ଧର୍ମ ଓ କର୍ତ୍ତବ୍ୟ ପାଳନ କରିବା

Dec 8, 2019 - 06:12
 1165
ଧର୍ମ ଓ କର୍ତ୍ତବ୍ୟ ପାଳନ କରିବା
ଡକ୍ଟର ପ୍ରମୋଦ କୁମାର ମିଶ୍ର, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ (୨୯ ନଭେମ୍ୱର, ୨୦୧୯ରେ ସମ୍ୱଲପୁର ବିଶ୍ୱବିଦ୍ୟାଳୟର ୩୦ତମ ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପ୍ରମୋଦ କୁମାର ମିଶ୍ରଙ୍କ ଉଦବୋଧନର ସଂପାଦିତ ଅଂଶ।) ମୋର ପ୍ରିୟ ଛାତ୍ରଛାତ୍ରୀଗଣ, ଆଜି ଆପଣମାନଙ୍କ ମଧ୍ୟରୁ ଅନେକ ସ୍ନାତକ, ସ୍ନାତୋକୋତର ଓ ଡକ୍ଟରାଲ ଡିଗ୍ରୀ, ଉପାଧି ଓ ପଦକ ପାଇଛନ୍ତି। ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ଏହା ଆପଣଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି, ଯାହାକୁ ଆପଣମାନେ ଖୁସିର ସହ ଅନୁଭବ କରିବେ। ତେବେ ଏପରି ଏକ ମୁହୂର୍ତ୍ତରେ ଆପଣମାନଙ୍କୁ ଭବିଷ୍ୟତ କଥା ଚିନ୍ତା କରିବାକୁ ହେବ, ଏପରି ଆହୁରି ଅଧିକ ଉପଲବ୍ଧି ହାସଲ କରିବାକୁ ହେବ, ଏହି ମୂଳଦୂଆକୁ ଆହୁରି ସୁଦୃଢ଼ କରି ଆଗକୁ ବଢ଼ିବାକୁ ହେବ। ପାଠପଢ଼ା ଶେଷ ହେବା ପରେ ଆପଣମାନଙ୍କ ମଧ୍ୟରୁ ଅନେକ ଏହି ବିଶ୍ୱବିଦ୍ୟାଳୟ ଛାଡ଼ି ଚାଲିଯିବେ। ଯିବା ସମୟରେ ଆପଣମାନେ ନିଜ ସହ ମାର୍କ ଓ ଡିଗ୍ରୀ ବ୍ୟତୀତ ଅନେକ କିଛି ସାଥୀରେ ନେଇ ଯିବେ। ଆପଣମାନେ ନିଜ ସହ ପାଠପଢ଼ାର ବର୍ଷଗୁଡ଼ିକର ସ୍ମୃତିକୁ ମଧ୍ୟ ନେଇଯିବେ। ମୁଁ ନିଶ୍ଚିତ ଯେ ଆପଣମାନେ ଉଭୟ ଶ୍ରେଣୀଗୃହ ଭିତରେ ଓ ବାହାରେ ଶିକ୍ଷା ଲାଭ କରିଥିବେ। ଆପଣମାନଙ୍କ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ, ଆପଣମାନଙ୍କ ସାଙ୍ଗସାଥୀ, ଏପରିକି ଅତିଥିମାନେ ଆପଣଙ୍କ ଉପରେ ଦୀର୍ଘସ୍ଥାୟୀ ପ୍ରଭାବ ପକାଇଥିବେ। ଏସବୁ ଆଲୋଚନା ଓ ସମ୍ପର୍କକୁ ଉପଭୋଗ କରନ୍ତୁ। କିନ୍ତୁ ଏକଥା ମନେ ରଖିବା ଉଚିତ ଯେ ଆଜି ଯାହା କିଛି ଆପଣମାନେ ପାଇଛନ୍ତି ତାହା କେବଳ ନିଜର ପ୍ରୟାସ ଯୋଗୁ ନୁହେଁ ବରଂ ଆପଣମାନଙ୍କ ଅଭିଭାବକ, ଶିକ୍ଷକ ଓ ଚାରିପାଖରେ ଥିବା ଅଗଣିତ ଲୋକଙ୍କ ଯୋଗଦାନ କାରଣରୁ ଏହା ସମ୍ଭବ ହୋଇପାରିଛି। ଆପଣମାନଙ୍କ ସଫଳତାରେ ପ୍ରତ୍ୟେକ ନିଜ ନିଜ ଭୂମିକା ନିର୍ବାହ କରିଛନ୍ତି। ଆପଣମାନେ ନିଶ୍ଚିତ ଭାବେ ସେମାନଙ୍କ ଯୋଗଦାନକୁ ହୃଦୟଙ୍ଗମ କରିବା ଉଚିତ। ସବୁବେଳେ ମନେ ରଖିବା ଉଚିତ ଯେ କେହି କେବେହେଲେ କେବଳ ନିଜ ପ୍ରୟାସ ଦ୍ୱାରା ସଫଳ ହୋଇପାରିନଥାନ୍ତି। ଆଜି ଆପଣମାନେ ଯେତେବେଳେ ଜୀବନର ନୂତନ ପର୍ଯ୍ୟାୟରେ ପାଦ ଥାପୁଛନ୍ତି ଆପଣମାନଙ୍କ ଆଗରେ ବ୍ୟାପକ ସମ୍ଭାବନା ଓ ସୁଯୋଗ ରହିଛି। ଦେଶରେ ଉତ୍ସାହ ଓ ଗତିଶୀଳତାର ଏକ ନୂତନ ଭାବନା ଦେଖିବାକୁ ମିଳୁଛି। ଆମ ପ୍ରଧାନମନ୍ତ୍ରୀଙ୍କ ନୂତନ ଭାରତର ସଂକଳ୍ପ ଦିଗରେ ସଂଖ୍ୟାଧିକ ପଦକ୍ଷେପ ନିଆଯାଉଛି। ଆଥିର୍କ ଦୃଷ୍ଟିକୋଣରୁ ୨୦୨୪ ସୁଦ୍ଧା ସେ ଦେଶକୁ ୫ଟ୍ରିଲୟନ ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି। ଏହା ଏକ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ହୋଇଥିବାରୁ, ଆମେ ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହିତ ଏହି ଦିଗରେ ଅଗ୍ରସର ହେଉଛୁ। ଆମର ଆର୍ଥିକ ମୂଳଦୁଆ ବେଶ ସୁଦୃଢ଼। ୨୦୧୪ରୁ ୨୦୧୯ ମଧ୍ୟରେ ଆମର ହାରାହାରି ବାର୍ଷିକ ଜିଡିପି ଅଭିବୃଦ୍ଧି ୭.୫ ପ୍ରତିଶତ ରହିଛି, ଯାହାକି ସ୍ୱାଧୀନତା ପରେ ସର୍ବାଧିକ। ଏହା ମଧ୍ୟ ଜି-୨୦ ଦେଶ ମଧ୍ୟରେ ସର୍ବୋଚ୍ଚ। ସମଷ୍ଟିଗତ ଅର୍ଥନୈତିକ ସ୍ଥିରତା ଗତ ୫ ବର୍ଷ ମଧ୍ୟରେ ବେଶ ସୁଦୃଢ଼ ରହିଛି, ଯାହାର ଆଧାରରେ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇପାରିଛି। ଆମେ ମୁଦ୍ରାସ୍ଫିତିକୁ ନିମ୍ନରେ ରଖିପାରିଛୁ, ବିତୀୟ ବ୍ୟୟ ଶୃଙ୍ଖଳିତ ରହିଛି ଏବଂ ଚଳନ୍ତି ଖାତା ନିଅଂଟ ନିୟନ୍ତ୍ରଣାଧୀନ ରହିଛି। ଯଦି ଆମେ ୨୦୦୯-୧୪ ଅବଧିକୁ ୨୦୧୪-୧୯ର ଅବଧି ସହିତ ତୁଳନା କରିବା ତେବେ ମୁଦ୍ରାସ୍ଫିତି ୧୦.୩ ପ୍ରତିଶତରୁ ହ୍ରାସ ପାଇ ୪.୫ ପ୍ରତିଶତରେ ପହଁଚିଛି, ବିତୀୟ ନିଅଂଟ ଜିଡିପିର ୫.୩ ପ୍ରତିଶତରୁ ଖସି ୩.୪ ପ୍ରତିଶତରେ ପହଁଚିଛି ଏବଂ ଚଳନ୍ତି ଖାତା ନିଅଂଟ ୩.୩ ପ୍ରତିଶତରୁ ହ୍ରାସ ପାଇ ଜିଡିପିର ୧.୪ ପ୍ରତିଶତରେ ପହଁଚିଛି। ବିଭିନ୍ନ ମୌଳିକ, ଯୁଗାନ୍ତକାରୀ ସଂସ୍କାର ଲାଗୁ କରାଯାଇଛି। ଦେଶର ଆର୍ଥିକ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ସୁଦୃଢ଼ କରିବା ଲାଗି ଏକ ପଦକ୍ଷେପ ସ୍ୱରୂପ ୨୦୧୬ରେ ଦେବାଳିଆ ଏବଂ ଦେବାଳିଆପଣ ସଂହିତା ଲାଗୁ କରାଯାଇଥିଲା। ୪ କିମ୍ୱା ୫ ବର୍ଷ ପୂର୍ବରୁ ଏକଥା କେହି ଭାବିପାରୁନଥିଲେ ଯେ ବ୍ୟବସ୍ଥା ସହିତ ଖେଳିଲେ ବୃହତ କର୍ପୋରେଟ ସଂସ୍ଥାଗୁଡ଼ିକୁ ମଧ୍ୟ ମୂଲ୍ୟ ଦେବାକୁ ପଡ଼ିବ, ଋଣ ସୁଝିନପାରିଲେ ସେମାନଙ୍କୁ ନିଜ ସମ୍ପତି ହରାଇବାକୁ ପଡ଼ିବ। ୨୦୧୭ରେ ବସ୍ତୁ ଓ ସେବା କର କାର୍ଯ୍ୟକାରୀ କରାଗଲା, ଏହା ଆଥିର୍କ ଦୃଷ୍ଟିକୋଣରୁ ଭାରତକୁ ଗୋଟିଏ ବଜାରରେ ପରିଣତ କରିବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା। ଏହା ଉଚ୍ଚ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବା ସହିତ ପାରଦର୍ଶିତା ଓ ବ୍ୟାବସାୟିକ ସୁଗମତା ଆଣିପାରିଲା। ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ ନିରନ୍ତର ଭାବେ ଉନ୍ମୁକ୍ତ ଓ ଉଦାରୀକରଣ କରାଯିବା ଦ୍ୱାରା ଦେଶକୁ ବିଦେଶୀ ପୁଞ୍ଜିର ଅଭୂତପୂର୍ବ ପ୍ରବାହ ହୋଇଛି। ସାମାଜିକ ବିକାଶ ଓ ନ୍ୟାୟ ପାଇଁ ଅନେକଗୁଡ଼ିଏ ପ୍ରଭାବୀ ପଦକ୍ଷେପ ନିଆଯାଇଛି। ଏଥି ମଧ୍ୟରେ ଆୟୁଷ୍ମାନ ଭାରତ ଭଳି ଯୁଗାନ୍ତକାରୀ କାର୍ଯ୍ୟକ୍ରମ ରହିଛି ଯାହା ଗରିବଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବ। କୃଷକମାନଙ୍କୁ ଆୟ ସମର୍ଥନ ଯୋଗାଇ ଦେବା ଲାଗି ପିଏମ-କିଷାନ ଯୋଜନା ଓ ଆମ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ଏକ ନୂଆ ଶିକ୍ଷା ନୀତି ହାତକୁ ନିଆଯାଇଛି। ଗତ କିଛି ମାସ ଧରି ଭାରତର ଜିଡିପି ହ୍ରାସ ପାଇଛି। ଏହା ପଛରେ ଥିବା ବିଭିନ୍ନ କାରଣ, ବିଶେଷ କରି ଏକ ଚକ୍ରବ୍ୟୁହ ମଧ୍ୟରେ କାରଣଗୁଡ଼ିକ ସନ୍ନିବିଷ୍ଟ। ବୈଶ୍ୱିକ ଅଭିବୃଦ୍ଧିରେ ମାନ୍ଦାବସ୍ଥା ଦେଖାଦେଇଛି। ପାରଦର୍ଶିତା ଆଣିବା, ବାଟମାରଣା ରୋକିବା ଏବଂ ପ୍ରଶାସନିକ ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ତ୍ୱରିତ ପଦକ୍ଷେପ କାରଣରୁ କେତେକ କ୍ଷଣସ୍ଥାୟୀ ଗତିରୋଧ ସୃଷ୍ଟି ହୋଇଛି। ଆଇନର ଶାସନ ଓ ଅର୍ଥବ୍ୟବସ୍ଥାର ଔପଚାରିକତା ଲାଗି ବିଗତ ପାଂଚ ବର୍ଷ ମଧ୍ୟରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଯୋଗୁ କେତେକ କ୍ଷଣସ୍ଥାୟୀ ନକାରାତ୍ମକ ପ୍ରଭାବ ପଡ଼ିବା ସ୍ୱାଭାବିକ। ତଥାପି ସରକାର ସଜାଗ ଓ ସକ୍ରିୟ ଅଛନ୍ତି। ଆର୍ଥିକ କ୍ଷେତ୍ର ଏବଂ ବାସ୍ତବ ଅର୍ଥବ୍ୟବସ୍ଥାରେ ସୁଧାର ଆଣିବା ଲାଗି ସଂଖ୍ୟାଧିକ ପଦକ୍ଷେପ ଗ୍ରହଣ କରାଯାଇଛି। ଭୂମି, ଶ୍ରମ ଓ ପୁଞ୍ଜି ଭଳି ଉତ୍ପାଦନ କାରକର ଉତ୍ପାଦକତା ବୃଦ୍ଧି ଲାଗି ଐତିହାସିକ ପଦକ୍ଷେପ ନିଆଯାଇଛି। ସାମଗ୍ରିକ ଭାବେ ଦେଖିଲେ ଦୃଢ଼ ଭିତ୍ତିଭୂମି ପ୍ରଦାନ କରାଯାଇଛି, ଐତିହାସିକ ସ୍ୱଚ୍ଛତା ଅଭିଯାନ ଏବଂ ମହାତ୍ୱକାଂକ୍ଷୀ ସଂସ୍କାର ଏଜେଣ୍ଡାକୁ କାର୍ଯ୍ୟକାରୀ କରାଯାଇଛି। ଆଗାମୀ ମାସ ଓ ବର୍ଷଗୁଡ଼ିକରେ ଭାରତ ଅଧିକ ଦ୍ରୁତ ଗତିରେ ବିକାଶ ଲାଭ କରିବ। ବ୍ୟାପକ ଅର୍ଥନୈତିକ ସମ୍ଭାବନା ଆପଣମାନଙ୍କ ପାଇଁ ଉନ୍ମୁକ୍ତ ହୋଇଚାଲିଛି। ସ୍ମାର୍ଟ ଫୋନ ବିପ୍ଳବ, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ବିଗ ଡାଟା ଆନାଲିଟିକ୍ସ, ଅଗମେଂଟେଡ ରିଅଲିଟି, ଥ୍ରୀଡି ପ୍ରିଂଟିଂ, ରୋବୋଟିକ୍ସ ଏବଂ ବ୍ଲାକଚେନ ଟେକନୋଲୋଜି ମୌଳିକ ଭାବେ ଆମ ବିଶ୍ୱ ଏବଂ ଆମର ଜୀବନଧାରାକୁ ପ୍ରଭାବିତ କରୁଛି। ପ୍ରତିଦିନ ଅଭୂତପୂର୍ବ ଗତିରେ ଏହି ପରିବର୍ତ୍ତନ ହୋଇଚାଲିଛି। ଆମେ ପରସ୍ପର ସହ କଥା ହେବା କିମ୍ୱା ସମ୍ପର୍କ ଯୋଡ଼ିବା ଠାରୁ ଆରମ୍ଭ କରି, ଗୋଟିଏରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବା, ଟଙ୍କା ପଠାଇବା ଏବଂ ଗ୍ରହଣ କରିବା କିମ୍ୱା ଆମେ ଆମ ଖାଦ୍ୟ ପାଇବା ଆଦି ପର୍ଯ୍ୟନ୍ତ ସବୁକିଛିର ପଦ୍ଧତି ବଦଳିବାରେ ଲାଗିଛି। ସବୁଆଡେ଼ ପାର୍ଥକ୍ୟ ରହିଛି। ଏହା ଏକ ଭିନ୍ନ ବିଶ୍ୱ, ଆମେ ବିଶ୍ୱବିଦ୍ୟାଳୟରେ ପଢ଼ିବା ବେଳ ତ’ ଦୂରର କଥା, ବିଗତ ଏକ ଦଶନ୍ଧି ପୂର୍ବର ପରିସ୍ଥିତି ସହ ମଧ୍ୟ ବର୍ତମାନର ବିଶ୍ୱକୁ ତୁଳନା କରିହେବ ନାହିଁ। ଏସବୁ ସମ୍ଭାବନା ଅନେକ ଆହ୍ୱାନ ମଧ୍ୟ ସୃଷ୍ଟି କରୁଛି। ଯେ ପର୍ଯ୍ୟନ୍ତ ଆମେ ପରିବର୍ତନ ସହିତ ତାଳ ଦେଇ ଚାଲିବା ନାହିଁ, ନୂଆ କଥା ଶିଖିବା ନାହିଁ କିମ୍ୱା ଅନ୍ୟମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିପାରିବା ନାହିଁ, ଆମେ ପଛରେ ପଡ଼ିଯିବା। ଏହି ଆହ୍ୱାନକୁ ଆପଣମାନେ ସମସ୍ତେ ଗ୍ରହଣ କରିବା ଉଚିତ। ଆମ ପ୍ରାଚୀନ ଶାସ୍ତ୍ରରେ ଜ୍ଞାନର ମୂଲ୍ୟ ଏବଂ ନିରନ୍ତର ଜ୍ଞାନ ଆହରଣର ମହତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ଏହା ବର୍ତମାନର ଦ୍ରୁତ ପରିବର୍ତିତ, ପ୍ରଯୁକ୍ତି ପରିଚାଳିତ ବିଶ୍ୱରେ ଆହୁରି ଅଧିକ ପ୍ରାସଙ୍ଗିକ ହୋଇପଡ଼ିଛି। ଜ୍ଞାନର ମହତ୍ୱ ବିଷୟରେ ବର୍ଣ୍ଣନା କରି ମହାମୁନି ଭର୍ତ୍ତୃହରି କହିଛନ୍ତି : ବିଦ୍ୟା ନାମ ନରସ୍ୟ ରୂପମଧିକଂ ପ୍ରଚ୍ଛନ୍ନଗୁପ୍ତଂ ଧନମ ବିଦ୍ୟା ଭୋଗକରୀ ଯଶଃ ସୁଖକରୀ ବିଦ୍ୟା ଗୁରୁଣାଂ ଗୁରୁଃ। ବିଦ୍ୟା ବନ୍ଧୁଜନୋ ବିଦେଶଗମନେ ବିଦ୍ୟା ପରଂ ଦୈବତମ ବିଦ୍ୟା ରାଜସୁ ପୂଜ୍ୟତେ ନହି ଧନଂ ବିଦ୍ୟାବିହୀନଃ ପଶୁଃ। ଭର୍ତ୍ତୃହରି ଏଥିରେ ବର୍ଣ୍ଣନା କରିଛନ୍ତି ଯେ କିପରି ଜ୍ଞାନ ବ୍ୟକ୍ତିତ୍ୱକୁ ସମ୍ପ୍ରସାରିତ କରିଥାଏ। ଏହା ସେହି ଗୁପ୍ତ ଧନ ଯାହାକୁ କେହି ନେଇପାରିବେ ନାହିଁ। ଏହା ଆନନ୍ଦ ଏବଂ ଗୌରବ ପ୍ରଦାନ କରିଥାଏ। ଏହା ସମସ୍ତ ଗୁରୁମାନଙ୍କ ଗୁରୁ ଏବଂ ଏହା ବିଦେଶ ମାଟିରେ ଆମର ବନ୍ଧୁ। ଜ୍ଞାନ ହେଉଛି ସର୍ବୋଚ୍ଚ ଈଶ୍ୱର, ଯାହାକୁ ରାଜା (ନେତୃସ୍ଥାନୀୟ) ମାନେ ଭୌତିକ ସମ୍ପତି ଅପେକ୍ଷା ଅଧିକ ପୂଜା କରିଥାନ୍ତି। ଅଜ୍ଞାନୀ ମନୁଷ୍ୟ ପଶୁ ସହ ସମାନ। ଏହି ଜ୍ଞାନ କେବଳ ଏଇଠି ସରିଯାଉନାହିଁ, ଏହା ଆହୁରି ଗଭୀର ଗୁଣାବଳୀ ଓ ମୂଲ୍ୟବୋଧ ଦିଗରେ ଆଗେଇ ନେଇଥାଏ। ଏହାକୁ ହିତୋପଦେଶର ଏକ ଶ୍ଳୋକରେ ଚମତ୍କାର ଢଙ୍ଗରେ ବର୍ଣ୍ଣନା କରାଯାଇଛି : ବିଦ୍ୟା ଦଦାତି ବିନୟଂ ବିନୟାଦ୍ ଯାତି ପାତ୍ରତାମ। ପାତ୍ରତ୍ୱାଦ ଧନମାପ୍ନୋତି ଧନାତ୍ଧର୍ମ ତତଃ ସୁଖମ।। ଯାହାର ଅର୍ଥ ହେଉଛି ବିଦ୍ୟା ମଣିଷକୁ ବିନୟୀ କରାଇଥାଏ, ବିନମ୍ରତା ବା ଶାଳୀନତାରୁ ଯୋଗ୍ୟତା ବା ପାତ୍ରତା ଉତ୍ପନ୍ନ ହୁଏ, ଯୋଗ୍ୟତାରୁ ଧନ, ଧନରୁ ଧର୍ମ ଏବଂ ସେଥିରୁ ସୁଖ ଉତ୍ପନ୍ନ ହୋଇଥାଏ। ସୁଭାଶିତାନୀରେ ବର୍ଣ୍ଣିତ ପ୍ରାଚୀନ ଶିକ୍ଷା ମନେ ରଖିବା ଗୁରୁତ୍ୱପୂର୍ଣ୍ଣ : ବିଦ୍ୟା ବିବାଦାୟ ଧନଂ ମଦାୟ ଶକ୍ତିଃ ପରେଷାଂ ପରିପୀଡ଼ନାୟ। ଖଳସ୍ୟ ସାଧୋର୍ବିପରୀତମେତତ ଜ୍ଞାନାୟ ଦାନାୟ ଚ ରକ୍ଷଣାୟ।। କୁଟିଳ ଲୋକମାନେ ଜ୍ଞାନର ବ୍ୟବହାର ତର୍କ ପାଇଁ କରିଥାନ୍ତି, ସମ୍ପତିର ଅହଂକାର ଦେଖାନ୍ତି, କ୍ଷମତା ବଳରେ ଅନ୍ୟମାନଙ୍କୁ କଷ୍ଟ ଦିଅନ୍ତି। କିନ୍ତୁ ସାଧୁମାନେ ଜ୍ଞାନର ସଦୁପଯୋଗ କରନ୍ତି, ସମ୍ପତି ଦାନ କରିଥାନ୍ତି ଏବଂ ଦୁର୍ବଳଙ୍କୁ ସୁରକ୍ଷା ଦେବା ଲାଗି କ୍ଷମତାର ପ୍ରୟୋଗ କରନ୍ତି। କିଛିଦିନ ପୂର୍ବେ ୨୬ ନଭେମ୍ୱର, ୨୦୧୯ରେ ଦେଶ ସମ୍ୱିଧାନ ଦିବସ ପାଳନ କରିଥିଲା। ଏହାପରେ ଆସନ୍ତା ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଆମ ସମ୍ୱିଧାନରେ ଥିବା ମୌଳିକ କର୍ତବ୍ୟ। ଆମେ ସବୁବେଳେ ଆମ ଅଧିକାର ବିଷୟରେ ଚିନ୍ତା କରିଥାଉ। ତେବେ ଆମ କର୍ତ୍ତବ୍ୟ ଏବଂ ଉତ୍ତରଦାୟିତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଗାନ୍ଧୀଜୀ କହିଥିଲେ, ‘ଯଦି ଆମେ ସମସ୍ତେ ଆମର କର୍ତବ୍ୟ ପାଳନ କରିବା, ତା’ହେଲେ ଆମକୁ ଆମ ଅଧିକାରରୁ କେହି ବଂଚିତ କରିପାରିବେ ନାହିଁ। ଯଦି ଆମେ କର୍ତବ୍ୟ ପାଳନ କରିବା ନାହିଁ ତା’ହେଲେ ଆମକୁ ଅଧିକାର ପଛରେ ଗୋଡ଼ାଇବାକୁ ପଡ଼ିବ, କିନ୍ତୁ ତାହା ଆମ ଠାରୁ ଦୂରେଇ ଦୂରେଇ ଚାଲିଥିବ।’ ଏପରିକି ୧୯୪୭ରେ ଗାନ୍ଧୀଜୀ ‘ମାନବାଧିକାର’ ଉପରେ ଏକ ପ୍ରବନ୍ଧ ଲେଖିବା ଲାଗି ତତ୍କାଳୀନ ମିଳିତ ଜାତିସଂଘର ମହାସଚିବ ଜୁଲିଆନ ହକ୍ସଲେଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ସେ କହିଥିଲେ, ‘ମୁଁ ମୋ ଅଶିକ୍ଷିତ କିନ୍ତୁ ବୁଦ୍ଧିମତୀ ମା’ଙ୍କଠାରୁ ଶିଖିଛି ଯେ ଭଲଭାବେ କର୍ତ୍ତବ୍ୟ ପାଳନ କରିବା ଦ୍ୱାରା ହିଁ ସମସ୍ତ ନ୍ୟାଯ୍ୟ ତଥା ପ୍ରାପ୍ୟ ଅଧିକାର ପ୍ରାପ୍ତ ହୋଇଥାଏ। ତେଣୁ ବଂଚିବାର ସମସ୍ତ ଅଧିକାର ଆମକୁ ସେତିକିବେଳେ ହିଁ ପ୍ରାପ୍ତ ହୁଏ ଯେତେବେଳେ ଆମେ ବିଶ୍ୱ ନାଗରିକତାର କର୍ତବ୍ୟ ପାଳନ କରିଥାଉ।’ ଆମକୁ ଆମ କର୍ତ୍ତବ୍ୟ ବିଷୟରେ ସଚେତନ କରୁଥିବା ମହାତ୍ମା ଗାନ୍ଧୀଙ୍କର ଏହି ମୌଳିକ ଶିକ୍ଷା ତାଙ୍କର ୧୫୦ତମ ଜନ୍ମବାର୍ଷିକୀ ଉପଲକ୍ଷେ ତାଙ୍କ ପ୍ରତି ଆମର ଶ୍ରେ ଶ୍ରଦ୍ଧାଞ୍ଜଳି ହେବ। ଆମ ସାଥୀ, ଆମ ସମାଜ, ସର୍ବୋପରି ସମଗ୍ର ବିଶ୍ୱ ଏବଂ ଭବିଷ୍ୟତର ପିଢ଼ି ପ୍ରତି ଥିବା କର୍ତବ୍ୟ ଆମକୁ ପାଳନ କରିବାକୁ ହେବ। ପରିବେଶ ଓ ସମଗ୍ର ବିଶ୍ୱ ପ୍ରତି ଆମର କର୍ତବ୍ୟ ପାଳନ କରିବାକୁ ହେବ। ଏପରି ଭାବନାର ମଞ୍ଜିରୁ ଯୁଗାନ୍ତକାରୀ ପରିବର୍ତନର ମହାଦ୍ରୁମ ବିସ୍ତାର ଲାଭ କରିପାରିବ, ବିଶ୍ୱ ସବୁବେଳେ ବିଶ୍ୱଗୁରୁ ଭାରତ ଠାରୁ ଜ୍ଞାନ ଆହରଣ ପାଇଁ ଆଗ୍ରହୀ ହୋଇ ରହିଆସିଛି। ଆପଣମାନେ ଜ୍ଞାନ, ବିଚାର ଓ ସମ୍ପର୍କ ହାସଲ କରିଛନ୍ତି। ଏହା ହେଉଛି ସବୁଠୁ ଶ୍ରେଷ୍ଠ ଉପହାର। ତେବେ, ହିତୋପଦେଶର ସେହି ଶିକ୍ଷାକୁ ସବୁବେଳେ ମନେ ରଖନ୍ତୁ ଯେ ଜ୍ଞାନ ମଣିଷକୁ ବିନୟୀ କରିଥାଏ ଏବଂ ସେହି ବିନମ୍ର ଭାବ ସମୃଦ୍ଧି ଓ ସନ୍ତୋଷ ଦିଗରେ ଆଗେଇ ନିଏ। ଆହୁରି, ବିଦୂର ନୀତିରେ କୁହାଯାଇଛି ଯେ ଧର୍ମ ପାଳନ ବିନା ଜ୍ଞାନର କୌଣସି ମୂଲ୍ୟ ନାହିଁ ଏବଂ ଉଦ୍ଦେଶ୍ୟବିହୀନ ଧର୍ମ ମୂଲ୍ୟହୀନ। ଅସଭ୍ୟଗୁପ୍ତଯୁକ୍ତଂ ହି ଜ୍ଞାନଂ ସୁକୁଶଲୈରପି। ଉପଲଭ୍ୟଂ ଚାବିଦିତଂ ବିଦିତଂ ଚାନନୁଷ୍ଠିତମ।। ଆପଣମାନେ ଜୀବନର ଏକ ନୂତନ ପର୍ଯ୍ୟାୟରେ ପାଦ ଥାପିବା ସମୟରେ ଆମେ ଏକ ନୂତନ ଭାରତ ନିର୍ମାଣ ଦିଗରେ ଅଗ୍ରସର ହେଉଛୁ। ଏପରି ଏକ ଭାରତ ଯେଉଁଠି ସମସ୍ତଙ୍କ ପାଇଁ ଶାନ୍ତି, ପ୍ରଗତି ଓ ସମୃଦ୍ଧି ଅପେକ୍ଷା କରି ରହିଛି। ଆପଣମାନଙ୍କ ସମ୍ମୁଖରେ ଅଭୂତପୂର୍ବ ସୁଯୋଗ ରହିଛି। ଏସବୁ ଭିତରେ, ଆପଣମାନେ ନିଜ କର୍ତ୍ତବ୍ୟ, ନିଜ ଧର୍ମକୁ କେବେହେଲେ ଭୁଲିବେ ନାହିଁ। ଏହା ହିଁ ଆମ ପରମ୍ପରା ଓ ଆଦର୍ଶର ଆଧାର। ଏହା ହିଁ ଆମର ଅସ୍ଥିତ୍ୱ, ଯାହା ଆଜି ପୂର୍ବାପେକ୍ଷା ଅଧିକ ପ୍ରାସଙ୍ଗିକ ହୋଇପଡ଼ିଛି। ଏକଥା ମଧ୍ୟ ମନେ ରଖିବା ଉଚିତ ଯେ ଆପଣମାନେ ସର୍ବଦା ପରିବର୍ତ୍ତନଶୀଳ ଏବଂ ଦ୍ରୁତଗତିରେ ସଂକୁଚିତ ହେଉଥିବା ଏକ ବିଶ୍ୱରେ ପ୍ରବେଶ କରୁଛନ୍ତି। ଆଜି ଯାହା ଆପଣ ଶିଖୁଛନ୍ତି କାଲି ହୁଏତ ଅଲୋଡ଼ା ହୋଇଯାଇପାରେ। ଆଜି ଯାହା ଆପଣ କରୁଛନ୍ତି, କାଲି ହୁଏତ ବିଶ୍ୱର ଅନ୍ୟ କୌଣସି କୋଣରେ ଆଉ କେହି ତା’ଠାରୁ ଭଲ କରିପାରେ। ତେଣୁ ଆପଣମାନେ ଶିଖିବା, ଆଗକୁ ବଢ଼ିବା, ଜ୍ଞାନର ପରିସୀମାକୁ ଆଗେଇ ନେବା ଲାଗି ତତ୍ପର ରହିବା ଉଚିତ!