ଧ୍ରୁପଦୀ ଧ୍ରୁବନକ୍ଷତ୍ର : ଫକୀରମୋହନ

Jun 18, 2019 - 04:08
 1024
ଧ୍ରୁପଦୀ ଧ୍ରୁବନକ୍ଷତ୍ର : ଫକୀରମୋହନ
ମାୟାଧର ନାୟକ ଫକୀରମୋହନଙ୍କ ସାହିତ୍ୟ ହେଉଛି ଗୋଟିଏ ଜାତିରେ ଫୁଙ୍ଗୁଳା ଫର୍ଦ। ତାଙ୍କ ସମୟର ଓଡ଼ିଶାକୁ ଏକ ସନ୍ଧିକ୍ଷଣର ଓଡ଼ିଶା କହିଲେ ଅତ୍ୟୁକ୍ତି ହେବନାହିଁ। ଯେଉଁ ସମୟରେ ତାଙ୍କ ଜନ୍ମ (୧୮୪୩) ସେଇ ସମୟରେ ଓଡ଼ିଆ ଜାତି ଏହାର ଚାରି ଦଶନ୍ଧି ପୂର୍ବରୁ ବ୍ରିଟିଶ୍ ଶାସନର ବଳୟଭୁକ୍ତ ହୋଇସାରିଥିଲା ତାଙ୍କ ଜନ୍ମର ୨୬ ବର୍ଷ ଆଗରୁ। ୧୮୧୭ ମସିହାର ପାଇକ ବିଦ୍ରୋହ ଇଂରେଜମାନଙ୍କ ବିରୋଧରେ ଭାରତର ପ୍ରଥମ ମୁକ୍ତିସଂଗ୍ରାମ, ଯାହାକୁ ଐତିହସିକମାନେ ପ୍ରାନ୍ତୀୟ ବିଦ୍ରୋହ ବୋଲି ଆଖ୍ୟା ଦେଇଯାଇଛନ୍ତି। ଅତୀତରେ ସ୍ପର୍ଦ୍ଧିତ ବୀରପ୍ରସବିନୀ, ବାଣିଜ୍ୟ ସମୃଦ୍ଧ ଏକ ବିଶାଳ ଭୁଖଣ୍ଡ, ଫକୀରମୋହନ ଜନ୍ମବେଳରୁ ଏକ ବିପର୍ଯ୍ୟସ୍ତ, ଅବକ୍ଷୟଗ୍ରସ୍ତ ଖଣ୍ଡିତ କଙ୍କାଳ! ଅର୍ଦ୍ଧମୃତ, ହତଗୌରବ ଜାତିର ଗାଥାକାର ଭାବରେ ଫକୀରମୋହନ ନିଜ ସର୍ଜନା ମାଧ୍ୟମରେ ଅଙ୍କନ କରିଛନ୍ତି ଏହି ଅନଳକୃଂତ ଭୂଚିତ୍ରର ଭାବମୂର୍ତ୍ତି। ସ୍ୱୟଂ ସେ ଥିଲେ ବୀରହନୁମଲ୍ଲଙ୍କର ବଂଶଧର। ସେଦିନ ହନୁମଲ୍ଲଙ୍କ ହାତରେ ଥିଲା ଶତୃଜୟୀ ଶାଣିତ ଶସ୍ତ୍ର, ମାତ୍ର ପରବର୍ତ୍ତୀ ଦାୟାଦ ଫକୀରମୋହନଙ୍କ ହାତରେ ଏକ କାଳଜୟୀ ତୀକ୍ଷ୍ଣ କଲମ। ଉନ୍ନବିଂଶ ଶତାଦ୍ଦୀର ମଧ୍ୟଭାଗର ମାନଚିତ୍ରରେ ଓଡ଼ିଆ ଭାଷା, ସାହିତ୍ୟର ଲେଖାଚିତ୍ର ନିତାନ୍ତ ମ୍ଳାନ, ନିଷ୍ପ୍ରଭ। ସାରଳା ଦାସ, ଜଗନ୍ନାଥ ଦାସଙ୍କ ଠାରୁ ଆବର୍ତ୍ତିତ ଓ ବିବର୍ତ୍ତିତ ହୋଇ ଏକ ମହାସମୁଦ୍ରୋପମ ସାହିତ୍ୟର ସ୍ରୋତଧାରା ଫକୀରମୋହନଙ୍କ ପର୍ଯ୍ୟନ୍ତ ପହଂଚିବାବେଳକୁ ଏକ କ୍ରମଶୀର୍ଣ୍ଣ ନଦୀର କରୁଣ ପରିଣାମ ଭୋଗୁଛି। ଇଂରେଜ ଶାସନାଧୀନ ଓଡ଼ିଶାର କ୍ଷୟିଷ୍ନୁ ସାମନ୍ତବାଦର ଅସ୍ତଲଗ୍ନରେ ଦରିଦ୍ର ଓଡ଼ିଆ ଭିଟାମାଟି ଛାଡ଼ି ବୃତି ଅନ୍ୱେଷଣ କରୁଛି ରେଙ୍ଗୁନ୍, କଲିକତା ଇତ୍ୟାଦି ସୁଦୂରବର୍ତ୍ତୀ ଭୂମିରେ। ଜମିଦାରୀ ସବୁ ନିଲାମ ହେବାରେ ଲାଗିଛି, ଏବଂ ଓଡ଼ିଆ ଜମିଦାର ବଦଳରେ ବଙ୍ଗାଳୀ ଜମିଦାରମାନଙ୍କୁ ଦେଖାଯାଉଛି, ଏଥିସହ ଏକ ଇଂରାଜୀ ପ୍ରଶିକ୍ଷିତ ନବ୍ୟ ମଧ୍ୟବିତ୍ତବର୍ଗ ମଧ୍ୟ। ଏହା ଏକ ସଂଦିଗ୍ଧ ସମୟଖଣ୍ଡ, ଏକ ସକରୁଣ ସନ୍ଧିକ୍ଷଣ, ଯେତେବେଳେ ଭେକ ହରାଇଥିବା ଓଡ଼ିଆ ଭାଷା ଭିକ୍ଷାଥଳି ଧରି ବାରଦୁଆର ବୁଲି ମାଗୁଛି ମୁଠାଏ ଜୀବନ ମାତ୍ର। ଲକ୍ଷ କରିବାର କଥା, ଏହି ସମୟ ମଧ୍ୟରେ ଓଡ଼ିଆ ଭାଷା ଏକ ସ୍ୱତନ୍ତ୍ର ଭାଷା ନୁହେଁ ବୋଲି ଧ୍ୱନୀ ଉଠି ଏ ଭାଷାକୁ ବଙ୍ଗଳାଭାଷା ସହିତ ସାମିଲ କରିଦିଆଯିବାର ମସୁଧା ଚାଲିଥିଲା। ଏଇ ଭାଷାବିଲୋପ ଆନ୍ଦୋଳନକୁ ସେତେବେଳେ ଯେଉଁ ସମର୍ଥସାହାସୀ ଓଡିଆଏ ସାମ୍ନା କରିଥିଲେ ଏବଂ ଓଡ଼ିଆ ଭାଷାର ଜୀବନୀଶକ୍ତିକୁ ଆବାହାନ କରିବା ନିମନ୍ତେ ସାରା ଓଡ଼ିଶାରେ ଯେଉଁ ସାଂସ୍କୃତିକ ଯୁବନେତୃତ୍ୱ ଏକ ନବଜାଗରଣ ପର୍ବର ଅୟମାରମ୍ଭ କରିଥିଲା- ଫକୀରମୋହନ ସେନାପତି ଥିଲେ ସେଇମାନଙ୍କ ମଧ୍ୟରୁ ଜଣେ ଅଗ୍ରଗଣ୍ୟ ଉଜ୍ୱଳ ପୁରୁଷ। ୧୮୬୬ ମସିହାରେ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ପଡିଥିଲାବେଳେ ଫକୀରମୋହନ ମାତ୍ର ୨୩-୨୪ ବର୍ଷର ଯୁବକ। କ୍ଷୁଧାଜର୍ଜର ଓଡ଼ିଶାର ଆର୍ତ୍ତନାଦକୁ ଶୁଣିଥିଲେ ସେ ଏବଂ ପ୍ରତ୍ୟକ୍ଷ କରିଥିଲେ ଉଲଙ୍ଗ ବାସ୍ତବତା। ସେଥିପାଇଁ ପରବର୍ତ୍ତୀ କାଳରେ ତାଙ୍କ ସାହିତ୍ୟରେ କଳ୍ପନାର କେଳିକୌତୁକ ନାହିଁ, ବରଂ ଜୀବନର ଅପରାହ୍ନରେ ତଥା ୫୦ ବର୍ଷ ବୟସୋତ୍ତର ପର୍ଯ୍ୟାୟରେ ସେ ଲେଖିଯାଇଥିବା ତାଙ୍କ ୪ଟି ଯାକ ଉପନ୍ୟାସରେ ଅଛି ଗ୍ରାମୀଣ ଉତ୍କଳର ଗୈରିକ ଉତ୍କଟତା - ନାମାନ୍ତରେ ଯାହା ନିର୍ଦ୍ଦୟ ବାସ୍ତବତାର ନିଖୁଣ ଚିତ୍ର। ୧୮୯୭ରୁ ୧୯୧୫ ମସିହା ମଧ୍ୟରେ ପ୍ରକାଶିତ ତାଙ୍କର ଏହି ୪ ଉପନ୍ୟାସ- ଲଛମା, ଛ’ମାଣ ଆଠ ଗୁଣ୍ଠ, ମାମୁ, ପ୍ରାୟଶ୍ଚିତ- ହେଉଛି ଦୀର୍ଘ ଦୁଇ ଶତାଦ୍ଦୀବ୍ୟାପି ଓଡ଼ିଆ ଜୀବନଚିତ୍ରର ଏକ ଛିନ୍ନଚୌହଦୀ। ଇତିହାସରୁ ସମକାଳ ପର୍ଯ୍ୟନ୍ତ ସଂପ୍ରସାରିତ ଏକ ମହାସର୍ଜନାସ୍ରୋତ ଏ ସବୁ ଉପନ୍ୟାସ। ‘ଲଛମା’ର ଓଡିଶା ହେଉଛି ଅଷ୍ଟାଦଶ ଶତାଦ୍ଦୀର ଉତ୍ପୀଡିତ ଆତ୍ମାର ଏକ ଆଭାସଚିତ୍ର। ଛ’ମାଣ ଆଠ ଗୁଣ୍ଠୁ ଉନ୍ନବିଂଶ ଶତାଦ୍ଦୀର ଅନ୍ତିମ ଭାଗର ଘଟଣାକ୍ରମ ଆଧାରିତ ଏକ କରୁଣ କଥାବସ୍ତୁ। ପ୍ରଥମକରି ଏ ଉପନ୍ୟାସରେ ଗୋଟିଏ ଜମିକୁ ଚିତ୍ରକଳ୍ପ କରି ଛିଡ଼ା କରାଇଛନ୍ତି ଫକୀରମୋହନ। ସେଦିନ କୁରୁସଭାରେ ଘୋଷିତ ଦୁର୍ଯ୍ୟୋଧନର ଦୁର୍ଦ୍ଦାନ୍ତ ଇସ୍ତାହାର ‘ବିନାଯୁଦ୍ଧେ ନଦେବି ମଁୁ ସ୍ୱଚଗ୍ର ମେଦିନୀ’ ଠାରୁ ସରଳନୀରିହ ଶାରିଆ ଭଗିଆଙ୍କର ଛ’ମାଣ ଆଠଗୁଣ୍ଠ ଜମିର ଗୁରୁତ୍ୱ କୌଣସି ଦୃଷ୍ଟିରୁ ନ୍ୟୁନ ନୁହେଁ। ‘ମାମୁ’ ହେଉଛି ଉନ୍ନବିଂଶ ଶତାଦ୍ଦୀ ମଧ୍ୟରେ ବ୍ୟବସ୍ଥିତ ଏକ ବିଷମ ସମୟଖଣ୍ଡର ବୃତ୍ତଚିତ୍ର। ସହର ଅଛି, ଗାଁ ଅଛି, ଇଂରେଜ ଶାସନର କ୍ରମ ସହିତ ଆଧୁନିକ କାଳର ଆଭାସ ମଧ୍ୟ ଅଭିବ୍ୟଞ୍ଜିତ ଏ ଉପନ୍ୟାସରେ। ଘର ଛାଡ଼ି ଚରିତ୍ର ଦପ୍ତରମୁହାଁ। ଚାକିରି ପାଇଁ ଇଂରାଜୀ ଭାଷା ପ୍ରତି ଅନୁରାଗ, ଓଡ଼ିଆ ଯୌଥ ପରିବାରର କ୍ରମସଂକୋଚନମୁଖୀ ଭବିଷ୍ୟତ ପାଇଁ କିପରି ବାଟ ଫିଟାଇଛି, ଫକୀରମୋହନଙ୍କ ‘ମାମୁ’ରେ ଏହା ବ୍ୟଞ୍ଜନାତ୍ମକ ଭାବରେ ବ୍ୟକ୍ତ। ଯୌଥ ପରିବାରର ବିପର୍ଯ୍ୟୟ ପରେ ଏକ ନବ୍ୟଶିକ୍ଷିତ ମଧ୍ୟବିତ୍ତବର୍ଗର ଅଭ୍ୟୁଦୟ ଏବଂ ନୁତନ ରୁଚି, ସଂସ୍କାର, ନବଜାଗରଣର ପୃଷ୍ଟଭୁମିରେ ‘ପ୍ରାୟଶ୍ଚିତ’ ଉପନ୍ୟାସ ପରିକଳ୍ପିତ। ଫକୀରମୋହନଙ୍କ ଉପନ୍ୟାସ ଗୁଡ଼ିକରେ ଯଦି ଓଡିଶାର ନିଦ୍ରା ଓ ସ୍ୱପ୍ନଭଙ୍ଗର ସ୍ୱର ଶୁଣାଯାଇଥାଏ, ତା’ହେଲେ ଆଧୁନିକ ସମାଜର ଘନଘଟାମୟ ଘଟଣାଗୁଚ୍ଛ ମଧ୍ୟରୁ ବାସ୍ତବତାକୁ ବାଛିନେଇ ତା’ରି ଭିତିରେ ସେ ନିଜ କାହାଣୀର କାୟାକଳ୍ପ ନିର୍ମାଣ କରିଥିଲେ ହେଁ ତାଙ୍କର ଅଦ୍ୱିତୀୟ ଅବଦାନ ହେଉଛି ଓଡ଼ିଶାକୁ ସେ ଉପହାର ଦେଇପାରିଛନ୍ତି ଅଜସ୍ର ଅବିସ୍ମରଣୀୟ ଚରିତ୍ର। ତାଙ୍କ ପରି ଅନ୍ୟକୌଣସି ଆଧୁନିକ ଓଡ଼ିଆ ଲେଖକ ଏତେ ସ୍ମରଣୀୟ ଚରିତ୍ର ସୃଷ୍ଟି କରିପାରିନାହାଁନ୍ତି, ଆଜିଯାଏଁ ବି। ରାମଚନ୍ଦ୍ର ମଙ୍ଗରାଜ, ନାଜର ନଟବର ପରି ଜଟିଳ ଚରିତ୍ର ଯେପରି ଅଛନ୍ତି ସା’ଆନ୍ତାଣୀ, ଶାରିଆ ଭଗିଆ ପରି ସରଳ ଚରିତ୍ର ବି ସେମିତି ଓଡିଆ ପୁରପଲ୍ଲୀରେ ପ୍ରବାଦ ପାଲଟିଯାଇଛନ୍ତି। ତା’ଛଡ଼ା ଉପନ୍ୟାସର ଗୋବିନ୍ଦ ଭଣ୍ଡାରି, ଚମ୍ପା, ଚିତ୍ରକଳା ଠାରୁ ଆରମ୍ଭକରି ଗଳ୍ପର ସଭ୍ୟ ଜମିଦାର, ଡାକମୁନିଷୀ, ରାଣ୍ଡିପୁଅ ଅନତା ସହିତ ଆଖିଆଗରେ ଶେଷଯାତ୍ରୀର ତାରାପରି ଝଲସି ଉଠେ ‘ରେବତୀ’! ଫକୀରମୋହନ ଆଧୁନିକ ଓଡିଆ ସାହିତ୍ୟରେ ସର୍ବାଧିକ ସ୍ମରଣୀୟ ଚରିତ୍ରର ଅନତିକ୍ରାନ୍ତ ସ୍ରଷ୍ଟା। ତାଙ୍କଠି ଥିଲା ଆଧୁନିକ ଉପନ୍ୟାସକୁ ସମକାଳୀନ ପୁରାଣରେ ପରିଣତ ପାରିବାର ଅପାର ସାମର୍ଥ୍ୟ। ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଏହି କାଳଜୟୀ ରଚନାକାର ପରବର୍ତ୍ତୀ ଜୀବନରେ ବିପୁଳ ସାହିତ୍ୟ ସୃଷ୍ଟି କରିବା ପୂର୍ବରୁ ସାହିତ୍ୟର ସୁରକ୍ଷା ନିମନ୍ତେ କିପରି ଅତନ୍ଦ୍ର ପ୍ରହର କାଟୁଥିଲେ, ସଭା କରି, ସଂଗଠନ କରି। ସେ ନିଜେ ମଧ୍ୟ ଏକ ମୁଦ୍ରଣ ଯନ୍ତ୍ର ଆଣି ବାଲେଶ୍ୱରରୁ ଆରମ୍ଭ କରିଥିଲେ ବହିଛପା ଅଭିଯାନ। ଏଭଳି ଅଙ୍ଗିକାର ସେତେବେଳେ ବି ଦୁର୍ଲଭ ଥିଲା, ଆଜିବି ସୁଲଭ କେଉଁଠି? ଫକୀରମୋହନଙ୍କ ‘ଆତ୍ମଜୀବନ ଚରିତ୍ର’ ତାଙ୍କ କଲମର କାଳୋତୀର୍ଣ୍ଣ କୃତି। ଏହା ଯେକୌଣସି ଗଳ୍ପ ଉପନ୍ୟାସ ଠାରୁ ସୁଧା ଅଧିକତର ଉତ୍ତୀର୍ଣ୍ଣ ସୃଷ୍ଟି। ବ୍ୟକ୍ତିର ଅଭିବ୍ୟକ୍ତିରେ ସମାଜ ଓ ସମୟ କିପରି ଅନ୍ତରଙ୍ଗ ଭାବରେ ଏକାକାର, ତାଙ୍କ ଆମିଚରିତ୍ର ଏହାର ସତ୍ୟବଦ୍ଧ ସାକ୍ଷୀ। ସବୁ ଚରିତ୍ରର ଉର୍ଦ୍ଧ୍ୱରେ ସେ ଆମ ଆଧୁନିକ ଗଦ୍ୟର ଧ୍ରୁପଦୀ ଧ୍ରୁବନକ୍ଷତ୍ର, ଏହା ନିଃସନ୍ଦେହ। ଯାଜପୁର ରୋଡ଼, ଯାଜପୁର ମୋ : ୯୮୬୧୦୩୪୧୬୩