ପିତୃସ୍ବପ୍ନର ପଛେ ପଛେ-୪

Apr 6, 2019 - 06:16
 709
ପିତୃସ୍ବପ୍ନର ପଛେ ପଛେ-୪
ବିଶ୍ବଜିତ ମହାନ୍ତି ବିଗୁଲ ଫୁଙ୍କା ୨୦୧୩ ଅଗଷ୍ଟ ମାସର ଏକ ଉତ୍ତପ୍ତ ଅପରାହ୍ନ। କେନ୍ଦ୍ରାପଡ଼ା ଜିଲ୍ଲା କାଶୀପୁର ଗାଁର ଯୁବକ ସଂଘରେ ନିଜର ବେକାର ସାଙ୍ଗଙ୍କ ସହିତ ମିଶି ତାସ ଖେଳରେ ବ୍ୟସ୍ତ ଥିଲେ ରାଜୁ। ୨୨ ବର୍ଷ ବୟସ୍କ ରାଜୁର କିଛି କାମଧନ୍ଦା ନଥିଲା। ‘କେବେ ଇଲେକ୍ସନ ହେବ କି ରେ?’ ପଚାରୁଥିଲେ ତାଙ୍କ ନେତା ଅକ୍ଷୟ। ଓଡ଼ିଶାର ଅନେକ ଯୁବକଙ୍କ ଅବସ୍ଥା ଠିକ ଏଇପରି। ଓଡ଼ିଶାର ଭୋଟରଙ୍କ ମଧ୍ୟରେ ୧୫ ପ୍ରତିଶତରୁ ଅଧିକ ହେଲେ ୨୧ ବର୍ଷରୁ ଅଧିକ ବୟସର ଯୁବକ। ସେମାନଙ୍କ ମଧ୍ୟରୁ ଅଧିକାଂଶ ବେକାର। ନେତା ଓ ପାର୍ଟି ପାଇଁ କାମ କରିବା ହେଲା ମୁଖ୍ୟ କାମ। ଅନେକ ସମୟରେ ସେମାନଙ୍କ ପ୍ରଭାବରେ ପଡ଼ି ଘରେ ବିଦ୍ରୋହ କରନ୍ତି ଏଇ ଯୁବକମାନେ। ସେମାନଙ୍କ ମନରେ ରାଜନୀତିକ କ୍ଷମତାର ନିଶା ଭରି ଦେଇଛନ୍ତି ନବୀନ। ୨୦୦୦ ମସିହା ପରଠୁଁ ପ୍ରାୟ ପ୍ରତି ନିର୍ବାଚନରେ ସେ ଅପେକ୍ଷାକୃତ କମ ବୟସର ଲୋକଙ୍କୁ ଦଳୀୟ ପ୍ରାର୍ଥୀ କରିଛନ୍ତି। ୨୦୧୪ ନିର୍ବାଚନରେ ତାଙ୍କ ଦଳର ଜିତିଥିବା ୧୧୭ ବିଧାୟକଙ୍କ ମଧ୍ୟରୁ ୭୦ ଜଣଙ୍କ ବୟସ ୫୦ ବର୍ଷ ତଳେ। ଏଥର ପ୍ୟାରୀବାବୁ ନଥିଲେ ରାଜନୀତିରେ ପାଦଦେବା ଦିନରୁ କେବେ ବି ପରାଜୟର ସ୍ୱାଦ ଚାଖି ନଥିବା ନବୀନ ବିରୋଧୀ ଦଳରେ ବସିବାକୁ ଭୟ କରନ୍ତି। ତେଣୁ ସେ ଭୋଟରମାନଙ୍କ ସହିତ ସିଧାସଳଖ ସଂପର୍କ ରଖିବାକୁ ଚାହାନ୍ତି। ମାଗଣା ଯୋଜନା ମାଧ୍ୟମରେ ହିଁ ସେ ଏହି ସଂପର୍କ ଯୋଡ଼ିଛନ୍ତି। ଓଡ଼ିଶା ଉପରେ ମୌସୁମୀ ଋତୁର ପ୍ରଥମ କେଇ ଅସରା ବର୍ଷିଯିବା ପରେ ୨୦୧୩ ଜୁନ ୧୮ ତାରିଖରେ ଚାଷୀମାନଙ୍କୁ ୫୦୦୦ ମୋବାଇଲ ଫୋନ୍ ବାଣ୍ଟିଲେ। ପରେ ଆଉ ୧୫ ହଜାର। କିନ୍ତୁ ଏଇ ହଜାରେ ଟଙ୍କିଆ ମୋବାଇଲ ଫୋନ ନେବାକୁ ଜଣେ ଚାଷୀ ୫୦୦ ଟଙ୍କା ଖର୍ଚ୍ଚ କରି ଭୁବନେଶ୍ୱର କାହିଁକି ଆସିବ? ତେଣୁ ବିଧାୟକମାନଙ୍କୁ କୁହାଯାଇଥିଲା ସେମାନେ ନିଜନିଜ ଅଂଚଳର ଚାଷୀଙ୍କୁ ଭୁବନେଶ୍ୱର ଆଣିବା ବନ୍ଦୋବସ୍ତ କରନ୍ତୁ। ଢେଙ୍କାନାଳ ଜିଲ୍ଲାର ଗ୍ରାମାଞ୍ଚଳରେ ବୁଲୁଥିବାବେଳେ ଏଇ ଲେଖକ ରାସ୍ତାକଡ଼ ହାଣ୍ଡିଆ ଦୋକାନ ପାଖରେ ପିଚୁ ଉପରେ ଲାପ୍ ଟପ୍ ପଡ଼ିଥିବା ଦେଖିଛି। ଏଗୁଡ଼ିକ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଇଥିଲା ପାଠ ପଢ଼ାରେ ଲାଗିବ ବୋଲି। ଏବେ ତାହା ହାଣ୍ଡିଆ ଦୋକାନରେ ଗୀତ ବଜାଇବା କାମରେ ଲାଗିଛି! ଦିଲ୍ଲୀ ଚଲୋ ଦିଲ୍ଲୀରେ ସେତେବେଳେ ପ୍ରବଳ ଗରମ। ସାଧାରଣ ସମୟ ହୋଇଥିଲେ ଏଭଳି ଗରମରେ ନବୀନ ଏଭଳି ଏକ ତାମସା କରିବାକୁ ନିଷ୍ପତ୍ତି ନେଇ ନଥାନ୍ତେ। କିନ୍ତୁ ୨୦୧୪ ଥିଲା ତାଙ୍କ ପାଇଁ ଏକ ସଂକଟଜନକ ସମୟ। ସେ ଚତୁର୍ଥ ଥର ପାଇଁ ନିର୍ବାଚନର ସାମ୍ନା କରିବାକୁ ଯାଉଛନ୍ତି। ଠିକ ଏତିକିବେଳକୁ ଅସ୍ତବ୍ୟସ୍ତ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ ବା ଉପା-୨ ସରକାର ପଛୁଆ ଅଂଚଳ ଅନୁଦାନ ପାଣ୍ଠି କାର୍ଯ୍ୟକ୍ରମରେ ବିହାରକୁ ୧୨ ହଜାର କୋଟି ଟଙ୍କା ଏବଂ ଓଡ଼ିଶାକୁ ମାତ୍ର ୧୨୫୦ କୋଟି ଟଙ୍କା ମଂଜୁର କଲା। ଏହାର ପ୍ରତିବାଦରେ ଦିଲ୍ଲୀ ରାମଲୀଳା ପଡ଼ିଆରେ ସ୍ୱାଭିମାନ ସମାବେଶ ଆୟୋଜନ କରିଥିଲେ ନବୀନ। ସେଥିରେ ଯୋଗ ଦେଇଥିଲେ ପ୍ରାୟ ୨୦ ହଜାର ଓଡ଼ିଆ। ମଞ୍ଚରେ ବସିଥିବା ନବୀନଙ୍କର ମୁହଁ ସାରା ଝାଳ। ସେ ବାରମ୍ୱାର ମୁହଁ ପୋଛୁଥିଲେ। ତଥାପି ଝାଳ ବନ୍ଦ ହେଉ ନଥିଲା। କ’ଣ ସତରେ ଏତେ ଗରମ ହେଉଥିଲା! ନା, ତାଙ୍କ ଡର ଥିଲା ଓଡ଼ିଆକୁ। ତାଙ୍କୁ ଦିଲ୍ଲୀରେ ବି ଓଡ଼ିଆରେ ଭାଷଣ ଦେବାକୁ ପଡ଼ିବ। ଓଡ଼ିଆଙ୍କ ସ୍ୱାଭିମାନ ସମାବେଶରେ ସେ ହିନ୍ଦୀ କି ଇଂରାଜୀ କହିଲେ ଲୋକେ ନିନ୍ଦା କରିବେନି! ତାଙ୍କ ପାଟିରେ ତ ଓଡ଼ିଆ ପଶେନି! ତେଣୁ ତିନି ପୃଷ୍ଠାର ଭାଷଣରେ ୫୦ ଉପରେ ଇଂରାଜୀ ଶବ୍ଦ। ଏଇ ଯେମିତି ହ୍ୟୁମାନ ଡେଭଲପମେଣ୍ଟ ଇଣ୍ଡେକ୍ସ, ପ୍ରିମିଟିଭ ଟ୍ରାଇବ, ପଲିଟିକାଲ ଡିସକ୍ରିମିନେସନ, ଫେଡେରାଲ ଷ୍ଟ୍ରକ୍ଚର ଓ ହିଲି ଆଣ୍ଡ ଡିଫିକଲ୍ଟ ଟେରେନ ଆଦି! ଏହା ଥିଲା ଏକ ଉଦ୍ଭଟ ଦୃଶ୍ୟ- ନବୀନ ଯଦି ଓଡ଼ିଶାକୁ ଏକ ଆର୍ଥନୀତିକ ଶକ୍ତିରେ ପରିଣତ କରିସାରିଛନ୍ତି ତେବେ ପୁଣି ସ୍ୱତନ୍ତ୍ର ପାହ୍ୟା ଦାବି କାହିଁକି? ସେ ବାରମ୍ୱାର ଦାବି କରିଛନ୍ତି ଯେ ତାଙ୍କ ନେତୃତ୍ୱରେ ଓଡ଼ିଶାର ଦାରିଦ୍ର୍ୟ ୨୧ ପ୍ରତିଶତ କମିଛି। ୨୦୦୩ ମସିହାରେ ଓଡ଼ିଶାର ୫୮ ପ୍ରତିଶତ ଲୋକ ଦରିଦ୍ର ଥିଲାବେଳେ ୨୦୧୦ ବେଳକୁ ତାହା ୩୭ ପ୍ରତିଶତକୁ ଖସିଥିଲା ବୋଲି ତାଙ୍କରି ସରକାର ପ୍ରଚାର କରିଛନ୍ତି। ବାସ୍ତବରେ ଦେଖିଲେ ୨୦୦୨ରୁ ୨୦୧୨ ମଧ୍ୟରେ ଓଡ଼ିଶାର ଆର୍ଥନୀତିକ ଅଭିବୃଦ୍ଧି ଉଚ୍ଚ ହାରରେ ହୋଇଥିଲା। ଏହାର କାରଣ ଥିଲା ଖଣିଜ କାରବାର। ଏଥିରେ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ସୁଯୋଗ ଦେଇ ନଥିଲା, ଗ୍ରାମୀଣ ଦାରଦ୍ର୍ୟ ଦୂର କରି ନଥିଲା, ଦାଦନ ଚାଲାଣ ରୋକି ନଥିଲା। ଏହି ଅଭିବୃଦ୍ଧି ଥିଲା ଏକ ମରୀଚିକା। ଇିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ୨୦୧୩ ମାର୍ଚ୍ଚ ୧୭ ତାରିଖରେ ଦିଲ୍ଲୀରେ ଏପରି ଏକ ସ୍ୱାଭିମାନ ସମାବେଶ କରିଥିଲେ। ତାଙ୍କ ସମାବେଶ ତୁଳନାରେ ନବୀନଙ୍କ ସମାବେଶ ଥିଲା ଅନେକଟା ପାଣିଚିଆ। ନୀତୀଶ ତାଙ୍କର ଓଜସ୍ୱିନୀ ଭାଷଣରେ ଉପସ୍ଥିତ ଜନତାଙ୍କୁ ଉଦବୁଦ୍ଧ କରିଥିଲେ। କିନ୍ତୁ ନବୀନଙ୍କ ଭାଷଣ ଥିଲା ଠିକ ଜଣେ ପ୍ରଗଳå ଶିଶୁର ବିଳାପ ପରି! ପ୍ରକୃତ ଚିତ୍ର ଜଣେ ଭାଗ୍ୟବାନଙ୍କ ପରି କେନ୍ଦ୍ରରୁ ବିପୁଳ ଅନୁଦାନ ଆଣିବାରେ ନବୀନ ସବୁବେଳେ ସଫଳ। ୨୦୦୦-୦୧ରୁ ୨୦୦୩-୦୪ ମଧ୍ୟରେ କେନ୍ଦ୍ରୀୟ ବନ୍ୟା ସହାୟତା ବାବଦରେ ଓଡ଼ିଶାକୁ ମିଳିଥିଲା ୨୧୯.୦୫ କୋଟି ଟଙ୍କା। ସେହି ବର୍ଷ ପଶ୍ଚିମ ବଙ୍ଗକୁ ଏ ବାବଦରେ ମିଳିଥିଲା ୧୦୩.୨୧ କୋଟି ଟଙ୍କା। ଏହି ସମୟ ମଧ୍ୟରେ ଓଡ଼ିଶାକୁ ମରୁଡ଼ି ସହାୟତା ବାବଦରେ ମିଳିଥିଲା ୫୫.୦୫ କୋଟି ଟଙ୍କା। ଅନେକ ସମୟରେ ଓଡ଼ିଶା ପ୍ରଶାସନ କେନ୍ଦ୍ରରୁ ମିଳୁଥିବା ଅନୁଦାନ ଖର୍ଚ୍ଚ କରି ନପାରି କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ଭର୍ତ୍ସିତ ହୋଇଛି। ୨୦୧୩ ଜୁଲାଇ ୧୩ ତାରିଖରେ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ ମହାତ୍ମା ଗାନ୍ଦୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି କାର୍ଯ୍ୟକ୍ରମର ଅନୁଦାନ ଖର୍ଚ୍ଚ କରିପାରି ନଥିବାରୁ ତାଗିଦ କରିଥିଲେ। ଏହି ଯୋଜନାରେ ରାଜ୍ୟକୁ ମିଳିଥିଲା ୭୧୫ କୋଟି ଟଙ୍କା, ନବୀନ ସରକାର ଖର୍ଚ୍ଚ କରିଥିଲେ ମାତ୍ର ୩୫୯ କୋଟି ଟଙ୍କା। ପ୍ରାୟ ସବୁ କଲ୍ୟାଣମୂଳକ କାର୍ଯ୍ୟକ୍ରମରେ ବ୍ୟାପକ ଦୁର୍ନୀତି ହୋଇଥିବା ଧରା ପଡ଼ିଛି। ଓଡ଼ିଶାର ଏମଜିଏନଆରଇଜିଏ କାର୍ଯ୍ୟକ୍ରମରେ ହୋଇଥିବା ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ନିଦ୍ଦେର୍ଶ ଦେଇଥିଲେ ସୁପ୍ରିମ କୋର୍ଟ। ୨୦୦୭-୦୮ରୁ ୨୦୧୧-୧୨ ବର୍ଷ ମଧ୍ୟରେ ଓଡ଼ିଶା ମୁଣ୍ଡପିଛା ୧୬୮୮ ଟଙ୍କା ଲେଖାଏଁ କେନ୍ଦ୍ରୀୟ ଅନୁଦାନ ପାଇଥିଲା। ଏହି ସମୟ ମଧ୍ୟରେ ଉତ୍ତର ପ୍ରଦେଶ ପାଇଥିଲା ମୁଣ୍ଡପିଛା ମାତ୍ର ୭୭୫ ଟଙ୍କାର ଅନୁଦାନ। ତଥାପି ଓଡ଼ିଶାର ସ୍ୱତନ୍ତ୍ର ପାହ୍ୟା ଦାବି ଥମି ନଥିଲା। ଚିର ସବୁଜ ୨୦୧୩ ମାର୍ଚ୍ଚ ୫ ତାରିଖ। ଗରମ ଆରମ୍ଭ ହୋଇଯାଇଥିଲା। ତଥାପି ରାଜ୍ୟର ସବୁ ରାସ୍ତା ଯେମିତି ରାଜଧାନୀ ଭୁବନେଶ୍ୱରକୁ ଲମ୍ୱିଥିଲା। ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ କରୁଥିଲା ବିଜୁ ଯୁବ ଜନତା ଦଳ। ଭୁବନେଶ୍ୱରରେ ସେଦିନ ବିକ୍ରି ହୋଇଥିଲା ସର୍ବାଧିକ ବିଅର! ପ୍ରାୟ ଲକ୍ଷେ ଯୁବକ ଯୋଗ ଦେଇଥିଲେ ସେହି ସମାବେଶରେ। କର୍ମୀମାନେ ଏକ ବିରାଟ ଫୁଲ ହାର ସହିତ ଫଟୋ ଉଠାଇବାକୁ ନବୀନଙ୍କୁ ବାଧ୍ୟ କଲେ। ସେ ସାଧାରଣତଃ ସର୍ବସମକ୍ଷରେ ଏମିତି ଚାଟୁକାରିତା ପ୍ରଦର୍ଶନକୁ ଭଲ ପାଆନ୍ତି ନାହିଁ। କିନ୍ତୁ ପ୍ୟାରୀବାବୁ୍ଙ୍କ ଅନୁପସ୍ଥିତି ଯୋଗୁଁ ଏଭଳି ତାମସାକୁ ସେ ଏଡ଼ାଇ ପାରିଲେନାହିଁ। ସଭାରେ ନବୀନ ଗର୍ଜିଲେ କେନ୍ଦ୍ର ସରକାର ଖଣିଜ ରୟାଲ୍ଟି ହାର ସଂଶୋଧନ କରୁ ନଥିବାରୁ ଓଡ଼ିଶା ସରକାର ବାର୍ଷିକ ୧୮୦୦ କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। କିନ୍ତୁ ସେ ଏକଥା କହିଲେ ନାହିଁ ଯେ ତାଙ୍କ ସରକାର ଖଣି ପଟ୍ଟାଦାରମାନଙ୍କ ଉପରେ ଜାରି ହୋଇଥିିବା ୬୮,୭୦୦ କୋଟି ଟଙ୍କାର ଜରିମାନାରୁ ଟଙ୍କାଟିଏ ବି ଆଦାୟ କରିନାହାନ୍ତି। ଓଡ଼ିଶାର ପ୍ରାୟ ସମସ୍ତ ଖଣିରେ ବ୍ୟାପକ ଦୁର୍ନୀତି ହୋଇଥିଲେ ବି ଦୀପକ ଗୁପ୍ତାଙ୍କୁ ଛାଡ଼ି ଆଉ କାହାକୁ ଗିରଫ କରିନାର୍ହି ରାଜ୍ୟ ପୁଲିସ। ୨୦୦୯ ଓ ୨୦୧୦ ମସିହାରେ ଭିଜିଲାନ୍ସ ବିଭାଗ ଅନେକ ମାମଲା ରୁଜୁ କରିଥିଲେ ମଧ୍ୟ ଖଣି ଦୁର୍ନୀତିର ମୁଖ୍ୟ ଅପରାଧୀମାନେ କେହି ଧରା ପଡ଼ି ନଥିଲେ। ଭଙ୍ଗୁର ବିରୋଧୀ ଦଳ ନିର୍ବାଚନ। କେତେ ଜଣ ଓଡ଼ିଆ ଚିତ୍ର ତାରକାଙ୍କ ଗହଣରେ ଏକ ମର୍ସିଡିଜ ଗାଡ଼ିରେ ବସି ଆମ ଓଡ଼ିଶା ଦଳର ପ୍ରାର୍ଥୀ ସଂଜୟ ହଂସ ଭୁବନେଶ୍ୱରର ଶାନ୍ତି ବସ୍ତିରେ ପ୍ରଚାର କରୁଥିଲେ। ଏହି ସ୍ୱତନ୍ତ୍ର ଅଭିଯାନ ପାଇଁ ସେ ନିଜର ନିଶ ଓ ବାଳକୁ ବାଗେଇଥିଲେ, ହାତ ମେଲେଇ ସମସ୍ତଙ୍କୁ ଅଭିବାଦନ କରୁଥିଲେ। ଦଶମ ଶ୍ରେଣୀ ପାସ୍ କରିଥିବା ସଂଜୟ ହଂସ ହେଉଛନ୍ତି ଜଣେ ସଫଳ ଗହଣା ଦୋକାନୀ ଓ ହୋଟେଲ ମାଲିକ। ଉଭୟ ଭୁବନେଶ୍ୱର ଲୋକସଭା ଓ ବିଧାନସଭା ଆସନରୁ ଲଢ଼େଇ କରୁଥିବା ସଂଜୟ ୬୪ କୋଟି ଟଙ୍କା ମୂଲ୍ୟ ସଂପତ୍ତିର ମାଲିକ ବୋଲି ଘୋଷଣା କରିଥିଲେ। ସେ ଥିଲେ ଏହି ନିର୍ବାଚନର ସବୁଠୁ ଧନୀ ପ୍ରାର୍ଥୀ। ବିଧାନସଭା ନିର୍ବାଚନରେ ସଂଜୟ ପାଇଲେ ମାତ୍ର ୯୨୩ ଖଣ୍ଡ ଭୋଟ। ଏହା ଥିଲା ମୋଟ ଭୋଟର ମାତ ୦.୮୦ ପ୍ରତିଶତ। ସେହିପରି ଲୋକସଭା ଆସନରେ ଯେତେ ଭୋଟ ପଡ଼ିଥିଲା ତାହାର ମାତ୍ର ୩.୩୧ ପ୍ରତିଶତ ବା ମୋଟ ୨୯,୫୦୫ ଖଣ୍ଡ ଭୋଟ ପାଇଥିଲେ ସଂଜୟ। ବିଜେଡିର ଲୋକସଭା ପ୍ରାର୍ଥୀ ପ୍ରସନ୍ନ ପାଟ୍ଟଶାଣୀ ପାଇଥିଲେ ୪,୩୯,୨୫୨ ଖଣ୍ଡ ଭୋଟ। ୨୦୧୩ ନଭେମ୍ୱର ୨୬ ତାରିଖରେ ଆମ ଓଡ଼ିଶା ପାର୍ଟି ପ୍ରତିଷ୍ଠା କରିଥିଲେ ଗଣମାଧ୍ୟମ ବ୍ୟବସାୟୀ ସୌମ୍ୟ ରଂଜନ ପଟ୍ଟନାୟକ। ସେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକଙ୍କର ସାନ ଭାଇ। ପ୍ରଦେଶ କଂଗ୍ରେସ ସଭାପତି ଭାବେ ନିରଂଜନ ପଟ୍ଟନାୟକ ଦଳକୁ ଶକ୍ତିଶାଳୀ କରିବୁ ଜୋରଦାର ଉଦ୍ୟମ ଚଳାଇଥିଲାବେଳେ ୨୦୧୩ ମେ ୧୩ ତାରିଖରେ ତାଙ୍କୁ ଅପସାରିତ କରାଯାଇଥିଲା। ରାଜନୀତିକ ପର୍ଯ୍ୟବେକ୍ଷକମାନେ କୁହନ୍ତି ୨୦୧୪ ନିର୍ବାଚନରେ ନବୀନଙ୍କ ବିଜୟ ସହଜ କରିବାକୁ ତାଙ୍କର କଂଗ୍ରେସ ବନ୍ଧୁମାନେ ନିରଂଜନଙ୍କ ଡଙ୍କ ମୋଡ଼ି ଦେଇଥିଲେ। ଦଳ ଭିତରେ ଆଭ୍ୟନ୍ତରୀଣ କନ୍ଦଳ ଏତେ ଜୋରଦାର ହୋଇଥିଲା ଯେ ୨୦୧୪ ନିର୍ବାଚନରେ ଉଭୟ କଂଗ୍ରେସ ଓ ବିଜେପି ଠିକ ଭାବରେ ପ୍ରାର୍ଥୀ ସ୍ଥିର କରିପାରିଲେ ନାହିଁ। ଲୋକେ ଦୁର୍ନୀତିଗ୍ରସ୍ତ ବିଜେଡିର ବିକଳ୍ପ ଖୋଜୁଥିଲେ ବି ହତାଶ ହୋଇଥିଲେ। ଅନ୍ୟପକ୍ଷରେ ନବୀନ ତାଙ୍କ ଦଳର ନିର୍ବିବାଦୀୟ ନେତା ଭାବେ ରାଜ୍ୟର ଏକମାତ୍ର ନେତା ଭାବେ ଉଦୟ ହୋଇଥିଲେ। ନାନାଦି ଦୁର୍ନୀତିରେ ଛନ୍ଦି ହୋଇ ନବୀନ ସରକାର ବଦନାମ ହୋଇଥିଲେ ବି କଂଗ୍ରେସ ସେଥିରୁ ଫାଇଦା ଉଠାଇବାରେ ସଂପୂର୍ଣ୍ଣ ବିଫଳ ହୋଇଥିଲା। ୨୦୧୪ ମାର୍ଚ୍ଚ ୮ ତାରିଖରେ ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ ଦଳତ୍ୟାଗ କରି ବିଜେଡିରେ ଯୋଗ ଦେବା ପରେ ରାଜ୍ୟରେ କଂଗ୍ରେସର ଭାଗ୍ୟ ସଂପୂର୍ଣ୍ଣ ମଉଳି ଯାଇଥିଲା। କଂଗ୍ରେସ ବିଧାୟକ ଅନୁପ ସାଏ ମଧ୍ୟ ବିଜେଡିକୁ ପଳାଇଲେ। ନିର୍ବାଚନ ଆଉମାତ୍ର ୪୫ ଦିନ ବାକି ଥିବାବେଳେ ଏଭଳି ବରିଷ୍ଠ ନେତାମାନଙ୍କର ଦଳତ୍ୟାଗ କଂଗ୍ରେସ କର୍ମୀମାନଙ୍କ ମନୋବଳ ଭାଙ୍ଗି ଦେଇଥିଲା। ପୂର୍ବରୁ୨୦୧୨ ଜୁନ ୫ ତାରିଖରେ ନବୀନ ମଧ୍ୟ କୌଶଳ କରି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିକୁ ଖତମ କରିଦେଇଥିଲେ। ଦଳର ସମସ୍ତ ବିଧାୟକ ବିଜେଡିରେ ମିଶି ଯାଇଥିଲେ। ଓଡ଼ିଶା ଭାରତର ଏକ ଦରିଦ୍ରତମ ରାଜ୍ୟ ହୋଇଥିଲେ ମଧ୍ୟ ଏହାର ଜନ ପ୍ରତିନିଧିମାନେ କୋଟିପତି। ଦେଶର ଦରିଦ୍ର୍ତମ ଅଂଚଳ ଭାବେ ଜଣାଶୁଣା କଳାହାଣ୍ଡି-ବଲାଙ୍ଗୀର-କେରାପୁଟ ବା କେବିକେ ଅଂଚଳର ନେତାଙ୍କ ସମେତ ୨୦୧୪ ନିର୍ବାଚନରେ ଅନ୍ୟୁନ ୩୬ ଜଣ କୋଟିପତି ପ୍ରାର୍ଥୀ ହୋଇଥିଲେ। ଖଣି କମ୍ପାନୀଙ୍କ ପାଇଁ ଓକିଲାତି କରୁଥିବା ଦିଲ୍ଲୀବାସୀ ଓଡ଼ିଶା ନେତା ପିନାକୀ ମିଶ୍ରଙ୍କ ସଂପତ୍ତି ମୂଲ୍ୟ ଥିଲା ୧୩୪ କୋଟି ଟଙ୍କା। ଲଟେରି ଟିକେଟ ବିଜୁ ଜନତା ଦଳର ଗୋଟେ ବିଜ୍ଞାପନରେ ଆକୃଷ୍ଟ ହୋଇ ୬୦୦ କିଲୋମିଟର ଦୂର ଖଡ଼ିଆଳରୁ ଭୁବନେଶ୍ୱର ଆସିଥିଲେ ରାଜ କୁମାର ସାହୁ। କିନ୍ତୁ ନବୀନ ନିବାସ ସାମ୍ନାରେ ସକାଳ ୮ଟା ବେଳକୁ ବି ପ୍ରାୟ ୫୦ ହଜାର ଲୋକଙ୍କ ଭିଡ଼ ଲାଗିଥିଲା। ସମସ୍ତେ ସେହି ବିଜ୍ଞାପନ ଦେଖି ଦରଖାସ୍ତ ପକାଇବାକୁ ଆସିଥିଲେ। ରାଜକୁମାର ଭିତରକୁ ପଶି ପାରିଲେ ନାହିଁ। ନୂଆ ପ୍ରାର୍ଥୀ ଖୋଜିବାକୁ ସେହି ବିଜ୍ଞାପନ ଦିଆଯାଇଥିଲା। ନବୀନ ପୁରୁଣା ବିଧାୟକଙ୍କ ଉପରେ ଆସ୍ଥା ସ୍ଥାପନ କରି ନଥିଲେ। ସେ ୩୫ ଜଣ ବିଧାୟକ ଓ ୬ ଜଣ ସାଂସଦଙ୍କୁ ପୁଣି ଥରେ ପ୍ରାର୍ଥୀ କରି ନଥିଲେ। ପ୍ୟାରୀ ମୋହନଙ୍କ ସ୍ଥାନ ନେଇଥିବା କଳ୍ପତରୁ ଦାସ ବିଜେଡି ପ୍ରାର୍ଥୀ ଚୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଜନସେବା କରିବାର ଲୋଭରେ ପଡ଼ି ଅଅନେକ ପିଅନ, ଚପରାସି, ଡାକ୍ତର, ଅଧ୍ୟାପକ, ପାଇଲଟ, କମ୍ପାନୀ କାର୍ଯ୍ୟ ନିର୍ବାହୀ, ଇଂଜିନିଅର ପ୍ରମୁଖ ବିଜେଡି ଟିକେଟ ପାଇବାକୁ ଦରଖାସ୍ତ କରିଥିଲେ। ଗୁଜବ ଉଠିଲା ଅନେକ ଆଶାୟୀ ବିଜେଡି ଟିକେଟ ପାଇବାକୁ ଦଳର କେତେକ ବରିଷ୍ଠ ନେତା ଓ ଜଣେ ପ୍ରଭାବଶାଳୀ ଅମଲାଙ୍କୁ ବିପୁଳ ପରିମାଣର ଲାଞ୍ଚ ଦେଇଥିଲେ। ବିଜେଡି ପ୍ରାର୍ଥୀଙ୍କ ଭିତରେ ଥିଲେ କେତେକ ଅଭିନେତା ଓ କମେଡ଼ିଆନ। ଏହାକୁ ଦେଖି କେତେକ ସମାଲୋଚକ ବିଜୁ ଜନତା ଦଳକୁ ବିଜୁ ଯାତ୍ରା ଦଳ ନାଁ ଦେଇଥିଲେ। ଖଣି ସମୃଦ୍ଧ କେନ୍ଦୁଝରର ଚମ୍ପୁଆରୁ ବିଜେଡି ପ୍ରାର୍ଥୀ ହୋଇଥିଲେ ଜଣେ ଲୋକପ୍ରିୟ କମେଡିଆନ ପପୁ ପମ ପମ। ତାଙ୍କ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ଥିଲେ ଜଣେ ଶ୍ରମିକ ନେତା ସନାତନ ମହାକୁଡ଼। ତାଙ୍କ ସଂପତ୍ତିର ମୂଲ୍ୟ ଥିଲା ୬୯ କୋଟି ଟଙ୍କା। ବିଜୟୀ ହେବା ପରେ ପରେ ସନାତନ ମହାକୁଡ଼ ବିଜେଡିକୁ ସମର୍ଥନ ଘୋଷଣା କଲେ। ତାହା ଥିଲା ବିଚରା ପପୁ ପମ ପମଙ୍କ ପାଇଁ ପଛରୁ ଛୁରିକାଘାତ ସଦୃଶ। ବର୍ଷକ ପରେ ୨୦୧୫ ଜୁଲାଇ ୯ ତାରିଖରେ ସନାତନଙ୍କ ଘରେ ଚଢ଼ାଉ କଲେ ପ୍ରବର୍ତ୍ତନ ନିଦ୍ଦେର୍ଶାଳୟର ଅଧିକାରୀ। ତାଙ୍କ ବିରୋଧରେ ଥିଲା ଖଣି ଦୁର୍ନୀତିର ଅଭିଯୋଗ।