ନିଷ୍ଠୁର ବିଜେତା-୧

Apr 6, 2019 - 05:45
 590
ନିଷ୍ଠୁର ବିଜେତା-୧
ବିଶ୍ବଜିତ ମହାନ୍ତି (କ୍ରମାଗତ ପଂଚମ ଥର ମୁଖ୍ୟମନ୍ତ୍ରୀ ହେବା ପାଇଁ ଏବେ ଓଡ଼ିଶାବାସୀଙ୍କ ଆଶୀର୍ବାଦ ମାଗୁଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ପୂର୍ବରୁ ଓଡ଼ିଶା ଲୋକେ ତାଙ୍କୁ ବିଧାନସଭା ନିର୍ବାଚନରେ ଚାରି ଚାରି ଥର ଆଶୀର୍ବାଦ ଅଜାଡ଼ି ଦେଇ ସାରିଛନ୍ତି। ଛଅ ଛଅଟ ଲୋକସଭା ନିର୍ବାଚନରେ ମଧ୍ୟ ଓଡ଼ିଶାବାସୀ ନବୀନଙ୍କର ବିଜୁ ଜନତା ଦଳକୁ ଅଧିକରୁ ଅଧିକ ଆସନ ତୋଳି ଦେଇଛନ୍ତି। କିନ୍ତୁ ଅଜବ କଥା ଯେ, ଓଡ଼ିଶାବାସୀଙ୍କ ଆଗରେ ନବୀନ ଏବେ ବି ଏକ ରହସ୍ୟମୟ ବ୍ୟକ୍ତିତ୍ବ। ୧୯୯୭ ମସିହାରେ ସେ ଓଡ଼ିଶା ରାଜନୀତିରେ ପ୍ରବେଶ କରିଥିଲେ। ତା’ ପୂର୍ବରୁ ସେ କ’ଣ ଥିଲେ ଏବଂ ତା’ ପରେ କି ପ୍ରକାର ଜୀବନଯାପନ କରୁଛନ୍ତି ସେ ବିଷୟରେ ଅନେକ ଲୋକ ଅଜ୍ଞ। ଜଣକ ବିଷୟରେ କିଛି ନଜାଣି ବା ଖୁବ ଅଳ୍ପ ଜାଣି ତାଙ୍କୁ ମୂଲ୍ୟବାନ ଭୋଟ ଖଣ୍ଡିକ ଦେଇଦେବା ଗଣତନ୍ତ୍ରର ମର୍ଯ୍ୟାଦା ରକ୍ଷା କରେ ନାହିଁ। ଏହି ବିଚାରବୋଧରେ ଓଡ଼ିଶାର ସର୍ବାଧିକ ଲୋକପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ସଂପର୍କରେ ଏକ ପୁସ୍ତକ ଆକାରରେ କେତେକ ତଥ୍ୟ ବାଢ଼ିଛନ୍ତି ସୂଚନା ଅଧିକାର କର୍ମୀ ବିଶ୍ବଜିତ ମହାନ୍ତି। ସେହି ବହିର ଇଂରାଜୀ ନାମ ‘ଚେଜିଂ ହିଜ୍‌ ଫାଦର୍ସ ଡ୍ରିମ’। ସାମାନ୍ୟକଥନ.କମ୍‌ରେ ସେହି ବହିର ବିଭିନ୍ନ ଅଧ୍ୟାୟକୁ କ୍ରମାଗତ ଭାବେ ପରିବେଷଣ କରିବାକୁ ନିଷ୍ପତ୍ତି ନିଆଯାଇଛି। -ସଂପାଦକ।) ୧୯୯୭ ଏପ୍ରିଲ ୧୭ ତାରିଖରେ ବିଜୁ ପଟ୍ଟନାୟକଙ୍କର ଦେହାନ୍ତ ହେଲା। ସେତେବେଳକୁ ସେ ତାଙ୍କର କୌଣସି ରାଜନୀତିକ ଉତ୍ତରାଧିକାରୀ ବାଛି ନଥିଲେ। ଦିଲ୍ଲୀରେ ରହୁଥିବା ତାଙ୍କ ପରିବାରର କେହି ପ୍ରଥମେ ପ୍ରଥମେ ତାଙ୍କର ରାଜନୀତିକ ଉତ୍ତରାଧିକାରୀ ହେବାକୁ ଅନିଚ୍ଛୁକ ଥିଲେ। ସେତେବେଳେ ତାଙ୍କ ଦଳର ସଦସ୍ୟମାନେ ଭାବୁଥିଲେ ନଳିନୀକାନ୍ତ ମହାନ୍ତି, ବିଜୟ ମହାପାତ୍ର, ଅଶୋକ ଦାସ, ଶ୍ରୀକାନ୍ତ ଜେନା କିମ୍ୱା ଦିଲ୍ଲୀପ ରାୟଙ୍କ ଭଳି ତାଙ୍କର କେତେ ଜଣ ଘନିଷ୍ଟ ନେତାଙ୍କ ମଧ୍ୟରୁ କେହି ଏ ଦାୟିତ୍ୱ ବହନ କରିପାରନ୍ତି। ସେହି ପରିସ୍ଥିତିରେ ଜନତା ଦଳର ତତ୍କାଳୀନ ରାଜ୍ୟ ସଭାପତି ଅଶୋକ ଦାସ ଯେତେବେଳେ କର୍ମୀମାନେ ବିଜୁବାବୁଙ୍କ ଅସ୍ଥି କଳସ ଯାତ୍ରା କରିବେ ବୋଲି ଘୋଷଣା କଲେ ବିଜୁବାବୁଙ୍କ ବଡ଼ ପୁଅ ପ୍ରେମ ପଟ୍ଟନାୟକ ସେଥିପାଇଁ ଅନୁମତି ଦେଲେ ନାହିଁ। ସେ ବୋଧହୁଏ ସେତେବେଳେ ସନ୍ଦେହ କରୁଥିଲେ ଯେ ଅଶୋକ ଦାସ ଏମିତି କରି ବିଜୁବାବୁଙ୍କ ରାଜନୀତିକ ଉତ୍ତରାଧିକାରୀ ହେବାକୁ ଚାହୁଁଛନ୍ତି! ଦଳର ଏହି ବରିଷ୍ଠ ନେତାମାନେ ମଧ୍ୟ ସେତେବେଳେ ଅନୁଭବ କଲେ ଯେ ବଂଶଗତ ରାଜନୀତି ପ୍ରତି ଭାରତୀୟ ଲୋକମାନଙ୍କର ସମର୍ଥନ ରହିଥିବାରୁ ବିଜୁବାବୁଙ୍କ ପରିବାରରୁ କାହାକୁ ଜଣଙ୍କୁ ପ୍ରତୀକାତ୍ମକ ଭାବେ ଅନ୍ତତଃ ନେତା କରା ନଗଲେ ଲୋକେ ସେମାନଙ୍କୁ ମଧ୍ୟ ଗ୍ରହଣ କରିବେ ନାହିଁ। ବିଜୁବାବୁଙ୍କର ଦି’ ପୁଅ ଯାକ ଓଡ଼ିଆ କହିପାରୁ ନଥିବାରୁ ଓ ଓଡ଼ିଶା ରାଜନୀତି ସଂପର୍କରେ ଅନଭିଜ୍ଞ ଥିବାରୁ ଏହି ନେତାମାନେ ଧରି ନେଇଥିଲେ ଯେ ସେମାନଙ୍କ ଭିତରୁ କାହାକୁ ଜଣଙ୍କୁ ପ୍ରତୀକାତ୍ମକ ଭାବେ ନେତା କରିଦେଲେ ଦଳର ପ୍ରକୃତ କ୍ଷମତା ସେମାନେ ଉପଭୋଗ କରିବେ। ଏହି ପରିସ୍ଥିତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦ୍ର କୁମାର ଗୁଜରାଲ ବିଜୁବାବୁଙ୍କ ବିଧବା ପତ୍ନୀ ଜ୍ଞାନ ପଟ୍ଟନାୟକଙ୍କୁ ବୁଝାଇବା ପରେ ସେ ସାନ ପୁଅ ନବୀନ ପଟ୍ଟନାୟକଙ୍କୁ ନେତା ହେବାକୁ ଛାଡ଼ିଲେ। ସେତେବେଳକୁ ଦିଲ୍ଲୀରେ ପପ୍ପୁ ନାମରେ ପରିଚିତ ଥିବା ନବୀନ ପଟ୍ଟନାୟକଙ୍କର ଓଡ଼ିଶାରେ କୌଣସି ପ୍ରକାର ରାଜନୀତିକ ଅଭିଜ୍ଞତା ନଥିଲା। ତାଙ୍କୁ ହିଁ ବିଜୁବାବୁଙ୍କ ରାଜନୀତିକ ଉତ୍ତରାଧିକାରୀ ଭାବେ ଅଧିଷ୍ଠିତ କରାଗଲା। ପରେ ସେ ୧୯୯୭ ଡିସେମ୍ୱର ୨୬ ତାରିଖରେ ଜନତା ଦଳର ରାଜ୍ୟଶାଖାରେ ବିଭାଜନ ଘଟାଇ ବିଜୁ ଜନତା ଦଳ ଗଠନ କରିଥିଲେ। ସେ ଦିଲ୍ଲୀରୁ ଆସି ପ୍ରଥମେ କଟକ ଦୋଳମୁଣ୍ଡାଇରେ ଥିବା ଜନତା ଦଳ ଅଫିସରେ ପହଂଚିଲେ। ସେତେବେଳେ ସେଠାରେ ଥିଲେ ଦଳର ଦୁଇ ବରିଷ୍ଠ ନେତା ଅଶୋକ ଦାସ ଓ ବିଜୟ ମହାପାତ୍ର। ନବୀନ ସେଠାରେ ପହଂଚିଲାବେଳେ ସେ ଦୁହେଁ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିବାକୁ ବସିବା ଜାଗାରୁ ଉଠିଲେ ନାହିଁ। ଏହା ଥିଲା ନବୀନଙ୍କ ପ୍ରତି ସେମାନଙ୍କର ହେୟଜ୍ଞାନର ନମୂନା। ମିତଭାଷୀ ନବୀନ ଏହା ଭୁଲି ନଥିଲେ। ଏହି ବ୍ୟବହାର ପାଇଁ ପରେ ବିଜୟ ମହାପାତ୍ରଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଥିଲା। ରାଜ୍ୟ ରାଜନୀତିରେ ଯୋଗଦେବା ପରେ ନବୀନ ପ୍ରଥମେ ୧୯୯୭ ଆସ୍କା ଲୋକସଭା ଉପନିର୍ବାଚନ ଜିତିଲେ। ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ଯୋଗୁଁ ଏହି ଆସନ ଖାଲି ପଡ଼ିଥିଲା। ପରେ ୧୯୯୮ ମସିହା ସାଧାରଣ ନିର୍ବାଚନରେ ମଧ୍ୟ ନବୀନ ସେହି ଆସନରୁ ପୁନଃ ନିର୍ବାଚିତ ହୋଇଥିଲେ। ୧୯୯୯ ନିର୍ବାଚନରେ ସେ କ୍ରମାଗତ ତୃତୀୟ ଥର ପାଇଁ ଏହି ଆସନରୁ ଜିତିବା ପରେ ଅଟଳ ବିହାରୀ ବାଜପେୟୀ ସରକାରରେ ତାଙ୍କ କ୍ୟାବିନେଟ ମନ୍ତ୍ରୀ ପଦ ମିଳିଥିଲା। ଶେଷରେ ୨୦୦୦ ମସିହା ବିଧାନସଭା ନିର୍ବାଚନ ପରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ। ପରିବର୍ତ୍ତନର ସ୍ୱର ଓଡ଼ିଶାର ରାଜନୀତିକ ଇତିହାସରେ ନବୀନ ଠିକଣା ସମୟରେ ନେତୃତ୍ୱ ନେଇଥିଲେ। ଲୋକମାନେ କଂଗ୍ରେସ ସରକାରଙ୍କ ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣରେ ଅତିଷ୍ଠ ହୋଇ ବିକଳ୍ପ ଖୋଜୁଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାରର ଶେଷ ସମୟରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା। ତାହା ଥିଲା ୧୯୯୯ ଜାନୁଆରୀ-ଫେବୃଆରୀ ମାସର କଥା। ଏହି ସମୟରେ ଛବି ରାଣୀ ଧର୍ଷଣ ଓ ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଥିଲା। ଏ ଘଟଣା ଜାନକୀ ବଲ୍ଲଭଙ୍କ ପୂର୍ବ ସରକାରଙ୍କ କଳଙ୍କିତ କାରନାମା ସଂପର୍କରେ ଲୋକମାନଙ୍କ ସ୍ମୃତିକୁ ତେଜୀୟାନ କଲା। ଜଗତସିଂହପୁର ଜିଲ୍ଲା ବିରିଡ଼ିର ଜଣେ ସ୍ଥାନୀୟ ସାମ୍ୱାଦିକଙ୍କ ପତ୍ନୀଙ୍କୁ ୧୯୮୦ ଅକ୍ଟୋବର ୩ ତାରିଖରେ ଅତି ନୃଶଂସ ଭାବରେ ଧର୍ଷଣ ଓ ହତ୍ୟା କରାଯାଇଥିଲା। କେତେକ ସ୍ଥାନୀୟ କଂଗ୍ରେସ ନେତା ଏହା କରିଥିଲେ। ଛବିରାଣୀଙ୍କ ସ୍ୱାମୀ ସେମାନଙ୍କର ଦୁର୍ନୀତିକୁ ଲୋକଲୋଚନକୁ ଆଣିଥିଲେ। ସେହିପରି ଜଣେ ବନାଧିକାରୀଙ୍କ ପୂର୍ବତନ ପତ୍ନୀ ଅଞ୍ଜନା ମିଶ୍ରଙ୍କୁ ୧୯୯୯ ଜାନୁଆରୀ ୧୦ ତାରିଖ ରାତିରେ କଟକ-ଭୁବନେଶ୍ୱର ରାସ୍ତାରେ ଧର୍ଷଣ କରାଗଲା। ଜେବି ପଟ୍ଟନାୟକଙ୍କ ନିଦ୍ଦେର୍ଶରେ ତାଙ୍କୁ ଧର୍ଷଣ କରାଯାଇଛି ବୋଲି ଅଞ୍ଜନା ମିଶ୍ର ଅଭିଯୋଗ କଲେ। ଏହା ତାଙ୍କ ବିରୋଧରେ ଜନମତକୁ ଉଜାଗର କଲା। ବିରୋଧୀ ତାଙ୍କର ଇସ୍ତଫା ଦାବି କଲେ। ୧୯୯୭ ମସିହାରେ ଓଡ଼ିଶାର ତତ୍କାଳୀନ ମହାଧିବକ୍ତା ଇନ୍ଦ୍ରଜିତ ରାୟ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ବୋଲି ଅଞ୍ଜନା ମିଶ୍ର ଅଭିଯୋଗ କରିଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ଜେବି ପଟ୍ଟନାୟକ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବେର୍ତ୍ତ ତାଙ୍କୁ ସୁରକ୍ଷା ଦେଇଥିଲେ। ଏହା ଜାନକୀ ବଲ୍ଲଭଙ୍କ ଭାବମୂର୍ତ୍ତିରେ ଅପୂରଣୀୟ କ୍ଷତି ଘଟାଇଥିଲା। ତାଙ୍କ ବିରୋଧରେ ଜନମତ ଉଜାଗର ହେବାରୁ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ତାଙ୍କୁ ଇସ୍ତଫା ଦେବାକୁ ନିଦ୍ଦେର୍ଶ ଦେଲେ। ୧୯୯୯ ଫେବୃଆରୀ ୧୭ ତାରିଖରେ ଜାନକୀ ବଲ୍ଲଭଙ୍କ ସ୍ଥାନରେ ଗିରିଧର ଗମାଙ୍ଗ ମୁଖ୍ୟମନ୍ତ୍ରୀ ହେଲେ। କଂଗ୍ରେସ ସରକାରଙ୍କ ଭାବମୂର୍ତ୍ତି ଉଜ୍ଜ୍ୱଳ କରିବାରେ ସେ ବି ବିଫଳ ହେଲେ। ୧୯୯୯ ଅକ୍ଟୋବର ୨୯ ତାରିଖରେ ଓଡ଼ିଶା ଉପରେ ବହିଗଲା ଏକ ଶକ୍ତିଶାଳୀ ମହାବାତ୍ୟା। ଏହି ସମୟରେ ଓଡ଼ିଶା ଦୁଇ ଦିନ ପାଇଁ ସମଗ୍ର ବିଶ୍ୱରୁ ବିଚ୍ଛିନ୍ନ ହୋଇଗଲା। ସରକାରଙ୍କ ତରଫରୁ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି, ରିଲିଫ ଓ ଉଦ୍ଧାରକାର୍ଯ୍ୟ ନଥିଲା କହିଲେ ଚଳେ। ସେତେବେଳେ ମୁଖ୍ୟମନ୍ତ୍ରୀ ଗମାଙ୍ଗ ତାଙ୍କ ଜ୍ୟୋତିଷମାନଙ୍କ ଉପରେ ଆସ୍ଥା ସ୍ଥାପନ କରିଥିଲେ। ସେମାନେ ତାଙ୍କୁ କହିଥିଲେ ଯେ କିଛି ହେବନି, ବାତ୍ୟା ଓଡ଼ିଶାର କିଛି କରିବ ନାହିଁ! କିନ୍ତୁ ବାତ୍ୟା ତ ନୁହେଁ ମହାବାତ୍ୟା ହେଲା। ଓଡ଼ିଶା ଉପକୂଳରେ ୨୪୦ କିଲୋମିଟର ବେଗରେ ବତାସ ବହିଲା। ଭୟଙ୍କର ଜୁଆର ଉପକୂଳର ଅନେକ ଗାଁକୁ ଧୋଇନେଲା। ପ୍ରାୟ ୧୦ ହଜାର ଲୋକଙ୍କ ଜୀବନ ଗଲା। ରାଜ୍ୟ ସାରା ଚିତ୍କାର ଓ କୋଳାହଳ ଭିତରେ ସରକାର ପୂରା ଅଚଳ ହୋଇଗଲା। ଦଳର ଗୋଟିଏ ଗୋଷ୍ଠୀର ଚାପରେ କଂଗ୍ରେସ ହାଇକମାଣ୍ଡ ପୁଣି ଥରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କଲେ। ଗମାଙ୍ଗ ବଦଳରେ ଆଉ ଜଣେ ଆଦିବାସୀ ନେତା ହେମାନନ୍ଦ ବିଶ୍ୱାଳ ୧୯୯୯ ଡିସେମ୍ୱର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲେ। ୨୦୦୦ ବିଧାନସଭା ନିର୍ବାଚନବେଳକୁ କଂଗ୍ରେସ ହଟାଇବାକୁ ରାଜ୍ୟବାସୀ ପୂରା ପାଚିକି ଥିଲେ। ନିର୍ବାଚନରେ ନବୀନଙ୍କ ବିଜୁ ଜନତା ଦଳ ଓ ବାଜପେୟୀଙ୍କ ଭାରତୀୟ ଜନତା ପାର୍ଟି ମେଣ୍ଟ ରାଜ୍ୟର ୧୪୭ରୁ ୧୦୬ଟି ଆସନ ଜିତିଲା। କଂଗ୍ରେସ ମାତ୍ର ୨୬ଟି ଆସନ ପାଇବାକୁ ସମର୍ଥ ହେଲା। ୧୯୯୫ ନିର୍ବାଚନରେ କଂଗ୍ରେସ ୮୦ ଆସନ ଓ ବିଜେଡିର ପୂର୍ବରୂପ ଜନତା ଦଳ ଏବଂ ବିଜେପି ମିଶି ମୋଟ ୫୫ ଆସନ ଜିତିଥିଲେ। ୨୦୦ ନିର୍ବାଚନରେ ବିଜେଡି ୬୮ ଓ ବିଜେପି ୩୮ ଆସନ ଜିତି ସରକାର ଗଠନ କଲେ। ବିଜେଡି ଅଧିକ ଆସନ ଜିତିଥିବାରୁ ମେଣ୍ଟରେ ବଡ଼ଭାଇ ହୋଇଗଲା। ଆଗକୁ ବିଜେପି ନେତାମାନେ ବିଜେଡିର ଏହି ବଡ଼ଭାଇ ପଣିଆକୁ ହଟେଇ ପାରିଲେ ନାହିଁ। ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ନବୀନ ହିଂସା ବିରୋଧରେ ପଦକ୍ଷେପ ନେଲେ। ଶାସକ ଦଳର କୌଣସି କର୍ମୀ ଓ ନେତାଙ୍କ ହସ୍ତକ୍ଷେପ ବରଦାସ୍ତ ନକରିବାକୁ ପୁଲିସକୁ ନିଦ୍ଦେର୍ଶ ଦେଲେ। ପୂର୍ବ ସରକାରର ହିଂସାରୁ ମୁକ୍ତି ପାଇ ଲୋକମାନେ ଆଶ୍ୱସ୍ତ ଅନୁଭବ କଲେ। ଆଗରୁ କୋଟିକୋଟି ଟଙ୍କାର ରାସ୍ତା ଓ ପୋଲ କାମ କଂଗ୍ରେସ ଦଳର ସମର୍ଥକ ଓ ପାଣ୍ଠିଦାତା ଠିକାଦାର ଦଳଙ୍କ ଦ୍ୱାରା ନିର୍ଦ୍ଧାରିତ ହେଉଥିଲା। କମ୍ ଟଙ୍କାରେ କାମ କରିବାକୁ ପ୍ରସ୍ତୁତ ଥିବା ଠିକାଦାରମାନଙ୍କୁ ଗୁଣ୍ଡାମାନେ ଧମକଚମକ ଦେଇ ଭଗେଇ ଦେଉଥିଲେ। ନୂଆ ମୁଖ୍ୟମନ୍ତ୍ରୀ ଠିକାଦାରମାନଙ୍କର ଏହି କୁମେଣ୍ଟ ଭାଙ୍ଗିବା ପାଇଁ ନିଦ୍ଦେର୍ଶ ଦେଲେ। ସମସ୍ତ ଠିକାଦାରଙ୍କୁ ଟେଣ୍ଡର ପକାଇବାର ସୁଯୋଗ ଦେବାକୁ ଇ-ଟେଣ୍ଡର ବ୍ୟବସ୍ଥା ପ୍ରଚଳନ କରାଗଲା। ଟେଣ୍ଡର ଫିକ୍ସିଂ କରିବା ଅଭିଯୋଗରେ ଅନେକ ସ୍ପେଶାଲ କ୍ଲାସ ଠିକାଦାରଙ୍କୁ ଗିରଫ କରାଗଲା, କେତେକ ଭୟରେ ସେମାନଙ୍କର ଲାଇସେନ୍ସ ସମର୍ପଣ କରିଦେଲେ। ତେବେ ଖୁବ ଶୀଘ୍ର ନବୀନ ସରକାର ଠିକାଦାରଙ୍କ କବଳରୁ ଖଣି ମାଫିଆଙ୍କ କବ୍ଜାକୁ ଚାଲିଗଲା। ଅନିର୍ଣ୍ଣିତ ଦାୟାଦ ବିଡ଼ମ୍ୱନା ଯେ ନବୀନଙ୍କ ପାଇଁ ବିଜୁବାବୁଙ୍କ ମନରେ ସେତେଟା ଭଲ ପାଇବା ନଥିଲା। ଏପରିକି ନବୀନ ଓଡ଼ିଶା ରାଜନୀତିକୁ ଆସନ୍ତୁ ବୋଲି ବିଜୁବାବୁ ଚାହୁଁ ନଥିଲେ। ନବୀନ ବି ତାଙ୍କ ବାପାଙ୍କଠାରୁ ଯଥେଷ୍ଟ ଦୂରତା ରକ୍ଷା କରୁଥିଲେ। ସେ ରାଜନୀତିକୁ ଭଲ ପାଉ ନଥିଲେ ଏବଂ ତାଙ୍କ ବାପାଙ୍କ ଓଡ଼ିଶା ରାଜନୀତିରେ ସଂପୃକ୍ତ ହେଉ ନଥିଲେ। ଭାରତର ଅନେକ ପ୍ରଭାବଶାଳୀ ରାଜନେତାଙ୍କ ପିଲାମାନେ ରାଜନୀତିରେ ଥିଲାବେଳେ ବିଜୁବାବୁଙ୍କ ପୁଅଝିଅଙ୍କୁ କେହି ଦେଖିବାକୁ ପାଉ ନଥଲେ। ବୋଧହୁଏ ବିଜୁବାବୁ ରାଜନୀତିକ ବଂଶବାଦକୁ ବିରୋଧ କରୁଥିଲେ ବା ତାଙ୍କ ପିଲାମାନେ କେହି ତାଙ୍କର ରାଜନୀତିକ ଉତ୍ତରାଧିକାରୀ ହେବାକୁ ଯୋଗ୍ୟ ନୁହନ୍ତି ବୋଲି ଦୃଢ଼ନିଶ୍ଚିତ ଥିଲେ। ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର କଟକରେ ଜନ୍ମ ହୋଇଥିଲେ ମଧ୍ୟ ନବୀନ କେବେ ବି ଓଡ଼ିଶାର ନିଜ ଭାଷା ଓଡ଼ିଆ ଶିଖିପାରିଲେ ନାହିଁ। ତାଙ୍କ ମା’ ପଞ୍ଜାବି ଥିବାରୁ ତାଙ୍କର ମାତୃଭାଷା ଓଡ଼ିଆ ନଥିଲା। ଏପରିକି ବିଜୁବାବୁଙ୍କର ମା’ ମଧ୍ୟ ବଙ୍ଗାଳୀ ଥିଲେ। ତେବେ ସେ ଓଡ଼ିଆ ଜାଣିଥିଲେ ଓ କହୁଥିଲେ। ନବୀନ ତାଙ୍କ ବାପାଙ୍କ ସ୍ମୃତି ରକ୍ଷା ପ୍ରତି ମଧ୍ୟ ବିମୁଖ ଥିବା ଜଣା ପଡ଼ିଥିଲା। ତାଙ୍କର କେତେକ ଘନିଷ୍ଟ ଲୋକ କହନ୍ତି, ଓଡ଼ିଶାର ସମୃଦ୍ଧ ଦରିଆପାରି ବାଣିଜ୍ୟ ସଂସ୍କୃତିର ପ୍ରଦର୍ଶନ ନିମନ୍ତେ କଟକରେ ସାମୁଦ୍ରିକ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ଜାଗା ଖୋଜିବା ସମୟରେ ଭାରତୀୟ ଜାତୀୟ କଳା, ସଂସ୍କୃତି ଓ ଐତିହ୍ୟ ପ୍ରତିଷ୍ଠାନ ବା ଇନ୍୍ଟାଚର ବିଶେଷଜ୍ଞମାନେ କଳିଙ୍ଗ ରେଫ୍ରିଜେରେଟରର ପରିତ୍ୟକ୍ତ ପରିସର ସଂପର୍କରେ ଜାଣିବାକୁ ପାଇଥିଲେ। ସେମାନେ ନବୀନଙ୍କୁ କହିଥିଲେ ଯେ ଏହା ଥିଲା ଦେଶର ପ୍ରଥମ ଫ୍ରିଜ ଫ୍ୟାକ୍ଟ୍ରି। ଏହାକୁ ବିଜୁବାବୁ ପ୍ରତିଷ୍ଠା କରିଥିଲେ। ଏହାକୁ ସେମାନେ ବିଜୁବାବୁଙ୍କ ଶିଳ୍ପ ସ୍ୱପ୍ନର ସ୍ମାରକୀ ଭାବେ ବଂଚାଇ ରଖିବାକୁ ଚାହୁଁଥିଲେ। କିନ୍ତୁ ନବୀନବାବୁ ଏହା ଶୁଣିବା କ୍ଷଣି ଏହାକୁ ଧ୍ୱଂସ କରିବାକୁ ନିଦ୍ଦେର୍ଶ ଦେଇଥିଲେ। ୧୯୯୧ ମସିହାରେ ନବୀନଙ୍କର ଜଣେ ଇଂଲିଶ ସାଙ୍ଗ ମାର୍କ ଶ୍ୟାଣ୍ଡ ହାତୀ ପିଠିରେ ବସି ଓଡ଼ିଶାର ଜଙ୍ଗଲ ବୁଲିବାକୁ ଇଚ୍ଛା ପ୍ରକାଶ କଲେ। ଇଚ୍ଛା ନଥିଲେ ମଧ୍ୟ ନବୀନ ତାଙ୍କ ସାଙ୍ଗରେ ଯିବାକୁ ରାଜି ହୋଇଥିଲେ। ଏହି ଉଦ୍ଦେଶ୍ୟରେ ସେମାନେ ଯେତେବେଳେ ଆସି ନବୀନ ନିବାସରେ ପହଂଚିଲେ ବିଜୁବାବୁ ସାଙ୍ଗେ ସାଙ୍ଗେ ସେମାନଙ୍କ ପାଇଁ ଏବେ ଟ୍ରାଇଡେଣ୍ଟ ନାମରେ ପରିଚିତ ଓବରୟ ହୋଟେଲରେ ରହିବା ଓ ହାତୀ ବନ୍ଦୋବସ୍ତ କରିବା ପାଇଁ ଜଣେ ମନ୍ତ୍ରୀଙ୍କୁ ନିଦ୍ଦେର୍ଶ ଦେଲେ। ଏହାର ବର୍ଷକ ପରେ ମାର୍କ ଶ୍ୟାଣ୍ଡ ତାଙ୍କର ଓଡ଼ିଶା ଅଭିଜ୍ଞତା ଉପରେ ଏକ ବହି ପ୍ରକାଶ କରିଥିଲେ। ତାହାର ନାଁ ଥିଲା ଟ୍ରାଭେଲ୍ସ ଅନ୍ ମାଇଁ ଏଲିଫ୍ୟାଣ୍ଟ। ମୁଖ୍ୟମନ୍ତ୍ରୀ ହେବା ପରେ ନବୀନ ତାଙ୍କର ପୁରୁଣା ସାଙ୍ଗମାନଙ୍କୁ କ୍ୱଚିତ ଦେଖାଦେଇଛନ୍ତି। ୨୦୧୦ ମସିହାରେ ମାର୍କ ଆଉ ଥରେ ଓଡ଼ିଶା ଆସିଥିଲେ। ସେତେବେଳେ ସେ ନବୀନଙ୍କୁ ଭେଟିବାକୁ ଚାହିଁଥିଲେ। କିନ୍ତୁ ନବୀନ ତାଙ୍କୁ ଦିଲ୍ଲୀ ଯିବାର ଅଛି ବୋଲି କହି ମନା କରିଦେଲେ। ମାତ୍ର ପରେ ମାର୍କ ଜାଣିବାକୁ ପାଇଥିଲେ ଯେ ନବୀନ ଓଡ଼ିଶା ଛାଡ଼ି ନାହାନ୍ତି। ଓଡ଼ିଶା ଆସିବା ପୂର୍ବରୁ ନବୀନ ଦିଲ୍ଲୀର ସାମାଜିକ ଦୃଶ୍ୟପଟ୍ଟରେ ଜଣେ ସକ୍ରିୟ ସଦସ୍ୟ ଥିଲେ। ୧୯୬୦ ମସିହାରେ ସେ ଦିଲ୍ଲୀର ଓବରୟ ହୋଟେଲରେ ସାଇକେଡେଲି ନାମରେ ଏକ ବୋଟିକ୍ ଖୋଲି ନିଜର କ୍ୟାରିଅର ଆରମ୍ଭ କରିଥିଲେ। ସେଥିରେ ତାଙ୍କର ଅଂଶୀଦାର ଥିଲେ ରେବାର ଶେଷ ମହାରାଜା ମାର୍ତ୍ତଣ୍ଡ ସିଂହ। ଡୁନ ସ୍କୁଲରେ ନବୀନ ପଟ୍ଟନାୟକ ସଂଜୟ ଗାନ୍ଧୀଙ୍କର ରୁମମେଟ୍ ଥିଲେ ବୋଲି ମଧ୍ୟ ବିଶ୍ୱାସ କରାଯାଏ। ବ୍ରିଟିଶ ବାଦ୍ୟଯନ୍ତ୍ର ପାର୍ଟି ଦ ରୋଲିଂ ଲ୍ପୋନ୍ସର ମୁଖ୍ୟ ଗାୟକ ମିକି ଜାଗ୍ଗରଙ୍କ ସହିତ ମଧ୍ୟ ନବୀନଙ୍କ ବନ୍ଧୁତା ଥିଲା। ସେ ଜଣେ ସୌଖୀନ ଚିତ୍ରକର। ସେ ମଧ୍ୟ ଇଂରାଜୀରେ ତିନିଟି କଫି ଟେବୁଲ ବହି ଲେଖିଛନ୍ତି। ବହି ତିନିଟିର ନାଁ ହେଲା ‘ଏ ସେକେଣ୍ଡ ପାରାଡାଇଜ’, ‘ଏ ଡେଜର୍ଟ କିଙ୍ଗଡମ’ ଓ ‘ଦ ଗାର୍ଡେନ ଅଫ୍ ଲାଇଫ୍’। ପ୍ରଥମ ବହିଟି ମଧ୍ୟଯୁଗରୁ ସ୍ୱାଧୀନତା ଯାଏଁ ଭାରତୀୟ ରାଜ ଦରବାରର ଜୀବନ ଉପରେ ପର୍ଯ୍ୟବସିତ ଥିଲାବେଳେ ଦ୍ୱିତୀୟ ବହିଟି ବିକାନେର ରାଜ୍ୟ ଓ ତୃତୀୟ ବହିଟି କେତେକ ଔଷଧୀୟ ବୃକ୍ଷ ଉପରେ ରଚିତ ହୋଇଛି। ଥରେ ଜଣେ ବରିଷ୍ଠ ସାମ୍ୱାଦିକ ଏକ ନିର୍ବାଚନୀ ଗସ୍ତରେ ନବୀନଙ୍କ ସାଙ୍ଗରେ ବାରିପଦା ଯାଇଥିଲେ। ସେଠାରେ ନବୀନଙ୍କର ଜଣେ ସହାୟକ ତାଙ୍କୁ ବାରିପଦା ଟାଉନର ନାଁ ମନେ ପକାଇଦେବାକୁ କାଗଜରେ ଲେଖିଦେଲେ। ନବୀନ ଯେତେବେଳେ କହିଲେ ଯେ ତାଙ୍କ ବାପା ବିଜୁ ପଟ୍ଟନାୟକ ବାଡ଼ିପଡ଼ାକୁ ଖୁବ ଭଲ ପାଉଥିଲେ ଲୋକେ ତାଳିମାରି କମ୍ପେଇଦେଲେ। ଏଇଭଳି ସେ ଓଡ଼ିଶାର ଅନ୍ୟ ତିନିଟି ଜାଗାରେ ମଧ୍ୟ ସମାନ ପ୍ରକାର ଭୁଲ ଉଚ୍ଚାରଣ କରିଥିଲେ। କ୍ରୁର ସ୍ୱାଧୀନଚେତା ୧୯୯୮ ସାଧାରଣ ନିର୍ବାଚନ ପରେ ଜନତା ଦଳର ଜଣେ ବରିଷ୍ଠ ତଥା ସମ୍ମାନାସ୍ପଦ ନେତା ରବି ରାୟ ବିଜେପି ସହିତ ମେଣ୍ଟ ନକରିବାକୁ ନବୀନଙ୍କ ପରାମର୍ଶ ଦେଲେ। ସନ୍ଧ୍ୟାରେ ସେ ଟିଭିରୁ ଶୁଣିଲେ ଯେ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ତାଙ୍କୁ ଇସ୍ପାତ ଓ ଖଣି ମନ୍ତ୍ରୀପଦ ମିଳିଛି। ରବି ରାୟ ବିଶ୍ୱାସ କରିପାରିଲେ ନାହିଁ ଯେ ମାତ୍ର ୬ ଘଣ୍ଟା ପୂର୍ବରୁ ଏଇ ଲୋକ ତାଙ୍କୁ ପତିଶ୍ରୁତି ଦେଇଥିଲେ ଯେ ସେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ ବା ଏନଡିଏ ସରକାରରେ ଯୋଗଦେବେ ନାହିଁ। ଏହା ତାଙ୍କ ରାଜନୀତିକ କୌଶଳର ଗୋଟିଏ ନିଦର୍ଶନ। ତାଙ୍କ ମୁହଁରୁ କେହି ଜାଣିପାରିବେ ନାହିଁ ଯେ ତାଙ୍କ କୁଟିଳ ମନ ଭିତରେ କି ଭାବନାର ଢେଉ ଖେଳୁଛି! ନବୀନଙ୍କ ରାଜନୀତିକ ଉÎାନର ଆଦ୍ୟ କାଳରେ ନଳିନି ମହାନ୍ତି, ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ତିନିମୂର୍ତ୍ତି ନିଜକୁ ସୁରକ୍ଷିତ ରଖିବା ପାଇଁ ତାଙ୍କର ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିଲେ ଏବଂ ଧରି ନେଇଥିଲେ ଯେ ସେମାନେ ହିଁ ପ୍ରକୃତ କ୍ଷମତା କେନ୍ଦ୍ର ହେବେ। ତେବେ ନବୀନ କେବଳ ପ୍ୟାରୀ ମୋହନ ମହାପାତ୍ରଙ୍କୁ ବିଶ୍ୱାସ କରୁଥିଲେ। ପ୍ୟାରୀ ଏକଦା ବିଜୁ ପଟ୍ଟନାୟକଙ୍କର ଘନିଷ୍ଠ ଥିଲେ। ପ୍ୟାରୀ ନିଜକୁ ଦଳରେ ଅପରିହାର୍ଯ୍ୟ କରାଇବା ପାଇଁ ଏ ତିନି ଜଣଙ୍କୁ ବିଦା କରିବା ଆବଶ୍ୟକ ବୋଲି ଅନୁଭବ କରିଥିଲେ। ନବୀନ ମଧ୍ୟ ଏ ତିନି ଜଣଙ୍କଠାରୁ ବିପଦର ଆଶଙ୍କା କରୁଥିଲେ। ସେ ଭାବୁଥିଲେ ବିଜୟ ଜଣେ ଚତୁର ରାଜନେତା। ଦିଲ୍ଲୀପ ଜଣେ ଧନୀ ବ୍ୟବସାୟୀ। ସେ ବିଧାୟକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ସେମାନଙ୍କୁ ଆନୁଗତ୍ୟ ପରିବର୍ତ୍ତନ ପାଇଁ ପ୍ରଭାବିତ କରିପାରିବେ। ନଳିନୀ ହେଲେ ଉପକୂଳ ଓଡ଼ିଶାର ଜଣେ ରାଜନେତା ଓ ତାଙ୍କ ପଛରେ ଅନେକ ବିଧାୟକଙ୍କ ସମର୍ଥନ ରହିଥିଲା। ପ୍ରଥମେ ବଳି ପଡ଼ିଲେ ବିଜୟ ମହାପାତ୍ର। ୨୦୦୦ ମସିହା ବିଧାନସଭା ନିର୍ବାଚନରେ ବିଜୟ ମହାପାତ୍ର ଦଳୀୟ ଟିକେଟରେ ପାଟକୁରା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। କିନ୍ତୁ ପ୍ରାଥିର୍ପତ୍ର ଦାଖଲର ସମୟ ଶେଷ ହେବାର କିଛି ସମୟ ପୂର୍ବରୁ ତାଙ୍କ ଟିକେଟ କାଟି ଦିଆଗଲା। ସେ ଆଉ ଥରେ ପ୍ରାଥିର୍ପତ୍ର ଦାଖଲ କରିବାକୁ ସମୟ ପାଇଲେ ନାହିଁ। ଏହା ଥିଲା ପ୍ରକୃତରେ ଏକ ମାଷ୍ଟର ଷ୍ଟ୍ରୋକ। ବିଜୟ କେବେ ବି କଳ୍ପନା କରିପାରି ନଥିବେ ଯେ ତାଙ୍କ ସହିତ ଏମିତି ହେବ! ଏତେବେଳକୁ ନୂଆ ନେତା ନବୀନଙ୍କର ନିଷ୍ଠୁରତା କଥା ଜଣାପଡ଼ିଲା। ଏଇ ଅଳ୍ପ ଦିନ ଭିତରେ ସେ ବେଶ୍ ଭଲ ଭାବରେ ରାଜନୀତିର ପୁରୁଣା କୌଶଳ ଜାଣି ସାରିଥିଲେ- ସମ୍ଭାବ୍ୟ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ଗଧିଆ ଆଗକୁ ଫୋଫାଡ଼ି ଦେବା ଉଚିତ! ଏହାର ନଅ ବର୍ଷ ପରେ ଆଠଗଡ଼ର ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ କ୍ଷେତ୍ରରେ ମଧ୍ୟ ସମାନ ପ୍ରକାର କୌଶଳ ପ୍ରୟୋଗ କରାଯାଇଥିଲା। ବିଜୟଙ୍କ ପରେ ପାଳି ପଡ଼ିଥିଲା ଦିଲ୍ଳୀପ ରାୟଙ୍କର। ଦିଲ୍ଲୀ ଜଣେ ଅହଂକାରଶୂନ୍ୟ ହୋଟେଲ ବ୍ୟବସାୟୀ। ବିଜୁ ପଟ୍ଟନାୟକଙ୍କର ଅତ୍ୟନ୍ତ ଅନୁଗତ। ଶେଷ ଦିନରେ ବିଜୁବାବୁଙ୍କର ସେ ଅନେକ ସେବାଯତ୍ନ କରିଥିଲେ। କହିବାକୁ କଲେ ବିଜୁବାବୁ ତାଙ୍କ ଜୀବନର ଶେଷ କେଇ ଦିନ ତାଙ୍କରି ଘରେ ହିଁ ରହୁଥିଲେ। ୨୦୦୦ ମେ ୨୬ ତାରିଖରେ ଦିଲ୍ଳୀପ ଅତ୍ୟନ୍ତ ଉତ୍ସାହର ସହିତ ଦିଲ୍ଲୀ ଯାଇଥିଲେ। ସେତେବେଳେ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବାର ଥିଲା। ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ ଯେ ତାଙ୍କୁ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ଦେବାକୁ ସେ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ କହିଛନ୍ତି। ବରିଷ୍ଠ ବିଜେଡି ସାଂସଦ ତ୍ରିଲୋଚନ କାନୁନ୍୍ଗୋ ମଧ୍ୟ ସେହି ସମାନ ବିମାନରେ ଦିଲ୍ଲୀ ଯାଉଥିଲେ। କାନୁନ୍୍ଗୋ ତାଙ୍କୁ ଦେଖି ହସିବା ସହିତ ଶୁଭେଚ୍ଛା ଜଣେଇଥିଲେ। ଦିଲ୍ଲୀରେ ତାଙ୍କ ସରକାରୀ ବାସଭବନରେ ତାଙ୍କ ପାଇଁ ଏକ ନିଷ୍ଣୁର ଆଘାତ ଅପେକ୍ଷା କରିଥିଲା। ସେ ଘରେ ପହଂଚିବାବେଳକୁ ତାଙ୍କ ଫ୍ୟାକ୍ସ ମେସିନରୁ ଖଣ୍ଡେ କାଗଜ ବାହାରି ଲଟକିଥିଲା। ସେ ଭାବି ନେଇଥିଲେ ଏହା ବୋଧହୁଏ ତାଙ୍କର ପ୍ରତୀକ୍ଷିତ ନିମନ୍ତ୍ରଣ ବାର୍ତ୍ତା! କିନ୍ତୁ ପ୍ରଧାନମନ୍ତ୍ରୀଙ୍କଠାରୁ ଏହା ଥିଲା ଇସ୍ତଫା ଦେବାକୁ ତାଙ୍କ ପାଇଁ ଏକ ଧାଡ଼ିକିଆ ନିଦ୍ଦେର୍ଶ! ଋାୟଙ୍କ ମୁଣ୍ଡରେ ବଜ୍ର ପଡ଼ିଲା ଯେମିତି! ଏଭଳି ହେବ ବୋଲି ନବୀନ କେବେ ବି ତାଙ୍କୁ ସଗ୍ଧେତ ଦେଇ ନଥିଲେ। ରାୟ ସଙ୍ଗେସଙ୍ଗେ କାନୁନ୍୍ଗୋଙ୍କୁ ଫୋନ କରି ତାଙ୍କୁ କିପରି ପଛରୁ ଛୁରୀ ମରାଗଲା କହିଲେ। ତେବେ ପରେ ନବୀନ ସଫେଇ ଦେଇ କହିଲେ ଯେ ଏହା ପଛରେ ତାଙ୍କର କୌଣସି ହାତ ନାହିଁ। ୧୯୯୭ ମସିହା ଏପ୍ରିଲ ୧୭ ତାରିଖରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ହେଲାବେଳକୁ ଦିଲ୍ଲୀପ ରାୟ ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ରହିଥିଲେ। ଦିଲ୍ଲୀପଙ୍କ ବରଖାସ୍ତ ପରେ ବିଜୟ ଗର୍ଜିଲେ, ‘ମୃତ୍ୟୁ ପୂର୍ବରୁ ବିଜୁ ପଟ୍ଟନାୟକଙ୍କୁ କେବେ ଶେଷ ଥର ପାଇଁ ଭେଟିଥିଲେ ନବୀନ ରାଜ୍ୟବାସୀଙ୍କୁ ଜଣାନ୍ତୁ’। ନବୀନଙ୍କ ପାଖରେ ଏହାର ଉତ୍ତର ଅବଶ୍ୟ ନଥିଲା। ପ୍ରକୃତରେ ସେ ବିଜୁବାବୁଙ୍କ ମୃତ୍ୟୁ ପୂର୍ବରୁ ଅନେକ ମାସ ଧରି ତାଙ୍କୁ ଭେଟି ନଥିଲେ। ଦିଲ୍ଲୀପଙ୍କ ପରେ ଆସିଥିଲା ନଳିନିଙ୍କ ପାଳି। ୨୦୦୧ ଜୁଲାଇର ଏକ ବର୍ଷଣମୁଖର ସନ୍ଧ୍ୟା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ସେତେବେଳେ ପୂର୍ତ୍ତମନ୍ତ୍ରୀ ଥିବା ନଳିନୀ ମହାନ୍ତିଙ୍କୁ ନିଦ୍ଦେର୍ଶ ମିଳିଲା। ନଳିନୀ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ପ୍ରବେଶ କଲାବେଳକୁ ଭାଗୁଆଳି ବିଜେପିର ଜଣେ ମନ୍ତ୍ରୀ ମଧ୍ୟ ସେଠାରେ ଥିଲେ। ସଙ୍ଗେସଙ୍ଗେ ତିନି କପ୍ ଚା ମଗାଇଲେ ନବୀନ। ନଳିନୀ ଢୋକେ ଚା ପିଇଛନ୍ତି କି ନାହିଁ ନବୀନ ତାଙ୍କୁ ପଚାରିଲେ ତୁମେ ଆଜି ସନ୍ଧ୍ୟାର ଟିଭି ନ୍ୟୁଜ ଦେଖିଛ କି? ନଳିନି ମନାକଲେ। ନବୀନଙ୍କର ଜଣେ ସହାୟକ ଟିଭି ସୁଇଜ ଅନ୍ କରିବାରୁ ଜଣେ ସମ୍ୱାଦପାଠକ ଦୁର୍ନୀତି ଅଭିଯୋଗରେ ନଳିନୀ ମହାନ୍ତିଙ୍କ ସମେତ ଅନ୍ୟ ତିନି ମନ୍ତ୍ରୀଙ୍କ ବହିଷ୍କାର ଖବର ପଢ଼ୁଥିଲେ। ନଳିନୀଙ୍କର ଚା ପିଆ ସେତିକିରେ ରହିଲା। ସେ ଆଉ ବସି ପାରିଲେ ନାହିଁ। ନବୀନ ତାଙ୍କ ମୁହଁକୁ ଚାହିଁ କୁଟିଳ ହସଟିଏ ହସୁଥିଲେ। ଅତ୍ୟନ୍ତ ମର୍ମାହତ ଭାବେ ନଳିନି ନିଜ ମନ୍ତ୍ରୀ ପ୍ରକୋଷ୍ଠକୁ ଫେରି ଆସିଲେ। ସେଠାରେ ତାଙ୍କ ପାଇଁ ଅପେକ୍ଷା କରିଥିଲା ଅଧିକ ଅପମାନ। ତାଙ୍କ କୋଠରୀରେ ତାଲା ପଡ଼ିଥିଲା। ତାଙ୍କ ସରକାରୀ କାର୍ ବି ପ୍ରତ୍ୟାହୃତ ହୋଇସାରିଥିଲା। ଦୁର୍ନୀତି ଅଭିଯୋଗରେ ନଳିନିଙ୍କ ସହିତ କମଳା ଦାସ ଓ ପ୍ରଶାନ୍ତ ନନ୍ଦଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଥିଲା। ବରିଷ୍ଠ ସହଯୋଗୀମାନଙ୍କୁ ଏଇଭଳି ଅପମାନଜନକ ଭାବରେ ବହିଷ୍କାର କରିବା ନବୀନଙ୍କର ନିୟମିତି ଅଭ୍ୟାସ ହୋଇଯାଇଥିଲା। ନବୀନ ଦୁର୍ନୀତିକୁ ସହ୍ୟ କରନ୍ତି ନାହିଁ ବୋଲି ବାର୍ତ୍ତା ଯାଉଥିବାରୁ ଲୋକମାନେ ଖୁସି ହେଉଥିଲେ, ତାଙ୍କର ଭାବମୂତ୍ତିର୍ି ସହିତ ସମର୍ଥନ ଭିତ୍ତି ବଢ଼ୁଥିଲା। ପାରଳା ରାଜ ପରିବାରର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ସାଂସଦ ଗୋପୀନାଥ ଗଜପତି କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ନବୀନ ତାଙ୍କୁ ରାଜ୍ୟସଭା ପଠାଇବେ ବୋଲି ସେ ଆଶା ରଖିଥିଲେ। ଏହି ଉଦ୍ଦେଶ୍ୟରେ ସେ ନବୀନ ନିବାସକୁ ଅନେକ ଥର ଯାଇଛନ୍ତି। ନବୀନଙ୍କ ଜେଜେବାପା ବା ବିଜୁ ପଟ୍ଟନାୟକଙ୍କ ବାପା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଏକଦା ପାରଳା ରାଜାଙ୍କ ପାଖରେ ଚାକିରି କରୁଥିଲେ। ତେଣୁ ଦୁଇ ପରିବାର ମଧ୍ୟରେ ଘନିଷ୍ଠ ସଂପର୍କ ଥିଲା। ଏଇ ସଂପର୍କ ବିଷୟରେ ଜଣାଇବା ପାଇଁ ଗୋପୀନାଥ ଏକ ଫଟୋ ଆଲବମ ପ୍ରସ୍ତୁତ କରିଥିଲେ। ନବୀନ ଆଗ୍ରହର ସହିତ ସେହିସବୁ ଫଟୋ ଦେଖିଥିଲେ ଓ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ଥିଲା ୨୦୦୯ ମସିହାର କଥା। କିନ୍ତୁ ଯେତେବେଳେ ରାଜ୍ୟସଭା ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ ହେଲା ସେଥିରେ ତାଙ୍କର ନାଁ ନଥିଲା। ଗୋପୀନାଥ ଗଜପତି ଏତେବେଳେ ଯାଇଁ ବୁଝିଲେ ଯେ ନବୀନଙ୍କ ପାଖରେ ପାରିବାରିକ ସଂପର୍କର କିଛି ମୂଲ୍ୟ ନାହିଁ। ଛୁଅଁନା ମୋତେ! ୧୯୯୭ ମେ ମାସରେ ଆସ୍କା ଲୋକସଭା ଉପନିର୍ବାଚନ ଲଢ଼ିବା ପାଇଁ ନବୀନ ପ୍ରଚାର ଆରମ୍ଭ କରିଥିଲେ। ସେଥିପାଇଁ ଦୈନିକ ଆସ୍କାର ଗାଁ ଗହଳି ବୁଲିବାକୁ ପଡ଼ୁଥିଲା। ସେ କିନ୍ତୁ ଆସ୍କାରେ ନରହି ଗୋପାଳପୁରରେ ଥିବା ଓବରୟର ପାମ୍ ବିଚ୍ ହୋଟେଲରେ ରହୁଥିଲେ। ଦୈନିକ ଆସ୍କା ଯିବାଆସିବା କରିବାକୁ ତାଙ୍କ ପାଇଁ ଦୁଇଟି ମାରୁତି ସେଡାନ କାର୍ ଖଞ୍ଜା ଯାଇଥିଲା। ସେ କାର୍ରେ ଗଲାବେଳେ ଲୋକମାନେ ରାସ୍ତାକଡ଼ରେ ଝାଡ଼ା ଫେରିବା ଦେଖିଥିଲେ। ତେଣୁ କେବେ ବି କାର୍ର କାଚ ଖୋଲନ୍ତି ନାହିଁ, କାଳେ ଗନ୍ଧ ପଶିଯିବ! ଛକ ଯାଗା ଦେଖି ନବୀନଙ୍କ ତାଙ୍କ ସମର୍ଥକମାନେ ଅଟକାଉଥଲେ। ସେଠାରେ ଶହଶହ ଲୋକ ତାଙ୍କର ସ୍ୱାଗତ ସମ୍ୱର୍ଦ୍ଧନା କରୁଥିଲେ। ପୁରୁଣା ଲୋକମାନେ ବିଜୁବାବୁଙ୍କୁ ବହୁତ ସମ୍ମାନ କରୁଥିଲେ। ତେଣୁ ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କୁ ପ୍ରଥମ ଥର ଦେଖୁଥିବା ଲୋକମାନେ ତାଙ୍କ ମୁଣ୍ଡରେ ହାତ ରଖି ତାଙ୍କ ହାତ ଧରି ଆଶୀର୍ବାଦ ଦେଉଥିଲେ। ଏହା କିନ୍ତୁ ତାଙ୍କର ପସନ୍ଦ ନଥିଲା। କେହି ତାଙ୍କ ଦେହ ଛୁଉଁ ବୋଲି ସେ ଚାହୁଁ ନଥିଲେ। ତେଣୁ ସେ କାର୍ରୁ ଓହ୍ଲାଉ ନଥିଲେ। କାଚ ଖସେଇ ହାତଟି କେବଳ ପଦାକୁ ବାହାର କରୁଥିଲେ। ଲୋକେ ତାଙ୍କ ହାତ ଛୁଉଁଛୁଉଁ ସେ ହାତ ଟାଣି ଆଣୁଥିଲେ ଓ ଆଗକୁ ବଢ଼ୁଥିଲେ। ଟିକେ ଦୂର ଗଲା ପରେ ସେ କାର୍ ଭିତରେ ରଖିଥିବା ଓଦା ଟିସୁ କାଗଜରେ ମୁହଁ ଓ ହାତ ପୋଛି ଦେଉଥିଲେ। ଗୋପାଳପୁର ଫେରିଲା ବେଳକୁ ତାଙ୍କ କାର୍ ଭିତରେ ଏମିତି ଅନେକ ଲୋଚାକୋଚା କାଗଜ ଖଣ୍ଡ ଭର୍ତ୍ତି ହୋଇଯାଇଥାଏ। ୨୦୦୮ ମସିହାରେ କନ୍ଧମାଳରେ ହିନ୍ଦୁ-ଖୀରସ୍ତାନ ଦଙ୍ଗା ହେଲା। ଦଙ୍ଗାଗ୍ରସ୍ତ ଲୋକଙ୍କୁ ଭେଟିବା ପାଇଁ ସେ ବାଧ୍ୟ ହେଲେ। ଦଙ୍ଗାରେ କ୍ଷତିଗ୍ରସ୍ତ ଲୋକମାନେ ରହୁଥିବା ସ୍ଥାନରେ ନିରାପତ୍ତା ବ୍ୟବସ୍ଥା ପର୍ଯ୍ୟାପ୍ତ ନୁହେଁ ବୋଲି ସ୍ଥାନୀୟ ବିଧାୟକ ତାଙ୍କୁ ଜଣେଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଦୁଃଖ ଜଣେଇବାକୁ ଶହଶହ କ୍ଷତିଗ୍ରସ୍ତ ରୁଣ୍ଡ ହୋଇଥାନ୍ତି। ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହିତ ଭେଟ କରା ହେବ ବୋଲି ସ୍ଥାନୀୟ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ। ନବୀନ କିନ୍ତୁ ଲୋକଙ୍କୁ ଭେଟିବାକୁ ରାଜି ନଥିଲେ। କିନ୍ତୁ ବିଧାୟକମାନେ ବାଧ୍ୟ କରିବାରୁ ସେ ରାଜି ହୋଇଥିଲେ। ସେ ସମ୍ମତି ଦେଲା ମାତ୍ରେ ଶହଶହ ଲୋକ ମାଡ଼ି ଆସି ତାଙ୍କୁ ଗୋଡ଼ ଛୁଇଁ ଦୁଃଖ ଜଣେଇଲେ। ଆମକୁ ସୁରକ୍ଷା ଦିଅନ୍ତୁ, ଆମେ କେମିତି ଗାଁକୁ ଫେରିବୁ? କେବେ ଆମକୁ ଘର ମିଳିବ? ଏମିତି ଅନେକ ପ୍ରଶ୍ନରେ ନବୀନ ବ୍ୟତିବ୍ୟସ୍ତ ହୋଇଗଲେ। ଲୋକେ ଗୋଡ଼ ଛୁଇଁବାରୁ ସେ ପଛକୁ ହଟିଗଲେ। ଶେଷରେ ସେ ପୁଲିସ କର୍ଡନ ଭିତରେ ଲୋକଙ୍କୁ ଦର୍ଶନ ଦେଲେ ଓ ତାଙ୍କ କଥା ବୁଝିବେ ବୋଲି କହିଲେ। ମହିଳାମାନଙ୍କ ଗହଣରେ ନବୀନ ଅନେକଟା ଅଶ୍ୱସ୍ତି ଅନୁଭବ କରନ୍ତି। ୨୦୦୫ ମସିହାରେ ଏକ ଉପନିର୍ବାଚନରେ ଖୋର୍ଦ୍ଧାରେ ପ୍ରଚାର କରୁଥିବାବେଳେ ପ୍ରାର୍ଥୀଙ୍କୁ ଅନେକ ମହିଳା ଫୁଳମାଳ ପିନ୍ଧାଇ ସ୍ୱାଗତ କରୁଥିଲେ। ଏହା ଦେଖି ନବୀନ ତାଙ୍କ କାନରେ ଫୁସଫୁସ କରି କହିଲେ ଯେ ମହିଳାମାନଙ୍କୁ ତାଙ୍କ ପାଖକୁ ଆସିବାରୁ ବାରଣ କରନ୍ତୁ।