ପିତୃସ୍ବପ୍ନର ପଛେ ପଛେ-୨

Apr 6, 2019 - 06:02
 755
ପିତୃସ୍ବପ୍ନର ପଛେ ପଛେ-୨
ହେଲିକପ୍ଟର ମଣିଷ ୨୦୧୫ ଏପ୍ରିଲ ୮ ତାରିଖ। ରେଭେନ୍ସା ବିଶ୍ୱବିଦ୍ୟାଳୟ ଖେଳ ପଡ଼ିଆରେ ଓହ୍ଲଉଥିଲା ଗୋଟେ ହେଲିକପ୍ଟର। ଶବ୍ଦ ଶୁଣି ହେଲିକପ୍ଟର ଦେଖିବାକୁ ଛାତ୍ରାବାସର ଛାତ ଉପରକୁ ଉଠିଗଲେ ଅନେକ ଛାତ୍ର। ଏହା ବୋଧହୁଏ ଥିଲା ହେଲିକପ୍ଟର ପାଇଲଟଙ୍କର ସବୁଠୁ କମ୍ ଦୂରତାର ଯାତ୍ରା! କଟକରେ ପହଂଚିବାକୁ ତାଙ୍କୁ ଲାଗିଥିଲା ମାତ୍ର ୮ ମିନିଟ୍! ଅଣ୍ଡାମାଡ଼କୁ ଡରି ଭୁବନେଶ୍ୱରରୁ ୨୫ କିଲୋମିଟର ଦୂର କଟକ ସଡ଼କ ପଥରେ ଯିବାକୁ ଚାହିଁଲେ ନାହିଁ ନବୀନ। ୨୦୧୦ ପରଠୁଁ ନବୀନଙ୍କ ଲୋକପ୍ରିୟତା କମିବା ସହିତ ବିରୋଧୀ ଓ କୃଷକ ଗୋଷ୍ଠୀ ତାଙ୍କୁ ରାସ୍ତାରେ ବିରୋଧ କରିବା ଆରମ୍ଭ କଲେ। ଏହା ପରଠୁଁ ସେ ଭୁବନେଶ୍ୱରର ଆଖପାଖ ସ୍ଥାନକୁ ଯିବାକୁ ମଧ୍ୟ ସରକାରୀ ଖର୍ଚ୍ଚରେ ହେଲିକପ୍ଟର ବ୍ୟବହାର କଲେ। ମାତ୍ର ୨୫ କିଲୋମିଟର ଦୂର ଖୋର୍ଦ୍ଧା କିମ୍ୱା ୬୦ କିଲୋମିଟର ଦୂର କୋଣାର୍କ ଯିବା ପାଇଁ ତାଙ୍କର ହେଲିକପ୍ଟର ଦରକାର ହେଲା! ଓଡ଼ିଶା ମନ୍ତ୍ରୀଙ୍କ ଗସ୍ତ ଭତ୍ତା ନିୟମ ୧୯୫୪ ଅନୁସାରେ କେବଳ ଜରୁରୀ ପରିସ୍ଥିତିରେ ହିଁ ହେଲିକପ୍ଟର ବ୍ୟବହାର କରାଯିବା କଥା। ତେଣୁ ନବୀନଙ୍କର ଏଇ ଅଳ୍ପଦୂରତା ଗସ୍ତ ପାଇଁ ହେଲିକପ୍ଟର ବ୍ୟବହାର କରିବା ଥିଲା ନିୟମ ବହିର୍ଭୂତ କାର୍ଯ୍ୟ। ସାଧାରଣ ଉଦଘାଟନ ଉତ୍ସବ ମଧ୍ୟ ନବୀନଙ୍କ ପାଇଁ ଜରୁରୀ ପରିସ୍ଥିତି ହୋଇଗଲା! ଏଭଳି ତାଙ୍କର ଅନେକ ହେଲିକପ୍ଟର ମଧ୍ୟରେ ମାତ୍ର ତିନିଟି ଥିଲା ବନ୍ୟା ପ୍ଲାବିତ ଅଂଚଳ ଥିଲା ଆକାଶମାର୍ଗରୁ ସର୍ବେକ୍ଷଣ। ସେଥିରେ ଖର୍ଚ୍ଚ ହୋଇଥିଲା ମୋଟ ୪.୫ ଲକ୍ଷ ଟଙ୍କା। ଦିଲ୍ଲୀକୁ ଚାରି ଚାରିଟି ବାଣିଜ୍ୟିକ ବିମାନ ସେବା ଥିଲେ ମଧ୍ୟ ସେ ତାଙ୍କର ଏକ ଦୁଇ ଦିନିଆ ଗସ୍ତ ପାଇଁ ସରକାରୀ ହେଲିକପ୍ଟର ବ୍ୟବହାର କରିଥିଲେ। ସେ ବାବଦ ଖର୍ଚ୍ଚ ଥିଲା ୧୨.୦୨ ଲକ୍ଷ ଟଙ୍କା। ସେ ଯଦି ବାଣିଜ୍ୟିକ ବିମାନରେ ଦିଲ୍ଲୀ ଯାଇଥାନ୍ତେ ତେବେ ରାଜ୍ୟ ରାଜକୋଷର ୧୧.୮୭ ଲକ୍ଷ ଟଙ୍କା ବଂଚିଥାନ୍ତା। ୨୦୧୧ ମେ ମାସରେ ସେ ଦିନକ ପାଇଁ ପାଟନା ଯାଇଥିଲେ। ତାହାର ହେଲିକପ୍ଟର ଖର୍ଚ୍ଚ ଥିଲା ୭.୯୯ ଲକ୍ଷ ଟଙ୍କା। ଅନେକ ସମୟରେ ସେ ମାତ୍ର ୧୦୦ କିଲୋମିଟର ବା ୨ ଘଣ୍ଟାର ଦୂରତା ପାଇଁ ରାଜକୋଷରୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ହେଲିକପ୍ଟର ବ୍ୟବହାର କରିଛନ୍ତି। ତାଙ୍କ ଦେଖାଦେଖି ମନ୍ତ୍ରୀମାନେ ମଧ୍ୟ କେନ୍ଦ୍ରାପଡ଼ା, ରାହାମା, ଡେଲାଙ୍ଗ, ବିରିଡ଼ି, ଜଗତସିଂହପୁର, କଣାସ, ପିପିଲି, ଯାଜପୁର, କଟକ, କାଳିଆପାଣି, ପଟ୍ଟାମୁଣ୍ଡାଇ, ନୟାଗଡ଼, ନରସିଂହପୁର ଓ ବ୍ରହ୍ମଗିରି ପରି ଭୁବନେଶ୍ୱରରୁ ଖୁବ ଅଳ୍ପ ଦୂରତାରେ ଥିବା ସ୍ଥାନକୁ ହେଲିକପ୍ଟରରେ ଗସ୍ତର ମଜା ନେଇଛନ୍ତି। ୨୦୧୧ ମସିହାରୁ ରାଜ୍ୟ ସରକାର ଡେକାନ ଚାର୍ଟର୍ସର ଗୋଟିଏ ବେଲ୍ ଇଂଜିନି ବିଶିଷ୍ଟ ହେଲିକପ୍ଟର ସ୍ଥାୟୀ ଭଡ଼ାରେ ନେଇଛନ୍ତି। ୨୦୧୪ ଅକ୍ଟୋବର ୩୧ ତାରିଖରୁ ଏହି ହେଲିକପ୍ଟରର ମାସିକ ଭଡ଼ା ୫୨ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା। ସରକାର ବର୍ଷକ ପାଇଁ ହେଲିକପ୍ଟର ଭଡ଼ା ନେଇଥିଲେ। ବିମାନ ଉଡ଼ାଣ ଭଡ଼ା ଥିଲା ଘଣ୍ଟାକୁ ୫୧,୮୨୦ ଟଙ୍କା ଓ ବିମାନ କର୍ମଚାରୀ ବାବଦ ଖର୍ଚ୍ଚ ଥିଲା ବାର୍ଷିକ ୧୧.୮୨ ଲକ୍ଷ ଟଙ୍କା। ସାଧାରଣରେ ସରଳ ଜୀବନଯାପନ କରୁଥିବା ଦେଖେଇ ହେଉଥିବା ନବୀନ ଏଭଳି ହେଲିକପ୍ଟର ବିଳାସରେ କୋଟିକୋଟି ଟଙ୍କା ଉଡ଼ାଇବାକୁ ଅତ୍ୟନ୍ତ ଆଗ୍ରହୀ! ୨୦୧୪ ମେ ୨୧ ତାରିଖରେ ତାଙ୍କର ଦୁଇ ଘଣ୍ଟିଆ ଶପଥ ଗ୍ରହଣ ଉତ୍ସବରେ ଖର୍ଚ୍ଚ ହୋଇଥିଲା ୩୪.୨୬ ଲକ୍ଷ ଟଙ୍କା। ନବୀନ ସବୁଦିନ ତାଙ୍କ ଘରୁ ସଚିବାଳୟ ଅଫିସକୁ ଦିନରେ ଦୁଇ ଥର ଯିବା ଆସିବା କରନ୍ତି। ରାସ୍ତା ମାତ୍ର ୨ କିଲୋମିଟର। ତାଙ୍କୁ ଖୁସି କରିବା ପାଇଁ ସହର ପରିଚାଳକମାନେ ଏଇ ରାସ୍ତାର ଉଭୟ ପାର୍ଶ୍ୱରେ ପଥର ମୂର୍ତ୍ତି, କୃତ୍ରିମ ଝରଣା, ଆଳଙ୍କାରିକ ଗୁଳ୍ମ ଓ ଗଛ, ଖୋଦିତ ଲୁହା ରେଲିଂ ଆଦି ଲଗେଇ ସୁନ୍ଦର ଭାବେ ସଜେଇଛନ୍ତି। ଯେତେବେଳେ ବି ସେ କେଉଁ ଜିଲ୍ଲା ଗସ୍ତରେ ଯାଆନ୍ତି ସରକାରୀ ବଙ୍ଗଳାଗୁଡ଼ିକୁ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ରାତାରାତ ସୁନ୍ଦର କରାଯାଏ। ଗାଧୁଆ ଘର ଫିଟିଂ ଓ ଟାଇଲ ବଦଳିଯାଏ, ଆସବାବପତ୍ର ମଧ୍ୟ ନୂଆ ହୋଇ ଆସେ। ସେ ମାତ୍ର ଘଣ୍ଟାଏ ଏସବୁ ବ୍ୟବହାର କରନ୍ତି। ନବୀନ ଜିଲ୍ଲାରେ ରାତି ବିତାଇବା ପ୍ରାୟତଃ ବିରଳ। ପୁଣି ଯଦି ପାଗ ଖରାପ ଥାଏ ତେବେ ସେ ଗସ୍ତ ବାତିଲ କରିଦିଅନ୍ତି। କିନ୍ତୁ ସେପଟେ ବଙ୍ଗଳା ସଜା ହୋଇଯାଏ। ବିରକ୍ତିକର କାମ ଶାସନର ସର୍ବୋଚ୍ଚ କର୍ତ୍ତାଙ୍କ ନିକଟରେ ଗୁହାରି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ହେଉଛି ସାଧାରଣ ଲୋକଙ୍କ ପାଇଁ ଏକ ସହଜ ବ୍ୟବସ୍ଥା। କିନ୍ତୁ ନବୀନଙ୍କୁ ଏହା ଆଦୌ ପସନ୍ଦ ନୁହେଁ। ସରକାରୀ ନିୟମ ଅନୁସାରେ ସେଠାରେ ସେ ମାତ୍ର ୩ ଘଣ୍ଟା ରହିବା କଥା। ଲୋକଙ୍କୁ ସେ ସେତିକି ସମୟ ବି ଦିଅନ୍ତି ନାହିଁ। ୨୦୦୮ ମସିହାରୁ ଏ କାମ ସେ ଅମଲାଙ୍କ ଉପରେ ଛାଡ଼ିଦେଇ ଅଭିଯୋଗ ପ୍ରକୋଷ୍ଠ ଯିବା ସଂପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। କହିବା ବାହୁଲ୍ୟ, ଲୋକଙ୍କ ଅଭିଯୋଗ ସାଧାରଣତଃ ଅମଲାମାନଙ୍କ ବିରୋଧରେ ହିଁ ଥାଏ! ଏହା ବୋଧହୁଏ ଭାରତର ୨୯ ରାଜ୍ୟ ମଧ୍ୟରେ ଏକମାତ୍ର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଯେଉଁଠାରେ ଲୋକମାନେ ଏହାର ମୁଖିଆଙ୍କୁ ଦେଖିବାକୁ ପାଆନ୍ତି ନାହିଁ। ଅନେକ ଆଡ଼ୁ ଚାପ ପଡ଼ିବା ପରେ ୨୦୦୯ ଫେବୃଆରୀ ୨୧ ତାରିଖରେ ଅଭିଯୋଗ ପ୍ରକୋଷ୍ଠ ପୁଣି ଖୋଲିଥିଲା। କିନ୍ତୁ ସେ ଦିନକୁ ଏତେ ଲୋକ ଅଭିଯୋଗ କରିବାକୁ ଆସିଥିଲେ ଯେ ସେଠାରେ ଦଳାଚକଟା ହୋଇଗଲା! ପ୍ରାୟ ୫ ହଜାର ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି ଜଣାଇବାକୁ ଠେଲାପେଲା ହେବାରୁ ଅନେକ ଲୋକ ଆହତ ହେଲେ। ନିଜ ଦୁଃଖ ଜଣାଇବାକୁ କଟକ ଶାସଙ୍ଗ ଗାଁରୁ ଆସିଥିବା ଜଣେ ରାଜଯକ୍ଷ୍ମା ରୋଗୀ ଏଥିରେ ପ୍ରାଣ ହରାଇଲେ। ତାଙ୍କ ନାଁ ଥିଲା ଜଗନ୍ନାଥ ସେଠୀ। ୨୦୧୧ ଜୁନ ୨୪ ତାରିଖରେ ଏଇ ଲେଖକ ନବୀନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ରହିବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ସେହି ଅନୁରୋଧର କୌଣସି ଫଳ ଫଳିଲା ନାହିଁ। ୨୦୦୯ରୁ ୨୦୧୪ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ୪୭,୭୫୦ ଅଭିଯୋଗ ଆସିଥିଲା। ସେଥିରୁ ୩୯,୬୫୧ ଅଭିଯୋଗର ସମାଧାନ ହୋଇଥିଲା ବୋଲି ସରକାରୀ ପରିସଂଖ୍ୟାନ କହେ, ଯାହା କି ବାସ୍ତବରେ ଏକ ବଡ଼ଧରଣର ଛଳନା। ପ୍ରକୃତ କଥା ହେଉଛି ଏସବୁ ଅଭିଯୋଗଗୁଡ଼ିକୁ ସଂପୃକ୍ତ ବିଭାଗକୁ ପଠେଇ ଦେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସ ତାହାର ସମାଧାନ ହୋଇଗଲା ବୋଲି ଦାବି କରିଛନ୍ତି। ବାସ୍ତବ କ୍ଷେତ୍ରରେ ସଂପୃକ୍ତ ବିଭାଗଗୁଡ଼ିକ କେବେ ବି ଏହିସବୁ ଅଭିଯୋଗର ସମାଧାନ କରନ୍ତି ନାହିଁ। ସୂଚନା ଅଧିକାରୀ କର୍ମୀ ପ୍ରଦୀପ ପ୍ରଧାନ ଏ ବିଷୟରେ ତଥ୍ୟ ମାଗିବାରୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସତ ଓଗାଳିବାକୁ ବାଧ୍ୟ ହୋଇଥିଲା। ତାଙ୍କ ଦପ୍ତରର ଉତ୍ତର ଅନୁସାରେ ମୁଖ୍ୟମନ୍ତ୍ରୀ କେବେ ବି ଅଭିଯୋଗ ପ୍ରକୋଷ୍ଠକୁ ଯାଆନ୍ତି ନାହିଁ। ୨୦୦୯ ମେ ମାସରୁ ୨୦୧୪ ମାର୍ଚ୍ଚ ମଧ୍ୟରେ ତାଙ୍କ ଦପ୍ତରର ଅଧିକାରୀମାନେ ସେଠିକି ଯାଇ ଅଭିଯୋଗ ଶୁଣିଛନ୍ତି। ୨୦୦୦ ମାର୍ଚ୍ଚ ମାସରେ ଯେତେବେଳେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଲା ସେତେବେଳେ ହଜାର ହଜାର ଲୋକ ଅଭିଯୋଗ ଦାଖଲ କରିବାକୁ ରୁଣ୍ଡ ହୋଇଥିଲେ। ସେତେବେଳେ ମଧ୍ୟ ଲୋକଙ୍କ ଅଭିଯୋଗର ସମାଧାନ କରିବାକୁ ସରକାର ଉଦାସୀନ ରହିଥିଲେ। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ୨୦୦୦ ଏପ୍ରିଲରୁ ନଭେମ୍ୱର ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ୪,୪୫୬ ଅଭିଯୋଗ ମିଳିଥିଲା। ସେଥିରୁ ମାତ୍ର ୪୫ଟି ଅଭିଯୋଗର ସଫଳ ସମାଧାନ ହୋଇଥିଲା। ଏକଥା ଅଭିଯୋଗ ପ୍ରକୋଷ୍ଠର କର୍ମଚାରୀମାନେ ମଧ୍ୟ ସ୍ୱୀକାର କରିଛନ୍ତି। ଏଠାରୁ ଜିଲ୍ଲା ଅଫିସଗୁଡ଼ିକୁ ପଠାଯାଉଥିବା ଲୋକଙ୍କ ଅଭିଯୋଗ ଉପରେ କୌଣସି ଗୁରୁତ୍ୱ ଦିଆଯାଏ ନାହିଁ। ତୃତୀୟ ମହଲାର ଇଚ୍ଛା ଏକ ଜାତୀୟ ଟିଭି ଚାନେଲର ଆବଦ୍ଧ ଷ୍ଟୁଡ଼ିଓ। ଲାଇଟ, କ୍ୟାମେରା ସବୁ ରେଡ୍ଡି। ଅଳ୍ପ ସମୟ ଭିତରେ ଦିଲ୍ଲୀ ନ୍ୟୁଜରୁମ୍ରୁ ଚାଲିବ ଲାଇଭ ଶୋ। ହଠାତ ଚାନେଲର ବ୍ୟୁରୋ ଚିଫଙ୍କ ମୋବାଇଲ ଫୋନ ବାଜି ଉଠିଲା। କଲ୍ କରିଥିବା ଲୋକକୁ ଗାଳି ଫଜିତ କରିବା ଉଦ୍ଦେଶ୍ୟ ରଖି ସେ ଫୋନ ଉଠାଇଲେ। ସେପଟ ବ୍ୟକ୍ତି ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଫିସର ଜଣେ ବରିଷ୍ଠ ଅଧିକାରୀ। ସେ ଚାହୁଁଥିଲେ ଷ୍ଟୁଡ଼ିଓରେ ବସିଥିବା ଅତିଥିଙ୍କ ଫୋନ ସୁଇଚ ଅନ କରିବାକୁ। ଲାଇଭ ଶୋ ପାଖେଇ ଆସୁଥାଏ। ବ୍ୟୁରୋ ଚିଫଙ୍କ ମନରେ ଅନେକ ଉତ୍କଣ୍ଠା। ତଥାପି ସେ ଅତିଥିଙ୍କୁ ଏକଥା କହିଲେ। ଅତିଥି ଫୋନ ସୁଇଚ ଅନ କଲେ। ସେପଟରୁ କଲ୍ ଆସିଲା। ଅତିଥି ଥିଲେ ଜଣେ ବରିଷ୍ଠ ଲୋକସଭା ସଦସ୍ୟ। ସେ ଫୋନକର୍ତ୍ତାଙ୍କୁ ଉତ୍ତର ଦେଉଥାନ୍ତି, ‘ହଁ, ସାର୍! ଆପଣ କହିଲେ ମୁଁ ଶୋ ଛାଡ଼ି ପଳେଇବି!’ ବ୍ୟୁରୋ ଚିଫ୍ ଗଛରୁ ପଡ଼ିଲେ ଯେମିତି! ଶେଷ ମୁହୂର୍ତ୍ତରେ ଅତିଥି ଶୋ ଛାଡ଼ି ଚାଲିଗଲେ କ’ଣ ହେବ! କିନ୍ତୁ ଲୋକସଭା ସଦସ୍ୟ ଯେତେବେଳେ କହିଲେ ଯେ ଶୋ’ରେ ରହିବେ ସେତେବେଳେ ଯାଇଁ ତାଙ୍କ ମନ ଥୟ ଧରିଲା। ଏମପିଙ୍କୁ ସେ କହିଲେ, ‘ଆପଣ ମୁଖ୍ୟମନ୍ତ୍ରୀଙ୍କୁ ଏତେ ଡରନ୍ତି ମୁଁ ଜାଣି ନଥିଲି।’ ଏମପି କହିଲେ, ସେ ମୁଖ୍ୟମନ୍ତ୍ରୀ ନଥିଲେ, ଥିଲେ ତାଙ୍କ ଦପ୍ତରର ଜଣେ ମଧ୍ୟମ ସ୍ତରୀୟ ଅଫିସର! ୨୦୧୨ ମସିହାରେ ପ୍ୟାରୀବାବୁଙ୍କ ବିଦ୍ରୋହ ପରେ ନବୀନ ପଟ୍ଟନାୟକ ଜଣେ ଯୁବ ଅଫିସରଙ୍କ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ହୋଇଗଲେ। ସେ ଉଭୟ ଦଳ ଓ ଅମଲାତନ୍ତ୍ରକୁ ନିୟନ୍ତ୍ରଣ କରନ୍ତି। ସେ ମଧ୍ୟ ଟିଭି ଶୋ’ରେ ଭାଗ ନେଉଥିବା ଦଳୀୟ ମୁଖପାତ୍ରମାନଙ୍କୁ ପରାମର୍ଶ ଦିଅନ୍ତି। ବ୍ୟୁରୋ ଚିଫ ଭାବୁଥିଲେ ସେ କାହାକୁ ସନ୍ଧ୍ୟାର ଅତିଥି କରିଛନ୍ତି ତାହା ତୃତୀୟ ମହଲା ଜାଣିଲା କେମିତି? ପରିଚୟ ଗୋପନ ରଖି ଜଣେ ସୂତ୍ର କହିଲେ, ତୃତୀୟ ମହଲା ନିଦ୍ଦେର୍ଶରେ ବିଧାୟକ, ସାଂସଦ, ମନ୍ତ୍ରୀ, ଅଫିସର ଓ ସାମ୍ୱାଦିକମାନଙ୍କର ଫୋନ୍ ଟ୍ୟାପ୍ କରାଯାଏ। ଏପରିକି ବରିଷ୍ଠ ପୁଲିସ ଅଫିସରମାନେ ମଧ୍ୟ ଫୋନ୍ରେ ଖୋଲା କଥା ହେବାକୁ ଡରନ୍ତି। ୨୦୧୨ ମେ ୨୯ ତାରିଖର ମଧ୍ୟରାତି ବିଦ୍ରୋହ ପରେ ନବୀନ ଆଉ କାହାକୁ ବିଶ୍ୱାସ କରୁ ନାହାନ୍ତି। ଜମି ଦୁର୍ନୀତି ଓ ଚିଟ ଫଣ୍ଡ ଦୁର୍ନୀତି କଥା ପଦାକୁ ଆସିବା ପରେ ବିଜେଡି ବିରୋଧରେ ନକାରାତ୍ମକ ପ୍ରଚାର ବଢ଼ିଲା। ଦଳୀୟ ନେତାମାନେ ସାଧାରଣରେ କିମ୍ୱା ଟିଭି ଷ୍ଟୁଡ଼ିଓରେ ସଫେଇ ଦେବାକୁ ଥତମତ ହେଲେ। ଏଭଳି ପରିସ୍ଥିତିରେ ପଡ଼ି ୨୦୧୪ ଅଗଷ୍ଟ ୨୭ ତାରିଖରେ ବିଜୁ ଜନତା ଦଳ ତରଫରୁ ଏକା ଥରକେ ୧୦ ଜଣ ମୁଖପାତ୍ରଙ୍କୁ ନିଯୁକ୍ତ କରାଗଲା। ସେମାନଙ୍କ ପାଇଁ ନବୀନ ନିବାସରେ ଗୋଟେ ଦିନିକିଆ ତାଲିମା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ସେଥିରେ ତୃତୀୟ ମହଲାର ବାବୁ ଓ ଲୋକସଂପର୍କ ବିଶେଷଜ୍ଞମାନେ ମୁଖପାତ୍ରମାନଙ୍କୁ ପାଠ ପଢ଼େଇଥିଲେ। ଏହା ପରଠୁଁ ମୁଖପାତ୍ରମାନେ ଟିଭି ଷ୍ଟୁଡ଼ିଓ ଯିବା ଆଗରୁ କ’ଣ କହିବେ ତୃତୀୟ ମହଲାରୁ ତାଲିମ ପାଉଛନ୍ତି! ଏପରିକି ସେମାନଙ୍କ ସହାୟତା ପାଇଁ ସରକାରୀ ନଥିରୁ କାଗଜ କାଢ଼ି ଧରେଇ ଦିଆଯାଏ। ଦଳୀୟ ମୁଖପାତ୍ରମାନେ ସରକାରଙ୍କ ମୁଖପାତ୍ର ଭାବେ କାର୍ଯ୍ୟ କରୁଥିଲେ ବି ଆଂଚଳିକ ଗଣମାଧ୍ୟମରେ ଏନେଇ ଆଦୌ ପ୍ରଶ୍ନ ଉଠେ ନାହିଁ। ମନ୍ତ୍ରୀ ଓ ସଚିବମାନେ ବୋଧହୁଏ ସରକାରଙ୍କ ମୁଖପାତ୍ର ହେବାକୁ ଅଯୋଗ୍ୟ! ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡେ଼ ଯେ ଅନେକ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ମନମାନି ନିଷ୍ପତ୍ତି ନିଆଯାଏ। ୨୦୦୭ ଜୁନ ୧୩ ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗର ସଚିବ ୧୪ ଜଣ ବିଭାଗୀୟ ଅଧିକାରୀଙ୍କ ବଦଳି ପାଇଁ ଏକ ପ୍ରସ୍ତାବ ସମ୍ୱଳିତ ଫାଇଲ ପଠାଇଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ତାହା ସଂପୂର୍ଣ୍ଣ ବଦଳିଗଲା। ମୁଖ୍ୟମନ୍ତ୍ରୀଙ୍କ ଅଫିସ ୯ ଜଣଙ୍କ ବଦଳି ବନ୍ଦ କରିଦେଲେ ବା ପ୍ରସ୍ତାବରୁ ଭିନ୍ନ ସ୍ଥାନକୁ ବଦଳି କଲେ, ମାତ୍ର ପାଞ୍ଚ ଜଣଙ୍କୁ ପ୍ରସ୍ତାବିତ ସ୍ଥାନକୁ ବଦଳି କରାଗଲା। ସେହିପରି ୨୦୦୭ ଜୁଲାଇ ୧୯ ତାରିଖରେ ୬ ଜଣ ବନ ଅଧିକାରୀଙ୍କ ବଦଳି ପାଇଁ ପ୍ରସ୍ତାବ ଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ସେଥିରେ ଆଉ ଦୁଇ ଜଣଙ୍କ ନାମ ଯୋଡ଼ି ଦିଆଗଲା। ଏଥିରୁ ସ୍ପଷ୍ଟ ଯେ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଅଫିସର ବଦଳି ନେଇ କାରସାଦି କରାଯାଏ। ସବୁଠୁଁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଅନେକ ଅଫିସରଙ୍କ ବଦଳି ଫାଲଲ ପ୍ରାୟ ତିନି ମାସ ଯାଏଁ ପଡ଼ି ରହେ। ୨୦୦୭ ଜୁନ ୧୩ ତାରିଖର ଏକ ବଦଳି ପ୍ରସ୍ତାବ ସେପ୍ଟେମ୍ୱର ୧୧ ତାରିଖରେ ମଂଜୁରୀ ପାଇଲା। ଅଫିସରେ ଫାଇଲ ପକାଇ ରଖିବା ଏକ କୌଶଳ। ବଦଳି ପ୍ରଭାବିତ ଅଫିସରମାନଙ୍କୁ ଲବି କରିବା ପାଇଁ ସୁଯୋଗ ଦେବା ଓ ସେଇ ସୁଯୋଗରେ ସେମାନଙ୍କୁ ବଶ କରିବା ପାଇଁ ଏହି କୌଶଳ ଅବଲମ୍ୱନ କରାଯାଇଥାଏ। ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ବଦଳି ଫାଇଲରେ ଯେଉଁ ପରିବର୍ତ୍ତନ କରାଯାଏ ସେନେଇ କୌଣସି କାରଣ ଦର୍ଶାଯାଏ ନାହିଁ। ଏହା ମନମାନି ନୁହେଁ ତ ଆଉ କ’ଣ? ଅକର୍ମା ଜଣେ ମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକଙ୍କ ପ୍ରଦର୍ଶନ କ’ଣ? ସେ ଆରମ୍ଭରୁ ଓଡ଼ିଶାର ଗୃହ ମନ୍ତ୍ରୀ ଅଛନ୍ତି। ତାଙ୍କରି ଅମଳରେ ହିଁ ବାମପନ୍ଥୀ ଉଗ୍ରବାଦ ତୀବ୍ର ଗତିରେ ବ୍ୟାପି ଯାଇଥିଲା। ଅବଶ୍ୟ ୨୦୧୨ ମସିହା ପରେ ତତ୍କାଳୀନ ପୁଲିସ ମହାନିଦ୍ଦେର୍ଶକ ପ୍ରକାଶ ମିଶ୍ର ଏହାର ଗତିରୋଧ କରିବାରେ ସଫଳ ହୋଇଥିଲେ। ଗତ ଦଶନ୍ଧିରେ ଓଡ଼ିଶାରେ ସଙ୍ଗଠିତ ଖଣିଜ ଚୋରି, କାଠ ଚୋରି, ବାଲି ଓ ମାଙ୍କଡ଼ା ପଥର ଚୋରି, ମୋରମ ଚୋରି ଆଦି ବ୍ୟାପକ ଆକାରରେ ବୃଦ୍ଧି ପାଇଥିଲା। ଦୁର୍ନୀତିଗ୍ରସ୍ତ ତହସିଲଦାର ଓ ପୁଲିସ ବାବୁମାନଙ୍କ ପାଇଁ ଦିନକୁ ୧୦୦-୨୦୦ ଟ୍ରକ ବାଲି ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମ ବଙ୍ଗକୁ ଚୋରା ଚାଲାଣ ହେଉଥିଲା। ଏହା ମଧ୍ୟ କାହାକୁ ଅଜଣା ନୁହେଁ ଯେ ପୁଲିସ ବାବୁମାନେ ଭୁବନେଶ୍ୱରରେ ରିୟଲ ଇଷ୍ଟେଟ ମାଲିକମାନଙ୍କ ପାଇଁ କୋଟିକୋଟି ଟଙ୍କାର ଜମି କାରବାରରେ ମଧ୍ୟସ୍ଥତା କରନ୍ତି। ୨୦୧୪ ମସିହାରେ ରାଜ୍ୟରେ ନାନାଦି ଅପରାଧ ଆଶଙ୍କାଜନକ ଭାବେ ବୃଦ୍ଧି ପାଇଥିଲେ ମଧ୍ୟ ସରକାର କହିଥିଲେ ମୋଟାମୋଟି ଭାବରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ସେହି ବର୍ଷ ୧୦୨ କୋଟି ଟଙ୍କା ଲୁଟ୍ ହୋଇଥିଲେ ବି ପୁଲିସ ମାତ୍ର ୨୯ କୋଟି ଟଙ୍କା ଉଦ୍ଧାର କରିବାକୁ ସମର୍ଥ ହୋଇଥିଲା। ଗୃହ ବିଭାଗର ୨୦୧୪-୧୫ ବର୍ଷର ରିପୋର୍ଟ ଅନୁସାରେ ପ୍ରାୟ ୯୬ ପ୍ରତିଶତ ଡକାୟତି ମାମଲାର ସମାଧାନ ହୋଇପାରି ନଥିଲା। ମୋଟ ୫୫୪ ଡକାୟତି ଘଟଣାରୁ ମାତ୍ର ୨୪ଟି ଡକାୟତି ଘଟଣାରେ ଚାର୍ଜସିଟ୍ ଦାଖଲ ହୋଇଥିଲା। ବାକି ୫୩୦ ଡକାୟତି ମାମଲା ତଦନ୍ତାଧୀନ ଥିଲା କିମ୍ୱା ସୁରାକ ଓ ନପାଇବାରୁ ବନ୍ଦ ହୋଇଯାଇଥିଲା। ଚୋରି ମାମଲାରେ ପୁଲିସର ସଫଳତା ହେଲା ମାତ୍ର ୩୭ ପ୍ରତିଶତ। ତଥାପି ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏଥିପାଇଁ କାହାକୁ ଉତ୍ତରଦାୟୀ କରିନାହାନ୍ତି। ପୁଲିସ ସ୍ୱୀକାର କରିଛି ଯେ ଗତ ୧୧ ବର୍ଷ ଭିତରେ ଓଡ଼ିଶାରେ ଧର୍ତ୍ତବ୍ୟ ଅପରାଧ ୫୯ ପ୍ରତିଶତ ବଢ଼ିଛି। ହତ୍ୟା ବଢ଼ିଛି ୩୯ ପ୍ରତିଶତ। ଏହି ସମୟ ମଧ୍ୟରେ ଧର୍ଷଣ ଘଟଣା ୧୭୭ ପ୍ରତିଶତ ବୃଦ୍ଧି ପାଇଛି, ମହିଳାଙ୍କ ପାଇଁ ଓଡ଼ିଶା ଆଉ ନିରାପଦ ହୋଇ ରହିନାହିଁ। ୨୦୧୩ ଫେବୃଆରୀ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ରାଜ୍ୟ ବିଧାନସଭାରେ ସ୍ୱୀକାର କରିଥିଲେ ଯେ ୨୦୦୭-୧୩ ମଧ୍ୟରେ ରାଜ୍ୟରେ ୩୬୮ ଗଣ ଧର୍ଷଣ ଘଟଣା ଘଟିଥିଲା। ଏହି ସମୟ ମଧ୍ୟରେ ପୁଲିସ ମଧ୍ୟ ୫,୨୩୮ ଧର୍ଷଣ ଘଟଣା ପଂଜୀକୃତ କରିଥିଲା। ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋର ତଥ୍ୟରୁ ଓଡ଼ିଶାରେ ଅପରାଧ ବୃଦ୍ଧିର କାରଣ ବେଶ୍ ସ୍ପଷ୍ଟ ଭାବେ ଜଣାପଡେ଼। ଅପରାଧୀ ଦରା ପଡ଼ିଲେ ବି ସେମାନଙ୍କୁ ଖୁବ କ୍ୱଚିତ ଦଣ୍ଡ ମିଳେ। ଓଡ଼ିଶାରେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୧୧ ପ୍ରତିଶତ। ଜାତୀୟ ସ୍ତରରେ ଏହି ହାର ହେଉଛି ୪୦.୨ ପ୍ରତିଶତ। ଓଡ଼ିଶାର ଏହି ହାର ସମଗ୍ର ଦେଶରେ ଦ୍ୱିତୀୟ ସର୍ବନିମ୍ନ। ୨୦୦୪ରୁ ୨୦୧୩ ମଧ୍ୟରେ ୬.୨ ଲକ୍ଷ ଫୌଜଦାରୀ ମାମଲାରେ ଅପରାଧୀମାନେ ନିର୍ଦ୍ଦୋଷରେ ଖଲାସ ହୋଇଯାଇଛନ୍ତି। ଏହାର କାରଣ ହେଉଛି ସରକାରୀ ଓକିଲ ନିଯୁକ୍ତିର ରାଜନୀତିକରଣ। ଦକ୍ଷ ଓ ପ୍ରତିଭା ସଂପନ୍ନ ଓକିଲଙ୍କ ପରିବେର୍ତ୍ତ ଦଳୀୟ ଅନୁଗତଙ୍କୁ ଅଧିକ ସଂଖ୍ୟାରେ ସରକାରୀ ଓକିଲ ଭାବେ ନିଯୁକ୍ତ କରାଯାଉଥିବାରୁ ଏପରି ହୋଇଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଅନୁସାରେ ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ୧୦ ହଜାର ହତ୍ୟାକାଣ୍ଡ ଘଟିଛି। ୨୦୧୩ ମସିହାରେ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହେବାର ହାର ଜାତୀୟ ସ୍ତରରେ ୩୬.୫ ପ୍ରତିଶତ ଥିଲାବେଳେ ଓଡ଼ିଶାରେ ଏହି ହାର ଥିଲା ମାତ୍ର ୨୩.୪ ପ୍ରତିଶତ। ଏହି ବର୍ଷ ଧର୍ଷଣ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ମାତ୍ର ୧୬ ପ୍ରତିଶତ। ୨୦୧୪ ମସିହାରେ ରାଜ୍ୟରେ ୯୦,୧୮୪ ଅପରାଧ ମାମଲା ପଂଜୀକୃତ ହୋଇଥିଲେ ମଧ୍ୟ ପୁଲିସ ମାତ୍ର ୧୩,୦୦୦ ମାମଲାରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସମର୍ଥ ହୋଇଥିଲା। ୨୦୧୪ ନିର୍ବାଚନ ସମୟରେ ନିର୍ବାଚନ କମିଶନଙ୍କ ଯାଞ୍ଚ ସ୍କ୍ୱାଡ଼ ରାଜ୍ୟର ବିଭିନ୍ନ ଅଂଚଳରୁ ୪.୬୯ କୋଟି ଟଙ୍କା ଜବତ କରିଥିଲା। ତେବେ ଏ ଟଙ୍କା କାହାର ଓ କେଉଁଠିକୁ ଯାଇଥିଲା ତାହାର ଆଉ ତଦନ୍ତ ହେଲା ନାହିଁ କି ପ୍ରକୃତ ମାଲିକଙ୍କୁ ଧରାଗଲା ନାହିଁ। ଗୁଜବ ହୁଏ, ଏସବୁ ଟଙ୍କା ଶାସକ ଦଳର ନେତାମାନଙ୍କର ହୋଇଥିବାରୁ ପୁଲିସ କାହା ବିରୋଧରେ କେସ୍ କରିବାକୁ ସାହସ କଲା ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଦିନ ଧରି ଜଙ୍ଗଲ ଓ ପରିବେଶ ବିଭାଗକୁ ନିଜ ଅଧୀନରେ ରଖିଥିଲେ। ଓଡ଼ିଶାରେ ପ୍ରତିଷ୍ଠିତ ପରମ୍ପରା ଅନୁସାରେ କୌଣସି ମୁଖ୍ୟମନ୍ତ୍ରୀ ଏହି ବିଭାଗ ରଖନ୍ତି ନାହିଁ। ଇସ୍ପାତ ଓ ଖଣି ବିଭାଗ ମଧ୍ୟ ହାତରେ ରଖିଥିଲେ ନବୀନ। ଖଣି ପଟ୍ଟାଦାରମାନେ ଅନେକ ସମୟରେ ପରିବେଶ ମଂଜୁରୀରେ ହେଉଥିବା ବିଳମ୍ୱକୁ ନାପସନ୍ଦ କରୁଥିବାରୁ ନବୀନ ନିଜ ହାତରେ ଦୁଇଟି ଯାକ ବିଭାଗ ରଖିବାକୁ ପସନ୍ଦ କରିଥିଲେ। ଅନେକ ବୈଠକରେ ସେ ଏଥିପାଇଁ ଜଙ୍ଗଲ ବିଭାଗର ଅଧିକାରୀଙ୍କୁ ଗାଳି ମଧ୍ୟ କରିଛନ୍ତି। ତାଙ୍କ ସମୟରେ ରାଜ୍ୟରେ ବାଘ ଭଳି ବନ୍ୟଜନ୍ତୁଙ୍କ ସଂଖ୍ୟା ଅନେକ ହ୍ରାସ ପାଇଛି। ୨୦୦୬ରୁ ୨୦୧୦ ମଧ୍ୟରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ୪୧ ବାଘ ସଂଖ୍ୟା କମିଥିବା ସରକାରୀ ଭାବେ ସ୍ୱୀକାର କରାଯାଇଛି। ତଥାପି ସରକାର କାହାରି ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ଗତ ୧୫ ବର୍ଷ ମଧ୍ୟରେ ଯାନ୍ତ୍ରିକ ଟ୍ରଲର ଯୋଗୁଁ ଓଡ଼ିଶାଉପକୂଳରେ ୧,୨୫,୦୦୦ ବିରଳ ଅଲିଭ ରିଡଲେ କଇଁଛଙ୍କୁ ମୃତ୍ୟୁ ଘଟିଛି। ସମଗ୍ର ବିଶ୍ୱର ପରିବେଶବିତ ଏହାକୁ ସମାଲୋଚନା କରିଛନ୍ତି। ଏହାର ଅଭିନବ ପ୍ରତିବାଦ କରିଥିଲେ ବିଶ୍ୱ ସ୍ତରୀୟ ଏନଜିଓ ଗ୍ରୀନପିସ୍। ଗ୍ରୀନପିସର ସଦସ୍ୟମାନେ ୨୦୦୬ ଏପ୍ରିଲ ୧୫ ତାରିଖରେ ନବୀନଙ୍କର ଦିଲ୍ଲୀ ଆଉରଙ୍ଗଜେବ ରୋଡ଼ ସ୍ଥିତ ଘରେ ମୃତ କଇଁଛ ପକାଇ ଏହାର ପ୍ରତିବାଦ କରିଥିଲେ। ନବୀନବାବୁ ସାଧାରଣରେ ନିନ୍ଦିତ ହୋଇଥିଲେ ବି ୯ ବର୍ଷ ଭିତରେ ଏ ବାବଦରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ପୂର୍ବଭଳି ପ୍ରାୟ ପ୍ରତି ବର୍ଷ ୭ରୁ ୮ ହଜର କଇଁଛ ଟ୍ରଲର ମାଡ଼ରେ ମରୁଛନ୍ତି। ଋଣ ଯନ୍ତା ନବୀନଙ୍କ ସମୟରେ ସାଧାରଣ ଋଣ ପରିମାଣ ଅତ୍ୟଧିକ ବୃଦ୍ଧି ପାଇଛି। ୨୦୧୪ ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶା ସରକାରଙ୍କ ସାଧାରଣ ଋଣ ପରିମାଣ ଥିଲା ୫୦,୯୮୩ କୋଟି ଟଙ୍କା। ଭାରତ ସରକାର, ସାଧାରଣ ବୀମା ନିଗମ, ଜୀବନ ବୀମା ନିଗମ, ଜାତୀୟ କୃଷି ଓ ଗ୍ରାମ ଉନ୍ନୟନ ବ୍ୟାଙ୍କ ବା ନାବାର୍ଡ଼, ଜାତୀୟ ତାପଜ ବିଦ୍ୟୁତ ନିଗମ ବା ଏନଟିପିସି, ଭବିଷ୍ୟନିଧି ପାଣ୍ଠି ଏବଂ ଖୋଲା ବଜାରରୁ ଏହି ଋଣ ଉଠାଯାଇଛି। ରାଜ୍ୟରେ ଖଣିଜ କାରବାର ଓ ଇସ୍ପାତ ଶିଳ୍ପର ଅଭିବୃଦ୍ଧି ଯୋଗୁଁ ରାଜସ୍ୱ ଆଦାୟ ବ୍ୟାପକ ଭାବେ ବୃଦ୍ଧି ପାଇଛି। ଏହା ସହିତ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସରକାର ବିପୁଳ ପାଣ୍ଠି ଯୋଗାଇ ଦେଇଛନ୍ତି। ଏହା ସେତ୍ତ୍ୱ ମଧ୍ୟ ନବୀନ ଶାସନ ଭାର ଗ୍ରହଣ କରିବା ପରେ ଅତିରିକ୍ତ ୩୬,୨୩୨ କୋଟି ଟଙ୍କାର ଋଣ କରାଯାଇଛି। ଗତ ୧୪ ବର୍ଷରେ ଋଣ ପରିଚାଳନା ପାଇଁ ୪୬,୦୮୩ କୋଟି ଟଙ୍କା କେବଳ ସୁଧ ଆକାରରେ ଖର୍ଚ୍ଚ ହୋଇଛି। ପ୍ରାଚୁର୍ଯ୍ୟପୂର୍ଣ୍ଣ ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ମୁଣ୍ଡ ଉପରେ ଏବେ ୧୨ ହଜାର ଟଙ୍କାର ଋଣ ବୋଝ। ଧୂଆଁ ପରଦାର ସ୍ୱଚ୍ଛତା ଲୋକଙ୍କଠାରୁ ସତ କ’ଣ ଲୁଚାଇବାକୁ ନବୀନବାବୁ ସ୍ୱଚ୍ଛତାର ଗୋଟିଏ ଧୂଆଁ ପରଦା ଟାଣିଛନ୍ତି। ବିଧି ଅନୁଯାୟୀ ମନ୍ତ୍ରୀମାନେ ପ୍ରତିବର୍ଷ ସେମାନଙ୍କର ସଂପତ୍ତି ଦାଲିକା ଦାଖଲ କରିବା କଥା। କିନ୍ତୁ ନିଜର କୋଟିପତି ମନ୍ତ୍ରୀ ସହଯୋଗୀଙ୍କ ସଂପତ୍ତି ସଂପର୍କରେ ଜନ ସାଧାରଣ ଜାଣିଲେ କାଳେ ଅସୁବିଧା ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ଏ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ। ୨୦୧୧-୧୨ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ମନ୍ତ୍ରୀମାନଙ୍କର ପୂର୍ଣ୍ଣାଙ୍ଗ ତାଲିକା ପ୍ରକାଶ କରି ନଥିଲେ। ଏ ବାବଦରେ ଏଇ ଲେଖକ ୨୦୧୨ ସେପ୍ଟେମ୍ୱର ୨୪ ତାରିଖରେ ଅଭିଯୋଗ କରିବା ସହିତ ନଭେମ୍ୱର ୧ ତାରିଖରେ ପୁଣି ଥରେ ଚିଠି ଲେଖି ମନେ ପକାଇଲେ। ଏ କଥା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଯାଇଁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ମନ୍ତ୍ରୀମାନଙ୍କ ସଂପତ୍ତି ତାଲିକା ସାର୍ବଜନୀନ କଲେ। ମନ୍ତ୍ରୀମାନେ ସେମାନଙ୍କ ସଂପତ୍ତିର ପ୍ରଚଳିତ ବଜାର ମୂଲ୍ୟ, ଜମି ପରିମାଣ, ଆୟର ସୂତ୍ର ଆଦି ଦର୍ଶାଇ ନଥାନ୍ତି। ଏହା ଭାରତ ସରକାର ନିର୍ଦ୍ଧାରିତ କରିଥିବା ଆଚରଣ ବିଧିର ଉଲ୍ଲଙ୍ଘନ। ଏନେଇ ୨୦୧୧ ନଭେମ୍ୱର ୫ ତାରିଖରେ ଏଇ ଲେଖକ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଅବଗତ କରିଥିଲେ। ତଥାପି କିଛି ହେଲା ନାହିଁ। ୨୦୧୩ ଅଗଷ୍ଟ ୩୧ ସୁଦ୍ଧା ନିର୍ଦ୍ଧାରିତ ସମୟସୀମା ଶେଷ ହୋଇଥିଲେ ମଧ୍ୟ କୌଣସି ମନ୍ତ୍ରୀଙ୍କ ସଂପତ୍ତି ତାଲିକା ପ୍ରକାଶ ପାଇ ନଥିଲା। ୨୦୧୩ ସେପ୍ଟେମ୍ୱର ୧୨ ତାରିଖରେ ଏଇ ଲେଖକ ପୁଣି ଥରେ ଚିଠି ଲେଖିବା ପରେ ଯାଇଁ ମନ୍ତ୍ରୀଙ୍କ ସଂପତ୍ତି ତାଲିକା ପ୍ରକାଶ ପାଇଥିଲା। ହରିଆନାର ଫରିଦାବାଦରେ ନବୀନ ପଟ୍ଟନାୟକଙ୍କ ନାମରେ ୨୨.୭ ଏକରର ଏକ ଫାର୍ମହାଉସ ଅଛି। ଏହାର ବଜାର ମୂଲ୍ୟ ୨୦ କୋଟି ଟଙ୍କା ହେବ। କିନ୍ତୁ ୨୦୧୨-୧୩ ବର୍ଷ ପାଇଁ ଦାଖଲ ହୋଇଥିବା ସଂପତ୍ତି ତାଲିକାରେ ଏହାର ମୂଲ୍ୟ ଦର୍ଶାଯାଇଥିଲା ମାତ୍ର ୩.୪୩ କୋଟି ଟଙ୍କା। ସେହି ବର୍ଷ ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ଥିବା ନବୀନ ନିବାସର ମୂଲ୍ୟ ପ୍ରଥମେ ୪.୨ କୋଟି ଟଙ୍କା ବୋଲି ଦର୍ଶାଯାଇଥିଲା। କିନ୍ତୁ ସାଧାରଣରେ ସମାଲୋଚନା ହେବାରୁ ୨୦୧୩-୧୪ ବର୍ଷକୁ ଏହାର ମୂଲ୍ୟ ୮.୫ କୋଟି ଟଙ୍କା ବୋଲି ଦର୍ଶାଗଲା। ତେବେ ରିୟଲ ଇଷ୍ଟେଟ ବେପାରୀମାନେ କୁହନ୍ତି ଏହି ସଂପତ୍ତିର ମୂଲ୍ୟ ୧୨ କୋଟି ଟଙ୍କାରୁ କମ ହେବ ନାହିଁ। ଅଧିବେଶନ ଅଧାରୁ ବନ୍ଦ ନବୀନ ବିତର୍କକୁ ଡରନ୍ତି ବୋଲି କି କ’ଣ ୨୦୦୪-୨୦୧୪ ମଧ୍ୟରେ କେବେ ବି ଓଡ଼ିଶା ବିଧାନସଭାର ଅଧିବେଶନ ବାର୍ଷିକ ୬୦ ବା ତା’ଠାରୁ ଅଧିକ ଦିନ ପାଇଁ ବସିନାହିଁ। ଗମ୍ଭୀର ଜନ ସମସ୍ୟାଗୁଡ଼ିକ ସଂପର୍କରେ ମଧ୍ୟ ତାଙ୍କର ଧ୍ୟାନ ନଥାଏ। ତାଙ୍କୁ ପଚରା ଯାଇଥିବା ଅନେକ ପ୍ରଶ୍ନର ଉତ୍ତର ସେ ଦିଅନ୍ତି ନାହିଁ, ଦିଅନ୍ତି ତାଙ୍କର ମନ୍ତ୍ରୀ। ବିଧାନସଭାରେ ମଧ୍ୟ ସେ କେବେ ଓଡ଼ିଆରେ ଉତ୍ତର ଦିଅନ୍ତି ନାହିଁ। ଯେତେବେଳେ ଦରକାର ପଡେ଼ ଇଂରାଜୀରେ ଉତ୍ତର ଦିଅନ୍ତି। ତର୍କବିତର୍କ ହେଲେ କାଳେ ସରକାରଙ୍କ ମୁଖା ଖସିଯିବ ସେଇ ଆଶଙ୍କାରେ ଯେତେବେଳେ ବି କୌଣସି ପ୍ରସଙ୍ଗରେ ବିଧାନସଭା ସରଗରମ ହୁଏ ବାଚସ୍ପତି ତୁରନ୍ତ ଅଧିବେଶନ ମୁଲତବୀ କରିଦିଅନ୍ତି। ବିପୁଳ ସଂଖ୍ୟାଗରିଷ୍ଠତା ବଳରେ ବିଜେଡି ବିଧାନସଭା ଭିତରେ ବିରୋଧୀ ମତକୁ ଚାପି ଦେବାରେ ସଫଳ ହୁଏ। ଶିକ୍ଷୟିତ୍ରୀ ଇତିଶ୍ରୀଙ୍କୁ ପୋଡ଼ି ମାରିଦିଆଯିବା ଘଟଣା ଉପରେ ମୁଖ୍ୟମନ୍ତ୍ରୀ ଉତ୍ତର ଦେଉ ନଥିବାରୁ ୨୦୧୩ ଡିସେମ୍ୱର ୮ ତାରିଖରେ ବିରୋଧୀ କଂଗ୍ରେସ ସଦସ୍ୟମାନେ ବିଧାନସଭାରେ ଧାରଣାରେ ବସିଥିଲେ। ସେମାନେ ବିଧାନସଭା ନଛାଡ଼ି ରାତିରେ ମଧ୍ୟ ସେଠାରେ ଶୋଇଲେ। ଚାରି ବର୍ଷ ତଳେ ୨୦୦୯ ଡିସେମ୍ୱର ୫ ତାରିଖରେ ମଧ୍ୟ ସେମାନେ ଏହିପରି ଧାରଣା ଦେଇଥିଲେ। ଏପରିକି ସେମାନେ ଗୃହରେ ୩୨ ଜଣ ସଦସ୍ୟଙ୍କୁ ନେଇ ପ୍ରତିବାଦାତ୍ମକ ଅଧିବେଶନ ଚଳାଇଲେ। ସେମାନଙ୍କର ଏହି ପ୍ରତିବାଦ ଅଧିବେଶନ ୨୦୦୯ ଡିସେମ୍ୱର ୧୯ ତାରିଖ ଯାଏଁ ଚାଲିଥିଲା। ନବୀନଙ୍କ ଅମଳରେ କେଉଁ ବର୍ଷ କେତେ ଦିନ ବିଧାନସଭା ଅଧିବେଶନ ବସିଥିଲା ସେନେଇ ସାମାଜିକ କର୍ମୀ ପ୍ରଦୀପ ପ୍ରଧାନ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ସଂଗ୍ରହ କରିଥିଲେ। ଯେଉଁ ୧୧ ବର୍ଷର ତଥ୍ୟ ମିଳିଥିଲା ସେଥିରୁ ୮ ବର୍ଷ ବିଧାନସଭା ଅଧିବେଶନକୁ କାଟଛାଣ୍ଟ କରାଯାଇଥିଲା। ବିଲେଇ ବେକରେ ଘଣ୍ଟି ବାନ୍ଧିବ କିଏ? ପ୍ରତାରଣପୂର୍ଣ୍ଣ କୌଶଳରେ ଓସ୍ତାଦ ନବୀନ ୨୦୧୫ ମେ ୨୨ ତାରିଖରେ ହଠାତ ଘୋଷଣା କଲେ ଯେ ବର୍ଷ ପୂରିବା ପରେ ସେ ମନ୍ତ୍ରୀମାନଙ୍କର ପ୍ରଦର୍ଶନର ସମୀକ୍ଷା କରିବେ। ଉତ୍ତରଦାୟିତ୍ୱ ଉପରେ କେବେ ବି ଗୁରୁତ୍ୱ ଦେଉ ନଥିବା ନବୀନ ଘୋଷଣା କଲେ, ‘ଆମେ ଲୋକଙ୍କ ଟଙ୍କାରେ କାମ କରୁଛୁ। ପ୍ରତି ପଇସାର ହିସାବ ରହିବା ଦରକାର ଏବଂ ବଦଖର୍ଚ୍ଚର ସମୀକ୍ଷା ହେବା ଉଚିତ।’ ତେବେ ସାମାଜିକ କର୍ମୀମାନେ ତାଙ୍କର ଧପ୍ପାବାଜିକୁ ପଦାରେ ପକାଇଦେଲେ। ସେମାନେ ସରକାରଙ୍କ ସମୀକ୍ଷା କରି ଗଣମାଧ୍ୟମକୁ ପ୍ରେସ ବିଜ୍ଞପ୍ତି ପଠାଇଲେ। ‘ରାଜ୍ୟର ୧୦ ଲକ୍ଷ ଆଦିବାସୀ ଓ ଦଳିତ ପରିବାର ଭୂମିହୀନ। କେବିକେ ଅଂଚଳରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ୨ ଲକ୍ଷ ବୟସ୍କ ଲୋକଙ୍କୁ ଦିଆଯାଉଥିବା ଗରମ ରନ୍ଧାଖାଦ୍ୟ କାର୍ଯ୍ୟକ୍ରମ ବନ୍ଦ। ରାଜ୍ୟର ୧୦ ଲକ୍ଷ ପଂଜୀକୃତ ବେକାର ଏବେ ବି ନିଯୁକ୍ତିହୀନ। ସ୍ୱଚ୍ଛତା କଥା କହୁଛନ୍ତି କିନ୍ତୁ ଏଯାଏଁ ଲୋକପାଳ କି ଲୋକାୟୁକ୍ତ ନିଯୁକ୍ତ କଲେ ନାହିଁ।’ ୨୦୧୫ ମେ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରିମଣ୍ଡଳର ଏକ ବୈଠକରେ ଏକ ଅବିଶ୍ୱାସଜନକ ଘୋଷଣା କଲେ। ‘ଅମଲାତନ୍ତ୍ରର କଥାରେ ସବୁବେଳେ ବିଶ୍ୱାସ କରନା। ଲୋକଙ୍କଠାରୁ ସିଧାସଳଖ ମତାମତ ନିଅ। ମନ୍ତ୍ରୀମାନେ କାହାକୁ କିଛି ନଜଣାଇ ବିଭିନ୍ନ ଅଫିସ ପରିଦର୍ଶନ କରନ୍ତୁ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଏଥିରେ ମୁଁ ଖୁସି ହେବି।’ ମୁଖ୍ୟମନ୍ତ୍ରୀଙ୍କ ଏପରି ଘୋଷଣାରେ ମନ୍ତ୍ରୀମାନେ ସ୍ତମ୍ଭୀଭୂତ ହୋଇଯାଇଥିଲେ। କାରଣ ସେମାନେ ଜାଣନ୍ତି ଯେ ନବୀନଙ୍କ ଅମଲାତନ୍ତ୍ରର ଶିକୁଳିରୁ ମୁକୁଳିବାର ଚେଷ୍ଟା କରିବା ଅର୍ଥ ଆତ୍ମହତ୍ୟା କରିବା। ଏହି ବୈଠକରେ ନବୀନଙ୍କ ପରବର୍ତ୍ତୀ ଘୋଷଣା ଥିଲା, ‘ଆଭ୍ୟନ୍ତରୀଣ ଭିଜିଲାନ୍ସ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ହେବ। ଦୁର୍ନୀତି କରୁଥିବା ଯେକୌଣସି ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାରେ କେହି କୌଣସି ଦ୍ୱିଧା ରଖିବା ଉଚିତ ନୁହେଁ।’ ତାଙ୍କର ଏହି ଘୋଷଣାରେ କେତେ ଜଣ ମନ୍ତ୍ରୀ ତ ଚେୟାରୁ ଡେଇଁ ପଡ଼ିବା ଭଳି ବୋଧ କଲେ। ସେମାନେ ଭଲ ଭାବରେ ଜାଣନ୍ତି ଯେ ତାଙ୍କର ପ୍ରିୟ ଅଫିସରମାନଙ୍କ ବିରୋଧରେ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଅନୁମତି ନଦେଇ ସେମାନଙ୍କୁ ସୁରକ୍ଷା ଦେଇଛନ୍ତି। ବୈଠକରେ ନବୀନ ଆହୁରି ମଧ୍ୟ କହିଥିଲେ, ‘ମୁଁ ନିଶ୍ଚିତ ଯେ ଖୁବ ଶୀଘ୍ର ଆମେ ୧୦୦ ପ୍ରତିଶତ ଡିଜିଟାଲ ଫାଇଲରେ କାମ କରିବା। ପୁରୁଣା ପଦ୍ଧତି ବଦଳେଇ ଦିଅ।’ ମନ୍ତ୍ରୀମାନେ ହସ ଚାପିବାକୁ ବାଧ୍ୟ ହୋଇଥିଲେ। କାରଣ ସେମାନେ ଜାଣନ୍ତି ଯେ ତାଙ୍କରି ଦପ୍ତରକୁ ଆସୁଥିବା ଅନେକ ଇମେଲର ଉତ୍ତର ଦିଆଯାଏ ନାହିଁ। ଏହି ମନ୍ତ୍ରିମଣ୍ଡଳୀୟ ସମୀକ୍ଷା ବୈଠକ ଥିଲା ଏକ ଫାର୍ସ। ସଚିବମାନେ ପାୱାର ପଏଣ୍ଟ ଜରିଆରେ ସରକାରଙ୍କର ସଫଳଚିତ୍ର ଦେଖେଇଲେ। ବିଫଳତା କଥା ଆଦୌ ଉଠିଲା ନାହିଁ। ଉଦାସୀନ ମୁଖ୍ୟମନ୍ତ୍ରୀଙ୍କର ଏଥିରେ କିଛି କରିବାର ନଥିଲା। ସେ କ’ଣ ଜାଣନ୍ତି ଓ କ’ଣ ବୁଝନ୍ତି ଯେ! ତାଙ୍କ ନିଜ ହାତରେ ଥିବା ଗୃହ, ସାଧାରଣ ପ୍ରଶାସନ ଓ ଜଳସଂପଦ ବିଭାଗର କି ସମୀକ୍ଷା ହେଲା? ତାଙ୍କ କର୍ତ୍ତୃତ୍ୱାଧୀନ ସାଧାରଣ ପ୍ରଶାସନ ବିଭାଗ ଭୁବନେଶ୍ୱରରେ ହଜାର ହଜାର କୋଟି ଟଙ୍କାର ଜମି ଦୁର୍ନୀତିରେ ଜଡ଼ିତ ଥିବା ଅନେକ ଅନେକ ଅଭିଯୋଗ ରହିଛି। ତାହାର ତଦନ୍ତ ପାଇଁ କାହିଁକି ନିଦ୍ଦେର୍ଶ ଦିଆଯାଇ ନାହିଁ? ରାଜ୍ୟର ଗୃହମନ୍ତ୍ରୀ ହିସାବରେ ମୁଖ୍ୟମନ୍ତ୍ରୀ କ’ଣ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଦାୟୀ ନୁହନ୍ତି? ପୁଷ୍ପ ଶକ୍ତି ୨୦୧୨ ଜୁନ ୧୯ ତାରିଖ ଅପରାହ୍ନ। ମଧ୍ୟାହ୍ନ ଭୋଜନ ପରେ ସଚିବାଳୟକୁ ଆସିଲେ ମୁଖ୍ୟମନ୍ତ୍ରୀ। କିନ୍ତୁ ଅଫିସ ନଯାଇ ହଠାତ ସଚିବାଳୟ ଲନ୍ ଆଡେ଼ ଚାଲିଲେ। ଅଙ୍ଗରକ୍ଷୀମାନେ ଆଶ୍ଚର୍ଯ୍ୟଚକିତ, କ’ଣ ହେଲା? ଏହା ଥିଲା ଏକ ପାରିଜାତ ଫୁଲ। ପ୍ରକୃତିପ୍ରେମୀ ନବୀନଙ୍କ ନଜରରେ ପଡ଼ିଥିଲା ପାରିଜାତ। ଦୂରରୁ ତାହାକୁ ଦେଖିଥିଲେ ନବୀନ। ଫୁଲ ହାତରେ ଧରିଲେ, ତା’ର ସୁଗନ୍ଧ ଆଘ୍ରାଣ କଲେ। ସେ ହିଁ ୨୦୦୯ ମସିହାରେ ଗଛଟି ଲଗାଇଥିଲେ। ସେଥିରେ ଫୁଲ ଫୁଟିଛି। ସେ ବେଜାଏ ଖୁସି। ଗଛଟିର ଠିକ ଯତ୍ନ ନେଇଥିବାରୁ ସେ ମାଳିକୁ ପ୍ରଶଂସା କଲେ। ଖବରଟି ସଙ୍ଗେସଙ୍ଗେ ଜଙ୍ଗଲ ନିଆଁ ପରି ରାଷ୍ଟ୍ର ହୋଇଗଲା। ମନ୍ତ୍ରୀମାନେ ସେହି ଫୁଲ ଦେଖିବାକୁ ଭିଡ଼ ଜମେଇଲେ। ଫୁଲ ଶୁଙ୍ଘିବା ପାଇଁ ଚାଲିଲା ପ୍ରତିଯୋଗିତା। ମନ୍ତ୍ରୀଙ୍କ ପରେ ଅଫିସର, କିରାଣୀ, ପିଅନ - ସମସ୍ତେ ଧାଡ଼ି ଲଗେଇଲେ। ପ୍ରାୟ ଅଧଘଣ୍ଟା ଧରି ଏ ପାଲା ଚାଲିଲା। ନବୀନଙ୍କ ମୁହଁରୁ ସ୍ମିତହସ ଆଉ ଲିଭୁ ନଥିଲା। ଜଣେ ସାମ୍ୱାଦିକଙ୍କ ମନ୍ତବ୍ୟ ଥିଲା, ସେ ଯଦି ରାଜ୍ୟ ପ୍ରତି ଏତିକି ଧ୍ୟାନ ଦେଇଥାନ୍ତେ ତେବେ ହୁଏତ ଆଜି ଆଉ କିଛି ସମସ୍ୟା ନଥାନ୍ତା! ରାଜ୍ୟର ଆଉ କୌଣସି ଫୁଲର ବୋଧହୁଏ ଏପରି ସୌଭାଗ୍ୟ ନଥିଲା। କୌଣସି ଫୁଲର ଏତେ ପ୍ରଶଂସକ ନଥିଲେ। ତା’ ପର ତିନି ଦିନ ଧରି ନବୀନଙ୍କର ଏଇ ପ୍ରିୟ ଫୁଲ ନେଇ ଚାରି ଆଡେ଼ ଚର୍ଚ୍ଚା ହେଲା। ସଚିବାଳୟକୁ ଯାଉଥିବା ପ୍ରାୟ ସମସ୍ତ ଲୋକ ଆଗ ଏଇ ଫୁଲ ଦର୍ଶନ କରିବା ପରେ ଅଫିସରେ ପ୍ରବେଶ କରୁଥିଲେ। ନବୀନଙ୍କ ଊଦାସୀନ ଗୁଣର ଅନ୍ୟ ଏକ ପରିପ୍ରକାଶ ହେଲା ଅନ୍ତର୍ଜାତୀୟ ଘଟଣାଗୁଡ଼ିକ ପ୍ରତି ତାଙ୍କର ଅନାଗ୍ରହ। ୨୦୦୬ ଡିସେମ୍ୱର ୨୩ ତାରିଖରେ ଆମେରିକାର ପେନସିଲଭାନିଆ ସିନେଟର ଆର୍ଲେନ ସ୍ପେକ୍ଟର ନବୀନଙ୍କୁ ଭେଟିଥିଲେ। ସେତେବେଳେ ସେ ତାଙ୍କୁ ଇରନା କିପରି ମଧ୍ୟ ପ୍ରାଚ୍ୟ ଶାନ୍ତି ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି ସେ ସଂପର୍କରେ ବୁଝାଇଥିଲେ। ଏହି ପରିପ୍ରେକ୍ଷୀରେ ପ୍ରସ୍ତାବିତ ଭାରତ-ଆମେରିକା ଆଣବିକ ଚୁକ୍ତିରୁ ଭାରତ କିପରି ବିପୁଳ ଭାବେ ଲାଭବାନ ହେବ ସେ ସଂପର୍କରେ ମଧ୍ୟ ବୁଝେଇଥିଲେ। ମୁଖ୍ୟମନ୍ତ୍ରୀ ପଦେ ବି କିଛି କହିଲେ ନାହିଁ, ଖାଲି ମୁଣ୍ଡ ହଲେଇଲେ। ସବୁ ଶୁଣିବା ପରେ ସେ ସିନେଟରଙ୍କୁ ଓଡ଼ିଶାରେ ଆମେରିକାର ପୁଂଜିନିବେଶ ସମ୍ଭାବନା କତା କହିଲେ। ପୋସ୍କୋ ଓ ମିତ୍ତଲ ଷ୍ଟିଲ କଥା କହିଲେ। ସିନେଟର ସଂପୂର୍ଣ୍ଣ କିଂକର୍ତ୍ତବ୍ୟବିମୂଢ଼! ସେ କେମିତି ଜାଣିଥାନ୍ତେ ଯେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଅଫିସରମାନେ ଯେଉଁ ଆଜେଣ୍ଡା ନିର୍ଦ୍ଧାରଣ କରିଛନ୍ତି ତା’ ବାହାରେ ନବୀନ କିଛି କରିପାରିବେ ନାହିଁ! ନବୀନଙ୍କ ସହାୟକ ଅଧିକାରୀମାନେ ଭାବିଥିଲେ ସିନେଟର ବୋଧହୁଏ କୌଣସି ବୁଝାମଣାପତ୍ର ସ୍ୱାକ୍ଷର କରିବାକୁ ଆସିଛନ୍ତି! ଆମେରିକା ଓ ଭାରତର ରାଜନୀତିକ ଜୀବନ ମଧ୍ୟରେ ରହିଥିବା ସାମଞ୍ଜସ୍ୟ ଓ ପାର୍ଥକ୍ୟ ଉପରେ ଆଲୋଚନା କରି ସେମାନଙ୍କର ସାକ୍ଷାତକାର ଶେଷ ହେଲା। ସିନେଟର ହତାଶ ହୋଇ ଫେରିଗଲେ। ସଂସଦରେ ଭାରତ-ଆମେରିକା ଆଣବିକ ଚୁକ୍ତି ସଂକ୍ରାନ୍ତ ଆଲୋଚନାରେ ବିଜେଡି ସମର୍ଥନ ହାସଲ କରିବାର ଆଶା ତାଙ୍କର ଧୂଳିସାତ ହୋଇଗଲା। ନବୀନଙ୍କୁ ଲୋକମାନେ କ୍ରମାଗତ ଭାବେ ଚତୁର୍ଥ ପାଇଁ ବିପୁଳ ସମର୍ଥନରେ ଜିତାଇଥିଲେ ବି ସେ ଗତ ୧୫ ବର୍ଷ ଭିତରେ କେବେ ବି ଉତ୍ତରଦାୟିତ୍ୱ କିମ୍ୱା ପ୍ରଦର୍ଶନ ନେଇ ଆଦୌ ଚିନ୍ତିତ ଥିବା ବୋଧହୁଏ ନାହିଁ। ତାଙ୍କ ଶାସନରେ ଦୁର୍ନୀତି, ସ୍ୱାସ୍ଥ୍ୟ, ଶିକ୍ଷା, ନିଯୁକ୍ତି, ଦାରିଦ୍ର୍ୟ, ଆଇନଶୃଙ୍ଖଳା ଆଦି ବିକାଶର ପରିମାପକ ସବୁ ନିମ୍ନଗାମୀ ହୋଇଥିଲେ ବି ବିରୋଧୀ ଦଳ ଏସବୁ ଉଠାଇବାରେ ବିଫଳ ହୋଇଛି। ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳର କୌଣସି ବିକଳ୍ପ ନାହିଁ ବୋଲି ଲୋକମାନଙ୍କୁ ବୁଝାଇବାରେ ନବୀନ ସଫଳ ହୋଇଛନ୍ତି।