ପର୍ଯ୍ୟାୟକ୍ରମେ ତାଲାବନ୍ଦ ଉଠୁ!

Apr 12, 2020 - 07:42
 1062
ପର୍ଯ୍ୟାୟକ୍ରମେ ତାଲାବନ୍ଦ ଉଠୁ!
ଦେବେନ୍ଦ୍ର ପୃଷ୍ଟି ଓଡ଼ିଶା ସରକାରଙ୍କ କରୋନା ମୁଖପାତ୍ର କହି ଆସୁଛନ୍ତି ଯେ କରୋନା ପାଖକୁ ନଗଲେ ସେ ଆପଣଙ୍କ ପାଖକୁ ଆସିବ ନାହିଁ। ସେଦିନ ମିଶନ ଶକ୍ତି ନିର୍ଦ୍ଦେଶିକା ଆଉ ଟିକେ ଭଲ କରି ବୁଝେଇ ଦେଲେ ଯେ କରୋନା ଟିକେ ଅହଂକାରୀ। ତାକୁ ନଡାକିଲେ ସେ ଆପଣଙ୍କ ଘରକୁ ଆସିବ ନାହିଁ। ଭାରତବର୍ଷର ଅନ୍ୟ ବହୁ ବିଶେଷଜ୍ଞ ମଧ୍ୟ ଏଇ ମତ ଦେଉଛନ୍ତି। କରୋନା ସଂକ୍ରମିତଙ୍କ ସହ ଘନିଷ୍ଟ ଭାବେ ମିଳାମିଶା ନକଲେ ସେ ଜଣଙ୍କ ଦେହରୁ ଅନ୍ୟ ଜଣକ ଦେହକୁ ଡେଇଁବ ନାହିଁ। ସେଥିପାଇଁ ବିଶେଷଜ୍ଞମାନେ ମୁହଁରେ ପଟି ବାନ୍ଧିବା ଓ ହାତ ସଫା ରଖିବା ଉପରେ ଗୁରୁତ୍ୱ ଦେଉଛନ୍ତି, ସାମାଜିକ ଦୂରତ୍ୱ ରକ୍ଷା କରିବାକୁ କହୁଛନ୍ତି। ସାମାଜିକ ଦୂରତ୍ୱ ଏକ ବିଭ୍ରାନ୍ତି। ବାସ୍ତବରେ ‘ସାମାଜିକ ଦୂରତ୍ୱ’ ମାନି ‘ଶାରୀରିକ ଦୂରତ୍ୱ’ ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ପରସ୍ପର ମଧ୍ୟରେ ଅତି କମ୍‌ରେ ୧ ମିଟର ଦୂରତା ରହିଲେ ଜଣଙ୍କୁ କରୋନା ହୋଇଥିଲେ ବି ତାଙ୍କର ଛିଙ୍କ ଓ କାଶ ଜରିଆରେ ଅନ୍ୟ ଜଣଙ୍କୁ ଏହା ସଂକ୍ରମିତ ହେବାର ଭୟ ନାହିଁ। ଏଇ ସହଜ ଉପାୟ ଅବଲମ୍ବନ କଲେ କରୋନା ସଂକ୍ରମଣର ଭୟ ନାହିଁ କହିଲେ ଚଳେ। ତେବେ, ସରକାରଙ୍କ ବିଶ୍ୱାସ ଅନୁସାରେ ଲୋକମାନେ ସାଧାରଣତଃ ଅମାନିଆ। ଯଦିଓ ଘଣ୍ଟପିଟା ଓ ଦୀପଜଳା ଆଦି ଉପଦେଶ ମାନି ସାରା ଦେଶ ଏହା ଭୁଲ ପ୍ରମାଣିତ କରିସାରିଛନ୍ତି। ଲୋକେ ପ୍ରଧାନମନ୍ତ୍ରୀଙ୍କ କଥା ମାନିଥିଲେ ମଧ୍ୟ ହାଟବଜାର, ଧାର୍ମିକ ମେଳା ଓ ପୂଜାସ୍ଥାନ ଆଦିରେ ଶାରୀରିକ ଦୂରତା ରକ୍ଷା କରିବେ ନାହିଁ ବୋଲି ସରକାର ଆଶଙ୍କା କରୁଛନ୍ତି। ସେହିପରି ବସ୍‌, ରେଳ ଓ ବିମାନ ଯାତ୍ରା ସମୟରେ ମଧ୍ୟ ଶାରୀରିକ ଦୂରତା ରହିପାରିବ ନାହିଁ। ରେସ୍ତୋରାଁ ଆଦି ଖାଇବା ସ୍ଥାନରେ ଏହା ସମ୍ଭବ ନୁହେଁ। ଛୋଟ ଛୋଟ ଦୋକାନ ଓ ବ୍ୟାବସାୟିକ ସ୍ଥଳରେ ଏହା ପ୍ରାୟତଃ ଅସମ୍ଭବ। ଏହି ଦୃଷ୍ଟିରୁ ପ୍ରଥମେ ଓଡ଼ିଶା ସରକାର ଆଂଶିକ ଓଡ଼ିଶାରେ ଏବଂ ପରେ ଭାରତ ସରକାର ସମଗ୍ର ଦେଶରେ ଲକ୍‌ଡାଉନ୍‌ ବା ତାଲାବନ୍ଦ ଘୋଷଣା କରିଛନ୍ତି। ଏପ୍ରିଲ ୧୪ ତାରିଖରେ ଏହି ତାଲାବନ୍ଦର ଅବଧି ଶେଷ ହେଉଛି। ମାତ୍ର, ଦେଶର ଅଧିକାଂଶ ରାଜ୍ୟରେ ଏବେ ବି କରୋନା ଏକ ‘ଆତଙ୍କ’ ହୋଇ ରହିଥିବାରୁ ଏବଂ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ତୁରନ୍ତ ତାଲାବନ୍ଦ ନହଟେଇବାକୁ ଟୁଇଟ୍‌ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। କେତେ ଜଣ ମୁଖ୍ୟମନ୍ତ୍ରୀ ବିଭିନ୍ନ ରାଜ୍ୟ ବା ସହରରୁ ପର୍ଯ୍ୟାୟକ୍ରମେ ତାଲାବନ୍ଦ ଉଠେଇବାକୁ ମଧ୍ୟ ମତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଏପ୍ରିଲ ୧୦ ତାରିଖ ଶନିବାର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନ୍‌ଫରେନ୍ସ କରିବା ପରେ ଯାହା କିଛି ନିଷ୍ପତ୍ତି ନେବେ। ଏବେ ବିଚାର କରିବାର କଥା ଯେ କରୋନା ଭୂତାଣୁ ଓ ତାଲାବନ୍ଦ ମଧ୍ୟରେ କେଉଁଥିରେ ଜନସାଧାରଣଙ୍କର ଅଧିକ କ୍ଷତି ହେଉଛି ବା ହେବାର ଆଶଙ୍କା ରହିଛି। ସେହିପରି ଏକଥା ମଧ୍ୟ ବିଚାରଯୋଗ୍ୟ ଯେ କରୋନା ଓ କାରବାର ବନ୍ଦ ମଧ୍ୟରୁ କେଉଁଟିରେ ଦେଶର ଅଧିକ କ୍ଷତି। ସେଥିପାଇଁ ନିମ୍ନରେ କେତେକ ପରିସଂଖ୍ୟାନ ଦିଆଗଲା। ୧. ୨୦୧୯ ଡିସେମ୍ବର ଅଧାଅଧିରୁ ଆରମ୍ଭ ହେଲାଣି କରୋନା ସଂକ୍ରମଣ। ପ୍ରଥମେ ଚୀନର ହୁବେଇ ପ୍ରଦେଶର ଉହାନ ସହରରେ ଏହାର ଚିହ୍ନଟ କରାଯାଇଥିଲା। ଏବେ ୨୦୨୦ ଏପ୍ରିଲ ଅଧାଅଧି। ଏହା ମଧ୍ୟରେ ବିତିଗଲାଣି ୪ ମାସ। ଆଜି ତାରିଖ ବା ୨୦୨୦ ଏପ୍ରିଲ ୮ ସୁଦ୍ଧା ବିଶ୍ୱର ଲୋକସଂଖ୍ୟା ୭୭୭ କୋଟି ଉପରେ ବୋଲି କଂପ୍ୟୁଟର ଗଣନା କରେ। ଆଜି ତାରିଖ ସୁଦ୍ଧା ଏମାନଙ୍କ ମଧ୍ୟରୁ କରୋନାରେ ସଂକ୍ରମିତ ହୋଇଛନ୍ତି ୧୪ ଲକ୍ଷ ୪୭ ହଜାର ୮୭୫ ଜଣ। ଏହା ବିଶ୍ୱ ଜନସଂଖ୍ୟାର ୦.୦୨ ପ୍ରତିଶତ ବି ନୁହେଁ। ସଂକ୍ରମିତଙ୍କ ମଧ୍ୟରୁ ୧୦ ଲକ୍ଷ ୭ ହଜାର ୨୯୪ ଜଣଙ୍କଠାରେ ମୃଦୁ ସଂକ୍ରମଣ ପ୍ରମାଣିତ ହୋଇଛି। ଏହା ମୋଟ ଆକ୍ରାନ୍ତଙ୍କର ୯୫ ପ୍ରତିଶତ। ସଂକ୍ରମିତଙ୍କ ମଧ୍ୟରୁ ଚିକିତ୍ସା ଯୋଗୁଁ ଭଲ ହୋଇଗଲେଣି ୩ ଲକ୍ଷ ୯ ହଜାର ୧୭୮। ଏହି ସମୟ ମଧ୍ୟରେ କରୋନାର ଶିକାର ହୋଇଛନ୍ତି ୮୩ ହଜାର ୪୦୯ ଜଣ। ଏହା ମୋଟ ସଂକ୍ରମିତ ସଂଖ୍ୟାର ୬ ପ୍ରତିଶତ ବି ନୁହେଁ। ତେବେ ଅନ୍ୟମାନେ ଚିକିତ୍ସାଧୀନ ରହିଥିବାରୁ ଏହାକୁ ଚୂଡ଼ାନ୍ତ ହାର ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ମାତ୍ର, ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପରିସଂଖ୍ୟାନ ହେଲା ଏଯାଏଁ ଯେତେ କରୋନା ପଜିଟିଭ ଚିକିତ୍ସାଧୀନ ଅଛନ୍ତି ସେମାନଙ୍କ ମଧ୍ୟରୁ ମାତ୍ର ୪୭,୯୯୪ ଜଣଙ୍କ ସ୍ଥିତି ଗମ୍ଭୀର ରହିଛି। ବିଶ୍ୱର ପ୍ରାୟ ବଡ଼ ବଡ଼ ସହରରେ ହିଁ ଘଟିଛି ଅଧିକ ସଂଖ୍ୟକ କରୋନା-ମୃତ୍ୟୁ। ୨. ଭାରତରେ ଜାନୁଆରୀ ମାସରୁ କରୋନା ଆଶଙ୍କା ସୃଷ୍ଟି ହେଲାଣି। ତେବେ ମାର୍ଚ୍ଚ ମାସରେ ହିଁ ଭାରତ ସରକାର ଏହାକୁ ଏକ ବଡ଼ ଧରଣର ‘ଆତଙ୍କ’ ଭାବେ ଗ୍ରହଣ କଲେ। ତା’ ପରଠାରୁ କରୋନା ଚହଳ ଏବେ ଚାରିଆଡ଼େ, ପ୍ରାୟ ସବୁ ରାଜ୍ୟରେ। ତେବେ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରୁ ଏପ୍ରିଲ ଦ୍ୱିତୀୟ ସପ୍ତାହ ମଧ୍ୟରେ ଭାରତବର୍ଷରେ ମୋଟ ୫୪୮୦ କରୋନାକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଲୋକସଂଖ୍ୟା ଆଜି ତାରିଖ ସୁଦ୍ଧା ୧୩୭ କୋଟି। ଅର୍ଥାତ ଆଜି ତାରିଖ ସୁଦ୍ଧା ଭାରତର ମୋଟ କରୋନାକ୍ରାନ୍ତଙ୍କ ହାର ହେଉଛି ଭାରତର ମୋଟ ଲୋକସଂଖ୍ୟାର ୦.୦୦୦୪ ପ୍ରତିଶତ ଅର୍ଥାତ ଆଜି ତାରିଖ ସୁଦ୍ଧା ଭାରତର ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ମାତ୍ର ୪ ଜଣ କରୋନାକ୍ରାନ୍ତ। ଏମାନଙ୍କ ମଧ୍ୟରୁ ଭଲ ହୋଇଗଲେଣି ୪୬୮। କରୋନାର ଶିକାର ହୋଇଛନ୍ତି ୧୬୪। ଏ ମୃତ୍ୟୁହାର ହେଉଛି ଆକ୍ରାନ୍ତ ସଂଖ୍ୟାର ୩ ପ୍ରତିଶତରୁ ସାମାନ୍ୟ ଅଧିକ। ମୃତ ଲୋକଙ୍କ ମଧ୍ୟରୁ ଏକତୃତୀୟାଂଶରୁ ଅଧିକ ହେଲେ ମହାରାଷ୍ଟ୍ରର। ମହାରାଷ୍ଟ୍ରର ମୁମ୍ବାଇ ହେଉଛି କରୋନା-ମୃତ୍ୟୁର ପେଣ୍ଠସ୍ଥଳ। ମହାରାଷ୍ଟ୍ରରେ ଏଯାଏଁ ୭୨ ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ କେବଳ ମୁମ୍ବାଇର କରୋନା-ମୃତ୍ୟୁସଂଖ୍ୟା ହେଲା ୪୫। ୩. ଆଜି ତାରିଖ ସୁଦ୍ଧା ଓଡ଼ିଶାର ମୋଟ ଲୋକସଂଖ୍ୟା ୪ କୋଟି ୬୧ ଲକ୍ଷ ବୋଲି କଂପ୍ୟୁଟର ଗଣନା ଉଲ୍ଲେଖ କରେ। ଆଜି ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୪୨ ଜଣ କରୋନାକ୍ରାନ୍ତ ଥିବା ସରକାର ପରିସଂଖ୍ୟାନ ଜାରି କରିଛନ୍ତି। ଏହା ମୋଟ ଜନସଂଖ୍ୟାର ୦.୦୦୦୧ ପ୍ରତିଶତ ବି ନୁହେଁ। ଅର୍ଥାତ ଓଡ଼ିଶାର ପ୍ରତି ୧୦ ଲକ୍ଷ ଲୋକସଂଖ୍ୟାରେ ଏଯାଏଁ ମାତ୍ର ଜଣେ କରୋନାରେ ଆକ୍ରାନ୍ତ। ଆଗକୁ ଏହା ବଢ଼ିବ ବୋଲି ଆଶଙ୍କା କରାଯାଉଛି। ତେଣୁ ଏହା ଚୂଡ଼ାନ୍ତ ହାର ନୁହେଁ। ଏହି ୪୨ ଜଣଙ୍କ ମଧ୍ୟରୁ ଏହା ମଧ୍ୟରେ ୨ ଜଣ ଭଲ ହୋଇସାରିଛନ୍ତି। ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ରାଜ୍ୟର ୪୨ ଜଣ କରୋନାକ୍ରାନ୍ତଙ୍କ ମଧ୍ୟରୁ ରାଜଧାନୀ ଭୁବନେଶ୍ୱରର ସଂଖ୍ୟା ହେଉଛି ୩୪। ଯେଉଁ ଜଣକ ମୃତ୍ୟୁବରଣ କରିଛନ୍ତି ସେ ମଧ୍ୟ ରାଜଧାନୀ ବାସିନ୍ଦା। ୪. ପୃଥିବୀରେ କରୋନା ଚହଳ ପଡ଼ିବା ପରେ ହୋଇଥିବା ଏକ ସର୍ବେକ୍ଷଣ ଅନୁସାରେ ଯେଉଁ ସହରର ପ୍ରଦୂଷଣ ଅଧିକ ସେହି ସହରରେ କରୋନାର ଶିକାର ହୋଇଛନ୍ତି ଅଧିକ ଆକ୍ରାନ୍ତ। କାରଣ ସ୍ୱରୂପ କୁହାଯାଉଛି, ବାୟୁ ପ୍ରଦୂଷଣ ଯୋଗୁଁ ବାୟୁମଣ୍ଡଳରେ ପିଏମ ୨.୫ ଅଧିକ ରହିଲେ ତାହା ପ୍ରଶ୍ୱାସରେ ଯାଇ ଫୁସ୍‌ଫୁସ୍‌ର ଅନେକ କ୍ଷତି କରିସାରିଥାଏ। କରୋନା ସଂକ୍ରମଣ ପୂର୍ବରୁ ଖରାପ ହୋଇଥିବା ଫୁସ୍‌ଫୁସ୍‌କୁ ଅଧିକ ଖରାପ ବା ଅଚଳ କରିଦେଉଥିବାରୁ ରୋଗୀର ମୃତ୍ୟୁ ଘଟେ। ସେଥିପାଇଁ କରୋନା ରୋଗୀଙ୍କ ନିମନ୍ତେ ଭେଣ୍ଟିଲେଟର ଓ ଆଇସିୟୁ ଉପରେ ଗୁରୁତ୍ୱ ଦିଆଯାଉଛି। ୫. ସେହିପରି ଅନ୍ୟ ଏକ ଅଧ୍ୟୟନ ଅନୁସାରେ କରୋନାରେ ମୃତ୍ୟୁବରଣ କରୁଥିବା ଅଧିକାଂଶ ଲୋକଙ୍କର ବୟସ ୬୦ ବର୍ଷରୁ ଅଧିକ। ଭାରତରେ ଏଯାଏଁ ଯେତେ ଲୋକ କରୋନାରେ ମୃତ୍ୟବରଣ କରିଛନ୍ତି ସେମାନଙ୍କର ହାରାହାରି ବୟସ ହେଉଛି ୬୦। ପାଶ୍ଚାତ୍ୟ ଓ ଚୀନର କରୋନା ମୃତକଙ୍କର ହାରାହାରି ବୟସ ୭୦ ଉପରେ। ୬. ଭାରତରେ କରୋନା ଏଯାଏଁ ଏକ ମହାମାରୀରେ ପରିଣତ ହୋଇନାହିଁ। ତେବେ ଏହା ଏକ ମହାସଂକ୍ରାମକ ଏହା ନିଃସନ୍ଦେହ। ଏହାର ସଂକ୍ରମଣ ଗତି ଅତି ପ୍ରଖର। କିନ୍ତୁ ଲକ୍‌ ଡାଉନ୍‌ ଓ ଶଟ୍‌ ଡାଉନ୍‌ ନିଷ୍ପତ୍ତିରେ ପ୍ରଭାବିତ ହୋଇଛନ୍ତି ଭାରତର ୧୩୭ କୋଟି ଲୋକ। ସେମାନଙ୍କ ମଧ୍ୟରୁ କ୍ଷତିଗ୍ରସ୍ତ ହୋଇଛନ୍ତି ପ୍ରାୟ ୧୨ କୋଟି। ଆଗକୁ ଏମାନଙ୍କ ସଂଖ୍ୟା ୪୦ କୋଟି ହେବ ବୋଲି ମିଳିତ ଜାତିସଂଘ ଆକଳନ କରିଛି। ଏହା ଭାରତର ଜନସଂଖ୍ୟାର ୩୦ ପ୍ରତିଶତ ହେବ। କରୋନା ପାଇଁ ଘୋଷିତ ହୋଇଥିବା ଲକ୍‌ ଡାଉନ୍‌ ଓ ଶଟ୍‌ ଡାଉନ୍‌ରେ ଦିନ ମଜୁରିଆ, ରାସ୍ତାକଡ଼ ଉଠା ଦୋକାନୀ, ଛୋଟ ଛୋଟ ବ୍ୟବସାୟୀ ଏବଂ ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ନିଯୁକ୍ତି ହରେଇଥିବାବେଳେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପୋଦ୍ୟୋଗଗୁଡ଼ିକ ମଧ୍ୟ ଅଚଳ ହୋଇଯାଇଛି। ଏସବୁ ଶିଳ୍ପ ସହିତ ଜଡ଼ିତ କର୍ମଚାରୀଙ୍କ ରୋଜଗାର ମଧ୍ୟ ପ୍ରଭାବିତ ହୋଇଛି। ଏହି ସମୟରେ କିନ୍ତୁ ବୃହତଶିଳ୍ପ ବନ୍ଦ ହୋଇନାହିଁ। ଉପରୋକ୍ତ ପରିସଂଖ୍ୟାନକୁ ତର୍ଜମା କରି ଭାରତ ସରକାର ତାଲାବନ୍ଦ ଉଠାଇବା ସଂପର୍କରେ ନିଷ୍ପତ୍ତି ନେବା ଦରକାର। ତେବେ, ଏକାବେଳେକେ ତାଲାବନ୍ଦ ଉଠାଇଦେଲେ ସଂକ୍ରମଣ ବ୍ୟାପକ ହେବାର ଭୟ ମଧ୍ୟ ରହିଛି। ଆକଳନ ଅନୁସାରେ ସାମାଜିକ ଦୂରତା ବା ଶାରୀରିକ ଦୂରତା ନିୟମ ପାଳନ କରାନଗଲେ ଜଣେ ଲୋକ ୪୦୦ ଉପରେ ଲୋକଙ୍କୁ ସଂକ୍ରମିତ କରିପାରିବେ। ଏହି ନିୟମ ପାଳନ କରାଗଲେ ଜଣେ ଲୋକ ୩ ଜଣଙ୍କୁ ମଧ୍ୟ ସଂକ୍ରମିତ କରିପାରିବ ନାହିଁ। ତେଣୁ ଭାରତ ସରକାର ଯେତେବେଳେ ତାଲାବନ୍ଦ ନିଷ୍ପତ୍ତି ପ୍ରତ୍ୟହାର କରିବା କିମ୍ବା ଅବ୍ୟାହତ ରଖିବା ନିଷ୍ପତ୍ତି ନେଉଛନ୍ତି ଏ ବିଷୟକୁ ମଧ୍ୟ ବିଚାର କରିବା ଉଚିତ। ଏହି ପରିପ୍ରେକ୍ଷୀରେ ସରକାରଙ୍କ ପାଇଁ ଉଚିତ ହେବ ସମଗ୍ର ଭାରତକୁ ତାଲାବନ୍ଦ ନକରି ଆକ୍ରାନ୍ତ ସହରଗୁଡ଼ିକରେ ତାଲାବନ୍ଦ ଜାରି ରହୁ। ଗ୍ରାମାଞ୍ଚଳକୁ ଏଥିରୁ ମୁକ୍ତ କରାଯାଉ। ଆକ୍ରାନ୍ତ ସହରରେ ଆଜିକାଲି ଯେପରି କଣ୍ଟେନମେଣ୍ଟ ଜୋନ୍‌ କରାଯାଉଛି ସେହିପରି ନୀତି ଅନୁସରଣ କରାଯାଉ। ରାଜ୍ୟ-ରାଜ୍ୟ ମଧ୍ୟରେ ଗମନାଗମନ ଉପରେ ରହିଥିବା ନିଷେଧାଦେଶ ଏପ୍ରିଲ ଶେଷ ଯାଏଁ ବଳବତ୍ତର ରହୁ। କିନ୍ତୁ ରାଜ୍ୟ ମଧ୍ୟରେ ପନିପରିବା ଓ ଅତ୍ୟାବଶ୍ୟକ ଦ୍ରବ୍ୟର ଯୋଗାଣ ସ୍ୱାଭାବିକ କରାଯାଉ। ବଡ଼ ବଡ଼ ଶିଳ୍ପ ଯେଉଁ କୋହଳ ନିୟମରେ କାର୍ଯ୍ୟ କରୁଛି ଏମଏସଏମଇ ସେକ୍ଟର ପ୍ରତି ସେହି ନିୟମ ଲାଗୁ ହେଉ। ସହରର ଗୋଟିଏ ସ୍ଥାନରେ ହାଟ ଆଦି ନଖୋଲି ପ୍ରତି କଲୋନିରେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦୋକାନ ଖୋଲୁ। ଏହା ହେଲ ଗୋଟିଏ ସ୍ଥାନରେ ଅଧିକ ଭିଡ଼ ହେବ ନାହିଁ। ସେଥିପାଇଁ ବର୍ତ୍ତମାନର ସହର ଯୋଜନାରେ ପରିବର୍ତ୍ତନ କରାଯାଉ।