ଦୁଇ ପ୍ରାର୍ଥନା

Jul 23, 2019 - 02:28
 1624
ଦୁଇ ପ୍ରାର୍ଥନା
ମୂଳ ଲେଖା- ଖଲିଲ ଜିବ୍ରାନ, ଅନୁସୃଜନ- ରବିନାରାୟଣ ସେନାପତି। ରାତ୍ରର ଗଭୀର ନିଶବ୍ଦ ପ୍ରହରେ, ସ୍ବର୍ଗଲୋକୁ ଅବତରି ଆସିଲେ ମୃତ୍ୟୁର ଦେବତା ଯମରାଜ। ନଗରୀ ଉପରେ ବିଚରଣମାନ ତାଙ୍କ ନଜର ଭେଦିଗଲା ପ୍ରତି ପୁର ଓ କୁଟୀର। କେହୁ ଥିଲେ ସ୍ବପ୍ନେ ମସଗୁଲ ଅବା କେହୁ ସମର୍ପିତ ଗଭୀର ନିଦ୍ରାରେ। ଯେବେ ଶଶୀ ଡୁବିଗଲେ ନିମ୍ନ ଦିଗ୍‌ବଳୟେ ଓ ନଗରୀ ଲଭିଲା ଘନକଳା ଅନ୍ଧକାର, ସନ୍ତର୍ପଣେ ନିଶବ୍ଦେ ଚଳିଲେ ମୃତ୍ୟୁଦେବ ଗୃହମାନଙ୍କରେ, -ସତର୍କ ସେ ସ୍ପର୍ଶ କାରେ ନହୁଏ ଯେସନ- ତଦ୍‌ଯାବତ, ଯେବେ ସେ ପହଞ୍ଚିଲେ ଏକ ବିଶାଳ ପ୍ରାସାଦେ। ଶକ୍ତ କିଳିନି ମୁଦା ଫାଟକ, ଅଖୋଲା ରହିଲା ସେମିତି। କିନ୍ତୁ ଦେବ ପହଞ୍ଚିଲେ ଗୃହସ୍ବାମୀ ଶଯ୍ୟାର ପାର୍ଶ୍ବରେ ଏବଂ ଛୁଇଁ ଦେଲେ କପାଳ ତାଙ୍କର। ନିଦ୍ରା ଗଲା ଅପସରି, ସେ ଦିଶିଲେ ଭୟେ ଥରହର। ସମ୍ମୁଖରେ ଦେଖି ମୃତ୍ୟୁ ଭୟ, ବହୁକଷ୍ଟେ ସଂଗ୍ରହ କଲେ, ଭୟ ଓ କ୍ରୋଧ ମିଶା କ୍ଷୀଣ ଏକ ସ୍ବର। ଏବଂ କହିଲେ, ‘ଘୁଞ୍ଚି ଯାଅ, ହେ ଭୟଙ୍କର ଦୁଃସ୍ବପ୍ନ; ଛାଡ଼ିଦିଅ ମୋତେ ଘାତକ ପିଶାଚ। କିଏ ତୁମ୍ଭେ? କିପରି ପ୍ରବେଶିଲ ମୋର ଏହି ପୁରେ? କି ଚାହଁ ତୁମ୍ଭେ? ଦୂର ହୁଅ ତୁରନ୍ତ, ନଚେତ ଡାକିବି ମୁଁ ଦାସ ଜଗୁଆଳ, ମୋ ଆଦେଶେ ହତ୍ୟା ବି କରିବେ ତୁମ୍ଭଙ୍କୁ!’ ଅତଃପର ମୃତ୍ୟୁଦେବ ବଜ୍ର ଗମ୍ଭୀର ବାଣି ନରମେ କହିଲେ, ‘ମୁଁ ଯମ। ଉତ୍ତିଷ୍ଠ ମଥାନତ କର!’ ମନୁଷ୍ୟ କହିଲେ, ‘କ'ଣ ଚାହାନ୍ତି ଆପଣ? କିମ୍ପାଇଁ ଆସିଛ ଏଠାକୁ ଯେବେ ମୋର କାର୍ଯ୍ୟ ସରିନାହିଁ? ବଳଶାଳୀ ମୋ ଶରୀରେ କି ତୃଟି ଦେଖିଲେ ଅବା? ଯାଅ କେଉଁ ଦୁର୍ବଳ ସମୀପେ, ଘେନିଯାଅ ତାରେ।’ ‘ହୁଁ, ଅସହ୍ୟ ତୁମ୍ଭର ଏ ରକ୍ତ ରଞିତ ହସ୍ତ ଯୁଗଳ ଓ ଫମ୍ପା ବଦନ, ପୁଣି ଏ ବଳୟିତ ପିଞ୍ଜରା ମାତ୍ର ତନୁ ତବ ଦିଶେ ଏକ ମୃତ ପିଣ୍ଡ ସମ।’ ନିମିଷେ ହୃଦୟଙ୍ଗମ ହେଲା ମନୁଷ୍ୟର, ଯୋଡ଼ହସ୍ତେ ହେଲେ ଅନୁନୟ, ‘ନୁହେଁ ଆଜ୍ଞା, ଓ ଦୟାବନ୍ତ ଯମରାଜ! ନଘେନ ମୋ ତୃଟି ବାରେ, ଭୟ କହି ପକାଏ ଅବିବେକୀ ଅନନୁମୋଦିତ କଥା ଯେତେ। ଘେନି ନିଅ ଅପର୍ଯ୍ୟାପ୍ତ ସ୍ବର୍ଣ୍ଣ ଅବା ପୁଳାଏ ମୋ ଦାସଙ୍କ ଜୀବନ, କିନ୍ତୁ ନିସ୍ତାର ଦିଅ ମୋରେ। ଅନେକ ହିସାବ କିତାବ ବାକି ଅଛି ଏ ଜୀବନେ; ଅନାଦାୟ ବହୁ ଦିନୁ ବହୁତ ସୁବର୍ଣ୍ଣ; ମୋ ଜାହାଜମାନ ପୋତାଶ୍ରୟେ ପହଞ୍ଚି ନାହାନ୍ତି; ଘେନ ଏ ବିନତି, ନଘେନ ମମ ଜୀବନ, ଆହେ ମୃତ୍ୟୁଦେବ! ରାଣୀ ହଂସପୁରେ ଅଛନ୍ତି ମୋ ନୈସର୍ଗିକ ସୁନ୍ଦରୀ ଅନେକ; ଯାହାକୁ ବାଛିବ, ତାଙ୍କୁ ଦେବି ଉପହାର ସୂତ୍ରେ। ଧ୍ୟାନ ଦେଇ ଶୁଣ ହେ ଦେବତା- କିନ୍ତୁ ମୋର ଅଛି ପ୍ରାଣପ୍ରିୟ ଏକ ହିଁ ସନ୍ତାନ, ଏ ଜୀବନେ ମାତ୍ରେକ ଆନନ୍ଦ। ତାକୁ ବି ପ୍ରସ୍ତୁତ ମୁଁ ଦେବି ତୁମ୍ଭ ହସ୍ତେ- ଗ୍ରହଣ କର ତାହାକୁ, କିନ୍ତୁ ମୋତେ ଦିଅ ଛାଡ଼ି!’ ଯମରାଜ ଉବାଚ, ‘ନୁହେଁ ତୁମ୍ଭେ ଧନୀ, ଅଟ ନିଃସ୍ବ କାଙ୍ଗାଳ।’ ଅତଃପର ଧରିଲେ ହସ୍ତ ସେ ନୀଚ୍ଚ ମନୁଷ୍ୟର, ବାନ୍ଧିନେଲେ ଶରୀରରୁ ପ୍ରାଣ, ଦୂତୀଙ୍କୁ ଧରାଇ ଦେଲେକ ନିର୍ଦ୍ଦେଶ, ଭଲ ଭାବେ ମାର୍ଜନା କର ଯେ ଏହାକୁ! ଏଥୁଅନ୍ତେ ମୃତ୍ୟୁଦେବ ମନ୍ଥରେ ଚଳିଲେ, ଗରୀବ ବସ୍ତି ମଧ୍ୟର ଜୀର୍ଣ୍ଣତମ ଗୃହେ ପ୍ରବେଶିଲେ। ଶଯ୍ୟାରେ ଶାୟିତ ଏକ ରୁଗ୍ଣ ଯୁବକ। ମୃତ୍ୟୁ ତାଙ୍କ ନୟନ ସ୍ପର୍ଶ କଲେ; ଚମକି ପଡିଲା ଯୁବା, ଦେଖି ପାର୍ଶ୍ବେ ମୃତ୍ୟୁର ଦେବତା, ଆସ୍ଥା ଓ ଆନନ୍ଦର ମୃଦୁ ସ୍ବରେ ସେ କହିଲା, ‘ହେ କମନୀୟ ଦେବପ୍ରତିମ, ମୁଁ ପ୍ରସ୍ତୁତ। ମୋ ଆତ୍ମାକୁ ଘେନିଯାଅ, କାରଣ ତୁମେ ହିଁ ମୋ କେତେ ସ୍ବପ୍ନର ଆଶା। ଆସନ୍ତୁ, ସେ ସ୍ବପ୍ନମାନଙ୍କୁ ସହଯୋଗ ଦିଅନ୍ତୁ! ହେ ମୃତ୍ୟୁ ପ୍ରିୟତମ, ବାହୁପାଶେ ଆବଦ୍ଧ କର ମୋତେ! ତୁମ୍ଭେ ଦୟାବନ୍ତ; ତ୍ୟାଗ କରନାହିଁ ମୋତେ। ତୁମେ ଈଶ୍ବର ପ୍ରେରିତ ମର୍ତ୍ତ୍ୟେ ଦେବଦୂତ, ପହଞ୍ଚାଇ ଦେବ ମୋତେ ତାଙ୍କଠାରେ। ତୁମ୍ଭେ ସତ୍ୟର ଦକ୍ଷିଣ ହସ୍ତ, ଦୟାର ହୃଦୟ; କରନାହିଁ ଅବହେଳା ମୋ କ୍ଷେତ୍ରରେ।’ ‘ମୁଁ ତୁମ୍ଭକୁ ଅନେକ ଗୁହାରି କଲି, କିନ୍ତୁ ତୁମ୍ଭେ ଆସିଲନି; ଖୋଜିଲି ଅନେକ, କିନ୍ତୁ ତୁମ୍ଭେ ଅଣଦେଖା କଲ; ନଶୁଣିଲ ଡାକିଲି ଅନେକ।’ ‘ଏବେ କିନ୍ତୁ ଅବଶ୍ୟ ଶୁଣିବ- ଆଲିଙ୍ଗନେ ନିଅ ମୋର ଆତ୍ମା, ହେ ପ୍ରିୟତମ ଯମରାଜ!’ ଜନ୍ତୁରାଣ ନରମାଇ ହସ୍ତ, ରଖିଲେ ତାହାର ସ୍ପନ୍ଦିତ ଅଧରେ, ସଯତ୍ନେ ସଂଗ୍ରହ କଲେ ଦିବ୍ୟ ପ୍ରାଣ ତା’ର, ପୁଣି ନେଇ ରଖିଲେ ତାହାକୁ ସବୁଠୁ ନିରାପଦ ଆପଣାର ପକ୍ଷତଳେ। ସ୍ବର୍ଗଲୋକେ ପ୍ରସ୍ଥାନର କାଳେ, ଯମରାଜ ମୃଦୁସ୍ବରେ ଦେଲେ ଚେତାବନୀ: ‘କେବଳ ସେ ଯାଏ ଦିବ୍ୟ ଦେଶେ, ଯେ ମର୍ତ୍ତ୍ୟେ ଦିବ୍ୟତାକୁ ଅନ୍ବେଷଣ କରେ।’