ପିତୃସ୍ବପ୍ନର ପଛେ ପଛେ-୬

Apr 8, 2019 - 03:15
 710
ପିତୃସ୍ବପ୍ନର ପଛେ ପଛେ-୬
ବିଶ୍ବଜିତ ମହାନ୍ତି ମଧ୍ୟରାତ୍ରର ଛୁରୀକାଘାତ ୨୦୧୨ ମେ ୨୯ ତାରିଖ। ଓଡ଼ିଆ ଟିଭି ଚାନେଲଗୁଡ଼ିକରେ ଘନଘନ ପ୍ରସାରିତ ହେଉଥିଲା ଗୋଟିଏ ଖବର- ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଦ୍ରୋହ। ଲୋକମାନେ ଘର, ଅଫିସ, ଦୋକାନ ସବୁଠି ଟିଭି ଖୋଲି ଜାଣିବାକୁ ଚାହିଁଲେ, ଆଗକୁ କ’ଣହେଉଛି ଦେଖିବା! ସତରେ କ’ଣ ନବୀନ ଏକ ବିଦ୍ରୋହର ସମ୍ମୁଖୀନ ହୋଇଛନ୍ତି? ଏହି ବିଦ୍ରୋହ ଉଦ୍ୟମ ମୂଳରେ କିଏ? ଦଳଦଳହୋଇ ସାମ୍ୱାଦିକମାନେ ଚାଲିଲେ ଶହୀଦନଗର। ସେଠାରେ ରହନ୍ତି ପ୍ୟାରୀ ମୋହନ ମହାପାତ୍ର ବା ପ୍ୟାରୀବାବୁ, ବିଜେଡିର ଦୁଇ ନମ୍ୱର ନେତା, ନବୀନ ପଟ୍ଟନାୟକଙ୍କର ମାର୍ଗଦର୍ଶକ। ପ୍ୟାରୀବାବୁଙ୍କ ଘରୁ ବାହାରୁଥାନ୍ତି ଜଣକ ପରେ ଜଣେ ବିଧାୟକ। କେହି କିଛି କହୁ ନଥାନ୍ତି। ତେଣେ ସ୍ୱସ୍ତି ପ୍ଲାଜାରେ ଡେରା ପକାଇଥାନ୍ତି ଆଉ ଦଳେ ବିଧାୟକ। ଗୁଜବ ରଟୁଥାଏ ପ୍ୟାରୀଙ୍କ ସମର୍ଥକ ବିଧାୟକଙ୍କ ସଂଖ୍ୟା ବଢ଼ିଚାଲିଛି। ନବୀନ ସେତେବେଳେଚ଼ିଛି ଚୁକ୍ତି ସ୍ୱାକ୍ଷର କରିବା ଉଦ୍ଦେଶ୍ୟରେ ପ୍ରତିନିଧି ଦଳ ନେଇ ଇଂଲଣ୍ଡରେ ଥାଆନ୍ତି। ପୂର୍ବରୁ ବହୁବାର ବିଶ୍ୱଭ୍ରମଣ କରିଥିବା ନବୀନଙ୍କର ମୁଖ୍ୟମନ୍ତ୍ରିତ୍ୱର ପ୍ରଥମ ୧୨ ବର୍ଷ ଭିତରେ ଏହା ଥିଲା ପ୍ରଥମ ବିଦେଶ ଗସ୍ତ। ଏ ଖବର ତାଙ୍କୁ ମଧ୍ୟରାତ୍ରରେ ମିଳିଲା। ପ୍ୟାରୀଙ୍କ ଘରେ ଭିଡ଼ ବଢ଼ୁଥିବାବେଳେ ନବୀନ ନିବାସରେ ପ୍ରଥମେ ପହଂଚିଲେ ପ୍ୟାରୀ-ବିରୋଧୀ ଭାବେ ଜଣାଶୁଣା ଦାମୋଦର ରାଉତ। ତା’ ପରେ ପହଂଚିଲେ ପଶ୍ଚିମ ଓଡ଼ିଶାର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ। ପରକୁ ପର ଅଧିକ ନେତା। କାଳ ବିଳମ୍ୱ ନକରି ସେମାନେ କାମରେ ଲାଗିଗଲେ। ରାତି ପାହିବାବେଳକୁ ନବୀନ ନିବାସରେ ପହଂଚିବା ପାଇଁ ସବୁ ବିଧାୟକଙ୍କୁ ଖବର ଦିଆଗଲା। ବିଦ୍ରୋହ ପଣ୍ଡ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କଲେ ଦାମ ଓ ପ୍ରସନ୍ନ। ମେ ୩୦ ତାରିଖ ସକାଳ ହେଲାବେଳକୁ ବିଦ୍ରୋହ ଫସରଫାଟି ଯାଇଥାଏ। ଅଧିକାଂଶ ବିଧାୟକ ଉଭୟ ପଟ ସୀମାରେ ଥିଲେ। କେହି ହାରୁଥିବା ଗୋଷ୍ଠୀ ସହିତ ରହିବାକୁ ଚାହିଁଲେ ନାହିଁ। ଆପେ ବଂଚିଲେ ବାପାର ନାଁ ନୀତିରେ ପ୍ୟାରୀଙ୍କ ଅତି ଅନ୍ତରଙ୍ଗ କେଇ ଜଣ ମଧ୍ୟ ତାଙ୍କ ପକ୍ଷ ଛାଡ଼ିଦେଲେ। ୨୦୧୧ ଯାଏଁ ପ୍ୟାରୀବାବୁ ଦଳର ଅପ୍ରତିଦ୍ୱନ୍ଦ୍ୱୀ ନେତା ଥିଲେ। ସେ ନିଜ ମନଇଚ୍ଛା ଦଳ ପରିଚାଳନା କରୁଥିଲେ। ସେଥିରେ ନବୀନ ହସ୍ତକ୍ଷେପ କରୁ ନଥିଲେ। ତାଙ୍କର ଏକଚାଟିଆ କାରବାରରେ ଅନେକ ବିଜେଡି ନେତା ଅସନ୍ତୁଷ୍ଟ ଥିଲେ। ପ୍ୟାରୀବାବୁ ଯଦି ସଫଳତାର ସହିତ ନବୀନଙ୍କୁ କୋଣଠେସା କରିଦେଇଥାନ୍ତେ ତେବେ ହୁଏତ ସେ ସଫଳ ହୋଇଥାନ୍ତେ। ପ୍ୟାରୀ ଯେତେବେଳେ ଦଳର ସମସ୍ତ କ୍ଷମତା ଉପଭୋଗ କରୁଥିଲେ ସେତେବେଳେ ତାଙ୍କୁ ଭେଟିଥିବା ସାମ୍ୱାଦିକମାନେ ତାଙ୍କର ବିଚକ୍ଷଣ ରାଜନୀତିକ ଗୋଟିଚାଳନା ସଂପର୍କରେ ଅବଗତ ଥିଲେ। ନିର୍ବାଚନ ଫଳାଫଳ ନେଇ ତାଙ୍କର ଭବିଷ୍ୟବାଣୀ ୯୯ ପ୍ରତିଶତ ସତ ହେଉଥିଲା। ତେଣୁ ସେ ନିର୍ବାଚନ ଫିକ୍ସିଂ କରୁଥିଲେ ବୋଲି କେହି କେହି ଅଭିଯୋଗ କରୁଥିଲେ। ବିରୋଧୀଙ୍କ ଅଭିଯୋଗ ଥିଲା ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ ବା ଇଭିଏମରେ ଜାଲିଆତି କରି ସେ ନିର୍ବାଚନ ଜିତୁଥିଲେ। ୨୦୦୯ ଓଡ଼ିଶା ନିର୍ବାଚନରେ ହିଁ ପ୍ରଥମ ଥର ପାଇଁ ଇଭିଏମ ବ୍ୟବହୃତ ହୋଇଥିଲା। ସେଇ ଗୋଟିଏ ରାତିରେ ପ୍ୟାରୀଙ୍କ ଘରକୁ ୫୦ ଜଣରୁ ଅଧିକ ବିଧାୟକ ଆସିଯାଇଥିଲେ। ଏହା କେବଳ ସଂଯୋଗ ନଥିଲା। ପରେ ପ୍ୟାରୀ କହିଥିଲେ ଯେ ତାଙ୍କଠାରୁ ନବୀନଙ୍କ ପ୍ରତି କୌଣସି ବିପଦ ନାହିଁ। ସେ ହେଉଛନ୍ତି ବିଜେଡି ନେତା, ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ଆସନ ସଂପୂର୍ଣ୍ଣ ସୁରକ୍ଷିତ। ମାତ୍ର ୧୨ ଘଣ୍ଟା ଭିତରେ ବିଦ୍ରୋହ ଟଳିଗଲା। ସାରଦା ନାୟକ, ଅଞ୍ଜଳି ବେହେରା, ବଦ୍ରି ନାରାୟଣ ପାତ୍ର ଓ ସଂଜୀବ ସାହୁଙ୍କ ପରି ଚାରି ଜଣ ମନ୍ତ୍ରୀଙ୍କ ସମେତ ମୋଯ ୨୫ ଜଣ ବିଧାୟକ ପ୍ୟାରୀଙ୍କୁ ଭେଟିଥଲେ। ଅନ୍ୟମାନେ ଅପେକ୍ଷାରେ ଥିଲେ। ପ୍ରାୟ ୭୦ ଜଣ ବିଧାୟକ ପ୍ୟାରୀଙ୍କୁ ସମର୍ଥନ କରୁଥିଲେ। କିନ୍ତୁ ସେମାନଙ୍କ ଭିତରୁ ଅନେକଙ୍କର ଦ୍ୱିତୀୟ ଚିନ୍ତା ଥିଲା। ୨୦୦୯ ନିର୍ବାଚନରେ ପ୍ୟାରୀବାବୁ ଦଳର ୮୫ ଜଣ ବିଧାୟକ ପ୍ରାର୍ଥୀଙ୍କୁ ବାଛିଥିଲେ। ସେମାନେ ତାଙ୍କ ପ୍ରତି ବ୍ୟକ୍ତିଗତ ଭାବେ ଅନୁଗତ ଥିଲେ। କିନ୍ତୁ ରାତିକ ଭିତରେ ସବୁ ବଦଳିଗଲା। ଏହା ନବୀନଙ୍କ ବିରୋଧରେ ପ୍ରଥମ ବିଦ୍ରୋହ ନଥିଲା। ତେବେ ଏହି ବିଦ୍ରୋହ ନବୀନଙ୍କ ନେତୃତ୍ୱକୁ ଦୋହଲାଇ ଦେଇଥିଲା। ୨୦୦୨ ମସିହାରେ ମଧ୍ୟ ତାଙ୍କ ନେତୃତ୍ୱ ବିରୋଧରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ତେବେ ତାହା ଏତେ ବଡ଼ ଧରଣର ନଥିଲା। ସେହିବର୍ଷ ରାଜ୍ୟସଭା ନିର୍ବାଚନରେ ଦଳୀୟ ଅସନ୍ତୋଷ ପଦାରେ ପଡ଼ିଥିଲା। ଦଳରୁ ବହିଷ୍କୃତ ଦିଲ୍ଲୀପ ରାୟ ଅସନ୍ତୁଷ୍ଟ ବିଜେଡି ବିଧାୟକଙ୍କ ସମର୍ଥନ ଯୋଗାଡ଼ କରି ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ନବୀନ ଫେରିଲେ ୨୦୧୨ ମେ ୩୧ ତାରିଖରେ ନବୀନ ଦିଲ୍ଲୀ ଫେରିଲେ। କିନ୍ତୁ ସଙ୍ଗେସଙ୍ଗେ ଭୁବନେଶ୍ୱର ଆସିଲେ ନାହିଁ। ୨୦୧୨ ଜୁନ ୧ ତାରିଖରେ ନବୀନ ଭୁବନେଶ୍ୱର ବିମାନ ବନ୍ଦର ଗେଟ ବାହାରକୁ ବାହାରିଲା ବେଳକୁ ଅନେକ ଦଳୀୟ କର୍ମୀ ତାଙ୍କୁ ସ୍ୱାଗତ କରିବାକୁ ରୁଣ୍ଡ ହୋଇଥିଲେ। ସେମାନେ ପ୍ୟାରୀଙ୍କୁ ବିଶ୍ୱାସଘାତକ ବୋଲି କହି ତାଙ୍କ ବିରୋଧରେ ନାରାବାଜି କରୁଥିଲେ। କେତେକ ତାଙ୍କ ବହିଷ୍କାର ଦାବି କରିଥିଲେ। ନବୀନ ସମବେତ ଜନତାଙ୍କୁ ହାତ ହଲେଇ ହଲେଇ ପଦାକୁ ବାହାରିଲାବେଳେ ଟିଭି କ୍ୟାମେରା ଆଗରେ ଗର୍ଜନ କଲେ, ପ୍ୟାରୀବାବୁ ଜଣେ ବେନାମୀ (ଜାଲ୍)। ସେ ପ୍ୟାରୀଙ୍କ ପ୍ରତି ଠିକ ଶବ୍ଦ ପ୍ରୟୋଗ କରିନାହାନ୍ତି ବୋଲି ସଙ୍ଗେସଙ୍ଗେ ବୁଝିଗଲେ ଜଣେ ସହାୟକ। ସେ ନବୀନଙ୍କ କାନ ପାଖରେ ଫୁସଫୁସ କରି କ’ଣ କହିଲେ। ସେଇଠୁ ନବୀନ କହିଲେ, ଓହ, ସେ ଜଣେ ବେଇମାନ। ପ୍ରଥମ ଥର ପାଇଁ ନବୀନ ଭାରତୀୟ ରାଜନୀତିର କୁତ୍ସିତ ଚେହେରା ଦେଖିଲେ। ଦିନେ ଯେଉଁ ସମର୍ଥକ ତାଙ୍କୁ ସଲାମ କରୁଥିଲେ ଓ ତାଙ୍କର ପ୍ରଶସ୍ତିଗାନ କରୁଥିଲେ ସେମାନେ ରାତାରାତ ତାଙ୍କର ଶତ୍ରୁ ହୋଇଯିବେ ବୋଲି ସେ କେବେ ଭାବି ନଥିଲେ। ସେ ଦଳୀୟ ବ୍ୟାପାରରୁ ଦୂରେଇ ରହିଥିବାରୁ ଏବଂ କର୍ମୀଙ୍କ ସହିତ ସିଧାସଳଖ ସଂପର୍କରେ ନଥିବାରୁ ଏପରି ହେଲା ବୋଲି ସେ ବୁଝିଗଲେ। ବିଦ୍ରୋହ ବିଫଳ ହେବାର ପ୍ରାୟ ମାସକ ଯାଏଁ ନବୀନ ନିବାସ ଭିତରକୁ ଲୋକମାନଙ୍କୁ ସ୍ୱାଗତ କରାଗଲା। କିନ୍ତୁ ଏହି ବିଫଳ ବିଦ୍ରୋହ ଦଳର ଅନେକ କ୍ଷତିସାଧନ କଲା। ନବୀନ ଅମଲାମାନଙ୍କ ଶକ୍ତ କବ୍ଜା ଭିତରକୁ ଖସିଗଲେ। ପ୍ୟାରୀଙ୍କ ବିଶ୍ୱାସଘାତର ସ୍ୱାଦ ଚାଖିବା ପରେ ନବୀନ ଆଉ କୌଣସି ଦଳୀୟ ନେତାଙ୍କୁ ବିଶ୍ୱାସ କଲେ ନାହିଁ। ଏଇ ମଉକାରେ ବାବୁମାନେ ପ୍ୟାରୀଙ୍କ ଶୂନ୍ୟସ୍ଥାନ ପୂରଣ କରିବାକୁ ମେଳି ହୋଇଗଲେ। ପ୍ୟାରୀଙ୍କ ବିଦାୟ ପରେ ନବୀନ ସେମାନଙ୍କୁ ବିଶ୍ୱାସ କରିବେ ବୋଲି ବରିଷ୍ଠ ନେତା ଦାମୋଦରା ରାଉତ, ପ୍ରସନ୍ନ ଆଚାର୍ଯ୍ୟ ଓ କଳ୍ପତରୁ ଦାସ ପ୍ରମୁଖ ଯେଉଁ ଆଶା ପୋଷଣ କରିଥିଲେ ତାହା ହେଲା ନାହିଁ। ନବୀନ ଗୋଟେ ଖୋଳପା ଭିତରେ ପଶିଗଲେ ଏବଂ ଦଳ ପରିଚାଳନା କରିବାକୁ ଦଳର କୌଣସି ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଲେ ନାହିଁ। ତେଣୁ ସେମାନେ କିଛି କରିପାରିଲେ ନାହିଁ। ବରଂ ଜଣେ ନୂଆ ଅମଲା କିପରି ଅଧିକ କ୍ଷମତାଶାଳୀ ହୋଇଗଲେ ତାହା ଅସହାୟତାର ସହିତ ଉପଲକ୍ଷ୍ୟ କଲେ। ପ୍ରକୃତ କ୍ଷମତା କେନ୍ଦ୍ର ଥରେ ଜଣେ ବରିଷ୍ଠ ମନ୍ତ୍ରୀ ପ୍ୟାରୀଙ୍କୁ ଦେଖା କରିବାକୁ ଯାଇଥିଲେ। ସେତେବେଳେ କିଛି ସାମ୍ୱାଦିକ ବି ସେଠାରେ ଥିଲେ। ଆଗନ୍ତୁକ ମନ୍ତ୍ରୀଙ୍କୁ ପ୍ୟାରୀ ଚେୟାରରେ ବସିବାକୁ କହିଲେ। କିନ୍ତୁ ସେ ତଳେ ବସିବାକୁ ଉଚିତ ମଣିଲେ। ଗଣମାଧ୍ୟମ ସାମ୍ନାରେ ସଂପୃକ୍ତ ମନ୍ତ୍ରୀଙ୍କର ଏପରି ଆନୁଗତ୍ୟ ପ୍ରଦର୍ଶନ ପ୍ୟାରୀଙ୍କୁ ଖୁସି କରିଥିବ। କିନ୍ତୁ ଗଣମାଧ୍ୟମ ସାମ୍ନାରେ ସେ ଟିକେ ଅଶ୍ୱସ୍ତି ବୋଧ କଲେ। ଏଇ ମନ୍ତ୍ରୀଙ୍କ ବିରୋଧରେ ହତ୍ୟା ଅଭିଯୋଗର ମାମଲା ଚାଲିଥିଲା। ଭାବମୂର୍ତ୍ତି ସଚେତନ ନବୀନ ତାଙ୍କୁ କେବେଠାରୁ ବଳି ପକାଇଥାନ୍ତେ। କିନ୍ତୁ ପ୍ୟାରୀଙ୍କ ଦୃଢ଼ ସମର୍ଥନ ଯୋଗୁଁ ତାଙ୍କ ବେକ ବଂଚି ଯାଇଥିଲା। ଅଥଚ ଏଇ ମନ୍ତ୍ରୀ ଜଣକ ପ୍ୟାରୀଙ୍କ ବିଫଳ ବିଦ୍ରୋହ ପରେ ତୁରନ୍ତ ପକ୍ଷ ପରିବର୍ତ୍ତନ କଲେ ଓ କୁରାଢ଼ୀ ମୁହଁରୁ ବର୍ତ୍ତିଗଲେ। ୧୯୯୭ ମସିହାରେ ନବୀନ ବିଜୁ ଜନତା ଦଳ ଗଠନ କରିଥିଲେ ମଧ୍ୟ କେବେ ବି ଦଳ ବିଷୟ ବୁଝୁ ନଥିଲେ। ପ୍ରତି କଥାରେ ସେ ପ୍ୟାରୀ ଅଙ୍କଲ୍ଙ୍କୁ ଖୋଜୁଥିଲେ। ପ୍ୟାରୀ ତାଙ୍କ ବାପାଙ୍କର ଜଣେ ବିଶ୍ୱସ୍ତ ସହଯୋଗୀ ଥିଲେ। ଓଡ଼ିଶାରେ ତିନି ପ୍ରକାର ଅମଲା ଦେଖାଯାନ୍ତି। ଦଳେ ହେଲେ ନିଷ୍ଠାପର କଂଗ୍ରେସ ସମର୍ଥକ। ଆଉ ଦଳେ ହେଲେ ଜନତାବାଦୀ ଏବଂ ତୃତୀୟ ଦଳଟି ହେଲେ ଗୋଷ୍ଠୀ ନିରପେକ୍ଷ। କ୍ଷମତାକୁ ଆସୁଥିବା ଦଳ ଅନୁସାରେ କଂଗ୍ରେସ ଓ ଜନତା ବାବୁମାନେ ପୁରସ୍କାର ଓ ଦଣ୍ଡ ପାଉଥିଲେ। ଡେଙ୍ଗା ଓ ପତଳା ପ୍ୟାରୀ ଥିଲେ ଜନତା-ବାବୁ। ୧୯୯୦-୯୪ ମଧ୍ୟରେ ସେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ବ୍ୟକ୍ତିଗତ ସଚିବ ଭାବେ ଅନେକ କ୍ଷମତା ଉପଭୋଗ କରିଥିଲେ। ନବୀନ ରାଜନୀତିରେ ପ୍ରବେଶ କଲା ପରେ ସେ ତୁରନ୍ତ ବୁଝି ଯାଇଥିଲେ ଯେ ଦଳୀୟ ନେତାମାନେ ନବୀନଙ୍କୁ ସଖୀ କେ‹ଇ କରିବାକୁ ଚାହୁଁଛନ୍ତି। ତେଣୁ ସେ ତାଙ୍କୁ ସୁରକ୍ଷା ଦେବାକୁ ଦଳରୁ ଏଭଳି ମହତ୍ମାକାଙ୍କ୍ଷୀମାନଙ୍କୁ ସଫା କରିବାରେ ଲାଗିଥିଲେ। ଲଗାତାର ତିନିତିନିଟି ନିର୍ବାଚନରେ ସେ ଦଳକୁ ସଫଳତାର ସହିତ ବିଜୟୀ କରାଇ ତାଙ୍କ ରାଜନୀତିକ ଦକ୍ଷତାର ପ୍ରମାଣ ଦେଇଥିଲେ। ସେ ବିଜେଡି ନେତାମାନଙ୍କର ତାଲିକା ତିଆରି କରିଥିଲେ ଓ ଅନେକଙ୍କୁ ବ୍ୟକ୍ତିଗତ ଭାବେ ଜାଣିଥିଲେ। ଅମଲାମାନେ ଲାଭଜନକ ପଦବୀ ପାଇବା ପାଇଁ ନିୟମିତ ତାଙ୍କୁ ଭେଟୁଥିଲେ। ପୁଲିସ ବିଭାଗର ସବୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ଉପରେ ତାଙ୍କର ନିୟନ୍ତ୍ରଣ ଥିଲା। ଅନେକ ବରିଷ୍ଠ ପୁଲିସ ଅଫିସର ତାଙ୍କ ଆଶୀର୍ବାଦ ପାଇବାକୁ ତାଙ୍କ ଚରଣ ଛୁଉଁଥିଲେ। ସରକାରଙ୍କ ପ୍ରାୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଫାଇଲ ପ୍ରତିଦିନ ତାଙ୍କ ଘରକୁ ଯାଉଥିଲା। ପ୍ରତିଦିନ ପ୍ୟାରୀବାବୁ ନବୀନଙ୍କ ସହିତ ପ୍ରାୟ ତିନି ଘଣ୍ଟା କଥା ହେଉଥିଲେ, ଛୋଟଛୋଟ ବିଷୟରେ ବି। ବିଜେଡି ସରକାରଙ୍କ ଅନେକ ଲୋକପ୍ରିୟ ଯୋଜନାର ମୁଖ୍ୟ ସ୍ଥପତି ଥିଲେ ପ୍ୟାରୀ। ତାଙ୍କର ପ୍ରଥମ ସଫଳତା ହେଉଛି ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧୀନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ। ୨୦୦୮ ମସିହାରେ ଆରମ୍ଭ ହୋଇଥିବା ୨ ଟଙ୍କିଆ ଚାଉଳ ଯୋଜନା ମଧ୍ୟ ତାଙ୍କର ଅନ୍ୟ ଏକ ସଫଳ ଯୋଜନା ଥିଲା। ଏହି ଯୋଜନା ଯୋଗୁଁ ନବୀନ ୨୦୦୯ ନିର୍ବାଚନରେ ତୃତୀୟ ଥର ପାଇଁ ବିପୁଳ ବିଜୟ ହାସଲ କଲେ। ରାଜ୍ୟରେ ପୁଞ୍ଜିନିବେଶ ପାଇଁ ସରକାରଙ୍କ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିବାକୁ ଚାହୁଁଥିବା ପ୍ରାୟ ସମସ୍ତ ବଡ଼ବଡ଼ ନିବେଶକାରୀଙ୍କୁ ପ୍ୟାରୀବାବୁଙ୍କୁ ଭେଟିବାକୁ ହେଉଥିଲା। ଦଳୀୟ ବ୍ୟାପାରରେ ସାମ୍ୱାଦିକମାନେ ତାଙ୍କ ମତାମତ ନେଉଥିଲେ। ୨୦୦୦ ମସିହାରୁ ୨୦୧୨ ଯାଏଁ ଶହୀଦ ନଗରର ୧୧୧ ନମ୍ୱର ପ୍ଲଟ ହୋଇଯାଇଥିଲା ଭୁବନେଶ୍ୱରର ସବୁଠୁ ବଡ଼ ଠିକଣା। ପୁରସ୍କାର ସ୍ୱରୂପ ନବୀନ ତାଙ୍କୁ ୨୦୦୪ ଓ ୨୦୧୦ ମସିହାରେ ରାଜ୍ୟସଭାକୁ ପଠାଇଥିଲେ। ପ୍ୟାରୀଙ୍କ ଶେଷ ସଫଳତା ଥିଲା ୨୦୦୯ ନିର୍ବାଚନ। ୨୦୦୮ ମସିହାର କନ୍ଧମାଳ ଦଙ୍ଗା ପରେ ପ୍ୟାରୀବାବୁ ବିଜେପି ସହିତ ମେଣ୍ଟ ଭାଙ୍ଗିବାକୁ ଜିଦି ଧରିଲେ। ତାହା ହିଁ ହେଲା। ନିର୍ବାଚନ ପୂର୍ବରୁ ନବୀନ ବିଜେପି ହାତ ଛାଡ଼ିଦେଲେ। ୨୦୦୯ ନିର୍ବାଚନରେ ବିଜେପିକୁ ଧୂଳି ଚଟେଇ ବିଜେଡି ୧୦୦୩ ଆସନରେ ବିଜୟୀ ହେଲା। ଅନୁଗ୍ରହରୁ ବାଦ ପଡ଼ିଲେ କେବଳ ଲୋକପ୍ରିୟତା ଯୋଗୁଁ ନିର୍ବାଚନ ଜିତି ହୁଏ ନାହିଁ। ଲୋକପ୍ରିୟତା ଭୋଟରେ ପରିଣତ ହେବା ଦରକାର। ବିଜୁବାବୁ ଅତ୍ୟନ୍ତ ଲୋକପ୍ରିୟ ଥିଲେ। କିନ୍ତୁ ୧୯୯୫ ମସିହାରେ ତାଙ୍କ ସରକାର ପରାସ୍ତ ହେଲା। ନବୀନଙ୍କ ବିଶ୍ୱାସ ଯେ ତାଙ୍କର ଲୋକପ୍ରିୟତା ଯୋଗୁଁ ଦଳ ଜିତୁଛି। ପ୍ୟାରୀବାବୁ ଭାବୁଥିଲେ ସେ ତ ଦଳୀୟ ସଭାପତିଙ୍କ ସବୁ କାମ କରୁଛନ୍ତି, ସେ କାହିଁକି ନବୀନଙ୍କ ସ୍ଥାନରେ ବସିବେ ନାହିଁ? ୨୦୦୭ ପରଠୁଁ ବିଜେଡି ରାଜନୀତିରେ ଏକ ନୂଆ ପରମ୍ପରା ଆରମ୍ଭ ହେଲା। ଦଳୀୟ କର୍ମୀମାନେ ନବୀନବାବୁଙ୍କ କଟ୍ ଆଉଟ ସହିତ ପ୍ୟାରୀବାବୁଙ୍କର ମଧ୍ୟ ବଡ଼ବଡ଼ କଟ୍ ଆଉଟ୍ ଲଗାଇଲେ। ଏଗାର ବର୍ଷର ସଂପର୍କର ମୂଲ୍ୟାୟନ ଆନୁଗତ୍ୟ ଓ ବିଶ୍ୱାସ ଭିତ୍ତିରେ ହେବାର ଥିଲା। କିନ୍ତୁ ନବୀନଙ୍କ ଘନିଷ୍ଟ ହୋଇଯାଇଥିବା ଅମଲାମାନେ ବେଳକାଳ ଉଣ୍ଡି ନବୀନଙ୍କ କାନରେ ପ୍ୟାରୀଙ୍କ ବିରୋଧରେ ବିଷ ଭରିଦେଲେ। ସେମାନେ ପ୍ୟାରୀଙ୍କ ପ୍ରଭାବ ପାଇଁ ଅସନ୍ତୁଷ୍ଟ ଥିଲେ। ବିଜେଡି େୱବସାଇଟ ଅନୁସାରେ ୨୦୧୨ ସୁଦ୍ଧାର ଦଳୀୟ ସଦସ୍ୟଙ୍କ ସଂଖ୍ୟା ୨୭ ଲକ୍ଷରେ ପହଂଚିଯାଇଥିଲା। ୨୦୦୦ ମସିହାରେ ଏହି ସଂଖ୍ୟା ମାତ୍ର ୧୦ ହଜାର ଥିଲା। ନବୀନ ଭାବୁଥିଲେ ତାଙ୍କର ଲୋକପ୍ରିୟତା ଯୋଗୁଁ ଦଳ ପ୍ରତି ସାଧାରଣ ଲୋକଙ୍କ ଆକର୍ଷଣ ବଢ଼ୁଛି। କିନ୍ତୁ ଏହା ପଛରେ ଯେ ପ୍ୟାରୀବାବୁଙ୍କ ଯୋଜନା ଓ ନିଷ୍ଠାପର ଉଦ୍ୟମ ରହିଥିଲା ତାହା ସେ ଗ୍ରହଣ କରିପାରୁ ନଥିଲେ। ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିଭେଦର ପ୍ରଥମ ପ୍ରଦର୍ଶନ ଥିଲା ଆଠଗଡ଼ ଉପନିର୍ବାଚନ। ଆଠଗଡ଼ର ଦଳୀୟ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବା ରାଜାଭାଇ ବିଜୁବାବୁଙ୍କର ବିଶ୍ୱସ୍ତ ଥିଲେ। କିନ୍ତୁ ସେ ଶହୀଦନଗର ଯାଇଁ ପ୍ୟାରୀଙ୍କୁ ମୁଣ୍ଡିଆ ମାରୁନଥିବାରୁ ପ୍ୟାରୀ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚନା କରି ୨୦୦୯ ନିର୍ବାଚନରେ ତାଙ୍କ ପ୍ରାଥିର୍ପତ୍ର ରଦ୍ଦ କରାଇଥିଲେ। ଏହା ବିରୋଧରେ ରାଜାଭାଇ କୋର୍ଟ ଯାଇଥିଲେ। ଶେଷରେ ସୁପ୍ରିମ କୋର୍ଟ ରାଜାଙ୍କ ଅଭିଯୋଗ ଭିତ୍ତିରେ ୨୦୦୯ ଆଠଗଡ଼ ନିର୍ବାଚନ ରଦ୍ଦ କଲେ। ଏହା ପରେ ହେବାକୁ ଥିବା ଉପନିର୍ବାଚନ ପାଇଁ ନବୀନ ୨୦୧୨ ଫେବୃଆରୀ ମାସରେ ରଣେନ୍ଦ୍ର ପ୍ରତାପଙ୍କୁ ହିଁ ଦଳୀୟ ପ୍ରାର୍ଥୀ ଘୋଷଣା କଲେ। ତାଙ୍କର ଏହି ନିଷ୍ପତ୍ତି ପ୍ୟାରୀବାବୁଙ୍କୁ ଅଧିକ ଅସନ୍ତୁଷ୍ଟ କରିଥିଲା। ୨୦୧୨ ଏପ୍ରିଲ ୭ ତାରିଖରେ ଅଧିକ ଅପମାନ ପାଇଲେ ପ୍ୟାରୀ। ବ୍ରହ୍ମପୁରର ଖଲ୍ଲିକୋଟ କଲେଜ ଛାତ୍ର ସଂସଦ ପ୍ୟାରୀଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଥିଲେ। ପ୍ୟାରୀ ବ୍ରହ୍ମପୁରରେ ପହଂଚିଲେ। କିନ୍ତୁ ତାଙ୍କୁ ସର୍କିଟ ହାଉସ୍ରେ ସ୍ଥାନ ମିଳିଲା ନାହିଁ। ସେ ଜିଲ୍ଲା ଗସ୍ତ କରୁଥିବା ସମୟରେ ତାଙ୍କୁ ଯୋଗାଇ ଦିଆଯାଉଥିବା ପୁଲିସ ସୁରକ୍ଷା ମଧ୍ୟ ମିଳିଲା ନାହିଁ। ଯେଉଁ ଜିଲ୍ଲା ଅଧିକାରୀମାନେ ତାଙ୍କ ଗୋଡ଼ ତଳେ ପଡ଼ୁଥିଲେ ସେମାନେ ମଧ୍ୟ ପ୍ୟାରୀଙ୍କୁ ପ୍ଲେଗ ରୋଗ ଭାବି ଦୂରେଇ ରହିଲେ। ୨୦୧୨ ଜୁନ ୧୦ ତାରିଖରେ ପ୍ୟାରୀବାବୁ ଭୁବନେଶ୍ୱରରେ ଏକ ବିବାହ ଭୋଜିକୁ ଯାଇଥିଲେ। ସେହି ସମୟରେ ବରିଷ୍ଠ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ସେଠାରେ ପହଂଚିଲେ। ସେ ଗାଡ଼ିରୁ ଓହ୍ଲଉ ଓହ୍ଲଉ ଦେଖିଲେ ଭୋଜିରେ ପ୍ୟାରୀ ଅଛନ୍ତି। ଘଡ଼ାଇ ତରବରରେ ସେଠାରୁ ପଳାଇ ଆସିଲେ। ପ୍ୟାରୀଙ୍କ ସହିତ ତାଙ୍କର ଭଲ ସଂପର୍କ ଥିଲା। କିନ୍ତୁ ସାଧାରଣରେ ପ୍ୟାରୀଙ୍କ ସହିତ ଲୋକେ ତାଙ୍କୁ ଦେଖିଲେ କଥା ନବୀନଙ୍କ କାନକୁ ଯିବ। ଏଇ ଆଶଙ୍କାରେ ଘଡ଼ାଇ ପ୍ୟାରୀଙ୍କୁ ଆଡେ଼ଇ ପଳାଇ ଆସିଲେ। କନିଷ୍ଠ ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ସେଇଆ କଲେ। ପ୍ୟାରୀବାବୁଙ୍କ ଏହା ଖୁବ ବାଧିଥିବ। ଯେଉଁମାନେ ଦିନେ ପଦପଦବୀ ପାଇଁ ତାଙ୍କ ଗୋଡ଼ ତଳେ ପଡ଼ୁଥିଲେ ସେମାନେ ତାଙ୍କୁ ଏପରି ଅପମାନିତ କରିବେ ସେ କେବେ ଭାବି ପାରିନଥିବେ। ୨୦୧୨ ଫେବୃଆରୀ ମାସରେ ଓଡ଼ିଶାରେ ପଂଚାୟତିରାଜ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେତେବେଳକୁ ନବୀନ ତାଙ୍କର ନୂଆ ବିଶ୍ୱସ୍ତ ଗୋଷ୍ଠୀ ବାଛି ସାରିଥିଲେ। ସେଇମାନଙ୍କ ପରାମର୍ଶକ୍ରମେ ସେ ଜିତିବା ପାଇଁ ପ୍ରଚାର ଯୋଜନା କରିଥିଲେ। ବିଭିନ୍ନ ପ୍ରଚାର ସଭାରେ ପ୍ୟାରୀଙ୍କୁ ତାଙ୍କ ସହିତ ବସିବା ସୁଯୋଗ ମିଳିଲା ନାହିଁ। ଏପରିକି ପ୍ରଚାର ପାଇଁ ସାଧାରଣ ସଭାକୁ ପ୍ୟାରୀଙ୍କୁ କେହି ନଡାକିବା ପାଇଁ ସବୁ ବ୍ୟବସ୍ଥା ହୋଇଥିଲା। ଏହି ନିର୍ବାଚନରେ ନବୀନ ନିଜର ପରାକାଷ୍ଠା ଦେଖାଇବାକୁ ଚାହୁଁଥିଲେ। ବିରୋଧୀ ଦଳର କର୍ମୀମାନଙ୍କୁ ଲାଞ୍ଚ ଦେଇ ନିଜର କରାଗଲା। ବିରୋଧୀ ପକ୍ଷର ଅଭିଯୋଗ ଥିଲା ଖଣି ଲବି ଏହି ନିର୍ବାଚନ ପାଇଁ ବିଜେଡିକୁ ବିପୁଳ ପରିମାଣର ଚାନ୍ଦା ଦେଇଛନ୍ତି। ଏହି ନିର୍ବାଚନରେ ଦରିଦ୍ର ଓଡ଼ିଶାର ସରପଂଚ ପ୍ରାର୍ଥୀମାନେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କଲେ। ନିର୍ବାଚନରେ ରାଜ୍ୟର ୩୦ ଜିଲ୍ଲାରୁ ୨୬ ଜିଲ୍ଲାରେ ବିଜେଡି ବିପୁଳ ବିଜୟ ହାସଲ କଲା। ନବୀନବାବୁ ନିଜେ ସବୁ ବ୍ଲକ ଓ ଜିଲ୍ଲା ପରିଷଦର ଅଧ୍ୟକ୍ଷ ବାଛିଲେ। ପ୍ୟାରୀବାବୁଙ୍କ ସମ୍ମତି ନିଆଗଲା ନାହିଁ। ୨୦୧୪ ନିର୍ବାଚନରେ ପ୍ୟାରୀ ନଥିଲେ। ତଥାପି ନବୀନ ବିପୁଳ ବିଜୟ ହାସଲ କରି ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ। ବ୍ରହ୍ମାସ୍ତ୍ର କାମ କଲାନି ୨୦୧୩ ଏପ୍ରିଲ ୯ ତାରିଖରେ ପ୍ୟାରୀବାବୁ ଓଡ଼ିଶା ଜନ ମୋର୍ଚ୍ଚା ନାମରେ ନିଜର ଏକ ଅଲଗା ଦଳ ଗଢ଼ିଲେ। ଏହି ଦଳର ଏକମାତ୍ର ଆଜେଣ୍ଡା ଥିଲା ନବୀନଙ୍କୁ ଗାଦିଚ୍ୟୁତ କରିବା। ତାଙ୍କ ଦଳ ଅତି କମରେ ୮୦ଟି ଆସନ ଜିତିବ ବୋଲି ସେ ଦାବି କଲେ। ଏହା ଅବିଶ୍ୱସନୀୟ ଥିଲା। ପ୍ୟାରୀଙ୍କର ପୂର୍ବର ଅନେକ ଭବିଷ୍ୟବାଣୀ ସତ ହୋଇଥିଲେ ବି ଏଇ ଭବିଷ୍ୟବାଣୀଟି ପୂରା ଭୁଲ ହୋଇଗଲା। ତାଙ୍କ ଦଳ ଗୋଟିଏ ବି ଆସନ ଜିତିଲା ନାହିଁ। ଶେଷ ଆଡ଼କୁ ପ୍ୟାରୀ ଗୋଟେ ବ୍ରହ୍ମାସ୍ତ୍ର କଥା କହୁଥିଲେ। ଏଇ ବ୍ରହ୍ମାସ୍ତ୍ର ଛାଡ଼ି ସେ ନବୀନଙ୍କ ଗାଦିଚ୍ୟୁତ କରିବେ ବୋଲି ଦୃଢ଼ ଆଶା ପୋଷଣ କରୁଥିଲେ। କିନ୍ତୁ ସେପରି କିଛି ହେଲା ନାହିଁ। ମୁହଁ ଖୋଲିଲେ ତାଙ୍କୁ ଜେଲ୍ରେ ପୂରାଇ ଦିଆଯିବ ବୋଲି ନବୀନ କାଳେ ପ୍ୟାରୀଙ୍କୁ ଧମକ୍ ଦେଇଥିଲେ। ଏଇ ଡରରେ ସେ ଚୁପ ରହିଲେ ବୋଲି କେତେକ ନେତା କୁହନ୍ତି।