ପିତୃସ୍ବପ୍ନର ପଛେ ପଛେ-୫(୨)

Apr 8, 2019 - 03:09
 751
ପିତୃସ୍ବପ୍ନର ପଛେ ପଛେ-୫(୨)
ବିଶ୍ବଜିତ ମହାନ୍ତି ଚିରଦିନ ସୁରକ୍ଷିତ ନିଜର ଦୁର୍ନୀତି ବିରୋଧୀ ଭାବମୂର୍ତ୍ତି ବଜାୟ ରଖିବା ପାଇଁ ନବୀନ ଅନେକ ସମୟରେ ବରିଷ୍ଠ ଅଫିସରଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ନିଦ୍ଦେର୍ଶ ଦେଇଥାନ୍ତି। କିନ୍ତୁ ଏସବୁ ତଦନ୍ତରେ କେବେ ମୁଣ୍ଡି ମରେ ନାହିଁ। ମାମଲାକୁ ଦୁର୍ବଳ କରିବା ପାଇଁ ଜାଣିଶୁଣି ଦୁର୍ବଳ ଅଭିଯୋଗ କରାଯାଏ କିମ୍ୱା ମାମଲା ଆରମ୍ଭ କରିବାକୁ ଅନୁମତି ଦିଆଯାଏ ନାହିଁ। କେତେକ କ୍ଷେତ୍ରରେ ବହୁ ବିଳମ୍ୱରେ ଅନୁମତି ଦିଆଯାଏ। ୨୦୧୧ ମାର୍ଚ୍ଚ ୧୮ ତାରିଖରେ ଦାଖଲ ହୋଇଥିିବା ଏକ ଆରଟିଆଇ ଦରଖାସ୍ତର ଉତ୍ତରରେ ସରକାର ଦେଇଥିବା ତଥ୍ୟରୁ ଜଣାପଡେ଼ ଯେ ଭିଜିଲାନ୍ସ ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମତି ମାଗିବା ପରେ ୫ ବର୍ଷ ଯାଏଁ ଅନୁମତି ଦିଆଗଲା ନାହିଁ। ୧୯୯୭ ଅଗଷ୍ଟ ୨୮ ତାରିଖରେ ଜାରି ହୋଇଥିବା ୨୨୯୩୭ ନମ୍ୱର ସର୍କୁଲାର ଅନୁସାରେ ଦୁଇ ମାସ ଭିତରେ ନିଷ୍ପତ୍ତି ନିଆଯିବା କଥା। ଅନେକ କ୍ଷେତ୍ରରେ ବୁଦ୍ଧିହୀନ ଭାବେ ଭିଜିଲାନ୍ସ କେସ୍ ପାଇଁ ଅନୁମତି ଦିଆଯାଏ ନାହିଁ କିନ୍ତୁ ବିଭାଗୀୟ ତଦନ୍ତ ଆରମ୍ଭ ହୁଏ। ୨୦୧୫ ମାର୍ଚ୍ଚ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ କହିଲେ ଯେ ୨୦୦୪ରୁ ୨୦୧୪ ମଧ୍ୟରେ କୌଣସି ଭିଜିଲାନ୍ସ କେସ୍ ବନ୍ଦ ହୋଇନାହିଁ। ତେବେ ସେ ଏକଥା ମଧ୍ୟ ସ୍ୱୀକାର କରିଥିଲେ ଯେ ୨୭ଟି ଦୁର୍ନୀତି ମାମଲାରେ ମକଦ୍ଦମା ଅନୁମତି ଦିଆଯାଇ ନାହିଁ। ଅନ୍ୟପକ୍ଷରେ ଭିଜିଲାନ୍ସ ବିଭାଗ ପୂର୍ବତନ ପୁଲିସ ମହାନିଦ୍ଦେର୍ଶକ ପ୍ରକାଶ ମିଶ୍ରଙ୍କ ପରି ସରକାରଙ୍କ ପ୍ରିୟଭାଜନ ହୋଇନଥିବା ଅଫିସରଙ୍କ ବିରୋଧରେ ମକଦ୍ଦମା କରିଥିଲେ। ବେଆଇନ ଅର୍ଥ କାରବାର ଅଭିଯୋଗରେ କେତେକ ଖଣି ମାଲିକଙ୍କ ଉପରେ ପ୍ରବର୍ତ୍ତନ ନିଦ୍ଦେର୍ଶାଳୟ ଚଢ଼ାଉ କରିବା ପରେ ଯାଇଁ କେନ୍ଦୁଝରରେ ପୂର୍ବରୁ ମୁକରିର ଥିବା ଦୁଇ ଜଣ ବନ ଅଧିକାରୀ ପିଆର କରାଟ ଓ ବିକ୍ରମ ସିଂହଙ୍କ ବିରୋଧରେ ମକଦ୍ଦମା କରିବାକୁ ଅନିଚ୍ଛାକୃତ ଭାବେ ଅନୁମତି ଦିଆଯାଇଥିଲା। ବିନା କାମରେ ପୂରା ଦରମା ଅଫିସରମାନେ ଭୁଲ କାମ କରି ଧରାପଡ଼ିଲେ ଉତ୍ତରଦାୟିତ୍ୱ ସାବ୍ୟସ୍ତ କରିବା ପାଇଁ ସେମାନଙ୍କୁ ଦଣ୍ଡ ଦିଆଯିବା ଦରକାର। କିନ୍ତୁ ସେମାନଙ୍କୁ ଅନୁଗତ କରି ରଖିବା ପାଇଁ ସେ ନିଲମ୍ୱନ ଆଦେଶ ଦିଅନ୍ତି ନାହିଁ। କିନ୍ତୁ ସାଧାରଣରେ ଭାବମୂର୍ତ୍ତି ବଜାୟ ରଖିବା ପାଇଁ ସେ ସେମାନଙ୍କୁ ବିଭାଗୀୟ ପଦରୁ ହଟାଇ ଦାୟିତ୍ୱ ରହିତ ଅଧିକାରୀ ବା ଅଫିସର ୱିଦାଉଟ ଡ୍ୟୁଟି ପଦରେ ଅବସ୍ଥାପିତ କରନ୍ତି। ବିଧି ବହିରେ ଏଭଳି କୌଣସି ବ୍ୟବସ୍ଥା ନଥିଲେ ବି ସେ ୨୦୦୬ ମେ ମାସରୁ ଏଭଳି ଏକ ବିକୃତ ଧାରା ଆରମ୍ଭ କରିଛନ୍ତି। ଏହା ମଧ୍ୟରେ ସେ ୧୨ ଜଣ ଆଇଏଏସ ଓ ଆଇପିଏସ ଅଫିସରଙ୍କୁ ଏହିଭଳି ଢଙ୍ଗରେ ଅଫିସର ୱିଦାଉଟ ଡ୍ୟୁଟି ବା ଦାୟିତ୍ୱ ରହିତା ଅଧିକାରୀ ପଦରେ ନିଯୁକ୍ତ କରିଛନ୍ତି। ସୂଚନା ଅଧିକାରୀ ଆଇନ ବଳରେ ଲେଖକ ସାଧାରଣ ପ୍ରଶାସନ ବିଭାଗରୁ ଏହି ପଦ ସଂପର୍କରେ ଜାଣିବାକୁ ଚାହିଁଥିଲେ। ସାଧାରଣ ପ୍ରଶାସନ ବିଭାଗ କହିଲା, ସାଧାରଣ ପ୍ରଶାସନ ବିଭାଗର ଦାୟିତ୍ୱ ରହିତ ଅଧିକାରୀ ପଦରେ ଜଣେ ଆଇଏଏସ ଅଧିକାରୀ ଅବସ୍ଥାପିତ ହେବେ ଓ ସେ ସରକାରଙ୍କ ବିଧି ଅନୁଯାୟୀ ଦରମା ଓ ମହଙ୍ଗା ଭତ୍ତା ଇତ୍ୟାଦି ପାଇବେ। ସେ ରାଜ୍ୟର ଆଇଏଏସ କ୍ୟାଡରର ସଦସ୍ୟ ରହିବେ। ଏଭଳି ବେଆଇନ ଆଦେଶ ଯୋଗୁଁ ରାଜକୋଷରୁ ୨ କୋଟିରୁ ଅଧିକ ଟଙ୍କା ଅଯଥାରେ ଦରମା ଓ ଭତ୍ତା ଆକାରରେ ଖର୍ଚ୍ଚ ହୋଇଛି। ଜଣେ ଓକିଲଙ୍କୁ ନିର୍ଯାତନା ଦେବା ଅଭିଯୋଗରେ କେନ୍ଦ୍ରାପନାର ତତ୍କାଳୀନ ଏସ୍ପି ସତୀଶ କୁମାର ଗଜଭିୟେଙ୍କୁ ୨୦୧୫ ଅଗଷ୍ଟ ୭ ତାରିଖରେ ବଦଳି କରାଯାଇ ଦାୟିତ୍ୱ ରହିତ ଅଧିକାରୀ ପଦରେ ଅବସ୍ଥାପିତ କରାଗଲା। ଗଜଭିୟେ ତାଙ୍କ ଫେସବୁକ୍ ଆକାଉଣ୍ଟରେ ଲେଖିଲେ ଯେ ଏହା ଏକ ଦଣ୍ଡ ନୁହେଁ। ସରକାର ତାଙ୍କ ବୁଦ୍ଧିରେ ବୃହତ୍ତର ଜନସ୍ୱାର୍ଥ ଦୃଷ୍ଟିରୁ ଏପରି ପଦକ୍ଷେପ ନେଇଛନ୍ତି। ତେବେ ତାଙ୍କ ବଦଳି ଆଦେଶ ପରେ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହେବାରୁ ଶେଷରେ ୬ ଦିନ ପରେ ସରକାର ତାଙ୍କୁ ନିଲମ୍ୱିତ କରିବା ପାଇଁ ବାଧ୍ୟ ହୋଇଥିଲେ। କିଏ ଏହି ଆଦେଶ ଦେଇଥିଲେ ବୋଲି ଲେଖକ ଜାଣିବାକୁ ଚାହିଁବାରୁ ସାଧାରଣ ପ୍ରଶାସନ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ନାମ ପ୍ରକାଶ ନକରିବା ଉଦ୍ଦେଶ୍ୟରେ କହିଲା ଯେ ଏଭଳି କିଛି ଆଦେଶ ନାହିଁ। ତେବେ ସୂଚନା କମିଶନରେ ଆବେଦନ କରାଯିବାରୁ କମିଶନଙ୍କ ନିଦ୍ଦେର୍ଶ ପରେ ସାଧାରଣ ପ୍ରଶାସନ ବିଭାଗ ମାନିଲା ଯେ ମୁଖ୍ୟମନ୍ତ୍ରୀ ହିଁ ଏହି ଆଦେଶ ଦେଇଥିଲେ। ସେମାନେ ଏହା ମଧ୍ୟ ସ୍ୱୀକାର କଲେ ଯେ ପ୍ରାଶାସନିକ ବ୍ୟବସ୍ଥାରେ ଅଫିସର ୱିଦାଉଟ ଡ୍ୟୁଟି ବା ଦାୟିତ୍ୱ ରହିତ ଅଧିକାରୀ ବୋଲି କୌଣସି ପଦ ନାହିଁ। ତେବେ ସରକାର ଚାହିଁଲେ ଯେକୌଣସି ଅଧିକାରୀଙ୍କୁ ଯେକୌଣସି ପଦରେ ଅବସ୍ଥାପିତ କରିପାରିବେ। ଉଦ୍ଭଟ ଉପାୟ ବିଧାନସଭାରେ ୨୦୧୩-୧୪ ବର୍ଷର ବଜେଟ ଆଗତ ହେବାର ଦିନକ ପୂର୍ବରୁ ବିଧିବ୍ୟବସ୍ଥା ଅନୁସାରେ ଉପସ୍ଥାପିତ ହୋଇଥିବା ଆର୍ଥନୀତିକ ସର୍ଭେ ରିପୋର୍ଟର ଅସ୍ୱୀକାରନାମା ଥିଲା, ପ୍ପଏହି ରିପୋର୍ଟ ଓଡ଼ିଶା ସରକାରଙ୍କ ମତର ପ୍ରତିଫଳନ ନୁହେଁ।ଡ୍ଗ ତେବେ ଯେଉଁ ରିପୋର୍ଟ ସରକାରଙ୍କ ମତ ବହନ କରୁ ନାହିଁ ତାହା କିପରି ଗବେଷକମାନଙ୍କ ପାଇଁ ଏକ ଦରକାରୀ ନଥି ହେବ ତାହା ଏକ ଅସମାହିତ ପ୍ରଶ୍ନ ହୋଇ ରହିଛି। ଏହା କ’ଣ ଏକ ସ୍କୁଲ ଟେଷ୍ଟ ପେପର ଥିଲା ଯାହାକୁ ପରୀକ୍ଷା ପରେ ଫୋଫାଡ଼ି ଦିଆଯାଏ? ଏହି ସର୍ଭେ ରିପୋର୍ଟ ପ୍ରସ୍ତୁତ କରିଥିଲେ ଦାରିଦ୍ର୍ୟ ଓ ମାନବ ବିକାଶ ତଦାରଖ ସଂସ୍ଥାର ମୁଖ୍ୟ ଆରଭି ସିଂହ। ସେ ଜଣେ ଅବସରପ୍ରାପ୍ତ ବନାଧିକାରୀ। ଏହି ସଂସ୍ଥା ବିଷୟରେ ବିଶେଷ କେହି ଜାଣନ୍ତି ନାହିଁ। ଏହା ହେଉଛି ବିଜେଡି ସରକାରର ଅନ୍ୟ ଏକ ଥଇଥାନ କେନ୍ଦ୍ର। ଅନୁଗତ ଅଫିସର ଅବସର ପରେ ଏଠାରେ ଥଇଥାନ ହୋଇଥାନ୍ତି। ଏହା ଏକ ବୃଦ୍ଧାଶ୍ରମ ପରି କାର୍ଯ୍ୟ କରେ। ବେଆଇନ ଖଣି କାରବାର ଉପରେ ଶାହା କମିଶନ ଦାଖଲ କରିଥିବା ରିପୋର୍ଟ ଉପରେ କି ଆଦେଶ ଦିଆଯାଇଛି ତାହା ଜାଣିବା ପାଇଁ ଏଇ ଲେଖକ ଆରଟିଆଇ ଆଇନ ବଳରେ ଆଗ୍ରହ ପ୍ରକାଶ କରିଥିଲା। ମୁଖ୍ୟମନ୍ତ୍ରୀଙ୍କ ଅଫିସ ୨୦୧୪ ଜୁଲାଇ ୧୯ ତାରିଖରେ ଉତ୍ତର ଦେଲେ ଯେ ଏମିତି କୌଣସି ରିପୋର୍ଟ ଆମର ହସ୍ତଗତ ହୋଇନାହିଁ। ସମାନ ପ୍ରଶ୍ନର ଉତ୍ତର ସମାନ ଭାଷାରେ ଦେଇଥିଲେ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଇସ୍ପାତ ଓ ଖଣି ବିଭାଗ। ଅଥଚ ଦେଶବାସୀ ଜାଣିଛନ୍ତି ଯେ ବିଚାରପତି ଏମବି ଶାହା ଏହି ରିପୋର୍ଟ ୨୦୧୩ ଅଗଷ୍ଟ ମାସରେ ଦାଖଲ କରିଥିଲେ। ଏହା ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେନେଇ ଓଡ଼ିଶା ସରକାର ମଧ୍ୟ ଏକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିସାରିଥିଲେ। ଏଥିରୁ ଏ ସରକାର ଉପରେ ବାବୁମାନଙ୍କର କବÔା କେତେ ମଜବୁତ ତାହା ଜଣାପଡେ଼। ସେମାନେ ଏ ଶତାବ୍ଦୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ତଦନ୍ତ ରିପୋର୍ଟକୁ ଚାପିବାରେ ସଫଳ ହେଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ଏ ରିପୋର୍ଟରେ କ’ଣ ଅଛି ଜାଣିବାକୁ କେବେ ଆଗ୍ରହ ପ୍ରକାଶ କଲେ ନାହିଁ। ମୁହଁରେ ହସ ଫୁଟେଇଲେ ୨୦୦୦ ମସିହାରେ ନବୀନ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ପରେ ଅମଲାମାନେ ସେମାନଙ୍କର ସ୍ୱାଧୀନତା ଫେରି ପାଇ ଖୁସିରେ ମାତିଗଲେ। କାରଣ ଖୁବ ଅଳ୍ପ ଦିନ ଭିତରେ ସେମାନେ ଜାଣିଗଲେ ଯେ ନବୀନଙ୍କର ଶାସନରେ କୌଣସି ଆଗ୍ରହ ନାହିଁ। ନବୀନଙ୍କ ପୂର୍ବ ସରକାରରେ ନେତାମାନେ ସବୁବେଳେ ଅମଲାଙ୍କ କାମରେ ହସ୍ତକ୍ଷେପ କରୁଥିଲେ। ଏପରିକି କୁଜିନେତାମାନେ ମଧ୍ୟ ପ୍ରଚୁର କ୍ଷମତା ଉପଭୋଗ କରୁଥିଲେ। ବିଜେଡି ଶାସନରେ କିନ୍ତୁ ଓଲଟା ହେଲା। ନେତାମାନେ ଅଭଦ୍ର ଅମଲାମାନଙ୍କ ବିରୋଧରେ ସବୁବେଳେ ଅଭିଯୋଗ କଲେ। କଂଗ୍ରେସ ଶାସନରେ ଏମିତି ହେଉ ନଥିଲା। ବଡ଼ ବଡ଼ ଅଧିକାରୀମାନେ ମଧ୍ୟ କୁଜିନେତାମାନଙ୍କୁ ଯଥେଷ୍ଟ ଭୟ ଓ ସମ୍ମାନ ପ୍ରଦର୍ଶନ କରୁଥିଲେ। ସେମାନଙ୍କର ଆଶଙ୍କା ଥିଲା କାଳେ ସେମାନେ ପପ୍ତାଏ କର୍ମୀଙ୍କୁ ଧରି ଆସି ଗଣ୍ଡଗୋଳ କରିବେ, ନହେଲେ ମନ୍ତ୍ରୀଙ୍କୁ କହି ଗାଳି ଖୁଆଇବେ। ସାଧାରଣ ଅଭିଯୋଗ ବିଭାଗର ସ୍ଲୋଗାନ ହେଲା ‘ମାନ ସେବା ହିଁ ଈଶ୍ୱର ସେବା’। କିନ୍ତୁ ଅଫିସରମାନେ ପ୍ରାୟତଃ ଅନୁପସ୍ଥିତ ରହୁଥିବାରୁ ଅଭିଯୋଗ ପ୍ରକୋଷ୍ଠଗୁଡ଼ିକର କୌଣସି ମାନେ ରହେନି। ନବୀନ ଶାସନରେ ଏଭଳି ୧୭ ବର୍ଷ ଚାଲିଲା ପରେ ୨୦୧୪ ନଭେମ୍ୱର ୨୫ ତାରିଖରେ ସରକାର ପୁଣି ଥରେ ପୁରୁଣା ଆଦେଶ ଜାରି କଲେ। ଆଦେଶରେ କୁହାଯାଇଥିଲା ସୋମବାର ଅଫିସରମାନେ କୌଣସି ମିଟିଂ ରଖିବେ ନାହିଁ। ସେମାନେ ଲୋକଙ୍କ ଅଭିଯୋଗ ଶୁଣିବେ, ଜନ ସଂପର୍କ ଶିବିରରେ ଯୋଗଦେବେ। ଜିଲ୍ଲାପାଳ ଓ ଏସ୍ପିମାନେ ମଧ୍ୟ ଏହିପରି ଶିବିରରେ ଉପସ୍ଥିତ ରହିବେ। ସତର ବର୍ଷ ତଳେ ଠିକ ଏହି ଭାଷାରେ ଆଦେଶପତ୍ର ଜାରି ହୋଇଥିଲା। କେହି ମାନିଲେ ନାହିଁ। ପୁନଃ ଜାରି ହୋଇଥିବା ଆଦେଶକୁ ମଧ୍ୟ କେହି ମାନିଲେ ନାହିଁ। ତେଣୁ ୨୦୧୫ ଜାନୁଆରୀ ୧୨ ତାରିଖରେ ସାଧାରଣ ଅଭିଯୋଗ ବିଭାଗ ଆଉ ଏକ ସ୍ମାରକପତ୍ର ଜାରି କରି କହିଲେ, ଦୁଇ ଜିଲ୍ଲା ମୁଖିଆ ସଂପର୍କ ଶିବିରରେ ଉପସ୍ଥିତ ରହିବେ। ଏଥିରୁ କ’ଣ ବୁଝା ପଡ଼ୁଛି? ସରକାରୀ ଆଦେଶକୁ ଅଫିସର ଖାତିର କରନ୍ତି କି? ନହେଲେ, ବାରମ୍ୱାର ସେଇ ଏକା ଆଦେଶ ପୁନଃ ଜାରି ହେବାର ଆବଶ୍ୟକତା କ’ଣ? ଲୋକମାନେ ମଧ୍ୟ ଏଭଳି ଅଭିଯୋଗ ପ୍ରକୋଷ୍ଠ ସଂପର୍କରେ ବିଶେଷ କିଛି ଜାଣନ୍ତି ନାହିଁ। ଦାରିଦ୍ର୍ୟ ଓ ଦୁର୍ନୀତି ନିପୀଡ଼ିତ ଓଡ଼ିଶାର ଲୋକସଂଖ୍ୟା ୪.୨୪ କୋଟି ଟପିଥିଲେ ମଧ୍ୟ ୨୦୧୧-୧୨ ବର୍ଷରେ ମାତ୍ର ୧୧୪୯ଟି ଅଭିଯୋଗ ଦାଖଲ ହୋଇଥିଲା। ଜିଲ୍ଲା ସ୍ତରୀୟ ଅଧିକାରୀମାନେ ପୂରା ବ୍ୟବସ୍ଥାଟିକୁ ଅପହରଣ କରିନେଇଛନ୍ତି। ସେହି ବର୍ଷ ୩୬୦ ଜନ ସଂପର୍କ ଶିବିର ହେବା କଥା। ହୋଇଥିଲା ମାତ୍ର ୧୬ଟି। ଏଥିପାଇଁ କୌଣସି ଜିଲ୍ଲାପାଳଙ୍କୁ ଦଣ୍ଡ ମିଳିଲା ନାହିଁ। ତୃତୀୟ ମହଲା ସୁରକ୍ଷା ଦେଲା। ୨୦୧୫ ଫେବୃଆରୀ ୧୦ ତାରିଖରେ ସରକାର ଜିଲ୍ଲାପାଳମାନଙ୍କୁ କହିଲେ, ସେମାନେ ଲୋକଙ୍କ ମୁହଁରେ ହସ ଫୁଟାନ୍ତୁ, ସେମାନଙ୍କ ଅଭିଯୋଗର ତୁରନ୍ତ ଫଇସଲା କରନ୍ତୁ। ଗାଁ ଗହଳର ଲୋକଙ୍କଠାରୁ ଅଭିଯୋଗ ସଂଗ୍ରହ କରିବା ପାଇଁ ଗୋଟିଏ ଅଭିଯୋଗ-ଭ୍ୟାନ୍ ବୁଲିବ ବୋଲି ନିଦ୍ଦେର୍ଶ ଜାରି ହେଲା। କିନ୍ତୁ କୌଣସିଠାରେ କେହି ଏ ଗାଡ଼ି କେବେ ଦେଖି ନାହାନ୍ତି। ହାତ ଗଣତା କେଇ ଜଣଙ୍କୁ ଛାଡ଼ିଦେଲେ ଓଡ଼ିଶାର ବାବୁମାନଙ୍କୁ ଭଦ୍ରତା କ’ଣ ଜଣା ନାହିଁ। ଏହାର ମୂର୍ତ୍ତିମନ୍ତ ଶିକାର ହେଲେ ଇନ୍ଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି। ସାକ୍ଷାତ ସମୟ ପୂର୍ବରୁ ସ୍ଥିର ହୋଇଥିଲେ ବି ସୂଚନା ପ୍ରଯୁକ୍ତି ସଚିବଙ୍କୁ ଭେଟିବା ପାଇଁ ଥରେ ତାଙ୍କୁ ୩ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଲା। ଏହି ଘଟଣା ପରେ ରାଜ୍ୟରେ ଇନ୍ଫୋସିସ ଆଉ ଅଧିକ କ’ଣ କରିଥାନ୍ତା? ଆଗ୍ରହ ମରିଗଲା। ନବୀନ ଶାସନରେ ସାଧାରଣତଃ ସରକାରଙ୍କୁ ଲେଖାଯାଉଥିବା ଚିଠି ବା ଇମେଲର କୌଣସି ଉତ୍ତର ମିଳେ ନାହିଁ। କୌଣସି ଅମଲା କେବେ କୌଣସି ଲୋକକୁ ଫେରନ୍ତା କଲ୍ କରନ୍ତି ନାହିଁ। ଯଦି ସେ ବ୍ୟକ୍ତିଗତ ବନ୍ଧୁ ବା ଟଙ୍କାଥଳି ଦେବାକୁ ଥିବା ଠିକାଦାର ହୋଇଥିବେ ତେବେ ଅଲଗା କଥା। ସରକାରୀ ଫୋନରେ ବରିଷ୍ଠ ବାବୁମାନେ କେବେ କୌଣସି ସାଧାରଣ ଲୋକ ଓ ସାମ୍ୱାଦିକଙ୍କର ଫୋନ ଧରନ୍ତି ନାହିଁ। ୨୦୦୦ ମସିହା ମେ ମାସରେ ଏକ ଜାତୀୟ ଦୈଦିକ ଖବରକାଗଜର ଜଣେ ସାମ୍ୱାଦିକ ରିଲିଫ କମିଶନରଙ୍କୁ ଫୋନ କଲେ। ଅଫିସର ସେହି ସାମ୍ୱାଦିକଙ୍କୁ ଗାଳି ଫଜିତ କଲେ। କହିଲେ, ଆଜି ରବିବାର। ସେହି ଯୁବ ସାମ୍ୱାଦିକ ମଧ୍ୟ ଗର୍ଜନ କଲେ, ଆପଣ କ’ଣ ରବିବାର ସରକାରୀ କର୍ମଚାରୀ ନୁହନ୍ତି? ରବିବାର ତୁମେ କ’ଣ ସରକାରୀ ଘରେ ରୁହ ନାହିଁ? କମିଶନ ନା ଘୋଡ଼ଣି ସରକାର ଯେତେବେଳେ କୌଣସି କଠିନ ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି ସେତେବେଳେ ତଦନ୍ତ କମିଶନ ବସେ। ବାରମ୍ୱାର କମିଶନର କାର୍ଯ୍ୟକାଳ ବୃଦ୍ଧି ପାଏ। ରିପୋର୍ଟ ଦାଖଲ ବିଳମ୍ୱ ହୁଏ। ଲୋକେ ମୂଳ କଥା ଭୁଲିଯାଆନ୍ତି। ଏଇ ପଳାୟନର ରାସ୍ତା ବିଜେଡି ସରକାରଙ୍କୁ ବେଶ୍ ଭଲ ସୁହାଇଛି। ଗତ ୧୫ ବର୍ଷ ଭିତରେ ୨୦ଟି କମିଶନ ଗଠିତ ହୋଇଛି। ସେ ବାବଦରେ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଛି। ଫଳ କିଛି ହୋଇନାହିଁ। ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ଉପରେ ବସିଥିବା ତଦନ୍ତ କମିଶନ ବାବଦରେ ୨୦୧୩ ଫେବୃଆରୀ ୨୧ ତାରିଖ ସୁଦ୍ଧା ୯୬.୩୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। କମିଶନ ତାଙ୍କ ରିପୋର୍ଟ ୨୦୧୫ ଡିସେମ୍ୱର ୨୨ ତାରିଖରେ ଦାଖଲ ହୋଇଥିଲା। ଅନେକ ସମୟରେ ରିପୋର୍ଟ ଦାଖଲ ହେଲେ ମଧ୍ୟ ତା’ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ନାହିଁ। ଯଦି ବି କୌଣସି କ୍ଷେତ୍ରରେ ଜଣେ ସଚ୍ଚୋଟ ଅଫିସର ସଠିକ ତଦନ୍ତ ରିପୋର୍ଟ ଦାଖଲ କରନ୍ତି, ମୁଖ୍ୟମନ୍ତ୍ରୀ ତା’ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛାନ୍ତି। ଭଦ୍ରକ ଜେଲ୍ରେ ବନ୍ଦୀ ଥିବା କେତେ ଜଣ ବିହାରୀ ଅପରାଧୀଙ୍କୁ ଭେଟିଥିଲେ ତତ୍କାଳୀନ ଆଇଜି ପୁଲିସ ସଂଜୀବ ମାରିକ। ତଦନ୍ତରୁ ଜଣାପଡ଼ିଥିଲା ଯେ ଦୁଇ ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ହତ୍ୟା କରି ୨୩ ଲକ୍ଷ ଟଙ୍କା ଲୁଟ୍ କରିଥିବା ଅପରାଧରେ ଜେଲ୍ରେ ଥିବା ଡକାୟତଙ୍କୁ ଜେଲଭାଙ୍ଗି ଖଲାସ କରିବାକୁ ଏହି ଅପରାଧୀମାନେ ଯୋଜନା କରିଥିଲେ। ତତ୍କାଳୀନ ପୁଲିସ ମହାନିଦ୍ଦେର୍ଶକ ଏ ସଂପର୍କରେ ତଦନ୍ତ କରି ସଠିକ ରିପୋର୍ଟ ଦେଲେ ଓ କଡ଼ା କାର୍ଯ୍ୟାନୁଷ୍ଠାନ ସୁପାରିଶ କଲେ। ସରକାର ୨୦୦୭ ମେ ୧୯ ତାରିଖରେ ମାରିକଙ୍କୁ ନିଲମ୍ୱିତ କଲେ। ଏହା ଉପରେ ଲୋକପାଳ ତଦନ୍ତ ନିଦ୍ଦେର୍ଶ ମଧ୍ୟ ଦିଆଗଲା। ୨୦୦୭ ଅଗଷ୍ଟ ୨ ତାରିଖରେ ଗୃହ ବିଭାଗ ମାରିକଙ୍କ ଉପରେ କାରଣ ଦର୍ଶାଅ ନୋଟିସ ଜାରି କଲେ। କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଏଇ ବିଭାଗ ତାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲେ ନାହିଁ। ଫଳରେ ୧୨୦୦୮ ମସିହାରେ ତାଙ୍କର ନିଲମ୍ୱନ ଖାରଜ ହୋଇଗଲା। ମାରିକଙ୍କୁ ଦଣ୍ଡ ମିଳିଲା ନାହିଁ। ସେ ଥିଲେ ତୃତୀୟ ମହଲାର ପ୍ରିୟପାତ୍ର। ୨୦୧୪ ଜୁନ ମାସରେ ତାଙ୍କୁ ପୁଲିସ ମହାନିଦ୍ଦେର୍ଶକ ପଦକୁ ପଦୋନ୍ନତି ଦିଆଗଲା। ଅବସରବାସରେ ପିଠାଖିଆ ନବୀନଙ୍କ ଅମଳରେ ଅନେକ ଅମଲାଙ୍କୁ ଅବସରପରେ ସରକାରୀ ପଦରେ ଥଇଥାନ କରାଯାଇଛି। ଏହି ପ୍ରକ୍ରିୟାରେ ନବୀନଙ୍କ କାର୍ଯ୍ୟାଳୟରେ କାମ କରି ଅବସର ନେଇଥିବା ଅଫିସରମାନେ ସର୍ବାଧିକ ଉପକୃତ ହୋଇଛନ୍ତି। ମୁଖ୍ୟ ସଚିବ ପଦରୁ ଅବସର ନେବା ପରେ ଅଜିତ କୁମାର ତ୍ରିପାଠୀଙ୍କୁ ୨୦୦୯ ମସିହାରେ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରାଯାଇଥିଲା। ଅନ୍ୟତମ ମୁଖ୍ୟ ସଚିବ ବିଜୟ କୁମାର ପଟ୍ଟନାୟକଙ୍କୁ ଅବସର ପରେ ପବ୍ଲିକ ସର୍ଭିସ କମିଶନ ଓ ମାନବ ଅଧିକାର କମିଶନରେ ଥଇଥାନ କରାଯାଇଥିଲା। ଖଣି ଦୁର୍ନୀତିର ତଦନ୍ତ କରିଥିବା ଭିଜିଲାନ୍ସ ଏସପି ଦେବଦତ୍ତ ପଟ୍ଟନାୟକଙ୍କର କାର୍ଯ୍ୟକାଳ ୨୦୧୦ ଡିସେମ୍ୱର ମାସରେ ବୃଦ୍ଧି କରାଯାଇଥିଲା। ବିରୋଧୀଙ୍କ ଅଭିଯୋଗ ଥିଲା ସେ ଖଣି ଦୁର୍ନୀତିରେ ଲିପ୍ତ ଶାସକ ଦଳର କେତେକ ନେତାଙ୍କ ସଂପର୍କରେ ଅନେକ କିଛି ଜାଣିଥିଲେ। ତାଙ୍କୁ ଫାଇଦା ନଦେଲେ କାଳେ ସେ ସବୁ କଥା ପଦାରେ ପକାଇଦେବେ ସେଥିପାଇଁ ତାଙ୍କୁ ଥଇଥାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କର ପୂର୍ବତନ ସ୍ୱତନ୍ତ୍ର ସଚିବ ପ୍ରମୋଦ କୁମାର ମହାନ୍ତି ଓ ପୂର୍ବତନ ମୁଖ୍ୟ ସଚିବ ତରୁଣକାନ୍ତି ମିଶ୍ରଙ୍କୁ ସୂଚନା କମିଶନରେ ଥଇଥାନ କରାଯାଇଥିଲା। ଏ ଦୁଇ ଜଣଙ୍କ ପ୍ରଦର୍ଶନ ସେତେ ଉଲ୍ଲେଖନୀୟ ନଥିଲା। ଏମାନେ ମଧ୍ୟ ସେମିତି ପ୍ରସିଦ୍ଧ ନଥିଲେ। ଆରଟିଆଇ ଆଇନ ଅନୁସାରେ ସୂଚନା କମିଶନର ହେବାକୁ ଏମାନଙ୍କର ଯୋଗ୍ୟତା ନଥିଲା। ଅପାରଗ ଓ ଅଯୋଗ୍ୟ ସୂଚନା କମିଶନର ଜନ ସୂଚନା ଅଧିକାରୀମାନଙ୍କୁ ବେଶ୍ ସୁହାଏ। କାରଣ ସେମାନେ ସରକାରଙ୍କ ଅସୁବିଧା ହେଲା ଭଳି ତଥ୍ୟ ଦେବାକୁ କେବେ ବି ଚାର୍ହି ନଥାନ୍ତି। ଅନ୍ୟ ଅନେକ ଅମଲାଙ୍କୁ ଅବସର ପରେ କନସଲଟାଣ୍ଟ ଭାବେ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ଭିତରୁ କେତେକ ପୁଣି କୋଟିକୋଟି ଟଙ୍କାର ଖଣି ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ସେମାନଙ୍କର ଆଇନଗତ କ୍ଷମତା ଓ ଅଧିକାରୀ ନଥିଲେ ମଧ୍ୟ। ଇସ୍ପାତ ଓ ଖଣି ବିଭାଗର ଜଣେ କନସଲଟାଣ୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଏକ ଫାଇଲରେ ନୀତି ସଂପର୍କୀତ ନୋଟ୍ ଲେଖିଥିଲେ। ଏ ସଂପର୍କୀତ ତଥ୍ୟ ଲେଖକଙ୍କ ନିକଟରେ ରହିଛି। ଏଇଭଳି କନସଲଟାଣ୍ଟଙ୍କ ଜରିଆରେ ପ୍ରଭାବଶାଳୀ ଖଣି ଲବି ସେମାନଙ୍କ ଫାଇଦା ପାଇଁ ନୀତି ନିର୍ଦ୍ଧାରଣ କରାଇଥାନ୍ତି। ଏଭଳି କାର୍ଯ୍ୟ ପାଇଁ ଏଭଳି କନସଲଟାଣ୍ଟମାନେ କେବେ ବି ଉତ୍ତରଦାୟୀ ହୁଅନ୍ତି ନାହିଁ। ପ୍ରିୟପାତ୍ର ବିଜେଡି ସରକାରରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ଜଣେ ସର୍ବାଧିକ କ୍ଷମତାଶାଳୀ ଅମଲା ଥିଲେ। ସେ ୨୦୧୦ ଯାଏଁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦରେ ରହିବା ପରେ ମୁଖ୍ୟ ସଚିବ ପଦକୁ ପଦୋନ୍ନତି ପାଇଥିଲେ। ସେହି ପଦରେ ସେ ୨୦୧୩ ଜୁନ ଯାଏଁ କାର୍ଯ୍ୟ କରି ଅବସର ନେଇଥିଲେ। ସେ ନବୀନ ପଟ୍ଟନାୟକଙ୍କର ଅତ୍ୟନ୍ତ ଘନିଷ୍ଟ ହୋଇଥିବାରୁ ୯ ବର୍ଷ ଧରି ପ୍ରଚୁର କ୍ଷମତା ଉପଭୋଗ କରିଥିଲେ। ଦଳୀୟ ନେତା, ଅମଲା ଓ ବ୍ୟବସାୟୀମାନେ ସରକାରୀ ସହାୟତା ପାଇଁ ତାଙ୍କୁ ଅନୁରୋଧ କରୁଥିଲେ। ଜଣେ ବନ୍ଧୁବତ୍ସଳ ଓ ସାହାଯ୍ୟକାରୀ ଅଫିସର ଭାବେ ତାଙ୍କ ନାଁ ଥିଲା। କୁଖ୍ୟାତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଜମି ଆବଣ୍ଟନ କରିବାରେ ସେ ସଫଳ ହୋଇଥିଲେ। ତେବେ ହାଇକୋର୍ଟ ଏହି ଜମି ଆବଣ୍ଟନକୁ ଖାରଜ କରିଦେଇଥିଲେ। ତତ୍କାଳୀନ ଲୋକପାଳ ପିକେ ପାତ୍ର ମଧ୍ୟ ଏହି ଜମି ଦୁର୍ନୀତିରେ ବିଜୟ ପଟ୍ଟନାୟକଙ୍କ ଭୂମିକାର ତଦନ୍ତ ପାଇଁ ନିଦ୍ଦେର୍ଶ ଦେଇଥିଲେ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରିବେର୍ତ୍ତ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟ ଶାସନ ସଚିବ ପଦ ପୁରସ୍କାର ଦେଇଥିଲେ। ୨୦୧୫ ମସିହାରେ ସେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପରେ ଯୋଗଦେଲେ। ଏଥିରୁ ଏହି ସଂସ୍ଥା ସହିତ ତାଙ୍କର କି ପ୍ରକାର ସଂପର୍କ ଥିଲା ତାହା ଜଣାପଡେ଼। ବିଶାଳ ଦେବ ହେଉଛନ୍ତି ଏହିପରି ଅନ୍ୟ ଜଣେ ପ୍ରିୟପାତ୍ର। ସେ କିଛି ସମୟ ପାଇଁ ଇଡକୋର ମୁଖ୍ୟ ଥିଲେ। ସେହି ସମୟରେ ସେ ଇଡ଼କୋ ଜମି ବନ୍ଧକ ରଖି ଋଣ କରିବାକୁ ଜମି ପାଇଥିବା ଶିଳ୍ପସଂସ୍ଥାଗୁଡ଼ିକୁ ନୋ ଅବଜେକ୍ସନ ସାର୍ଟିଫିକେଟ ବା ଏନଓସି ପ୍ରଦାନ କରିଥିଲେ। ଅଡିଟ ସମୟରେ ଆକାଉଣ୍ଟାଣ୍ଟ ଜେନେରାଲ ଏହା ଧରି ତାଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ। ସେଥିପାଇଁ ତାଙ୍କର କ୍ଷମତା ନଥିଲା। ତେବେ ବିଶାଳ ଦେବ କହିଥିଲେ ଯେ ଏନଓସି ଦେବାକୁ ସରକାର ଇଡ଼କୋକୁ ଅନୁମତି ଦେଇଛନ୍ତି। କିନ୍ତୁ କଥା କିଛି ଅଲଗା ଥିଲା। ସରକାର ୨୦୧୪ ମସିହାରେ ଇଡ଼କୋକୁ ଏଥିପାଇଁ ଅନୁମତି ଦେଇଥିଲେ। ଅଥଚ ଅଡିଟରେ ଧରାପଡ଼ିଥିବା ଅନିୟମିତତା ଥିଲା ୨୦୧୨-୧୩ ବର୍ଷର। ଏଭଳି ଖୋଲାଖୋଲି ଅନିୟମିତତା ବିରୋଧରେ ଜନ ଅସନ୍ତୋଷ ସୃଷ୍ଟି ହୋଇଥିଲେ ମଧ୍ୟ ସରକାର ତାଙ୍କୁ ସ୍ପର୍ଶ କରିନଥିଲେ। ଏଜିଙ୍କ ଅଡିଟ ରିପୋର୍ଟ ଅନୁସାରେ ଶିଳ୍ପ ପାଇଁ ଓଡ଼ିଶା ସରକାରଙ୍କ ସହିତ ବୁଝାମଣା କରି ଜମି ନେଇଥିବା ୧୨ଟି ସଂସ୍ଥା ସେହି ଜମିକୁ ବନ୍ଧକ ରଖି ୫୨,୪୨୩.୫୦ କୋଟି ଟଙ୍କାର ଋଣ ଉଠାଇଥିଲେ। ଇଡ଼କୋ ଏନଓସି ମଂଜୁର କରିବାରୁ ସେଇ ଭିତ୍ତିରେ ସରକାରୀ ଜମି ବନ୍ଧକ ରଖି ଶିଳ୍ପସଂସ୍ଥାଗୁଡ଼ିକ ଏତେ ଟଙ୍କାର ଋଣ ହାସଲ କରିଥିଲେ। ଏହି ଅନିୟମିତତା ନେଇ ପବ୍ଲିକ ଆକାଉଣ୍ଟ କମିଟିକୁ ଦିଆଯାଇଥିବା ଉତ୍ତର ୨୦୧୪ ସେପ୍ଟେମ୍ୱରରେ ପ୍ରେସ୍ରେ ଲିକ୍ ହୋଇଗଲା। ଏଥିପାଇଁ ଇଡ଼କୋ ସିଏଜିକୁ ସମାଲୋଚନା କଲା। ସିଏଜି ଓଲଟି ଇଡ଼କୋକୁ ଦାୟୀ କଲେ। ଏ ସଂପର୍କୀତ ତଥ୍ୟ ଆଦାନ ପ୍ରଦାନ ଚାଲିଥିଲାବେଳେ ପ୍ରେସ୍ରେ ତାହା ଲିକ୍ ହେଲା ବୋଲି ସିଏଜି କହିଲେ। ତେବେ ସେ ଯାହା ବି ହେଉ, ଏହି ବିରାଟ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ଉପରେ ନବୀନ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ। କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟଷ୍ଟ୍ରିଆଲ ଟେକ୍ନୋଲୋଜି ବା କିଟ୍କୁ ଇଡ଼କୋ ଜମି ଆବଣ୍ଟନ ସମୟରେ ଇଡ଼କୋ ମୁଖ୍ୟ ବିଶାଳ ଦେବଙ୍କ ପତ୍ନୀ କିଟ ସହବନ୍ଧିତ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଳ ସାଇନ୍ସେସ ବା କିମ୍ସର ଦନ୍ତଶଲ୍ୟ ବିଭାଗର ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ। କିଟ୍କୁ ଜମି ଆବଣ୍ଟନ ନିଷ୍ପତ୍ତି ନେଇଥିବା ଉଚ୍ଚସ୍ତରୀୟ କମିଟି ଆଗରେ ଏକଥା ଗୋପନ ରଖିଥିଲେ ବିଶାଳ ଦେବ। ତୃତୀୟ ମହଲାର ଅନ୍ୟ ଜଣେ ସର୍ବକାଳୀନ ପ୍ରିୟପାତ୍ର ହେଲେ ପ୍ରଦୀପ ଜେନା। ଏକଦା ଶକ୍ତି ଓ ପଂଚାୟତିରାଜ ବିଭାଗ ଭଳି ତିନିତିନିଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ଦାୟିତ୍ୱ ତାଙ୍କୁ ମିଳିଥିଲା। କଳା ତାଲିକାଭୁକ୍ତ ରିଲାଏନ୍ସ ଗୋଷ୍ଠୀ କିପରି ତାଙ୍କ ବିଭାଗ ଅଧୀନସ୍ତ ତିନିଟି ବିଦ୍ୟୁତ ବଣ୍ଟନ କମ୍ପାନୀର ଦାୟିତ୍ୱରେ ରହିଛି ସେନେଇ ଏଇ ଲେଖକ ୨୦୧୧ ମସିହାରେ ପ୍ରଦୀପ ଜେନାଙ୍କ ନିକଟରେ ଅଭିଯୋଗ କରିଥିଲେ। ସେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ମନ୍ତବ୍ୟ ପାଇଁ ରିଲାଏନ୍ସକୁ ଅଭିଯୋଗପତ୍ର ପଠାଇଦେଲେ। ଶେଷରେ ରିଲାଏନ୍ସ କମ୍ପାନୀ ଓଡ଼ିଶା ସରକାରଙ୍କର ୨୪୦୦ କୋଟି ଟଙ୍କାର ଦେୟ ପୈଠ ନକରି ଦାୟିତ୍ୱରୁ ଓହରିଗଲା। ପ୍ରଦୀପ ଜେନା ଯଦି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତେ ଓଡ଼ିଶା ସରକାର ଏ ଟଙ୍କା ଫେରିପାଇଥାନ୍ତେ। ଖଣି ଦୁର୍ନୀତି ପ୍ରଘଟ ହେବା ସମୟରେ ଅଶୋକ ଦଳବାଇ ଇସ୍ପାତ ଓ ଖଣି ବିଭାଗର ସଚିବ ଥିଲେ। ସେ କୌଣସି ପ୍ରକାର ଉଁଚୁ ନହୋଇ ଖଣି ଫାଇଲ କାମ ସାରି ଦେଉଥିବାରୁ ତୃତୀୟ ମହଲାର ସୁନଜରରେ ଥିଲେ। ନିନ୍ଦୁକମାନେ କୁହନ୍ତି ତିନିତିନିଟା ନିର୍ବାଚନ ପାଇଁ ପାଣ୍ଠି ଯୋଗାଇଥିବାରୁ ଖଣି ମାଲିକମାନେ ସରକାର ଚଳଉଥିଲେ। ସବୁ କଥା ରେକର୍ଡ଼ପତ୍ରରେ ହେଉଥିଲେ ମଧ୍ୟ ଦଳବାଇ କେବେ ବି ବେଆଇନ ଖଣି କାରବାର ବନ୍ଦ କରିବାକୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲେ। ଖଣି ଦୁର୍ନୀତିର ତଦନ୍ତ କରିଥିବା ସୁପ୍ରିମ କୋର୍ଟଙ୍କ ନିଯୁକ୍ତ କେନ୍ଦ୍ରୀୟ କ୍ଷମତା ସଂପନ୍ନ କମିଟି ଆଗରେ ଦଳବାଇ ସଫେଇ ଦେଇଥିଲେ ଯେ ସେ ଖଣି ସଂପର୍କୀତ ପ୍ରଚଳିତ ନିୟମ ସଂପର୍କରେ କିଛି ଜାଣି ନଥିଲେ। ଖଣି ଦୁର୍ନୀତି ପାଇଁ ନବୀନ ସରକାର ସବୁଠୁଁ ଅଧିକ ବଦନାମ ହୋଇଥିଲେ ବି ଦଳବାଇଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ବରଂ ୨୦୧୦ ମସିହାରେ ତାଙ୍କୁ ଡେପୁଟେସନରେ ବାଙ୍ଗାଲୋର ଚାଲିଯିବାକୁ ଅନୁମତି ମିଳିଥିଲା। ନବୀନଙ୍କର ଅନ୍ୟ ଜଣେ ପ୍ରିୟପାତ୍ର ହେଲେ ଆଇଏଏସ ଅଫିସର ଭି. କାର୍ତ୍ତିକେୟନ ପାଣ୍ଡିଆନ। ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀ ତାଙ୍କୁ ନିଜର ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ କଲେ। ସେ ଏତେ ପ୍ରଭାବଶାଳୀ ଯେ ନେତା ଓ ବାବୁମାନେ ତାଙ୍କ ସଂପର୍କରେ ବଡ଼ପାଟିରେ କଥା ହୁଅନ୍ତି ନାହିଁ। ପାଣ୍ଡିଆନ ଯଦି କାହା ବିରୋଧରେ ପଦେ କହିଲେ ତେବେ କ୍ୟାରିଅର ଉଜୁଡ଼ିଗଲା ଜାଣ! ବରିଷ୍ଠ ମନ୍ତ୍ରୀମାନେ ମଧ୍ୟ ତାଙ୍କୁ ଡରନ୍ତି କାରଣ ସେ ମୁଖ୍ୟମନ୍ତ୍ରୀଙ୍କ ଆଦେଶ ଜାରି କରନ୍ତି। ସବୁବେଳେ ନମ୍ର ଓ ଖ୍ୟାତିଠାରୁ ଦୂରେଇ ରହୁଥିବା ପାଣ୍ଡିଆନଙ୍କୁ ସାଧାରଣରେ କେହି ନବୀନଙ୍କ ସହିତ ଦେଖନ୍ତି ନାହିଁ। କିନ୍ତୁ ସେ ହିଁ ସବୁ କରନ୍ତି, ସର୍ବବିଦ୍ୟମାନ। ଅନ୍ୟ ଆଇଏଏସ୍ଙ୍କ ପରି ସେ ନିଜ ସରକାରୀ କ୍ୱାର୍ଟର ଆଗରେ ଜାଜ୍ଜ୍ୱଲ୍ୟମାନ ନାମଫଳକ ଲଗାଇ ନାହାନ୍ତି। ମୁଖ୍ୟମନ୍ତ୍ରୀ ପାଣ୍ଡିଆନଙ୍କୁ ଖୁବ ବିଶ୍ୱାସ କରନ୍ତି। ସେ ଫାଇଲ ପଠାଇଲେ ମୁଖ୍ୟମନ୍ତ୍ରୀ ତୁରନ୍ତ ଦସ୍ତଖତ କରିଦିଅନ୍ତି। ନବୀନଙ୍କର ଏଇ ବିଶ୍ୱସ୍ତ ଡାହାଣ ହାତ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ବା ଏନଆରଏଚମ ନିଦ୍ଦେର୍ଶାଳୟରୁ ତାଙ୍କ ପାଇଁ ଗୋଟିଏ ଆପ୍୍ଲ ଆଇପ୍ୟାଡ଼ ଆଣିଥିବା ନେଇ ସୂଚନା ରହିଛି। ଗାଁ ଗହଳର ଲୋକଙ୍କ ସ୍ୱାସ୍ଥ୍ୟସେବା ପାଇଁ ଖର୍ଚ୍ଚ ହେବାକୁ ଆସିଥିବା ପାଣ୍ଠି ଏଇଭଳି ଭାବରେ ଅନ୍ୟ ବାଟରେ ଖର୍ଚ୍ଚ ହୋଇଯାଇଛି। ଆଦର୍ଶ ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ କରି ପାଣ୍ଡିଆନ ବିଜେଡିର ନିର୍ବାଚନ ପ୍ରଚାର ପରିଚାଳନା କରୁଥିଲେ ବୋଲି ୨୦୧୪ ଏପ୍ରିଲ ୧୦ ତାରିଖରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲା ବିଜେପି। ନବୀନ ସରକାରେ ଦକ୍ଷ ଓ ସଚ୍ଚୋଟ ଅଧିକାରୀମାନେ ବେଶୀ ଦିନ ତିଷ୍ଠନ୍ତି ନାହିଁ। ରାଜ୍ୟର ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣଗ୍ରସ୍ତ ବ୍ୟବସ୍ଥାୁ ବର୍ତ୍ତିବା ପାଇଁ ଅନେକ ଦକ୍ଷ ଓ ସଚ୍ଚୋଟ ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଚାଲିଯାଇଛନ୍ତି। ମନୋଜ ଆହୁଜା, ତାରା ଦତ୍ତ, ଅରବିନ୍ଦ ପାଢ଼ୀ, ହୃଷିକେଶ ପଣ୍ଡା ଓ ଅରବିନ୍ଦ ବେହେରା ପ୍ରମୁଖ ୫ ଜଣ ଆଇଏଏସ୍ଙ୍କର ସାଧୁତା ଓ ନିଷ୍ଠାପର ସେବା ନେଇ ଖ୍ୟାତି ରହିଛି। ସେମାନେ ଲୋକଙ୍କ କଥା ଶୁଣନ୍ତି। ଖଣି ଦୁର୍ନୀତି ପ୍ରଘଟ ହେବା ପରେ ପରେ ମନୋଜ ଆହୁଜା ଇସ୍ପାତ ଓ ଖଣି ବିଭାଗର ସଚିବ ଥିଲେ। ସେ ତାଙ୍କ ସମୟରେ ଅନଲାଇନ ପରମିଟ ମଂଜୁର ବ୍ୟବସ୍ଥା ପ୍ରଚଳନ କରିଥିଲେ। ଏହା ଫଳରେ ଖଣିଜ ଚୋରି ଅନେକ କମିଥିଲା। ୨୦୦୭ ମସିହାରେ ହୃଷିକେଶ ପଣ୍ଡା ଜଙ୍ଗଲ ଓ ପରିବେଶ ବିଭାଗରେ ୭୫ ଦିନ ରହିପାରିଲେନି। ପ୍ରଦୂଷଣକାରୀ ଶିଳ୍ପ ଓ ଖଣି ବିରୋଧରେ ସେ ଆଇନ ଅନୁଯାୟୀ ବନ୍ଦ ନୋଟିସ ଦେବାରୁ ଶକ୍ତିଶାଳୀ ଶିଳ୍ପ ଓ ଖଣି ଲବି ତାଙ୍କ ବିରୋଧରେ ଲାଗି ଯାଇଥିଲା। ତୃତୀୟ ମହଲା ଶିଳ୍ପ ଓ ଖଣି ଲବି ଦ୍ୱାରା ପ୍ରଭାବିତ ହୋଇ ତାଙ୍କୁ ତୁରନ୍ତ ହଟାଇଦେଲା। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ବ୍ୟବସ୍ଥାକୁ ସ୍ୱଚ୍ଛ ଓ ଦକ୍ଷ କରିବା ପାଇଁ ତତ୍କାଳୀନ ପ୍ରଶାସକ ଅରବିନ୍ଦ ପାଢ଼ୀ ଉଦ୍ୟମ କରିବାରୁ ବିଜେଡିର ସେବାୟତ ଲବି ତାଙ୍କ ବିରୋଧରେ ଲାଗିଗଲେ ଓ ୨୦୧୫ ମସିହାରେ ତାଙ୍କୁ ଅତ୍ୟନ୍ତ ଅଭଦ୍ରତା ସହକାରେ ହଟାଇ ଦିଆଗଲା। ପର୍ଯ୍ୟଟନ ବିଭାଗର ସଚିବ ଭାବେ ପାଢ଼ୀ ମଧ୍ୟ ପର୍ଯ୍ୟଟକଙ୍କ ସହାୟତା ପାଇଁ ରାସ୍ତାକଡ଼ରେ ଯାଯାବର ପ୍ରକଳ୍ପ ଆରମ୍ଭ କରିଥିଲେ। ମୂଳରୁ ଚୂଳ ଯାଏଁ ଦୁର୍ନୀତିଗ୍ରସ୍ତ ରାଜସ୍ୱ ବିଭାଗକୁ ସ୍ୱଚ୍ଛ କରିବା ପାଇଁ ତାରା ଦତ୍ତ ଅନେକ ଉଦ୍ୟମ କରିଥିଲେ। ୨୦୧୪ ମସିହାରେ ମଧ୍ୟ ସେ ଜମି ଦୁର୍ନୀତିର ତଦନ୍ତ କରିଥିଲେ। ସେ ତାଙ୍କ ରିପୋର୍ଟରେ ଅନେକ ଅମଲା, ବିଚାରପତି ଓ ସାମ୍ୱାଦିକ ଦୁର୍ନୀତି ଉପାୟରେ ଜମି ହାସଲ କରିଥିବା ଦର୍ଶାଇବାରୁ ତାଙ୍କୁ ୨୦୧୫ ଏପ୍ରିଲ ମାସରେ ସେଠାରୁ ହଟେଇ ଏକ ଗୁରୁତ୍ୱହୀନ ତାଲିମ ଏକାଡେମୀରେ ଅବସ୍ଥାପିତ କରାଗଲା। ବିଶାଳ ବିଫଳତା ଶାସନ ବିପର୍ଯ୍ୟସ୍ତ: ଶାସନର ବିଭିନ୍ନ ପରିମାପକ ନେଇ ଦେଶର ୧୭ଟି ରାଜ୍ୟର ଅଧ୍ୟୟନ କରିଥିଲେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଫାଇନାନ୍ସ ଆଣ୍ଡ ପବ୍ଲିକ ପଲିସି। ଏହିସବୁ ପରିମାପକ ହେଲା ଆଇନ ଶୃଙ୍ଖଳା, ପୁଲିସ ପ୍ରଶାସନ, ଶକ୍ତି, ଜଳସଂପଦ, ପରିମଳ ବ୍ୟବସ୍ଥା, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ନ୍ୟାୟ ବ୍ୟବସ୍ଥା। ୨୦୧୨ ମସିହାରେ ହୋଇଥିଲା ଏହି ଅଧ୍ୟୟନ। ନବୀନ ସବୁବେଳେ ସ୍ୱଚ୍ଛ ଓ ଲୋକପ୍ରିୟ ଶାସନ ଦେଉଥିବା ଦାବି କରୁଥିଲେ ମଧ୍ୟ ଏହି ଅଧ୍ୟୟନରେ ଓଡ଼ିଶାକୁ ୧୫ ନମ୍ୱର ସ୍ଥାନ ମିଳିଥିଲା। ଖାଦ୍ୟ ଅଧିକାର ଆଇନ ଅପହୃତ: ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ୨୦୧୩କୁ ଦୁଇ ବର୍ଷ ପରେ ରାଜ୍ୟରେ ଲାଗୁ କଲେ ନବୀନ। ଏହା ଫଳରେ କୋଟିକୋଟି ଗରୀବ ଲୋକ ସେମାନଙ୍କ ଅଧିକାରରୁ ଦୁଇ ବର୍ଷ ପାଇଁ ବଂଚିତ ହେଲେ। ଅଥଚ ଅଯୋଗ୍ୟ ହିତାଧିକାରୀମାନେ ସେମାନଙ୍କ କୋଟା ଚାଉଳ ଉଠାଇ ଚାଲିଲେ। ଦଳୀୟ ସମର୍ଥକମାନଙ୍କୁ ଅସନ୍ତୁଷ୍ଟ ନକରିବା ପାଇଁ ଖାଦ୍ୟମନ୍ତ୍ରୀ ସଂଜୟ ଦାସବର୍ମା ଏହି ଆଇନକୁ କାର୍ଯ୍ୟକାରୀ କରୁ ନଥିଲେ। ଶେଷରେ ଦୁଇ ବର୍ଷ ପରେ ୨୦୧୫ ଅକ୍ଟୋବର ୧ ତାରିଖ ଦିନ ଏହି ଆଇନ କାର୍ଯ୍ୟକାରୀ ହେଲା। କିନ୍ତୁ ରାଜନୀତିକ ଉଦ୍ଦେଶ୍ୟ ରଖି ବହୁ ଗରୀବ ଲୋକଙ୍କ ନାଁ ହିତାଧିକାରୀ ତାଲିକାରେ ରଖାଯାଇ ନାହିଁ ବୋଲି ଅଭିଯୋଗ କଲେ କଂଗ୍ରେସ ଓ ବିଜେପି। ନବୀନବାବୁ ହସହସ ମୁହଁରେ ଏହି କାର୍ଯ୍ୟକ୍ରମର ହିତାଧିକାରୀମାନଙ୍କୁ କାର୍ଡ଼ ବଣ୍ଟନ କରିବାବେଳେ ସମସ୍ତେ ଧରିନେଲେ ଯେ ଏହା ହେଉଛି ତାଙ୍କ ସରକାରର ଏକ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ସରକାର ୩୨.୬୦ ନିୟୁତ ଲୋକଙ୍କୁ ଯଥାକ୍ରମେ ୫ ଟଙ୍କା ଓ ୩ ଟଙ୍କା ଦରରେ ମାସିକ ୫ କିଲୋ ଚାଉଳ ଓ ଗହମ ଦେବାର ଥିଲା। ହିତାଧିକାରୀ ଚୟନରେ ବାଛବିଚାର ହୋଇଥିବାରୁ ଏହାକୁ ଏକ ବଡ଼ ଧରଣର ଦୁର୍ନୀତି ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କଲେ। ଏପରିକି କଂଗ୍ରେସ କର୍ମୀମାନେ ବିଜେଡି ମନ୍ତ୍ରୀମାନେ ଗସ୍ତରେ ଗଲାବେଳେ ଅଣ୍ଡା ଫୋଫାଡ଼ିଲେ। ଲୋକପାଳ ଖେଳ: ୨୦୧୩ ମସିହାରେ ଲୋକପାଳ ଏସସି ପାତ୍ରଙ୍କର ଦେହାନ୍ତ ହୋଇଗଲା। ଏହା ପରେ ନବୀନ ସରକାର ଆଉ ଲୋକପାଳ ନିଯୁକ୍ତ କଲେ ନାହିଁ। ଏବେ ବି ଏହି ପଦ ଫାଙ୍କା। ଲୋକପାଳ ନଥିବାରୁ ତାଙ୍କ ଅଫିସରେ ମାମଲା ସଂଖ୍ୟା ବଢ଼ିବଢ଼ି ୨୦୧୫ ଜୁନ ସୁଦ୍ଦା ୧୫୩୫ ମାମଲା ଜମା ହୋଇଗଲା। ଲୋକପାଳଙ୍କ ଅଫିସର କର୍ମଚାରୀମାନେ ମଧ୍ୟ ବସିବସି ବାର୍ଷିକ ୪.୨୦ କୋଟି ଟଙ୍କାର ଦରମା ନେଇ ଚାଲିଲେ। ଅଫିସ ଖର୍ଚ୍ଚ ବାବଦରେ ଗତ ଦୁଇ ବର୍ଷରେ ମଧ୍ୟ ସରକାର ୧.୧୦ କୋଟି ଟଙ୍କା ଖର୍ଚ୍ଚ କଲେ। ରାଜ୍ୟରେ ୨୦୧୪ ଫେବୃଆରୀ ୧୫ ତାରିଖରେ ଲୋକାୟୁକ୍ତ ଆଇନ ଗୃହୀତ ହେଲା। ଏହି ଆଇନ ପାଶ୍ କରିବାରରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହେଲା ବୋଲି ନବୀନ ସରକାର ପ୍ରଚାର କଲେ। ଏ ସଂପର୍କୀତ କେନ୍ଦ୍ରୀୟ ଆଇନ ପାଶ୍ ହୋଇଥିଲା ୨୦୧୩ ମସିହାରେ। ଓଡ଼ିଶା ଆଇନକୁ ରାଷ୍ଟ୍ରପତିଙ୍କ ସ୍ୱୀକୃତି ମିଳିଲା ୨୦୧୪ ଡିସେମ୍ୱର ୧୬ ତାରିଖରେ। କିନ୍ତୁ ଏହା ପରେ ବିତିଗଲାଣି ୩ ବର୍ଷ। ନବୀନ ସରକାର ଏଯାଏଁ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତ କରିନାହାନ୍ତି। ଫଳରେ ନବୀନ ସରକାରଙ୍କ ବିରୋଧରେ କୌଣସି ଦୁର୍ନୀତି ଅଭିଯୋଗର ତଦନ୍ତ ହୋଇପାରୁ ନାହିଁ। ପୁଲିସ ଅଭିଯୋଗ କର୍ତ୍ତୃପକ୍ଷ ଅଚଳ: ଲୋକପାଳ ହେଉଛନ୍ତି ରାଜ୍ୟ ପୁଲିସ ଅଭିଯୋଗ କର୍ତ୍ତୃପକ୍ଷର ମୁଖ୍ୟ। କିନ୍ତୁ ୨୦୧୩ ଜାନୁଆରରୀ ଲୋକପାଳ ନଥିବାରୁ ଏହି ଅନୁଷ୍ଠାନ ମଧ୍ୟ ଅଚଳ ହୋଇପଡ଼ିଛି। ସ୍ୱଚ୍ଛତାର ଧ୍ୱଂସସାଧନ: ଆରଟିଆଇ ଆଇନ ୨୦୦୫କୁ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟଭାବେ ଅତ୍ୟନ୍ତ ଜଟିଳ ନିୟମ ପ୍ରଣୟନ କରିଛି। ସରକାରୀ ସୂଚନର ପାଇଁ ଆବେଦନ କରିବାକୁ ହେଲେ ଜଣେ ଆବେଦନକାରୀଙ୍କୁ ନିଜର ପରିଚୟ ସମେତ ୧୧ଟି ତଥ୍ୟ ଦେବାକୁ ପଡ଼ୁଛି। ଏହା ଆଇନର ବିରୋଧୀ। ଏହି ନିୟମ ସଂଶୋଧନ କରିବାକୁ ଅରୁଣା ରୟଙ୍କ ପରି ବିଖ୍ୟାତ ସମାଜସେବୀଙ୍କ ସମେତ ବହୁ ସୂଚନାଧିକାର କର୍ମୀ ବାରମ୍ୱାର ଦାବି କରିଆସିଛନ୍ତି। କିନ୍ତୁ ଦଶନ୍ଧି ବିତିଗଲା ପଛେ ସରକାର ଶୁଣି ନାହାନ୍ତି। ୨୦୧୫ ଏପ୍ରିଲରେ କେନ୍ଦ୍ର ସରକାର ମଧ୍ୟ ନିଦ୍ଦେର୍ଶ ଦେଲେ ଯେ ରାଜ୍ୟ ସରକାର ଏ ସଂପର୍କୀତ କେନ୍ଦ୍ରୀୟ ନିୟମ ଅନୁସରଣ କରନ୍ତୁ। କିନ୍ତୁ ତା’ପରେ ବି କିଛି ହୋଇନାହିଁ। ଏହି ଆଇନ ଅଧୀନରେ ନିଜ ଆଡ଼ୁ ସୂଚନା ସାର୍ବଜନୀନ କରିବା ବ୍ୟବସ୍ଥାକୁ ମଧ୍ୟ କାର୍ଯ୍ୟକାରୀ କରାଯାଉ ନଥିଲା। ଏ ନେଇ ସୂଚନା କମିଶନ ନିକଟରେ ଫେରାଦ ହୋଇ ୨୦୦୯ ମେ ମାସରେ ରାୟ ହାସଲ କରିବା ପରେ ଯାଇଁ ସରକାର ଏ ଦିଗରେ ଏକ ନିଦ୍ଦେର୍ଶନାମା ଜାରି କଲେ। ତଥାପି ଆଇନର ୪(୧)(ଖ) ଅନୁସାରେ କୌଣସି ସରକାରୀ ଅଫିସ ୧୭ଟି ସୂଚନା ନିଜ ଆଡ଼ୁ ସାର୍ବଜନୀନ କରିନାହାନ୍ତି। ଏହା ଭିତରେ ସ୍ତାନୀୟ ଗୁଣ୍ଡାଙ୍କ ଆକ୍ରମଣରେ ୫ ଜଣ ଆରଟିଆଇ କର୍ମୀ ପ୍ରାଣ ହରାଇସାରିଲେଣି। ସଚିବାଳୟରୁ ଜାରି ହେଉଥିବା ଚିଠିଗୁଡ଼ିକୁ ଇ-ଗଭର୍ଣ୍ଣାନ୍ସ ବ୍ୟବସ୍ଥା ଦୃଷ୍ଟିରୁ ବିଭାଗୀୟ ପୋର୍ଟାଲରେ ଅପ୍ ଲୋଡ଼ କରିବା ପାଇଁ ସରକାର ନିଦ୍ଦେର୍ଶ ଦେଇଥିଲେ। କିନ୍ତୁ ବିଭାଗୀୟ ଅନିୟମିତତା ସଂକ୍ରାନ୍ତ ଚିଠିଗୁଡ଼ିକୁ ଲୋକଙ୍କ ନଜରରୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ଇସ୍ପାତ ଓ ଖଣି ବିଭାଗ ୨୦୧୩ ଅକ୍ଟୋବର ମାସରୁ ଏହି ଆଦେଶ ଆଉ କାର୍ଯ୍ୟକାରୁ ନାହିଁ। କେବଳ ଆରଟିଆଇ କର୍ମୀଙ୍କୁ ମିଳୁଥିବା ଚିଠିଗୁଡ଼ିକୁ ଏହି ବିଭାଗ ବିଭାଗୀୟ ପୋର୍ଟାଲରେ ଅପ୍ ଲୋଡ଼ କରୁଛି। ଏଇ ଲେଖକ ଆରଟିଆଇ ଆଇନ ବଳରେ ପାଇଥିବା ତଥ୍ୟ ଅନୁସାରେ ୨୦୧୩ ଅକ୍ଟୋବର ୧ ତାରିଖରୁ ୨୦୧୪ ଏପ୍ରିଲ ୩୦ ତାରିଖ ମଧ୍ୟରେ ଇସ୍ପାତ ଓ ଖଣି ବିଭାଗରୁ ୫,୨୭୮ଟି ଚିଠି ଜାରି ହୋଇଛି। କିନ୍ତୁ ଏହା ମଧ୍ୟରୁ ବାର ୧୨ ପ୍ରତିଶତ ବା ୬୫୪ଟି ଚିଠି ବିଭାଗୀୟ ପୋର୍ଟାଲରେ ଅପ୍ଲୋଡ଼ କରାଯାଇଛି। ଏ ସଂପର୍କରେ ଲେଖକ ତତ୍କାଳୀନ ମୁଖ୍ୟ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ନିକଟରେ ୨୦୧୪ ଜୁନ ୧୪ ତାରିଖରେ ଫେରାଦ ହୋଇଥିଲା। କିନ୍ତୁ ତା’ପରେ ୩ ବର୍ଷ ବିତିଗଲା, ହେଲେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ। କଇଁଛଙ୍କ ଶ୍ମଶାନଘାଟ: ୨୦୧୬ ଜାନୁଆରୀ ୨୦ ତାରିଖର ଶୀତୁଆ ସକାଳରେ ପୁରୀ ବେଳାଭୂମିରେ ବୁଲୁଥିବା ଲୋକମାନେ ଦେଖିବାକୁ ପାଇଥିଲେ ଯେ ପ୍ରାୟ ୧୫୦ଟି ଅଲିଭ ରିଡଲେ କଇଁଛଙ୍କ ପଚାସଢ଼ା ମୃତଦେହ ବେଳାଭୂମିରେ ଏଣେତେଣ ପଡ଼ି ରହିଛି। ଅଲିଭ ରିଡଲେ କଇଁଛ ସମଗ୍ର ବିଶ୍ୱରେ ମାତ୍ର ଦୁଇଟି ସ୍ଥାନରେ ପ୍ରଜନନ ଓ ଅଣ୍ଡାଦାନ କରିଥାନ୍ତି। ଓଡ଼ିଶା ଉପକୂଳ ହେଉଛି ତନ୍ମଧ୍ୟରୁ ଗୋଟିଏ। ପ୍ରତି ଶୀତ ଋତୁରେ ଓଡ଼ିଶାରେ ପ୍ରାୟ ୫ ଲକ୍ଷ କଇଁଛ ଅଣ୍ଡା ଦେଇଥାନ୍ତି। କିନ୍ତୁ ଓଡ଼ିଶା ଉପକୂଳରେ ଅବାଧରେ ମାଛ ଧରୁଥିବା ଟ୍ରଲର ଓ ଗିଲ୍ ଜାଲରେ ମାଡ଼ ହୋଇ ଅନେକ ସଂଖ୍ୟକ ଅଲିଭ ରିଡଲେ କଇଁଛ ପ୍ରାଣ ହରାଇଥାନ୍ତି। ପ୍ରତି ବର୍ଷ ୭୦୦୦ରୁ ୮୦୦୦ ଅଲିଭ ରିଡଲେ କଇଁଛଙ୍କ ମୃତଦେହ ସମୁଦ୍ରରୁ ବେଳାଭୂମିକୁ ଭାସି ଆସେ। ସେମାନଙ୍କର ପଚାସଢ଼ା ମୃତଦେହଗୁଡ଼ିକ ସେମାନଙ୍କୁ ସୁରକ୍ଷା ଦେବାରେ ଜଙ୍ଗଲ ବିଭାଗର ବିଫଳତାର ପ୍ରମାଣ ଛାଡ଼ିଯାଏ। ରାଜ୍ୟ ଜୈବବିବିଧତା ବୋର୍ଡ଼: ୨୦୦୨ ଜୈବ ବିବିଧତା ଆଇନ ଅନୁସାରେ ରାଜ୍ୟ ସରକାର ଏକ ଜୈବ ବିବିଧତା ବୋର୍ଡ଼ ଗଠନ କରିବା କଥା। କିନ୍ତୁ ଓଡ଼ିଶା ସରକାର ଏହି ବୋର୍ଡ଼ ଗଠନ କରୁ ନଥିଲେ। ୨୦୦୮ ଡିସେମ୍ୱର ୧୧ ତାରିଖରେ ଏ ସଂପର୍କରେ ଲେଖକ ଏକ ଅଭିଯୋଗ କଲେ। ଏହା ପରେ ୨୦୦୯ ମସିହାରେ ରାଜ୍ୟ ସରକାର ଜୈବ ବିବିଧତା ବୋର୍ଡ଼ ଗଠନ କରିବାକୁ ବାଧ୍ୟ ହେଲେ। ମୂଲ୍ୟବାନ ଜୈବ ବିବିଧତାର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଏହି ଆଇନକୁ ନବୀନ ପ୍ରଶାସନର ବାବୁମାନେ ଏହିପରି ଭାବେ ୭ ବର୍ଷ ଧରି କାର୍ଯ୍ୟକାରୀ ନକରି ପକାଇ ରଖିଥିଲେ। ଅଥଚ କାହାରି ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ଆଇନଗତ ଲ୍ୟାଣ୍ଡମାଇନ୍ ଆଇନଗତ ପ୍ରସଙ୍ଗଗୁଡ଼ିକରେ ମୁଖ୍ୟମନ୍ତ୍ରୀ କେବେ ବି ନିଜର ମନ୍ତ୍ରୀ କିମ୍ୱା ବିଧାୟକମାନଙ୍କ ସହିତ ପରାମର୍ଶ କରନ୍ତି ନାହିଁ। ସେ କେବଳ ନିଜର ବିଶ୍ୱସ୍ତ ଅମଲାମାନଙ୍କ ସହିତ ଏନେଇ ଆଲୋଚନା କରିଥାନ୍ତି। କହିବା ବାହୁଲ୍ୟ, ରାଜ୍ୟ ସରକାର ପ୍ରଣୟନ କରିଥିବା ଅନେକ ଆଇନ କୋର୍ଟରେ ରଦ୍ଦ ହୋଇଯାଏ ଓ ସରକାର ଅପଦସ୍ତ ହୋଇଥାନ୍ତି। ୨୦୦୭ ମେ ୧୮ ତାରିଖରେ ଓଡ଼ିଶା ବୃତ୍ତିଗତ ଶିକ୍ଷା ପ୍ରତିଷ୍ଠାନ ଆଇନକୁ ହାଇକୋର୍ଟ ରଦ୍ଦ କରିଦେଲେ। ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ହେଉଥିବା ମାଲ୍ପ୍ରାକ୍ଟିସ ବା ଅସାଧୁ କାର୍ଯ୍ୟ ରୋକିବା ଉଦ୍ଦେଶ୍ୟ ଏହି ଆଇନ ପ୍ରଣୀତ ହୋଇଥିଲା ବୋଲି କୁହାଯାଏ। ଅତ୍ୟନ୍ତ ତରବରିଆ ଭାବେ ଏହି ଆଇନ ପ୍ରଣୀତ ହୋଇଥିଲା। ସାମ୍ୱିଧାନିକ ବ୍ୟବସ୍ଥା ଅନୁସାରେ ଏ ବିଷୟରେ କେବଳ କେନ୍ଦ୍ର ସରକାର ଆଇନ ପ୍ରଣୟନ କରିପାରିବେ। ଏପରି ଆଇନ ପ୍ରଣୟନ କରିବାର କ୍ଷମତା ରାଜ୍ୟ ସରକାରଙ୍କ ନାହିଁ। ଏହିପରି ରାଜ୍ୟ ସରକାରଙ୍କର ଅନେକ ଆଇନ କୋର୍ଟରେ ରଦ୍ଦ ହୋଇଯାଇଛି। ୨୦୧୩ ମସିହାରେ ଓଡ଼ିଶାର ଓଡ଼ିଶଶ ଷ୍ଟାମ୍ପ (ସଂଶୋଧନ) ଆଇନ ପ୍ରଣୟନ କରିଥିଲେ। ଭବିଷ୍ୟତରେ ଖଣି ଲିଜ୍ ନବୀକରଣ କ୍ଷେତ୍ରରେ ଲିଜ୍ ଡିଡ୍ ଉପରେ ଷ୍ଟାମ୍ପ ଡ୍ୟୁଟି ଲଗାଇବାକୁ ଏହି ଆଇନ ଉଦ୍ଦିଷ୍ଟ ଥିଲା। ଏହାକୁ ହାଇ କୋର୍ଟରେ ଚାଲେଞ୍ଜ କରାଯାଇଥିଲା। ଏହା ଏକ ଉଦ୍ଭଟ ଆଇନ ଥିଲା। ସାଧାରଣତଃ କେତେକ ପକ୍ଷଙ୍କ ମଧ୍ୟରେ ହେଉଥିବା ଆଇଗତ ଉପକରଣ ଉପରେ ଷ୍ଟାମ୍ପ ଡ୍ୟୁଟି ଲାଗିଥାଏ। ଏହି ଆଇନ ବଳରେ ସରକାର ଭବିଷ୍ୟତରେ ହେବାକୁଥିବା ଖଣି ଲିଜ୍ ଉପରୁ ଷ୍ଟାମ୍ପ ଡ୍ୟୁଟି ଆଦାୟ କରିବାକୁ ଚାହୁଁଥିଲେ, ଯେତେବେଳେ କି ଆଇନ ପ୍ରଣୟନ ବେଳେ ଏପରି କୌଣସି ଲିଜ୍ ଉପକରଣ ନଥିଲା। ସରକାର ଖଣି ପଟ୍ଟାଦାରମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ କି ଯଦି ସେମାନଙ୍କର ଲିଜ୍ର ନବୀକରଣ ନହୁଏ ତେବେ ସେମାନଙ୍କୁ ସେମାନଙ୍କର ଷ୍ଟାମ୍ପ ଡ୍ୟୁଟି ବାବଦ ଅର୍ଥ ଫେରସ୍ତ କରାଯିବ। ୨୦୧୩ ଜୁଲାଇ ୯ ତାରିଖରେ କୋର୍ଟ ଏହି ଆଇନ ଉପରେ ରହିତାଦେଶ ଜାରି କଲେ। ଏହା ଫଳରେ ଖଣି ପଟ୍ଟାଦାରମାନେ ୧୦ ହଜାର କୋଟି ଟଙ୍କାର ରିହାତି ପାଇଗଲେ। କିନ୍ତୁ ଏଭଳି ଆଇନର ଚିଠା ପ୍ରସ୍ତୁତ କରିଥିବା ଅଫିସରମାନଙ୍କ ଉପରେ ମୁଖ୍ୟମନ୍ତ୍ରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ। ନବୀନଙ୍କ ଶାସନରେ ଆଇନଗତ ବିଷୟଗୁଡ଼ିକୁ ଅତ୍ୟନ୍ତ ହାଲୁକା ଭାବେ ପରିଚାଳନା କରାଯାଏ। ଅନେକ ମାମଲାରେ ଓଡ଼ିଶା ସରକାର ହାଜର ହେଉ ନଥିବାରୁ ସୁପ୍ରିମ କୋର୍ଟ ସରକାରଙ୍କୁ ତାଗିଦ କରିଛନ୍ତି। ଅନେକ ସମୟରେ ଖଣି ବିଭାଗ କୋର୍ଟରେ ହାଜର ହୁଏ ନାହିଁ। ଏପରିକି ଖଣି ଜରିମାନା ସଂପର୍କୀତ ମାମଲାରେ ମଧ୍ୟ ଏଇ ବିଭାଗ ଖଣି ଟ୍ରିବ୍ୟୁନାଲରେ ଜବାବୀ ସତ୍ୟପାଠ ମଧ୍ୟ ଦାଖଲ କରେ ନାହିଁ। ଫଳରେ ଖଣି ପଟ୍ଟାଦାରମାନେ ଟ୍ରିବ୍ୟୁନାଲରୁ ଏକତରଫା ଭାବେ ରିହାତି ପାଇଯାଆନ୍ତି ଓ ହଜାର ହଜାର କୋଟି ଟଙ୍କାର ଜରିମାନା ଅନାଦେୟ ରହିଯାଏ। ଏଭଳି ରହିତାଦେଶ ଉଠାଇବାକୁ ଖଣି ବିଭାଗ ପକ୍ଷରୁ ଉପର କୋର୍ଟରେ କେବେ ବି ଆବେଦନ କରାଯାଏ ନାହିଁ। ଅନ୍ୟପକ୍ଷରେ ଅନେକ ଅପ୍ରତିରକ୍ଷଣୀୟ ମାମଲାର ପ୍ରତିରକ୍ଷା କରିବାରେ ରାଜ୍ୟ ସରକାର କୋଟିକୋଟି ଟଙ୍କା ଉଡେ଼ଇଥାନ୍ତି। କଂଗ୍ରେସର ଜଣେ ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଭୁଲବଶତଃ ବିନାନୁମତିରେ ତାଙ୍କର ଲାଇସେନ୍ସପ୍ରାପ୍ତ ବନ୍ଧୁକ ସହିତ ଏକ ବନ୍ୟଜନ୍ତୁ ଅଭୟାରଣ୍ୟକୁ ପଶି ଯାଇଥିଲେ। ଏହାକୁ ଆଳକରି କେବଳ ରାଜନୀତିକ ଉଦ୍ଦେଶ୍ୟରେ ରାଜ୍ୟ ସରକାର ତାଙ୍କ ବିରୋଧରେ ମାମଲା ଲଢ଼ିଲେ ଓ ସେ ବାବଦରେ ୪.୩୦ କୋଟି ଟଙ୍କା ଖର୍ଚ୍ଚ କଲେ। ଶେଷରେ ସରକାର ଏହି ମାମଲା ହାରିଗଲେ। ହାଇକୋର୍ଟ ଫୌଜଦାରୀ ଆବେଦନକୁ ମଧ୍ୟ ଖାରଜ କରିଦେଲେ। ତଥାପି ସରକାର ସୁପ୍ରିମ କୋର୍ଟରେ ଆବେଦନ କଲେ। ସୁପ୍ରିମ କୋର୍ଟ ମଧ୍ୟ ୨୦୧୨ ଅଗଷ୍ଟ ୯ ତାରିଖରେ ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କଲେ ଓ ଅଯଥା ମାମଲାରେ ସାଧାରଣ ଲୋକଙ୍କ ଅର୍ଥଶ୍ରାଦ୍ଧ କରିଥିବାରୁ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କଲେ। ଅଥଚ ଯେଉଁସବୁ ବନ୍ୟପ୍ରାଣୀ ସଂପର୍କୀତ ମାମଲାରେ ରାଜ୍ୟ ସରକାରଙ୍କ ଜିତିବାର ସମ୍ଭାବନା ଅଧିକ ଥାଏ ସେଗୁଡ଼ିକୁ ଲଢ଼ଇ ପକାଇ ରଖାଯାଏ। ହାତୀଦାନ୍ତ ସ୍ମଗଲର ବାରିପଦାର ଗଣେଶ ଜିଉ ମାମଲା ଏହାର ଏକ ଉଦାହରଣ। ହାତୀଦାନ୍ତର ଚୋରା କାରବାର ଅଭିଯୋଗରେ ଗଣେଶ ଜିଉଙ୍କୁ ୧୯୯୧ ମସିହାରେ ଗିରଫ କରାଯାଇଥିଲା। କିନ୍ତୁ ବନ୍ୟପ୍ରାଣୀ ବିଭାଗର ଉଦାସୀନତା କାରଣରୁ ମାମଲା ୨୦ ବର୍ଷ ଧରି ଚାଲିଲା ଓ ଶେଷରେ ୨୦୧୧ ମସିହାରେ ସ୍ୱତ। ରଦ୍ଦ ହୋଇଗଲା। କାରଣ ଗଣେଶଙ୍କର ଦେହାନ୍ତ ହୋଇଗଲା। ଖଣି ଦୁର୍ନୀତିରେ ସଂପୃକ୍ତ ଖଣି ମାଫିଆ ଓ ଅଧିକାରୀମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିପୁଳ ଅର୍ଥ ଶ୍ରାଦ୍ଧ କରିଛନ୍ତି। ସୁପ୍ରିମ କୋର୍ଟ ଓ ଶାହା କମିଶନ ଆଗରେ ଖଣି ଦୁର୍ନୀତିରେ ସଂପୃକ୍ତ ଅଫିସରମାନଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ୨୦୧୧ ମସିହାରୁ ୨୦୧୩ ମସିହା ମଧ୍ୟରେ ୨,୮୩,୭୪,୮୫୨ ଟଙ୍କା ଖର୍ଚ୍ଚ କରିଛନ୍ତି। ୨୦୧୩ ଫେବୃଆରୀ ୨୫ ତାରିଖରେ ଏଇ ଲେଖକ ସୂଚନା ଅଧିକାର ଆଇନ ବଳରେ କରିଥିବା ଦରଖାସ୍ତ ଭିତ୍ତିରେ ଏଇ ସରକାର ନିଜେ ଏହି ସୂଚନା ଦେଇଛନ୍ତି। ୨୦୧୨ ଓ ୨୦୧୩ ମସିହାରେ ଶାହା କମିଶନରେ ରାଜ୍ୟ ସରକାରଙ୍କ ପକ୍ଷ ରଖିବା ବାବଦରେ ବରିଷ୍ଠ ଓକିଲଙ୍କୁ ୬୬ ଲକ୍ଷ ଟଙ୍କାର ପାଉଣା ଦିଆଯାଇଛି। କମିଶନରେ ହାଜର ହେବା ପାଇଁ ସୁପ୍ରିମ କୋର୍ଟର ଜଣେ ବରିଷ୍ଠ ଓକିଲଙ୍କୁ ଦିନ ପିଛା ୧୬.୫୦ ଲକ୍ଷ ଟଙ୍କା ଦିଆଯାଇଛି। ରାଜ୍ୟ ସରକାର ଏକତରଫା ଭାବେ ପୋସ୍କୋ କମ୍ପାନୀକୁ ଖଣ୍ଡାଧାର ଲୁହା ଖଣି ଲିଜ ପ୍ରଦାନ କରିଥିଲେ। ହାଇକୋର୍ଟ ଏହି ଖଣିଲିଜ୍କୁ ରଦ୍ଦ କଲେ ଓ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କଲେ। କିନ୍ତୁ ପୋସ୍କୋକୁ ଅନକମ୍ପା ପ୍ରଦର୍ଶନ କରିଥିବା ଅଫିସରମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଆବଣ୍ଟନ ମାମଲାରେ ମଧ୍ୟ ସରକାର ଉଭୟ ଲୋକପାଳ ଓ ହାଇକୋର୍ଟରେ ଭର୍ତ୍ସିତ ହେଲେ। ଏମିତି ଅନେକ ମାମଲା ଅଛି ଯେଉଁ ବାବଦରେ ସରକାର ଅଯଥାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ଏହିପରି ୪୪ ହଜାର ମାମଲାରେ ଛନ୍ଦି ହୋଇଛି। ୨୦୧୪ ସେପ୍ଟେମ୍ୱର ୨୨ ତାରିଖରେ ରାଜ୍ୟ ସରକାରଙ୍କୁ ମୁଖ୍ୟ ଆଇନ ଅଧିକାରୀ ବା ମହାଧିବକ୍ତା ଅଶୋକ ମହାନ୍ତିଙ୍କୁ ସିବିଆଇ ଗିରଫ କଲା। ଏହା ସରକାରଙ୍କ ମୁହଁରେ ଅଣ୍ଡାମାଡ଼ ଭଳି ଘଟଣା। ଅର୍ଥତତ୍ତ୍ୱ ଗୋଷ୍ଠର ଚିଟ ଫଣ୍ଡ ଦୁର୍ନୀତିରେ ତାଙ୍କ ସଂପୃକ୍ତି ନେଇ ସିବିଆଇ ତାଙ୍କୁ ଅନେକ ଦିନ ଧରି ଜେରା କଲା। ଏହି ଘଟଣାରେ ସରକାରଙ୍କ ମୁଖା ଖସି ପଡ଼ିଲା। ରାଜ୍ୟ ସରକାରଙ୍କୁ ସବୁଠୁ ବଡ଼ ଆଇନଗତ ଧକÑା ଥିଲା ପୂର୍ବତନ ପୁଲିସ ମହାନିଦ୍ଦେର୍ଶକ ପ୍ରକାଶ ମିଶ୍ରଙ୍କ ବିରୋଧରେ ସରକାର ଦାଏର କରିଥିବା ମାମଲା ହାରିଯିବା। ୨୦୧୫ ଜୁନ ୧୮ ତାରିଖରେ ହାଇକୋର୍ଟ ଏହି ମାମଲା ରଦ୍ଦ କରି ନବୀନ ସରକାରଙ୍କ ଗାଲରେ ଶକ୍ତି ଚାପୁଡ଼ା ମାରିଲେ। ଏହି ମାମଲାର ବିଚାର କରି ବିଚାରପତି ଏସସି ପରିଜା କହିଲେ, ସରକାରଙ୍କ ପ୍ରମୁଖ ସଂସ୍ଥା ରାଜନୀତିକ ବ୍ୟକ୍ତିବିଶେଷଙ୍କ ହାତବାରିସି ହୋଇଯାଇଛି ଏବଂ ଶାସକ ଦଳ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିବା ଅଫିସରମାନଙ୍କ ମୁଖ୍ୟ ଚିନ୍ତାର ବିଷୟ ହୋଇଛି। ଶାସକ ରାଜନୀତିକ ବ୍ୟବସ୍ଥା ଦ୍ୱାରା ଅନ୍ୟ କିଛି ଉଦ୍ଦେଶ୍ୟରେ ଦକ୍ଷ ଓ ସଚ୍ଚୋଟ ଅଫିସରମାନଙ୍କୁ ହଇରାଣ କରିବା ସାଧାରଣ ଘଟଣା ହୋଇଗଲାଣି। ଆବେଦନକାରୀଙ୍କ ଖ୍ୟାତିନଷ୍ଟ କରିବା ଏବଂ ତାଙ୍କୁ ହଇରାଣ କରିବା ଉଦ୍ଦେଶ୍ୟରେ ହିଁ ଭିଜିଲାନ୍ସ ବିଭାଗ ତରବରିଆ ଭାବେ କୌଣସି ନଥିପତ୍ର ଯାଞ୍ଚ ନକରି ଏବଂ ସାକ୍ଷୀଙ୍କୁ ଜେରା ନକରି ତଦନ୍ତ ଶେଷ କରିଛି। ଏହା ଏକ ତରଫା ଓ ଅସାଧୁ ଉଦ୍ଦେଶ୍ୟରେ କ୍ଷମତାର ଅପବ୍ୟହାର। ଏହି ମାମଲାରେ ସରକାର ସାଧାରଣରେ ବଦନାମ ହେଲେ। କିନ୍ତୁ ପ୍ରକାଶ ମିଶ୍ରଙ୍କୁ ସିବିଆଇ ନିଦ୍ଦେର୍ଶକ କରାଇ ନଦେବାରେ ସଫଳ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ହେଲେ। କି ଗନ୍ଧିଆ ଜିତାପଟ!