ଗୋଟିଏ ଆଖି ସହ ଅନ୍ତରଙ୍ଗ ଆଳାପ

Jun 28, 2020 - 03:54
 1497
ଗୋଟିଏ ଆଖି ସହ ଅନ୍ତରଙ୍ଗ ଆଳାପ
ଦେବେନ୍ଦ୍ର ପୃଷ୍ଟି ତମେ ମତେ ଦେଖୁଥାଅ, ମୁଁ ତମକୁ ଦେଖୁଥାଏ ଅନନ୍ତ କାଳ ଯାଏଁ, ଆମେ ଦୁହେଁ ଦେଖୁଥିବା ଆକାଶର ଅସୀମତା, ସମୁଦ୍ରର ବିଶାଳତା ପାଇ ନପାଇବା ଦୁଃଖ, ନପାଇ ବି ପାଇବାର ଖୁସି ଏକାକାର ହେଉଥିବ ସବୁ ସେଠି ସେ ଆଖିର ଗୀତ, ଗପ, ଛାନ୍ଦ ଓ ଚୌପଦୀ। ସଂଜ୍ଞାହୀନ ସଂପର୍କର ସଂଯମତା ବାଡ଼ ଡେଇଁ ଉଠିବ ଲହଡ଼ି ଯେବେ ସମୁଦ୍ରରେ ଆକାଶ ଛୁଇଁବ ସ୍ୱପ୍ନ, ଆଶାସବୁ ଧାଡ଼ିବାନ୍ଧି ମଶାଣିକୁ ଯିବେ ଅବା ଝଡ଼ିଥିବା ଶେଫାଳିର ପରସ୍ତ ଉପରେ ଶୋଇ ବାସ୍ତବତା ଅଳସ ଭାଙ୍ଗିବ, ତମେ ଜାଣ, ଜାଣେ ତମ ଆଖି। ଜନାକୀର୍ଣ୍ଣ ସହରର ଉଦାସୀନ ଗଳି ଓ ମୋଡ଼ରେ ବୁଲିବୁଲି କ୍ଳାନ୍ତ ଏଇ ଜୀବନର ଗତି, ନିଷ୍ଠୁର ସ୍ୱାର୍ଥ ଓ ବ୍ୟସ୍ତତାର ପ୍ରଦୂଷଣ ଭାରରେ ଆକ୍ରାନ୍ତ ଏଇ ପବନର ସ୍ଫୂର୍ତ୍ତି, ଜୀବନ ଜ୍ୱାଳାରେ ଜଳୁଥିବା ମନ ସହ ଯଦି ଦୈବାତ ଭେଟ ହୁଏ ପ୍ରେମ କେଉଁ ଅଫିସ ବାରଣ୍ଡାରେ ଅବା ବିଜ୍ଞାପନ ବୋଲି ଏବଂ ଦରଦସ୍ତୁର କୋଳାହଳ ଉଛୁଳାପିଛୁଳା କେଉଁ ପରିବା ହାଟରେ କିମ୍ବା ଷ୍ଟେସନାରୀ ଶପ୍‌ରେ, ପୁନର୍ଜନ୍ମ ପାଏ ଏବଂ ଆଉ ଥରେ ବଢ଼ୁଆଳ ଯୁଆନ ହେବାକୁ ଚାହେଁ- କି କଥା କହିବ ଛାତି, ବୁଝି କି ପାରିବ ବୁକୁ, ତମେ ଜାଣ, ଜାଣେ ତମ ଆଖି। ପୃଥିବୀର ପରିବ୍ୟାପ୍ତି ସ୍ତର ସ୍ତର ପ୍ରସ୍ତର ଚଟାଣ ଭେଦି ଉଠିଛି ଯେ ଫୁଲଗଛ ଫୁଟିଛି ଆନନ୍ଦ, ବାଣ୍ଟି ବାସ୍ନା ଓ ବାସନା। ଆଉ ଶହଶହ ଇଚ୍ଛାଙ୍କର ଜାକ୍‌ଯମକ ଜୁଲୁସ୍‌ ଲମ୍ବିଛି ଆମ ଏଇ ଶରୀରରୁ ଆତ୍ମାର ଆବାସ ଯାଏଁ। ମାଟିରୁ ଆକାଶ ଓ ଆକାଶରୁ ମାଟି ଗୋଟିଏ ବିନ୍ଦୁରେ ସବୁ ଏକାକାର- ସେଇ ସ୍ୱର୍ଗ, ସେଇ ବି ସମାଧି, ମମତାର ମଧୁଝରା ଜୀବନର ସିଦ୍ଧି। ଫୋ- ୯୪୩୭୦୩୬୨୭୬