ପିତୃସ୍ବପ୍ନର ପଛେ ପଛେ-୧୦

Apr 8, 2019 - 04:05
 694
ପିତୃସ୍ବପ୍ନର ପଛେ ପଛେ-୧୦
ବିଶ୍ବଜିତ ମହାନ୍ତି ସ୍ୱପ୍ନର ସୌଦାଗର ଭୁବନେଶ୍ୱରର ବିଷ୍ଣୁପ୍ରିୟା ଆପାର୍ଟମେଣ୍ଟରେ ଗୋଟେ ଅର୍ଖ ନୂଆ ବିଏମଡବ୍ଲ୍ରୁ ମୋଟରସାଇକେଲକୁ ଘେରି ଯାଇଥାନ୍ତି ଅନେକ ଉତ୍ସୁକ କିଶୋର। ସେମାନେ ଆଗରୁ କେବେ ଏଭଳି ମୋଟରସାଇକେଲ ଦେଖି ନଥାନ୍ତି। ଏ ମୋଟର ସାଇକେଲର ଟାୟାର ବହୁତ ମୋଟା, କାର୍ ଟାୟାର ପରି। ଗାଡ଼ିଟି ସହଜରେ ଘଣ୍ଟାକୁ ୨୦୦ କିମି ବେଗରେ ବଢ଼ିପାରେ। ବାଇକ୍ର ମାଲିକ ହେଲେ ପ୍ରଦୀପ ସେଠୀ, ଚିଟ ଫଣ୍ଡ ସଂସ୍ଥା ଅର୍ଥତତ୍ତ୍ୱର ମାଲିକ। ତାଙ୍କ ଅତୀତ ବିଷୟରେ ବିଶେଷ କିଛି ଜଣା ନଥିଲା। ଖୁବ କମ୍ ଲୋକ ଜାଣିଥିଲେ ଯେ ୧୦ ବର୍ଷ ତଳେ ସେ ଗୋଟେ ଛୋଟ ମୋବାଇଲ୍ ଲ୍ପୋରର ମାଲିକ ଥିଲେ। ଏତେ ଅଳ୍ପ ଦିନରେ ଏଭଳି ଉନ୍ନତି କରିବାର ରହସ୍ୟ କ’ଣ? ୨୦୧୩ ଜୁନ ୮ ତାରିଖରେ ଗୁଜରାଟର ଆସ୍ଥା ଇଣ୍ଟର୍ନେସନାଲ ଚିଟ ଫଣ୍ଡ ସଂସ୍ଥାର ଓଡ଼ିଶା ମୁଖ୍ୟ ଶୁଭ୍ରାଂଶୁ ଲେଙ୍କାଙ୍କୁ ଗିରଫ କରିଥିଲା କ୍ରାଇମ ବ୍ରାଞ୍ଚ। ଲେଙ୍କା ତାଙ୍କ ଗାଁକୁ ଯିବାକୁ ହେଲିକପ୍ଟର ଭଡ଼ାରେ ନିଅନ୍ତି। ତାଙ୍କ ଗାଁ ଜଗତସିଂହପୁର ଜିଲ୍ଲାରେ, ଭୁବନେଶ୍ୱରରୁ ମାତ୍ର ଦୁଇ ଘଣ୍ଟାର ରାସ୍ତା। ତାଙ୍କ ବାପା ଜଣେ ସାଧାରଣ ଚାଷୀ। ଶୁଭ୍ରାଂଶୁ କେମିତି ଏତେ ଧନୀ ହୋଇଗଲେ ତାହା ତାଙ୍କ ଗ୍ରାମବାସୀଙ୍କୁ ଚକିତ କରିଥିଲା। ଏମିତି ଆଉ ଜଣଙ୍କର କାହାଣୀ ମଧ୍ୟ ଲୋକମାନଙ୍କୁ ଚକିତ କରେ। ସେ ହେଲେ ସି ସୋର୍ ମାଲିକ ପ୍ରଶାନ୍ତ ଦାଶ। ସେ ଘରୋଇ କଲେଜରେ ଅଧ୍ୟାପକ ଥିଲେ। କିନ୍ତୁ ୨୦୦୫ ମସିହାରୁ ଚିଟ ଫଣ୍ଡ କାରବାର ଆରମ୍ଭ କରିବା ପରେ ୨୦୧୨ ମସିହା ଭିତରେ ୧୦୦୦ କୋଟି ଟଙ୍କାର ସାମ୍ରାଜ୍ୟ ମେଲେଇଦେଲେ। ସେ ଜମାକାରୀଙ୍କୁ ମାସିକ ୨-୩ ପ୍ରତିଶତ ସୁଧ ଦେବାକୁ ପ୍ରତିଶ୍ରୁତି ଦେଇ କୋଟିକୋଟି ଟଙ୍କାର ଜମା ସଂଗ୍ରହ କରୁଥିଲେ। ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଶୀତଳ ଭଣ୍ଡାର ଆଦି ପରିଚାଳନା କରିବାକୁ ମଧ୍ୟ ସେ ରାଜ୍ୟ ସରକାରଙ୍କ ସହିତ ବୁଝାମଣା କରିଥିଲେ। ସେ ମଧ୍ୟ ସମାଚାର ଟେଲିଭିଜନ ନାମରେ ଏକ ଚାନେଲ ଖୋଲିଥିଲେ। ତାହାର କର୍ମଚାରୀମାନଙ୍କୁ ରାଜ୍ୟରେ ସବୁଠୁ ଅଧିକ ଦରମା ମିଳୁଥିଲା। ଏହି ଟେଲିଭିଜନ ଚାନେଲର ଉଦଘାଟନ କରିଥିଳେ ବଲିଉଡ଼ ଅଭିନ୍ରେତୀ କାଟ୍ରିନା କୈଫ। ଉଦଘାଟନ ଉତ୍ସବରେ ମାତ୍ର ଅଧଘଣ୍ଟା ରହିବା ପାଇଁ କାଟ୍ରିନା ନେଇଥିଲେ ପ୍ରାୟ ୧ କୋଟି ଟଙ୍କା। ୧୯୮୭ ମସିହାରେ ବ୍ୟବସାୟ ଆରମ୍ଭ କରିଥିଲା ମାଇକ୍ରୋ ଫାଇନାନ୍ସ ଗୋଷ୍ଠୀ। ଏହାର ଅନେକ ସହଯୋଗୀ ସଂସ୍ଥା ଅଛି। ଏହାର ଦୁଇଟି କମ୍ପାନୀର ଅଧିକୃତ ପୁଂଜି ହେଲା ୪୦୦ କୋଟି ଟଙ୍କା। ମାଲିକ ଦୁର୍ଗା ପ୍ରସାଦ ମିଶ୍ରଙ୍କୁ ୫ ବର୍ଷ ବୟସ, ଶିକ୍ଷା ଯୋଗ୍ୟତା ଅନେକ କମ୍। ତଥାପି କେମିତି ସେ ଏତେବଡ଼ ସାମ୍ରାଜ୍ୟ ମେଲେଇଲେ ତାହା ବି ଏକ ରହସ୍ୟ। ମାଇକ୍ରୋ ଫାଇନାନ୍ସର ୧୮ ରାଜ୍ୟରେ ପ୍ରାୟ ୮୦୦ ଶାଖା ଥିଲା। ପ୍ରାୟ ୧୦୦୦ କୋଟି ଟଙ୍କାର ସାମ୍ରାଜ୍ୟ। ସେ ମଧ୍ୟ ଚିଟ୍ ଫଣ୍ଡ କାରବାରରୁ ପ୍ରଚୁର ଟଙ୍କା କମେଇ ଇଲେକ୍ଟ୍ରୋନିକ୍ସ, ହୋଟେଲ, ଗଣମାଧ୍ୟମ, ଫିଲ୍ମ ଓ ମନୋରଂଜନ କ୍ଷେତ୍ରରେ ପୁଂଜି ଖଟାଇଥିଲେ। ତାଙ୍କ ମାଲିକାନାରେ ଖୋଲିଥିଲା ଏମବିସି ଟିଭି। ଆଉ ଗୋଟେ ବଡ଼ ଚିଟ ଫଣ୍ଡ ସଂସ୍ଥା ହେଲା ଗ୍ରୀନ ରେ ଇଣ୍ଟର୍ନେସନାଲ। ସରଳ ଜମାକାରୀଙ୍କଠାରୁ ସଂସ୍ଥାଟି ପ୍ରାୟ ୨୦୦୦ କୋଟି ଟଙ୍କା ଟଙ୍କା ଆଦାୟ କରିଥିଲା। ଏହାର ଏକ ଫାର୍ମାସିଉଟିକାଲ କମ୍ପାନୀକୁ ଉଦଘାଟନ କରିଥିରେ ରାଜ୍ୟର ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ। ବିଜେଡିର ଅନ୍ୟ କେତେକ ସ୍ଥାନୀୟ ନେତା ବି ଏହାକୁ ରାଜନୀତିକ ସୁରକ୍ଷା ଯୋଗାଇ ଦେଉଥିଲେ। ଏହି ପରି ଚିଟ ଫଣ୍ଡ କମ୍ପାନୀଗୁଡ଼ିକ ବିଜେଡି ନେତାମାନଙ୍କ ସମର୍ଥନ ଓ ସୁରକ୍ଷାରେ ରାଜ୍ୟ ସାରା କାୟା ବିସ୍ତାର କରିଥିଲେ। ଆକର୍ଷଣୀୟ ବିଜ୍ଞାପନ ଜରିଆରେ ସେମାନେ ଗାଁଉଲି ସରଳ ମଣିଷମାନଙ୍କୁ ଭୁତେଇ କୋଟିକୋଟି ଟଙ୍କା ଆଦାୟ କରିଥିଲେ। ଏସବୁ କମ୍ପାନୀର ମାଲିକମାନେ ଆଖି ଝଲସେଇଲା ଭଳି ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି। କୋଟିକୋଟି ଟଙ୍କାର ଗାଡ଼ି ଚଢ଼ି ବୁଲନ୍ତି। ଏସବୁ ସଂସ୍ଥାର କାରବାର ଦେଖି ଏମାନଙ୍କର କେତେକ ନିର୍ବାହୀ କର୍ମଚାରୀ ମଧ୍ୟ ଚାକିରି ଛାଡ଼ି ନିଜର ଚିଟ ଫଣ୍ଡ ସଂସ୍ଥା ଖୋଲିଥିଲେ। ଏହିପରି ଭାବେ ରାଜ୍ୟରେ ମାଳମାଳ ଚିଟ ଫଣ୍ଡ ସଂସ୍ଥା ଖୋଲି ଲକ୍ଷଲକ୍ଷ ଲୋକଙ୍କୁ ସୁଧର ସ୍ୱପ୍ନ ଦେଖାଇ କୋଟିକୋଟି ଟଙ୍କା ହଡ଼ପ କରାଯାଇଥିଲା। ଏକ ସମୟରେ ରାଜ୍ୟରେ ଏଭଳି ପ୍ରାୟ ୩୦୦ ଚିଟ ଫଣ୍ଡ ସଂସ୍ଥା ଖୋଲିଥିଲା। ପରେ ଏ ଦୁର୍ନୀତି ବିଷୟ ଧରାପଡ଼ିବାରୁ ଖୋଳତାଡ଼ ହେଲା। ରାଜ୍ୟ ସରକାର ନିଜେ କହିଲେ ଯେ ୧୨ ବର୍ଷ ମଧ୍ୟରେ ଚିଟ୍ ଫଣ୍ଡ ସଂସ୍ଥାଗୁଡ଼ିକ ୬,୫୦,୦୦୦ ଲୋକଙ୍କଠାରୁ ୧୫-୨୦ ହଜାର କୋଟି ଟଙ୍କା ଉଠେଇ ନେଇଥିଲେ। ସବୁ ଏଇ ବିଜେଡି ଅମଳରେ। ରାଜ୍ୟ କ୍ରାଇମ ବ୍ରାଞ୍ଚର ଅର୍ଥନୀତିକ ଅପରାଧ ଶାଖା ୨୨୮ଟି ମାମଲା ଦାଏର କରି ଅନୁସନ୍ଧା କଲା। ତଥାପି ବାସ୍ତବରେ କେତେ ଟଙ୍କା ହଡ଼ପ ହୋଇଛି ତାହା ଜଣାପଡ଼ିଲା ନାହିଁ। କାରଣ ଜମା ପାଇଁ ଆଦାୟ ହୋଇଥିବା ଅନେକ ଟଙ୍କା ପ୍ରକୃତିରେ ଚିଟ ଫଣ୍ଡ ସଂସ୍ଥାରେ ଜମା ହୋଇ ନଥିଲା କି ରସିଦ କଟାଯାଇ ନଥିଲା। ଅସାଧୁ ମାଲିକଙ୍କର ଅସାଧୁ କର୍ମଚାରୀମାନେ ଟଙ୍କା ଠକିବା ପାଇଁ ଜାଲ୍ ରସିଦ ଜାରି କରି କୋଟିକୋଟି ଟଙ୍କା ଠକି ନେଇଥିଲେ। ସଫଳତାର ଚାବି ଏମାନଙ୍କର ଏକ ସଫଳ ବ୍ୟାବସାୟିକ କୌଶଳ ହେଲା, ପ୍ରଥମେ ଗୋଟେ ବଡ଼ ବ୍ୟବସାୟ ଯୋଜନା ଘୋଷଣା କର, ଲୋକଙ୍କୁ କୁହ କି ଯିଏ ପୁଂଜି ଖଟେଇବ ସେ ପ୍ରଚୁର ଲାଭ ପାଇବ। ଲୋକେ ଆକର୍ଷିତ ହୋଇ ଟଙ୍କା ଜମା କରିବେ। ଅନ୍ୟ ଏକ କୌଶଳ ହେଲା, ପ୍ରଥମେ ଯେଉଁମାନେ ଟଙ୍କା ଜମା କରୁଛନ୍ତି ସେମାନଙ୍କୁ ଚଢ଼ା ହାରରେ ସୁଧ ଦିଅ। ଏଥିରେ ଅନ୍ୟମାନେ ଆକର୍ଷିତ ହେବେ। ଏମାନେ ତାହା ହିଁ କରୁଥିଲେ। ଦୁଇ ଅଙ୍କ ବିଶିଷ୍ଟ ମୁଦ୍ରାସ୍ଫୀତି ଓ ବ୍ୟାଙ୍କ ସୁଧ ହାର ୧୦ ପ୍ରତିଶତ ତଳେ ରହିବା ଯୋଗୁଁ ସାଧାରଣ ଜମାକାରୀମାନେ ଅଧିକ ସୁଧ ଆଶାରେ ବ୍ୟାଙ୍କ ଛାଡ଼ି ଚିଟ୍ ଫଣ୍ଡ ସଂସ୍ଥାଗୁଡ଼ିକରେ ଟଙ୍କା ଖଟେଇଥିଲେ। ଅପହଂଚ ଇଲାକାରେ ବ୍ୟାଙ୍କ ସୁବିଧା ନଥିବା ମଧ୍ୟ ଏହାର ଅନ୍ୟ ଏକ କାରଣ। ଶିକ୍ଷକ, ପୋଷ୍ଟମାଷ୍ଟର, କିରାଣୀ ବର୍ଗର ଅନେକ ଲୋକ ଚିଟ୍ ଫଣ୍ଡ ଏଜେଣ୍ଟ ସାଜି ଲୋକଙ୍କ ଘର ପାଖରୁ ଜମା ସଂଗ୍ରହ କରୁଥିଲେ। ଗ୍ରାମ ବିକାଶ ଓ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମରେ ଗାଁଗୁଡ଼ିକୁ ଯାଉଥିବା ପ୍ରଚୁର ସରକାରୀ ପାଣ୍ଠି ଏବଂ ଗାଁ ଗହଳକୁ ବ୍ୟାପି ଯାଇଥିବା ଖଣି ଦୁର୍ନୀତି ଅର୍ଥ ଚିଟ୍ ଫଣ୍ଡ କାରବାର ବୃଦ୍ଧିର ଅନ୍ୟ ଏକ କାରଣ। ବିଜେଡି ନେତା ଓ କର୍ମୀମାନେ ସି ଶୋର୍ ଓ ଅର୍ଥତତ୍ତ୍ୱ ଚିଟ୍ ଫଣ୍ଡ ସଂସ୍ଥା ଦୁଇଟିକୁ ଅଧିକ ବିଶ୍ୱାସ କରୁଥିଲେ। ସି ଶୋର୍ ଉପରେ ପ୍ୟାରୀ ମୋହନ ମହାପାତ୍ରଙ୍କର ଆଶୀର୍ବାଦ ଥିଲା। ସେ ଅନେକ ଥର ଏହି ସଂସ୍ଥାର ଉତ୍ସବରେ ଯୋଗ ଦେଇଥିଲେ। ୨୦୧୪ ସେପ୍ଟେମ୍ୱର ୧୧ ତାରିଖରେ ସମ୍ୱାଦ ଦୈନିକରେ ଅର୍ଥତତ୍ତ୍ୱ ଗୋଷ୍ଠୀର ପୂର୍ବତନ ନିଦ୍ଦେର୍ଶକ ରଂଜନ ଦାସଙ୍କର ଗୋଟେ ଫଟୋ ପ୍ରକାଶ ପାଇଥିଲା। ଫଟୋରେ ସେ ବିଜୁ ଜନତା ଦଳର ସଭାପତି ପଦ ପାଇଁ ନବୀନ ପଟ୍ଟନାୟକଙ୍କ ପ୍ରାର୍ଥିପତ୍ର ଧରିଥିଲେ। ତାଙ୍କ ପାଖରେ ଥିଲେ ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀ। ପରେ ତ୍ରିପାଠୀଙ୍କୁ ଗିରଫ କରିଥିଲା ସିବିଆଇ। ନୂଆ କୌଶଳ ଆର୍ଥିକ କଂପାନୀଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କର କଡ଼ା କଟକଣା ରହିଛି। ଏହାକୁ ଆଡେ଼ଇବା ପାଇଁ ଚିଟ୍ ଫଣ୍ଡ ସଂସ୍ଥାଗୁଡ଼ିକ ଚତୁର କୌଶଳ ଅବଲମ୍ୱନ କରିଥିଲେ। ସେମାନେ ରିୟଲ ଇଷ୍ଟେଟ୍, ପର୍ଯ୍ୟଟନ, ନିର୍ମାଣ, ପାନୀୟ ଜଳ କମ୍ପାନୀ ଖୋଲି ଲୋକଙ୍କଠାରୁ ଜମା ଗ୍ରହଣ କରୁଥିଲେ ଓ ତା’ ବାବଦରେ ଖଣ୍ଡେଖଣ୍ଡେ ଜମିର କାଗଜ ବା କଂପାନୀର ଶେୟାର ଦେଉଥିଲେ। ଏକାଧିକ ରାଜ୍ୟରେ କାୟା ବିସ୍ତାର କରିଥିବା ସମବାୟ ଭିତ୍ତିକ ଚିଟ୍ ଫଣ୍ଡ ସଂସ୍ଥାଗୁଡ଼ିକ ଦିଲ୍ଲୀରେ ପଂଜୀକୃତ ହୋଇଥିଲା। ଏଗୁଡ଼ିକ ଉପରେ ରିଜର୍ଭ ବ୍ୟାଙ୍କ କି ରାଜ୍ୟ ସରକାର କୌଣସି ନିୟନ୍ତ୍ରଣ ଜାରି କରିନଥିଲେ। ଚିଟ୍ ଫଣ୍ଡରୁ ଆଦାୟ ହୋଇଥିବା ବିପୁଳ ଅର୍ଥ ରିୟଲ ଇଷ୍ଟେଟ୍ କ୍ଷେତ୍ରରେ ଲାଗିବାରୁ ଭୁବନେଶ୍ୱର ଓ ଆଖପାଖ ଅଂଚଳରେ ଜମି ଦର ବହୁଗୁଣ ବୃଦ୍ଧି ପାଇଥିଲା। ନେତାଙ୍କ ଆଶୀର୍ବାଦ ଚିଟ ଫଣ୍ଡ ସଂସ୍ଥାଗୁଡ଼ିକର ଏଭଳି ବିପୁଳ ଅର୍ଥ ଉପାର୍ଜନ ସଂପର୍କରେ ନେତାମାନେ ଖବର ପାଇଗଲେ। ସେହି ଟଙ୍କାରୁ ସେମାନେ କିଛି ପାଇବାକୁ ଲାଳାୟିତ ହେଲେ। ସି ଶୋର୍ ଓ ଅର୍ଥତତ୍ତ୍ୱ ପରି ସଂସ୍ଥା ନିଜ କାରବାରର ସୁରକ୍ଷା ପାଇଁ ଶାସକ ଦଳ ନେତାଙ୍କ ସହଯୋଗ ଲୋଡ଼ିଥିଲେ। ଏଭଳି ସଂପର୍କରେ ଉଭୟ ପକ୍ଷର ଲାଭ। ନେତାମାନେ ସେମାନଙ୍କର ଅନୈତିକ ଅର୍ଥ ଚିଟ ଫଣ୍ଡ ସଂସ୍ଥାରେ ଖଟେଇ ଲାଭ ପାଉଥିଲେ। ଚିଟ ଫଣ୍ଡ ସଂସ୍ଥା ମଧ୍ୟ ନେତାଙ୍କ ସଂପର୍କ ଯୋଗୁଁ କେତେକ ସରକାରୀ ପ୍ରକଳ୍ପ ପାଇବାରେ ସଫଳ ହେଉଥିଲେ। ୨୦୧୧ ମସିହାରେ ବିଧାୟକ ପ୍ରଭାତ ତ୍ରିପାଠୀ ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏଭଳି ଅଧିକାଂଶ କମ୍ପାନୀ ସେମାନଙ୍କ ସଭାସମିତିକୁ ଶାସକ ଦଳର ନେତାମାନଙ୍କୁ ଅତିଥି ଭାବେ ଡାକୁଥିଲେ। ସେମାନଙ୍କୁ ଦେଖି ଗ୍ରାମାଂଚଳର ନିରୀହ ଲୋକମାନେ ଭାବୁଥିଲେ ଏସବୁ ସଂସ୍ଥା ପଛରେ ରାଜ୍ୟ ସରକାରଙ୍କ ସମର୍ଥନ ଅଛି। ତେଣୁ ସେମାନେ ବିଶ୍ୱାସ କରୁଥିଲେ। ୨୦୧୪ ସେପ୍ଟେମ୍ୱର ୧୧ ତାରିଖରେ ବିଜେଡିର ରାଜ୍ୟସଭା ନେତା କଳ୍ପତରୁ ଦାସ ତାଙ୍କ ପଦରୁ ଇସ୍ତଫା ଦେଲେ। ଏହା ଥିଲା ଚିଟ ଫଣ୍ଡ ଦୁର୍ନୀତିର ପ୍ରଥମ ଶିକାର। ସେହିବର୍ଷ ଅକ୍ଟୋବର ୩୧ ତାରିଖରେ ସିବିଆଇ ଦ୍ୱାରା ଗିରଫ ହେଲେ ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀ। ମୟୂରଭଂଜର ବିଜେଡି ସାଂସଦ ରାମଚନ୍ଦ୍ର ହାଁସଦା ମଧ୍ୟ ଗିରଫ ହେଲେ। ସିଶୋର ସଂପର୍କ ପାଇଁ ରାଜ୍ୟସଭା ସଦସ୍ୟ ପ୍ୟାରୀ ମୋହନ ମହାପାତ୍ରଙ୍କୁ ମଧ୍ୟ ସିବିଆଇ ଜେରା କଲା। ରାଜ୍ୟ ସରକାର ଓ ଶାସକ ଦଳର ନେତାମାନଙ୍କ ଉପରେ କେତେକ ଚିଟ ଫଣ୍ଡ ସଂସ୍ଥାର କିଭଳି ପ୍ରଭାବ ଥିଲା ତାହା ୨୦୧୪ ଏପ୍ରିଲ ମାସରେ ଜଣାପଡ଼ିଗଲା। ସିବିଆଇ ତଦନ୍ତ ଦାବିରେ ସୁପ୍ରିମ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଚାଲିଥିଲା। ସୁପ୍ରିମ କୋର୍ଟ ରାଜ୍ୟରେ ଏଭଳି କାରବାର କରିଥିବା କଂପାନୀଙ୍କ ତାଲିକା ମାଗିଥିଲେ। ରାଜ୍ୟ ସରକାର ସିବିଆଇ ତଦନ୍ତ ପାଇଁ ୩୮ ସଂସ୍ଥାଙ୍କ ତାଲିକା ଦେଲେ। ଏହି ତାଲିକାରେ ସିଶୋର, ଅର୍ଥତତ୍ତ୍ୱ, ନବଦିଗନ୍ତ, ଗ୍ରୀନ ରେ, ଆସ୍ଥା ଓ ରୋଜଭ୍ୟାଲିର ନାଁ ନଥିଲା। ସରକାରଙ୍କ ଯୁକ୍ତି ଥିଲା ଏସବୁ ସଂସ୍ଥା ଉପରେ ରାଜ୍ୟ ସରକାର ତଦନ୍ତ କରୁଛନ୍ତି, ତେଣୁ ସିବିଆଇ ତଦନ୍ତ ଆବଶ୍ୟକ ନାହିଁ। ସୁପ୍ରିମ କୋର୍ଟ ସରକାରଙ୍କ ଯୁକ୍ତି ଗ୍ରହଣ ନକରି ମୋଟ ୪୪ ସଂସ୍ଥାଙ୍କ ଉପରେ ତଦନ୍ତ କରିବାକୁ ସିବିଆଇକୁ ନିଦ୍ଦେର୍ଶ ଦେଲେ। ଗଣମାଧ୍ୟମ ସଂପର୍କ ଏଭଳି ବହୁ ଜାଲିଆ ଚିଟ ଫଣ୍ଡ ସଂସ୍ଥା ନିଜର ସୁରକ୍ଷା ପାଇଁ ଗଣମାଧ୍ୟମ ସଂସ୍ଥା ଖୋଲିଥିଲେ। ଗଣମାଧ୍ୟମ ଚାହିଁଥିଲେ ଏହି ଦୁର୍ନୀତିର ପର୍ଦ୍ଦାଫାସ କରି ସେଗୁଡ଼ିକ ଉପରେ ଜନ ସାଧାରଣ ପୋଷଣ କରିଥିବା ଆସ୍ଥା ଓ ବିଶ୍ୱାସ ତୁଟାଇ ଦେଇପାରିଥାନ୍ତେ। ତେଣୁ ସେମାନେ ନିଜର ପ୍ରଚାର ପ୍ରସାର ଜରିଆରେ ଲୋକଙ୍କୁ ଭୁଆଁ ବୁଲାଇବାକୁ ଗଣମାଧ୍ୟମ ସଂସ୍ଥା ଖୋଲିଥିଲେ। ଏଭଳି ଭାବେ ଆରମ୍ଭ ହୋଇଥିବା ଏକ ଟେଲିଭିଜନ ସଂସ୍ଥା ରାଜ୍ୟର ଜଣେ ଉଚ୍ଚପଦସ୍ଥ ଆଇପିଏସ ଅଫିସରଙ୍କ ପତ୍ନୀଙ୍କୁ ଉଚ୍ଚ ଦରମାରେ ଆଙ୍କର ଭାବେ ନିଯୁକ୍ତ କରିଥିଲେ। ଉଦ୍ଦେଶ୍ୟ ଥିଲା ପୁଲିସ ସୁରକ୍ଷା। ୨୦୧୪ ସେପ୍ଟେମ୍ୱର ୧୫ ତାରିଖରେ ଗୋଟିଏ ଖବରକାଗଜର ମାଲିକ ତଥା ଓଡ଼ିଶା ପ୍ରେସ କ୍ଲବର ସଂପାଦକ ମଧୁ ମହାନ୍ତି, ଏକ ଟିଭି ଚାନେଲର ମାଲିକ ମନୋଶ ଦାଶଙ୍କୁ ସିବିଆଇ ଗିରଫ କଲା। ମଧ୍ୟ ମହାନ୍ତି ଅର୍ଥତତ୍ତ୍ୱ ଗୋଷ୍ଠୀଠାରୁ ୬୫ ଲକ୍ଷ ଟଙ୍କା ନେଇଥିଲେ। ଚାନେଲ ମାଲିକ ମନୋଜ ଦାଶ ନେଇଥିଲେ ୯୦ ଲକ୍ଷ ଟଙ୍କା। ସେପ୍ଟେମ୍ୱର ୫ ତାରିଖରେ ଗିରଫ ହୋଇଥିଲେ ବିକାଶ ସ୍ୱାଇଁ, ଅନ୍ୟ ଏକ ଖବରକାଗଜର ମାଲିକ। ସରକାରୀ ଘୋଡ଼ଣି ଠକେଇର ଶିକାର ହୋଇଥିବା ଚିଟ ଫଣ୍ଡ ଜମାକାରୀମାନେ ୨୦୧୨ ମସିହାରେ ପ୍ରତିବାଦ ଆନ୍ଦୋଳନ ଆରମ୍ଭ କଲେ। ସେ ଯାଏଁ କ’ଣ ରାଜ୍ୟ ସରକାର ଚିଟ ଫଣ୍ଡ କାରବାର ସଂପର୍କରେ କିଛି ଜାଣି ନଥିଲେ? ରାଜ୍ୟ ସରକାରଙ୍କ ଅଜ୍ଞାତରେ ଏତେ ବଡ଼ ଦୁର୍ନୀତି ହେଲା କିପରି? ପ୍ରାୟ ୧୦ ଲକ୍ଷ ଜମାକାରୀ ଠକେଇର ଶିକାର ହେଲେ - ସରକାର କିଛି କେମିତି ଜାଣିପାରିଲେନି? ୨୦୦୯ ମସିହାରେ ବାଲେଶ୍ୱରର କିଛି ଜମାକାରୀ ଫାଇନ ଇଣ୍ଡିସେଲ୍ସ ନାମକ ଏକ ଚିଟ ଫଣ୍ଡ ସଂସ୍ଥା ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ। ଏହି ସଂସ୍ଥାର ପରିଚାଳକ ଥିଲେ ନାସିର ଖାଁ। ଅଭିଯୋଗର ତଦନ୍ତ ଦାୟିତ୍ୱ ନେଇଥିଲା ସିଆଇଡି। ତଦନ୍ତରୁ ଜାଣିବାକୁ ମିଳିଥିଲା ଯେ ଏହି ସଂସ୍ଥା ୨.୪୩ ଲକ୍ଷ ଜମାକାରୀଙ୍କଠାରୁ ୫୭୮.୨୨ କୋଟି ଟଙ୍କା ଉଠେଇ ନେଇଛି। ୨୦୧୨ ଡିସେମ୍ୱର ୧୨ ତାରିଖରେ ଏହି ଦୁର୍ନୀତିର ତଦନ୍ତ କରିବା ପାଇଁ ଓଡ଼ିଶା ହାଇକୋର୍ଟ ସିବିଆଇକୁ ନିଦ୍ଦେର୍ଶ ଦେଇଥିଲେ। ନାସିର ଖାଁଙ୍କର ବହୁ ପ୍ରଭାବଶାଳୀ ଲୋକଙ୍କ ସହିତ ସଂପର୍କ ଥିଲା। ଓଡ଼ିଶା ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତିଙ୍କ ପୁଅ ତିଆରି କରିଥିବା ଏକ ସିନେମାରେ ସେ ଟଙ୍କା ଖଟେଇଥିଲେ। ଜମା ଉପରେ ପ୍ରତି ଦିନ ୧ ପ୍ରତିଶତ ହିସାବରେ ୧୦ ମାସ ଯାଏଁ ସୁଧ ଦେବାକୁ ପ୍ରତିଶ୍ରୁତି ଦେଇ ନିରୀହ ଲୋକମାନଙ୍କୁ ପ୍ରଲୁବ୍ଧ କରିଥିଲା ଫାଇନ ଇଣ୍ଡିସେଲ୍ସ। ଯେଉଁମାନେ ୧୦ ହଜାର ଟଙ୍କା ଜମା କରିବେ ସେମାନଙ୍କୁ ପ୍ରତି ଦିନ ୧୦୦ ଟଙ୍କା ମିଳିବ ବୋଲି କୁହାଯାଇଥିଲା। ସେହିପରି ସିଶୋର ଚିଟ ଫଣ୍ଡ କାରବାର ସଂପର୍କରେ ମଧ୍ୟ ରାଜ୍ୟ ସରକାର ବହୁ ପୂର୍ବରୁ ଅବହିତ ଥିଲେ। ୨୦୧୧ ମାର୍ଚ୍ଚ ୨୨ ତାରିଖରେ କେନ୍ଦ୍ରୀୟ ଆର୍ଥନୀତିକ ଗୁଇନ୍ଦା ବ୍ୟୁରୋ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ସିଶୋର ଗୋଷ୍ଠୀର ଅନୈତିକ ଅର୍ଥ କାରବାର ନେଇ ସତର୍କ କରାଇଦେଇଥିଲେ। କଂପାନୀ ବର୍ଷକୁ ୯୯.୮୯ କୋଟି ଟଙ୍କାର ବାର୍ଷିକ ଡିଭିଡେଣ୍ଡ ଦେଉଥିଲା। କିନ୍ତୁ ଏ ସଂପର୍କୀତ ଚିଠିକୁ ରାଜ୍ୟ ପ୍ରଶାସନ ଚପେଇ ଦେଇଥିଲା। ବରଂ ଏହା ପରେ ସିଶୋର ସହିତ ଅନେକ ପ୍ରକଳ୍ପ ନେଇ ବୁଝାମଣାପତ୍ର ସ୍ୱାକ୍ଷର କରାଗଲା। ୨୦୧୧ ମାର୍ଚ୍ଚ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାଙ୍କର ତତ୍କାଳୀନ ମୁଖ୍ୟ ପରାମର୍ଶଦାତା ପ୍ୟାରୀ ମୋହନ ମହାପାତ୍ର ସିଶୋର୍ ଟେଲିଭିଜନ ଚାନେଲ ଉଦଘାଟନ ଉତ୍ସବରେ ଯୋଗଦେଇଥିଲେ। ୨୦୧୨ ସେପ୍ଟେମ୍ୱର ମାସରେ ମାଇକ୍ରୋ ଫାଇନାନ୍ସର ଜମା ସଂଗ୍ରହ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଭାରତୀୟ ରିଜର୍ଭ ବ୍ୟାଙ୍କ। ଏହି କଂପାନୀ ଶେୟାର ନାମରେ ଜମା ସଂଗ୍ରହ କରୁଥିଲା। ୨୦୧୩ ମସିହାରେ ରାଜ୍ୟ କ୍ରାଇମ ବ୍ରାଞ୍ଚର ଆର୍ଥନୀତିକ ଅପରାଧ ଶାଖା କଂପାନୀ ବିରୋଧରେ ୧୩ଟା ମାମଲା ରୁଜୁ କରିବା ଓ ୭୬ କୋଟି ଟଙ୍କାର ଜମା ଜବତ କରିବା ସେତ୍ତ୍ୱ କଂପାନୀର କାରବାର ଉପରେ ରାଜ୍ୟ ସରକାର ଅଙ୍କୁଶ ଲଗାଇ ନଥିଲେ।