ପିତୃସ୍ବପ୍ନର ପଛେ ପଛେ-୩

Apr 6, 2019 - 06:09
 720
ପିତୃସ୍ବପ୍ନର ପଛେ ପଛେ-୩
ବିଶ୍ବଜିତ ମହାନ୍ତି ବିଜୟ ରହସ୍ୟ କୁହାଯାଏ ଭାଗ୍ୟଠାରୁ ବଡ଼ ସହଯୋଗୀ ଆଉ କେହି ନାହିଁ। ଭାରତୀୟ ରାଜନୀତିରେ ନବୀନ ପଟ୍ଟନାୟକଙ୍କଠାରୁ ଏହାର ଆଉ ଭଲ ଉଦାହରଣ କିଛି ନାହିଁ। ସେ କେବଳ ଭାଗ୍ୟ ଜୋର୍ରେ ହିଁ ୨୦୦୦ ମସିହାରୁ କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇପାରିଛନ୍ତି। ସେ ବୋଧହୁଏ ଦେଶର ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏ କି ତାଙ୍କ ରାଜନୀତିକ ଜୀବନକାଳ ଭିତରେ ଦିନଟିଏ ବି ବିରୋଧୀ ଦଳର ସଦସ୍ୟ ଭୂମିକା ନିର୍ବାହ କରି ନାହାନ୍ତି। ତେବେ ବିଜେଡିର ଏହି ଆଶ୍ଚର୍ଯ୍ୟଜନକ ସଫଳତାର ରହସ୍ୟ କ’ଣ? ଏହା କ’ଣ ନିଷ୍ଠାପର କର୍ମୀଙ୍କ ଯୋଗୁଁ ସମ୍ଭବ ହୋଇଛି? ନା ଏହି ସଫଳତାର ରହସ୍ୟ ହେଉଛି ଦଳର ଅର୍ଥବଳ? ନବୀନଙ୍କ ବ୍ୟକ୍ତିଗତ ଲୋକପ୍ରିୟତା ପାଇଁ କ’ଣ ଏହି ସଫଳତା ସମ୍ଭବ ହୋଇଛି? ନା ଏହା ପଛରେ ଅଛି ତାଙ୍କ ନେତୃତ୍ୱରେ ହୋଇଥିବା ଓଡ଼ିଶାର ବାସ୍ତବ ବିକାଶ? ନବୀନଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମଗୁଡ଼ିକ ତାଙ୍କ ନିର୍ବାଚନୀ ସଫଳତାକୁ ପ୍ରଭାବିତ କରିଛି କି? ନା ତାଙ୍କ ସଫଳତା ପାଇଁ ରହିଛି ଏସବୁର ମିଳିତ ଅବଦାନ? ନବୀନଙ୍କର ପ୍ରଥମ ୧୦ ବର୍ଷର ଶାସନ କାଳ ଭାରତର ଆର୍ଥନୀତିକ ବିକାଶର ସବୁଠୁଁ ସମୃଦ୍ଧ ସମୟ ମଧ୍ୟରେ ବିତିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରଥମ ୪ ବର୍ଷର କାର୍ଯ୍ୟକାଳ ବିଜେପି ନେତୃତ୍ୱାଧୀନ ଏନଡିଏର ଅଂଶୀଦାର ଭାବେ କଟିଛି। ସେହି ସମୟରେ ତାଙ୍କ ଦଳ ଉଭୟ କେନ୍ଦ୍ର ଓ ରାଜ୍ୟ କ୍ଷମତାରେ ଅଂଶୀଦାର ଥିଲା। ୨୦୦୪ ନିର୍ବାଚନରେ କେନ୍ଦ୍ରରେ ବିଜେପି ପରାସ୍ତ ହୋଇଥିଲେ ମଧ୍ୟ ୨୦୦୯ ଯାଏଁ ଓଡ଼ିଶାରେ ନବୀନଙ୍କ ଦଳ ବିଜେପି ମେଣ୍ଟରେ ଥିଲା। ତାଙ୍କର ଏହି ଦୁଇଟି କାର୍ଯ୍ୟକାଳ ମଧ୍ୟରେ ଓଡ଼ିଶାର ଗ୍ରାମ ଉନ୍ନୟନ ଓ ଦାରିଦ୍ର୍ୟ ଦୂରୀକରଣ ପାଇଁ ବିପୁଳ କେନ୍ଦ୍ରୀୟ ଅନୁଦାନ ମିଳିଥିଲା। ଏହି ସମୟରେ ମଧ୍ୟ ପ୍ୟାରୀ ମୋହନ ମହାପାତ୍ର ଥିଲେ ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକଙ୍କର ମୁଖ୍ୟ ପରାମର୍ଶଦାତା। ବିଜେଡିର ଅଭିବୃଦ୍ଧି ପାଇଁ ତାଙ୍କର ନିଷ୍ଠାପର ଅବଦାନ ଆଜି ବି ମନେ ପକାନ୍ତି ଅନେକ ଦଳୀୟ ନେତା। ତାଙ୍କ ପରାମର୍ଶକ୍ରମେ ପ୍ରତି ନିର୍ବାଚନରେ ବିଜେଡି ଅନେକ ସଂଖ୍ୟକ ପ୍ରାର୍ଥୀ ପରିବର୍ତ୍ତନ କରୁଥିଲା ଯାହା ଫଳରେ ଦଳକୁ ଲୋକପ୍ରିୟତା ହରାଇଥିବା ନେତାଙ୍କ ବୋଝ ବୋହିବାକୁ ପଡ଼ୁ ନଥିଲା। ତେବେ ୨୦୧୪ ବିଧାନସଭା ନିର୍ବାଚନ ଥିଲା ନବୀନଙ୍କ ପାଇଁ କଠୋର ପରୀକ୍ଷାର ସମୟ। ସେତେବେଳେ ଆଉ ପ୍ୟାରୀ ମୋହନ ମହାପାତ୍ର ତାଙ୍କ ସାଙ୍ଗରେ ନଥିଲେ। ୨୦୧୨ ମେ ୨୯ ତାରିଖର ବିଫଳ ବିଦ୍ରୋହ ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। କିନ୍ତୁ ସେତେବେଳକୁ ଅଧିକ ଦୁର୍ନୀତିରେ ବୁଡ଼ି ଯାଇଥିବା ଓଡ଼ିଶାର ଅମଲାତନ୍ତ୍ର ନବୀନଙ୍କ ସଫଳତାରେ ନିଜର ସ୍ୱାର୍ଥ ସୁରକ୍ଷିତ ବୋଲି ଧରି ନେଇଥିଲେ। ନବୀନ ସେମାନଙ୍କୁ ନିର୍ବିରୋଧ ଲୁଟ୍ କରିବାକୁ ସୁଯୋଗ ଦେଇଥିଲେ। ୨୦୧୪ ବେଳକୁୂ ନବୀନ ସରକାର ଅନେକ ପ୍ରସଙ୍ଗରେ ବଦନାମ ହୋଇସାରିଥିଲା। ଉତ୍କଟ ଆଭ୍ୟନ୍ତରୀଣ କନ୍ଦଳ, ବିଫଳ ବିଦ୍ରୋହ, ଖଣି ଓ ଡାଲି ଦୁର୍ନୀତି, ପିପିଲି ଧର୍ଷଣ ଓ ହତ୍ୟାକାଣ୍ଡ, ଚିଟ ଫଣ୍ଡ ଦୁର୍ନୀତି ଏବଂ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି କାର୍ଯ୍ୟକ୍ରମରେ ବ୍ରାପକ ଅନିୟମିତତା ଆଦି ନବୀନ ସରକାରରେ କଳଙ୍କ ବୋଳି ଦେଇଥିଲା। ତଥାପି ଭୋଟରମାନଙ୍କୁ ଏସବୁ ବୋଧହୁଏ ପ୍ରଭାବିତ କରିନଥିଲା। ୨୦୧୪ ବିଧାନସଭା ନିର୍ବାଚନରେ ବିଜେଡିକୁ ମିଳିଥିଲା ସର୍ବାଧିକ ସଫଳତା। ଦଳ ଜିତିଥିଲା ୧୪୭ରୁ ୧୧୭ ଆସନ। ଓଡ଼ିଶାର ୨୧ ଲୋକସଭା ଆସନରୁ ମଧ୍ୟ ବିଜେଡି ପୋଛି ନେଇଥିଲା ୨୦। ସେହି ବର୍ଷ ସାରା ଦେଶରେ ମୋଦି ଲହର ସୃଷ୍ଟି ହୋଇଥିଲେ ବି ଓଡ଼ିଶାରେ ଏହାର କିଛି ପ୍ରଭାବ ପଡ଼ି ନଥିଲା। ବିଜେଡି ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିର୍ବାଚନ। ନିର୍ବାଚନର ବହୁ ପୂର୍ବରୁ ଦଳ ପ୍ରାର୍ଥୀ ଚୟନ କରେ। ନିର୍ବାଚନ ରଣନୀତି ସଂପର୍କରେ ବହୁବାର ଆଲୋଚନା କରାଯାଏ ଓ ତ୍ରୁଟିହୀନ କୌଶଳ ନିର୍ଦ୍ଧାରିତ ହୁଏ। ନବୀନଙ୍କ ବାପା ବିଜୁ ପଟ୍ଟନାୟକଙ୍କ ଲୋକପ୍ରିୟତାର ମଧ୍ୟ ଅନେକ ଅବଦାନ ରହିଛି। ଏତେ ବର୍ଷ ପରେ ମଧ୍ୟ ନବୀନ ସବୁବେଳେ କହି ଚାଲିଛନ୍ତି ଯେ ସେ ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନ ସାକାର କରିବାରେ ଲାଗିଛନ୍ତି। ତେବେ ବିଜୁବାବୁଙ୍କ ସ୍ୱପ୍ନ କ’ଣ ଥିଲା? ଜଣେ ସୂଚନା ଅଧିକାରୀ କର୍ମୀ ଏ ବିଷୟରେ ଜାଣିବାକୁ ଚାହିଁଲେ। ସରକାରଙ୍କ ଉତ୍ତର ଥିଲା ଏ ବିଷୟରେ କିଛି ସୂଚନା ନାହିଁ! ବିରୋଧୀଙ୍କ ଉପରେ ଅତର୍କିତ ଆକ୍ରମଣ ୨୦୦୯ ମାର୍ଚ୍ଚ ୧୧ ତାରିଖରେ ନବୀନ ସରକାର ଏକ ଆସ୍ଥା ଭୋଟର ସାମ୍ନା କଲେ। ଏହାର ଚାରି ଦିନ ଆଗରୁ ବିଜେଡି-ବିଜେପି ମେଣ୍ଟ ଭାଙ୍ଗି ଯାଇଥିଲା। ବିଜେପି ସଦସ୍ୟଙ୍କ ପ୍ରତିବାଦ ସେତ୍ତ୍ୱ ବାଚସ୍ପତି ବାଚନିକ ଭୋଟ ପାଇଁ ନିଦ୍ଦେର୍ଶ ଦେଲେ। ଆଶ୍ଚର୍ଯ୍ୟର କଥା ଗୃହରେ ବିଜେଡିର ମାତ୍ର ୬୧ ଜଣ ବିଧାୟକ ଥିଲେ ବି ନବୀନ ସରକାର ଆସ୍ଥା ଭୋଟ ଜିତିଗଲେ। ଆସ୍ଥା ଭୋଟ ଜିତିବାକୁ ନବୀନବାବୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ସିପିଆଇ ଓ ସିପିଏମ ପରି ଛୋଟଛୋଟ ଦଳଙ୍କ ସମର୍ଥନ ହାସଲ କରିଥିଲେ। ତତ୍କାଳୀନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ମଧ୍ୟ ଏହି ଆସ୍ଥା ଭୋଟ ଫଳାଫଳକୁ ଗ୍ରହଣ କଲେ। ବୋଧହୁଏ କଂଗ୍ରେସ ହାଇକମାଣ୍ଡ ମଧ୍ୟ ଭିତରେ ଭିତରେ ନବୀନଙ୍କୁ ସମର୍ଥନ କରୁଥିଲେ। ୨୦୦୦-୦୯ ମଧ୍ୟରେ ବିଜେଡି ସହିତ ମିଶି ବିଜେପି ସରକାରରେ ଥିଲା। ଦଳର ସଂଗଠନ ବୃଦ୍ଧି କରିବାକୁ ଏ ୯ ବର୍ଷ ବିଜେପି ଭଳି ଦଳ ପାଇଁ ଯଥେଷ୍ଟ ଥିଲା। କିନ୍ତୁ ସେମାନେ ସେଦିଗରେ ମନ ବଳେଇ ନଥିଲେ। ବିଜେପିର ଅଧିକାଂଶ ମନ୍ତ୍ରୀ କ୍ଷମତାର ସୁଯୋଗ ନେଇ ସଂପତ୍ତି କମେଇବାରେ ମନ ଦେଇଥିଲେ। କଂଗ୍ରେସ ମଧ୍ୟ ନବୀନଙ୍କୁ ଉପଯୁକ୍ତ ଚାଲେଞ୍ଜ ଦେଇପାରି ନଥିଲା। ଏହି ଦଳରେ ଆଭ୍ୟନ୍ତରୀଣ କନ୍ଦଳ ଲାଗି ରହିଥିଲା। ପ୍ରଦେଶ କଂଗ୍ରେସ ସଭାପତି ପଦରେ ବାରମ୍ୱାର ପରିବର୍ତ୍ତନ ହେଉଥିଲା। ରାଜ୍ୟ ରାଜନୀତିରେ ବାମପନ୍ଥୀଙ୍କର ମଧ୍ୟ କୌଣସି ଗୁରୁତ୍ୱ ନଥିଲା। ନବୀନଙ୍କ ଦ୍ୱିତୀୟ ଦଫା କାର୍ଯ୍ୟକାଳ ମଧ୍ୟରେ ବିଜେଡି ସହିତ କେନ୍ଦ୍ରର ଉପା ସରକାରର ଭିତିରି ବୁଝାମଣା ରହିଥିଲା। ୱିକିଲିକ୍ସ ତରଫରୁ ପ୍ରଘଟ ହୋଇଥିଲା ଯୁକ୍ତରାଷ୍ଟ୍ର ଆମେରିକାର କନସଲ ଜେନେରାଲ ପଠାଇଥିବା କେତେକ କୂଟନୈତିକ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଯାଇଛି। ଓଡ଼ିଶା ଖଣି ଦୁର୍ନୀତିର ସିବିଆଇ ତଦନ୍ତ କରାଇବାକୁ ଶାହା କମିଶନ ୨୦୧୩ ଅଗଷ୍ଟ ମାସରେ ସୁପାରିଶ କରିଥିଲେ ବି ତତ୍କାଳୀନ ମନମୋହନ ସିଂହ ସରକାର ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ। ଉପା ସରକାରର ମନ୍ତ୍ରୀମାନେ ଯେତେବେଳେ ଓଡ଼ିଶା ଗସ୍ତରେ ଆସୁଥିଲେ ନବୀନ ସରକାରଙ୍କୁ ପ୍ରଶଂସା କରୁଥିଲେ। ଏଥିରେ ସ୍ଥାନୀୟ କଂଗ୍ରେସ ଦଳର କ୍ଷତି ହେଉଥିଲା। ଖଣି, ଚିଟ ଫଣ୍ଡ ଓ ଜମି ଦୁର୍ନୀତିରେ ବିଜେଡିର ଅନେକ ବିଧାୟକ ଓ ସାଂସଦ ସଂପୃକ୍ତ ଥିବା ନେଇ ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଥିଲେ ମଧ୍ୟ ଭୋଟରଙ୍କ ଉପରେ ତାହାର କିଛି ପ୍ରଭାବ ପଡ଼ି ନଥିଲା। ନବୀନଙ୍କ ଭାବମୂର୍ତ୍ତି ସେହିପରି ଉଜ୍ଜ୍ୱଳ ରହିଥିଲା। ଖଣି ଦୁର୍ନୀତି ଉନ୍ମେ୍ାଚିତ ହେବାର ୫ ବର୍ଷ ପରେ ନବୀନ ଯେତେବେଳେ ପୁଣି ଭୋଟ ମାଗିଲେ ଖଣି ଦୁର୍ନୀତିରେ ଗିରଫ ହୋଇଥିବା ଅଧିକାଂଶ ଅଭିଯୁକ୍ତ ଜାମିନରେ ଖଲାସ ହୋଇ ପୂର୍ବପରି ବେପାର ଚଳାଇଥିଲେ। ଚାଉଳ ଯନ୍ତା ଢେଙ୍କାନାଳ ଦାଦ୍ରାଘାଟିରେ ରହନ୍ତି ଚନ୍ଦ୍ର ନାୟକ ନାମକ ଜଣେ ଦଳିତ ଯୁବକ। ତାଙ୍କର ତିନି ଏକର ଚାଷଜମି ଅଛି। କିନ୍ତୁ ସେଥିରୁ କିଛି ଫଳେ ନାହିଁ। ସେ ପ୍ରତି ମାସ ୨୫ କିଲୋ ଟଙ୍କିକିଆ ଚାଉଳ ପାଉଥିଲେ। ନବୀନ ପଟ୍ଟନାୟକଙ୍କ ସଂପର୍କରେ ତାଙ୍କର ଧାରଣା କ’ଣ? ଏ ପ୍ରଶ୍ନ ପଚରାଯିବାରୁ ତାଙ୍କର ଉତ୍ତର ଥିଲା, ‘ସେ ଭାରତର ମୁଖ୍ୟମନ୍ତ୍ରୀ ନୁହନ୍ତି କି?’ ସେ ପଟ୍ଟନାୟକ ଶବ୍ଦ ବି ଉଚ୍ଚାରଣ କରିପାରୁ ନଥିଲେ, କହୁଥିଲେ ନବୀନ ପଟା। ତାଙ୍କ ଭାଷାରେ, ‘ବହୁତ ବଡ଼ ଲୋକ ଆଜ୍ଞା! ଆମ ପାଇଁ ଭଗବାନ!’ ନବୀନଙ୍କୁ ସେ ଭଗବାନ ମାନିବାର କାରଣ ହେଲା ଶସ୍ତା ଚାଉଳ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଯୋଗୁଁ ସେ ତିନି ବର୍ଷ ଧରି ଭୋକରେ ରହି ନାହାନ୍ତି। ଏପରିକି ଇନ୍ଦିରା ଆବାସ ମଧ୍ୟ ନବୀନଙ୍କ ଦାନ ବୋଲି ସେ ଧରି ନେଇଛନ୍ତି, ଯଦିଓ ଏହି କାର୍ଯ୍ୟକ୍ରମ ପାଇଁ ଅଧିକ ଅର୍ଥ ଦେଇଥାନ୍ତି କେନ୍ଦ୍ର ସରକାର। ମାଗଣା ଆମ୍ୱୁଲାନ୍ସ କାର୍ଯ୍ୟକ୍ରମ କେନ୍ଦ୍ରୀୟ ପାଣ୍ଠିରେ ଚାଲିଥିଲେ ମଧ୍ୟ ଲୋକେ ଏହା ନବୀନଙ୍କ ଯୋଜନା ବୋଲି ଜାଣନ୍ତି। ବିଜୁ ଜନତା ଦଳର ନେତା ଓ କର୍ମୀମାନେ କେନ୍ଦ୍ରୀୟ ଯୋଜନାଗୁଡ଼ିକୁ ନବୀନଙ୍କ ଯୋଜନା ଭାବରେ ବେଶ ଭଲ ଭାବରେ ପ୍ରଚାର କରିଛନ୍ତି। ଏହାର ତାହାରି ପରିଣାମ। କେନ୍ଦ୍ରରେ ଶାସନ କ୍ଷମତାରେ ଥିବା କଂଗ୍ରେସର ପ୍ରାଦେଶିକ ନେତାମାନେ ଏହା ଜାଣୁଥିଲେ ମଧ୍ୟ କେବେ କୌଣସି ପ୍ରତିବାଦ କରି ନଥିଲେ। କିନ୍ତୁ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଆସିଲା ପରେ ଏଥିରେ ପରିବର୍ତ୍ତନ ହୋଇଥିଲା। ଆମ୍ୱୁଲାନ୍ସରୁ ରାଜ୍ୟ ସରକାରଙ୍କ ଲୋଗୋ ହଠାଇବାକୁ ମୋଦି ସରକାର ତୁରନ୍ତ ନିଦ୍ଦେର୍ଶ ଦେଲେ ଓ ରାଜ୍ୟ ସରକାର ମାନିବାକୁ ବାଧ୍ୟ ହେଲେ। ଚନ୍ଦ୍ର ନାୟକ ପାଇଁ କଂଗ୍ରେସର ହାତଠାରୁ ବିଜେଡିର ଶଙ୍ଖ ଭଲ। ସେ ରହୁଥିବା ସ୍ଥାନରୁ କେନ୍ଦୁଝରର ଦୂରତା ମାତ୍ର ୨୦ କିଲୋମିଟର। କିନ୍ତୁ ସେ ବ୍ୟାପକ ଖଣି ଦୁର୍ନୀତି ବିଷୟରେ କିଛି ବି ଜାଣି ନଥିଲା। ଆର ବଖତ କ’ଣ ଖାଇବ ଚିନ୍ତାରେ ଥିବା ଭୋକିଲା ଲୋକଙ୍କ ପାଇଁ ଦୁର୍ନୀତି ଗୋଟେ ପ୍ରସଙ୍ଗ ନୁହେଁ। ଚନ୍ଦ୍ର ସହ କଥାବାର୍ତ୍ତାରୁ ଏହା ସ୍ପଷ୍ଟ ହୋଇଗଲା। ସଫଳତାର ମୁଖ୍ୟ ଚାବି ନବୀନଙ୍କ ବାରମ୍ୱାର ବିଜୟର ସବୁଠୁଁ ଗୁରୁତ୍ୱପୂର୍ଣ୍ଣ କାରଣଟି କ’ଣ? ଉତ୍ତର ହେଉଛି ଅନୁଗତ ଭୋଟର। ୨୦୧୪ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ନବୀନ ସରକାର ମିଶନ ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ୫,୬୩,୦୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଂଗଠିତ କରିସାରିଛନ୍ତି। ଏହାର ସଦସ୍ୟ ସଂଖ୍ୟା ହେଉଛନ୍ତି ୬୭,୬୧,୦୦୦। ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ନବୀନ ସରକାର ବହୁବିଧ ସରକାରୀ ଦାୟିତ୍ୱ ଅର୍ପଣ କରିଛନ୍ତି। ସେମାନଙ୍କୁ ସ୍କୁଲରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପରିଚାଳନା ସାଙ୍ଗକୁ ସାଧାରଣ ବଣ୍ଟନ ବ୍ୟବସ୍ଥାର ଦାୟିତ୍ୱ ମଧ୍ୟ ଦିଆଯାଇଛି। ୨୦୧୪ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟ ଉଦ୍ୟୋଗ ଜରିଆରେ ନିଯୁକ୍ତି ସୁଯୋଗ ପାଇଥିବା ୩୨,୧୩୬ ଲୋକଙ୍କ ମଧ୍ୟରେ ୪,୩୨୫ ଜଣ ହେଲେ ମହିଳା। ଓଡ଼ିଶା ଭୋଟର ସଂଖ୍ୟାର ୪୮ ପ୍ରତିଶତ ହେଲେ ମହିଳା। ସରକାରୀ ପାଣ୍ଠିରେ ସୃଷ୍ଟି କରାଯାଇଥିବା ଏହି ଅନୁଗତ ଭୋଟ ବ୍ୟାଙ୍କ ସହାୟତାରେ ହିଁ ନବୀନ ଗୋଟେ ପରେ ଗୋଟେ ନିର୍ବାଚନ ଜିତି ଚାଲିଛନ୍ତି। ରସର ରେଳ ଓଡ଼ିଶା ପରି ଏକ ଦରିଦ୍ର ରାଜ୍ୟରେ ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ ହୁଏ ତାହା ହିସାବ କଲେ ଆଶ୍ଚର୍ଯ୍ୟଚକିତ ହେବାକୁ ପଡେ଼। ରାଜ୍ୟର ଅନେକ ଗାଁର ଲୋକ କୁହନ୍ତି ଭୋଟ ଦେବାକୁ ସେମାନଙ୍କୁ ୨୫୦୦ ଟଙ୍କା ଯାଏଁ ମିଳିଛି। ଯଦି ଗୋଟେ ନିର୍ବାଚନ ମଣ୍ଡଳୀର ୧ ଲକ୍ଷ ଭୋଟରଙ୍କୁ ୫୦୦ ଟଙ୍କା କରି ଦିଆଯାଇଥାଏ ତେବେ ୫ କୋଟି ଖର୍ଚ୍ଚ ହୋଇଥିବ। ଗୋଟେ ନିର୍ବାଚନ ମଣ୍ଡଳୀରେ ୫ କୋଟି ଟଙ୍କା ବଣ୍ଟା ଯାଇଥିଲେ ୧୪୭ ନିର୍ବାଚନ ମଣ୍ଡଳୀରେ ୭୩୫ କୋଟି ଟଙ୍କା ବଣ୍ଟା ଯାଇଥିବ। ଏହା ବାଦ ପ୍ରଚାର ଖର୍ଚ୍ଚ ଅଲଗା। ପ୍ରଚାର ପାଇଁ ତେଲ, ଭୋଜି ଓ ମଦର ଆବଶ୍ୟକତା ଅଛି। ଏସବୁ ମିଶି ଓଡ଼ିଶାରେ ଗୋଟେଗୋଟେ ନିର୍ବାଚନରେ ପ୍ରାୟ ୧୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବ। ଜଣେ ଜଣେ କୃତଜ୍ଞ ଖଣି ବ୍ୟବସାୟୀ ଏହା ଦେବାକୁ ଆଦୌ କୁଣ୍ଠା ପ୍ରକାଶ କରି ନଥିବେ। କାରଣ ସେମାନେ ଏହାର କେତେ ଗୁଣ ଖଣିଜ ଲୁଟ୍ କରିଛନ୍ତି ତାହା ସେମାନେ ଭଲ ଭାବେ ଜାଣନ୍ତି। ବ୍ୟାପକ ଅନିୟମିତତା ପାଇଁ କେତେକ ଖଣି ପଟ୍ଟାଦାରଙ୍କ ଉପରେ ଓଡ଼ିଶା ସରକାର ୬୮,୭୦୦ କୋଟି ଟଙ୍କାର ଜରିମାନା ଧାର୍ଯ୍ୟ କରିଥିଲେ ବି ୫ ବର୍ଷ ହେଲାଣି କେହି ଟଙ୍କାଟିଏ ବି ଦାଖଲ କରିନାହାନ୍ତି। ୨୦୧୪ ନିର୍ବାଚନ ସମୟରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଆମ୍ୱୁଲାନ୍ସ ଓ ପୁଲିସ ଗାଡ଼ିରେ ଟଙ୍କା ବଣ୍ଟା ଯାଉଥିଲା ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଥିଲେ। ୨୦୧୦-୧୧ ଓ ୨୦୧୧-୧୨ ଆଥିର୍କ ବର୍ଷରେ ବିଜୁ ଜନତା ଦଳ କୌଣସି ଲୋକଠାରୁ ୨୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଚାନ୍ଦା ପାଇନାହିଁ ବୋଲି ଦର୍ଶାଇଛି। ସେତେବେଳେ ନିର୍ବାଚନ ନଥିଲା, ଏହା ହୋଇଥାଇ ପାରେ। କିନ୍ତୁ ୨୦୦୯ ମସିହାରେ ବିଜେଡିକୁ ଆଦିତ୍ୟ ବିଲାର୍ ଗୋଷ୍ଠୀର ଏକ ଟ୍ରଷ୍ଟ ୭.୫୩ କୋଟି ଟଙ୍କାର ଚାନ୍ଦା ଦେଇଥିଲା। ୨୦୦୮ ମସିହାରେ ବିର୍ଲାା ଗୋଷ୍ଠୀର ହିଣ୍ଡାଲକୋ କାରଖାନା ସପକ୍ଷରେ ତଳବିରା-୨ କୋଇଲା ଖଣି ଆବଣ୍ଟନ କରିବାକୁ ନବୀନବାବୁ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ସୁପାରିଶ କରିଥିଲେ। ବିର୍ଲା ବୋଧହୁଏ ଚାନ୍ଦା ଆକାରରେ କୃତଜ୍ଞତା ଜଣେଇଥିଲେ! ନବୀନବାବୁଙ୍କର ବିଶ୍ୱସ୍ତ ଘରୋଇ ସହାୟକ ସରୋଜ ସାହୁ ୨୦୧୧-୧୨ ବର୍ଷ ପାଇଁ ବିଜେଡିର କୋଷାଧ୍ୟକ୍ଷ ଥିଲେ। ଚିଟ ଫଣ୍ଡ ଦୁର୍ନୀତିରେ ୨୦୧୪ ଡିସେମ୍ୱର ମାସରେ ସରୋଜଙ୍କୁ ସିବିଆଇ ଜେରା କରିବାରୁ ତାଙ୍କୁ ସସପେଣ୍ଡ କରାଗଲା। ଖଣି ଦୁର୍ନୀତିର ତଦନ୍ତ କରିବା ବିଚାରପତି ଶାହାଙ୍କ ଅଧ୍ୟକ୍ଷତାରେ ଗଠିତ କମିଶନ ଯେଉଁ ରିପୋର୍ଟ ଦେଲା ତାହା ନବୀନଙ୍କ ବିଶ୍ୱାସନୀୟତା ଓ ଭାବମୂର୍ତ୍ତି ଉପରେ ନକରାତ୍ମକ ପ୍ରଭାବ ପକାଇଲା। ଗଣମାଧ୍ୟମରେ ଏ ବିଷୟରେ ଅଧିକ ଚର୍ଚ୍ଚା ରୋକିବା ଉଦ୍ଦେଶ୍ୟରେ ନବୀନ ସରକାର ୨୦୧୪ ନିର୍ବାଚନ ପୂର୍ବରୁ ୧୪ ଜଣ ସାମ୍ୱାଦିକଙ୍କୁ ସରକାରୀ ଘର ଦିଆଗଲା। ଘର ପାଇଥିବା କେତେ ଜଣ ସାମ୍ୱାଦିକ ସଂପାଦକ ଓ ବ୍ୟୁରୋ ମୁଖ୍ୟ ପାହ୍ୟାର। କିରାଣୀମାନଙ୍କୁ ମିଳୁଥିବା ୩ ବଖୁରିଆ ଘର ନେବାକୁ ବି ସେମାନେ କୁଣ୍ଠାବୋଧ କଲେ ନାହିଁ। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡେ଼ ଯେ ଭୁବନେଶ୍ୱରରେ ମୋଟ ୯୧ ଜଣ ସାମ୍ୱାଦିକଙ୍କୁ ସରକାରୀ କ୍ୱାର୍ଟର ଦିଆଯାଇଛି। ସେମାନେ ମାସିକ ୪୫୦ ଟଙ୍କାରୁ ଆରମ୍ଭ କରି ୯୦୦ ଟଙ୍କା ଯାଏଁ ଭଡ଼ା ଦେଉଛନ୍ତି। ଏହି ଭଡ଼ା ବଜାର ମୂଲ୍ୟର ୨୦ ଗୁଣରୁ ବି କମ୍। ବିଦେଶୀ ମତ ୨୦୦୯ ଜୁଲାଇ ୧୦ ତାରିଖରେ କୋଲକାତା ସ୍ଥିତ ଆମେରିକାର କନସଲ ଜେନେରାଲ ବିଜେଡିର ବିଜୟ ନେଇ ଗୋଟେ ରିପୋର୍ଟ ପଠାଇଥିଲେ। ସେଥିରେ ଉଲ୍ଲେଖ ଥିଲା ଯେ ପ୍ୟାରୀ ମୋହନ ମହାପାତ୍ରଙ୍କ କଥା ଅନୁସାରେ ଯାହା ଜଣାପଡ଼ୁଛି ରିହାତି ଚାଉଳ କାର୍ଯ୍ୟକ୍ରମ ଯୋଗୁଁ ବିଜେଡି ଜିତିବା ସହଜ ହେଲା। କେନ୍ଦ୍ର ସରକାର ଏହି କାର୍ଯ୍ୟକ୍ରମ ପାଇଁ ଯଥେଷ୍ଟ ଅଧିକ ରିହାତି ଦେଉଥିଲେ ବି ବିଜେଡି ତାହାର ଫାଇଦା ନେଲା। ରାଜ୍ୟ ସରକାର ୪.୮ ନିୟୁତ ମହିଳା ସଦସ୍ୟ ଥିବା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ରିହାତି ସୁଧରେ ଋଣ ଯୋଗାଇବା ମଧ୍ୟ ଏକ କାରଣ ହୋଇପାରେ। ଲୋକଙ୍କ ନିକଟତର ହେବାକୁ ପଟ୍ଟନାୟକ ଟେଲିଫୋନ ଜରିଆରେ ତାଙ୍କୁ ଭୋଟ ଦେବାକୁ ଗୋଟେ ରେକର୍ଡ଼ କରାଯାଇଥିବା ବାର୍ତ୍ତା ପଠାଇଥିଲେ। ଅନେକ ଲୋକ ଭାବିନେଲେ ପଟ୍ଟନାୟକ ନିଜେ ତାଙ୍କୁ ଫୋନ କରି ଭୋଟ ମାଗୁଛନ୍ତି! ଆମେରିକାର କନସଲ ଜେନେରାଲ ଏକଥା ମଧ୍ୟ ଲେଖିଥିଲେ ଯେ ବହୁ ବରିଷ୍ଠ କଂଗ୍ରେସ ନେତାଙ୍କ ସହିତ ନବୀନଙ୍କର ଘନିଷ୍ଠ ବନ୍ଧୁତା ରହିଥିବାରୁ ଜିତିବା ପରେ ସେ ପରୋକ୍ଷ ଭାବରେ କେନ୍ଦ୍ରର ଉପା ସରକାରଙ୍କୁ ସମର୍ଥନ କରିବେ, ଯଦିଓ ରାଜ୍ୟରେ ଖୋଲାଖୋଲି କୌଣସି ମେଣ୍ଟ ହେବ ନାହିଁ।