ନାଇଁ ନାଇଁ ମଦ ପିଇବି ନାଇଁ...

May 8, 2024 - 01:57
 68
ନାଇଁ ନାଇଁ ମଦ ପିଇବି ନାଇଁ...
ଜାନକୀଶ ବଡ଼ପଣ୍ଡା ଭାଇ…ରେ ମଦ ପିଇବି ନାଇଁ… ନାଇଁ ନାଇଁ ମଦ ପିଇବି ନାହିଁ… ମଦୁଆ ହେବି ନାଇଁ, ମଦୁଆ ହେବି ନାଇଁ… ଚାଳରେ ଛଅଣ ନାଇଁ… ଚୁଲି ମୁଣ୍ଡେ ଲୁଣ ନାଇଁ… ଚୁଲିରେ ବିଲେଇ ଶୋଇଛି, ଚାଳ ପଟେ ଯହ୍ନ ଦିଶୁଛି…ବନ୍ଧୁ ରେ… ମଦ ପିଇବି ନାଇଁ…ନାଇଁ ନାଇଁ ମଦ ପିଇବି ନାଇଁ। ପିଲା ପେଟେ ଦାନା ନାଇଁ… ମାଇକିନା ହାତେ କନା ନାଇଁ… ଭାଇ…ରେ ମଦ ପିଇବି ନାଇଁ… ଏମିତି ଲୋକପ୍ରିୟ ଗୀତଟେ ଅନେକଙ୍କ କାନରେ ପଡ଼ିଥିବ। ନବେ ଦଶକରେ ମଦ ବିରୋଧରେ ଦୂରଦର୍ଶନ ମାଧ୍ୟମରେ ପ୍ରସାରିତ ଏହି ସଚେତନତା ଧର୍ମୀ ଗୀତଟିକୁ ଆଜି ବି ଗୁଣୁଗୁଣାନ୍ତି ଅନେକ ଓଡ଼ିଆ। ସଂସାର ଓ ସମାଜକୁ ଉଜାଡୁଥିବା ମଦରାକ୍ଷସ କବଳରୁ ମଣିଷକୁ ରକ୍ଷା କରିବାର ମହତ ଉଦ୍ଦେଶ୍ୟ ନେଇ ୧୯୯୯ ମସିହାରେ ଦୁଇ ଯାଆଁଳା ଭାଇ ଶାନ୍ତି ପ୍ରକାଶ ଓ ଜ୍ୟୋତି ପ୍ରକାଶ ଗାଇଥିବା ସାଧାରଣ ଗୀତଟି ଯେ ଅନେକ ଜୀବନକୁ ସଚେତନ କରିଥିଲା, ତାହା ସଭିଏଁ ସ୍ୱୀକାର କରନ୍ତି। କୋରାପୁଟ ଜିଲ୍ଲାର ଭେଜାପୁଟ ଗ୍ରାମରେ ଜନ୍ମରୁ ବଢ଼ି ଆସିଥିବା ଏହି ଦୁଇ ଭାଇଙ୍କ ଚେହେରା ଓ ଚଳଣିରୁ ଦୈନ୍ୟ ଅପେକ୍ଷା ସମାଜ ସଂସ୍କାର ପାଇଁ ପ୍ରତିବଦ୍ଧତା ଓ ଆତ୍ମବିଶ୍ଵାସ ଆଜି ବି ବାରି ହୋଇପଡ଼େ। ଓଡ଼ିଶାରେ ୧୯୯୯ଠାରୁ ୨୦୨୩ ମଧ୍ୟରେ କେବଳ ସରକାର ବଦଳି ନାହିଁ, ବଢ଼ି ଚାଲିଛି ମଦ୍ୟପାନ ପ୍ରତି ଲୋକଙ୍କ ଅହେତୁକ ଆକର୍ଷଣ ଓ ସରକାରୀ ପ୍ରୋତ୍ସାହନ। ଓଡ଼ିଶାରେ ବଢ଼ିଛି ମଦ୍ୟପଙ୍କ ସଂଖ୍ୟା। କେବଳ ଗତ ୩ ବର୍ଷରେ ମହିଳାଙ୍କ ମଧ୍ୟରେ ମଧ୍ୟ ମଦ୍ୟପାନ ହାର ବଢ଼ିଯାଇଛି ଦୁଇ ଗୁଣ! ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ମଦ୍ୟପଙ୍କ ସଂଖ୍ୟା ଅଧିକ ହୋଇଛି। ମଦ ଦୋକାନୀଙ୍କ ପାଇଁ ଧାର୍ଯ୍ୟ କରାଯାଉଥିବା ନିଶ୍ଚିତ ସର୍ବନିମ୍ନ କୋଟା (ଏମଜିକ୍ୟୁ) ଅପେକ୍ଷା ସେମାନେ ତାହାର ଦୁଇ ଗୁଣରୁ ଅଧିକ ମଦ କିଣି ଆଣୁଛନ୍ତି ଓଡ଼ିଶା ମଦ ନିଗମ ଗୋଦାମରୁ। ନ୍ୟାସନାଲ୍‌ ଫ୍ୟାମିଲି ହେଲ୍‌ଥ ସ‌ର୍ଭେ (ଏନ୍‌ଏଫ୍ଏଚ୍‌ଏସ୍‌) ରିପୋର୍ଟରେ ଓଡ଼ିଶା ଏଭଳି ସ୍ଥିତିରେ ପହଞ୍ଚି ଥିବାର ଜଣାଯାଇଛି। ମଦ୍ୟପାନ ବୃଦ୍ଧିହାର ନିଶ୍ଚୟ ଚିନ୍ତାଜନକ। ଅଧିକ ଉଦବେଗଜନକ କଥାଟି ହେଲା ଯେ ରାଜ୍ୟରେ ମହିଳାମାନଙ୍କ ମଧ୍ୟରେ ମଦ୍ୟପାନ ବୃଦ୍ଧି ପାଇଛି। ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳ ପୁରୁଷ ଓ ମହିଳା ଅଧିକ ମଦ୍ୟପାନ କରୁଥିବା ତଥ୍ୟ ମିଳିଛି। ତିନିବର୍ଷ ତଳେ ଗ୍ରାମାଞ୍ଚଳ ମହିଳାଙ୍କ ମଧ୍ୟରେ ମଦ୍ୟପାନ ହାର ୨.୬ ପ୍ରତିଶତ ଥିବା ବେଳେ ଏବେ ଏହା ୪.୯ ପ୍ରତିଶତକୁ ବୃଦ୍ଧି ପାଇଛି। ସହରାଞ୍ଚଳରେ ପୁରୁଷଙ୍କ ମଧ୍ୟରେ ମଦ୍ୟପାନ ହାର ୨୮.୮ ପ୍ରତିଶତ ଥିବାବେଳେ ଗ୍ରାମାଞ୍ଚଳରେ ଏହା ୩୦.୨ ପ୍ରତିଶତକୁ ବଢ଼ିଛି। ଅବକାରୀ ବିଭାଗର ତଥ୍ୟ ମଧ୍ୟ ଏନ୍‌ଏଫ୍ଏଚ୍‌ଏସ୍‌ ତଥ୍ୟ ସହ ମେଳ ଖାଉଛି। ୨୦୨୦-୨୧ ଆର୍ଥିକ ବର୍ଷରେ 'ଭାରତରେ ପ୍ରସ୍ତୁତ ବିଦେଶୀ ମଦ' (ଆଇଏମ୍‌ଏଫ୍‌ଏଲ୍‌) ପାଇଁ ଏମ୍‌ଜିକ୍ୟୁ ୧୦,୧୦,୦୯୬ ଲିଟର ଧାର୍ଯ୍ୟ କରାଯାଇଥିଲେ ହେଁ ମଦ ବ୍ୟବସାୟୀମାନେ ୨୩,୫୧,୮୯୪ ଲିଟର ଉଠାଇଥିଲେ। ସେହିଭଳି ୧୫,୭୭,୫୯୦ ଲିଟର ବିଅର୍‌ ସ୍ଥାନରେ ଉଠାଇଥିଲେ ୧୯,୯୬,୨୨୧ ଲିଟର। ପରବର୍ତ୍ତୀ ବର୍ଷ ୨୦୨୧-୨୨ରେ ଏନ୍‌ଏଫ୍ଏଚ୍‌ଏସ୍‌ ୧୪,୧୪,୩୮୫ ଲିଟର ସ୍ଥାନରେ ୨୭,୯୮,୧୬୦ ଲିଟର ଓ ବିଅର୍‌ କୋଟା ୨୨,୨୭,୫୫୯ ଲିଟର ସ୍ଥାନରେ ୨୯,୪୦,୧୧୨ ଲିଟର ଉଠାଣ କରାଯାଇଥିଲା। ୨୦୨୨-୨୩ରେ ଆଇଏମ୍‌ଏଫ୍‌ଏଲ୍‌ କୋଟା ୧୬,୬୪,୨୭୨ ଲିଟର୍‌ ଧାର୍ଯ୍ୟ ହୋଇଥିବା ବେଳେ ଏହାର ପ୍ରାୟ ଦୁଇଗୁଣ ଅର୍ଥାତ ୩୦,୫୧,୨୯୮ ଲିଟର ଭାରତ ତିଆରି ବିଦେଶୀ ମଦ ଉଠାଣ କରାଯାଇଥିଲା। ସେହିପରି ୨୬,୨୯,୦୬୨ ଲିଟର ବିଅର୍‌ ସ୍ଥାନରେ ଦୁଇଗୁଣରୁ ଅଧିକ ଅର୍ଥାତ ୫୫,୧୬,୨୨୦ ଲିଟର ବିଅର୍‌ ଉଠାଣ କରାଯାଇଥିଲା। ଗଲା ତିନି ବର୍ଷରେ ମଦବିକ୍ରୀ ୩୦ ପ୍ରତିଶତ ହାରରେ ବଢ଼ିବା ସହିତ ରାଜ୍ୟରେ ଦେଶୀ, ବିଦେଶୀ ମଦଦୋକାନ ଓ ବାର୍‌ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଗ୍ରାମାଞ୍ଚଳ ଲୋକମାନଙ୍କୁ ମଦ କିଣିବା ପାଇଁ ଆଉ ସହରାଞ୍ଚଳ ଦୋକାନକୁ ଯିବାକୁ ପଡୁନି। ନିଜ ଗାଁରେ ମଦଦୋକାନ ଖୋଲିସାରିଛି। ଏଣୁ ମଦ ବିରୋଧୀମାନେ ସରକାର ମଦୁଆଙ୍କୁ ସହଜରେ ମଦ ମିଳିବାର ସୁବିଧା ଦେଇଥିବାରୁ ଉଦବେଗ ପ୍ରକାଶ କରି ଆସୁଛନ୍ତି। ଯଦିଓ, ଓଡ଼ିଶା ଅବକାରୀ ନୀତି-୨୦୨୩-୨୪ରେ ଗ୍ରାମାଞ୍ଚଳରେ ନୂଆ ମଦଦୋକାନ ଖୋଲିବାକୁ ନିରୁତ୍ସାହିତ ବ୍ୟବସ୍ଥା ଅଛି, ମାତ୍ର ପୂର୍ବରୁ ଖୋଲିଥିବା ମଦ ଦୋକାନଗୁଡିକର ମଦ ଉଠାଣ କୋଟା ବଢ଼ିଯାଇଛି। ଅବକାରୀ ବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ନେଲା ଭଳି ଦେଖାଯାଉ ନଥିବାରୁ ଗ୍ରାମାଞ୍ଚଳରେ ଅବୈଧ ଓ ଚୋରା ମଦ ବେପାରୀଙ୍କ ପ୍ରାଦୁର୍ଭାବ ବଢ଼ିଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ବିଧାନସଭାରେ ଦିଆଯାଇଥିବା ସୂଚନା ଅନୁସାରେ, ୨୦୧୧-୧୨ ଆର୍ଥିକ ବର୍ଷରେ ରାଜ୍ୟର ଅବକାରୀ ଆୟ ଥିଲା ୧୩୭୯.୯୧ କୋଟି ଟଙ୍କା। ଗତ ୨୦୨୨-୨୩ ବର୍ଷ ବେଳକୁ ଏହା ୨୬୮ ପ୍ରତିଶତ ବଢ଼ିଯାଇ ପହଞ୍ଚିଛି ୬୪୫୫.୦୬ କୋଟି ଟଙ୍କାରେ। ସେତେବେଳକୁ ୫୦୯ଟି ମୁଖ୍ୟ ମଦ ଦୋକାନ, ୧୨୪୦ଟି ଶାଖା ଦୋକାନ, ୩୫ଟି ପ୍ରତିରକ୍ଷା ବିପଣୀ, ୪୬ଟି ବିଅର ପାର୍ଲର ଓ ୬୭୩ଟି ଠିପିଖୋଲା ବିଅର ବିକ୍ରିକେନ୍ଦ୍ର ଥିଲା। ମଦ ନିଗମର ତଥ୍ୟ ଅନୁସାରେ ରାଜ୍ୟରେ ୨୧୫ଟି ଠିପିବନ୍ଦ ଦେଶୀମଦ ଦୋକାନ ମଧ୍ୟ ରହିଛି; ଯାହାର ପ୍ରକୃତ ସଂଖ୍ୟା ବହୁଗୁଣ ଅଧିକ। ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମିଜୋରାମରେ ୧୮ ବର୍ଷ ଧରି କାର୍ଯ୍ୟକାରୀ ହେବା ପରେ ବିଫଳ ମଦନିଷେଧ ନୀତି ୨୦୧୬ ମସିହାରୁ ପ୍ରତ୍ୟାହାର କରାଯାଇଛି ଓ ଅବାଧ ମଦ ବିକ୍ରୀକୁ ଅନୁମତି ମିଳିଛି। କୋଚିଆଙ୍କ ବର୍ଦ୍ଧିତ ପ୍ରାଦୁର୍ଭାବ, ବେଆଇନ ମଦଭାଟିର ସଂଖ୍ୟାବୃଦ୍ଧି ଓ ଅବକାରୀ ଆୟ ହ୍ରାସ ଏଥିପାଇଁ ଦାୟୀ। ମିଜୋରାମର ଲୋକ ପ୍ରାୟତଃ ଖ୍ରୀଷ୍ଟ ଧର୍ମାବଲମ୍ବୀ ଓ ଚର୍ଚ୍ଚଗୁଡ଼ିକ ମଧ୍ୟ ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ ମଦବିରୋଧୀ ଆଭିମୁଖ୍ୟ ପରିବର୍ତ୍ତନ କରିଛନ୍ତି। ମଣିପୁରବାସୀଙ୍କ ଚାପ କାରଣରୁ ୧୯୯୧ ମସିହାରୁ ଲାଗୁ ହୋଇଥିବା ନିଷେଧାଦେଶକୁ ୨୦୦୨ରେ ଆଂଶିକ ଭାବେ ପ୍ରତ୍ୟାହାର କରାଯାଇଥିଲା ଓ ୨୦୧୬ ମସିହା ଜୁଲାଇ ମାସରୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଗଲା। ୨୪ ବର୍ଷର ମଦମୁକ୍ତି ଆଇନ ଥିବା ସତ୍ୱେ ଅବାଧ ଭାବେ ଆସାମରୁ ଅପମିଶ୍ରିତ ଚୋରାମଦ ଆସୁଥିଲା ଓ ରାଜସ୍ୱ ହରାଉଥିଲା ମଣିପୁର। ସ୍ୱଳ୍ପ ରାଜସ୍ୱ କାରଣରୁ ରାଜ୍ୟବାସୀଙ୍କୁ ଖାଦ୍ୟ ନିରାପତ୍ତା ଦେବାକୁ ସରକାର ଅସମର୍ଥ ହେଉଥିଲେ। ନାଗାଲ୍ୟାଣ୍ଡରେ ବି ମଣିପୁର ଭଳି ୧୯୮୯ରୁ ମଦବିକ୍ରି ନିଷେଧ ହୋଇଥିଲା। ନାମକୁ ମାତ୍ର ମଦମୁକ୍ତ କୁହାଯାଉଥିଲେ ବି ସେଠାରେ ମଦବନ୍ୟାରେ ଜନଜୀବନ ଥିଲା ବିପର୍ଯ୍ୟସ୍ତ। କ୍ୟାଥଲିକ ଚର୍ଚ୍ଚଗୁଡ଼ିକ ମଧ୍ୟ କ୍ରମଶଃ ମଦବିକ୍ରୀକୁ ସମ୍ମତି ଦେବାରୁ କଟକଣା ଉଠାଇ ଦିଆଗଲା। ମହାତ୍ମା ଗାନ୍ଧୀଙ୍କ ଜନ୍ମସ୍ଥାନ ଗୁଜରାତରେ ଭାରତୀୟ ସମ୍ବିଧାନରେ ଉଲ୍ଲିଖିତ ରାଜ୍ୟମାନଙ୍କର ଅଧିକାର ପ୍ରୟୋଗକରି ୧୯୬୦ ମସିହାରୁ ସମ୍ପୂର୍ଣ୍ଣ ନିଶା ନିବାରଣ କାର୍ଯ୍ୟକାରୀ କରିବା ଏକ ଉଲ୍ଲେଖଯୋଗ୍ୟ ଘଟଣା। ତଥାପି ସେଠାରେ ମଦର ପ୍ରାବଲ୍ୟ ନଥିଲେ ହେଁ ଉପସ୍ଥିତି ରହିଛି। ସେଠାରେ ଖାଇବା ପାଇଁ ଖାଦ୍ୟ ହୁଏତ ମିଳି ନପାରେ, କିନ୍ତୁ ମଦ ମିଳିବା ସହଜ! ଫୋନ କରିଦେଲେ କୁଆଡ଼େ ଘରେ ପହଞ୍ଚି ଯାଏ ମଦ ବୋତଲ ବୋଲି ଏକ ସର୍ବେକ୍ଷଣରୁ ଜଣାଯାଏ। କୁହାଯାଏ ଯେ, ଗୁଜରାତବାସୀ ମଦ ଛୁଅଁନ୍ତି ନାହିଁ; କିନ୍ତୁ ସେଠାରେ ବସବାସ କରୁଥିବା ଅନ୍ୟାନ୍ୟ ରାଜ୍ୟର ଶିଳ୍ପ ଶ୍ରମିକମାନେ ଚୋରାରେ ମଦ ଘରକୁ ମଗାଇ ଥାଆନ୍ତି। ଆନ୍ଧ୍ର ପ୍ରଦେଶରେ ୧୯୯୨ରୁ କିଛି ବର୍ଷ ପାଇଁ ମଦ୍ୟପାନ ଉପରେ ଅଙ୍କୁଶ ଲାଗିଥିଲା। ସାମାଜ ସୁଧାରକ ଓ ମହିଳାମାନଙ୍କ ପକ୍ଷରୁ ପ୍ରବଳ ଦାବୀ ହେବାରୁ ସମ୍ପୂର୍ଣ୍ଣ ନିଶା ନିବାରଣ କରାଯାଇଥିଲେ ହେଁ, ମୁଖ୍ୟତଃ ରାଜସ୍ୱ ଆଦାୟ ବଢ଼ାଇବାକୁ ମଦ ଉପରୁ ନିୟନ୍ତ୍ରଣ ହଟାଇବାକୁ ବାଧ୍ୟ ହୋଇଥିଲେ ଏନଟିଆରଙ୍କ ତେଲୁଗୁ ଦେଶମ ସରକାର। ଆନ୍ଧ୍ର ପ୍ରଦେଶ ସରକାର ମଦ ଉପରେ ଅଙ୍କୁଶ ଲଗାଇ ଥିବାରୁ ଆନ୍ଧ୍ରର ମାଦ୍ୟପମାନେ ପାରଳାଖେମୁଣ୍ଡିରେ ମଦପିଇ ରାସ୍ତା ଘାଟରେ ଗଡୁଥିଲେ। ହରିୟାଣାରେ ୧୯୯୬ ମସିହାରେ ବଂଶୀଲାଲ ସରକାର ମଦବିକ୍ରି ନିଷେଧ କରିଥିଲେ ହେଁ ଦୁଇ ବର୍ଷ ପରେ ସଂସଦୀୟ ନିର୍ବାଚନରେ ବିପର୍ଯ୍ୟୟ ଭୋଗି ତାହାକୁ ଉଠାଇ ଦେବାକୁ ବାଧ୍ୟ ହୋଇଥିଲେ। ମଦ ପ୍ରସ୍ତୁତି ପାଇଁ ବାଙ୍ଗାଲୋରରେ ଅଛି ଅନେକ ଶିଳ୍ପ ସଂସ୍ଥା। ସେଠାରେ ବାରମ୍ବାର ମଦବିକ୍ରି ଉପରେ ନିଷେଧାଦେଶ ଆସିଛି ଓ ପ୍ରତ୍ୟାହୃତ ବି ହୋଇଛି। ସେଠାରେ ଭାଟିମଦ ପ୍ରସ୍ତୁତି ଓ ବିକ୍ରି ବେଆଇନ ଘୋଷିତ ହୋଇଛି। ଦିନ ଥିଲା, କେରଳରେ ସବୁଠୁ ଅଧିକ ମଦ ବିକ୍ରି ହେଉଥିଲା। ୨୦୧୭ଠାରୁ କେବଳ ପର୍ଯ୍ୟଟକଙ୍କ ପାଇଁ ତାରକା ହୋଟେଲ ବ୍ୟତୀତ ଅନ୍ୟ ସ୍ଥାନରେ ମଦ ବିକ୍ରି ନିଷେଧ କରାଯାଇଛି। ଫଳରେ ରାଜ୍ୟ ସରକାର ବାର୍ଷିକ ୮-୧୦ ହଜାର କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ତାମିଲନାଡୁର ନିଶା ନିବାରଣର ଦୋଳି ଖେଳ ଅତ୍ୟନ୍ତ ରୋଚକ। ୧୯୫୭ ମସିହାରେ ମୁଖ୍ୟମନ୍ତ୍ରୀ ଥିଲେ ଚକ୍ରବର୍ତ୍ତୀ ରାଜ ଗୋପାଲାଚାରୀ। ସେ ୧୯୩୭ ମସିହାରେ ମାଡ୍ରାସ ପ୍ରେସିଡେନ୍ସି ଅମଳର ନିଶା ନିବାରଣ ଆଇନକୁ କାର୍ଯ୍ୟକାରୀ କରିଥିଲେ। ରାଜ୍ୟରେ ମଦ ନିଷିଦ୍ଧ ହୋଇଗଲା। ୧୯୭୧ରେ ଡିଏମକେ କ୍ଷମତାକୁ ଆସିବା ପରେ ପୁନର୍ବାର ମଦ ପ୍ରସ୍ତୁତି ଓ ବିକ୍ରି ଆରମ୍ଭ ହେଲା। ସେବେଠୁ ନିଶା ନିବାରଣ ଏକ ରାଜନୈତିକ ପ୍ରସଙ୍ଗ ପାଲଟି ଯାଇଛି ତାମିଲନାଡୁରେ। ୧୯୭୩ରେ ରାଜ୍ୟ ସରକାର ମଦ ନିବାରଣ ପୁଣି ଥରେ କାର୍ଯ୍ୟକାରୀ କଲେ। ଚାରି ବର୍ଷ ପରେ ଏଆଇଡିଏମକେ କ୍ଷମତା ଦଖଲ କଲାମାତ୍ରେ ତାଡି ଓ ମଦଭାଟି ପାଇଁ ଅଙ୍କୁଶ ହଟାଇ ଦେଇଥିଲେ। ଏଭଳି ପ୍ରତି ପାଞ୍ଚ ବର୍ଷରେ ଦୁଇ ଦଳ କ୍ଷମତା ଅଦଳ ବଦଳ କରି ନିଶା ନିବାରଣକୁ ନେଇ ରାଜନୀତି କରୁଥିବାର ପରିଲକ୍ଷିତ ହୁଏ। ଦେଖିବାକୁ ଗଲେ, ରାଜସ୍ୱ ଆଦାୟ ପାଇଁ ନିଶାର ପ୍ରସାର କରିବାକୁ ରାଜ୍ୟମାନେ ଲାଳାୟିତ। ଅଧିକାଂଶ ରାଜ୍ୟ ମଦ ବିକ୍ରୀ ଉପରେ ଲାଗୁ କରିଥିବା ନିଷେଧାଦେଶକୁ ଆଂଶିକ ଅଥବା ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିଛନ୍ତି କେବଳ ରାଜସ୍ୱ ଲୋଭରେ। ଏହା ଛଡା, ଆଉ ଦୁଇଟି କାରଣ ଭିତରୁ ପର୍ଯ୍ୟଟକ କମିଯିବା ଓ ଅବକାରୀ ବିଭାଗର ଅସଫଳତାକୁ ମଧ୍ୟ ଦାୟୀ କରାଯାଇ ପାରିବ। ଆମ ଦେଶର ସମ୍ବିଧାନ ଅନୁସାରେ 'ମଦ' ରାଜ୍ୟ ସରକାରଙ୍କ କର୍ତ୍ତୃତ୍ୱାଧୀନ ବିଷୟ ହୋଇଥିବାରୁ ରାଜ୍ୟମାନେ ମଦମୁକ୍ତି ପାଇଁ ଆଇନ କରିପାରିବେ। ତଥାପି, ଆମ ଦେଶର ସମୁଦାୟ ୨୯ଟି ରାଜ୍ୟ ମଧ୍ୟରୁ ୨୪ଟି ରାଜ୍ୟ ସରକାର ଅବାଧ ମଦ ବିକ୍ରିପାଇଁ ଆଗ୍ରହୀ। ଯେଉଁସବୁ ରାଜ୍ୟରେ ମଦମୁକ୍ତି ଆଇନ କରାଯାଇଛି, ସେଠାରେ ଲୁଚା ଚୋରାରେ ମଦ ମିଳୁଛି, ବିଷାକ୍ତ ମଦ ପିଇ ଲୋକମାନେ ମୃତ୍ୟୁମୁଖରେ ପଡୁଛନ୍ତି। ଅନ୍ୟପକ୍ଷରେ ରାଜ୍ୟମାନେ ମଦ ବିକ୍ରି ପ୍ରୋତ୍ସାହିତ କରିବା କାରଣରୁ, ଗରିବ ଲୋକମାନେ ସମସ୍ତ ରୋଜଗାର ଅର୍ଥ ମଦ୍ୟପାନରେ ଖର୍ଚ୍ଚ କରି ତଳିତଳାନ୍ତ ହେଉଛନ୍ତି, ପ୍ରତ୍ୟେକ ଘରେ ଅଶାନ୍ତି ବଢୁଛି। ରାସ୍ତା ଦୁର୍ଘଟଣା ଓ ସାମାଜିକ ବିଶୃଙ୍ଖଳା ବଢ଼ିବା ସହିତ ମଦ୍ୟପଙ୍କ ସ୍ୱାସ୍ଥ୍ୟ ସମସ୍ୟା ବଢୁଛି। ମହିଳାମାନେ ଅସୁରକ୍ଷିତ ହେବା ସହ ଯୁବ ସମାଜ ପଥଭ୍ରଷ୍ଟ ହେଉଛି। ସରକାର ଯେତିକି ଅଧିକ ରାଜସ୍ୱ ପାଉଛନ୍ତି, ସେତିକି ଖର୍ଚ୍ଚ କରୁଛନ୍ତି ଚିକିତ୍ସା ବାବଦରେ। ଗୋଦରା କୋଡ଼େ ଯେତେ ମାଡ଼େ ସେତେ ଭଳି ଅବସ୍ଥା। ଅଧିକ ରାଜସ୍ୱ ଆଦାୟ, ପ୍ରଶାସନିକ ଅସହାୟତା ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଆମେ ମଦ ବିକ୍ରୀକୁ ପ୍ରୋତ୍ସାହିତ କରିବା ନା ଦେଶବାସୀଙ୍କ କ୍ଷୁଧା ତଥା ଅପପୁଷ୍ଟି ଦୂର କରିବା ପାଇଁ ସମସ୍ତ ରାଜ୍ୟଙ୍କ ସହଯୋଗରେ ମଦମୁକ୍ତ ଭାରତ ନିର୍ମାଣ ପାଇଁ ଏକ ଦୀର୍ଘ ମିଆଦି ଯୋଜନା କରି ୨୦୪୭ ସୁଦ୍ଧା ଦେଶରେ ସମ୍ପୂର୍ଣ୍ଣ ନିଶା ନିବାରଣ କରିବା ତାହା ବିଚାର୍ଯ୍ୟ। ଆଜି କେନ୍ଦ୍ର ସରକାରଙ୍କ 'ଗୋଟିଏ ଦେଶ, ଗୋଟିଏ ଆଇନ ଓ ନୀତି' ଅନ୍ତତଃ ମଦମୁକ୍ତ-କ୍ଷୁଧାମୁକ୍ତ ଭାରତ ଗଠନ ପାଇଁ ବ୍ୟବହାର ହେବାର ସମୟ ଆସିଛି। କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କ ସହମତିରେ ସମଗ୍ର ଦେଶରେ ସମ୍ପୂର୍ଣ୍ଣ ନିଶା ନିବାରଣ କାର୍ଯ୍ୟକାରୀ କରି ପାରିଲେ, ଭାରତ ବିଶ୍ଵଗୁରୁ ହେବ ସମ୍ଭବ ହେବ। ଫୋ- ୯୪୩୮୨୯୯୦୩୭