ନିଷ୍ଠୁର ବିଜେତା-୨

Apr 6, 2019 - 05:53
 527
ନିଷ୍ଠୁର ବିଜେତା-୨
ବିଶ୍ବଜିତ ମହାନ୍ତି ବଳି ପ୍ରସ୍ତୁତି ନବୀନ ପଟ୍ଟନାୟକଙ୍କ ସରକାରରେ ଛେଳି ଓ ମନ୍ତ୍ରୀଙ୍କ ମଧ୍ୟରେ ବିଶେଷ କିଛି ଫରକ ନାହିଁ, ଟିକେ କ’ଣ ହେଲେ ଦି’ଟା ଯାକ ବଳି ପଡ଼ନ୍ତି। ସେ ଏହି କୌଶଳ ଜରିଆରେ ନିଜକୁ ଜଣେ ଅପରାଜେୟ ଏକଛତ୍ରବାଦୀ ଭାବେ ପ୍ରତିଷ୍ଠିତ କରାଇଛନ୍ତି। ଅନେକ ସମୟରେ ମନ୍ତ୍ରୀମାନଙ୍କୁ କୌଣସି କାରଣ ନଥାଇ କେବଳ ପରପୀଡ଼ାରୁ ଖୁସି ନେବା ପାଇଁ ବହିଷ୍କାର କରାଯାଏ। ସାମାନ୍ୟ ଅପବାଦ ଉଠିଲେ ନବୀନ ମନ୍ତ୍ରୀମାନଙ୍କୁ ବହିଷ୍କାର କରିଦିଅନ୍ତି, କିନ୍ତୁ କିଛି ଦିନ ପରେ ଲୋକମାନେ ଅପବାଦ କଥା ଭୁଲିଗଲେ ସେ ପୁଣି ସେମାନଙ୍କୁ କୋଳେଇ ନିଅନ୍ତି। ଦଳୀୟ ନେତାମାନଙ୍କ ବିରୋଧରେ ଉଠୁଥିବା ଅଭିଯୋଗର କେବେ ବି ଶେଷ ଯାଏଁ ତଦନ୍ତ ହୁଏନାହିଁ। ଯେଉଁ ପ୍ରଶାନ୍ତ ନନ୍ଦଙ୍କୁ ଦୁର୍ନୀତି ଅଭିଯୋଗରେ ସେ ୨୦୦୧ ମସିହାରେ ବରଖାସ୍ତ କରିଥିଲେ ସେହି ପ୍ରଶାନ୍ତ ନନ୍ଦଙ୍କୁ ସେ ଏହାର ୧୧ ବର୍ଷ ପରେ ପୁଣି ମନ୍ତ୍ରୀ ପଦ ପ୍ରଦାନ କରିଥିଲେ। ଅପାରଗ ଓ ଦୁର୍ନୀତି ଅଭିଯୁକ୍ତ ମନ୍ତ୍ରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେ ନିଜ ପାଇଁ ନିର୍ମଳ ଭାବମୂର୍ତ୍ତିର ଗୋଟେ ଖୋଳପା ତିଆରି କରିଛନ୍ତି। ତାଙ୍କର ଏଇପରି କେତେକ ଦୃଢ଼ ନିଷ୍ପତ୍ତିକୁ ଲୋକେ ପ୍ରଶଂସା କରନ୍ତି। ଜେବି ପଟ୍ଟନାୟକଙ୍କ ଶାସନ ଶୈଳୀରୁ ଏହା ଅନେକ ଭିନ୍ନ। ଜେବି ତାଙ୍କ ସମୟରେ କ୍ଷମତାରେ ରହିବା ପାଇଁ ଅନେକ ବୁଝାମଣା କରିଥିଲେ, କଂଗ୍ରେସର ବିଭିନ୍ନ ଗୋଷ୍ଠୀ ମଧ୍ୟରେ କ୍ଷମତାର ଭାରସାମ୍ୟ ରକ୍ଷା କରିଥିଲେ। ନବୀନ ଏଥିରେ ଭିନ୍ନ। ନବୀନ ତାଙ୍କର ପ୍ରଥମ ୧୫ ବର୍ଷର ଶାସନ ମଧ୍ୟରେ ଅନ୍ୟୁନ ୩୬ ଜଣ ମନ୍ତ୍ରୀଙ୍କୁ ଇସ୍ତଫା ନିଦ୍ଦେର୍ଶ ଦେଇଛନ୍ତି ବା ବହିଷ୍କାର କରିଛନ୍ତି। ଏମାନଙ୍କ ମଧ୍ୟରୁ ନବୀନ ୩୪ ଜଣଙ୍କୁ ବହିଷ୍କାର କରିଛନ୍ତି, ମାତ୍ର ଦୁଇ ଜଣ ଇସ୍ତଫା ଦେଇଛନ୍ତି। ପ୍ରତି ଛଅ ମାସରେ ଥରେ ସ୍ଥିତି ବଦଳୁଥିବାରୁ କୌଣସି ମନ୍ତ୍ରୀ ନିଜକୁ ନବୀନଙ୍କ ପରେ ଦ୍ୱିତୀୟ କ୍ଷମତାଶାଳୀ ଭାବେ ପ୍ରତିପାଦିତ କରିପାରି ନାହାନ୍ତି। ଭୁବନେଶ୍ୱରରେ ଚାଲୁଥିବା ଗୋଟେ ଜୋକ୍ ହେଉଛି, ଯେଉଁ ମନ୍ତ୍ରୀ ନବୀନ ଟିଭି କ୍ୟାମେରା ଆଗରେ ବାଇଟ୍ ଦେବାବେଳେ ତାଙ୍କ ପାଖରେ ଠିଆ ହୋଇଥିବେ ତାଙ୍କ ପଦବୀ ଖୁବଶୀଘ୍ର ଗଲା ବୋଲି ଜାଣ! ଅମଲାମାନେ ଖୁବଶୀଘ୍ର ନବୀନଙ୍କର ଏ ପ୍ରକାର ଅଦଳବଦଳରୁ ଫାଇଦା ଉଠାଇବା ଶିଖିଗଲେ। ୨୦୦୯ ମସିହା ଯାଏଁ ଅଧିକାଂଶ ମନ୍ତ୍ରୀ ସର୍ବକ୍ଷମତାଶାଳୀ ପ୍ୟାରୀ ମୋହନ ମହାପାତ୍ରଙ୍କ ଯୋଗୁଁ ମନ୍ତ୍ରୀ ପଦ ପାଇଥିଲେ। ଯେଉଁ ବିଧାୟକମାନେ ପ୍ୟାରୀବାବୁଙ୍କ ଶରଣ ଯାଉ ନଥିଲେ ସେମାନେ ମନ୍ତ୍ରୀ ହୋଇପାରୁ ନଥିଲେ। ଦାମୋଦର ରାଉତଙ୍କ ପରି କେତେ ଜଣ ପ୍ୟାରୀ ସମାଲୋଚକଙ୍କୁ ରାଜନୀତିକ ଦୃଷ୍ଟିକୋଣରୁ ଅଧିକ ଦିନ ଅସନ୍ତୁଷ୍ଟ କରାଯାଉ ନଥିଲେ ବି ତାଙ୍କ ମୁଣ୍ଡ ଉପରେ ସବୁବେଳେ ଖଣ୍ଡା ଝୁଲାଇ ରଖାଯାଉଥିଲା। କନିଷ୍ଠ ମନ୍ତ୍ରୀମାନଙ୍କ ଜରିଆରେ ବରିଷ୍ଠମାନଙ୍କୁ ବହିଷ୍କାର ବାର୍ତ୍ତା ଦିଆଯାଉଥିଲା। ୨୦୦୬ ମେ ୧୬ ତାରିଖରେ ଗୋଟିଏ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଥିଲା। ଏଇ ସମୟରେ ବିଭାଗୀୟ ମନ୍ତ୍ରୀଙ୍କ ମୋବାଇଲ ଫୋନ ବାଜିଲା। ସେପଟରୁ ନବୀନଙ୍କ ପ୍ରଶ୍ନ ଥିଲା, ଆମ ମନ୍ତ୍ରିମଣ୍ଡଳରେ ଜଣେ ନୂଆ ମୁହଁ ନେଲେ କେମିତି ହୁଅନ୍ତା? ଫୋନ ଧରିଥିବା ମନ୍ତ୍ରୀଙ୍କ ହୃତସ୍ପନ୍ଦନ ବଢ଼ିଗଲା, ସେ ଜାଣିଥିଲେ କ’ଣ ହେବାକୁ ଯାଉଛି! ସେ କାଳ ବିଳମ୍ୱ ନକରି କହିପକାଇଲେ, ହଁ, ସାର୍! ସେପଟରୁ ନବୀନଙ୍କ ଶୀତଳ ନିଦ୍ଦେର୍ଶ, ଆପଣ ଘଣ୍ଟାକ ଭିତରେ ଆସି ନିଜର ଇସ୍ତଫାପତ୍ର ଦେଇପାରିବେ? ମନ୍ତ୍ରୀ ଚଟାପଟ ଉତ୍ତର ଦେଲେ, ଘଣ୍ଟାଏ କାହିଁକି ଆଜ୍ଞା, ମୁଁ ଅଧ ଘଣ୍ଟା ଭିତରେ ସେଠାରେ ପହଂଚିଯାଉଛି। ମନ୍ତ୍ରୀଙ୍କର ଏଭଳି ପୂର୍ଣର୍ ଆନୁଗତ୍ୟ ପାଇଁ ସାତ ବର୍ଷ ପରେ ତାଙ୍କୁ ଲୋକସଭା ଟିକେଟ ମିଳିଥିଲା। ସେହି ୨୦୦୬ ମେ ମାସର ଅନ୍ୟ ଏକ ଘଟଣା। ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ଭେଟି ଖୁସି ମନରେ ଫେରୁଥିଲେ। ସ୍ୱାସ୍ଥ୍ୟ ବିଭାଗରେ ଭଲ କାମ କରିଥିବାରୁ ନବୀନ ତାଙ୍କୁ ପ୍ରଶଂସା କରିଥିଲେ। ପର ଦିନ ତାଙ୍କର ଜଣେ ସହକର୍ମୀ ତାଙ୍କୁ ଫୋନ କରି ଖୁବଶୀଘ୍ର ସେ ବିଦା ହେଉଛନ୍ତି ବୋଲି କହିଲେ। ବିଜୟଶ୍ରୀ ଏହା ବିଲକୁଲ ବିଶ୍ୱାସ କଲେନି। ନବୀନ ତାଙ୍କୁ କେତେ ପ୍ରଶଂସା କରିଛନ୍ତି! ବାହାର କରିବେ କାହିଁକି? କିନ୍ତୁ ତାହା ହିଁ ହେଲା। ୨୦୦୬ ମେ ୧୬ ତାରିଖ ଦିନ ତାଙ୍କୁ ବିଦାୟ ନେବାକୁ ପଡ଼ିଲା। ସେତେବେଳେ ସେ ନିଜ ନିର୍ବାଚନ ମଣ୍ଡଳୀ ବାସୁଦେବପୁରରେ ଏକ ସାଧାରଣ ସଭାରେ ଭାଷଣ ଦେଉଥିଲେ। ସେ ତୁରନ୍ତ ସଭା ଛାଡ଼ି ଭୁବନେଶ୍ୱର ଗଲେ। ତାଙ୍କ ସମେତ ଅନ୍ୟ ତିନି ଜଣ ମନ୍ତ୍ରୀଙ୍କୁ ଇସ୍ତଫା ନିଦ୍ଦେର୍ଶ ଦିଆଯାଇଥିଲା। ଅନ୍ୟ ତିନି ମନ୍ତ୍ରୀ ହେଲେ ଦାମୋଦର ରାଉତ, ନଗେନ୍ଦ୍ର ପ୍ରଧାନ ଓ ବଳଭଦ୍ର ମାଝୀ। ନବୀନ ଶାସନରେ ଅଧିକାଂଶ ମନ୍ତ୍ରୀଙ୍କର କିଛି ଗୁରୁତ୍ୱ ନଥାଏ। ଅନେକ ଫାଇଲ ସେମାନଙ୍କୁ ଆଡେ଼ଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଳାନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଫିସ ଭାବେ ପରିଚିତ ତୃତୀୟ ମହଲାରେ ସରକାରଙ୍କର ପ୍ରାୟ ସମସ୍ତ କ୍ଷମତା କେନ୍ଦ୍ରୀଭୂତ ହୋଇଥିବାରୁ ସେଠାର ବାବୁମାନେ ହିଁ ପ୍ରକୃତ ସରକାର ହୋଇଯାଇଛନ୍ତି। ଏ ବିଷୟରେ ବଡ଼ ପାଟିରେ ନହେଲେ ବି ଫୁସଫୁସ ହୁଅନ୍ତି ବାବୁ ଓ ମନ୍ତ୍ରୀ। ତୃତୀୟ ମହଲାରୁ ହିଁ ଦଳୀୟ ବ୍ୟାପାର ପରିଚାଳିତ ହୁଏ। ମୁଖପାତ୍ରମାନେ ଟିଭି ବିତର୍କରେ କ’ଣ କହିବେ ତାହା ବି ନିର୍ଦ୍ଧାରଣ କରନ୍ତି ତୃତୀୟ ମହଲାର ବାବୁ। ସଚିବାଳୟର ଏକମାତ୍ର କାଗଜ ଟୁକୁରା ଯନ୍ତ୍ର ଏହି ମହଲାରେ ହିଁ ଥାଏ। କହିବା ବାହୁଲ୍ୟ, ସେଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନଥି ଟୁକୁରା ଟୁକୁରା ହୋଇଯାଏ। ଫାଇଲରେ ଦସ୍ତଖତ କରିବାକୁ ମନ୍ତ୍ରୀମାନଙ୍କୁ ତୃତୀୟ ମହଲାର ବାବୁମାନେ ନିଦ୍ଦେର୍ଶ ଦିଅନ୍ତି। ମନ୍ତ୍ରୀମାନେ ବି ଆଜ୍ଞାଧୀନ ଛାତ୍ର ପରି ତାହା ପାଳନ କରନ୍ତି। ଏଭଳି ସ୍ଥିତିରେ ମନ୍ତ୍ରୀମାନଙ୍କର ପ୍ରାୟତଃ କିଛି କାମ ନଥାଏ। ସେମାନେ ସଚିବାଳୟ ପ୍ରକୋଷ୍ଠରେ ବସି ନିଜ କର୍ମୀ ଓ ସାମ୍ୱାଦିକ ବନ୍ଧୁମାନଙ୍କ ସହିତ ଖଟି କରନ୍ତି। ଯେଉଁ ବିଭାଗୀୟ ସଚିବମାନେ ତୃତୀୟ ମହଲା ସହିତ ସିଧାସଳଖ ସଂପର୍କ ରଖିଥାନ୍ତି ସେମାନେ ମନ୍ତ୍ରୀଙ୍କ ଡକରା ପାଇ ବି ଯାଆନ୍ତି ନାହିଁ। ମନ୍ତ୍ରୀମାନଙ୍କର କ୍ଷମତା ନଥିବା ସେମାନେ ଜାଣିଥିବାରୁ ସେମାନଙ୍କର ମୌଖିକ ନିଦ୍ଦେର୍ଶ ସଚିବମାନେ ପାଳନ କରନ୍ତି ନାହିଁ। ତୃତୀୟ ମହଲାକୁ ଡରି ମନ୍ତ୍ରୀମାନେ ସଚିବମାନଙ୍କୁ କୌଣସି ଲିଖିତ ନିଦ୍ଦେର୍ଶ ଦେବାକୁ ବି ଡରନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଡରି ମନ୍ତ୍ରୀମାନେ ତାଙ୍କୁ ଏ ବିଷୟରେ କିଛି କହନ୍ତି ନାହିଁ। ଯେଉଁମାନେ ସେମାନଙ୍କ ସଚିବଙ୍କ ବିରୋଧରେ ଅଭିଯୋଗ କରନ୍ତି ସେମାନେ ଠୋକÑର ଖାଆନ୍ତି। ଜଣେ ବରିଷ୍ଠ ମନ୍ତ୍ରୀ ଥରେ ନିଜ ସଚିବଙ୍କ ମନମାନି ବିରୋଧରେ ନବୀନ ନିବାସ ଯାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କଲେ ଓ ତାଙ୍କୁ ବଦଳି କରିବାକୁ କହିଲେ। ମୁଖ୍ୟମନ୍ତ୍ରୀ ତାଙ୍କୁ ରାଗିକି କହିଲେ, ‘ଆପଣ କ’ଣ ନାଲିବତୀ ଗାଡ଼ି ଓ ସରକାରୀ ଘର ପାଇନାହାନ୍ତି! ଆଉ ଅଧିକ କ’ଣ ଚାହୁଁଛନ୍ତି?’ ମନ୍ତ୍ରୀ ବାପୁଡ଼ା କାନମୁଣ୍ଡ ଆଉଁସି ଫେରିଲେ, ଆଶଙ୍କା କାଳେ ପର ନିର୍ବାଚନରେ ଲଢ଼ିବାକୁ ଟିକଟ ମିଳିବ ନାହିଁ! ଭଲ ପାଠଶାଠ ପଢ଼ିଥିବା ଜଣେ କନିଷ୍ଠ ମନ୍ତ୍ରୀ ଥରେ କହୁଥିଲେ, ସେ କେନ୍ଦ୍ର ସରକାରୀ ଚାକିରି ଛାଡ଼ି ବିଜୁ ଜନତା ଦଳରେ ଯୋଗଦେଇଥିଲେ। କିନ୍ତୁ ସେ ଖୋଲାଖୋଲି ନିଜ ମତ ପ୍ରକାଶ କରିବାରୁ ୨୦୧୪ ସରକାରରୁ ତାଙ୍କୁ ବାଦ ଦିଆଗଲା। ନିଜ ମନ୍ତ୍ରୀ ଓ ବିଧାୟକମାନଙ୍କୁ ବ୍ୟଙ୍ଗ କରିବାରେ ନବୀନ ଜଣେ ଓସ୍ତାଦ। ସେମାନଙ୍କ ପଛରେ ସେ ସେମାନଙ୍କୁ କୋଉ ଜୋକର, ଚଢ଼େଇ ବା ଜନ୍ତୁ ସହିତ ତୁଳନା କରନ୍ତି। ଅନେକ ମନ୍ତ୍ରୀ ଓ ବିଧାୟକଙ୍କ ନାଁ ବି ସେ ମନେ ରଖନ୍ତି ନାହିଁ। ତାଙ୍କଠାରୁ ଅପମାନିତ ହୋଇଥିବା କେତେକ ଦଳୀୟ ନେତା ପ୍ରତିଶୋଧ ନେବାକୁ ପଣ କରନ୍ତି। କିନ୍ତୁ ନବୀନ ତାହା ବି ଜାଣିପାରନ୍ତି ଓ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ତାଙ୍କର ସମାନ୍ତରାଳ ନେତୃତ୍ୱ ସୃଷ୍ଟି କରାଯାଏ। ପ୍ରତି ନିର୍ବାଚନରେ ପ୍ରାର୍ଥୀ ପରିବର୍ତ୍ତନ କରାଯାଏ। ୨୦୦୪ ବିଧାନସଭା ନିର୍ବାଚନରେ ଏଇଭଳି ଭାବରେ ୪୨ ଜଣ ପ୍ରାର୍ଥୀଙ୍କୁ ବଦଳାଯାଇଥିଲା। ୨୦୦୯ ନିର୍ବାଚନରେ ମଧ୍ୟ ସେହି ଏକା କଥା। ନବୀନଙ୍କ ଯୋଜନା ବିଷୟରେ ଜାଣି ନଥିବା ବିଧାୟକମାନେ କାହିଁକି ଟିକଟ କଟିଲା ବୁଝି ପାରନ୍ତି ନାହିଁ। ନବୀନଙ୍କର ପ୍ରାୟ କୌଣସି ଗୁରୁତ୍ୱପୂର୍ଣ୍ଣ କଥାରେ ଧ୍ୟାନ ନଥାଏ। ତାଙ୍କ ପାଖରେ ବସିଥିବା ଅଧିକାରୀମାନେ ଜାଣନ୍ତି ହଜାର ହଜାର କୋଟି ଟଙ୍କାର ନିଷ୍ପତ୍ତି ନିଆଯାଉଥିବାବେଳେ ସେ କାଗଜରେ ଗାରାଗାରି କରୁଥାନ୍ତି। ଥରେ ଆଠଗଡ଼ର ଏକ ନିର୍ବାଚନୀ ସଭାରେ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନବୀନଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ବିଷୟରେ ଜୋରଦାର ଭାଷଣ ଦେଉଥିଲେ। ପାଖରେ ବସିଥିବା ନବୀନ ଦଳର ଜଣେ ସାଂସଦଙ୍କୁ ଟିପ୍ପଣୀ ଦେଲେ, ରାଜା କେମିତି ପ୍ରସିଦ୍ଧ ଗାୟିକା ଲେଡି ଗାଗାଙ୍କ ଭଳି ହାତ ହଲାଉଛି ଦେଖନ୍ତୁ! ଅଧିକ କଥା ଶୁଣିବାକୁ ନବୀନଙ୍କର ଧୈର୍ଯ୍ୟ ନଥାଏ। ସେ ବି ଅଧିକ ସମୟ ଗୋଟେ ଜାଗାରେ ବସି ପାରନ୍ତି ନାହିଁ। ତାଙ୍କର ଏଇ ଗୁଣ ପାଇଁ ଥରେ ତତ୍କାଳୀନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶଙ୍କୁ କମ୍ ସମୟରେ ବୈଠକ ସାରିବାକୁ ପଡ଼ିଲା। ୨୦୦୪ ମସିହାରେ ଏହି ବୈଠକ ଚାଲିଥିବାବେଳେ ନବୀନ ବାରମ୍ୱାର ତାଙ୍କ ହାତଘଣ୍ଟା ଦେଖୁଥିଲେ! ଥରେ ରମେଶ ପଣ୍ଡା ନାମକ ଜଣେ ଲୋକ ଏଇ ଲେଖକଙ୍କୁ ନବୀନଙ୍କ ସଂପର୍କରେ ଗୋଟେ ମଜ୍ଜା କଥା କହିଥିଲେ। ନବୀନ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିର ଗୋଟିଏ ସାଧାରଣ ସଭାରେ ଯୋଗ ଦେଇଥାନ୍ତି। ହଠାତ କ’ଣ ହେଲା କେଜାଣି ସେ ମଞ୍ଚ ଉପରେ ଗର୍ଜି ଉଠିଲେ, ‘ଏମଏଲଏ କୋ ବୁଲାଓ!’ ଉପସ୍ଥିତ ଲୋକମାନେ ତାଜୁବ! କିଛି ସମୟ ପାଇଁ ସଭାରେ ନୀରବତା ଖେଳିଗଲା। ଶେଷରେ ଜଣେ ସରପଞ୍ଚ ଯାଇଁ ତାଙ୍କ କାନରେ କହିଲେ, ‘ସାର୍, ଆପଣ ପରା ଏଠିକା ଏମଏଲଏ!’ ନବୀନ ତାଙ୍କ ବିଧାୟକମାନଙ୍କୁ କିପରି ବ୍ୟବହାର ଦେଖାନ୍ତି ତାହାର ଏକ ନଜୀର ଦେଉଥିଲେ ଜଣେ ବିଜେଡି ନେତା। ୨୦୦୧ ମସିହାରେ ନବୀନ ଥରେ କଟକ ଯାଇଥିଲେ। ତାଙ୍କ ଗାଡ଼ି ପଛେ ପଛେ ଅନ୍ୟ ଏକ ଗାଡ଼ିରେ ଯାଉଥାନ୍ତି ସହରର ଜଣେ ଦଳୀୟ ବିଧାୟକ। କିନ୍ତୁ ଜନ ଗହଳି ହେତୁ ତାଙ୍କ ଆଉ ଆଗକୁ ଯାଇପାରୁ ନଥିଲା। ଖୁସି ଓ ଉେତ୍ତଜନା ଭିତରେ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ ଭିତରେ ପଶିଗଲେ। ଗର୍ଜି ଉଠିଲେ ନବୀନ, ‘ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିରେ ବସିବାକୁ ତମର ସାହସ କେମିତି ହେଲା?’ ଅପମାନିତ ବିଧାୟକ ପ୍ୟାରୀବାବୁଙ୍କ ଶିବିରରେ ମିଶିଲେ। କିନ୍ତୁ ପ୍ୟାରୀଙ୍କର ୨୦୧୨ ମଧ୍ୟରାତ୍ର ବିଦ୍ରୋହ ଫୁସ୍କିଯିବାରୁ ସେ ପୁଣି ନବୀନଙ୍କ ଶରଣାପନ୍ନ ହେଲେ। ନବୀନଙ୍କ ନେତୃତ୍ୱରେ ବିଜେଡି ନେତାମାନଙ୍କର ଆତ୍ମସମ୍ମାନ ଏମିତି ଶସ୍ତା! ନବୀନ କିନ୍ତୁ ମୂଳରୁ ଏମିତି ନଥିଲେ। ତାଙ୍କର ଘନିଷ୍ଟ କେତେକ ନେତା କୁହନ୍ତି ଯେ ୨୦୦୦ ମସିହା ବେଳକୁ ସେ ଅତ୍ୟନ୍ତ ଭଦ୍ର ଓ ଅମାୟିକ ଥିଲେ। ବିଧାୟକମାନଙ୍କୁ ଅତ୍ୟନ୍ତ ନମ୍ରତାର ସହିତ ସ୍ୱାଗତ କରୁଥିଲେ। ମାତ୍ର ୨୦୦୯ ନିର୍ବାଚନରେ ବିଜେପିକୁ ଛାଡ଼ି ସେ ଏକଲା ଅଧିକ ଆସନରେ ଜିତିବା ପରେ ତାଙ୍କ ଅହଂକାର ବଢ଼ି ବଢ଼ି ଚାଲିଲା। ନଅ ବର୍ଷର ନିରଙ୍କୁଶ କ୍ଷମତା ତାଙ୍କୁ ଗର୍ବୀ ଓ ଅହଂଙ୍କାରୀ କରିଦେଲା। ୨୦୧୪ ମସସିହାରେ ଏକ ଖବରକାଗଜରେ ପ୍ରକାଶିତ ସାକ୍ଷାତକାରରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ନବୀନଙ୍କ ସଂପର୍କରେ ଶୁଣାଯାଉଥିବା ଅନେକ କଥା ସତ ବୋଲି କହିଲେ। ସେହି ସାକ୍ଷାତକାରରେ ସେ କହିଥିଲେ ଯେ ନବୀନଙ୍କ ନିଜର ବୋଲି କିଛି ମସ୍ତିଷ୍କ ନାହିଁ। ସେ ଶାରୀରିକ ଓ ମାନସିକ ଭାବେ ନିସ୍ତେଜ। ବଛାବଛା କେତେ ଜଣ ଅମଲା, କିଛି ପୁଲିସ ଅଫିସର, ଅଳ୍ପ କିଛି ନେତା ଓ ଜଣେ ଖଣି ମାଫିଆ ନବୀନଙ୍କୁ କବÔା କରିଯାଇଛନ୍ତି ବୋଲି ସେ କହିଥିଲେ। ସେମାନଙ୍କୁ ସେ କେପିପିପି ବୋଲି କହିଥିଲେ। ଭାରତୀୟ ରାଜନୀତିରେ ନବୀନ ଜଣେ ଆଶ୍ଚର୍ଯ୍ୟ। ରାଜ୍ୟରେ ଦୃଢ଼ ବିରୋଧୀ ଦଳ ନଥିବାରୁ ସେ ଏତେ ବର୍ଷ କ୍ଷମତାରେ ରହିଛନ୍ତି। ବିରୋଧୀ ଦଳକୁ ଦୁର୍ବଳ କରି ରଖିବା ପାଇଁ ସେ କଂଗ୍ରେସରେ ଥିବା ତାଙ୍କର ଦିଲ୍ଲୀ ସାଙ୍ଗସାଥୀଙ୍କ ଜରିଆରେ ସବୁବେଳେ ଜଣେ ଦୁର୍ବଳ ବ୍ୟକ୍ତିଙ୍କୁ ଏହି ଦଳର ରାଜ୍ୟ ସଭାପତି କରାଇଥାନ୍ତି ବୋଲି ଘଡେ଼ଇ ପ୍ରକାଶ କରିଥିଲେ। ରାଜ୍ୟ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ମଧ୍ୟ ନବୀନ ଘନିଷ୍ଟ ସଂପର୍କ ରଖିଥିବା ସେ କହିଥିଲେ। ଏହି ସାକ୍ଷାତକାର ପାଇଁ ୨୦୧୪ ସେପ୍ଟେମ୍ୱର ୨୦ ତାରିଖରେ ଘଡେ଼ଇଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ଅଭିଶପ୍ତ ପଡ଼ୋଶୀ ମୁଖ୍ୟମନ୍ତ୍ରୀ ହେବା ଦିନରୁ ନବୀନ ତାଙ୍କ ବାପା ବିଜୁ ପଟ୍ଟନାୟକ ତିଆରି କରିଥିବା ନବୀନ ନିବାସରେ ରହି ଆସୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଘର ସଚିବାଳୟରୁ ମାତ୍ର ଅଧ କିଲୋମିଟର ହୋଇଥିଲେ ବି ସେ ସେଠାରେ କେବେ ରହି ନାହାନ୍ତି। ନବୀନ ନିବାସ ଏକ ବେସରକାରୀ ଘର ହୋଇଥିଲେ ବି ମୁଖ୍ୟମନ୍ତ୍ରୀ ସେଠାରୁ ସରକାରୀ କାର୍ଯ୍ୟ କରୁଥିବାରୁ ତାହା ଏକ ସରକାରୀ ଅଫିସ ଭାବେ କାର୍ଯ୍ୟ କରେ। କିନ୍ତୁ ଏକ ବେସରକାରୀ ଘରେ ସରକାରୀ ଅଫିସ ଖୋଲିବା ପାଇଁ ଏଇ ଘରର ମାଲିକମାନଙ୍କ ସହିତ କୌଣସି ପ୍ରକାର ଭଡ଼ା ଚୁକ୍ତି ହୋଇନାହିଁ କି ସରକାର ବି ସେଥିପାଇଁ କୌଣସି ଭଡ଼ା ଦେଇ ନାହାନ୍ତି। ସୂଚନା ଅଧିକାର ଆଇନ ବଳରେ ଏଇ ତଥ୍ୟ ପଦାକୁ ଆସିଛି। ନବୀନ ତାଙ୍କ ପୈତୃକ ଘରେ ରହିବା କିନ୍ତୁ ତାଙ୍କ ପଡେ଼ଶୀମାନଙ୍କ ପାଇଁ ଅଭିଶାପରେ ପରିଣତ ହୋଇଛି। ନବୀନ ନିଜ ଗୋପନୀୟତା ରକ୍ଷା କରିବା ପାଇଁ ଘରର ପାଚେରୀ ଉଚ୍ଚ କରିଦେଇଛନ୍ତି। ବିଶାଳ ଲୁହା ଗେଟ୍ ଲଗାଇଛନ୍ତି। ପାଚେରୀ କଡ଼ରେ ଗଛ ଲଗାଇ ବାହାର ଲୋକଙ୍କ ନଜରରୁ ନବୀନ ନିବାସକୁ ଲୁଚାଇ ପକାଇଛନ୍ତି। କେବଳ ସେତିକି ନୁହେଁ କାଳେ କେଉଁ ପଡ଼ୋଶୀ ତାଙ୍କ ଘର ଛାତ ଉପରୁ ନବୀନ ନିବାସରେ କ’ଣ ଚାଲିଛି ଦେଖିଦେବ ସେଥିପାଇଁ ଭୁବନେଶ୍ୱର ଉନ୍ନୟନ ନିଗମ ନବୀନ ନିବାସ ଆଖପାଖରେ କାହାକୁ ଦୁଇ କି ତିନି ମହଲା କରିବାର ଅନୁମତି ଦେଇନାହିଁ। ଏମିତିକି ନବୀନ ନିବାସକୁ ଲାଗି ରହିଥିବା ଜଣେ ସରକାରୀ ଡ୍ରାଇଭର ଲକ୍ଷ୍ମୀଧର ମହାନ୍ତିଙ୍କୁ ତାଙ୍କ ତାଙ୍କ ପ୍ଲଟରେ ଘର କରିବାକୁ ମଧ୍ୟ ଅନୁମତି ମିଳିଲା ନାହିଁ। ଶେଷରେ ସେଥିପାଇଁ ତାଙ୍କୁ କୋର୍ଟରେ ମକଦ୍ଦମା କରିବାକୁ ହେଲା। ଏହା ପରେ ଯାଇଁ ତାଙ୍କୁ ଏକମହଲା କରିବାକୁ ଅନୁମତି ମିଳିଲା। ତାଙ୍କରି ବିଫଳତା ଯୋଗୁଁ ରାଜ୍ୟରେ ନକ୍ସଲ ଉପଦ୍ରବ ବଢ଼ିବା ପରେ ସେ ନିଜକୁ ସୁରକ୍ଷିତ ରଖିବା ପାଇଁ ନିଜର ନିରାପତ୍ତା ବ୍ୟବସ୍ଥା ବହୁଗୁଣ ବଢ଼ାଇ ଦେଇଛନ୍ତି। ନବୀନ ନିବାସ ଜଗିବା ପାଇଁ ୨୦୦୪ ମସିହାରେ ୧୨୦ ଜଣ ସଶସ୍ତ୍ର ପୁଲିସ ମୁତୟନ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରିବା ସମୟରେ ପୋଖରିପୁଟ, ଏରୋଡ୍ରମ ଏରିଆ ଓ ଫରେଷ୍ଟ ପାର୍କ ରାସ୍ତା ବନ୍ଦ ହୋଇଯାଏ କହିଲେ ଚଳେ। ତାଙ୍କ ଗାଡ଼ିଯୂଥ ଦେଖିଲା ଭଳି। ତାଙ୍କ ଗାଡ଼ି, ପୁଲିସ ଗାଡ଼ି, ଆମ୍ୱୁଲାନ୍ସ, ଜାମ୍ମର ଗାଡ଼ି ଆଦି ୪-୫ଟା ଗାଡ଼ି ସାଇରନ୍ ବଜେଇ ଗଲାବେଳେ ପୁଲିସ ଅଧିକାରୀମାନେ ରାସ୍ତାରେ ସାଧାରଣ ଲୋକଙ୍କ ଯାତାୟତ ବନ୍ଦ କରି ଦିଅନ୍ତି। ନବୀନ ଗଲା ପରେ ଯାଇଁ ରାସ୍ତା ଖୋଲେ। ନବୀନଙ୍କର ଏପରି ଆଦବ କାଇଦା ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କର ସଂପୂର୍ଣ୍ଣ ବିପରୀତ। ବିଜୁବାବୁ ମୁଖ୍ୟମନ୍ତ୍ରୀ ଥିଲାବେଳେ ପାର୍ଟି ଲୋକଙ୍କ ବାଧ୍ୟବାଧକତାରେ ପଡ଼ି ଗେଟ୍ ଆଗରେ ଜଣେ ମାତ୍ର ପୁଲିସ ମୁତୟନ କରିଥିଲେ। ସେ ନିଜେ ଦୁଆର ଖୋଲା ରଖି ଶୋଉଥିଲେ। ତାଙ୍କ ଗାଡ଼ି ଆଗରେ କେବଳ ଜଣେ ପୁଲିସ ଇନିସପେକ୍ଟର ଓ ଦୁଇ ଜଣ କନଷ୍ଟେବଳ ଗୋଟିଏ ଜିପରେ ଯାଉଥିଲେ! ଋହସ୍ୟର ଉନ୍ମୋଚନ ନବୀନ ପୃଥିବୀର ଏକମାତ୍ର ନେତା ଯିଏ ଲୋକଙ୍କ ଭାଷା ନଜାଣି ମଧ୍ୟ ଲୋକପ୍ରିୟ। ତାଙ୍କର ସରକାରୀ ଭାଷା ଆଇନ ୧୯୫୪ ପ୍ରତି ଆଦୌ ନିଷ୍ଠା କି ସମ୍ମାନ ନାହିଁ। ଏହି ଆଇନ ଅନୁସାରେ ଓଡ଼ିଆ ଓଡ଼ିଶାର ସରକାରୀ ଭାଷା ହେବା କଥା। ଓଡ଼ିଆ ଓ ଓଡ଼ିଶାଙ୍କ ସ୍ୱାଭିମାନ ପାଇଁ ଲଢ଼େଇ କରିବାକୁ ବିଜୁ ଜନତା ଦଳ ଗଠିତ ହୋଇଛି ବୋଲି ପ୍ରଚାର କରାଯାଉଛି। ଅଥଚ ଆଜି ବି ନବୀନଙ୍କ ଭାଷଣ ଇଂରାଜୀ ଅକ୍ଷରରେ ଲେଖାଯାଉଛି। ଆଂଚଳିକ ସ୍ୱାଭିମାନର ପ୍ରତିଷ୍ଠା ପାଇଁ ବିଜୁ ଜନତା ଦଳ ଗଢ଼ାଯିବା ୨୦ ବର୍ଷ ହେଲାଣି ଅଥଚ ନବୀନ ନିଜେ ଏଯାଏଁ ଆଂଚଳିକ ଭାଷା ଶିଖିପାରିଲେ ନାହିଁ। ନବୀନଙ୍କୁ ଓଡ଼ିଆ ଶିଖେଇବା ପାଇଁ ଏକଦା ପ୍ରଫେସର ରାଜ କିଶୋର ମିଶ୍ରଙ୍କୁ ନିଯୁକ୍ତ କରାଯାଇଥିଲା। କିନ୍ତୁ ମାତ୍ର ତିନି ମାସ ପରେ ଦାୟିତ୍ୱରୁ ଅବ୍ୟାହତି ନେଇଗଲେ। ସେହି ସମୟରେ ସେ କହିଥିଲେ ଯେ ଉଭୟ ଛାତ୍ର ଓ ଶିକ୍ଷକଙ୍କର ବିରକ୍ତି ଆସିଯାଇଥିଲା! ୨୦୦୨ ମସିହାରେ ବିଜେପି ନେତା ଜୁଏଲ ଓରାମ ନବୀନଙ୍କ ଓଡ଼ିଆରେ ଅପାରଗତାକୁ ବିଦ୍ରୁପ କରିଥିଲେ। ଏପରିକି ସ୍ଥାନୀୟ ଟେଲିଭିଜନରେ ମଧ୍ୟ ତାଙ୍କ ଓଡ଼ିଆ କଥାକୁ ନକଲ କରି ବିଦ୍ରୁପ କରାଯାଉଛି। ତଥାପି କେତେକ ରାଜନୀତିକ ପର୍ଯ୍ୟବେକ୍ଷକ କୁହନ୍ତି ରାଜ୍ୟବାସୀଙ୍କ ଭାଷା ନକହିବା ତାଙ୍କ ସପକ୍ଷରେ ଯାଇଛି। ଲୋକେ ତାଙ୍କୁ ନିଜ ଭିତରେ ଜଣେ ବୋଲି ଭାବୁ ନାହାନ୍ତି। ରାଜା ହେବା ପାଇଁ ଏହା ଆବଶ୍ୟକ! ୨୦୧୫ ଜୁଲାଇ ମାସର କଥା। ବିଜେଡ ିସାଂସଦ ବୈଷ୍ଣବ ପରିଡ଼ା ସାଧାରଣରେ ଗର୍ଜିଲେ, ‘ତୁମେ ଯଦି ଓଡ଼ିଆ ଭାଷାରେ ଶାସନ ଚଳାଇବ ନାହିଁ ତେବେ ଓଡ଼ିଶାରେ ଶାସନ କରିବାର ତୁମର ଅଧିକାର ନାହିଁ!’ ଓଡ଼ିଆେରେ ଶାସନ ଚଳାଇବାକୁ ନବୀନଙ୍କୁ ପୋଷ୍ଟ କାର୍ଡ଼ ଚିଠି ପଠାଇବାକୁ ଆହ୍ୱାନ ଦେଲେ ପରିଡ଼ା। ଏହାର କିଛି ଦିନ ପରେ ଏକ ଦଳୀୟ ସଭାରେ ନବୀନଙ୍କ ତାଗିଦ ପାଇ ପରିଡ଼ା ପଛକୁ ହଟିଲେ। ସାଧାରଣ ଲୋକଙ୍କ ସହିତ ମିଶିବା, ସେମାନଙ୍କୁ ନିଜର ଭାବିବା ଏବଂ ସେମାନଙ୍କ ଦୁଃଖରେ ଦୁଃଖୀ ହେବା ଭଳି ନେତା ନବୀନ ନୁହନ୍ତି। ସେ କେବେ ବି ନିଜ ବାପାଙ୍କ ପରି କୋଉ ଝୁପୁଡ଼ି ଘରେ ଯାଇ ଗରୀବ ଲୋକଙ୍କ ସହିତ ଏକାଠି ଖାଇ ନାହାନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ନବୀନଙ୍କର ଏହି ଦୂରିଆ ଦୂରିଆ ଭାବ ଓ ଗୋପନ ବ୍ୟକ୍ତିତ୍ୱକୁ ଲୋକମାନେ ଭଲ ପାଉଛନ୍ତି, ତାଙ୍କୁ ପୂଜା କରୁଛନ୍ତି। ଲୋକେ ଧରି ନେଇଛନ୍ତି ଯେ ନବୀନ ଅନିଚ୍ଛାକୃତ ଭାବେ ରାଜନୀତିକୁ ଆସିଛନ୍ତି, ଆଉ ତାଙ୍କର ପିଲାଛୁଆ ନଥିବାରୁ ସେ ଦୁର୍ନୀତି କରି ସଂପତ୍ତି ଅର୍ଜନ କରିବାକୁ ଚାହାନ୍ତି ନାହିଁ। ଲୋକେ ବିଶ୍ୱାସ କରିଯାଇଛନ୍ତି ଯେ ନବୀନ ଓଡ଼ିଆଙ୍କୁ ଉତ୍କଟ ଦାରିଦ୍ର୍ୟରୁ ଉପରକୁ ଉଠାଇବାକୁ ଦିଲ୍ଲୀର ବିଳାସପୂର୍ଣ୍ଣ ଜୀବନଶୈଳୀ ତ୍ୟାଗ କରି ଓଡ଼ିଶା ଆସିଛନ୍ତି। ସେ ଓଡ଼ିଶା ରାଜନୀତିରେ ପାଦଥାପିବା ଦିନରୁ ଛୋଟ ପାଇଜାମା ଓ ଚପଲ ଏକ ସ୍ଥାୟୀ ୟୁନିଫର୍ମ ହୋଇଯାଇଛି। ଗ୍ରାମାଞ୍ଚଳର ଲୋକେ ତାଙ୍କର ଏଇ ସାଦାସିଧା ପୋଷାକକୁ ତାଙ୍କର ତ୍ୟାଗ ଓ ସରଳତା ବୋଲି ବିଶ୍ୱାସ କରିଯାଇଛନ୍ତି। ନବୀନ ତାଙ୍କ ବାପାଙ୍କ ପରି ନିଜର ଉଦାର ଓ ଦାନୀ ଭାବମୂର୍ତ୍ତି ଗଢ଼ିବା ପାଇଁ ନିଜ ଲୋକଙ୍କ ଜରିଆରେ ଅନେକ କାହାଣୀ ରଚନା କରିଛନ୍ତି। ଥରେ ଜଣେ ଆଦିବାସୀ ବିଧାୟକ ତାଙ୍କ ଝିଅ ବାହାଘରକୁ ନବୀନଙ୍କ ନିମନ୍ତ୍ରଣ କରିବା ପାଇଁ ନବୀନ ନିବାସ ଯାଇଥିଲେ। ନବୀନ ତାଙ୍କୁ ପଚାରିଲେ, ବାହାଘର ପାଇଁ ଯଥେଷ୍ଟ ଟଙ୍କା ଅଛି ତ’? ବିଧାୟକ ଟିକେ ଥତମତ ହୋଇ କହିଲେ, ସାର୍ ୭-୮ ଟଙ୍କା ନିଅଣ୍ଟ ପଡ଼ୁଛି। ନବୀନ ଭିତରକୁ ଗଲେ ଓ ଗୋଟେ ପ୍ୟାକେଟ ଆଣି ବଢ଼େଇଦେଲେ। ବିଧାୟକ ଜଣକ ଘରେ ପହଂଚି ଖୁସିରେ ଆତ୍ମହରା ହୋଇଗଲେ, ପ୍ୟାକେଟରେ ୧୨ ଲକ୍ଷ ଟଙ୍କା ଥିଲା। ଅନ୍ୟ ଏକ ଘଟଣା। ନବୀନଙ୍କ ଅଳ୍ପ ଦିନର ଓଡ଼ିଆ ଶିକ୍ଷକ ପ୍ରଫେସର ରାଜକିଶୋର ମିଶ୍ର ତାଙ୍କ ପାରିଶ୍ରମିକ ବଦଳରେ ଜଣେ ବିଧବା ମହିଳାଙ୍କୁ ସହାୟତା କରିବାକୁ ନବୀନଙ୍କ ଅନୁରୋଧ କରିଥିଲେ। ଅମଲାମାନେ ଭିନ୍ନ ମତ ଦେଲେ, କହିଲେ ଏହିପରି ଆହୁରି ୬୦ ମାମଲା ରହିଛି। ନବୀନ କାହାରି କଥା ଶୁଣିଲେ ନାହିଁ- ସେ ସମସ୍ତ ୬୧ ଜଣଙ୍କୁ ଚାକିରି ଦେବାକୁ ନିଦ୍ଦେର୍ଶ ଦେଲେ। ଭୁବନେଶ୍ୱରର ଏକ ସରକାରୀ ହସ୍ତତନ୍ତ ଦୋକାନରୁ କିଛି ଜିନିଷ ବାଛି ଟଙ୍କା ଦେଲାରୁ ଦୋକାନର କର୍ମଚାରୀ ଆଶ୍ଚର୍ଯ୍ୟଚକିତ ହୋଇଗଲେ! ମନ୍ତ୍ରୀମାନେ ସରକାରୀ ଦୋକାନରୁ ଜିନିଷ ନେଇ ଟଙ୍କା ଦେବା ସେ କେବେ ଜାଣି ନଥିଲେ! ନବୀନଙ୍କ ସଂପର୍କରେ ଏଇପରି କିଛି କଥାର ପ୍ରଚାର ତାଙ୍କ ଭାବମୂର୍ତ୍ତି ଗଢ଼ିବାରେ ସହାୟକ ହୋଇଛି। ଯେତେବେଳେ ତାଙ୍କ ସରକାରରେ କିଛି ଦୁର୍ନୀତି ଅଭିଯୋଗ ଉଠିଛି ସେତେବେଳେ ଲୋକେ ଧରିନେଇଛନ୍ତି ଯେ ନବୀନବାବୁଙ୍କ ଅଜ୍ଞାତସାରରେ ଏପରି ହୋଇଥିବ! ବିରୋଧୀଙ୍କ ଦୁର୍ନୀତି ଅଭିଯୋଗକୁ ଲୋକମାନେ ଗ୍ରହଣ କରନ୍ତି ନାହିଁ। ତେବେ ମୁଖ୍ୟମନ୍ତ୍ରୀ ପଦବୀରେ ଥାଇ ନବୀନ କିପରି ଦୁର୍ନୀତି ବିଷୟରେ ଜାଣିଲେ ନାହିଁ ତାହା କେହି ପଚାରନ୍ତି ନାହିଁ। ବିବାହ ନକରିବା ଓ ବେଶୀ ଲୋକଙ୍କ ସହିତ ମିଶାମିଶି ନକରିବା ଏଭଳି ଏକ ଭାବମୂର୍ତ୍ତି ଗଢ଼ିବାରେ ନବୀନଙ୍କ ପାଇଁ ସହାୟକ ହୋଇଛି। ସାଧାରଣତଃ ଭାରତୀୟ ରାଜନେତାମାନେ ନିଜ ପିଲା ପରିବାରଙ୍କ ଦ୍ୱାରା ପ୍ରଭାବିତ ହୋଇଥାନ୍ତି। ନବୀନଙ୍କର ପିଲାପରିବାର ନଥିବାରୁ ଲୋକେ ତାଙ୍କୁ ସେହି ଦୋଷ ଦିଅନ୍ତି ନାହିଁ। କିନ୍ତୁ ଦିଲ୍ଲୀରେ ଥିବା ତାଙ୍କର ବଡ଼ ଭାଇ ପ୍ରେମ ପଟ୍ଟନାୟକ ଓ ନ୍ୟୁୟର୍କରେ ରହୁଥିବା ତାଙ୍କର ବଡ଼ ଭଉଣୀ ପ୍ରସିଦ୍ଧ ଲେଖିକା ଗୀତା ମେହେଟ୍ଟାଙ୍କର ପ୍ରଭାବ ତାଙ୍କ ଉପରେ ଓ ତାଙ୍କ ସରକାର ଉପରେ ନିଶ୍ଚିତ ରହିଛି। ଏ ବିଷୟ ଅବଶ୍ୟ ବାହାରକୁ ଆସେ ନାହିଁ। ସେଦୁହେଁ ନବୀନଙ୍କ ସହିତ ନିୟମିତ ସଂପର୍କରେ ଥିଲେ ମଧ୍ୟ ତାହା ଗୋପନୀୟ ରହେ। ନବୀନଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କୁ ଲୋକେ ପ୍ରଥମେ ଦେଖିଲେ ତାଙ୍କ ଶାସନର ୧୪ ବର୍ଷ ପରେ। ୨୦୧୪ ମେ ୨୨ ତାରିଖରେ ତାଙ୍କର ଚତୁର୍ଥ ବାର ଶପଥ ଗ୍ରହଣ ଉତ୍ସବରେ ଗୀତା ଲୋକଲୋଚନକୁ ଆସିଲେ। ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ ପଟ୍ଟନାୟକଙ୍କୁ କେହି ଏଯାଏଁ ଓଡ଼ିଶାରେ ଦେଖି ନାହାନ୍ତି। କିନ୍ତୁ ୨୦୧୩ ମସିହାରୁ ଗଣମାଧ୍ୟମରେ ତାଙ୍କ ବିଷୟରେ ଚର୍ଚ୍ଚା ଚାଲିଛି ଯେ ସେ ନବୀନଙ୍କ ରାଜନୀତିକ ଉତ୍ତରାଧିକାର ହେବେ! ତାଙ୍କର ପ୍ରଥମ ୧୫ ବର୍ଷର ଶାସନ କାଳ ଭିତରେ ମାତ୍ର ୩ ଥର ଲୋକେ ନବୀନଙ୍କ ପରିବାରର ସଦସ୍ୟମାନଙ୍କୁ ଦେଖିବାକୁ ପାଇଥଲେ। ୨୦୦୯ ଫେବୃଆରୀ ୧୮ ତାରିଖରେ ତାଙ୍କ ମା’ ଜ୍ଞାନ ପଟ୍ଟନାୟକଙ୍କ ଶେଷ ସଂସ୍କାର ଅବସରରେ ତାଙ୍କ ଭାଇ ଓ ପୁତୁରା ଲୋକଙ୍କ ନଜରକୁ ଆସିଥିଲେ। ୨୦୧୪ ମେ ୨୨ ତାରିଖରେ ତାଙ୍କର ଚତୁର୍ଥ ଶପଥ ଗ୍ରହଣ ଉତ୍ସବରେ ଲୋକେ ତାଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କୁ ଦେଖିଥିଲେ। ବିଜୁବାବୁଙ୍କ କଟକସ୍ଥିତ ପୈତୃକ ଘର ଆନନ୍ଦ ଭବନକୁ ବିଜୁ ସ୍ମୃତି ସଂଗ୍ରହାଳୟରେ ପରିଣତ କରିବାକୁ ଏହାକୁ ସରକାରଙ୍କୁ ଦାନ କରିବା ଦରକାର ଥିଲା। ସେଥିନିମନ୍ତେ ବିଜୁବାବୁଙ୍କର ସମସ୍ତ ଉତ୍ତରାଧିକାରୀ ୨୦୧୫ ମାର୍ଚ୍ଚ ୧୩ ତାରିଖରେ କଟକ ଯାଇ ଦାନପତ୍ର ଦଲିଲରେ ଦସ୍ତଖତ କରିଥିଲେ। ୨୦୦୮ ଯାଏଁ ନବୀନ ଗୋଟେ ସାଦାସିଧା ମାରୁତି ଏଷ୍ଟିମ ଗାଡ଼ିରେ ଯିବାଆସିବା କରୁଥିଲେ। ସନ୍ଧ୍ୟା ପରେ ସେ କୁଆଡେ଼ ଯାଆନ୍ତି ତାହା ସେ ବିଷୟରେ କେହି କିଛି ଟେର୍ ପାଆନ୍ତି ନାହିଁ। ଓଡ଼ିଶାରେ ତାଙ୍କର ପ୍ରଥମ କେଇ ବର୍ଷ ସେ ସାଧାରଣତଃ ତାଙ୍କର ଡୁନ୍ ସ୍କୁଲ ସାଙ୍ଗ ଓ ଭଲ ଇଂରାଜୀ କହିପାରୁଥିବା କେତେ ଜଣ ପାର୍ଟି ଏମପିଙ୍କ ସହିତ ବେଶୀ ସମୟ କଟାଉଥିଲେ। ଲୋକଙ୍କ ନଜର ଆଢ଼ୁଆଳରେ ବିସ୍ତୀର୍ଣ୍ଣ ନବୀନ ନିବାସ ପ୍ରାଙ୍ଗଣରେ ହିଁ ସେ ସେମାନଙ୍କୁ ଭେଟିଥାନ୍ତି। ତେବେ ତାଙ୍କର ଏହି ବନ୍ଧୁମାନେ ତାଙ୍କ ସହିତ ଘନିଷ୍ଟତା ଆଧାରରେ ଫାଇଦା ନେଉଛନ୍ତି ବୋଲି ଗୁଇନ୍ଦା ରିପୋର୍ଟ ପାଇବା ପରେ ସେ ଆଉ ଏଭଳି କଲେ ନାହିଁ। ଇ୍ୟବସାୟୀମାନଙ୍କୁ ନବୀନ ତାଙ୍କ ଅଫିସରେ ଭେଟିବାକୁ ପସନ୍ଦ କରନ୍ତି। ବ୍ୟବସାୟୀମାନେ ତାଙ୍କ ଆଡ଼ୁ ଫ୍ୟାକ୍ସ ବା ଇମେଲ୍ ଜରିଆରେ ସାକ୍ଷାତର ଉଦ୍ଦେଶ୍ୟ ଜଣେଇ ସମୟ ମାଗିଥାନ୍ତି। ସେହି ଆଧାରରେ ଏହା ଧାର୍ଯ୍ୟ ହୋଇଥାଏ। ତେବେ ଏ ଲେଖକ ନିଜେ ଏମିତି ୩ ଥର ଇମେଲ ଦେବା ପରେ ମଧ୍ୟ କୌଣସି ଉତ୍ତର ମିଳି ନଥିଲା। ତେଣୁ ଲେଖକ ମୁଖ୍ୟମନ୍ତ୍ରୀଙ୍କ ଇମେଲ୍ ଜାଲ୍ ବୋଲି ଅଭିଯୋଗ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ପ୍ରତିକ୍ରିୟା ପାଇଥିଲେ। ଲେଖକ ଜାଣିବାକୁ ଚାହିଁଥିଲେ ଯେ କେଉଁ କେଉଁ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଅଫିସରେ ଭେଟିଛନ୍ତି। ଉତ୍ତର ମିଳିଲା, ସେଭଳି କୌଣସି ରେକର୍ଡ଼ ରଖାଯାଇ ନାହିଁ! ଏଥିରୁ ସ୍ପଷ୍ଟ ଯେ ନବୀନ ତାଙ୍କ ନିଜ ଦପ୍ତରରେ ମଧ୍ୟ ସ୍ୱଚ୍ଛ ଶାସନ ନୀତି ପାଳନ କରନ୍ତି ନାହିଁ। ସମ୍ଭବତଃ ନବୀନ ତାଙ୍କ ଦପ୍ତରରେ ଜିନ୍ଦଲ, ବିର୍ଲା, ଭୂଷଣ, ବେଦାନ୍ତ ଓ ପୋସ୍କୋ ପରି ଗୋଷ୍ଠୀର ଅଧିକାରୀମାନଙ୍କୁ ଭେଟୁଥିବାରୁ ଏ ବିଷୟରେ ରେକର୍ଡ଼ ରଖି ନାହାନ୍ତି! ଲେଖକଙ୍କ ଆବେଦନ (ଦ୍ୱିତୀୟ ଆବେଦନ ୪୫/୨୦୧୨-ଆଦେଶ ତା୮.୧.୨୦୧୩) କ୍ରମେ ରାଜ୍ୟ ସୂଚନା କମିଶନ ଏଭଳି ରେକର୍ଡ଼ ରଖିବାକୁ ନିଦ୍ଦେର୍ଶ ଦେଇଥିଲେ। ଏ ସଂକ୍ରାନ୍ତରେ ରାଜ୍ୟର ସଂସଦୀୟ ବ୍ୟାପାର ବିଭାଗ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ୨୦୧୩ ଜାନୁଆରୀ ୨୮ ତାରିଖରେ ଚିଠି ଲେଖିଥିଲେ। ଚିଠିରେ ଲେଖାଥିଲା, ‘... ମୁଖ୍ୟମନ୍ତ୍ରୀଙ୍କ ଅଫିସ ଏକ ଗୁରୁତ୍ୱପୂର୍ଣ୍ଣ ଅଫିସ। ସେଠାରେ ଶୃଙ୍ଖଳାର ସହିତ ସମସ୍ତ ରେକର୍ଡ଼ ରହିବା ଦରକାର। ବୃହତ୍ତର ଜନସ୍ୱାର୍ଥ ଦୃଷ୍ଟିକୋଣରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଥିବା ସମସ୍ତ ବ୍ୟକ୍ତିଙ୍କ ଲିଖିତ ଅନୁରୋଧ ଇତ୍ୟାଦିକୁ ପଂଜୀକୃତ କରାଯିବା ଦରକାର। ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ଅଫଇସରେ ଆବଶ୍ୟକ ପରିବର୍ତ୍ତନ କରିବା ପାଇଁ ସୂଚନା କମିଶନ ସଂସଦୀୟ ବ୍ୟାପାର ବିଭାଗକୁ ନିଦ୍ଦେର୍ଶ ଦେଇଛନ୍ତି।’ ମୂଷା ବିଲେଇ ଖେଳ ପ୍ରାୟ ସମସ୍ତ ରାଜନେତା ଗଣମାଧ୍ୟମ ଜରିଆରେ ନିଜର ପ୍ରଚାର କରିବାକୁ ଭଲ ପାଇଥାନ୍ତି। ମାତ୍ର ନବୀନ ପଟ୍ଟନାୟକ ଅଲଗା ଲୋକ। ତାଙ୍କ ସାକ୍ଷାତକାର ପାଇଁ ଓଡ଼ିଆ ସାମ୍ୱାଦିକମାନେ ଅନେକ ଚେଷ୍ଟା କରି ବିଫଳ ହୋଇଛନ୍ତି। ଏହାର ଅବଶ୍ୟ କାରଣ ଅଛି। ନବୀନଙ୍କୁ ଓଡ଼ିଶା ଓ ଏହାର ଜନଜୀବନ ବିଷୟରେ ବିଶେଷ କିଛି ଜଣା ନାହିଁ। ସାମ୍ୱାଦିକ ଯଦି ସେଭଳି କିଛି ପ୍ରଶ୍ନ ପଚାରିବେ ତେବେ ତାଙ୍କ ଅଜ୍ଞାନତା ଧରା ପଡ଼ିଯିବ ଓ ରାଜନୀତିକ ବିପର୍ଯ୍ୟୟ ଡାକି ଆଣିବ! ଥରେ ଜଣେ ବରିଷ୍ଠ ସାମ୍ୱାଦିକ ତାଙ୍କୁ ଓଡ଼ିଶାର ସବୁ ଜିଲ୍ଲାଗୁଡ଼ିକର ନାଁ ପଚାରିଲେ। ସେ ଉତ୍ତର ଦେଲେ ନାହିଁ। ଯେଉଁମାନେ ଅଧିକ ବାଧ୍ୟ କରନ୍ତି ସେମାନଙ୍କୁ କୁହାଯାଏ ପ୍ରଶ୍ନଗୁଡ଼ିକୁ ଇମେଲ କରନ୍ତୁ। ଇମେଲ ପାଇଲା ପରେ ମୁଖ୍ୟମନ୍ତ୍ରୀ ଅଫିସର କନିଷ୍ଠ ଅଧିକାରୀମାନେ ତାହାର ଉତ୍ତର ଦିଅନ୍ତି। ୨୦୦୨ ମସିହାର କଥା। ଦିଲ୍ଲୀରୁ ପ୍ରକାଶ ପାଉଥିବା ଏକ ଜାତୀୟ ସ୍ତରୀୟ ଦୈନିକର ଜଣେ ବରିଷ୍ଠ ସାମ୍ୱାଦିକ ତାଙ୍କ ଉପରେ ଏକ ସ୍ୱତନ୍ତ୍ର ଫିଚର ଲେଖିବା ପାଇଁ ନବୀନଙ୍କୁ ଭେଟିବାକୁ ଆସିଥିଲେ। କଥା ପ୍ରସଙ୍ଗରେ ସେ ପଚାରିଲେ ଯେ, ସାର୍ ଆଇଟି ଶିଳ୍ପ ନେଇ ଆପଣଙ୍କର ସ୍ୱପ୍ନ କ’ଣ? ନବୀନ ତାଙ୍କ ବ୍ୟକ୍ତିଗତ ସଚିବ ଯୁଗଳ କିଶୋର ମହାପାତ୍ରଙ୍କୁ ଅନେଇଲେ। ସାମ୍ୱାଦିକ ଜଣକ କହିଲେ, ‘ସାର୍ ମୁଁ ଆପଣଙ୍କ ସ୍ୱପ୍ନ ବିଷୟରେ ଜାଣିବାକୁ ଚାହୁଁଛି, ଆପଣଙ୍କ ଅଫିସରଙ୍କର ନୁହେଁ!’ ଏହା ଉପରେ କିଛି ସମୟ କଥାକଟି ଚାଲିଲା ପରେ ଶେଷରେ ଯୁଗଳବାବୁ କହିଲେ, ତାଙ୍କ ଲିଖିତ ଆକାରରେ ସେ ପ୍ରଶ୍ନସବୁ ଦିଅନ୍ତୁ, ତାଙ୍କୁ ଲିଖିତ ଉତ୍ତର ମିଳିଯିବ! ମୁଖ୍ୟମନ୍ତ୍ରୀଙ୍କ ସାମ୍ୱାଦିକ ସମ୍ମିଳନୀ ବିଷୟରେ ଲେଖକ ସୂଚନା ଅଧିକାର ଆଇନ ବଳରେ ଏକ ପ୍ରଶ୍ନ ପଚାରିଥିଲେ। ୨୦୧୧ ମେ ୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ନିମ୍ନୋକ୍ତ ଉତ୍ତର ମିଳିଥିଲା। ‘ମାନ୍ୟବର ମୁଖ୍ୟମନ୍ତ୍ରୀ ୬.୩.୨୦୦୦ ମସିହାରେ ରାଜ୍ୟ ସଚିବାଳୟର ତୃତୀୟ ମହଲା ସଭାଗୃହରେ ଏକ ଆନୁଷ୍ଠାନିକ ସାମ୍ୱାଦିକ ସମ୍ମିଳନୀକୁ ସମ୍ୱୋଧିତ କରିଥିଲେ। ଏଥିରେ ୧୨୦ ଜଣ ସାମ୍ୱାଦିକ ଉପସ୍ଥିତ ଥିଲେ। ଏଥିରେ କୌଣସି ପ୍ରେସ୍ ରିଲିଜ ଦିଆଯାଇ ନଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ସାମ୍ୱାଦିକମାନଙ୍କ ସହିତ ପ୍ରଚଳିତ ପ୍ରସଙ୍ଗ ଓ ବିକାଶ ସଂପର୍କରେ ଅଣଆନୁଷ୍ଠିକ ଆଲୋଚନା କରିଥିଲେ।’ ଏାସନର ୧୧ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ଗୋଟିଏ ସାମ୍ୱାଦିକ ସମ୍ମିଳନୀ କରିବା ବୋଧହୁଏ ଏକ ବିଶ୍ୱ ରେକର୍ଡ଼ ହେବ! ସେ ବୋଧହୁଏ ଭାରତବର୍ଷର ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏ କି ଏକ ସ୍ଥାନୀୟ ଭାଷାର ଟେଲିଭିଜନ ଚାନେଲ ଷ୍ଟୁଡ଼ିଓରେ ଏକ ସାକ୍ଷାତକାର ଦେଇନାହାନ୍ତି! ପ୍ରାୟ ୪.୫ କୋଟି ଲୋକଙ୍କ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ମଧ୍ୟ ୨୦୧୫ ଯାଏଁ ଫେସବୁକ ଓ ଟୁଇଟର ପରି ସୋସିଆଲ ମିଡିଆରେ ତାଙ୍କର ଏକ ଆକାଉଣ୍ଟ ନଖୋଲିବା ମଧ୍ୟ ତାଙ୍କର ଆଉ ରେକର୍ଡ଼ ହୋଇପାରେ! ୨୦୧୫ ସେପ୍ଟେମ୍ୱରରେ ହିଁ ତାଙ୍କର ଏକ ଟୁଇଟର ଆକାଉଣ୍ଟ ଖୋଲାଯାଇଥିଲା। ଯେକୌଣସି ସଂକଟରେ ତାଙ୍କର ଏକମାତ୍ର ଉତ୍ତର ହେଲା, ‘ମୁଁ ଏ ବିଷୟରେ ବୁଝିବି!’ ଭୁବନେଶ୍ୱରରେ ଗୁଜବ ହୁଏ ଟିଭି ସାମ୍ୱାଦିକମାନେ ତାଙ୍କର ଏହି ଶୁଆ ପରି ଘୋଷା ପଦକ ରେକର୍ଡ଼ ନକରି ଯେକୌଣସି ସଂକଟରେ ସେହି ପୁରୁଣା ବାଇଟ୍ ‘ମୁଁ ଏ ବିଷୟରେ ବୁଝିବି!’ ବଜାଇଥାନ୍ତି। ତେବେ ଗତ କିଛି ବର୍ଷ ଭିତରେ ବିଶାଳ ଖଣି ଓ ଜମି ଦୁର୍ନୀତି ପଦାକୁ ଆସିବା ପରେ ତାଙ୍କର ଘୋଷା ବଦଳି ଯାଇଛି। ଏଣିକି ସେ କହୁଛନ୍ତି, ‘ଆଇନ ତା’ ବାଟରେ ଯିବ!’ ଥରେ ଏନଡିଟିଭିର ବରଖା ଦତ୍ତ ଏକ ଲାଇଭ ଟେଲିଭିଜନ ଟକ୍ ଶୋ’ରେ ୨୦୦୮ ମସିହାର କନ୍ଧମାଳ ଦଙ୍ଗା ସଂପର୍କରେ ନବୀନଙ୍କୁ ଗୁଡେ଼ଇ ତୁଡେ଼ଇ ଅକେ ପ୍ରଶ୍ନ ପଚାରିଥିଲେ। ବରଖାଙ୍କ ଅନେକ ପ୍ରଶ୍ନର ଉତ୍ତର ଧାଡ଼ିକିଆ ଉତ୍ତର ଦେଇଥିଲେ ନବୀନ। ଉତ୍ତର ଥିଲା ନିହାତି ଅନ୍ତଃସାରଶୂନ୍ୟ। ଆଶ୍ଚର୍ଯ୍ୟଚକିତ ବର୍ଷା ସମୟର ଯଥେଷ୍ଟ ପୂର୍ବରୁ ଶୋ ଶେଷ କରିବାକୁ ବାଧ୍ୟ ହୋଇଥିଲେ। ଏନଡିଟିଭିର ତତ୍କାଳୀନ ଓଡ଼ିଶା ମୁଖ୍ୟ ସମ୍ପଦ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କଠାରୁ କିଛି ଅର୍ଥପୂର୍ଣ୍ଣ ପ୍ରତିକ୍ରିୟା ବାହାର କରିବା ପାଇଁ ନିଜସ୍ୱ କୌଶଳ ଅବଲମ୍ୱନ କରିଥିଲେ। ସାକ୍ଷାତକାର ପାଇଁ ଅନୁମତି ମିଳୁ ନଥିବାରୁ ସେ ଅଫିସରୁ ବାହାରିବା ମାତ୍ରେ ତାଙ୍କ ବାଇଟ୍ ପାଇଁ ଟିଭି ସାମ୍ୱାଦିକ ବେଢ଼ି ଯାଉଥିଲେ। ଏଭଳି ନଛୋଡ଼ବନ୍ଧା ସାମ୍ୱାଦିକମାନଙ୍କଠାରୁ ବର୍ତ୍ତିବା ପାଇଁ ସେ ଆଗ ତାଙ୍କ ଅଙ୍ଗରକ୍ଷୀମାନଙ୍କୁ ପଠାଇ ବୁଝନ୍ତି ଯେ ପୋର୍ଟିକୋରେ କେହି ସାମ୍ୱାଦିକ ଅଛନ୍ତି କି? ଯଦି ପୋର୍ଟିକୋରେ କେହି ସାମ୍ୱାଦିକ ନଥିବେ ତେବେ ସେ ତରବରରେ ଅଫିସରୁ ବାହାରି ଅପେକ୍ଷା କରିଥିବା କାର୍ ଭିତରେ ବସି ପଳାଉଥିଲେ। କିନ୍ତୁ ସମ୍ପଦ ମହାପାତ୍ର ତହୁଁ ଚାଲାକ୍! ସେ ସଚିବାଳୟ ବୁଦା ଉହାଡ଼ରେ ଲୁଚିକି ଥିବେ। ନବୀନ ବାହାରିଲା ମାତ୍ରେ ସେ ବୁଦା ଭିତରୁ ବାହାରି ଆସି ପ୍ରଶ୍ନ ପଚାରିବେ। ଏଥିରୁ ଆଉ ମୁଖ୍ୟମନ୍ତ୍ରୀ ଖସି ପାରନ୍ତି ନାହିଁ, ବାଧ୍ୟ ହୋଇ ପଦେ ଦି’ପଦ ଉତ୍ତର ଦେଇଥାନ୍ତି। ନବୀନ ନିଜ ପାଇଁ ଜଣେ ଭଦ୍ରଲୋକର ଭାବମୂର୍ତ୍ତି ଗଢ଼ିଛନ୍ତି। ସାମ୍ୱାଦିକମାନେ ତାଙ୍କୁ ଯେତେ ଖରାପ ପ୍ରଶ୍ନ ପଚାରିଲେ ବି ସେ କେବେ ରାଗନ୍ତି ନାହିଁ। ତାଙ୍କ ବିରୋଧରେ ବାରମ୍ୱାର ଲେଖୁଥିବା ହେତୁ କେତେକ ଜାତୀୟ ସ୍ତରୀୟ ଗଣମାଧ୍ୟମ ସଂସ୍ଥାର ପ୍ରତିନିଧିଙ୍କୁ ସେ ନାପସନ୍ଦ କରୁଥିଲେ ବି ସେ କେବେ ବି ସେମାନଙ୍କୁ ଗାଳି କି ତାଗିଦ କରିନାହାନ୍ତି। ବରଂ ସେ ସେମାନଙ୍କୁ ଅତ୍ୟନ୍ତ ଭଦ୍ର ଭାଷାରେ ସେମାନଙ୍କ ପରିବାରର ଭଲମନ୍ଦ ବିଷୟରେ ପଚାରନ୍ତି। କିନ୍ତୁ ଭିତରେ ଭିତରେ ସେମାନଙ୍କ ବିରୋଧରେ ସେମାନଙ୍କ ସଂପାଦକମାନଙ୍କୁ ପ୍ରବର୍ତ୍ତାନ୍ତି, ତାଙ୍କର ରାଜ୍ୟ ପ୍ରତିନିଧିଙ୍କୁ ବଦଳାଇବାକୁ କୁହନ୍ତି। ମୋ ପରେ ପ୍ରଳୟ ୧୯୯୨ ଜାନୁଆରୀ ୨୭ ତାରିଖରେ ବିନୋଦ କାନୁନଗୋ ସ୍ମୃତି ବକ୍ତୃତା ପ୍ରଦାନ କରିଥିଲେ ବିଜୁ ପଟ୍ଟନାୟକ। ବିଷୟ ଥିଲା ‘ମୋ ସ୍ୱପ୍ନର ଓଡ଼ିଶା’। ବିଜୁ କହିଥିଲେ, ‘ଏକବିଂଶ ଶତାବ୍ଦୀରେ ମୋ ସ୍ୱପ୍ନର ଓଡ଼ିଶାରେ ମୁଁ ମୋ ରାଜ୍ୟର ଯୁବକଯୁବତୀମାନଙ୍କୁ ରାଜ୍ୟସ୍ୱାର୍ଥ ପାଇଁ କାମ କରିବା ଦେଖିବାକୁ ଚାହେଁ। ସେମାନେ ନିଜ ପାଇଁ ଗର୍ବ କରିବା ଉଚିତା, ନିଜ ଭିତରେ ଆତ୍ମବିଶ୍ୱାସ ରଖିବା ଉଚିତ। ସେମାନେ ନିଜ ବ୍ୟତିତ ଅନ୍ୟ କାହାର ଦୟା ଉପରେ ନିର୍ଭର କରିବା ଉଚିତ ନୁହେଁ। ସେମାନେ ସେମାନଙ୍କ ବୁଦ୍ଧି, ଜ୍ଞାନ ଓ ଦକ୍ଷତା ବଳରେ କଳିଙ୍ଗର ଇତିହାସ ଫେରେଇ ଆଣିବା ଦରକାର।’ ନବୀନ କିନ୍ତୁ ତାଙ୍କ ବାପାଙ୍କର ଏହି ସ୍ୱପ୍ନ ପୂରଣ କରିବାରେ ଭୟଙ୍କର ଭାବେ ବିଫଳ ହୋଇଛନ୍ତି। ଏହି ପୁସ୍ତକରେ ନବୀନଙ୍କ ଅମଳରେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା କିପରି ଅଧୋଗତି କରିଛି ସେ ବିଷୟରେ ଆଲୋଚନା କରାଯିବ। ତାଙ୍କ ଶାସନରେ ଓଡ଼ିଶାର ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଓ ଆଦିବାସୀ ଉନ୍ନୟନ ସଂପୂର୍ଣ୍ଣ ଅଚଳ ହୋଇଯାଇଛି। ରାଜ୍ୟର ଏକ ବୃହତ୍ତର ଗୋଷ୍ଠୀ ଉତ୍କଟ ଦାରିଦ୍ର ମଧ୍ୟକୁ ଠେଲି ହୋଇଯାଇଛନ୍ତି। ବେକାରୀ ସମସ୍ୟା ବଢ଼ି ଚାଲିଛି। ତାଙ୍କ ଶାସନ ବିରୋଧରେ ଭାରତବର୍ଷରେ ପୂର୍ବରୁ କେବେ ଦେଖାଦେଇ ନଥିବା ବଡ଼ ବଡ଼ ଦୁର୍ନୀତି ଅଭିଯୋଗ ଉଠିଛି। ଲକ୍ଷେ କୋଟି ଟଙ୍କାର ଖଣି ଦୁର୍ନୀତି ତନ୍ମଧ୍ୟରୁ ଗୋଟିଏ। ନବୀନ କ’ଣ ତାଙ୍କ ରାଜ୍ୟ ପାଇଁ ସ୍ୱପ୍ନ ଦେଖନ୍ତି? ତାଙ୍କ ପରେ ବିଜେଡିର ନେତୃତ୍ୱ କିଏ ନେବ? ଯେତେବେଳେ ବି କେହି ବନ୍ଧୁ ତାଙ୍କୁ ଏଭଳି ପ୍ରଶ୍ନ ପଚାରନ୍ତି ସେ ଫ୍ରାନ୍ସର ସମ୍ରାଟ ପଞ୍ଚଦଶ ଲୁଇଙ୍କର ସେଇ ପ୍ରସିଦ୍ଧ ବାକ୍ୟଟି ଉଦ୍ଧାର କରି ଉତ୍ତର ଦିଅନ୍ତି- ‘ଆପ୍ରେସ ମୋଇ, ଲେ ଡିଲ୍ୟୁଜ୍’ ବା ‘ମୋ ପରେ ପ୍ରଳୟ!’