ପିଆଜ ଦର- ଦୁର୍ନୀତିର ଦାମ୍‌!

Dec 15, 2019 - 06:34
 1108
ପିଆଜ ଦର- ଦୁର୍ନୀତିର ଦାମ୍‌!
ଦେବେନ୍ଦ୍ର ପୃଷ୍ଟି ଓଡ଼ିଶା ବଜାରକୁ ନୂଆ ପିଆଜ ଆସି ନାହିଁ। ଇଜିପ୍ଟ ଓ ତୁର୍କୀରୁ ଆମାଦୀ ହେବାକୁ ଥିବା ପିଆଜ ମଧ୍ୟ ଭାରତରେ ପହଂଚି ନାହିଁ। ତଥାପି ପିଆଜ ଦର କମିବା ଆରମ୍ଭ କରିଛି। ଯେଉଁ ପିଆଜ ଦର ତିନି ଦିନ ତଳେ କିଲୋ ପ୍ରତି ୧୫୦ ଟଙ୍କାରେ ବିକ୍ରି ହେଉଥିଲା ସେହି ପିଆଜ ଏବେ ୮୦ ଟଙ୍କାରେ ମିଳୁଛି। ତେବେ ପିଆଜ ଦର ବଢ଼ିଥିଲା କାହିଁକି? କମିଲା ପୁଣି କାହିଁକି? ଏହି ଦରବୃଦ୍ଧିରେ ଲାଭ ହେଲା କାହାର? କ୍ଷତି ସହିଲା କିଏ? ପିଆଜର ଅହେତକୁ ଦରବୃଦ୍ଧି ଓ ଦରହ୍ରାସକୁ ନେଇ ଏମିତି କିଛି ଜଟିଳ ପ୍ରଶ୍ନର ଉତ୍ତର ଖୋଜିବାକୁ ହେବ। ସରକାର ଉତ୍ତର ଖୋଜନ୍ତୁ ନଖୋଜନ୍ତୁ, ଲୋକେ ଉତ୍ତର ଖୋଜିବା ଉଚିତ। କାରଣ ଲୋକେ ହିଁ ଏଥିରେ ଅଧିକ ପ୍ରଭାବିତ, କ୍ଷତିଗ୍ରସ୍ତ। ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ବେଳକୁ ଦୁଇ ମାସ ତଳେ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଅଧିକ ବର୍ଷା ହେଲା। ଏଥିରେ ପିଆଜ ଚାଷ କ୍ଷତିଗ୍ରସ୍ତ ହେଲା। ଏହାକୁ ଏକ କାରଣ ଭାବେ ଦର୍ଶାଇଲେ ପିଆଜି ବେପାରୀ। ସରକାର ମଧ୍ୟ ଏହାକୁ କାରଣ ଭାବେ ଗ୍ରହଣ କଲେ। ଏହି କାରଣରୁ ପିଆଜ ଦର ହୁ ହୁ ହୋଇ ବଢ଼ିଲା। ଦୁଇ ମାସ ଭିତରେ କିଲୋ ପ୍ରତି ୧୫ ଟଙ୍କାରେ ବିକ୍ରି ହେଉଥିବା ପିଆଜ ୧୦ ଗୁଣ ବୃଦ୍ଧି ପାଇ ୧୫୦ ଟଙ୍କା ଟପିଲା। ଏଠି ପ୍ରଶ୍ନ ଉଠିବା କଥା, ବର୍ଷା ଯୋଗୁଁ ପିଆଜ ଚାଷର କ୍ଷତି ହୋଇଥିଲେ ନୂଆ ପିଆଜ ଅମଳ ହେବା ପରେ ଦର ବଢ଼ିବା କଥା। ତା’ପୂର୍ବରୁ ପୁରୁଣା ପିଆଜ ଦର କାହିଁକି ବଢ଼ିଲା? ପୁରୁଣା ପିଆଜ ତ ଏବେ ଅମଳ ହୋଇନାହିଁ। ଗଲା ବର୍ଷ ଅମଳ ହୋଇଥିଲା। ଅମଳ ପରେ ତାହାକୁ ବଡ଼ ବ୍ୟବସାୟୀମାନେ କିଣି ନେଇ ସଂରକ୍ଷଣ କରିଥିଲେ। ଅତ୍ୟଧିକ ବର୍ଷା ହେବା ଫଳରେ ଗୋଦାମରେ ରହିଥିବା ପିଆଜ କ’ଣ ନଷ୍ଟ ହୋଇଗଲା ନା ପୂର୍ବରୁ କମ୍‌ ଦାମରେ ବିକ୍ରି କରିଥିବା ଚାଷୀମାନେ ବିକ୍ରି ହୋଇଥିବା ପିଆଜ ପାଇଁ ଅଧିକ ଦାମ୍‌ ଦାବି କଲେ? ବର୍ଷା ଯୋଗୁଁ ଆଗାମୀ ଅମଳ କମିବା ଆଶଙ୍କା ଅମୂଳକ ନୁହେଁ। ଅମଳ କମିଲେ ଚାଷୀର କ୍ଷତି, ବେପାରୀର ନୁହେଁ। କାରଣ ଚାଷୀଙ୍କଠାରୁ ଯେଉଁ ଦରରେ କିଣିବେ ତା’ ଉପରେ ଲାଭ ରଖି ବିକ୍ରି କରିବେ। ଏହା ସାଧାରଣ ହିସାବ। କିନ୍ତୁ ଯାହାକୁ ବର୍ଷକ ତଳେ କମ୍‌ ଦାମରେ କିଣି ସାଇତିଥିଲେ ତାହାର ଦର କାହିଁକି ବଢ଼ିବ? ଅମଳ କମିବ ବୋଲି ଆଶଙ୍କା କରି ସେହି ଅନୁସାରେ ଚାହିଦା କମିବାର ନାହିଁ ବୋଲି ହିସାବ କରି ବେପାରୀମାନେ ଏହାକୁ ଅଧିକ ଲାଭ ଅର୍ଜନ କରିବାର ଏକ ସୁଯୋଗ ଭାବେ ନେଲେ ନାହିଁ ତ? ଏ ପ୍ରଶ୍ନ ସରକାର ନିଜକୁ ନିଜେ ପଚାରି ନାହାନ୍ତି। ଲୋକେ ମଧ୍ୟ ଏ ପ୍ରଶ୍ନ ଉପରେ ଧ୍ୟାନ ଦେଇନାହାନ୍ତି। ତେଣୁ ବଜାର ଦର ଯେତେ ହେଲେ ମଧ୍ୟ ଲୋକେ ବିନା ପ୍ରତିବାଦରେ କିଣିଲେ। ଦରବୃଦ୍ଧି ସତ୍ତ୍ୱଆ ଲୋକଙ୍କ କିଣିବା ବନ୍ଦ ନହେବାରୁ ଦର ଆହୁରି ଦ୍ରୁତ ଗତିରେ ବୃଦ୍ଧି ପାଇଲା। ମୁଖ୍ୟତଃ ଗୋଦାମ ମାଲିକମାନେ ହିଁ ଦର ବଢ଼ାଇଲେ। ଖୁଚୁରା ବେପାରୀମାନେ ଦର ବଢ଼ିବ ବୋଲି ଆଗରୁ ଜାଣି ଅଧିକ କିଣି ଗଚ୍ଛିତ ରଖନ୍ତି ନାହିଁ। କାରଣ ସେମାନଙ୍କ ନିକଟରେ ପିଆଜ ସଂରକ୍ଷଣ ଓ ଭଣ୍ଡାରଣ ନିମନ୍ତେ ଯଥେଷ୍ଟ ସୁବିଧା ନାହିଁ। ସେମାନେ ଯେତିକି କିଣନ୍ତି ସେତିକି ବିକନ୍ତି। ସରିଗଲେ ଆଉ ଥରେ ଗୋଦାମରୁ ଉଠାନ୍ତି। କିନ୍ତୁ ଗୋଦାମ ମାଲିକମାନେ ଏକାଥରକେ ଅଧିକ ପିଆଜ କିଣି ଗଚ୍ଛିତ ରଖିଥାନ୍ତି। ସେହି ଗଚ୍ଛିତ ପିଆଜର ଦର ହିଁ ୧୫ ଟଙ୍କାରୁ ୧୫୦ ଟଙ୍କା ହୋଇଗଲା। ଯଦି ପିଆଜ ଅଭାବ ଥାଆନ୍ତା ତେବେ ବଜାରରୁ ପିଆଜ ଅଦୃଶ୍ୟ ହୋଇଯାଇଥାନ୍ତା। ଲୋକେ ହାଟବଜାରରୁ ପିଆଜ କିଣିବାକୁ ପାଇନଥାନ୍ତେ। ଦରବୃଦ୍ଧି ଫଳରେ କିଛି ଲୋକ ଅବଶ୍ୟ ପିଆଜ ଖାଇବା କମେଇଥାଇପାରନ୍ତି। ମାତ୍ର, କୌଣସି ବଜାରରେ ପିଆଜ ଅଦୃଶ୍ୟ ହୋଇଯିବା ନେଇ କୌଣସି ଆଡ଼ୁ କିଛି ଖବର ପ୍ରକାଶିତ ହୋଇନାହିଁ। ଦରବୃଦ୍ଧି ସମୟରେ ମଧ୍ୟ ବଜାରରେ ଯାହାକୁ ଯେତେ ପିଆଜ ମହଜୁଦ ଥିଲା। ଓଡ଼ିଶାର ଅନେକ ଲୋକ କାର୍ତ୍ତିକ ମାସରେ ଆଇଁଷ ଛାଡ଼ି ଦିଅନ୍ତି। ପିଆଜ ଏକ ଆମିଷ ଖାଦ୍ୟରେ ଗଣା ଯାଉଥିବାରୁ ଏହି ମାସରେ ପିଆଜ ଚାହିଦା କମିବା ସ୍ୱାଭାବିକ। ଚାହିଦା କମିଲେ ଦର ମଧ୍ୟ କମିବା କଥା। ଏହା ସାଧାରଣ ବଜାର ଅର୍ଥନୀତିର ପାଠ। କିନ୍ତୁ ଚାହିଦା କମିବା ସତ୍ତ୍ୱେ କାର୍ତ୍ତିକ ମାସରେ ପିଆଜ ଦର କମିଲା ନାହିଁ। ମାର୍ଗଶୀର ଓଡ଼ିଶାରେ ବିବାହ ଲଗ୍ନର ମାସ। ଆଜିକାଲି ବିବାହ ଭୋଜିରେ ଆମିଷର ବ୍ୟବହାର ଅଧିକ। ଆମିଷରେ ପିଆଜର ବ୍ୟବହାର ଅଧିକ। ପିଆଜ ଦରବୃଦ୍ଧି ଯୋଗୁଁ ତ କାହିଁ କେଉଁ ବିବାହ ଭୋଜି ନିରାମିଷ ହେଲା ନାହିଁ? ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଯେତେ ସହରରେ ବିବାହ ହେଲା କେଉଁଠି ବିନା ପିଆଜରେ ମାଛ, ମାଂସ ରୋଷେଇ ହେଲା ନାହିଁ। ଅଧିକାଂଶ ଭୋଜିରେ କୁଇଣ୍ଟାଲ କୁଇଣ୍ଟାଲ ପିଆଜ ଖର୍ଚ୍ଚ ହେଲା। ସେ ପିଆଜ ଆସିଲା କୁଆଡ଼ୁ? ବର୍ଷା ଯୋଗୁଁ ଯଦି ପିଆଜ ଅମଳ କମିଗଲା ତେବେ ବଜାରେ ଏତେ ପିଆଜ ମିଳିଲା କେଉଁଠୁଁ? ଦୋକାନୀମାନେ ତ ପିଆଜ ବିକ୍ରି ଉପରେ କଟକଣା ଲଗେଇ ନଥିଲେ। କେଉଁ ଗ୍ରାହକ କେଜିଏ ପିଆଜ କିଣିବାକୁ ଯାଇଁ ଅଢ଼େଇଶ ବା ଅଧକେଜି ପାଇଛି କି? ଦୋକାନୀ କେଉଁ ପିଆଜ ଗରାଖକୁ ଫେରେଇ ଦେଇଛି କି? କେଉଁ ଗରାଖ କିଲେ ଜାଗାରେ ଅଧକିଲେ କିଣିଥାଇପାରେ। କିନ୍ତୁ କେଉଁ ଦୋକାନୀ ପିଆଜ ବିକିବାକୁ ପାଇନାହିଁ? ବାସ୍ତବ କଥା ହେଉଛି, ଗୋଦାମ ଓ ସଂରକ୍ଷଣ ଭଣ୍ଡାରଗୁଡ଼ିକରେ ଯଥେଷ୍ଟ ପରିମାଣର ପିଆଜ ମହଜୁଦ ଥିଲା। ଆଗକୁ ଅମଳ କମିବ ଓ ଦର ବଢ଼ିବ ବୋଲି ଆକଳନ କରି ବଡ଼ ବେପାରୀମାନେ ପୁରୁଣା ପିଆଜର ମଧ୍ୟ ଦର ବଢ଼େଇଦେଲେ ଓ ପ୍ରଚୁର ମୁନାଫା ଅର୍ଜନ କଲେ। ଯେତେବେଳେ ଦରବୃଦ୍ଧିରେ ଅତିଷ୍ଠ ଲୋକଙ୍କ ମଧ୍ୟରେ ସରକାରଙ୍କ ବିରୋଧରେ ଅସନ୍ତୋଷ ସୃଷ୍ଟି ହେଲା, ବିରୋଧୀ ଦଳ ଏହାକୁ ଏକ ପ୍ରସଙ୍ଗ କଲେ, ସରକାର ଗୋଦାମବାଲାଙ୍କ ଉପରେ କାଁ ଭାଁ ଚଢ଼ଉ କରିଥିଲେ ବି ଦରବୃଦ୍ଧିର ପ୍ରକୃତ କାରଣ ସଂପର୍କରେ ଆଲୋଚନା କଲେ ନାହିଁ। ବରଂ ଇଜିପ୍ଟ ଓ ତୁର୍କୀରୁ ପିଆଜ ଆମଦାନୀ କରିବାକୁ ନିଷ୍ପତ୍ତି ନେଲେ। ସେହିପରି ଭାରତରୁ ପିଆଜ ରପ୍ତାନୀ ଉପରେ ମଧ୍ୟ କଟକଣା ଲଗେଇଲେ। କିନ୍ତୁ ପିଆଜ ଏଯାଏଁ ଆମଦାନୀ ହୋଇନାହିଁ କି ଏବେ ନୂଆ ପିଆଜ ରପ୍ତାନୀ ହେବାର ନଥିଲା। ପୂର୍ବରୁ ଯାହା ରପ୍ତାନୀ ହୋଇସାରିଛି ତାହା ଯାଇଛି। ପୁଣି ଅମଳ ହେଲେ ରପ୍ତାନୀ ହେବ। ତେଣୁ ସରକାରଙ୍କର ଏହି ନିଷ୍ପତ୍ତି ଯୋଗୁଁ ଯେ ହଠାତ ପିଆଜ ଦର କମିଗଲା ତାହା ମଧ୍ୟ କୁହାଯାଇ ପାରିବ ନାହିଁ। ଅବଶ୍ୟ ଏହି ନିଷ୍ପତ୍ତିର କିଛିଟା ପ୍ରଭାବ ବଜାର ଉପରେ ପଡ଼ିଥିବ। କିନ୍ତୁ ତା’ ମାନେ ନୁହେଁ ଯେ ଦର ହଠାତ ୧୫ ଟଙ୍କାରୁ ୧୫୦ ଟଙ୍କା ଟପି ପୁଣି ଥରେ ଅଧାକୁ ଖସି ଆସିବ? ମୋଟ କଥା ହେଉଛି ପିଆଜର ଏହି ଦରବୃଦ୍ଧି ଆକସ୍ମିକ ବେପାର ଥିଲା, ଯାହା ଜନ ପ୍ରତିକ୍ରିୟା ଯୋଗୁଁ ପୁଣି ଖସିଲା। ଏହ ଦରବୃଦ୍ଧି କାଳରେ ଓଡ଼ିଶା ସରକାର କେତେ ଗୋଦାମରେ ଚଢ଼ଉ କରିଥିଲେ? ଗୋଦାମବାଲା କେଉଁ ଦରରେ ପିଆଜ କିଣିଥିଲା ତାହାର ରସିଦ ଯାଞ୍ଚ କରିଥିଲେ? ରାଜ୍ୟ ସରକାରଙ୍କ ପାଇଁ ଏହା ଏକ ଅଡ଼ୁଆ ପ୍ରଶ୍ନ। କମ୍‌ ଦରରେ ଯଦି ପିଆଜ ମିଳୁ ନଥିଲା ତେବେ ସରକାର ହାତଗଣନ୍ତା ସୁଲଭ ମୂଲ୍ୟ ଦୋକାନରେ କିଲୋ ପିଛା ୪୦ରୁ ୮୦ ଟଙ୍କାରେ ପିଆଜ ବିକିଲେ କେମିତି? ଏ ବେପାରରେ ସରକାରଙ୍କର କେତେ କ୍ଷତି ହେଲା? ସେ ହିସାବ ସରକାର ସାର୍ବଜନୀନ କରିନାହାନ୍ତି। ସରକାର ଯେପରି ପିଆଜର କିଣା ଦର ଯାଞ୍ଚ କରିନାହାନ୍ତି ଠିକ ସେହିପରି ଖୁଚୁରା ବଜାରରେ ପ୍ରଭାବ ବିସ୍ତାର କରିଥିବା ଆଦାନୀ ଓ ଅମ୍ବାନୀଙ୍କ ପିଆଜ କିଣା ଓ ବିକା ଦର, ଭଣ୍ଡାରଣ ଆଦି ଯାଞ୍ଚ କରି ନାହାନ୍ତି। ରିଲାଏନ୍ସ ଫ୍ରେଶ୍‌ ପରି ବଡ଼ ବଡ଼ ଖୁଚୁରା ବେପାରୀ ସଂସ୍ଥା ସବୁ ଯଥେଷ୍ଟ ପୂର୍ବରୁ ପିଆଜ କିଣି ଗଚ୍ଛିତ ରଖିଥାନ୍ତି। ହାଟର ଖୁଚୁରା ବେପାରୀଙ୍କ ପରି ସେମାନେ ପ୍ରତି ଦିନ ବା ପ୍ରତି ସପ୍ତାହରେ ପିଆଜ କିଣନ୍ତି ନାହିଁ। ସେମାନ ଛଅ ମାସିଆ ବର୍ଷିକିଆ ହିସାବରେ ପିଆଜ କିଣିଥାନ୍ତି। ଅନେକ ସମୟରେ ଚାଷୀର ସବୁ ଅମଳ କିଣିନେବାକୁ ସେମାନେ ଆଗୁଆ ବଇନା ଦେଇ ଚୁକ୍ତି କରିଥାନ୍ତି। ସେଥିରେ ସେମାନଙ୍କର ଲାଭ। ସରକାର ଏହିପରି ରାଷ୍ଟ୍ରୀୟ ଖୁଚୁରା କମ୍ପାନୀଙ୍କ ପିଆଜ ସଂରକ୍ଷଣ ଓ ଭଣ୍ଡାରଣ ଉପରେ ଅଙ୍କୁଶ ଲଗାଇ ନାହାନ୍ତି। ତେବେ କ’ଣ ବୁଝିବା ଜଟିଳ ଯେ ପିଆଜ ଦରବୃଦ୍ଧି ପଛରେ କିଛି ଦୁର୍ନୀତି ହୋଇଛି ବୋଲି? ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଥିଲା। ସେଠି ବିଜେପି, କଂଗ୍ରେସ ଓ ଶିବସେନା ପରି ଦଳଗୁଡ଼ିକ ନିର୍ବାଚନ ଲଢ଼ିଥିଲେ। ସେମାନେ ପିଆଜ ବେପାରୀଙ୍କଠାରୁ କ’ଣ କିଛି ଚାନ୍ଦା ପାଇନଥିବେ? ଯେଉଁ ପିଆଜ ବେପାରୀ ରାଜନୀତିକ ଦଳଗୁଡ଼ିକୁ ଚାନ୍ଦା ଦେଇଥିବ ସିଏ କ’ଣ ତାହା ଜମିବାଡ଼ି ବିକି ଦେଇଥିବ? ନା ଚାନ୍ଦା ଟଙ୍କା ପିଆଜ ଗରାଖଙ୍କ ଉପରୁ ଦର ଆକାରରେ ଆଦାୟ କରିଥିବ? କେଉଁ କଥାଟା ଅଧିକ ଯୁକ୍ତିଯୁକ୍ତି ଓ ପ୍ରାସଙ୍ଗିକ ବୋଧ ହେଉଛି? (ସୌ- ଓଡ଼ିଶା ରିପୋର୍ଟର)