ଜହ୍ନର ଜନ୍ମ ଓ ଜଳବାୟୁ ଜାଣିବ ଭାରତ!

Jul 23, 2019 - 04:03
 1246
ଜହ୍ନର ଜନ୍ମ ଓ ଜଳବାୟୁ ଜାଣିବ ଭାରତ!
ପିଆଇବି ଭାରତର ଭୂସମାନ୍ତର ଉପଗ୍ରହ ଉତକ୍ଷେପଣ ଯାନ ଜିଏସଏଲଭି ଏମକେ ଥ୍ରୀ-ଏମ ୱାନ ସଫଳତା ପୂର୍ବକ ୩୮୪୦ କିଗ୍ରା ଓଜନର ଚନ୍ଦ୍ରଯାନ-୨ ମହାକାଶଯାନକୁ ୨୦୧୯ ଜୁଲାଇ ୨୨ ତାରିଖରେ ପୃଥିବୀର କକ୍ଷପଥକୁ ଉତକ୍ଷେପଣ କରିଛି। ଏବେ ଏହି ମହାକାଶଯାନ ପୃଥିବୀ କକ୍ଷପଥର ନିକଟବର୍ତ୍ତୀ ସ୍ଥାନ ୧୬୯.୭ କିମି ଏବଂ ଦୂରବର୍ତ୍ତୀ ସ୍ଥାନ ୪୫,୪୭୫ କିମି ଠାରେ ପୃଥିବୀ ଚାରିପାଖେ ପରିକ୍ରମା କରୁଛି। ଏହି ଯାନରେ ସହ ଯାଇଥିବା ରୋଭର ଚନ୍ଦ୍ରପୃଷ୍ଠରେ ଅବତରଣ କରି ଚନ୍ଦ୍ରର ସ୍ଥଳଭାଗ ଅଧ୍ୟୟନ, ଖଣିଜ ବିଜ୍ଞାନ, ଚନ୍ଦ୍ରପୃଷ୍ଠର ରାସାୟନିକ ଢାଂଚା, ଥର୍ମୋ-ଭୌତିକ ବିଶେଷତ୍ୱ ଏବଂ ଜଳବାୟୁ ଅନୁଧ୍ୟାନ କରିବ। କୋଡ଼ିଏ ଘଂଟାର ଅବଗଣନା ପରେ ଭାରତୀୟ ସମୟ ଅନୁସାରେ ପୂର୍ବ ନିର୍ଦ୍ଧାରିତ ଉତକ୍ଷେପଣ ସମୟ ଅର୍ଥାତ୍ ଜୁଲାଇ ୨୨ ତାରିଖ ଅପରାହ୍ନ ୨ଟା ୪୩ ମିନିଟରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ର (ଏସଡିଏସସି ଏସଏଚଏଆର)ର ଦ୍ୱିତୀୟ ଲଂଚ ପ୍ୟାଡରୁ ଜିଏସଏଲଭି ଏମକେ ଥ୍ରୀ-ଏମ ୱାନ ଯାନକୁ ଦୁଇଟି ଏସ ୨୦୦ କଠିନ ଷ୍ଟ୍ରାପ-ଅନ ମୋଟର ଜରିଆରେ ପ୍ରଭାବୀ ଢଙ୍ଗରେ ଉତକ୍ଷେପଣ କରାଯାଇଥିଲା। ମହାକାଶ ଯାନ ଉତକ୍ଷେପଣର ସମସ୍ତ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟରେ ହୋଇଥିଲା। ଭୂପୃଷ୍ଠରୁ ଉତକ୍ଷେପଣ ହେବାର ୧୬ ମିନିଟ ୧୪ ସେକେଣ୍ଡ ପରେ ଉତକ୍ଷେପଣ ଯାନ ଚନ୍ଦ୍ରଯାନ-୨ ମହାକାଶ ଯାନକୁ ଅଣ୍ଡାକୃତି ପୃଥିବୀର କକ୍ଷପଥରେ ସଫଳତା ପୂର୍ବକ ଅଲଗା କରି ଅବସ୍ଥାପିତ କରିଥିଲା। ଉତକ୍ଷେପଣ ଯାନଠାରୁ ମହାକାଶ ଯାନ ଅଲଗା ହେବା ସଙ୍ଗେ ସଙ୍ଗେ ମହାକାଶ ଯାନର ସୌର ଶୃଙ୍ଖଳା ସ୍ୱୟଂକ୍ରିୟ ଭାବେ କାର୍ଯ୍ୟକ୍ଷମ ହୋଇଯାଇଥିଲା। ଏଥିସହିତ ବେଙ୍ଗାଲୁରୁସ୍ଥିତ ଇସ୍ରୋ ଟେଲିମେଟ୍ରି, ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କ ତୁରନ୍ତ ମହାକାଶ ଯାନ ଉପରେ ନିୟନ୍ତ୍ରଣ ସ୍ଥାପିତ କରିଥିଲା। ଏହି ଆହ୍ୱାନପୂର୍ଣ୍ଣ ଅଭିଯାନରେ ନିୟୋଜିତ ଉତକ୍ଷେପଣ ଯାନ ଏବଂ ଉପଗ୍ରହ ଦଳକୁ ଇସ୍ରୋ ଅଧ୍ୟକ୍ଷ ଡ. କେ ଶିବନ ଅଭିନନ୍ଦନ ଜଣାଇଛନ୍ତି। ‘ମହାକାଶ ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଭାରତ ପାଇଁ ଆଜି ହେଉଛି ଏକ ଐତିହାସିକ ଦିନ। ମୁଁ ଅତ୍ୟନ୍ତ ଆନନ୍ଦର ସହ ଏହା ଘୋଷଣା କରୁଛି ଯେ ଜିଏସଏଲଭି ଏମକେ ଥ୍ରୀ-ଏମ ୱାନ ସଫଳତାପୂର୍ବକ ଚନ୍ଦ୍ରୟାନ-୨କୁ ଆଶାଠାରୁ ୬ ହଜାର କିମି ଅଧିକ ପୃଥିବୀର କକ୍ଷପଥରେ ଅବସ୍ଥାପିତ କରିପାରିଛି।’ ‘ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଅବତରଣ କରିବା ଏବଂ ଅନାବିଷ୍କୃତ ତଥ୍ୟକୁ ଆବିଷ୍କାର କରିବା ଲାଗି ବୈଜ୍ଞାନିକ ଗବେଷଣା କରିବା ଉଦ୍ଦେଶ୍ୟରେ ଆଜି ଚନ୍ଦ୍ର ଅଭିମୁଖେ ଭାରତର ଐତିହାସିକ ଯାତ୍ରା ଆରମ୍ଭ ହୋଇଛି। ଜୁଲାଇ ୧୫, ୨୦୧୯ରେ ଇସ୍ରୋ ବୁଦ୍ଧିମତାର ସହିତ ବୈଷୟିକ ତ୍ରୁଟିକୁ ଠାବ କରିବାରେ ସଫଳ ହୋଇଥିଲା। ଇସ୍ରୋର ବୈଜ୍ଞାନିକମାନେ ଏହା ଉପରେ କାର୍ଯ୍ୟ କରିଥିଲେ ଏବଂ ମାତ୍ର ୨୪ ଘଂଟା ମଧ୍ୟରେ ତ୍ରୁଟିକୁ ସଜାଡ଼ିବାରେ ସଫଳ ହୋଇଥିଲେ। ପରବର୍ତ୍ତୀ ଦେଢ଼ ଦିନ ପର୍ଯ୍ୟନ୍ତ ଆବଶ୍ୟକ ପରୀକ୍ଷା କରାଯାଇ ତ୍ରୁଟି ସଂଶୋଧନ ଠିକ୍ ହୋଇଛି କି ନାହିଁ ଦେଖାଯାଇଥିଲା। ଆଜି ଇସ୍ରୋ ଚମତ୍କାର ପ୍ରତ୍ୟାବର୍ତନ କରିଛି’, ବୋଲି ଡ. ଶିବନ କହିଛନ୍ତି। ଆଗାମୀ ଦିନରେ, ଚନ୍ଦ୍ରଯାନ-୨ ନିଜସ୍ୱ ସଂଚାଳନ ବ୍ୟବସ୍ଥାକୁ ଉପଯୋଗ କରି ଏକାଧିକ କକ୍ଷ ପରିକ୍ରମା କୌଶଳ କାର୍ଯ୍ୟକାରୀ କରିବ। ଏହା ମହାକାଶ ଯାନର କକ୍ଷକୁ ପର୍ଯ୍ୟାୟକ୍ରମେ ଊର୍ଦ୍ଧ୍ୱଗାମୀ କରିବ ଏବଂ ଏହାକୁ ଚନ୍ଦ୍ରମା ପାର୍ଶ୍ୱବର୍ତ୍ତୀ କ୍ଷେତ୍ରକୁ ଯାତ୍ରା ଲାଗି ସଠିକ ପଥରେ ଅବସ୍ଥାପିତ କରିବ। ଜିଏସଏଲଭି ଏମକେ ଥ୍ରୀ ହେଉଛି ଇସ୍ରୋ ଦ୍ୱାରା ବିକଶିତ ଏକ ତିନି ପର୍ଯ୍ୟାୟ ବିଶିଷ୍ଟ ଉତକ୍ଷେପଣ ଯାନ। ଏହାର ଦୁଇଟି କଠିନ ଷ୍ଟ୍ରାପ ଅନ୍ ରହିଛି, ଏଥିରେ ଗୋଟିଏ ମୂଳ ଲିକୁଇଡ ବୁଷ୍ଟର ଏବଂ ଆଉ ଏକ ଏକ କ୍ରାୟୋଜେନିକ ବାହ୍ୟ ଆବରଣ ରହିଛି। ୪ ଟନ ଓଜନ ବିଶିଷ୍ଟ ଉପଗ୍ରହକୁ ଭୂସମାନ୍ତର ସ୍ଥାନାନ୍ତର କକ୍ଷପଥ (ଜିଟିଓ)ରେ ସ୍ଥାପିତ କରିବା କିମ୍ୱା ୧୦ ଟନ ବିଶିଷ୍ଟ ଉପଗ୍ରହକୁ ନିମ୍ନ ପୃଥିବୀ କକ୍ଷପଥ (ଏଲଇଓ)ରେ ଅବସ୍ଥାପିତ କରିବା ଲାଗି ଏହି ଯାନକୁ ଡିଜାଇନ କରାଯାଇଛି। ଚନ୍ଦ୍ରଯାନ-୨ ହେଉଛି ଚନ୍ଦ୍ର ଅଭିମୁଖେ ଭାରତର ଦ୍ୱିତୀୟ ଅଭିଯାନ। ଏଥିରେ ରହିଛି ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପରିକ୍ରମଣ ଯାନ ବା ଅର୍ବିଟର (କକ୍ଷପଥରେ ପରିକ୍ରମା କରୁଥିବା ମହାକାଶଯାନ), ବିକ୍ରମ ନାମକ ଲ୍ୟାଣ୍ଡର (ଯାହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବ) ଏବଂ ପ୍ରଜ୍ଞାନ ନାମକ ରୋଭର (ମାନବବିହୀନ ମହାକାଶଯାନ ଯାହା ଚନ୍ଦ୍ରପୃଷ୍ଠକୁ ଅନୁଧ୍ୟାନ କରିବ)। ଲ୍ୟାଣ୍ଡର ବିକ୍ରମ ଭିତରେ ପ୍ରଜ୍ଞାନ ରୋଭରକୁ ସ୍ଥାନିତ କରାଯାଇଛି। ଚନ୍ଦ୍ରପୃଷ୍ଠରେ ସ୍ଥିର ଭାବେ ଅବତରଣ କରିବା ଏବଂ ପରିଭ୍ରମଣ କରିବା ସମେତ ସର୍ବାଧୁନିକ ଚନ୍ଦ୍ର ଅଭିଯାନ କ୍ଷମତା ହାସଲ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି ବିକଶିତ କରିବା ଓ ପ୍ରଦର୍ଶନ କରିବା ଚନ୍ଦ୍ରଯାନ-୨ ଅଭିଯାନର ଉଦ୍ଦେଶ୍ୟ। ବିଜ୍ଞାନ ଦୃଷ୍ଟିରୁ ଦେଖିଲେ, ଚନ୍ଦ୍ରର ସ୍ଥଳଭାଗ ଅଧ୍ୟୟନ, ଖଣିଜବିଜ୍ଞାନ, ଚନ୍ଦ୍ରପୃଷ୍ଠର ରାସାୟନିକ ଢାଂଚା, ଥର୍ମୋ-ଭୌତିକ ବିଶେଷତ୍ୱ ଏବଂ ଜଳବାୟୁ ଅନୁଧ୍ୟାନ କରିବା ଏହି ଅଭିଯାନର ଉଦ୍ଦେଶ୍ୟ, ଯାହା ଚନ୍ଦ୍ରର ଉତ୍ପତି ଏବଂ କ୍ରମବିକାଶ ସମ୍ପର୍କରେ ଅଧିକ ତଥ୍ୟ ପ୍ରଦାନ କରିବ। ପୃଥିବୀର କକ୍ଷପଥ ଛାଡ଼ି ଚନ୍ଦ୍ରର ପ୍ରଭାବ କ୍ଷେତ୍ରରେ ପ୍ରବେଶ କରିବା ପରେ ଚନ୍ଦ୍ରୟାନ-୨ର ନିଜସ୍ୱ ସଂଚାଳକ ପ୍ରଣାଳୀ ମହାକାଶ ଯାନର ଗତିକୁ ହ୍ରାସ କରିଦେବ। ଫଳରେ ଏହା ଚନ୍ଦ୍ରର ପ୍ରାରମ୍ଭିକ କକ୍ଷପଥ ଅବସ୍ଥାପିତ ହୋଇପାରିବ। ପରେ କେତେକ ପରିକ୍ରମା ପର୍ଯ୍ୟାୟ ପରେ ଚନ୍ଦ୍ରଯାନ-୨ର ପରିକ୍ରମଣ ଯାନ ଚନ୍ଦ୍ରର କକ୍ଷ ଚାରିପାଖେ ଚନ୍ଦ୍ରପୃଷ୍ଠ ଠାରୁ ୧୦୦ କିମି ଉଚ୍ଚତାରେ ଘୂରିବୁଲିବ। ଧୀରେ ଧୀରେ କକ୍ଷଠାରୁ ପରିକ୍ରମଣ ଯାନଠାରୁ ଲ୍ୟାଣ୍ଡର ଅଲଗା ହୋଇଯିବ ଏବଂ ଏହା ଚନ୍ଦ୍ରର ୧୦୦ କିମି ଗୁଣା ୩୦ କିମି କକ୍ଷପଥରେ ପ୍ରବେଶ କରିବ। ପରେ ଏହା ସ୍ଥିର ଭାବେ ସେପ୍ଟେମ୍ୱର ୭, ୨୦୧୯ ବେଳକୁ ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧ କ୍ଷେତ୍ରରେ ଅବତରଣ କରିବା ଲାଗି ଏକାଧିକ ଜଟିଳ ପରିକ୍ରମା କରିବ। ଏହାପରେ ଲ୍ୟାଣ୍ଡରଠାରୁ ରୋଭର ଅଲଗା ହୋଇ ଗୋଟିଏ ଚନ୍ଦ୍ର ଦିବସ, ଯାହା ପୃଥବୀରେ ୧୪ ଦିନ ସହ ସମାନ, ଅବଧି ଲାଗି ଚନ୍ଦ୍ର ପୃଷ୍ଠରେ ପରିଭ୍ରମଣ କରିବ ଏବଂ ପରୀକ୍ଷଣ କରିବ। ଲ୍ୟାଣ୍ଡରର ଅଭିଯାନ ଅବଧି ମଧ୍ୟ ଗୋଟିଏ ଚନ୍ଦ୍ର ଦିବସର। ତେବେ ଗୋଟିଏ ବର୍ଷ ଲାଗି ଅର୍ବିଟରର ଅଭିଯାନ ଜାରି ରହିବ। ଅର୍ବିଟରର ଓଜନ ୨,୩୬୯ କିଗ୍ରା ହୋଇଥିବା ବେଳେ ଲ୍ୟାଣ୍ଡରର ଓଜନ ୧,୪୭୭ କିଗ୍ରା ଏବଂ ରୋଭରର ଓଜନ ୨୬ କିଗ୍ରା। ଏହି ରୋଭର ୫୦୦ ମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ ଏବଂ ନିଜସ୍ୱ ସୌର ପ୍ୟାନେଲ ଜରିଆରେ ବିଦ୍ୟୁତ ଶକ୍ତି ସଂଗ୍ରହ କରି ଏହା କାର୍ଯ୍ୟ କରିପାରିବ। ଚନ୍ଦ୍ରର ଉତ୍ପତି ଏବଂ କ୍ରମବିକାଶ ସମ୍ପର୍କରେ ବୁଝିବା ଲାଗି ଚନ୍ଦ୍ରଯାନ-୨ରେ ବିଭିନ୍ନ ବିଜ୍ଞାନ ପେଲୋଡ ବ୍ୟବସ୍ଥା କରାଯାଇଛି। ଅର୍ବିଟରରେ ୮ଟି ପେଲୋଡ, ଲ୍ୟାଣ୍ଡରରେ ୩ଟି ଓ ରୋଭରରେ ୨ଟି ପେଲୋଡ୍ ରହିଛି। ଲ୍ୟାଣ୍ଡରରେ ସାମିଲ ପରୋକ୍ଷ ପରୀକ୍ଷଣ ବ୍ୟତୀତ ଅର୍ବିଟର ୧୦୦ କିମି ଦୂର କକ୍ଷପଥରେ ଚନ୍ଦ୍ରର ରିମୋର୍ଟ ସେନ୍ସିଂ ଅନୁଧ୍ୟାନ କରିବ। ଅନ୍ୟପକ୍ଷେ ଲ୍ୟାଣ୍ଡର ଏବଂ ରୋଭର ପେଲୋଡ ଚନ୍ଦ୍ରପୃଷ୍ଠରେ ଅବତରଣ କରି ଗୁରୁତ୍ୱପୂର୍ଣ୍ଣ ଅନୁଧ୍ୟାନ କରିପାରିବେ। ଗ୍ରାଉଣ୍ଡ ବ୍ୟବସ୍ଥାରେ ଚନ୍ଦ୍ରଯାନ-୨ର ତୃତୀୟ ଗୁରୁତ୍ୱପୂର୍ଣ୍ଣ ଉପାଦାନ ରହିଛି। ଏହା ମହାକାଶଯାନରୁ ସ୍ୱାସ୍ଥ୍ୟ ସୂଚନା ଏବଂ ବୈଜ୍ଞାନିକ ତଥ୍ୟ ଗ୍ରହଣ କରିବାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବ। ଏହା ମଧ୍ୟ ମହାକାଶଯାନକୁ ରେଡିଓ କମାଣ୍ଡ ପ୍ରେରଣ କରିବ। ଚନ୍ଦ୍ରଯାନ-୨ର ଗ୍ରାଉଣ୍ଡ ବ୍ୟବସ୍ଥାରେ ଭାରତୀୟ ଦୀପ ମହାକାଶ ନେଟୱାର୍କ, ମହାକାଶଯାନ ନିୟନ୍ତ୍ରଣ କେନ୍ଦ୍ର ଏବଂ ଭାରତୀୟ ମହାକାଶ ବିଜ୍ଞାନ ତଥ୍ୟ କେନ୍ଦ୍ର ରହିଛି। ଏହି ଆହ୍ୱାନପୂର୍ଣ୍ଣ ଅଭିଯାନରେ ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ଶ୍ରୀହରିକୋଟାର ଦର୍ଶକ ଗ୍ୟାଲେରୀରୁ ୭୫୦୦ ଜଣ ପରିଦର୍ଶକ ଏହାର ଉତକ୍ଷେପଣ ସିଧାସଳଖ ଦେଖିପାରିଥିଲେ।