ଜଳ ସଂରକ୍ଷଣ ପାଇଁ ଜନ ଆନ୍ଦୋଳନ

Jun 30, 2019 - 05:17
 924
ଜଳ ସଂରକ୍ଷଣ ପାଇଁ ଜନ ଆନ୍ଦୋଳନ
ନରେନ୍ଦ୍ର ମୋଦୀ, ଭାରତର ପ୍ରଧାନମନ୍ତ୍ରୀ (ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’ର ସଂପାଦିତ ଅଂଶ।) ଗତ ମାସଗୁଡ଼ିକରେ ଅନେକ ବାର୍ତ୍ତା ଆସିଛି, ଯେଉଁଥିରେ ଲୋକେ କହିଛନ୍ତି ଯେ, ସେମାନେ ‘ମନ୍ କି ବାତ୍’କୁ ମିସ୍ କରୁଛନ୍ତି। ମୁଁ ଯେତେବେଳେ ଏସବୁ ପଢ଼ୁଛି, ଶୁଣୁଛି, ମୋତେ ଭଲ ଲାଗୁଛି। ଆପଣମାନଙ୍କ ସହ ଖୁବ୍ ଅନ୍ତରଙ୍ଗତା ଅନୁଭବ କରୁଛି। ବେଳେବେଳେ ମୋତେ ଲାଗେ ଯେ, ଏହା ମୋର ସ୍ୱ ରୁ ସମଷ୍ଟି ଦିଗକୁ ଯାତ୍ରା। ଏହା ମୋର ଅହମରୁ ବୟମ ଦିଗକୁ ଯାତ୍ରା। ଆପଣଙ୍କ ସହ ମୋର ଏହି ମୌନ କଥୋପକଥନ ମୋ ପାଇଁ ଏକ ପ୍ରକାର ମୋର ଆଧ୍ୟାତ୍ମିକ ଯାତ୍ରାର ଅଂଶବିଶେଷ ଥିଲା। ନିର୍ବାଚନର ବ୍ୟସ୍ତତା ଭିତରେ ମୁଁ କେଦାରନାଥ କାହିଁକି ଚାଲିଗଲି ବୋଲି ଅନେକ ଲୋକ ମୋତେ ପ୍ରଶ୍ନ କରିଥିଲେ। ଏହା ଆପଣଙ୍କ ଅଧିକାର। ଆପଣମାନଙ୍କ ଜାଣିବାର ଉତ୍କଣ୍ଠାକୁ ବି ମୁଁ ବୁଝିପାରୁଛି। ବେଳେବେଳେ ଭାବେ, ମୋର ସେହି ଭାବନାକୁ ଆପଣମାନଙ୍କ ନିକଟରେ ପହଂଚାଇ ଦିଅନ୍ତି କି! କିନ୍ତୁ ଆଜି ଭାବୁଛି ଯେ, ଯଦି ସେ ଦିଗକୁ ମାଡ଼ିଯିବି, ତାହେଲେ, ‘ମନ୍ କି ବାତ୍’ର ରୂପ ହିଁ ବଦଳିଯିବ। ନିବାର୍ଚନର ଏହି ବ୍ୟସ୍ତତା, ଜୟ-ପରାଜୟର ଅନୁମାନ ଭିତରେ ମତଦାନ ବି ବାକିଥିଲା, ତଥାପି ମୁଁ ବାହାରିପଡ଼ିଲି। ଅଧିକାଂଶ ଲୋକ ଏହାକୁ ଏକ ରାଜନୈତିକ ଦୃଷ୍ଟିରେ ଦେଖିଛନ୍ତି। କିନ୍ତୁ ମୋ ପାଇଁ ଏହା ଥିଲା ନିଜ ସହ ନିଜର ମିଳନର ଏକ ଅବସର। ଏକ ପ୍ରକାର, ମୁଁ ନିଜକୁ ଭେଟିବା ପାଇଁ ସେଠାକୁ ଚାଲିଯାଇଥିଲି। ସେ ବିଷୟରେ ଆଉ ଅଧିକ କିଛି ଆଜି କହିବିନି, କିନ୍ତୁ ଏତିକି କହିବି ଯେ, ‘ମନ୍ କି ବାତ୍’ର ଏହି ସାମାନ୍ୟ ବ୍ୟବଧାନ ଯୋଗୁଁ ଯେଉଁ ଶୂନ୍ୟତା ଥିଲା, କେଦାରନାଥର ସେହି ଘାଟି, ସେହି ନିକାଂଚନ ଗୁଣ୍ଠା, ଅବଶ୍ୟ କିଛି ପୂରଣ କରିବା ପାଇଁ ସୁଯୋଗ ଦେଇଥିଲା। ଯଦି ଆପଣଙ୍କର ଆଉ କିଛି ଜିଜ୍ଞାସା ଅଛି, ପୁଣି କେତେବେଳେ ସେ ସମ୍ପର୍କରେ ବି ଚର୍ଚ୍ଚା କରିବି ବୋଲି ଭାବୁଛି। କେବେ କରିବି ତାହା କହିପାରୁନି, ହେଲେ କରିବି ନିଶ୍ଚୟ, କାରଣ ଆପଣମାନଙ୍କର ମୋ ଉପରେ ସେ ଅଧିକାର ରହିଛି। ଯେମିତି କେଦାରନାଥ ସମ୍ପର୍କରେ ଲୋକେ ଜାଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି, ସେହିପରି ସକାରାତ୍ମକ କଥାଗୁଡ଼ିକ ଉପରେ ଗୁରୁତ୍ୱ ଦେବାର ଆପଣମାନଙ୍କ ପ୍ରଚେଷ୍ଟାକୁ ମୁଁ ଆପଣମାନଙ୍କ କଥାରେ ଅନୁଭବ କରିପାରୁଛି। ‘ମନ୍ କି ବାତ୍’ ପାଇଁ ଯେଉଁ ଚିଠି ସବୁ ଆସୁଛି, ଯେଉଁ ଇନ୍‌ପୁଟ୍‌ଗୁଡ଼ିକ ମିଳୁଛି, ସେଗୁଡ଼ିକ ଗତାନୁଗତିକ ସରକାରୀ କାମଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଆପଣଙ୍କ ଚିଠି ମଧ୍ୟ କେତେବେଳେ ମୋ’ ପାଇଁ ପ୍ରେରଣାର ସ୍ରୋତ ପାଲଟିଯାଏ ତ କେତେବେଳେ ଶକ୍ତି ଭରିଦିଏ। ବେଳେବେଳେ ଆପଣମାନଙ୍କର କିଛି ଶବ୍ଦ ମୋ ଚିନ୍ତାଧାରାକୁ ଶାଣିତ କରିଦିଅନ୍ତି। ଲୋକେ ଦେଶ ଓ ସମାଜ ସମ୍ମୁଖରେ ଥିବା ଆହ୍ୱାନଗୁଡ଼ିକ ସମ୍ପର୍କରେ ଲେଖୁଛନ୍ତି ଆଉ ପୁଣି ସେଗୁଡ଼ିକର ସମାଧାନ ସମ୍ପର୍କରେ ମଧ୍ୟ ଲେଖୁଛନ୍ତି। .....ଗୋଟିଏ କଥା ମୁଁ ନିଶ୍ଚୟ କହିବି ଯେ, ‘ମନ୍ କି ବାତ୍’ରେ ମୋ ପାଖକୁ ଏତେ ଚିଠି ଆସୁଛି, ଏତେ ଟେଲିଫୋନ କଲ୍ ଆସୁଛି, ଏତେ ବାତାର୍ ମିଳୁଛି, କିନ୍ତୁ ସେଥିରେ ଅଭିଯୋଗର ମାତ୍ରା ବହୁତ କମ୍। ଲୋକେ କିଛି ମାଗିଛନ୍ତି, କିନ୍ତୁ ନିଜ ପାଇଁ କେହି କିଛି ମାଗିବା ଏମିତି ଗୋଟିଏ ହେଲେ ବି କଥା ଗତ ପାଂଚବର୍ଷରେ ମୋ ଦୃଷ୍ଟିକୁ ଆସିନି। ଦେଶର ପ୍ରଧାନମନ୍ତ୍ରୀଙ୍କୁ ଜଣେ ଚିଠି ଲେଖୁଛି, ଆଉ ନିଜ ପାଇଁ କିଛି ମାଗୁନି, ଏଥିରୁ ଆପଣ କଳ୍ପନା କରିପାରୁଥିବେ ଯେ, ଏ ଦେଶର କୋଟି କୋଟି ଲୋକଙ୍କର ଭାବନା କେତେ ଉଚ୍ଚ! ମୁଁ ଯେତେବେଳେ ଏ ସବୁର ବିଶ୍ଲେଷଣ କରେ, ସେତେବେଳେ ମୋତେ କେତେ ଖୁସି ଲାଗୁଥିବ, ମୋତେ କେତେ ଶକ୍ତି ମିଳୁଥିବ, ତାହା ଆପଣ କଳ୍ପନା କରିପାରୁଥିବେ। ଆପଣ ଜାଣିନଥିବେ ଯେ, ଆପଣମାନେ ହିଁ ମୋତେ ଚଳାନ୍ତି, ମୋତେ ଦୌଡ଼ାନ୍ତି, ପ୍ରତିକ୍ଷଣ ମୋତେ ପ୍ରାଣବନ୍ତ କରି ରଖନ୍ତି। ଏହି ସମ୍ପର୍କକୁ ହିଁ ମୁଁ ମିସ୍ କରୁଥିଲି। ଆଜି ମୋ ମନ ଆନନ୍ଦରେ ପରିପୂର୍ଣ୍ଣ। ଗତଥର ଯେତେବେଳେ ଶେଷରେ ମୁଁ କହିଥିଲି ଯେ, ଆମେ ତିନି-ଚାରି ମାସ ପରେ ଭେଟିବା, ସେତେବେଳେ ଲୋକେ ଏହାକୁ ରାଜନୈତିକ ଦୃଷ୍ଟିରେ ଦେଖିଥିଲେ ଆଉ କହିଥିଲେ ଯେ, ମୋଦୀଜୀଙ୍କର କେତେ ଆତ୍ମବିଶ୍ୱାସ, କେତେ ଭରସା! ଏ ଆତ୍ମବିଶ୍ୱାସ ମୋଦୀଙ୍କର ନ ଥିଲା, ଏ ବିଶ୍ୱାସ ଆପଣଙ୍କ ଆସ୍ଥାର ଆଧାର ଥିଲା। ବିଶ୍ୱାସର ରୂପ ଆପଣମାନେ ହିଁ ଥିଲେ, ଆଉ ସେଥିପାଇଁ ଗତଥର ଶେଷ ‘ମନ୍ କି ବାତ୍’ରେ ସହଜ ଢଙ୍ଗରେ ମୁଁ କହି ଦେଇଥିଲି ଯେ, କିଛିମାସ ପରେ ମୁଁ ପୁଣି ଆପଣଙ୍କ ପାଖକୁ ଫେରିବି। ପ୍ରକୃତରେ, ମୁଁ ଆସିନି, ଆପଣମାନେ ମୋତେ ଆଣିଛନ୍ତି, ଆପଣମାନେ ହିଁ ମୋତେ ବସାଇଛନ୍ତି। ଆଉ, ଆପଣମାନେ ହିଁ ମୋତେ ପୁଣି ଥରେ କହିବାର ସୁଯୋଗ ପ୍ରଦାନ କରିଛନ୍ତି। ଏହି ଭାବନା ସହିତ, ଆସନ୍ତୁ, ‘ମନ୍ କି ବାତ୍’ର ଏ ଭାବନା ଆଗକୁ ବଢ଼ାଇବା। ଯେତେବେଳେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଗଲା, ସେତେବେଳେ ଏହାର ବିରୋଧ କେବଳ ରାଜନୈତିକ କ୍ଷେତ୍ର ମଧ୍ୟରେ ସୀମିତ ନ ଥିଲା, ରାଜନେତାମାନଙ୍କ ଭିତରେ ସୀମିତ ନ ଥିଲା, ବନ୍ଦୀଗୃହ କିମ୍ୱା ଆନ୍ଦୋଳନ ଭିତରେ ସୀମିତ ନ ଥିଲା। ଜନ ଗଣଙ୍କ ହୃଦୟରେ ଆକ୍ରୋଶ ରହିଥିଲା। ହରାଇଥିବା ଗଣତନ୍ତ୍ର ପାଇଁ ଏକ ତୀବ୍ର ଇଚ୍ଛା ଥିଲା। ନିତିଦିନ ଠିକ୍ ସମୟରେ ଭୋଜନ ମିଳିଗଲେ, ଭୋକର ଦାଉ ଜାଣିହୁଏନି। ଠିକ୍ ସେହିଭଳି ଗଣତନ୍ତ୍ରରେ ଅଧିକାରର ଆନନ୍ଦ ସେତିକିବେଳେ ଜଣାପଡ଼େ, ଯେତେବେଳେ କେହି ସେଗୁଡ଼ିକୁ ଆମଠାରୁ ଛଡ଼େଇନିଏ। ଜରୁରୀକାଳୀନ ପରିସ୍ଥିତି ସମୟରେ ଦେଶର ପ୍ରତ୍ୟେକ ନାଗରିକ ତା’ଠାରୁ କିଛି ଛଡ଼ାଇ ନିଆଯାଇଥିବା ପରି ଅନୁଭବ କରୁଥିଲା। ଜୀବନରେ ସେ ଥରେ ହେଲେ ବ୍ୟବହାର କରିନଥିବା ଜିନିଷଟିକୁ ଛଡାଇ ନିଆଯିବା ଯୋଗୁଁ ତା’ ମନରେ କଷ୍ଟ ଥିଲା। ଏହା କେବଳ ଏଇଥିପାଇଁ ନୁହେଁ ଯେ, ଭାରତର ସମ୍ୱିଧାନରେ ଏଭଳି କିଛି ବ୍ୟବସ୍ଥା ରହିଛି ଯାହାର ଫଳସ୍ୱରୂପ ଗଣତନ୍ତ୍ରର ଅଭିବୃଦ୍ଧି ଘଟିଛି। ସାମାଜିକ ବ୍ୟବସ୍ଥାକୁ ଚଳାଇବା ପାଇଁ ସମ୍ୱିଧାନର ଆବଶ୍ୟକ ପଡ଼ିଥାଏ, ଆଇନ-କାନୁନ୍, ନିୟମର ମଧ୍ୟ ଆବଶ୍ୟକ ହୋଇଥାଏ। ଅଧିକାର ଏବଂ କର୍ତ୍ତବ୍ୟର କଥା ମଧ୍ୟ ଉଠେ। କିନ୍ତୁ ଭାରତ ଏ କଥା ଗର୍ବର ସହ କହିପାରେ ଯେ, ଆମ ପାଇଁ ଗଣତନ୍ତ୍ର ହେଉଛି ଆମ ସଂସ୍କାର, ଗଣତନ୍ତ୍ର ହେଉଛି ଆମ ସଂସ୍କୃତି, ଗଣତନ୍ତ୍ର ଆମର ଐତିହ୍ୟ ଏବଂ ସେହି ଐତିହ୍ୟକୁ ନେଇ ଆମେ ବଢ଼ିଛୁ, ତେଣୁ ଏହାର ଅଭାବ ଦେଶବାସୀ ଅନୁଭବ କରୁଥିବା କଥା ଜରୁରୀକାଳୀନ ପରିସ୍ଥିତିରେ ଆମେ ଅନୁଭବ କରିଥିଲୁ। ସେଥିପାଇଁ ସାରା ଦେଶ ଗୋଟିଏ ସମଗ୍ର ନିର୍ବାଚନ ନିଜ ହିତ ପାଇଁ ନୁହେଁ, ବରଂ ଗଣତନ୍ତ୍ରର ସୁରକ୍ଷା ପାଇଁ ସମର୍ପି ଦେଇଥିଲା। ହୁଏତ, ବିଶ୍ୱର ଗୋଟିଏ ଦେଶ, ସେଠାକାର ପ୍ରତ୍ୟେକ ନାଗରିକ, ଗଣତନ୍ତ୍ର ପାଇଁ, ନିଜର ଅବଶିଷ୍ଟ ଅଧିକାରର ଆବଶ୍ୟକତାକୁ ଖାତିର୍ ନ କରି କେବଳ ଗଣତନ୍ତ୍ରର ସୁରକ୍ଷା ପାଇଁ ମତଦାନ କରିଥିବ - ସେହିଭଳି ଏକ ନିର୍ବାଚନ ଏହି ଦେଶ ୧୯୭୭ରେ ଦେଖିଥିଲା। ନିକଟ ଅତୀତରେ ଗଣତନ୍ତ୍ରର ମହାପର୍ବ, ଖୁବ୍ ବଡ଼ ନିବାର୍ଚନୀ ଅଭିଯାନ, ଆମ ଦେଶରେ ସମ୍ପୂର୍ଣ୍ଣ ହେଲା। ଧନୀଠାରୁ ନିର୍ଦ୍ଧନ, ସମସ୍ତେ ଏହି ପର୍ବରେ ଆନନ୍ଦର ସହ ଆମ ଦେଶର ଭବିଷ୍ୟତର ନିଷ୍ପତି ଗ୍ରହଣ କରିବା ପାଇଁ ତତ୍ପର ଥିଲେ। ଭାରତରେ ୨୦୧୯ର ଲୋକସଭା ନିବାର୍ଚନରେ, ୬୧ କୋଟିରୁ ଅଧିକ ଲୋକ ମତଦାନ କଲେ। ଏହି ସଂଖ୍ୟା ଆମକୁ ସାଧାରଣ ଲାଗିପାରେ। କିନ୍ତୁ ବିଶ୍ୱକୁ ଦୃଷ୍ଟିରେ ରଖି ଯଦି ମୁଁ କହିବି, ତେବେ କେବଳ ଚୀନକୁ ଛାଡ଼ିଦେଲେ, ବିଶ୍ୱର ଯେକୌଣସି ଦେଶର ଜନସଂଖ୍ୟାଠାରୁ ଭାରତରେ ଏଥର ଅଧିକ ଲୋକ ମତଦାନ କରିଥିଲେ। ଯେତିକି ଲୋକ ୨୦୧୯ର ଲୋକସଭା ନିର୍ବାଚନରେ ମତଦାନ କଲେ, ତାଙ୍କ ସଂଖ୍ୟା ଆମେରିକାର ମୋଟ ଜନସଂଖ୍ୟାଠାରୁ ମଧ୍ୟ ଅଧିକ, ପ୍ରାୟ ଦୁଇଗୁଣ। ଭାରତରେ ମୋଟ ଭୋଟରଙ୍କ ସଂଖ୍ୟା ଯେତିକି, ତାହା ସମ୍ପୂର୍ଣ୍ଣ ୟୁରୋପର ଜନସଂଖ୍ୟାଠାରୁ ମଧ୍ୟ ଅଧିକ। ଏହା ଆମ ଗଣତନ୍ତ୍ରର ବିଶାଳତାକୁ ପରିଚୟ କରାଇଥାଏ। ୨୦୧୯ର ଲୋକସଭା ନିର୍ବାଚନ ଏ ପର୍ଯ୍ୟନ୍ତ ଇତିହାସରେ ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ନିର୍ବାଚନ ଥିଲା। ଏଭଳି ନିବାର୍ଚନ କରାଇବାରେ କେତେ ବଡ଼ ସ୍ତରରେ ସମ୍ୱଳ ଏବଂ ମାନବ ଶକ୍ତିର ଆବଶ୍ୟକତା ପଡ଼ିଥିବ ତାହା ଆପଣ କଳ୍ପନା କରିପାରନ୍ତି। ଲକ୍ଷ ଲକ୍ଷ ଶିକ୍ଷକ, ଅଧିକାରୀ ଏବଂ କର୍ମଚାରୀମାନଙ୍କ କଠିନ ପରିଶ୍ରମ ଫଳରେ ନିର୍ବାଚନ ସମ୍ଭବ ହେଲା। ଗଣତନ୍ତ୍ରର ଏହି ମହାଯଜ୍ଞକୁ ସଫଳତାର ସହିତ ପୂର୍ଣ୍ଣ କରିବା ପାଇଁ ଅର୍ଦ୍ଧ-ସାମରିକ ବାହିନୀର ପ୍ରାୟ ତିନି ଲକ୍ଷ ସୁରକ୍ଷାକର୍ମୀ ନିଜର ଦାୟିତ୍ୱ ନିର୍ବାହ କରିଥିବାବେଳେ ବିଭିନ୍ନ ରାଜ୍ୟର ୨୦ ଲକ୍ଷ ପୁଲିସ କର୍ମୀମାନେ ମଧ୍ୟ ପରିଶ୍ରମର ପରାକାଷ୍ଠା ପ୍ରଦର୍ଶନ କଲେ। ଏମାନଙ୍କ କଠିନ ପରିଶ୍ରମ ବଳରେ ହିଁ ଏଥର ଗତଥର ଅପେକ୍ଷା ଅଧିକ ମତଦାନ ହେଲା। ମତଦାନ ପାଇଁ ସମଗ୍ର ଦେଶରେ ପ୍ରାୟ ୧୦ ଲକ୍ଷ ଭୋଟ ଗ୍ରହଣ କେନ୍ଦ୍ର, ୪୦ ଲକ୍ଷରୁ ଅଧିକ ଇଭିଏମ୍, ୧୭ ଲକ୍ଷରୁ ଅଧିକ ଭିଭିପାଟ୍ ମେସିନ - କେତେ ବଡ଼ ଆୟୋଜନ - ଏହାର କଳ୍ପନା ଆପଣ କରିପାରୁଥିବେ। କୌଣସି ମତଦାତା ତା’ର ଅଧିକାରରୁ ବଂଚିତ ନ ହେଉ, ସେ କଥା ସୁନିଶ୍ଚିତ କରିବା ପାଇଁ ଏତେସବୁ ଆୟୋଜନ କରାଗଲା। ଅରୁଣାଚଳ ପ୍ରଦେଶର ଏକ ଦୁର୍ଗମ ଅଂଚଳରେ ମାତ୍ର ଜଣେ ମହିଳା ମତଦାତାଙ୍କ ପାଇଁ ଭୋଟ ଗ୍ରହଣ କେନ୍ଦ୍ର ଖୋଲାଗଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ନିର୍ବାଚନ ଆୟୋଗର କର୍ମଚାରୀମାନଙ୍କୁ ସେଠାକୁ ପହଂଚିବା ପାଇଁ ଦୁଇ ଦିନ ଯାତ୍ରା କରିବାକୁ ପଡ଼ିଲା। ଏହାହିଁ ତ ଗଣତନ୍ତ୍ରର ପ୍ରକୃତ ଗୌରବ। ବିଶ୍ୱରେ ସବୁଠାରୁ ଉଚ୍ଚ ସ୍ଥାନରେ ଥିବା ଭୋଟ ଗ୍ରହଣ କେନ୍ଦ୍ର ମଧ୍ୟ ଭାରତରେ ହିଁ ରହିଛି। ଏହି କେନ୍ଦ୍ର ହିମାଚଳ ପ୍ରଦେଶର ଲାହୋଲ-ସ୍ଫିତି କ୍ଷେତ୍ରରେ ୧୫,୦୦୦ ଫୁଟ ଉଚ୍ଚତାରେ ଅବସ୍ଥିତ। ଏହାଛଡ଼ା ଏହି ନିର୍ବାଚନରେ ଆଉ ଏକ ତଥ୍ୟ ରହିଛି ଯାହା ଆମକୁ ଗର୍ବରେ ପରିପୂର୍ଣ୍ଣ କରେ। ହୁଏତ, ଇତିହାସର ଏହା ପ୍ରଥମ ଘଟଣା ଯେ, ମହିଳାମାନେ ମଧ୍ୟ ପୁରୁଷମାନଙ୍କ ଭଳି ଉତ୍ସାହର ସହ ମତଦାନ କଲେ। ଏହି ନିର୍ବାଚନରେ ପୁରୁଷ ଏବଂ ମହିଳାମାନଙ୍କ ମତଦାନ ହାର ପ୍ରାୟ ସମାନ ଥିଲା। ଏହାସହ ଜଡ଼ିତ ଅନ୍ୟ ଏକ ଉତ୍ସାହବର୍ଦ୍ଧକ ତଥ୍ୟ ହେଲା - ଆଜି ସଂସଦରେ ରେକର୍ଡ ସଂଖ୍ୟକ ୭୮ ଜଣ ମହିଳା ସଦସ୍ୟା ଅଛନ୍ତି। ମୁଁ ନିର୍ବାଚନନ ଆୟୋଗକୁ ଏବଂ ନିର୍ବାଚନ ପ୍ରକ୍ରିୟା ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ଏବଂ ଭାରତର ସଚେତନ ନାଗରିକମାନଙ୍କୁ ପ୍ରଣାମ କରୁଛି। ମୋର ପ୍ରିୟ ଦେଶବାସୀଗଣ, ଆପଣମାନେ ଅନେକ ଥର ମୋ ମୁହଁରୁ ଶୁଣିଥିବେ ଯେ, ବୁକେ ନୁହେଁ ବୁକ୍‌। ମୁଁ ଅନୁରୋଧ କରିବାକୁ ଚାହୁଁଥିଲି ଯେ, ସ୍ୱାଗତ କରିବା ସମୟରେ ଆମେ ଫୁଲତୋଡ଼ା ବଦଳରେ ବହି ଦେଇପାରିବା କି? ସେହିଦିନୁ ଅନେକ ସ୍ଥାନରେ ଲୋକେ ବହି ଦେବା ଆରମ୍ଭ କରିଦେଇଛନ୍ତି। ମୋତେ ନିକଟ ଅତୀତରେ କେହି ଜଣେ ପ୍ରେମଚନ୍ଦ୍ କି ଲୋକ୍‌ପ୍ରିୟ କହାନିୟାଁ ପୁସ୍ତକ ଉପହାର ଦେଲେ। ମୋତେ ଖୁବ୍ ଭଲ ଲାଗିଲା। ଅବଶ୍ୟ ବେଶୀ ସମୟ ତ ମିଳିପାରିଲାନି, କିନ୍ତୁ ଯାତ୍ରା ସମୟରେ ମୋତେ ତାଙ୍କର କିଛି ଗଳ୍ପ ପୁଣିଥରେ ପଢ଼ିବାର ସୁଯୋଗ ମିଳିଗଲା। ପ୍ରେମଚନ୍ଦ ନିଜ କାହାଣୀଗୁଡ଼ିକରେ ସମାଜର ଯେଉଁ ନିଚ୍ଛକ ଛବି ଆଙ୍କିଛନ୍ତି, ପଢ଼ିବା ସମୟରେ ସେଗୁଡ଼ିକର ଚିତ୍ର ଆପେ ଆପେ ଆପଣଙ୍କ ମାନସପଟରେ ଆଙ୍କି ହୋଇଯାଏ। ସେ ଲେଖିଥିବା ପ୍ରତ୍ୟେକ କଥା ଜୀବନ୍ତ ହୋଇଉଠେ। ସରଳ ଭାଷାରେ ମାନବୀୟ ସମ୍ୱେଦନାକୁ ପ୍ରକାଶ କରୁଥିବା ତାଙ୍କ କାହାଣୀମାନ ମୋ ମନକୁ ମଧ୍ୟ ଛୁଇଁଗଲା। ତାଙ୍କ କାହାଣୀଗୁଡ଼ିକରେ ସମଗ୍ର ଭାରତର ମନୋଭାବ ସନ୍ନିହିତ ହୋଇ ରହିଛି। ମୁଁ ଯେତେବେଳେ ତାଙ୍କ ଲିଖିତ ନଶା ନାମକ କାହାଣୀ ପଢ଼ୁଥିଲି, ସେତେବେଳେ ମୋ ମନ ଆପେ ଆପେ ସମାଜରେ ପରିବ୍ୟାପ୍ତ ଆର୍ଥିକ ବୈଷମ୍ୟ ଆଡ଼କୁ ଚାଲିଗଲା। ମୋତେ ମୋର ଯୁବାବସ୍ଥାର ସେହି ଦିନଗୁଡ଼ିକ ମନେ ପଡ଼ିଗଲା ଯେତେବେଳେ ଏହି ବିଷୟକୁ ନେଇ ରାତିସାରା ଆଲୋଚନା ହେଉଥିଲା। ଜମିଦାରର ପୁଅ ଈଶ୍ୱରୀ ଆଉ ଗରିବ ପରିବାରର ବୀରର ଏହି କାହାଣୀ ଆମକୁ ଶିକ୍ଷା ଦେଇଥାଏ ଯେ, ଆମେ ଯଦି ସାବଧାନ ନ ରହିବା, ତା’ହେଲେ କୁସଙ୍ଗତିର ପ୍ରଭାବ କେତେବେଳେ ଆମକୁ କବଳିତ କରିଦେବ ତାହା ଜଣାପଡ଼ିବ ନାହିଁ। ଅନ୍ୟ ଏକ କାହାଣୀ ଯାହା ମୋ ହୃଦୟକୁ ଗଭୀର ଭାବେ ସ୍ପର୍ଶ କଲା ତାହା ଥିଲା ଈଦ୍‌ଗାହ। ଜଣେ ବାଳକର ସମ୍ୱେଦନଶୀଳତା, ନିଜର ବୁଢ଼ୀ ମା’ ପାଇଁ ତାର ନିଚ୍ଛକ ଆଦର, ଏତେ କମ୍ ବୟସରେ ଏତେ ପରିପକ୍ୱ ଭାବନା- ୪-୫ ବର୍ଷର ହମିଦ୍, ମେଳାରୁ ଚିମୁଟା କିଣି ନିଜ ବୁଢ଼ୀ ମା’ ପାଖରେ ପହଂଚିଛି, ସେତେବେଳେ ବାସ୍ତବରେ ମାନବୀୟ ସମ୍ୱେଦନା ଏହାର ଚରମ ସୀମାରେ ପହଂଚିଯାଉଛି। ଏହି କାହାଣୀର ଶେଷ ପଂକ୍ତି ଖୁବ ମନକୁ ଛୁଇଁଲା ପରି ହୋଇଛି, କାରଣ ସେଥିରେ ଜୀବନର ଗୋଟିଏ ବହୁତ ବଡ଼ ସତ୍ୟ ରହିଛି। ଛୋଟ ହମିଦ୍, ବୁଢ଼ା ହମିଦର ଚରିତ୍ର ନିବାର୍ହ କରିଥିବାବେଳେ ବୃଦ୍ଧା ଅମୀନା ବାଳିକା ଅମୀନା ପାଲଟିଯାଇଥିଲା। ଏହିଭଳି ଆଉ ଏକ ମାର୍ମିକ କାହାଣୀ ହେଉଛି ପୁସ୍ କି ରାତ(ପୌଷର ରାତି)। ଏହି କାହାଣୀରେ ଜଣେ ଗରିବ ଚାଷୀ ଜୀବନର ବିଡ଼ମ୍ୱନାର ଜୀବନ୍ତ ଚିତ୍ର ଦେଖିବାକୁ ମିଳିଲା। ନିଜ ଫସଲ ନଷ୍ଟ ହେବାପରେ ମଧ୍ୟ ଚାଷୀ ହଲ୍‌ଦୁ ଏଥିପାଇଁ ଖୁସି ଯେ, ଏବେ ତାକୁ ପ୍ରବଳ ଶୀତରେ ବିଲରେ ଶୋଇବାକୁ ପଡ଼ିବନି। ଯଦିଓ ଏହି କାହାଣୀଗୁଡ଼ିକ ପ୍ରାୟ ଶହେ ବର୍ଷ ପୂର୍ବର, କିନ୍ତୁ ଏଗୁଡ଼ିକର ପ୍ରାସଙ୍ଗିକତା ଆଜି ମଧ୍ୟ ସେତିକି ହିଁ ଅନୁଭୂତ ହେଉଛି। ଏଗୁଡ଼ିକୁ ପଢ଼ିବା ପରେ ମୋର ଗୋଟିଏ ଭିନ୍ନ ଅନୁଭୂତି ହେଲା। ପଠନ କଥା ଯେହେତୁ ଚାଲିଛି, ସେତେବେଳେ କହିବାକୁ ଚାହୁଁଛି ଯେ, କୌଣସି ଏକ ଗଣମାଧ୍ୟମରେ ମୁଁ କେରଳର ଅକ୍ଷରା ଲାଇବ୍ରେରୀ ସମ୍ପର୍କରେ ପଢ଼ୁଥିଲି। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଲାଇବ୍ରେରୀ ଇଡୁକ୍କିର ଘନ ଜଙ୍ଗଲ ମଧ୍ୟରେ ରହିଥିବା ଗୋଟିଏ ଗାଁରେ ଅଛି। ଏଠାକାର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପି.କେ. ମୁରଲୀଧରନ୍ ଏବଂ ଗୋଟିଏ ଛୋଟ ଚା’ ଦୋକାନ କରିଥିବା ପି.ଭି. ଚିନ୍ନାଥମ୍ପି, ଏମାନେ ଦୁହେଁ ଏହି ଲାଇବ୍ରେରୀ ପାଇଁ ଅଜସ୍ର ପରିଶ୍ରମ କରିଛନ୍ତି। ଥରେ ଏମିତି ବେଳ ପଡ଼ିଲା ଯେ, ବହିଗୁଡ଼ିକୁ ଗଣ୍ଠିଲିରେ ବାନ୍ଧି ପିଠିରେ ବୋହି ଏଠାକୁ ଆଣିବାକୁ ପଡ଼ିଥିଲା। ଆଜି ଏହି ଲାଇବ୍ରେରୀ ଆଦିବାସୀ ପିଲାମାନଙ୍କ ସହିତ ସମସ୍ତଙ୍କୁ ଗୋଟିଏ ନୂଆ ବାଟ ଦେଖାଉଛି। ଗୁଜରାଟରେ ୱାଁଚେ ଗୁଜରାତ ଅଭିଯାନ ଗୋଟିଏ ସଫଳ ପ୍ରୟୋଗ ଥିଲା। ଲକ୍ଷ ଲକ୍ଷ ସଂଖ୍ୟାରେ ସବୁ ବୟସର ବ୍ୟକ୍ତିମାନେ ପୁସ୍ତକ ପଠନର ଏହି ଅଭିଯାନରେ ଅଂଶଗ୍ରହଣ କରିଥିଲେ। ଆଜିର ଡିଜିଟାଲ ଦୁନିଆରେ, ଗୁଗଲ୍ ଗୁରୁଙ୍କ ସମୟରେ, କିଛି ସମୟ ବାହାର କରି ନିଜ ଦୈନନ୍ଦିନ ଜୀବନରେ ବହିକୁ ନିଶ୍ଚୟ ସ୍ଥାନ ଦେବା ପାଇଁ ମୁଁ ଆପଣମାନଙ୍କୁ ମଧ୍ୟ ଅନୁରୋଧ କରିବି। ଆପଣ ଏହାକୁ ନିଶ୍ଚୟ ଉପଭୋଗ କରିବେ। ଆଉ ଯେଉଁ ବହି ଆପଣ ପଢ଼ିଲେ, ସେ ସମ୍ପର୍କରେ ନରେନ୍ଦ୍ର ମୋଦୀ ଆପ୍‌ରେ ନିଶ୍ଚୟ ଲେଖନ୍ତୁ, ଯାହାଫଳରେ ସମସ୍ତ ଶ୍ରୋତା ମଧ୍ୟ ସେ ବିଷୟରେ ଜାଣିପାରିବେ। ମୋର ପ୍ରିୟ ଦେଶବାସୀଗଣ, ଏକଥା ଜାଣି ମୁଁ ଖୁସି ଯେ, ଆମ ଦେଶର ଲୋକେ ସେହି ପ୍ରସଙ୍ଗଗୁଡ଼ିକ ଉପରେ ଚିନ୍ତା କରୁଛନ୍ତି, ଯେଉଁଗୁଡ଼ିକ କେବଳ ବର୍ତ୍ତମାନ ନୁହେଁ ଭବିଷ୍ୟତରେ ମଧ୍ୟ ଆମ ପାଇଁ ଆହ୍ୱାନ। ମୁଁ ନରେନ୍ଦ୍ର ମୋଦୀ ଆପ୍ ଏବଂ ମାଇଁ ଗଭ୍‌ରେ ଆପଣମାନେ ଦେଇଥିବା କମେଂଟଗୁଡ଼ିକ ପଢ଼ୁଥିଲି। ଲକ୍ଷ୍ୟକଲି ଯେ ଜଳ ସମସ୍ୟାକୁ ନେଇ ଅନେକ ଲୋକ ବହୁତ କିଛି ଲେଖିଛନ୍ତି। ବେଲ୍‌ଗାଭିର ପବନ ଗୌରାଈ, ଭୁବନେଶ୍ୱରର ସୀତାଂଶୁ ମୋହନ ପରିଡ଼ାଙ୍କ ବ୍ୟତୀତ ଯଶ୍ ଶର୍ମା, ଶାହାବ୍ ଅଲ୍‌ତାଫ୍ ଏବଂ ଆହୁରି ଅନେକ ଲୋକ ଜଳ ସହିତ ଜଡ଼ିତ ଆହ୍ୱାନ ସମ୍ପର୍କରେ ଲେଖିଛନ୍ତି। ଜଳ ଆମ ସଂସ୍କୃତିରେ ଖୁବ ଗୁରୁତ୍ୱ ବହନ କରେ। ଋଗ୍‌ ବେଦର ଆପଃ ସୁକ୍ତମ୍ରେ ଜଳ ସମ୍ପର୍କରେ କୁହାଯାଇଛି ଯେ -ଆପୋ ହି ମୟୋ ଭୁବଃ, ସ୍ଥା ନ ଉର୍ଜେ ଦଧାତନ, ମହେ ରଣାୟ ଚକ୍ଷସେ, ୟୋ ବଃ ଶିବତମୋ ରସଃ, ତସ୍ୟ ଭାଜୟତେହ ନଃ, ଉଷତୀରିବ ମାତରଃ। ଅର୍ଥାତ, ଜଳ ହିଁ ଜୀବନଦାୟିନୀ ଶକ୍ତି, ଜଳ ହିଁ ଶକ୍ତିର ସ୍ରୋତ। ଆପଣ ମା’ ଭଳି ଅର୍ଥାତ ମାତୃବତ୍ ନିଜର ଆଶୀର୍ବାଦ ପ୍ରଦାନ କରନ୍ତୁ। ଆମ ଉପରେ ନିଜର କୃପାବୃଷ୍ଟି କରୁଥାନ୍ତୁ। ଜଳାଭାବରେ ପ୍ରତିବର୍ଷ ଦେଶର ଅନେକ ଅଂଚଳ ପ୍ରଭାବିତ ହୋଇଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବର୍ଷଯାକରେ ମିଳୁଥିବା ବୃଷ୍ଟିଜଳର ମାତ୍ର ୮ ପ୍ରତିଶତ ଆମ ଦେଶରେ ସଂଚିତ କରାଯାଇଥାଏ। କେବଳ ମାତ୍ର ୮ ପ୍ରତିଶତ। ଏବେ ଏହି ସମସ୍ୟାର ସମାଧାନର ବାଟ ବାହାର କରିବାର ବେଳ ଆସିଯାଇଛି। ଅନ୍ୟ ସମସ୍ୟାଗୁଡ଼ିକ ଭଳି ଜନସହଭାଗିତାରେ, ଜନଶକ୍ତି ବଳରେ, ଶହେ ତିରିଶ କୋଟି ଦେଶବାସୀଙ୍କ ସାମର୍ଥ୍ୟ, ସହଯୋଗ ଏବଂ ସଂକଳ୍ପ ମାଧ୍ୟମରେ ଏହି ସମସ୍ୟାର ସମାଧାନ ମଧ୍ୟ ହୋଇପାରିବ ବୋଲି ମୋର ବିଶ୍ୱାସ। ଜଳର ଗୁରୁତ୍ୱକୁ ସର୍ବୋପରି ରଖି ଦେଶରେ ନୂତନ ଜଳଶକ୍ତି ମନ୍ତ୍ରଣାଳୟ ସୃଷ୍ଟି କରାଯାଇଛି। ଯାହାଫଳରେ ଜଳ ସମ୍ପକୀର୍ୟ ସମସ୍ତ ବିଷୟ ଉପରେ ଶୀଘ୍ର ନିଷ୍ପତି ଗ୍ରହଣ କରାଯାଇପାରିବ। କିଛିଦିନ ପୂର୍ବେ ମୁଁ ଭିନ୍ନ କିଛି କରିବାକୁ ଚେଷ୍ଟା କଲି। ମୁଁ ସମଗ୍ର ଦେଶର ସରପଂଚ ଏବଂ ଗ୍ରାମ ପ୍ରଧାନମାନଙ୍କୁ ଚିଠି ଲେଖିଲି। ଗ୍ରାମ ପ୍ରଧାନମାନଙ୍କୁ ଲେଖିଲି ଜଳ ସଂଚୟ କରିବା ପାଇଁ, ବର୍ଷାଜଳର ପ୍ରତିଟି ବୁନ୍ଦାକୁ ସଂଗ୍ରହ କରିବା ପାଇଁ ସେମାନେ ଗ୍ରାମସଭାର ଆୟୋଜନ କରି, ଗାଁ ଲୋକଙ୍କ ସହିତ ମିଶି ଆଲୋଚନା କରନ୍ତୁ। ସେମାନେ ଏହି କାର୍ଯ୍ୟ ପାଇଁ ଖୁବ୍ ଉତ୍ସାହ ପ୍ରଦର୍ଶନ କରିଥିବାରୁ ମୁଁ ବେଶ୍ ଖୁସି। ଚଳିତ ମାସ ୨୨ ତାରିଖ ଦିନ ହଜାର ହଜାର ପଂଚାୟତରେ କୋଟି କୋଟି ଲୋକ ଶ୍ରମଦାନ କଲେ। ଗାଁ ଗାଁରେ ଲୋକେ ଜଳର ପ୍ରତ୍ୟେକ ବିନ୍ଦୁକୁ ସଂଚୟ କରିବାର ସଂକଳ୍ପ ଗ୍ରହଣ କଲେ। ଆଜି ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ମୁଁ ଆପଣଙ୍କୁ ଜଣେ ସରପଂଚଙ୍କ କଥା ଶୁଣାଇବାକୁ ଚାହୁଁଛି। ଶୁଣନ୍ତୁ ଝାଡ଼ଖଣ୍ଡର ହଜାରିବାଗ୍ ଜିଲ୍ଲାର କଟକ ମସାଣ୍ଡି ବ୍ଲକ୍‌ର ଲୁପୁଙ୍ଗ ପଂଚାୟତର ସରପଂଚ ଆମ ସମସ୍ତଙ୍କୁ କ’ଣ ବାର୍ତ୍ତା ଦେଇଛନ୍ତି : ମୋ ନାଁ ଦିଲିପ କୁମାର ରବିଦାସ। ଜଳ ସଂଚୟ କରିବା ପାଇଁ ଯେତେବେଳେ ପ୍ରଧାନମନ୍ତ୍ରୀ ଜୀ ଆମକୁ ଚିଠି ଲେଖିଲେ ସେତେବେଳେ ପ୍ରଧାନମନ୍ତ୍ରୀ ଆମକୁ ଚିଠି ଲେଖିଛନ୍ତି ବୋଲି ଆମର ବିଶ୍ୱାସ ହେଲାନି। ଆମେ ୨୨ ତାରିଖ ଦିନ ଗାଁ ଲୋକଙ୍କୁ ଏକାଠି କରି ପ୍ରଧାନମନ୍ତ୍ରୀଙ୍କ ଚିଠିଟିକୁ ପଢ଼ି ଶୁଣାଇବାରୁ ଗାଁ ଲୋକେ ବହୁତ ଉତ୍ସାହିତ ହେଲେ ଏବଂ ଜଳ ସଂଚୟ ପାଇଁ ପୋଖରୀ ସଫା ଓ ନୂଆ ପୋଖରୀ ଖୋଳିବା ପାଇଁ ଶ୍ରମଦାନ ମାଧ୍ୟମରେ ନିଜର ସହଭାଗିତା ନିର୍ବାହ କରିବା ପାଇଁ ପ୍ରସ୍ତୁତ ହୋଇଗଲେ। ବର୍ଷାଦିନ ପୂର୍ବରୁ ଏହି ଉପାୟ କଲେ ଭବିଷ୍ୟତରେ ଆମର ଜଳାଭାବର ସମସ୍ୟା ରହିବନି। ଭଲ ହେଲା, ଆମ ପ୍ରଧାନମନ୍ତ୍ରୀ ଠିକ୍ ସମୟରେ ଆମକୁ ସତର୍କ କରିଦେଲେ। ବିର୍ସା ମୁଣ୍ଡାଙ୍କ ଭୂମି। ପ୍ରକୃତି ସହ ତାଳମେଳ ରକ୍ଷା କରି ବଂଚିବା ସେଠାକାର ସଂସ୍କୃତିର ଏକ ଅଂଶ। ସେଠାକାର ଲୋକେ ପୁଣିଥରେ ଜଳ ସଂରକ୍ଷଣ ପାଇଁ ନିଜର ସକ୍ରିୟ ଭୂମିକା ନିର୍ବାହ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ସମସ୍ତ ଗ୍ରାମପ୍ରଧାନଙ୍କୁ, ସମସ୍ତ ସରପଂଚମାନଙ୍କୁ ସେମାନଙ୍କ ଏହି ସକ୍ରିୟତା ପାଇଁ ମୋ ତରଫରୁ ଅନେକ ଅନେକ ଶୁଭକାମନା ଜଣାଉଛି। ସମଗ୍ର ଦେଶରେ ଏଭଳି ଅନେକ ସରପଂଚ ଅଛନ୍ତି, ଯେଉଁମାନେ ଜଳ ସଂରକ୍ଷଣ ପାଇଁ ଅଂଟା ଭିଡ଼ିଛନ୍ତି। ପ୍ରକାରାନ୍ତରେ ଗାଁ ପାଇଁ ଏହା ଏକ ସୁଯୋଗ ପାଲଟିଛି। ଲାଗୁଛି, ଗାଁର ଲୋକେ ଏବେ ନିଜ ଗାଁରେ ସତେ ଯେମିତି ଜଳ ମନ୍ଦିର ନିମାର୍ଣର ପ୍ରତିଯୋଗିତାରେ ଲାଗି ପଡ଼ିଛନ୍ତି। ମୁଁ ଯେମିତି କହିଲି, ସମ୍ମିଳିତ ପ୍ରଚେଷ୍ଟା ଦ୍ୱାରା ବଡ଼ ସକାରାତ୍ମକ ପରିଣାମ ମିଳିପାରେ। ସାରାଦେଶରେ ଜଳ ସମସ୍ୟାର ସମାଧାନ ପାଇଁ ଗୋଟିଏ ଫର୍ମୁଲା ପ୍ରଯୁଜ୍ୟ ନ ହୋଇପାରେ। ଏଥିପାଇଁ ଦେଶର ବିଭିନ୍ନ ଅଂଚଳରେ ଭିନ୍ନ ଭିନ୍ନ ଉପାୟରେ ପ୍ରଚେଷ୍ଟା କରାଯାଉଛି। କିନ୍ତୁ ସମସ୍ତଙ୍କ ଲକ୍ଷ୍ୟ ଏକ, ତାହା ହେଉଛି ପାଣିକୁ ସଂଚୟ କରିବା, ଜଳ ସଂରକ୍ଷଣ କରିବା। ପଞ୍ଜାବରେ ନାଳଗୁଡ଼ିକର ମରାମତି କରାଯାଉଛି। ଏହି ପ୍ରଚେଷ୍ଟା ଦ୍ୱାରା ୱାଟର୍ ଲଗିଂ ସମସ୍ୟାରୁ ମୁକ୍ତି ମିଳୁଛି। ତେଲଙ୍ଗାନାର ଥିମାଇପଲ୍ଲୀରେ ଟାଙ୍କି ନିର୍ମାଣ ଫଳରେ ଲୋକଙ୍କ ଜୀବନରେ ପରିବର୍ତ୍ତନ ହୋଇଛି। ରାଜସ୍ଥାନର କବୀରଧାମ୍‌ରେ ଚାଷଜମିରେ ନିର୍ମାଣ କରାଯାଇଥିବା ଛୋଟ ପୋଖରୀଗୁଡ଼ିକ ଦ୍ୱାରା ଏକ ବଡ଼ ଧରଣର ପରିବର୍ତ୍ତନ ଆସିଛି। ମୁଁ ତାମିଲନାଡ଼ୁର ଭେଲ୍ଲୋର୍‌ରେ କରାଯାଇଥିବା ଏକ ଗୋଷ୍ଠୀ ଉଦ୍ୟମ ସମ୍ପର୍କରେ ପଢ଼ୁଥିଲି, ଯେଉଁଠି ନାଗ ନଦୀକୁ ପୁନର୍ଜୀବିତ କରିବା ପାଇଁ ୨୦ ହଜାର ମହିଳା ଏକାଠି ହେଲେ। ମୁଁ ଗଢ଼ୱାଲ୍‌ର ସେହି ମହିଳାମାନଙ୍କ ବିଷୟରେ ବି ପଢ଼ିଛି, ଯେଉଁମାନେ ପରସ୍ପର ମିଶି ବର୍ଷାଜଳ ସଂରକ୍ଷଣ ପାଇଁ ଖୁବ ଭଲ କାମ କରୁଛନ୍ତି। ଏଇଭଳି ଅନେକ କାମ କରାଯାଉଛି ବୋଲି ମୋର ବିଶ୍ୱାସ। ଆମେ ଏକାଠି ହୋଇ ଦୃଢ଼ତାର ସହ ଚେଷ୍ଟା କଲେ ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରିବା। ଜଣେ ଜଣେ ଏକାଠି ହେଲେ ଜଳ ସଂଚୟ ହୋଇପାରିବ। ଆଜିର ‘ମନ୍ କି ବାତ୍’ ମାଧ୍ୟମରେ ମୁଁ ଦେଶବାସୀଙ୍କୁ ତିନୋଟି ଅନୁରୋଧ କରୁଛି। ମୋର ପ୍ରଥମ ଅନୁରୋଧ ହେଉଛି ଦେଶବାସୀ ଯେମିତି ସ୍ୱଚ୍ଛତାକୁ ଗୋଟିଏ ଜନ ଆନ୍ଦୋଳନର ରୂପ ଦେଇଛନ୍ତି, ଆସନ୍ତୁ, ଠିକ୍ ସେହିଭଳି ଜଳ ସଂରକ୍ଷଣ ପାଇଁ ମଧ୍ୟ ଗୋଟିଏ ଜନ ଆନ୍ଦୋଳନ ଆରମ୍ଭ କରିବା। ଆମେ ସମସ୍ତେ ମିଶି ପାଣିର ପ୍ରତିଟି ବିନ୍ଦୁକୁ ସଂଚୟ କରିବାର ସଂକଳ୍ପ ଗ୍ରହଣ କରିବା। ଜଳ ପରମେଶ୍ୱରଙ୍କ ପ୍ରଦତ ପ୍ରସାଦ, ଜଳ ପରଶମଣିର ରୂପ ବୋଲି ମୋର ବିଶ୍ୱାସ। ପୂର୍ବେ କୁହାଯାଉଥିଲା ଯେ, ପରଶମଣିର ସ୍ପର୍ଶରେ ଲୁହା ସୁନା ପାଲଟିଯାଏ। ମୁଁ କହୁଛି ଯେ, ପାଣି ପରଶମଣି, ପାଣିର ସ୍ପର୍ଶରେ ନବଜୀବନ ସୃଷ୍ଟି ହୋଇଯାଏ। ପାଣିର ପ୍ରତିଟି ବିନ୍ଦୁକୁ ସଂଚୟ କରିବା ପାଇଁ ଗୋଟିଏ ସଚେତନତା ଅଭିଯାନ ଆରମ୍ଭ କରିବା। ଏଥିରେ ଜଳ ସମ୍ପର୍କିତ ସମସ୍ୟା ବିଷୟରେ ଜଣାଇବା ସହ ଜଳ ସଂଚୟର ଉପାୟଗୁଡ଼ିକ ସମ୍ପର୍କରେ ପ୍ରଚାର ପ୍ରସାର କରିବା। ମୁଁ ବିଶେଷକରି ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ବ୍ୟକ୍ତିମାନଙ୍କୁ ଜଳ ସଂରକ୍ଷଣ ପାଇଁ ଇନୋଭେଟିଭ୍ କ୍ୟାମ୍ପେନ୍‌ର ନେତୃତ୍ୱ ନେବାପାଇଁ ଅନୁରୋଧ କରୁଛି। ଚଳଚ୍ଚିତ୍ର ଜଗତ ହେଉ, କ୍ରୀଡ଼ା ଜଗତ ହେଉ, ଗଣମାଧ୍ୟମର ଆମର ବନ୍ଧୁମାନେ ହୁଅନ୍ତୁ, ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ଲୋକ ହୁଅନ୍ତୁ, ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ଲୋକ ହୁଅନ୍ତୁ, ପ୍ରବଚନ-କୀର୍ତ୍ତନ ଦଳ ହୁଅନ୍ତୁ, ପ୍ରତ୍ୟେକ ନିଜ ନିଜ ଢଙ୍ଗରେ ଏହି ଆନ୍ଦୋଳନର ନେତୃତ୍ୱ ନିଅନ୍ତୁ। ସମାଜକୁ ସଚେତନ କରିବା, ସମାଜକୁ ଏକାଠି କରିବା, ସମାଜ ସହ ଲାଗିପଡ଼ିବା। ଆପଣ ଲକ୍ଷ୍ୟ କରିବେ, ନିଜ ଆଖି ସାମ୍ନାରେ ପରିବର୍ତ୍ତନ ଦେଖାଯିବ। ଦେଶବାସୀଙ୍କୁ ମୋର ଦ୍ୱିତୀୟ ଅନୁରୋଧ ହେଲା ଯେ, ଆମ ଦେଶରେ ଜଳ ସଂରକ୍ଷଣ ପାଇଁ ଶହ ଶହ ବର୍ଷ ଧରି ଅନେକ ପାରମ୍ପରିକ ଉପାୟ ଅବଲମ୍ୱନ କରାଯାଉଛି। ସେହି ପାରମ୍ପରିକ ଜଳ ସଂରକ୍ଷଣର ଉପାୟଗୁଡ଼ିକୁ ସେୟାର କରିବା ପାଇଁ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି। ଯଦି ଆପଣମାନଙ୍କ ଭିତରୁ କେହି ପୂଜ୍ୟ ବାପୁଙ୍କ ଜନ୍ମସ୍ଥାନ ପୋରବନ୍ଦର ଯିବାର ସୁଯୋଗ ପାଇଥିବେ, ତା’ହେଲେ ଦେଖିଥିବେ ଯେ, ପୂଜ୍ୟ ବାପୁଙ୍କ ଘର ପଛପଟେ ଅନ୍ୟ ଏକ ଘର ରହିଛି। ସେଠାରେ ୨୦୦ ବର୍ଷ ପୁରୁଣା ପାଣି ଟାଙ୍କି (ୱାଟର୍ ଷ୍ଟୋରେଜ୍ ଟ୍ୟାଙ୍କ୍) ରହିଛି। ଆଜି ମଧ୍ୟ ସେଥିରେ ପାଣି ଅଛି ଏବଂ ବର୍ଷାଜଳକୁ ଅଟକାଇବାର ବ୍ୟବସ୍ଥା ରହିଛି। ତେଣୁ ମୁଁ ସବୁବେଳେ କହିଆସିଛି ଯେ, ଯିଏ ବି ପୋରବନ୍ଦରର କିର୍ତ୍ତୀ ମନ୍ଦିର ଦେଖିବାକୁ ଯାଉଛନ୍ତି, ସେମାନେ ସେହି ପାଣି ଟାଙ୍କିକୁ ନିଶ୍ଚୟ ଦେଖନ୍ତୁ। ଏଭଳି ଅନେକ ପ୍ରୟୋଗ ବହୁତ ଜାଗାରେ ରହିଥିବ। ଆପଣ ସମସ୍ତଙ୍କୁ ମୋର ତୃତୀୟ ଅନୁରୋଧ। ଜଳ ସଂରକ୍ଷଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଥିବା ବ୍ୟକ୍ତି, େସ୍ୱଚ୍ଛାସେବୀ ସଂଗଠନ ଏବଂ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସମ୍ପର୍କରେ ଯାହା ସୂଚନା ଆପଣଙ୍କ ପାଖରେ ରହିଛି ତାହାକୁ ଶେୟାର କରନ୍ତୁ, ଯାହାଫଳରେ ଏଭଳି ସଂଗଠନ ବା ବ୍ୟକ୍ତିମାନଙ୍କର ଗୋଟିଏ ଡାଟାବେସ୍ ପ୍ରସ୍ତୁତ କରାଯାଇପାରିବ। ଆସନ୍ତୁ, ଆମେ ଜଳ ସଂରକ୍ଷଣ ସମ୍ପର୍କିତ ଅଧିକରୁ ଅଧିକ ଉପାୟର ଗୋଟିଏ ତାଲିକା ପ୍ରସ୍ତୁତ କରି ଲୋକଙ୍କୁ ଜଳ ସଂରକ୍ଷଣ କରିବା ପାଇଁ ପ୍ରେରିତ କରିବା। ଅନ୍ୟ ଗୋଟିଏ କଥା ପାଇଁ ମଧ୍ୟ ମୁଁ ଆପଣମାନଙ୍କ ପ୍ରତି ଏବଂ ବିଶ୍ୱବାସୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବାକୁ ଚାହୁଁଛି। ଜୁନ ୨୧ ତାରିଖ ଦିନ ପୁଣି ଥରେ ଯୋଗଦିବସରେ ଯେଉଁ ସକ୍ରିୟତା ସହକାରେ, ଉତ୍ସାହର ସହିତ ଗୋଟିଏ ଗୋଟିଏ ପରିବାରର ତିନି ତିନି, ଚାରି ଚାରି ପୀଢ଼ି ଏକାଠି ମିଶି ଯୋଗଦିବସ ପାଳନ କଲେ, ଏହାଦ୍ୱାରା ସଚେତନତା ସୃଷ୍ଟି ହୋଇଛି, ଯୋଗର ମାହାତ୍ମ୍ୟ ବଢ଼ିଚାଲିଛି। ବିଶ୍ୱର କୋଣ ଅନୁକୋଣରେ କେହି ସୂର୍ଯ୍ୟୋଦୟରେ ଯୋଗ ସହ ଦିନକୁ ସ୍ୱାଗତ ଜଣାଉଛି ତ କେହି ସୂର୍ଯ୍ୟାସ୍ତରେ ଯୋଗ ସହ ଦିନକୁ ସମାପ୍ତ କରୁଛି। ଯୋଗ ଏତେ ପରିବ୍ୟାପ୍ତ ହୋଇଛି ଯେ ଏଭଳି କୌଣସି ସ୍ଥାନ କିମ୍ୱା ମଣିଷ ନ ଥିବ ଯିଏ ଯୋଗ ସହିତ ଯୋଡ଼ି ହୋଇନଥିବ। ବିଶ୍ୱରେ ହିମାଳୟଠାରୁ ହିନ୍ଦ୍ ମହାସାଗର ପର୍ଯ୍ୟନ୍ତ, ସିଆଚୀନ୍‌ଠାରୁ ସବ୍‌ମେରିନ୍‌ ପର୍ଯ୍ୟନ୍ତ, ଏୟାରଫୋର୍ସଠାରୁ ଆରମ୍ଭ କରି ଏୟାର୍‌କ୍ରାଫ୍ଟ କ୍ୟାରିୟର ପର୍ଯ୍ୟନ୍ତ, ଏୟାର କଂଡିସନ ଜିମଠାରୁ ଉତ୍ତପ୍ତ ମରୁଭୂମି ପର୍ଯ୍ୟନ୍ତ, ଗାଁଠାରୁ ସହର ଯାଏ ଯେଉଁଠି ବି ସମ୍ଭବ, ଏଭଳି ସବୁ ସ୍ଥାନରେ କେବଳ ଯୋଗାଭ୍ୟାସ କରାଗଲା ତା’ ନୁହେଁ, ବରଂ ଏହାକୁ ସାମୂହିକ ରୂପରେ ମଧ୍ୟ କରାଗଲା।