ଧାନବିଲ ଖସଖସ, ସରିବ ଶ୍ରାବଣ ମାସ, ଶୁଖିଲା ସରକାରୀ ସେଚ!

Jul 24, 2019 - 07:11
 1415
ଧାନବିଲ ଖସଖସ, ସରିବ ଶ୍ରାବଣ ମାସ, ଶୁଖିଲା ସରକାରୀ ସେଚ!
ହେମାଙ୍ଗ ପ୍ରସାଦ ରାଉଳ ବର୍ଷାକାଳର ବର୍ଣ୍ଣନା କେବଳ ସାହିତ୍ୟର ସୃର୍ଜନ ପୃଷ୍ଠାରେ ରହିବାପରି ଅନୁଭବ। କୃଷକର ସଂପଦ ତା’ର କ୍ଷେତବାଡ଼ି, ଯାହାକି କୃଷକ ଅପେକ୍ଷା କରିଥାଏ ମୌସୁମୀକୁ। କେତେବେଳେ ମୌସୁମୀ ଆସିବ, ବିଲରେ ତଳି ପକାଇ ସେଇ ତଳିକୁ ନେଇ ବିଲରେ ରୋଇବାର ଦୃଶ୍ୟ ଶ୍ରାବଣରେ ପ୍ରକୃତ ଛଡ଼ାଇ ନେଇଛି ମୌସୁମୀ। ବର୍ଷାର ଆଷାଢ, ଶ୍ରାବଣ ମାସ। ଆଷାଢ଼ ସରିଲା, ପୂର୍ଣ୍ଣମୀ ସକ୍ରାନ୍ତି ପଳେଇଲା, କିନ୍ତୁ ବିଲନଦୀ ପ୍ରାନ୍ତର ହିଡ଼ ଶୁଷ୍କ। କୃଷକର ଲୁହ ଶୁଖିବା ନା’ ନେଉନି। ସରକାରୀ ଯୋଜନାରେ କୃଷକର ସଂପଦ ଶୀର୍ଷରେ ହେଲେ ମଧ୍ୟ କୃଷି ସଂପଦ ପ୍ରାୟ ଉଜୁଡ଼ିବାକୁ ବସିଛି। ମୌସୁମୀ ଆଗମନ ନିଷ୍ପ୍ରଭ ମୌସୁମୀ ସଂପ୍ରତି ଧାନ, ଶସ୍ୟ, ପନିପାରିବା ଅମଳ କରିବା ପାଇଁ ଚାଷ କରୁଥିବା କୃଷକ ଭାଗ୍ୟ ଆଦରି ବସିଛି। କୃଷି ଅଛି ଯାହାର ସବୁ ସୁଖ ତାହାର, କିନ୍ତୁ ଯଦି ଠିକ୍ ସମୟରେ ବର୍ଷା ହେବନି ଫସଲ ଆଦାୟ ହେବ କେମିତି? ସରକାର ବର୍ଷାଜଳ ସଂରକ୍ଷଣରେ ବିଫଳ। ନଦୀ ଶୁଖିଲା ପଡ଼ିଛି। କେନାଲ୍‌ର ଧାରା ମଧ୍ୟ ଶୁଖିଗଲାଣି। କେଉଁଠି ହେଲେ ଜଳଧାରା ନାହିଁ। ସରକାରଙ୍କ ଉଠାଜଳସେଚନର ପଏଣ୍ଟଗୁଡ଼ିକ ଏକ ପ୍ରକାର ନିଷ୍କ୍ରିୟ। କହିବାରେ ଭୁଲ୍ ହେବ ନାହିଁ ଉଠା ଜଳସେଚନ ନିଗମ ପାଇଁ ସରକାର କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ କରନ୍ତି। କିନ୍ତୁ ଏହା କେବଳ କାଗଜ କଲମରେ ସୀମିତ। କୃଷକର ଦୁଃଖ ବୁଝିବା ପାଇଁ ଗଂଜାମ ଜିଲ୍ଲାରେ କାର୍ଯ୍ୟରତ ଅଫିସରମାନଙ୍କର ଦେଖିବାକୁ ମିଳୁନାହିଁ। ତଥ୍ୟ ମାଗିବାକୁ ଗଲେ ବିଭ୍ରାନ୍ତକର ତଥ୍ୟ ଦିଅନ୍ତି। ପ୍ରାୟତଃ କୌଣସି କର୍ମଚାରୀ ଗଂଜାମ ଜିଲ୍ଲା ତଥା ଏହା ଅନ୍ତର୍ଗତ ୨୨ଟି ବ୍ଲକ୍‌ରେ ଦେଖାଯାଆନ୍ତି ନାହିଁ। ମୁଖ୍ୟତଃ ଭୁବନେଶ୍ୱର ଏବଂ ବ୍ରହ୍ମପୁରକୁ ବାଛିନିଅନ୍ତି ରହିବା। ଯାହାଫଳରେ କୃଷକମାନେ ବାରମ୍ୱାର ଅଫିସଗୁଡ଼ିକୁ ଯାଇ ନିରାଶରେ ଫେରିବା ଦେଖିବାକୁ ମିଳୁଛି। ପ୍ରାୟତଃ ଫୋନ୍ ସୁଇଚ୍ ଅଫ୍‌ ରହୁଛି। ପିଅନ ଏବଂ କିରାଣୀଙ୍କ ତତ୍ତ୍ୱାବଧାନରେ ଚାଲିଥାଏ ଅଫିସ। ସେମାନଙ୍କୁ ପଚାରିଲେ ସାର୍ ସାଇଟ୍‌ରେ ଅଛନ୍ତି। କିନ୍ତୁ କେଉଁ ସାଇଟ୍ ତାହା ତାଙ୍କ ପାଖରେ ତଥ୍ୟ ନଥାଏ। ଗଂଜାମ ଜିଲ୍ଲାପାଳ ପ୍ରତ୍ୟେକ ମାସରେ ପ୍ରାୟତଃ କୃଷକମାନଙ୍କୁ ନେଇ ସମୀକ୍ଷା ବୈଠକ କରନ୍ତି। ଏହି ସମୀକ୍ଷା ବୈଠକରେ ମୁଖ୍ୟତଃ ଉଠାଜଳସେଚନକୁ ଗୁରୁତ୍ୱ ଦିଆଯାଇଥାଏ। କିନ୍ତୁ ଭୁଲ୍ ତଥ୍ୟ ଉପସ୍ଥାପନା କରି ସେଠାରୁ ଖସି ଯାଆନ୍ତି ଅଫିସରମାନେ। ଯାହାକି କୃଷକମାନଙ୍କ ଉପରେ ବୋଝ ଉପରେ ନଳିତାବିଡ଼ା ସଦୃଶ ହୁଏ। ଏଇ ଯୋଜନାରେ କୃଷକ ଉପକୃତ ପାଇଁ କେତେ କ’ଣ ଋଣ ମିଳୁଛି। କିନ୍ତୁ ପଏଣ୍ଟ ଗୁଡ଼ିକ ଅଚଳ। ରାସ୍ତା କଡ଼ରେ ଗଲାବେଳେ କୃଷି ସଂପଦର କ୍ଷେତର ସବୁଜିମା ଗଂଜାମବାସୀଙ୍କ ପାଇଁ ଅନୁଭବ ଦେଇଥାଏ। ମୌସୁମୀ ଆସିବା ପରେ ଗାଁ ଗାଁରେ ରୋଜଗାର ମାଧ୍ୟମ ମଧ୍ୟ ହୁଏ। ତଳି ଆଣି ରୋଇବା, ତଳିଗୁଡ଼ିକ ପୋତି ଦୁବଘାସ ବାଛିବା। କିନ୍ତୁ ଏଗୁଡ଼ିକ ଖରାରେ ଜଳିଯାଇଛି। କେନାଳର କାଦ ପଚପଚର ଦୃଶ୍ୟ ଆଉ ଦିଶୁନି। ଏଇ ମାଟିର ସଦ୍ୟ ନିର୍ବାଚିତ ମହିଳା ସାଂସଦ ପ୍ରମିଳା ବିଷୋୟୀଙ୍କ ଧାନ ବିଲ ଖସଖସ ସଂଗୀତ ରୂପକ ଅନୁଚିନ୍ତା କେବଳ ଜନତାଙ୍କ ପାଇଁ ରୋଚକ କାହାଣୀ। ମୁଖ୍ୟତଃ ସରକାର ଗଂଜାମ ଜିଲ୍ଲାରେ କୃଷକମାନଙ୍କ ସୁବିଧା ପାଇଁ ୨୦୧୮-୧୯ରେ ନାବାର୍ଡ଼ ଦ୍ୱାରା କିଛି ଉନ୍ନୟନମୂଳକ କାର୍ଯ୍ୟ କରିଥିବା ଶୁଣିବାକୁ ମିଳୁଛି। ଯାହାକି ମୁଖ୍ୟତଃ ପାତ୍ରପୁର, ପାଟପୁର ବ୍ଲକ୍‌ର କିଛି ଅଂଚଳ, ଗଂଜାମ ବ୍ଲକ୍‌ର କିଛି ଅଂଚଳରେ ନାବାର୍ଡ଼ କାମ କରିଥିବା ଜଣାପଡ଼ିଛି। ତାହା ମଧ୍ୟ ଆଖିଦୃଶିଆ ନୁହେଁ। ସେହିଭଳି ରାଜ୍ୟ ସରକାରଙ୍କ ଦ୍ୱାରା ସାନଖେମୁଣ୍ଡି, ଭଂଜନଗର, ସୋରଡ଼ା, ଆସିକା ଆଦି ବ୍ଲକ୍‌ର କିଛି ପଂଚାୟତରେ ଉଠାଜଳସେଚନ ପଏଣ୍ଟ୍ଗୁଡ଼ିକ କାମ କରୁଥିବା ସରକାରୀ କାଗଜକଲମରେ ତଥ୍ୟ ମିଳିଛି। କିନ୍ତୁ ତାହା କେତେଦୂର କାର୍ଯ୍ୟକ୍ଷମ, ତାହା ବାସ୍ତବ ଚିତ୍ରରେ ଠିକ୍ ବିପରୀତ କହିଲେ କିଛି ଭୁଲ୍ ହେବ ନାହିଁ। ଯଦି ସରକାର ଯେତିକି ପରିମାଣରେ ଉଠା ଜଳସେଚନ ନିଗମ ପାଇଁ ଅନୁଦାନ ପ୍ରଦାନ କରୁଛନ୍ତି, ଏହାକୁ ଯଦି ଭିଜିଲାନ୍ସ ଦ୍ୱାରା ତଦନ୍ତ କରାଯାଏ, ଦୁର୍ନୀତିର ଚେର କେତେଦୂର ବ୍ୟାପିଛି ସହଜରେ ଲୋକଲୋଚନକୁ ଆସିପାରିଥାନ୍ତା। ବ୍ରହ୍ମପୁରରେ ଅବସ୍ଥିତ ସୁପରିଟେଣ୍ଡେଣ୍ଟ୍ ଇଂଜିନିୟର (ଏସ୍‌ଇ) ଯେକି ଗଂଜାମ, ଗଜପତି, ବୌଦ ଏବଂ କନ୍ଧମାଳ ଏହି ଚାରୋଟି ଜିଲ୍ଲାର ଦାୟିତ୍ୱରେ ଅଛନ୍ତି ତାଙ୍କ ପାଖରେ କୌଣସି ଜିଲ୍ଲାର ସଠିକ୍ ତଥ୍ୟ ନଥିବା ଜଣାପଡ଼ୁଛି। କାରଣ ତାଙ୍କ ସହ ଯୋଗାଯୋଗ କଲେ ସେ ପ୍ରାୟତଃ ଭୁବନେଶ୍ୱରରେ ରହି ମୋବାଇଲ୍ ଦ୍ୱାରା ତାଙ୍କର କାର୍ଯ୍ୟ ତଦାରଖ କରନ୍ତି। ତାଙ୍କର ବ୍ରହ୍ମପୁର ଅଫିସ ସବୁବେଳେ ଖାଲି। ଏଠୁ ଅନୁମାନ କରାଯାଏ ଯେ, ଉକ୍ତ ଜିଲ୍ଲାମାନଙ୍କରେ ଥିବା ଏକଜିକ୍ୟୁଟିଭ୍ ଇଂଜିନିୟର ଏବଂ ଏସ୍‌ଡିଓମାନଙ୍କଠାରୁ ବଟି ଆଦାୟ କରି ଶୀତତାପ ନିୟନ୍ତ୍ରଣ କଠୋରୀରେ ମଉଜମଜଲିସ୍‌ରେ ମସଗୁଲ ଥିବା ଜଣାପଡ଼ିଛି। କଥା ଉଠୁଛି ରାଜ୍ୟ ସରକାର ମୌସୁମୀର ବାରମ୍ୱାର ବିଫଳ କାହାଣୀ ଜାଣି ମଧ୍ୟ ଜଳ ସଂରକ୍ଷଣ, କେନାଲ୍ ଗୁଡ଼ିକର ନବୀକରଣ କରି ଜଳ ବନ୍ଧ ଯୋଜନାରେ କୌଣସି ଆଖିଦୃଶିଆ କାମ କରିବାର ଦୃଷ୍ଟାନ୍ତ ନାହିଁ। ଗଂଜାମର ସୋରଡ଼ା, ଧରାକୋଟ, ଆସିକା, କବିସୂର୍ଯ୍ୟନଗର, ଛତ୍ରପୁର, ପୋଲସରା, ହିଂଜିଳିକାଟୁ ଅଂଚଳକୁ ସାଧାରଣ ଭାବରେ କୃଷି ସପଦର ବଳି ଭିତ୍ତିଭୂମି ଅଂଚଳ ଭାବରେ ଗ୍ରହଣ କରାଯାଏ। କିନ୍ତୁ ଏଇ ସବୁ ଅଂଚଳରେ ଆଜି ଜଳଯୋଗାଣ ଓ ଉଠାଜଳସେଚନର ବିଧି ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି। କେବଳ ଲଘୁଚାପକୁ ନେଇ ଆକଳନ କରାଯାଏ ପାଣିର ଆବଶ୍ୟକତା କେତେ ପୂରଣ ହେବ। ସରକାର ବଡ଼ ବଡ଼ କଥା କହି ରାଜନୀତିରେ ସୁଆଦ ଆଣି ଜଳ ପାଇଁ ସଂଗ୍ରାମ କରନ୍ତି। କିନ୍ତୁ ଅତୀତରୁ ଶିକ୍ଷା ନେଇ କିଛି ବର୍ଷାଜଳକୁ ସଂରକ୍ଷଣ କରି ବନ୍ଧଗୁଡ଼ିକୁ ପୁନରୁଦ୍ଧାର କରି କେନାଲ ସଂଲଗ୍ନ ଅଂଚଳକୁ ସେଚନ ପାଇଁ ତପିରତା ପ୍ରକାଶ କରିଥିଲେ କୃଷକ ଆଖିର ଲୁହ ଶ୍ରାବଣରେ ଦେଖିବାକୁ ମିଳୁନଥାନ୍ତା। ଏଣିକି ମୌସୁମୀ ଠକିବ କିନ୍ତୁ ସରକାର କୃଷକର ଦୁଃଖ ନବୁଝି ଠକିଲେ କେବଳ ଯୋଜନା ଦେଖାଇ ଚୁପ ରହିଲେ ଅନ୍ନଦାତାର କାହାଣୀ ଖବର ପୃଷ୍ଠାରେ ସୀମିତ ରହିଯିବ। ତେବେ କୃଷକର ଆଖିର ଲୁହ ପୋଛିବ କିଏ? ଯାହାକି ଆଗାମୀ ଦିନରେ ଋଣଭାର ଶୁଝିନପାରି ଶେଷରେ କୃଷକ ଏକରକମ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବ। ସେଥିପାଇଁ ଦାୟୀ କିଏ ରହିବ? ନିର୍ବାଚନ ଆସିଲେ ପ୍ରଥମେ କୃଷକକୁ ନେଇ ହିଁ ଗୋଟିଚାଳନା ଆରମ୍ଭ ହୁଏ, କୃଷକକୁ ନେଇ ବିଭିନ୍ନ ସଭା, ସମିତିଠାରୁ ଆରମ୍ଭ କରି ନେତାମାନେ ଭାଷଣ ଦିଅନ୍ତି। କିନ୍ତୁ ଠିକ୍ ନିର୍ବାଚନ ସରିଗଲେ ସରକାରଙ୍କ ସାବତ ପୁଅ ରୂପେ ରହିଯାଆନ୍ତି।