ ସୁପ୍ରିମ କୋର୍ଟଙ୍କ ନିଯୁକ୍ତ କ୍ଷମତା ସଂପନ୍ନ କମିଟି ନିକଟରେ ତିନିଟି ପିଟିସନ ପଡ଼ିଲା। ୨୦୦୪ ନଭେମ୍ୱର ୬ ତାରିଖରେ ପ୍ରଥମ ପିଟିସନ ପକାଇଥିଲେ ଏହି ଲେଖକ। ଅଗ୍ରୱାଲ କେବେ ବି କଳ୍ପନା କରିନଥିବେ ଯେ ତାଙ୍କ ସ୍ୱପ୍ନର କାରଖାନା ଆରମ୍ଭ କରିବା ପୂର୍ବରୁ ଆଇନର ଲଢ଼େଇ ଏତେ ଲମ୍ୱା ଓ ଯନ୍ତ୍ରଣାଦାୟକ ହେବ। ତାଙ୍କର ଦାବି ଥିଲା ପିଲାବିକ୍ରି ଓ ଅନାହାର ମୃତ୍ୟୁ ପାଇଁ କୁଖ୍ୟାତି ଅର୍ଜନ କରିଥିବା କଳାହାଣ୍ଡି ତାଙ୍କ କାରଖାନା ଯୋଗୁଁ ସମୃଦ୍ଧ ହେବ। କିନ୍ତୁ ତାଙ୍କର ଏହି ଦାବି ଥିଲା ଭ୍ରମାତ୍ମକ। କାରଖାନାରେ ୩୦୦ ଉଚ୍ଚ କୁଶଳୀ ଶ୍ରମିକଙ୍କ ସମେତ ସମୁଦାୟ ମାତ୍ର ୩୫୦ ଜଣ କର୍ମଚାରୀ କାର୍ଯ୍ୟ କରିବାର ଥିଲା। କଳାହାଣ୍ଡିରୁ ପ୍ରତିବର୍ଷ ୩ ଲକ୍ଷରୁ ଅଧିକ ଦରିଦ୍ର ଲୋକ ବାହାରକୁ ଦାଦନ ଖଟିବା ପାଇଁ ଯାଇଥାନ୍ତି। ବେଦାନ୍ତ ପ୍ରକଳ୍ପ ଅନୁସାରେ ନିୟମଗିରି ପାହାଡ଼ ଉପରୁ ଉଚ୍ଚମାନର ବକ୍ସାଇଟକୁ ଗୋଟିଏ କନଭେୟର ବେଲ୍ଟ ଜରିଆରେ ପାହାଡ଼ ତଳେ ଥିବା ବେଦାନ୍ତ ଆଲୁମିନା କାରଖାନାକୁ ପଠାଯିବ। ଏଥିପାଇଁ ପରିବହନ ଖର୍ଚ୍ଚ ପଡ଼ିବ ନାହିଁ। କାରଣ କନଭେୟର ବେଲ୍ଟ ଜରିଆରେ ପାହାଡ଼ ଉପରୁ ପାହାଡ଼ ତଳକୁ ବକ୍ସାଇଟ ଆପେ ଆପେ ଗଡ଼ି ଆସିବ। କାରଖାନା ପାଇଁ ପାଖରେ ଥିବା ତେଲ ନଦୀରୁ ଅତ୍ୟନ୍ତ ଶସ୍ତାରେ ପାଣି ମିଳିଯିବ। ଏହି ରିଫାଇନାରୀରୁ ଉପିାଦିତ ଆଲୁମିନା ଝାରସୁଗୁଡ଼ା ଜିଲ୍ଲାରେ ଥିବା କମ୍ପାନୀର ବାର୍ଷିକ ୫ ନିୟୁତ ଟନ୍ ଉପିାଦନ କ୍ଷମତା ବିଶିଷ୍ଟ ସ୍ମେଲ୍ଟର ପ୍ଲାଣ୍ଟକୁ ଯିବ। ସେଠାରେ ତାହା ଆଲୁମିନିୟମରେ ପରିଣତ ହେବ। ନିୟମଗିରି ପାହାଡ଼ରେ ଆଦିମ କାଳରୁ ବସବାସ କରି ଆସୁଛନ୍ତି ଆଦିମ ଡଙ୍ଗରିଆ କନ୍ଧ। ସେମାନେ ଏକ ବିରଳ ଆଦିମ ଜନଜାତି। ଖଣି ପ୍ରକଳ୍ପ ପାଇଁ ସେମାନଙ୍କ ଜୀବନ ଓ ଜୀବିକା ଉଜୁଡ଼ିଯିବା ନିଶ୍ଚିତ। ସେହିପରି ଜଙ୍ଗଲ ଅନୁମୋଦନ ମିଳିବା ପୂର୍ବରୁ ଜଙ୍ଗଲ ଜମିରେ ବେଦାନ୍ତ ଆରମ୍ଭ କରିଥିଲା କାରଖାନା ନିର୍ମାଣ। ଏହା ହିଁ ଏହି ବିବାଦର ମୂଳ ବିନ୍ଦୁ। ଜଙ୍ଗଲ ଅନୁମୋଦନ ବିନା ଜଙ୍ଗଲ ଜମି ବ୍ୟବହାର କରିବା ପରେ ବେଦାନ୍ତ ଏ ସଂପର୍କୀତ ଦରଖାସ୍ତ ପ୍ରତ୍ୟାହାର କରିବାକୁ ଚାହିଁଥିଲା। ୨୦୦୫ ମାର୍ଚ୍ଚ ୨୭ ତାରିଖ ଥିଲା ଏକ ରବିବାର। ସେହି ଦିନ ବେଦାନ୍ତ କମ୍ପାନୀ ରାଜ୍ୟ ସରକାରଙ୍କୁ ଏକ ଦରଖାସ୍ତ ଦେଲା। ପର ଦିନ ରାଜ୍ୟ ସରକାର ଏହାକୁ ଅନୁମୋଦନ କରି କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟକୁ ଫ୍ୟାକ୍ସ କରିଦେଲେ। ତା’ର ମାତ୍ର ଦୁଇ ଘଣ୍ଟା ଭିତରେ କମ୍ପାନୀକୁ ଜଙ୍ଗଲ ଅନୁମୋଦନ ମିଳିଗଲା। ଏ ସଂପର୍କରେ ସିଇସି ଶୁଣାଣୀ ସମୟରେ ଏଇ ଲେଖକ ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନ ଉଠାଇଥିଲା- କମ୍ପାନୀ ସହିତ ଭିତିରି ସଂପର୍କ ନଥିଲେ ଛୁଟିଦିନ ରବିବାରରେ ରାଜ୍ୟ କର୍ମଚାରୀମାନେ କାହିଁକି ତା’ର ଦରଖାସ୍ତ ପ୍ରକ୍ରିୟା ଶେଷ କଲେ? ସେଥିପାଇଁ କି ପ୍ରକାର ଜରୁରୀ ଅନୁଭବ କରିଥିଲେ କର୍ମଚାରୀମାନେ? ଜଙ୍ଗଲ ଓ ପରିବେଶ ଅନୁମୋଦନ ପାଇଁ ନିର୍ଦ୍ଦିଷ୍ଟ ନିୟମ ହେଲା ସର୍ବନିମ୍ନ ଆବଶ୍ୟକ ଜମି ପାଇଁ ଆବେଦନ କରାଯିବ। ଏ କ୍ଷେତ୍ରରେ କମ୍ପାନୀ ନିଜର ଜମି ଆବଶ୍ୟକତା ସଂପର୍କରେ ମିଥ୍ୟା ତଥ୍ୟ ଦେଇଥିଲା କିମ୍ୱା ଅତିରିକ୍ତ ସୁବିଧା କରିବାର ଯୋଜନା ରଖିଥିଲା। ସିଇସି ତାଙ୍କ ରିପୋର୍ଟରେ ଏହି ଦିଗ ଉପରେ ଗୁରୁତ୍ୱ ଦେଇଥିଲେ। ଡଙ୍ଗରିଆ କନ୍ଧମାନେ ହେଲେ ଏକ ବିରଳ ପ୍ରଜାତି। ୨୦୧୧ ଜନଗଣନା ଅନୁସାରେ ସେମାନଙ୍କର ସଂଖ୍ୟା ଥିଲା ମାତ୍ର ୮ ହଜାର। ସେମାନେ ରହୁଥିବା ସ୍ଥାନ ସମ୍ୱିଧାନର ପଂଚମ ପରିଚ୍ଛଦରେ ଅନ୍ତର୍ଭୁକ୍ତ ଅଛି। ସେଥିପାଇଁ ସେମାନଙ୍କର କେତେକ ସ୍ୱତନ୍ତ୍ର ଅଧିକାର ରହିଛି। ଏଭଳି ଏକ ସ୍ପର୍ଶକାତର ଅଂଚଳରେ କୌଣସି ଶିଳ୍ପ ପ୍ରକଳ୍ପ ହୋଇପାରିବ ନାହିଁ। ୧୯୯୭ ଜୁଲାଇ ୧୧ ତାରିଖରେ ସୁପ୍ରିମ କୋର୍ଟ ସମତା ମାମଲା (୧୯୯୭ର ଦେୱାନୀ ଆବେଦନ ନମ୍ୱର ୪୬୦୧-୬୦) ରାୟ ଅନୁସାରେ ପଂଚମ ପରିଚ୍ଛଦ ଅଂଚଳର କୌଣସି ଜମି ଅଣଆଦିବାସୀଙ୍କୁ ହସ୍ତାନ୍ତର ହୋଇପାରିବ ନାହିଁ। ଡଙ୍ଗରିଆ କନ୍ଧମାନେ ନିୟମରାଜା ପେନୁଙ୍କୁ ପୂଜା କରନ୍ତି। ସେ ହେଲେ ନିୟମଗିରିର ଅଧିଷ୍ଠାତା ଦେବତା। ସେଥିପାଇଁ ସେମାନେ ନିୟମଗିରି ପାହାଡ଼ର ଗଡ଼ାଣି ଅଂଚଳରେ ଚାଷବାସ କରନ୍ତି ନାହିଁ। ନିୟମଗିରି ଜଙ୍ଗଲରେ ମଧ୍ୟ ସେମାନେ ଶିକାର କରନ୍ତି ନାହିଁ। ଏହା ନିଷିଦ୍ଧ। ଡଙ୍ଗରିଆ କନ୍ଧଙ୍କ ଭାବାବେଗକୁ ସମ୍ମାନ ଦେଇ କଳାହାଣ୍ଡି ମହାରାଜା ସେହି ଅଂଚଳରେ ଶିକାର ଓ କାଠକଟା ନିଷିଦ୍ଧ କରିଥିଲେ। ଡଙ୍ଗରିଆମାନେ ଉନ୍ନତ ଚାଷୀ। ସେମାନେ ମକା, ଆମ୍ୱ, ସପୁରୀ ପଣସ, ପଣସ, ହଳଦୀ ଓ କଦଳୀ ଚାଷ କରନ୍ତି। ସେଥିପାଇଁ କଳାହାଣ୍ଡିର ଅନ୍ୟ ଅଂଚଳରେ ଅନାହାର ମୃତ୍ୟୁ ଘଟୁଥିଲେ ମଧ୍ୟ ନିୟମଗିରିରେ କେବେ ଏପରି ଘଟିବାର ଶୁଣାଯାଇ ନାହିଁ। ନିୟମଗିରି ହେଉଛି ଜୈ$ିବିଧତାର ଏକ ରତ୍ନ ଭଣ୍ଡାର। ଏହା ମଧ୍ୟ ହେଉଛି ଗୋଲଡେନ୍ ଗେକୋ ପ୍ରଜାତିର ଏଣ୍ଡୁଅମାନଙ୍କର ଏକମାତ୍ର ଆବାସସ୍ଥଳୀ। ଏଗୁଡ଼ିକ ପାହାଡ଼ ଉପରେ ଥିବା ପଥର ଖୋଲରେ ପ୍ରଜନନ କରିଥାନ୍ତି। ଏହି ପାହାଡ଼ରୁ ହିଁ ସୃଷ୍ଟି ହୋଇଛି ଚିରସ୍ରୋତ ନାଗାବଳି ଓ ବଂଶଧାରା। ସୁପ୍ରିମ କୋର୍ଟରେ ସିଇସି ଦାଖଲ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି, ‘... ମେସର୍ସ ବେଦାନ୍ତ ଦ୍ୱାରା ଆଲୁମିନା ରିଫାଇନାରୀ ନିର୍ମାଣ ପାଇଁ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ୨୦୦୪ ସେପ୍ଟେମ୍ୱର ୨୨ ତାରିଖରେ ପ୍ରଦାନ କରିଥିବା ପରିବେଶ ଅନୁମୋଦନ ରଦ୍ଦ କରିବା ସହିତ ପରବର୍ତ୍ତୀ ନିର୍ମାଣ ବନ୍ଦ କରିବା ପାଇଁ ନିଦ୍ଦେର୍ଶ ଦେବାକୁ ମାନ୍ୟବର କୋର୍ଟଙ୍କୁ ସୁପାରିଶ କରାଯାଉଛି।’ ସିଇସିଙ୍କର ଏହି ରିପୋର୍ଟ ନେଇ ଅସନ୍ତୁଷ୍ଟ ବେଦାନ୍ତ କମ୍ପାନୀ ପୁନଃ ସମୀକ୍ଷା ପାଇଁ ଆବେଦନ କଲା। ଭାରତର ବନ୍ୟପ୍ରାଣୀ ପ୍ରତିଷ୍ଠାନ ବା ଡବ୍ଲୁଆଇଆଇ ଏହି ଦାୟିତ୍ୱ ବହନ କଲା। ପ୍ରଳଳ୍ପ ହେଲେ ୧,୨୧,୩୩୭ଟି ଗଛ କଟାଯିବ ବୋଲି ଗଣନା କରାଯାଇଥିଲା। ଏସବୁ କଟା ହୋଇଗଲେ ବନ୍ୟପ୍ରାଣୀଙ୍କ ଉପରେ ତାହାର ଭୟଙ୍କର ପ୍ରଭାବ ପଡ଼ିବା ନିଶ୍ଚିତ। ଡବ୍ଲୁଆଇଆଇ ଏପରି ରିପୋର୍ଟ ଦେବା ପରେ ରାଜ୍ୟ ସରକାର ଏହାକୁ ବିରୋଧ କରିବା ପାଇଁ ପିଏନ ପାଢ଼ୀ ନାମକ ଜଣେ ବନ ଅଧିକାରୀଙ୍କୁ ଦାୟିତ୍ୱ ଦେଲେ। ସେ କାହାକୁ କ’ଣ କହିଲେ କେଜାଣି ଏହା ପରେ ଡବ୍ଲୁଆଇଆଇ ତା’ର ରିପୋର୍ଟ ବଦଳାଇ ଦେଲା ଓ ସେଥିରେ କେତେକ କ୍ଷତିପୂରଣ ପଦକ୍ଷେପ ଯୋଡ଼ିଦେଲା। ଏହି ସଂଶୋଧିତ ରିପୋର୍ଟ ଭିତ୍ତିରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ୨୦୦୬ ଅକ୍ଟୋବର ୨୭ ତାରିଖରେ ବେଦାନ୍ତ ପ୍ରକଳ୍ପକୁ ପ୍ରଥମ ପର୍ଯ୍ୟାୟ ଜଙ୍ଗଲ ଅନୁମୋଦନ ପ୍ରଦାନ କଲେ। ୨୦୦୭ ଅକ୍ଟୋବର ୫ ତାରିଖରେ ଡଙ୍ଗରିଆ କନ୍ଧଙ୍କ ତରଫରୁ ମାମଲାରେ ପକ୍ଷ ହେଲେ ସିଦ୍ଧାର୍ଥ ନାୟକ ନାମକ ଜଣେ ସାମାଜିକ କର୍ମୀ। ତାଙ୍କ ତରଫରୁ ଲଢ଼ୁଥିଲେ ବରିଷ୍ଠ ଓକିଲ ସଂଜୟ ପାରିଖ। ଜଣେ ବିଚାରପତି ତାଙ୍କୁ ଏକରକମ ତାଡ଼ନା ଦେଲେ, କହିଲେ ଡଙ୍ଗରିଆ କନ୍ଧଙ୍କୁ କାହିଁକି ଶୁଣାଯିବ? ‘... ମାମଲା ସରିଯାଇଛି... ଏ କେସରେ ଆଦିବାସୀଙ୍କର କୌଣସି ସ୍ଥାନ ନାହିଁ..’। ସିଇସି ଦର୍ଶାଇଥିବା ଅନେକ ଆଇନ ଓ ନିୟମର ଉଲ୍ଲଙ୍ଘନ ସେତ୍ତ୍ୱ ୨୦୦୮ ଅଗଷ୍ଟ ୮ ତାରିଖରେ ସୁପ୍ରିମ କୋର୍ଟ ବେଦାନ୍ତ ପ୍ରକଳ୍ପକୁ ଅନୁମତି ପ୍ରଦାନ କଲେ। ସର୍ତ୍ତ ରହିଲା କମ୍ପୀନୀ ତା’ର ଲାଭର ୫ ପ୍ରତିଶତ କଳାହାଣ୍ଡିର ଆଦିବାସୀଙ୍କ ବିକାଶ ପାଇଁ ଖର୍ଚ୍ଚ କରିବ। ତେବେ ତା’ ପର ବର୍ଷ ପ୍ରକଳ୍ପ ବିରୋଧରେ ପୁଣି ସ୍ୱର ଉଠିଲା। ବେଦାନ୍ତ ପ୍ରକଳ୍ପ ବନ୍ଦ କରିବାକୁ ବିୟଙ୍କା ଜାଗ୍ଗର ନବୀନଙ୍କୁ ଚିଠି ଲେଖିଲେ। ନବୀନ ତାଙ୍କର ବନ୍ଧୁ। ନିୟମଗିରି ବଂଚାଇବାକୁ ସର୍ବସାଧାରଣଙ୍କୁ ଅନୁରୋଧ କଲେ ସାମାଜିକ କର୍ମୀ ଅରୁନ୍ଧତୀ ରୟ ଏବଂ ବିଶ୍ୱବିଖ୍ୟାତ ହଲିଉଡ଼ ଚଳଚ୍ଚିତ୍ର ଅବତାରର ନିଦ୍ଦେର୍ଶକ ଜେମ୍ସ କାମେରୁନ। କୋଟିକୋଟି ଟଙ୍କା ଖର୍ଚ୍ଚରେ ବେଦାନ୍ତ ନିଜ ସପକ୍ଷରେ ଯେଉଁ ଜନସଂପର୍କ ସୃଷ୍ଟି କରିଥିଲା ତାହା ନଷ୍ଟ ହୋଇଗଲା। ବିଶ୍ୱବ୍ୟାପୀ ନିୟମଗିରି ବଂଚାଅ ଆବେଦନ ଫଳରେ ବେଦାନ୍ତରେ ପୁଂଜି ଖଟାଇଥିବା ଚର୍ଚ୍ଚ ଅଫ୍ ଇଂଲଣ୍ଡ, ସଭରେନ୍ ଫଣ୍ଡ ଅଫ୍ ନରେୱ ଏବଂ ଅନ୍ୟ ବହୁ ପେନସନ ଫଣ୍ଡ ପୁଂଜି ଫେରାଇନେଲେ। ୨୦୦୯ ମସିହାରେ ଜୟରାମ ରମେଶ ପରିବେଶ ମନ୍ତ୍ରୀ ହେବା ପରେ ବେଦାନ୍ତ ବିରୋଧୀ ଅଭିଯାନ ଅଧିକ ବ୍ୟାପକ ଓ ଶକ୍ତିଶାଳୀ ହେଲା। ସେତେବେଳକୁ ସର୍ଭାଇଭାଲ ଇଣ୍ଟର୍ନେସନାଲ, ଆକ୍ସନ ଏଡ଼, ଆମ୍ନେଷ୍ଟି ଇଣ୍ଟର୍ନେସନାଲ ଏବଂ ଅନ୍ୟ ବହୁ ମାନବାଧିକାର ଗୋଷ୍ଠୀ ଏହି ଆନ୍ଦୋଳନରେ ସାମିଲ ହୋଇସାରିଥିଲେ। ଏହା ଭାରତବର୍ଷରେ କୌଣସି ଖଣି ପ୍ରକଳ୍ପ ବିରୋଧରେ ପ୍ରଥମ ଅନ୍ତର୍ଜାତୀୟ ଅଭିଯାନ। ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଜୟରାମ ରମେଶ ଏନସି ସାକ୍ସେନାଙ୍କ ଅଧ୍ୟକ୍ଷତାରେ ଏକ ୪ ଜଣିଆ କମିଟି ଗଠନ କଲେ। କମିଟିର ଦାୟିତ୍ୱ ହେଲା ଜଙ୍ଗଲ ଅଧିକାରୀ ଆଇନ ୨୦୦୬ କାର୍ଯ୍ୟକାରୀ ହୋଇଛି କି ନାହିଁ ସମୀକ୍ଷା କରିବା। କମିଟି ବେଦାନ୍ତ ପ୍ରକଳ୍ପ ବିରୋଧରେ ମତ ଦେଲେ। କମିଟି ରିପୋର୍ଟ ଅନୁସାରେ ଏହି ପ୍ରକଳ୍ପ ହେଲେ ନିୟମଗିରିର ଜୈବ ବିବିଧତା ଧ୍ୱଂସ ପାଇବ ଓ ଜଙ୍ଗଲ ଜମି ଅଧିକାର ଆଇନର ଉଲ୍ଲଙ୍ଘନ ହେବ। ଏହି ଖଣିରୁ ମିଳିବାକୁଥିବା ୭୨ ନିୟୁତ ଟନର ବକ୍ସାଇଟ କାରଖାନାର ମାତ୍ର ୪ ବର୍ଷର ଆବଶ୍ୟକତା ପୂରଣ କରିବାର ଥିବାରୁ ନିୟମଗିରି ଖଣି ବେଦାନ୍ତ ପାଇଁ ସେତେଟା ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି କମିଟି ମତ ଦେଲେ। ଓଡ଼ିଶାର ଜଙ୍ଗଲ ସଚିବ ୟୁଏନ ବେହେରା ୨୦୧୦ ଅଗଷ୍ଟ ୧୭ ତାରିଖରେ ଏକ ଚିଠି ଲେଖି ସାକ୍ସେନା କମିଟି ରିପୋର୍ଟକୁ ତୀବ୍ର ବିରୋଧ କଲେ। ଚିଠିରେ ସେ ଉଲ୍ଲେଖ କଲେ, ‘... ଏହି ପୃଷ୍ଠଭୂମିରେ କ୍ଷୋଭର ସହିତ ଏହା କୁହାଯାଇପାରେ ଯେ ମାନ୍ୟବର ସୁପ୍ରିମ କୋର୍ଟ ଯେଉଁସବୁ ପ୍ରସଙ୍ଗରେ ବିଚାରକରି ରାୟ ଦେଇସାରିଛନ୍ତି ସାକ୍ସେନା କମିଟି ସେ ବିଷୟରେ ଅପମାନଜନକ ଭାବେ ଆଲୋଚନା କରିଛନ୍ତି।’ ଏହାର ଉତ୍ତରରେ ୨୦୦୮ ଅଗଷ୍ଟ ୨୩ ତାରିଖରେ ଡକ୍ଟର ସାକ୍ସେନା ରିପୋର୍ଟ କଲେ ଯେ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାପାଳ ଜଙ୍ଗଲ ଅଧିକାର ଆଇନ ନେଇ ମିଥ୍ୟା ପ୍ରମାଣପତ୍ର ଦେଇଛନ୍ତି। ୨୦୧୦ ଅଗଷ୍ଟ ୨୦ ତାରିଖରେ ଜଙ୍ଗଲ ଉପଦେଷ୍ଟା କମିଟି ନିୟମଗିରିର ୬୬୪ ହେକ୍ଟର ଜଙ୍ଗଲ ଜମି ଉପରେ ଖଣି କାର୍ଯ୍ୟ ପ୍ରସ୍ତାକୁ ରଦ୍ଦ କରିଦେଲେ। ସାକ୍ସେନା କମିଟି ରିପୋର୍ଟ ହିଁ ଥିଲା ଏହାର ମୂଳଭିତ୍ତି। ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ରମେଶଙ୍କ ଉପରେ ଓଡ଼ିଶା ସରକାର ଓ ବେଦାନ୍ତ ଗୋଷ୍ଠୀ ପକ୍ଷରୁ ପ୍ରବଳ ଚାପ ପଡ଼ିଲା। ବେଦାନ୍ତ କହିଲା ସୁପ୍ରିମ କୋର୍ଟ ଏହି ପ୍ରକଳ୍ପକୁ ଅନୁମତି ପ୍ରଦାନ କରିଥିବାରୁ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଏହାକୁ ନାକଚ କରିପାରିବେ ନାହିଁ। ଆଟର୍ଣ୍ଣି ଜେନେରାଲ ଗୁଲାମ ବାହନବତୀ ମତ ଦେଲେ ଯେ ପ୍ରକଳ୍ପ ଯଦି ଆଇନର ବିରୁଦ୍ଧାଚରଣ କରୁଛି ତେବେ ତାହାକୁ ରଦ୍ଦ କରିବା ପାଇଁ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର କ୍ଷମତା ରହିଛି। ଏହା ପରେ ୨୦୧୦ ଅଗଷ୍ଟ ୨୪ ତାରିଖରେ ମନ୍ତ୍ରୀ ଜୟରାମ ରମେଶ ଏହି ପ୍ରକଳ୍ପ ପ୍ରସ୍ତାବକୁ ଖାରଜ କରିଦେଲେ। ତଥାପି ନବୀନ ବେଦାନ୍ତ ପ୍ରୀତି ଛାଡ଼ିଲେ ନାହିଁ। ଓଏମସି ୨୦୧୧ ମସିହାରେ ପୁଣି ଥରେ ସୁପ୍ରିମ କୋର୍ଟ ଗଲା। ସୁପ୍ରିମ କୋର୍ଟ ୨୦୧୩ ଏପ୍ରିଲ ୧୮ ତାରିଖରେ ଏକ ଐତିହାସିକ ରାୟ ଦେଇ କହିଲେ ଜଙ୍ଗଲ ଅଧିକାରୀ ଆଇନ ୨୦୦୬ ଅଧୀନରେ ଜଙ୍ଗଲ ଜମିକୁ ଅଣଜଙ୍ଗଲ କାର୍ଯ୍ୟରେ ଲଗାଇବା ନିମନ୍ତେ ଗ୍ରାମସଭାର ପୂର୍ବାନୁମତି ଆବଶ୍ୟକ। ବର୍ଷା ଆସି ଯାଇଥିଲା। ତଥାପି ରାଜ୍ୟ ସରକାର ବାଛିବାଛି ୧୨ଟି ଛୋଟ ଗାଁରେ ଗ୍ରାମସଭା ବସାଇଲେ। ରାଜ୍ୟ ସରକାରଙ୍କର ସମସ୍ତ କଳକୌଶଳ ବିଫଳ ହେଲା। ସବୁ ଗାଁର ସବୁ ଲୋକ କହିଲେ, ନିୟମଗିରିରେ ଖଣିୂ ଆମର ଦରକାର ନାହିଁ। ଲୋକମାନଙ୍କର ଏହି ରାୟ ପରେ ସମଗ୍ର ନିୟମଗିରିର ଗଛପତ୍ରରେ ଖେଳି ଗଲା ଖୁସିର ଲହରୀ। ନବୀନବାବୁଙ୍କ ସମସ୍ତ ପ୍ରକାର ସହଯୋଗ ଓ ଉଦ୍ୟମ ଏବଂ ଦେଶର ବଡ଼ବଡ଼ ଓକିଲଙ୍କ ଉଦ୍ୟମ ସେତ୍ତ୍ୱ ବେଦାନ୍ତର ଅନୀଲ ଅଗ୍ରୱାଲଙ୍କ ନିୟମଗିରି ଲୋଭ ପୂରଣ ହେଲା ନାହିଁ। ପୂର୍ବରୁ ଲାଞ୍ଜିଗଡ଼ ରିଫାଇନାରୀର ସଂପ୍ରସାରଣ କାର୍ଯ୍ୟ ବନ୍ଦ ରଖିବାକୁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଜାରି କରିଥିବା ନିଦ୍ଦେର୍ଶକୁ ରଦ୍ଦ କରିବାକୁ ଦାଏର ହୋଇଥିବା ଏକ ପିଟିସନକୁ ମଧ୍ୟ ୨୦୧୧ ଜୁଲାଇ ୧୯ ତାରିଖରେ ଖାରଜ କରିଦେଇଥିଲେ ହାଇକୋର୍ଟ। ଏତେ ସବୁ ସେତ୍ତ୍ୱ ଲାଞ୍ଜିଗଡ଼ ରିଫାଇନାରୀର ଉପିାଦନ କ୍ଷମତାକୁ ୬ ନିୟତ ଟନକୁ ବୃଦ୍ଧି କରିବା ପାଇଁ ପୁଣି ଥରେ ପରିବେଶ ଅନୁମୋଦନ ହାସଲ କରିବାକୁ ଦରଖାସ୍ତ କଲା ବେଦାନ୍ତ। ୨୦୧୪ ଜୁଲାଇ ୩୦ ତାରିଖରେ ସେଥିପାଇଁ ରାଜ୍ୟ ସରକାର ଜନ ଶୁଣାଣୀ ଆୟୋଜନ କଲେ। ମାତ୍ର କେଇ ଘଣ୍ଟାର ବୈଠକ ପରେ ଲୋକେ କାଳେ ସଂପ୍ରସାରଣ ପ୍ରକଳ୍ପ ପ୍ରତି ସହମତି ଘୋଷଣା କଲେ ବୋଲି ରିପୋର୍ଟ କଲେ ରାଜ୍ୟର ଅନେକ ବଡ଼ବଡ଼ ଖବରକାଗଜ। ତେବେ ସ୍ଥାନୀୟ କେତେକ ସାମ୍ୱାଦିକ କହିଲେ, ଏହି ଜନ ଶୁଣାଣୀ ସଭାରେ ଡଙ୍ଗରିଆ କନ୍ଧଙ୍କୁ ମତ ଦେବାର ସୁଯୋଗ ମିଳି ନଥିଲା। ନିୟମଗିରି ଖଣି ପ୍ରକଳ୍ପକୁ ବିରୋଧ କରିବା କାରଣରୁ ଡଙ୍ଗରିଆ କନ୍ଧଙ୍କ ଉପରେ ରାଗିଗଲେ ରାଜ୍ୟ ସରକାର। ମାଓବାଦୀଙ୍କୁ ଖୋଜିବା ବାହାନାରେ ପୁଲିସ ବଳ ଅପହଂଚ ଡଙ୍ଗରିଆ ଗାଁରେ ତଲାସୀ କଲା, ଲୋକଙ୍କୁ ଡରେଇଲା। ୨୦୧୫ ମେ ମାସରେ ନିୟମଗିରି ସୁରକ୍ଷା ସମିତିର ଦିଲୁ ମାଝୀ ଓ ଭୀମ ମାଝୀଙ୍କୁ ପୁଲିସ ଗିରଫ କଲା ଓ ପୁରୁଣା ଆନ୍ଦୋଳନ ମାମଲାରେ ଜେଲ୍ ପଠାଇଦେଲା। ଏସବୁ ସେତ୍ତ୍ୱ ନିୟମଗିରିରେ ନିୟମରାଜା ପେନୁଙ୍କ ରାଜତ୍ୱ କ’ଣ ଅବ୍ୟାହତ ରହିବ? ତାଙ୍କ ପିଲାମାନେ ସ୍ୱାଧୀନ ଭାବେ ଖେଳିବୁଲି ପାରିବେ? ନା ପୁଣି କେବେ କେଉଁ ଆଳରେ ଅନୀଲ ଅଗ୍ରୱାଲ ପାହାଡ଼ ଖୋଳି ବକ୍ସାଇଟ ବୋହିନେବେ? ଏବେକା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଦି ବେଦାନ୍ତ ଉପରେ ଖୁସି ହୁଅନ୍ତି ତାଙ୍କର ବିକାଶ ସ୍ଲୋଗାନର ଶକ୍ତିରେ ନିୟମରାଜା ପେନୁ ତାଙ୍କ ପୂଜାସ୍ଥଳରୁ ବିତାଡ଼ିତ ହେବେ? ଭଗବାନଙ୍କ ଜମି ହଡ଼ପ ଓଡ଼ିଶାକୁ ସମୃଦ୍ଧ କରିବା ପାଇଁ ଅନୀଲ ଅଗ୍ରୱାଲ ମଧ୍ୟ ଅନେକ ସ୍ୱପ୍ନ ଦେଖିଛନ୍ତି! ସେ ପୁରୀରେ ଏକ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଓଡ଼ିଶା ସରକାରଙ୍କ ସହିତ ବୁଝାମଣାପତ୍ର ସ୍ୱାକ୍ଷର କଲେ। ବିଶ୍ୱବିଦ୍ୟାଳୟ ପାଇଁ ୮୦୦୦ ଏକର ସମୁଦ୍ରକୂଳିଆ ଜମି ମାଗିଲେ। ପରେ ଜମି ପରିମାଣକୁ ୬,୮୯୨ ଏକରକୁ କମେଇଦେଲେ। ତାଙ୍କ ପାଇଁ ଯେଉଁ ଜାଗା ଚିହ୍ନଟ ହେଲା ତାହା ହେଉଛି ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟର ଖୁବ ନିକଟରେ। ଏହି ଅଭୟାରଣ୍ୟରେ ବିରଳ କୃଷ୍ଣସାର ମୃଗ ଦେଖାଯାନ୍ତି। ଅଲିଭ ରିଡଲେ କଇଁଛ ପ୍ରଜନନ କରନ୍ତି ଓ ହେଟାବାଘ ରହନ୍ତି। ଚିହ୍ନିତ ଜମି ହେଉଛି ଏକ ଆଦ୍ର୍ରଭୂମି। ସେଠାରେ ଧାନ ଚାଷ କରାଯାଏ। ବର୍ଷାଜଳକୁ ଧରି ରଖି ଏହି ଅଂଚଳ ପୁରୀକୁ ମଧୁର ଜଳ ଯୋଗାଇଥାଏ। ୨୦୦୯ ଜୁଲାଇ ୩୧ ତାରିଖରେ ଓଡ଼ିଶା ବିଧାନସଭାର ଏକ ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ବସିଥିଲା। ଅଧିବେଶନର କାର୍ଯ୍ୟ ଥିଲା ମାତ୍ର ଗୋଟିଏ- ବେଦାନ୍ତ ବିଶ୍ୱବିଦ୍ୟାଳୟ ଆଇନ ପାଶ୍ କରିବା। ବିଲ୍ ପାଶ୍ ହେଲା। କିନ୍ତୁ ପୁରୀ ସମୁଦ୍ର କୂଳରରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କର ୨୦୦୦ ଏକର ଜମିକୁ ବେଦାନ୍ତ କମ୍ପାନୀକୁ ଟେକିଦେବା ପାଇଁ ନବୀନ ସରକାର ନେଇଥିବା ନିଷ୍ପତ୍ତି ବିରୋଧରେ ଜନ ଆନ୍ଦୋଳନ ତେଜୀୟାନ ହେଲା। ଜଗନ୍ନାଥ ଭକ୍ତମାନେ ଏହି ସରକାରୀ ନିଷ୍ପତ୍ତିକୁ ବିରୋଧ କଲେ। ଏହା ବିରୋଧରେ ଲୋକପାଳରେ ଅଭିଯୋଗ ଦାଏର ହେଲା। ଲୋକପାଳ ପିକେ ପାତ୍ର ଏ ମାମଲାର ବିଚାର କରି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଦାୟୀ କଲେ। ସରକାରର ଚାରି ଜଣ ବରିଷ୍ଠ ଅଫିସର ବେଦାନ୍ତକୁ ଜମି ଦେବା ପାଇଁ ନୀତିନିୟମ ଉଲ୍ଲଙ୍ଘନ କରିଥିବା ଦର୍ଶାଇଲେ। ସରକାର ତାଙ୍କ ରିପୋର୍ଟ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ। ଶେଷରେ ମର୍ମାହତ ଲୋକପାଳ ଏକ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟପାଳଙ୍କ ନିକଟରେ ଦାଖଲ କଲେ ଓ ତାଙ୍କ ରିପୋର୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ନିଦ୍ଦେର୍ଶ ଦେବା ପାଇଁ ଅନୁରୋଧ କଲେ। ତାଙ୍କ ରିପୋର୍ଟ ଫେରାଇ ନେବାକୁ ରାଜ୍ୟ ସରକାର ଲୋକପାଳଙ୍କୁ ଅନୁରୋଧ କଲେ। ତେଣେ ବିରୋଧୀ ଦଳକୁ ଲୁଚାଇ ବିଧାନସଭାର ୨୦୧୩ ମୌସୁମୀ ଅଧିବେଶନରେ ଲୋକପାଳଙ୍କ ରିପୋର୍ଟ ଉପସ୍ଥାପନ କଲେ। ଏହା କେହି ଜାଣିପାରିଲେ ନାହିଁ। ପରେ ହୋ ହାଲ୍ଲା ହେବାରୁ ସରକାର କହିଲେ ଏବେ ଏ ମାମଲାଟି ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବାରୁ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ। ବାସ୍ତବରେ ସରକାର ମୁଖ୍ୟମନ୍ତ୍ରୀଙ୍କ ଆଦେଶରେ ବେଆଇନ କାର୍ଯ୍ୟ କରିଥିବା ଅଫିସରମାନଙ୍କୁ ସୁରକ୍ଷା ଦେବାକୁ ଚାହୁଁଥିଲେ। ଲୋକପାଳଙ୍କ ରିପୋର୍ଟରେ ଅଭିଯୁକ୍ତ ହୋଇଥିିବା ଆଇଏଏସ ଅଫିସର ବିଜୟ କୁମାର ପଟ୍ଟନାୟକଙ୍କୁ ସରକାର ମୁଖ୍ୟ ଶାସନ ସଚିବ ପଦକୁ ପଦୋନ୍ନତି ଦେଲେ। ୨୦୧୦ ନଭେମ୍ୱର ୧୬ ତାରିଖରେ ହାଇକୋର୍ଟ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣକୁ ରଦ୍ଦ କଲେ ଓ ଅଧିଗୃହୀତ ଜମି ଫେରାଇ ଦେବାକୁ ନିଦ୍ଦେର୍ଶ ଦେଲେ। ସେତେବେଳକୁ ସରକାର ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ୩୪୯୫.୨୧ ଏକର ଘରୋଇ ଜମି ଅଧିଗ୍ରହଣ କରିସାରିଥିଲେ ଏବଂ ୫୦୯.୨୭ ଏକର ସରକାରୀ ଜମି ଲିଜ୍ ଦେଇସାରିଥିଲେ। ହାଇକୋର୍ଟଙ୍କର ଏହି ଆଦେଶ ବିରୋଧରେ ବେଦାନ୍ତ ସୁପ୍ରିମ କୋର୍ଟ ଗଲା। ସୁପ୍ରିମ କୋର୍ଟ ୨୦୧୨ ମସିହାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିଦ୍ଦେର୍ଶ ଦେଲେ। ୨୦୧୫ ଏପ୍ରିଲ ମାସରେ ବିଜୟ କୁମାର ପଟ୍ଟନାୟକ ସରକାରୀ ଚାକିରିରୁ ଅବସର ନେଇ ସାରିଥିଲେ। ଏହା ପରେ ସେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପର ସଭାପତି ଭାବେ ଯୋଗଦେଲେ। ବେଦାନ୍ତ ସହିତ ତାଙ୍କର କି ପ୍ରକାର ସଂପର୍କ ଥିଲା ତାହା ଏଥିରୁ ସାବ୍ୟସ୍ତ ହୋଇଗଲା।