ଜାତୀୟ ବିଜ୍ଞାନ ଦିବସର ବାର୍ତ୍ତା

Mar 2, 2019 - 23:00
 1415
ଜାତୀୟ ବିଜ୍ଞାନ ଦିବସର ବାର୍ତ୍ତା
ଦେବେନ୍ଦ୍ର ପୃଷ୍ଟି ମାନବ ସମାଜକୁ ବିଜ୍ଞାନ ହେଉଛି ଏକ ସୁନ୍ଦର ଉପହାର। ଆମେ ଏହାକୁ ବିକୃତ କରିବା ନାହିଁ। ଏକଥା କହିଥିଲେ ଡକ୍ଟର ଏପିଜେ ଅବ୍ଦୁଲ କାଲାମ, ବିଶିଷ୍ଟ କ୍ଷେପଣାସ୍ତ୍ର ବିଜ୍ଞାନୀ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି। ବାସ୍ତବରେ ଆଧୁନିକ ମଣିଷ ହେଉଛି ବିଜ୍ଞାନର ଅବଦାନ। ଖୁସି ଓ ଆନନ୍ଦର ସନ୍ଧାନ କରୁଥିବା ମଣିଷ ବିଜ୍ଞାନ ଓ ଦର୍ଶନର ସହାୟତା ନେଇ ସୃଷ୍ଟିର ରହସ୍ୟଭେଦ କରିବା ବାଟରେ ନିଜ ପାଇଁ ଉଦଘାଟନ କରିଛି ଅନେକ ସତ୍ୟ, ସିଦ୍ଧାନ୍ତ, ପ୍ରଯୁକ୍ତି ଓ ପ୍ରହେଳିକା। ଆଜି ଆମେ ଯାହା ଖାଉଛୁ ତା’ ପଛରେ ରହିଛି ବିଜ୍ଞାନ ଓ ପ୍ରଯୁକ୍ତି। ଆମେ ଯାହା ପିନ୍ଧୁଛୁ ତା’ ପଛରେ ମଧ୍ୟ ରହିଛି ବିଜ୍ଞାନ ଓ ପ୍ରଯୁକ୍ତିର ଅବଦାନ। ଆମ ଘର, ଆମ ସହର, ଆମ ଶିଳ୍ପ, ଆମ ଶିକ୍ଷା, ଆମ ସ୍ବାସ୍ଥ୍ୟ, ଆମ ସଂସ୍କାର- ମୋଟାମୋଟି ଭାବେ ଆମର ସମୁଦାୟ ଜୀବନ ଓ ଜୀବନଶୈଳୀ ଏବେ ବିଜ୍ଞାନ ଓ ପ୍ରଯୁକ୍ତି ବା ଜ୍ଞାନକୌଶଳ ଦ୍ବାରା ପ୍ରଭାବିତ, ସମୃଦ୍ଧ, ସଂହତ ଓ ସମନ୍ବିତ। ଆମେ ବ୍ୟବହାର କରୁଥିବା ଯାନବାହନ, ଘରୋଇ ସାଜସରଞ୍ଜାମଠାରୁ ଆରମ୍ଭ କରି ମେଡିକାଲ ଯନ୍ତ୍ରପାତି, ଔଷଧ, ଯୁଦ୍ଧାସ୍ତ୍ର ଓ ରକେଟ ଏବଂ ଉପଗ୍ରହ ଯାଏଁ ପ୍ରଗତି ଓ ସମୃଦ୍ଧିର ପ୍ରାୟ ସବୁ ସାମଗ୍ରୀ ପଛରେ ରହିଛି ବିଜ୍ଞାନ ଓ ପ୍ରଯୁକ୍ତିର ଅବାଦନ। ଆଜିର ମଣିଷ ବିଜ୍ଞାନକୁ ଛାଡ଼ି ଚଳିବା ଯେମିତି ଅଳ୍ପନୀୟ, ମଣିଷକୁ ଛାଡ଼ି ବିଜ୍ଞାନର ଅଗ୍ରଗତି ସେହିପରି ଅର୍ଥହୀନ। ବିଶ୍ବବିଖ୍ୟାଦ ପଦାର୍ଥବିଜ୍ଞାନୀ ଆଇନଷ୍ଟାଇନ ଏକଦା କହିଥିଲେ, ଧର୍ମକୁ ଛାଡ଼ି ବିଜ୍ଞାନ ଯେପରି ବିକଳାଙ୍ଗ, ବିଜ୍ଞାନକୁ ଛାଡ଼ି ଧର୍ମ ସେପରି ଅନ୍ଧ। ଧର୍ମ ବା ସାମାଜିକ ନୈତିକତା ବିହୀନ ବିଜ୍ଞାନ ଯେପରି ଧ୍ବଂସକାରୀ, ବୈଜ୍ଞାନିକ ଚେତନା ରହିତ ଧର୍ମ ସେହିପରି ହାନିକାରକ। ଉଭୟ ବିଜ୍ଞାନ ଓ ଧର୍ମର ଲକ୍ଷ୍ୟ ହେଉଛି ମଣିଷର ଉନ୍ନତି, ମାନବିକତାର ବିକାଶ। ବୈଜ୍ଞାନିକର ବ୍ୟକ୍ତିଗତ ବିଶ୍ବାସ ଯେପରି ବିଜ୍ଞାନ ନୁହେଁ, ଠିକ ସେହିପରି ଧର୍ମଯାଜକର ପୁରାଣପାଠ ବା ପ୍ରବଚନ ମଧ୍ୟ ବିଜ୍ଞାନ ନୁହେଁ। ବିଜ୍ଞାନ ହେଉଛି ପ୍ରାକୃତିକ ଓ ପଦାର୍ଥଗତ ପୃଥିବୀର ଶୃଙ୍ଖଳାବଦ୍ଧ ଢାଞ୍ଚାଭିତ୍ତିକ ଗବେଷଣା ଏବଂ ପ୍ରଯୁକ୍ତି ହେଉଛି ଏହାର ସଂଗଠନ। ବିଜ୍ଞାନ ଓ ପ୍ରଯୁକ୍ତି ବଳରେ ହିଁ ମଣିଷ ଆଜି ସ୍ବାସ୍ଥ୍ୟ, ଶିକ୍ଷା ଓ ସଂଚାର କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣି ପାରିଛି। ଏକ ପ୍ରଗତିଶୀଳ ପୃଥିବୀ ପାଇଁ ଏ ଦୁଇର ଅବଦାନ ଯେପରି ଅତୁଳନୀୟ, ଆଜିର ବିଶ୍ବ ତାପନ ଏବଂ ପାଗ ପରିବର୍ତ୍ତନ ସଂକଟର ସଫଳ ମୁକାବିଲା ପାଇଁ ମଧ୍ୟ ଏହାର ଆବଶ୍ୟକତା ସେହିପରି ଅପରିହାର୍ଯ୍ୟ। ଭାରତୀୟ ସମ୍ବିଧାନର ୫୧-କ ଧାରାର ଜ ଉପଧାରା ଆମକୁ ସମାଜରେ ବୈଜ୍ଞାନିକ ମନୋଭାବ ସହିତ ମାନବିକତା, ଜିଜ୍ଞାସା ଓ ସଂସ୍କାର ଭାବନା ସଂପ୍ରସାରଣ ପାଇଁ ଆହ୍ବାନ ଦିଏ। ଏହା ହେଉଛି ପ୍ରତ୍ୟେକ ଭାରତୀୟ ନାଗରିକର ସାମ୍ବିଧାନିକ କର୍ତ୍ତବ୍ୟ। ସ୍ବାଧୀନତା ପରେ ସରକାରଙ୍କ ନିରନ୍ତର ଉଦ୍ୟମ ଫଳରେ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଦେଶ ଅନେକ ପ୍ରଗତି ଓ ସଫଳତା ହାସଲ କରିଛି। ଭାରତ ଆଜି ଚନ୍ଦ୍ରରେ, ମଙ୍ଗଳରେ, ମହାକାଶରେ। ଆର୍ଥନୀତିକ ଓ ସାମରିକ କ୍ଷେତ୍ରରେ ଏକ ମହାଶକ୍ତିର ପ୍ରତିଷ୍ଠା ପାଇଛି ଦେଶ। ତଥାପି, ଆମର ଏଠୁ ସଂପୂର୍ଣ୍ଣ ଭାବେ ଦୂର ହୋଇପାରି ନାହିଁ ଅଜ୍ଞାନତା ଓ ଅନ୍ଧବିଶ୍ବାସର ଆଞ୍ଚଳିକ ରାଜୁତି। ଏବେ ବି ଆମ ଦେଶର କେଉଁ କେଉଁ ପ୍ରାନ୍ତରେ କେଉଁ କେଉଁ ଜନ ସଂପ୍ରଦାୟରେ ଅବ୍ୟାହତ ରହିଛି ଡାହାଣୀ ସନ୍ଦେହରେ ହତ୍ୟା, ଜର ଛଡ଼େଇବାକୁ ଗୁଣିଗାରେଡି, ରୋଗ ଭଲ କରିବାକୁ ଚେଙ୍କ, ଶତ୍ରୁ ଦମନ କରିବାକୁ ଯଜ୍ଞ ଓ ମନ୍ତ୍ରପାଠ ପରି ଅବୈଜ୍ଞାନିକ ଆଚରଣ। ବିଶେଷକରି ଓଡ଼ିଶା ପରି ରାଜ୍ୟରେ ବର୍ଷକୁ ପ୍ରାୟ ୭୦ ଜଣଙ୍କୁ ଡାହାଣୀ ସନ୍ଦେହରେ ହତ୍ୟା କରାଯାଉଛି, ଶତାଧିକ ଶିଶୁଙ୍କୁ ଦିଆଯାଉଛି ମରାଣାନ୍ତକ ଚେଙ୍କ। ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଉପଯୁକ୍ତ ସୁବିଧାର ଅଭାବ ହେତୁ ତଥାପି ରାଜ୍ୟ ଓ ଦେଶର ଅନେକ ଅଞ୍ଚଳ ଓ ସଂପ୍ରଦାୟରୁ ଦୂର ହୋଇପାରିନି ଅଜ୍ଞାନତାର ରାଜୁତି, ଅନ୍ଧବିଶ୍ବାସର ଅରାଜକତା। ୧୯୮୭ ମସିହା ଫେବୃଆରୀ ୨୮ ତାରିଖରୁ ପାଳିତ ହୋଇ ଆସୁଥିବା ଜାତୀୟ ବିଜ୍ଞାନ ଦିବସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଉଛି ଏହାର ଦୂରୀକରଣ, ବୈଜ୍ଞାନିକ ଚେତନାର ସଂପ୍ରସାରଣ। ଚଳିତ ବର୍ଷ ପାଇଁ ଜାତୀୟ ବିଜ୍ଞାନ ଦିବସର ବିଷୟ ହେଉଛି ‘ବିଜ୍ଞାନ ପାଇଁ ମଣିଷ, ମଣିଷ ପାଇଁ ବିଜ୍ଞାନ’। ଏକବିଂଶ ଶତାବ୍ଦୀର ଭାରତ ବିଶ୍ବ ଗୁରୁ ହେବାକୁ ପ୍ରୟାସରତ। ଏଇ ପ୍ରୟାସର ପରିଣାମକୁ ଗର୍ବ ଓ ଗୌରବରେ ପରିଣତ କରିବାକୁ ହେଲେ ‘ବିଜ୍ଞାନ ପାଇଁ ମଣିଷ ଓ ମଣିଷ ପାଇଁ ବିଜ୍ଞାନ’ର ଆହ୍ବାନକୁ ଗ୍ରହଣ କରିବାକୁ ପଡ଼ିବ। ଏହାକୁ ସାକାର ରୂପ ଦେବାକୁ ହେବ। ବିଜ୍ଞାନ ଓ ପ୍ରଯୁକ୍ତି ମଣିଷର ବିନାଶର ବାର୍ତ୍ତାବହ ନହୋଇ ବିକାଶର ବାହକ ହେଉ, ଏହା ହିଁ ସମୟର ଆବଶ୍ୟକତା, ବିଜ୍ଞାନ ଦିବସର ବାର୍ତ୍ତା। (୨୦୧୯ ଫେବୃଆରୀ ୨୮ ତାରିଖ ଜାତୀୟ ବିଜ୍ଞାନ ଦିବସ ଅବସରରେ ଆକାଶବାଣୀ କଟକ କେନ୍ଦ୍ରର ଆଜିର ପ୍ରସଙ୍ଗରେ ପ୍ରଥମେ ପ୍ରସାରିତ।)