କୋଣାର୍କ

Sep 5, 2019 - 21:07
 2524
କୋଣାର୍କ
ସଚ୍ଚିଦାନନ୍ଦ ରାଉତରାୟ ତୁମେ ଦେଖିଅଛ ଶିଳାରେ ତା’ର ତ ରମ୍ୟ କଳାର ରୂପ, ମୁଁ ଦେଖିଚି ତହିଁ କୋଟି କଙ୍କାଳ ଭଗ୍ନ ବୁକୁର ସ୍ତୁପ। ତୁମେ ଦେଖିଅଛି ଫୁଟିଚି କିପରି କଳାର କାଉଁରୀ ଲାଗି, ରାତ୍ରିର କଳା ଯବନିକା ପରେ ସ୍ୱର୍ଣ୍ଣ ଉଷାର ଛବି। ଦେଖିଚ କିପରି କବିତା ଫୁଟିଚି ପାଷାଣର ମୂକ ଦେହେ, ତନ୍ଦ୍ରାମଗନ ଅଳସ ସପନେ ବୁଡ଼ିଚି ନିବିଡ଼ ସ୍ନେହେ। ତୁମେ ଚାଖିଅଛ ରସର ଝର୍ଣ୍ଣା ଚାରୁ ମନ୍ଦିର ତଳେ, ଗଣ୍ଡୁଷ ଭରି ପିଇଚ ପୀୟୂଷ ନିଭାଇ ତୃଷ୍ଣାନଳେ। ମୁଁ ଫେରଚି ହାୟ ଦୀନ ବେରସିକ ତାହାରି ସିଂହଦ୍ୱାରୁ, ପୁଞ୍ଜିତ ବ୍ୟଥା ଅବସାଦ ଗୁରୁ ବଳିଅଛି ହୃଦଭାରୁ। ମୂଲିଆର ଆଖି ନେଇ- ମୁଁ ଦେଖିଚି ସେଇ ମନ୍ଦିର ରୂପ ବ୍ୟଥାର ଆରତୀ ଦେଇ। ମୁଁ ଦେଖିଚି ସେଇ ଶିଳାର କବରେ କେତେ କାରିଗର ଛାତି, ତିଳେ ତିଳେ ହାୟ ଲଭିଲା ସମାଧି ସହିଲା କଷଣ ତାତି। କେତେ ମଜଦୁର ଗର୍ଦ୍ଦଭ ପରି ବହି ବହି ଶିଳାଭାର, ବଙ୍କା କଲେଟି ନିଜ ମେରୁହାଡ଼ ହିସାବ କି ଅଛି ତା’ର? କେତେ ଯେ ବଟାଳି, ନିହାଣ, ମୁଗୁର ରଜାର ହୁକୁମ ମାନି, କଳା ମୁଗୁନିର ଦିହରୁ ରକତ ପୋଷ ପୋଷ କଲା ପାଣି। କେତେ ଯେ ବଢ଼େଇ, ମିସ୍ତ୍ରୀ, କମାର ଶୋଣିତ ଗଲାରେ ମିଳି, ସାଗରର ଲୁଣି ପାଣି ସେ କଥାକୁ ଲୁଣ ପରି ଦେଲା ଗିଳି। ଦେଖିଲା ଜଗତ ବିରାଟ ଦେଉଳ ଘୋଷିଲା ରଜାର ଜୟ, ପଣ୍ଡିତ କହେ ଦେଶର କୁଆଡ଼େ ଲେଖା ଏଥି ପରିଚୟ! କେ ରସିକ କହେ, ସୁନ୍ଦରୀ ନଟୀ ଲୀଳାୟିତ ନୀବୀବନ୍ଧ, ସ୍ୱତଃ ଶ୍ଳଥ ତା’ର କାଞ୍ଚୁଲି ତଳେ ପଦ୍ମ କୋରକ ଛନ୍ଦ। କିଏ ଦେଖେ ନାଗକନ୍ୟାର ଗଳେ ରତି-ଚ୍ୟୁତ ବନମାଳା, ଯକ୍ଷବଧୂର କବରୀରେ କିଏ ଶତ ରାତ୍ରିର ଜ୍ୱାଳା- ଅନୁଭବେ ନିରନ୍ତର, ଜାଣିବାକୁ କିଏ ଲୋଡ଼ିଚି କି କେବେ ଇତିହାସ ମଣିଷର? ପଚାରିନି କିଏ କେତେ ଯେ ଜୀବନ ସେ ଲାଗି ହୋଇଛି କ୍ଷୟ, କେତେ ବା ବାରିସି, କରତ, କୁଠାର ଲଭିଅଛି ପରାଜୟ? କେତେ କ୍ଷୁଧାତୁର ମଣିଷ ଖାଇଚି କ୍ଷୁଧାରେ ସେ ଦିନ ମାଟି, ରମ୍ୟ କଳାର ଦରବାରେ ତା’ର କିଛି ନାହିଁ ପରିପାଟୀ। ନାଇଁ ତା’ ଚରଣ ଲିପି, ଶିଳ୍ପ ରହିଚି ନାଇଁ ନାଇଁ ସେଠି କଳାକାର ବା ଶିଳ୍ପୀ। ଧନ୍ୟ ଆମର ଶିଳ୍ପ ଚାତୁରୀ, ଧନ୍ୟ ଲଳିତ କଳା! ରଜାର ସୁନାମ ପ୍ରଚାରର ଲାଗି କୋଟି ବୁକେ ବାଜେ ଶଳା। ଅମର ହୋଇବ କାଳର କବଳେ ଯେଣୁ ଜଣକର ନାମ, ଲକ୍ଷ ବେନାମି ଜୀବନରେ ତେଣୁ ଗଢ଼ା ହେଲା ଶମଶାନ। ଏ ଭାବପ୍ରବଣ ଜାତି, ଏବେ ବି ଗରବେ ଚାହିଁ ତା’ କବରେ ଫୁଲାଏ ଆପଣା ଛାତି। କୋଟି କୋଟି ବିଶୁ ମହାରଣା ପୁଣି ଶିବେଇ ସାମନ୍ତ କେତେ, ଏଇ ମନ୍ଦିର ତଳେ ଶୋଇଛନ୍ତି କଳାର ଫସଲ ଖେତେ। ଗଢ଼ିବାକୁ ଏଇ ମନ୍ଦିର କଲା ଶ୍ରମିକ ରକ୍ତଦାନ, କୃଷକ ଦେଲା ତା କନକ ଶସ୍ୟ ରାଜକୋଷେ ଅକଳନ। ଅଥଚ କଳାର ଦରବାରେ ନାଇଁ ତାଙ୍କ ବ୍ୟଥାର ସ୍ଥାନ, ହାସ୍ୟ ବା ଲୁହ ଅଥବା କେଉଁଠି ଶସ୍ୟକଟାର ଗାନ। ତୋରଣେ ତୋରଣେ ନନ୍ଦନ ଶିରୀ ଯକ୍ଷ-ପୁରୀର ଲତା, କେଉଁଠି କି ଅଛି ମାଟିର ଶସ୍ୟ ଧାନର ବିଜୁଳିଛଟା? ଆଭିଜାତ୍ୟର ବରାଦରେ ସେଠି ସାଆନ୍ତିଆ ରୁଚି ଛାଞ୍ଚେ, ନଗ୍ନ ନଟୀର ନଧର ଚରଣ ଚପଳ ଛନ୍ଦେ ନାଚେ। ସେଠି ଅଛି ଖାଲି ଫୁଲର ଫସଲ ସପନର ନୀଳ ଢେଉ, ହୀରାର ସୂର୍ଯ୍ୟ ପାହାନ୍ତି ପହରେ ପ୍ରଣାମ ତା’ ନେଉ ନେଉ, କହିଯାଏ ଧରା କାନେ- ଜୀବନର ଯେତେ କ୍ଷତ, ଅପମାନ ଗାଇ ନାଇଁ କିଏ ଗାନେ? ରମ୍ୟ କଳାର ଲୀଳା, କିଛି ତ କହିନି ମଣିଷର କଥା କହିବାର ଯାହା ଥିଲା?