ପିତୃସ୍ବପ୍ନର ପଛେ ପଛେ-୫(୧)

Apr 8, 2019 - 03:05
 750
ପିତୃସ୍ବପ୍ନର ପଛେ ପଛେ-୫(୧)
ବିଶ୍ବଜିତ ମହାନ୍ତି ଚିରଦିନ ତୁମ ପ୍ରଭୁ ୨୦୧୪ ଅଗଷ୍ଟ ୧୩ ତାରିଖ ଦିନ ୨୧ ବର୍ଷ ବୟସ୍କା ସୁନୀତା ରଇତ ଗଜପତି ଜିଲ୍ଲା ଆର. ଉଦୟଗିରିରେ ଥିବା ତାଙ୍କ ଘରର ବରଗାରେ ଦଉଡ଼ି ଲଗେଇ ଆତ୍ମହତ୍ୟା କଲେ। ତାଙ୍କ ବାପମା’ଙ୍କ କାନ୍ଦବୋବାଳିରେ ପାଖପଡ଼ିଶା ବି ସହିପାରିଲେନି। ସମସ୍ତେ ଦୁଃଖୀ। ସଭିଏଁ କହିଲେ ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା ବା ଆଇଟିଡିଏ ଯୋଗୁଁ ସୁନୀତା ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲା। ୨୦୧୩ ମାର୍ଚ୍ଚ ମାସରେ ସୁନୀତା ଆଇଟିଡିଏ ପ୍ରାୟୋଜିତ ଛାତ୍ରୀ ଭାବେ ନର୍ସିଂ ଏକାଡେମୀରେ ନାଁ ଲେଖାଇଥିଲେ। କିନ୍ତୁ ଆଇଟିଡିଏ ତାଙ୍କୁ ପଢ଼ା ଖର୍ଚ୍ଚ ଦେଲା ନାହିଁ। ଏହି ସଂସ୍ଥାର ବାବୁମାନେ ଅସନ୍ତୁଷ୍ଟ ଥିଲେ। କାରଣ ସୁନୀତା ସେମାନେ ଚାହୁଁଥିବା କଲେଜରେ ନାଁ ଲେଖେଇଲେ ନାହିଁ। ଫି ଦାଖଲ କରି ନପାରିବାରୁ ସୁନୀତା ଅଗଷ୍ଟ ମାସ ପରୀକ୍ଷାରେ ଭାଗ ନେଇପାରି ନଥିଲା। ସେ ଫି ଖର୍ଚ୍ଚ ପାଇନଥିବା କଥା ଜିଲ୍ଲାପାଳଙ୍କୁ ଅଗଷ୍ଟ ୧୧ ତାରିଖରେ ଜଣେଇଥିଲା। କିନ୍ତୁ ସେ ବି କିଛି କଲେ ନାହିଁ। ସୁନୀତାର ଆତ୍ମହତ୍ୟା ଖବର ରାଜ୍ୟରେ ହଇଚଇ ସୃଷ୍ଟି କଲା। ସରକାର ଜିଲ୍ଲାପାଳଙ୍କୁ ବଦଳି କଲେ ଓ ଆରଡିସିଙ୍କୁ ତଦନ୍ତ ନିଦ୍ଦେର୍ଶ ଦେଲେ। ସୁନୀତା କାହାଣୀରେ ପୂର୍ଣ୍ଣଚ୍ଛେଦ ପଡ଼ିଲା। ଆରଡିସି ରିପୋର୍ଟ କେବେ ସାର୍ବଜନୀତ ହୁଏ ନାହିଁ, ହେଲେ ବି ତା’ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଏ ନାହିଁ। ବିଲୋପମାନ ଉତ୍ତରଦାୟିତ୍ୱ ୨୦୧୪ ଏପ୍ରିଲ ମାସରେ ଭୁବନେଶ୍ୱର-କଟକ ପୁଲିସ କମିଶନରେଟ୍ ଏଇ ଲେଖକ ସୂଚନା ଅଧିକାର ଆଇନ ବଳରେ ମାଗିଥିବା ତଥ୍ୟ ଦେବାକୁ ମନା କଲା। କାରଣ ଦର୍ଶାଇଲେ, ସରକାର ଅଡ଼ୁଆରେ ପଡ଼ିବାର ସମ୍ଭାବନା ଅଛି। ପ୍ରାଶାସନିକ କାର୍ଯ୍ୟ ପ୍ରତି ବହୁଳ ଭାବେ ଉଦାସୀନ ନବୀନ ଏ ଦାୟିତ୍ୱ କେତେକ ପୋଷା ଅମଲାଙ୍କ ଉପରେ ନ୍ୟସ୍ତ କରିଛନ୍ତି। ତୃତୀୟ ମହଲା ଭାବେ ପରିଚିତ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପ୍ରତି ଅନ୍ଦ ଆନୁଗତ୍ୟ ରଖିଥିବା ଅଫିସରମାନଙ୍କୁ ପୁରସ୍କାର ମିଳେ। ସେମାନେ ନିୟମ ଉଲ୍ଲଙ୍ଘନ କଲେ ବି କିଛି କାର୍ଯ୍ୟାନୁଷ୍ଠାନ ହୁଏ ନାହିଁ। ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଦୁର୍ନୀତିରେ ନବୀନଙ୍କ ତତ୍କାଳୀନ ବ୍ୟକ୍ତିଗତ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ ବିରୋଧରେ କଡ଼ା ମନ୍ତବ୍ୟ ଦେଇଥିଲେ ଲୋକପାଳ। ଅଥଚ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପରିବେର୍ତ୍ତ ନବୀନ ତାଙ୍କୁ ମୁଖ୍ୟ ଶାସନ ସଚିବ ପଦକୁ ପଦୋନ୍ନତି ଦେଲେ। ବିଜେଡି ସରକାରର ମନ୍ତ୍ରୀମାନେ ତାଙ୍କ ବିଭାଗରେ କ’ଣ ଘଟୁଛି କିଛି ଜାଣି ପାରନ୍ତି ନାହିଁ। ଅଫିସରମାନେ ସବୁ ନିଷ୍ପତ୍ତି ନିଅନ୍ତି। କେବଳ ବିଧି ରଖିବାକୁ ମନ୍ତ୍ରୀଙ୍କ ପାଖକୁ ଫାଇଲ ଯାଏ। ଫାଇଲର ପ୍ରସ୍ତାବ ଓ ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରିବାର ସାହସ ମନ୍ତ୍ରୀମାନଙ୍କର ନଥାଏ। ଥରେ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ କହିଥିଲେ ତାଙ୍କ ବିନାନୁମୋଦନରେ ଫାଇଲା ସିଧାସଳଖ ତୃତୀୟ ମହଲାକୁ ପଠାଇ ଦିଆଗଲା। ଦାମବାବୁ ବିଗିଡ଼ିକି ବିଭାଗୀୟ ସଚିବଙ୍କ ଉପରେ ଗର୍ଜିଲେ, ‘ମନ୍ତ୍ରୀ ହେବା ଆଗରୁ ମୁଁ ଗାଈ ଚରାଉ ନଥିଲି। ମୋତେ ଆଡେ଼ଇଯିବାକୁ ଚେଷ୍ଟା କରନା। ମୁଁ ମୋ କ୍ଷମତା ବିଷୟରେ ଭଲ ଭାବରେ ଜାଣିଛି।’ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଏକଥା ବୁଝିବାକୁ ବେଶ୍ ଚତୁର। ତେଣୁ ସେମାନେ ଲାଭଜନକ ପୋଷ୍ଟିଂ ପାଇଁ ମନ୍ତ୍ରୀଙ୍କ ଘରେ ଧାଡ଼ିବାନ୍ଧିବା ପରିବେର୍ତ୍ତ ବିଭାଗୀୟ ସଚିବମାନଙ୍କୁ ଭେଟି କାମ କରାଇ ନିଅନ୍ତି। ଏପରିକି ବରିଷ୍ଠ ଅଫିସରମାନେ ମୁଖ୍ୟମନ୍ତ୍ରୀଙ୍କ ଆଦେଶକୁ ମଧ୍ୟ ଭ୍ରୁକ୍ଷେପ କରନ୍ତି ନାହିଁ। ମୁଖ୍ୟମନ୍ତ୍ରୀ ୨୦୦୧ ମସିହାରେ ସଚିବମାନଙ୍କୁ ନିଦ୍ଦେର୍ଶ ଦେଲେ ଯେ ସେମାନେ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବେ। ଏହା ସେମାନଙ୍କ ପାଇଁ ବାଧ୍ୟତାମୂଳକ ଥିଲା। ଏହା ପରେ ମଧ୍ୟ ଅନେକ ଥର ମୁଖ୍ୟମନ୍ତ୍ରୀ ଏପରି ନିଦ୍ଦେର୍ଶ ଦେଲେଣି। କିନ୍ତୁ ତାଙ୍କର ଏହି ନିଦ୍ଦେର୍ଶ ପ୍ରତି ଅଫିସରଙ୍କ ମହଲରେ ସର୍ବାଧିକ ଅବଜ୍ଞାଭାବ ରହିଛି। ଅଧିକାଂଶ ସଚିବ ଓ ଅତିରିକ୍ତ ସଚିବ ମୁଖ୍ୟମନ୍ତ୍ରୀଙ୍କର ଏହି ଆଦେଶ ପାଳନ କରିନାହାନ୍ତି। ୨୦୦୪ ମସିହାରୁ ୨୦୧୪ ମସିହା ମଧ୍ୟରେ ସଚିବମାନେ ମାତ୍ର ୩୨୩ ଥର ଜିଲ୍ଲା ଗସ୍ତ କରିଥିଲେ। ଅଥଚ ହିସାବ ଅନୁସାରେ ସଚିବମାନଙ୍କ ଦ୍ୱାରା ୩,୬୯୦ ଥର ଜିଲ୍ଲା ଗସ୍ତ ହେବା କଥା। ଏହି ସମୟ ମଧ୍ୟରେ ୨୦୧୪ ଜାନୁଆରୀ ପହିଲାରୁ ଜୁଲାଇ ୨୨ ତାରିଖ ମଧ୍ୟରେ ୧୦ଟି ଆଦିବାସୀ ଅଧ୍ୟୁସିତ ଜିଲ୍ଲାକୁ ୧୩ ଥର ସଚିବ ସ୍ତରୀୟ ଗସ୍ତ ହୋଇଥିଲା। କିନ୍ତୁ ଏହି ସମୟ ମଧ୍ୟରେ ୭୦ ଥର ଏପରି ଗସ୍ତ ହେବା କଥା। ବିଧାୟକମାନେ ଅନେକ ଥର ଅସମ୍ମାନ ପ୍ରଦର୍ଶନ କରୁଥିବା ବାବୁମାନଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି। ନବୀନ ଶାସନର ପ୍ରଥମ ଭାଗରେ ଏଭଳି ଅନେକ ଅଭିଯୋଗ ହେବା ପରେ ୨୦୦୫ ଡିସେମ୍ୱର ୨ ତାରିଖରେ ସାଂସଦ ଓ ବିଧାୟକମାନଙ୍କ ପ୍ରତି ଅଫିସରମାନେ କି ପ୍ରକାର ଆଚରଣ ପ୍ରଦର୍ଶନ କରିବେ ସେନେଇ ପୂର୍ବରୁ ଥିବା ନିୟମ ଆଉ ଥରେ ଜାରି କଲେ। ଏହି ତାରିଖରେ ଜାରି ହୋଇଥିବା ବୁକ୍ ସର୍କୁଲାର ୪୭ ଅନୁସାରେ ସାଂସଦ ଓ ବିଧାୟକ ଭେଟିବାକୁ ଆସିଲେ ଅଫିସରମାନେ ଠିଆ ହୋଇ ତାଙ୍କୁ ସ୍ୱାଗତ କରିବା କଥା। ଅନେକ ସମୟରେ ଆକର୍ଷଣୀୟ ପଦବୀରେ ଯୋଗ ଦେଇଥିବା ଅଫିସରମାନଙ୍କୁ ନିର୍ଦ୍ଧାରିତ ୩ ବର୍ଷ ପରେ ମଧ୍ୟ ଅନ୍ୟତ୍ର ବଦଳି କରାଯାଏ ନାହିଁ। ସେମାନେ ସେହି ପଦରେ ଥାଇ ସ୍ଥାନୀୟ ନେତା ଓ ମାଫିଆଙ୍କ ସହିତ ବ୍ୟାପକ ଯୋଗାଯୋଗ ରଖିଥାନ୍ତି। ଖଣିଜ ସମୃଦ୍ଧ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଏମିତି ୩ ଜଣ ରେଞ୍ଜ ଅଫିସରଙ୍କୁ ୫ ବର୍ଷ ଯାଏଁ ବଦଳି କରାଯାଇ ନଥିଲା। ଏ ବିଷୟରେ ଲେଖକ ୨୦୦୮ ଫେବୃଆରୀ ୪ ତାରିଖରେ ଅଭିଯୋଗ କରିବାରୁ ସେମାନଙ୍କୁ ବଦଳି କରାଗଲା। ସାଧାରଣତଃ ତୃତୀୟ ମହଲା ହିଁ ଏଭଳି ଅଫିସରଙ୍କ ବଦଳିକୁ ଚପେଇ ଦେଇଥାଏ। ଏହାର ୬ ବର୍ଷ ପରେ ପରିସ୍ଥିତି ଅଧିକ ଉତ୍କଟ ହୋଇଥିଲା। ୨୦୧୪ ଏପ୍ରିଲ ପହିଲା ସୁଦ୍ଧା ୮୬ କ୍ଷେତ୍ରରେ ରେଞ୍ଜ ଅଫିସରଙ୍କ କାର୍ଯ୍ୟକାଳ ଅନିୟମିତ ଥିବା ଜଣାପଡ଼ିଥିଲା। ଏମାନଙ୍କ ମଧ୍ୟରୁ ୪୫ ଅଫିସରଙ୍କ କାର୍ଯ୍ୟକାଳ ୪-୬ ବର୍ଷ ଏବଂ ୪୦ ଅଫିସରଙ୍କ କାର୍ଯ୍ୟାବଧି ୬-୮ ବର୍ଷ ହୋଇଯାଇଥିଲା। ଏପରିକି ଜଣେ ଅଫିସର ଗୋଟିଏ ସ୍ଥାନରେ ୯ ବର୍ଷ ଧରି ରହିଥିଲେ। ପୂର୍ତ୍ତ ବିଭାଗ ପରିସ୍ଥିତି ବି ସମାନ। ବର୍ଷକୁ ୨୦-୩୦ କୋଟି ଟଙ୍କାର କାମ କରାଉଥିବା ନିର୍ବାହୀ ଯନ୍ତ୍ରୀମାନେ ଗୋଟେ ଗୋଟେ ଜାଗାରେ ନିର୍ଦ୍ଧାରିତ ୩ ବର୍ଷରୁ ଢେର ଅଧିକ ସମୟ ରହୁଥିଲେ। ରବୀନ୍ଦ୍ର କୁମାର ଆଚାର୍ଯ୍ୟ ନାମକ ଜଣେ ନିର୍ବାହୀ ଯନ୍ତ୍ରୀ ଢେଙ୍କାନାଳରେ ୮ ବର୍ଷ ଧରି ରହିଥିଲେ। ୨୦୧୦ ମାର୍ଚ୍ଚ ୩୧ ସୁଦ୍ଧା କୁମରବର ସ୍ୱାଇର୍ ପାଣିକୋଇଲିରେ ୮ ବର୍ଷ ବିନା ବଦଳିରେ ରହିଥିଲେ। ଏଇ ଲେଖକ ସେହି ବର୍ଷ ଏପ୍ରିଲ ୨୮ ତାରିଖରେ ସୂଚନା ଅଧିକାର ଆଇନ ବଳରେ ଆବେଦନ କରି ଏହି ତଥ୍ୟ ହାସଲ କରିଛନ୍ତି। ୨୦୧୦ ନଭେମ୍ୱର ୧ ତାରିଖରେ ଲେଖକ ଏ ବିଷୟରେ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇ ଏହି ଯନ୍ତ୍ରୀମାନଙ୍କୁ ବଦଳି କରିନଥିବା ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ, କିନ୍ତୁ କିଛି ହେଲା ନାହିଁ। କେନ୍ଦୁଝର ଜିଲ୍ଲାକୁ ଓଡ଼ିଶାର ଖଣି କାରବାରର ମକା ବୋଲି କୁହାଯାଏ। ନିୟମିତ ଯାଞ୍ଚ ଓ ତଦାରଖ ଅଭାବରୁ ଖଣି ପଟ୍ଟାଦାରମାନେ ସେମାନଙ୍କର ଲିଜ୍ ଏରିଆ ବାହାରେ ଜଙ୍ଗଲ ଜମି ଖୋଲି ଖଣି ଲୁଟ୍ କରିବାକୁ ପ୍ରଚୁର ସୁଯୋଗ ପାଇଛନ୍ତି। ୨୦୧୩ ସେପ୍ଟେମ୍ୱରରୁ ୨୦୧୪ ଜୁନ ମଧ୍ୟସ୍ଥ ୩୦୦ ଦିନ ଭିତରେ ବନ ଖଣ୍ଡ ଅଧିକାରୀ ବା ଡିଏଫଓ ମାତ୍ର ୧୬ ଥର ଖଣି ଅଞ୍ଚଳ ପରିଦର୍ଶନ କରିଥିଲେ। ଏହା ଭିତରେ ମାତ୍ର ଥରକ ପାଇଁ ସେ ଗସ୍ତ କରିଥିବା ସ୍ଥାନରେ ରାତ୍ରିଯାପନ କରିଥିଲେ। ଏହି ଡିଏଫଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏଇ ଲେଖକ ୨୦୧୪ ସେପ୍ଟେମ୍ୱର ୬ ତାରିଖରେ ଅଭିଯୋଗ କଲେ। ଫଳ ଶୂନ। ଅମିତବ୍ୟୟର ବାଟ ବାବୁମାନେ କେବେ ବି ମିତବ୍ୟୟିତା ନେଇ ଚିନ୍ତିତ ନୁହନ୍ତି। ଡାକ ଖର୍ଚ୍ଚ କମାଇବାକୁ ଇମେଲ ବ୍ୟବହାର କରିବା ନିମନ୍ତେ ଏଇ ଲେଖକ ଥରେ ଜଙ୍ଗଲ ଓ ପରିବେଶ ବିଭାଗକୁ ପରାମର୍ଶ ଦେବାରୁ ଉତ୍ତର ମିଳିଲା, ‘ଲୋକଙ୍କ ଟଙ୍କା ବଂଚେଇବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ।’ ଅନେକ ବରିଷ୍ଠ ଅଫିସର ଭୁବନେଶ୍ୱରରୁ କଟକ ବଦଳି ହେଲେ ମଧ୍ୟ କଟକରେ ରହିବାକୁ ପସନ୍ଦ କରନ୍ତି ନାହିଁ। ଏଭଳି ଅଫିସରଙ୍କୁ ଖୁସି କରିବା ପାଇଁ ସରକାର ୨୦୧୨ ଜୁନ ମାସରେ ଏକ ବ୍ୟବସ୍ଥା କଲେ। ସେମାନଙ୍କୁ ଭୁବନେଶ୍ୱରରୁ କଟକ ୩୦ କିଲୋମିଟର ଦୂର ଯିବା ଆସିବା କରିବା ନିମନ୍ତେ ସରକାରୀ ଗାଡ଼ି ବ୍ୟବହାର କରିବାକୁ ଅନୁମତି ଦିଆଗଲା। ସେଥିପାଇଁ ସେମାନଙ୍କୁ ମାସିକ ମାତ୍ର ୩ ହଜାର ଟଙ୍କା ଦେବାକୁ ହେଲା। ପୂର୍ବରୁ ଏହି ପରିମାଣ ଥିଲା ମାତ୍ର ୧୫୦୦ ଟଙ୍କା। ଏହି ଦୂରତା ପାଇଁ ଟ୍ୟାକ୍ସି ଭଡ଼ା କଲେ ଦୈନିକ ୨ ହଜାର ଟଙ୍କା ପଡ଼ିବା କଥା। କୌଣସି ବରିଷ୍ଠ ଅଫିସର ବସ୍ରେ ଯିବାଆସିବା କରନ୍ତି ନାହିଁ। ପ୍ରାୟ ସମସ୍ତ ସଚିବ ସଚିବାଳୟଠୁଁ ଚାଲିଯିବା ଦୂରତାରେ ସରକାରୀ କ୍ୱାର୍ଟରରେ ରହନ୍ତି। ତଥାପି ସେମାନଙ୍କୁ ସରକାରୀ ଗାଡ଼ି ଯୋଗାଇ ଦିଆଯାଇଛି। ସେମାନେ ମାସିକ ମାତ୍ର ୧୨୦୦ ଟଙ୍କା ଦେଇ ସରକାରୀ ଗାଡ଼ିରେ ଯିବା ଆସିବା କରନ୍ତି। ଏହା ୨୦୧୨ ଜୁନ ପରର ଦର। ଏହାର ୯ ବର୍ଷ ପୂର୍ବ ପର୍ଯ୍ୟନ୍ତ ଏଥିପାଇଁ ସେମାନଙ୍କୁ ମାତ୍ର ୬୦୦ ଟଙ୍କା ଦେବାକୁ ପଡ଼ୁଥିଲା। ଏଭଳି ଅଫିସରଙ୍କ ଘରୁ ସଚିବାଳୟର ଦୂରତା ମାତ୍ର ୫ କିଲୋମିଟର ଭିତରେ। ତେଣୁ ଏହା ଏକ ବଦଖର୍ଚ୍ଚ। ଏ ବିଷୟ ଉଲ୍ଲେଖ କରି ଏଇ ଲେଖକ ୨୦୧୩ ଫେବୃଆରୀ ମାସରେ ଏଭଳି ଅଫିସରମାନଙ୍କୁ ଅଫିସ ଯିବା ପାଇଁ ସାଧାରଣ ପରିବହନ ବ୍ୟବସ୍ଥା ଉପଯୋଗ କରିବାକୁ ନିଦ୍ଦେର୍ଶ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଖର୍ଚ୍ଚ କାଟ ପାଇଁ ୨୦୦୧ ମାର୍ଚ୍ଚ ୧୪ ତାରିଖରେ ଜାରି ହୋଇଥିବା ଏକ ସର୍କୁଲାର ନମ୍ୱର ୧୦୯୫୪/ଏଫ/୧-୯/୨୦୦୧ରେ ଅଫିସରମାନେ ଏକାଧିକ ଗାଡ଼ି ବ୍ୟବହାର ବାରଣ ଥିଲେ ବି ଅନେକ ଅଫିସର ତାଙ୍କ ବିଭାଗ, ତାଙ୍କ ବିଭାଗ ଅଧୀନରେ ଥିବା ସାଧାରଣ ଉଦ୍ୟୋଗ ଓ ସ୍ୱୟଂଶାସିତ ସଂସ୍ଥାମାନଙ୍କର ଗାଡ଼ି ନିଜ ବ୍ୟବହାର ପାଇଁ ରଖିଥାନ୍ତି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ୨୦୦୮ ମସିହାରେ ଆଇଏଏସ ଅଫିସର ଅଶୋକ ଦଳବାଇ ଓଡ଼ିଶା ଖଣି ନିଗମ ବା ଓଏମସିର ତିନିଟି କାର୍ ବ୍ୟବହାର କରୁଥିଲେ। ଗୋଟିଏ ସେ ଓଏମସିର ଅଧ୍ୟକ୍ଷ ଭାବେ, ଗୋଟିଏ ଇସ୍ପାତ ଓ ଖଣି ବିଭାଗର ସଚିବ ଭାବେ ଏବଂ ତୃତୀୟଟି ଜଣେ ବ୍ୟକ୍ତି ଭାବରେ ବ୍ୟବହାର କରୁଥିଲେ। ଏଜି ଅଡିଟରୁ ଜଣାପଡ଼ିଛି ଯେ ଭୁବନେଶ୍ୱର ଓ କଟକରେ ବେଆଇନ ଭାବେ ଆବଣ୍ଟିତ ହୋଇଥିବା ସରକାରୀ ଜମିର ସବୁଠୁ ଅଧିକ ହିତାଧିକାରୀ ଥିଲେ ଅମଲାମାନେ। ତାହା ପୁଣି ଅତ୍ୟନ୍ତ ଶସ୍ତାରେ। ୧୯୯୫ ମସିହାରୁ ୨୦୧୨ ମଧ୍ୟରେ ଅନେକ ଆଇଏଏସ ଓ ଆଇପିଏସ ଅଫିସରଙ୍କ ସମେତ ଶାସକ ଦଳର ନେତାମାନେ ଏହିସବୁ ଜମି ପାଇଥିଲେ। ବରିଷ୍ଠ ଆଇଏଏସ ଅଧିକାରୀ ତାରା ଦତ୍ତ ଏ ସଂପର୍କରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲେ। ଜରୁରୀକାଳୀନ ଖାଦ୍ୟ କାର୍ଯ୍ୟକ୍ରମ ଅଧୀନରେ କେବିକେ ଅଂଚଳର ୨ ଲକ୍ଷ ଦରିଦ୍ର ବୟସ୍କ ବ୍ୟକ୍ତିଙ୍କୁ ଦିନକୁ ଗୋଟିଏ ମାଗଣା ମିଲ୍ ଖାଇବାକୁ ଦିଆଯାଉଥିଲା। ଏ ବାବଦରେ ରାଜ୍ୟ ସରକାର ୩୫ କୋଟି ଓ କେନ୍ଦ୍ର ସରକାର ୩୫ କୋଟି ଟଙ୍କାର ଖର୍ଚ୍ଚ ବହନ କରୁଥିଲେ। ୨୦୧୪ ଅକ୍ଟୋବରରେ କେନ୍ଦ୍ର ସରକାର ଏହି କାର୍ଯ୍ୟକ୍ରମ ବନ୍ଦ କରିଦେଲେ। ରାଜ୍ୟ ସରକାର ମଧ୍ୟ କାଳବିଳମ୍ୱ ନକରି ଏଭଳି ଖାଦ୍ୟ କେନ୍ଦ୍ର ସବୁ ବନ୍ଦ କରିଦେଲେ। ଅଥଚ ୨୦୧୫ ଏପ୍ରିଲ ପହିଲାରେ କେତେକ ସହରରେ ଆରମ୍ଭ ହେଲା ୫ ଟଙ୍କିଆ ଆହାର ଯୋଜନା। ଏଥିପାଇଁ କେହି ଦାବି କରି ନଥିଲେ। ଖାସ୍ ଶସ୍ତା ଲୋକପ୍ରିୟତା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆଗକୁ ପୌର ନିର୍ବାଚନ ଥିବାରୁ ଖଣି ଓ ଚିଟି ଫଣ୍ଡ ଦୁର୍ନୀତିରୁ ନଜର ହଟେଇବା ଏବଂ ପୌର ଭୋଟ ଲକ୍ଷ୍ୟ ନେଇ ଏହା ଆରମ୍ଭ ହୋଇଥିଲା। ବିଧାନସଭାରେ ବିଭାଗୀୟ ବ୍ୟୟମଂଜୁରୀ ବିଲ୍ ଆଲୋଚନା ହେବା ସମୟରେ ଖାଇବା ବାବଦରେ ପ୍ରଚୁର ଟଙ୍କା ଖର୍ଚ୍ଚ ହୁଏ। ୨୦୧୪ ଜୁଲାଇ ୨୬ ତାରିଖରେ ଓଡ଼ିଶା ଖଣି ନିଗମ ୩,୮୫,୪୭୦ ଟଙ୍କା ଖର୍ଚ୍ଚ କରି ୭୧୦ ପ୍ୟାକେଟ ମଟନ୍ ବିରିଆନି ଓ ୪୩୦ ପ୍ୟାକେଟ ଭେଜ୍ ବିରିଆନି କିଣିଥିଲା। ଏହା ବିଧାନସଭାରେ ବଣ୍ଟା ଯାଇଥିଲା। ଇସ୍ପାତ ଓ ଖଣି ବିଭାଗର ମନ୍ତ୍ରୀ ଏଥିପାଇଁ ନିଦ୍ଦେର୍ଶ ଦେଇଥିଲେ ଯଦିଓ ତାଙ୍କର ଏ ସଂପର୍କୀତ ବିତ୍ତୀୟ କ୍ଷମତା ନଥିଲା।