କେବେ ଓ କେଉଁଠି ହୋଇଥିଲା ଶୁଦ୍ର ଓ ଦଳିତଙ୍କ ମନ୍ଦିର ପ୍ରବେଶ ସତ୍ୟାଗ୍ରହ?

May 8, 2024 - 02:04
 50
କେବେ ଓ କେଉଁଠି ହୋଇଥିଲା ଶୁଦ୍ର ଓ ଦଳିତଙ୍କ ମନ୍ଦିର ପ୍ରବେଶ ସତ୍ୟାଗ୍ରହ?
ଭାଲଚନ୍ଦ୍ର ଷଡ଼ଙ୍ଗୀ ଅସ୍ପୃଶ୍ୟତା ଓ ଜାତିଗତ କ୍ରୁରତା ବିରୁଦ୍ଧରେ ଆଜିକୁ ପ୍ରାୟ ଶହେ ବର୍ଷ ତଳେ ତାମିଲଡ଼ାଡ଼ୁ ସୀମାନ୍ତରେ ଥିବା କେରଳର କୋଟାୟମ୍ ଜିଲ୍ଲାରେ ଅବସ୍ଥିତ ଭାଇକମ୍ ଠାରେ ଏକ ଐତିହାସିକ ସତ୍ୟାଗ୍ରହ ସଂଗଠିତ ହୋଇଥିଲା। ଅସବର୍ଣ୍ଣଙ୍କ ମନ୍ଦିର ପ୍ରବେଶର ଅଧିକାର ଦାବିରେ ଆରମ୍ଭ ହୋଇଥିବା ଏହି ପ୍ରତିବାଦ ଆନ୍ଦୋଳନ ଦେଶର ସାମାଜିକ ସଂସ୍କାର ଆନ୍ଦୋଳନର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା। ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ଏହି ଆନ୍ଦୋଳନ ଶେଷରେ ସଫଳ ହୋଇଥିଲା। ଶହ ଶହ ବର୍ଷ ଧରି ଭାଇକମ୍ ମନ୍ଦିର ଓ ତା’ର ଚାରିପାଶ୍ୱର୍ରେ ରହିଥିବା ରାସ୍ତାରେ ପ୍ରବେଶ କରିବାରୁ ବଂଚିତ ଅସବର୍ଣ୍ଣ ଲୋକମାନେ ପ୍ରଥମ ଥର ପାଇଁ ସେଠାରେ ପ୍ରବେଶ ଅଧିକାର ପାଇଥିଲେ। ଏହି ଆନ୍ଦୋଳନର ସଫଳତାର ପ୍ରଭାବ ପରବର୍ତ୍ତୀ ସମୟରେ ଉଭୟ ତାମିଲନାଡ଼ୁ ଓ କେରଳର ସମାଜରେ ଦେଖିବାକୁ ମିଳିଥିଲା। ଏହି ଆନ୍ଦୋଳନ ଦ୍ୱାରା ପ୍ରଭାବିତ ହୋଇ ସେଠାକାର ଅସବର୍ଣ୍ଣ ଓ ଦଳିତ ଲୋକେ ପରେ ଉଭୟ ରାଜ୍ୟର ମନ୍ଦିରମାନଙ୍କରେ ପ୍ରବେଶ ଆନ୍ଦୋଳନ ସଂଗଠିତ କରିଥିଲେ ଏବଂ ବର୍ଷ ବର୍ଷ ଧରି ଅନେକ ସର୍ବସାଧାରଣ ରାସ୍ତାରେ ଚାଲିବାର ଅଧିକାରରୁ ବଂଚିତ ଲୋକେ ନିଜର ଅଧିକାର ହାସଲ କରିବାରେ ସକ୍ଷମ ହୋଇପାରିଥିଲେ। ଭାଇକମ୍‌ର ଐତିହାସିକ ସତ୍ୟାଗ୍ରହ ଏପରି ଏକ ସମୟରେ ଆୟୋଜିତ ହୋଇଥିଲା, ଯେତେବେଳେ କେରଳରେ ଜାତିଗତ ଭେଦଭାବ ଓ ହିଂସା ଚରମ ଅବସ୍ଥାରେ ଥିଲା। ଭାରତର ଅନ୍ୟ ରାଜ୍ୟମାନଙ୍କ ପରି କେରଳର ସଂଖ୍ୟାଗରିଷ୍ଠ ଜନତା ଭୟଙ୍କର ଅସ୍ପୃଶ୍ୟତାର ଶିକାର ହେଉଥିଲେ। ଏପରିକି ବ୍ରାହ୍ମଣମାନଙ୍କ ମଧ୍ୟରେ ରହିଥିବା ବିଭିନ୍ନ ଉପଜାତିର ଲୋକଙ୍କ ମଧ୍ୟରେ ମଧ୍ୟ ଅସ୍ପୃଶ୍ୟତା ରହିଥିଲା। ବ୍ରାହ୍ମଣମାନେ ସେଠାକାର ଅନ୍ୟତମ ଉଚ୍ଚଜାତି ରୂପେ ପରିଚିତ ନାୟାରମାନଙ୍କୁ ଛୁଉଁ ନଥିଲେ। ନାୟାରମାନେ ଶୁଦ୍ର କୁହାଯାଉଥିବା ଇଜାଭାମାନଙ୍କୁ ଛୁଉଁ ନଥିଲେ। ଯଦି ଜଣେ ଇଜାଭା ସମ୍ପ୍ରଦାୟର ଲୋକ କୌଣସି ନାୟାରକୁ ଦେଖୁଥିଲା, ତାହେଲେ ସେ ତା’ଠାରୁ ଚାରିଫୁଟ ଦୂରରେ ଠିଆହେବାକୁ ପଡ଼ୁଥିଲା। ସେହିପରି ଆହୁରି ନୀଚ ବା ଦଳିତ ଜାତି ରୂପେ ପରିଚିତ ପୁଲେୟା ସମ୍ପ୍ରଦାୟର କୌଣସି ବ୍ୟକ୍ତି ଯଦି ଇଜାଭା ସମ୍ପ୍ରଦାୟର କାହାକୁ ଦେଖୁଥିଲା ତାହେଲେ ତାକୁ ବି କମ୍ ସେ କମ୍ ଚାରି ଫୁଟ ଦୂରତାରେ ଠିଆ ହେବାକୁ ପଡ଼ୁଥିଲା। ନାୟାଡ଼ିସ୍ ପରି ଅସ୍ପୃଶ୍ୟ କୁହାଯାଉଥିବା ଜାତିର ଲୋକଙ୍କୁ ତ ଦେଖିବା ହିଁ ଅଶୁଭ ବା ପାପ ବୋଲି ଧରାଯାଉଥିଲା। ସେହି ସମ୍ପ୍ରଦାୟର କେହି ଯଦି ଭୁଲବଶତଃ କୌଣସି ଉଚ୍ଚଜାତିର ଲୋକର ଦୃଷ୍ଟିଗୋଚର ହେଉଥିଲା ତାହେଲେ ତାକୁ ଅଶୁଭ ଭାବି ତା’ରି ଉପରେ ଅକଥନୀୟ ଅତ୍ୟାଚାର କରାଯାଉଥିଲା। କେରଳରେ ସେତେବେଳେ ଜାତିବାଦ ଓ ଅସ୍ପୃଶ୍ୟତା କେତେ ଭୟଙ୍କର ଥିଲା, ତାହା ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ଅନୁଭୂତିରୁ ଜଣାପଡ଼େ। ୧୮୯୨ ମସିହାରେ ତିରୁବନନ୍ତପୁରମ୍ ମହାରାଜାଙ୍କ ଅତିଥି ଭାବେ ନିମନ୍ତ୍ରିତ ହୋଇ ସେ କେରଳ ଯାଇଥିବା ବେଳେ ସେଠାରେ ରହିଥିବା ଅସ୍ପୃଶ୍ୟତାକୁ ସ୍ୱୟଂ ଅନୁଭବ କରିଥିଲେ। ସେତେବେଳେ ସେ କେରଳକୁ ଜାତିମାନଙ୍କ ପାଗଳଖାନା ବୋଲି ବର୍ଣ୍ଣନା କରିଥିଲେ। ଉନବିଂଶ ଶତାବ୍ଦୀର ଶେଷ ଆଡ଼କୁ ତ୍ରାଭାଙ୍କୋର ଓ କେରଳର ବିଭିନ୍ନ ପ୍ରାନ୍ତରେ ଜାତିବାଦୀ ଭେଦଭାବ ଓ ନିର୍ଯ୍ୟାତନାର ଶିକାର ହୋଇ ଅତ୍ୟନ୍ତ ଅମାନବୀୟ ଜୀବନ ଅତିବାହିତ କରି ଆସୁଥିବା ଶୁଦ୍ର ଓ ଦଳିତମାନେ ନିଜର ମାନବିକ ଅଧିକାର ଓ ଆତ୍ମସମ୍ମାନ ସମ୍ପର୍କରେ ସଚେତନ ହେବା ଆରମ୍ଭ କରିଥିଲେ। ସେମାନେ ବ୍ରାହ୍ମଣବାଦୀ ଜାତିବ୍ୟବସ୍ଥା ବିରୁଦ୍ଧରେ ଏକାଠି ହୋଇ ସାମାଜିକ ପ୍ରତିବାଦର ରାସ୍ତାକୁ ଆପଣେଇବା ଦେଖାଯାଇଥିଲା। ଅସ୍ପୃଶ୍ୟତାର ବିରୋଧ ସହିତ ସର୍ବସାଧାରଣ ରାସ୍ତାରେ ଚାଲିବାର ଅଧିକାର, ମନ୍ଦିର ପ୍ରବେଶର ଅଧିକାର, ଶିକ୍ଷା ଓ ସରକାରୀ ଚାକିରୀରେ ସୁଯୋଗ, ଏକାଠି ଖାଇବା ଓ ଆନ୍ତଃଜାତି ବିବାହର ସମର୍ଥନରେ ସମାଜର ତଥାକଥିତ ତଳ ଜାତିର ଲୋକେ ସଂଗଠିତ ଭାବେ ସ୍ୱର ଉତ୍ତୋଳନ କରିଥିଲେ। ସେମାନେ ନିଜ ଉପରେ ହେଉଥିବା ଅତ୍ୟାଚାର ଓ ଭେଦଭାବର ବିରୋଧ ପାଇଁ ନିଜସ୍ୱ ସଂଗଠନ ଗଢ଼ିବା ଆରମ୍ଭ କରିଥିଲେ। ବିଶିଷ୍ଟ ସମାଜ ସଂସ୍କାରକ ନାରାୟଣ ଗୁରୁଙ୍କ ନେତୃତ୍ୱରେ କେରଳରେ ଜାତି ବିରୋଧି ଆନ୍ଦୋଳନ ଧୀରେ ଧୀରେ ଶକ୍ତିଶାଳୀ ହୋଇଥିଲା। ତାଙ୍କର ଆଶ୍ରମ ସବୁ ଜାତି ଓ ଧର୍ମର ଲୋକଙ୍କ ପାଇଁ ଖୋଲା ଥିଲା ଏବଂ ତାଙ୍କର ଜାତି ବିରୋଧି ବିଚାରରେ ଆକର୍ଷିତ ହୋଇ ଅସବର୍ଣ୍ଣ ରୂପେ ପରିଚିତ ସମାଜର ଶୁଦ୍ର ଓ ଦଳିତ ଲୋକେ ବହୁସଂଖ୍ୟାରେ ତାଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ। ୧୮୯୩ ମସିହାରେ ସ୍ୱାମୀ ବିବେକାନନ୍ଦ ଯେତେବେଳେ ମହୀଶୂର ଗସ୍ତରେ ଯାଇଥିଲେ ସେତେବେଳେ ଇଜାଭା ସମ୍ପ୍ରଦାୟ ସହିତ ଜଡ଼ିତ ଡ଼ଃ ପଲପୁ ତାଙ୍କୁ ସ।।କ୍ଷାତ କରି କେରଳୀ ସମାଜରେ ବ୍ୟାପକ ଭାବେ ରହିଥିବା ଜାତିବାଦ ଓ ଅସ୍ପୃଶ୍ୟତାର ପ୍ରତିକାର ସମ୍ପର୍କରେ ତାଙ୍କର ପରାମର୍ଶ ମାଗିଥିଲେ। ବିବେକାନନ୍ଦ ତାଙ୍କୁ ସେତେବେଳେ ନାରାୟଣ ଗୁରୁଙ୍କ ନେତୃତ୍ୱରେ ଚାଲିଥିବା ଜାତିବିରୋଧି ସମାଜ ସଂସ୍କାର ଆନ୍ଦୋଳନରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ। ପରେ ସେ ନାରାୟଣ ଗୁରୁଙ୍କ ସହ ମିଶି କେରଳରେ ଜାତିବାଦ ବିରୁଦ୍ଧରେ ସାମାଜିକ ଆନ୍ଦୋଳନକୁ ଶକ୍ତିଶାଳୀ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ। ୧୯୦୩ ମସିହାରେ ଜାତିବିରୋଧି ଆନ୍ଦୋଳନକୁ ଏକ ସାଂଗଠନିକ ରୂପ ଦେବା ପାଇଁ ସେମାନେ ଶ୍ରୀ ନାରାୟଣ ଧର୍ମ ପରିପାଳନା ଯୋଗ (ଏସ୍‌ଏନ୍‌ଡ଼ିପି) ନାଁରେ ଏକ ସଙ୍ଗଠନ ଗଢ଼ିବା ସହିତ ତା’ର ନେତୃତ୍ୱରେ ଆନ୍ଦୋଳନକୁ ଆଗେଇ ନେଇଥିଲେ। ଐତିହାସିକ ଭାଇକମ୍ ସତ୍ୟାଗ୍ରହକୁ ବି ସଂଗଠିତ କରିବାରେ ଏସ୍‌ଏନ୍‌ଡ଼ିପିର ସର୍ବାଧିକ ଭୂମିକା ରହିଥିଲା। ଦକ୍ଷିଣର ବାରଣାସୀ ବୋଲି କୁହାଯାଉଥିବା ଭାଇକମ୍ ସହର କେରଳର କୋଚି ସହରରୁ ମାତ୍ର ୩୫ କି.ମି ଦୂରରେ ଅବସ୍ଥିତ ରହିଛି। ଏଠାରେ ଥିବା ଅତି ପ୍ରାଚୀନ ପ୍ରସିଦ୍ଧ ଶିବମନ୍ଦିର ଉପରେ ପାରମ୍ପରିକ ଭାବେ ବ୍ରାହ୍ମଣ ଓ ଅନ୍ୟ ଉଚ୍ଚ ଜାତିମାନଙ୍କର ନିୟନ୍ତ୍ରଣ ରହିଥିଲା। ହିନ୍ଦୁ ଧର୍ମାବଲମ୍ବୀ ହୋଇଥିଲେ ବି ମନ୍ଦିରର ଭିତରକୁ ଏପରିକି ମନ୍ଦିର ଚାରି ପାଖରେ ଯାଇଥିବା ରାସ୍ତାକୁ ଅସବର୍ଣ୍ଣ ଲୋକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷିଦ୍ଧ ଥିଲା। ଯଦିଓ ସେଠାକାର ଜନସଂଖ୍ୟାର ସିଂହଭାଗ ଥିଲେ ଶୁଦ୍ର ଓ ଦଳିତ, କିନ୍ତୁ କେବଳ ଜାତିଗତ କାରଣରୁ ସେମାନଙ୍କୁ ଅସ୍ପୃଶ୍ୟ ମନେକରି ମନ୍ଦିର ଅଥବା ମନ୍ଦିର ପାର୍ଶ୍ୱସ୍ଥ ରାସ୍ତାକୁ ସବର୍ଣ୍ଣ ଲୋକମାନେ ପୂରେଇ ଦେଉ ନଥିଲେ। ତ୍ରାଭାଙ୍କୋରର ମହାରାଜାଙ୍କ ଆଦେଶ କ୍ରମେ ଯେଉଁ ଶୁଦ୍ର ଓ ଦଳିତମାନେ ସେହି ଅଞ୍ଚଳରେ ପ୍ରବେଶ ପାଇଁ ଉଦ୍ୟମ କରୁଥିଲେ ସେମାନଙ୍କୁ ଗିରଫ କରି ଜେଲଦଣ୍ଡ ବି ଦିଆଯାଉଥିଲା। ୧୮୦୬ ମସିହାରେ ଶୁଦ୍ର ଜାତିର ପ୍ରାୟ ଦୁଇ ଶହ ଲୋକ ଭାଇକମ୍ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ। ତ୍ରାଭାଙ୍କୋର ତତ୍କାଳୀନ ପ୍ରଧାନମନ୍ତ୍ରୀ ଦଲଭା ଭେଲୁଥାମ୍ପିଙ୍କ ଘନିଷ୍ଠ ସହଯୋଗୀ ବୈକାଥୁ ପଦ୍ମନାଭ ପିଲ୍ଲାଇଙ୍କ ନେତୃତ୍ୱରେ ସବର୍ଣ୍ଣମାନେ ସେମାନଙ୍କ ଉପରେ ସଶସ୍ତ୍ର ଆକ୍ରମଣ କରି ଅତ୍ୟନ୍ତ ନିଷ୍ଠୁର ଭାବେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ହତ୍ୟା କରିଥିଲେ। ଯଦିଓ ଏହି ଘଟଣାର ପୂର୍ବରୁ ହିଁ ମନ୍ଦିର ଭିତରକୁ ଅସବର୍ଣ୍ଣମାନଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ ଥିଲା କିନ୍ତୁ ଏହି ଘଟଣା ପରେ ଶୁଦ୍ର ଓ ଦଳିତଙ୍କ ମଧ୍ୟରେ ଏତେ ପରିମାଣରେ ଆତଙ୍କ ଖେଳି ଯାଇଥିଲା ଯେ ସେମାନେ ପୁନର୍ବାର ସେଠାକୁ ପ୍ରବେଶ କରିବାକୁ ସାହସ କରି ନଥିଲେ। ଉପରୋକ୍ତ ଘଟଣାର ୧୧୮ ବର୍ଷ ପରେ ପୁଣି ଥରେ ଭାଇକମ୍ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ ହୋଇଥିଲା। ୧୯୨୪ ମସିହାରେ ସର୍ବପ୍ରଥମେ ଏନ୍ କୁମାରନ୍ ଓ ଟି କେ ମାଧବନ୍ ଏନେଇ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ସେମାନେ ସେତେବେଳେ ନାରାୟଣ ଗୁରୁଙ୍କ ଏସ୍‌ଏନ୍‌ଡ଼ିପି ଆନ୍ଦୋଳନର ଯଥାକ୍ରମେ ସଭାପତି ଓ ସମ୍ପାଦକ ରହିଥିଲେ। ମାଧବନ୍ କଂଗ୍ରେସ ଦଳରେ ମଧ୍ୟ ଜଣେ ସକ୍ରୀୟ ନେତା ଥିଲେ। ସେତେବେଳେ ଭାଇକମ୍ ମନ୍ଦିର ଓ ତା’ର ଆଖପାଖରେ ରହିଥିବା ରାସ୍ତାସବୁ ଶୁଦ୍ର ଓ ଦଳିତ ଲୋକଙ୍କ ପାଇଁ ନିଷିଦ୍ଧ ଥିଲା। ପେସାରେ ଓକିଲ ରହିଥିବା ମାଧବନଙ୍କୁ ଥରେ ଭାଇକମ୍ ମନ୍ଦିର ପାର୍ଶ୍ୱ ରାସ୍ତା ଦେଇ ଗଲାବେଳେ ଉଚ୍ଚଜାତିର ଲୋକେ ଅଟକାଇ ଆଗକୁ ଯିବାକୁ ଦେଇନଥିଲେ। ସେ ଶୁଦ୍ର ଭାବେ ପରିଚିତ ଇଜାଭା ଜାତିର ହୋଇଥିବାରୁ ତାଙ୍କୁ ସେଭଳି କରାଯାଇଥିଲା। ଏହି ଘଟଣା କିନ୍ତୁ ମାଧବନଙ୍କୁ ବହୁତ ଆହତ ଓ ଅପମାନିତ କରିଥିଲା। ସେ ଭାଇକମ୍ ମନ୍ଦିରକୁ ନେଇ ରହିଥିବା ଜାତିବାଦୀ କଟକଣା ସମ୍ପର୍କରେ ନିଜର ସଂଗଠନରେ ଆଲୋଚନା କରିଥିଲେ। ଏଭଳି ଏକ ଜାତିବାଦୀ ପରମ୍ପରାକୁ ସମାପ୍ତ କରିବାକୁ ଏକ ସାମାଜିକ ପ୍ରତିବାଦ ଆନ୍ଦୋଳନ ଗଢ଼ି ତୋଳିବାକୁ ସହମତି ସୃଷ୍ଟି ହୋଇଥିଲା। ଏହା ହିଁ ଭାଇକମ୍ ସତ୍ୟାଗ୍ରହ ପାଇଁ ଆରମ୍ଭ ବିନ୍ଦୁ ଥିଲା ବୋଲି କୁହାଯାଇପାରେ। ସେପ୍ଟେମ୍ବର ୧୯୨୧ ମସିହାରେ ପଡ଼ୋଶୀ ତାମିଲନାଡ଼ୁର ତିରୁନାଲଭାଲି ଠାରେ କଂଗ୍ରେସର ଅଧିବେଶନ ହୋଇଥିଲା। ସେହି ଅଧିବେଶନରେ ଟି କେ ମାଧବନ୍ ଜଣେ ପ୍ରତିନିଧି ଭାବରେ ଯୋଗଦେଇଥିଲେ। ସେଠାରେ ଗାନ୍ଧିଜୀଙ୍କ ସହ ଭାଇକମ୍ ସତ୍ୟାଗ୍ରହ ସମ୍ପର୍କରେ ତାଙ୍କର ସବିଶେଷ ଆଲୋଚନା ହୋଇଥିଲା। ଗାନ୍ଧୀ ଏଭଳି ପ୍ରସଙ୍ଗରେ ଆନ୍ଦୋଳନ କଲେ ରାଷ୍ଟ୍ରୀୟ ଆନ୍ଦୋଳନର ଏକତା ବାଧାପ୍ରାପ୍ତ ହେବ ବୋଲି ପ୍ରଥମେ ମତ ଦେଇଥିଲେ। କିନ୍ତୁ ପରବର୍ତ୍ତୀ କାଳରେ ଏ ସମ୍ପର୍କରେ ଲଗାତାର ଆଲୋଚନା ପରେ ସେ ସତ୍ୟାଗ୍ରହ ପାଇଁ ନିଜର ସହମତି ପ୍ରକାଶ କରିଥିଲେ। ଏହାପରେ ୧୯୨୩ ମସିହାରେ ଏଆଇସିସିର କାକିନାଡ଼ା ଅଧିବେଶନରେ ଟି କେ ମାଧବନ୍ ଭାଇକମ୍ ପ୍ରସଙ୍ଗକୁ ଉଠାଇ ପ୍ରଥମ ଥର ପାଇଁ ଅସ୍ପୃଶ୍ୟତା ବିରୁଦ୍ଧରେ କଂଗ୍ରେସରେ ଏକ ରାଜନୈତିକ ପ୍ରସ୍ତାବ ଆଣିଥିଲେ ଯାହାକି ସଂଖ୍ୟାଗରିଷ୍ଠ ମତରେ ଗୃହୀତ ମଧ୍ୟ ହୋଇଥିଲା। ଏହା ପରେ ଗାନ୍ଧିଜୀ ତ୍ରାଭାଙ୍କୋରର କଂଗ୍ରେସ କମିଟିକୁ ଏହି ଆନ୍ଦୋଳନରେ ସାମିଲ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ୨୪ ଜାନୁଆରୀ ୧୯୨୪ରେ ଏର୍ଣ୍ଣାକୁଲମ ଠାରେ ଅନୁଷ୍ଠିତ ଏଆଇସିସି ଅଧିବେଶନରେ ଏକ ଅସ୍ପୃଶ୍ୟତା ବିରୋଧି ସମିତି ଗଠନ କରାଯାଇଥିଲା। ଟିକେ ମାଧବନ୍‌ଙ୍କ ନେତୃତ୍ୱରେ ଏକ ଅଭିଯାନ ସମିତି ବି ଗଠନ କରାଯାଇଥିଲା। ସମିତିର ନିଷ୍ପତ୍ତି ପ୍ରକାରେ ତା’ପର ମାସ ଅର୍ଥାତ୍ ଫେବୃଆରୀରେ ଭାଇକମ୍ ଠାରେ ଏକ ବିଶାଳ ସମାବେଶର ଆୟୋଜନ କରାଯାଇଥିଲା। ସେହି ସମାବେଶରେ ସବୁ ସର୍ବସାଧାରଣ ରାସ୍ତା ଓ ମନ୍ଦିର ଭିତରେ ପ୍ରବେଶ କରିବାର ଅଧିକାର ଦଳିତ ଓ ଶୁଦ୍ରଙ୍କ ସମେତ ସମାଜର ସବୁ ଜାତିର ଲୋକଙ୍କ ରହିଛି ଏବଂ ଏଭଳି ସମସ୍ତ ପ୍ରକାରର ଜାତିଗତ କଟକଣାକୁ ଅମାନ୍ୟ କରାଯିବ ବୋଲି ଘୋଷଣା କରାଯାଇଥିଲା। ୩୦ ମାର୍ଚ୍ଚ ୧୯୨୪ରେ ସର୍ବପ୍ରଥମେ ଭାଇକମ୍ ମନ୍ଦିର ପ୍ରବେଶ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା। ଘୋଷଣା ମୁତାବକ ସର୍ବପ୍ରଥମେ ପୁଲେୟା, ନାୟାର ଓ ଇଜାଭା ତିନୋଟି ଯାକ ସମ୍ପ୍ରଦାୟର ତିନି ଜଣ ନେତା ଏକାଠି ହୋଇ ମନ୍ଦିର ଭିତରକୁ ପ୍ରବେଶ ଉଦ୍ୟମ କରିଥିଲେ। ସେଠାରେ ମୃତୟନ ଥିବା ପୋଲିସ ସେମାନଙ୍କୁ ତୁରନ୍ତ ଗିରଫ କରି ଜେଲକୁ ପଠାଇ ଦେଇଥିଲା। ଏହାପରେ ପ୍ରତିଦିନ ପାଳିକରି ଭିନ୍ନ ଭିନ୍ନ ଜାତିର ଲୋକେ ଏକାଠି ହୋଇ ମନ୍ଦିର ପ୍ରବେଶ ପାଇଁ ଉଦ୍ୟମ କରି ଲଗାତାର ଗିରଫ ହେବାରେ ଲାଗିଲେ। ପ୍ରତିଦିନ ନେତାମାନେ ଏଭଳି ଗିରଫ ହୋଇ ଜେଲକୁ ଯିବା ଫଳରେ କିଛି ଦିନ ପରେ ଆନ୍ଦୋଳନ ଏକରକମ ନେତାଶୂନ୍ୟ ହୋଇଗଲା। ଏଭଳି ପରିସ୍ଥିତିରେ ଆନ୍ଦୋଳନକୁ ଅବ୍ୟାହତ ରଖିବାକୁ ତଥା ଲୋକଙ୍କ ମନୋବଳକୁ ବଜାୟ ରଖିବାକୁ ଆନ୍ଦୋଳନର ସକ୍ରୀୟ ସଦସ୍ୟମାନେ ନିଜ ନିଜ ମଧ୍ୟରେ ବିଚାର ଆଲୋଚନା କରି ଆନ୍ଦୋଳନକୁ ନେତୃତ୍ୱ ଦେବା ପାଇଁ ସେତେବେଳର ତାମିଲନାଡ଼ୁ କଂଗ୍ରେସ କମିଟିର ସଭାପତି ରହିଥିବା ଇ.ଭି.ରାମସ୍ୱାମୀ ନାୟକର ବା ପେରିୟାରଙ୍କୁ ଚିଠି ଲେଖି ନିମନ୍ତ୍ରିତ କରିଥିଲେ। ସେତେବେଳେ ମଦୁରାଇ ଗସ୍ତରେ ଥିବା ପେରିୟାର ଚିଠି ପାଇ ତୁରନ୍ତ ଭାଇକମ୍ ପହଂଚିଥିଲେ। ସ୍ଥାନୀୟ ତ୍ରାଭାଙ୍କୋରର ମହାରାଜାଙ୍କ ଅନୁରୋଧ ସତ୍ତ୍ୱେ ସେ ତାଙ୍କୁ ଦେଖା କରିବାକୁ ମନା କରି ସତ୍ୟାଗ୍ରହରେ ସାମିଲ ହବା ସହିତ ସେହି ଅଞ୍ଚଳର ବିଭିନ୍ନ ସ୍ଥାନ ବୁଲି ଆନ୍ଦୋଳନରେ ସାମିଲ ହେବାକୁ ଲୋକଙ୍କୁ ଆହ୍ୱାନ ଦେଇଥିଲେ। ପେରିୟାରଙ୍କ ଏଭଳି କାର୍ଯକଳାପ ଫଳରେ ଆନ୍ଦୋଳନ ପୂର୍ବାପେକ୍ଷା ତେଜୀୟାନ ହେବା ସହିତ ସେଥିରେ ଅଧିକରୁ ଅଧିକ ଲୋକ ଯୋଗଦେବାରେ ଲାଗିଲେ। ମହାରାଜା ଓ ସବର୍ଣ୍ଣ ଲୋକେ ଏଥିରେ ଆତଙ୍କିତ ହୋଇ ପେରିୟାରଙ୍କୁ ଯଥାଶୀଘ୍ର ଗିରଫ କରିବା ସହ ତାଙ୍କୁ ଜେଲରେ ଭର୍ତ୍ତି କଲେ। ଏପରିକି ତାଙ୍କର ବିଚାରଣା କରି ଏକ ମାସର ଦଣ୍ଡବିଧାନ ମଧ୍ୟ କରିଥିଲେ। ପେରିୟାର୍ ଆନ୍ଦୋଳନରେ ଭାଗ ନେବା ପାଇଁ ଜେଲ ଭିତରୁ ହିଁ ନିଜର ପତ୍ନୀ ନାଗମଲ୍ ଓ ସାନଭଉଣୀ କନ୍ନମମଲଙ୍କୁ ଚିଠି ଲେଖିଥିଲେ। ଚିଠି ପାଇ ସେମାନେ ବି ଆନ୍ଦୋଳନରେ ସାମିଲ ହୋଇ ଲୋକଙ୍କର ମନୋବଳ ବଢ଼ାଇଥିଲେ। ଭାଇକମ୍ ସତ୍ୟାଗ୍ରହରେ ପେରିୟାର୍ ଦୀର୍ଘ ୧୪୧ ଦିନ ଯାଏଁ ଅଂଶଗ୍ରହଣ କରିଥିଲେ। ସେଥିରୁ ଦୁଇ ଦଫାରେ ସେ ଗିରଫ ହୋଇ ୭୪ ଦିନ ଜେଲରେ କାଟିଥିଲେ। ଏପରିକି ଜେଲ୍ ଭିତରେ ବି ତାଙ୍କୁ ଲୁହାଶିକୁଳିରେ ବାନ୍ଧି ରଖାଯାଇଥିଲା। କେବଳ ସେତିକି ହିଁ ନୁହେଁ, ଭାଇକମ୍ ସତ୍ୟାଗ୍ରହକୁ ଅଧାରୁ ଛାଡ଼ି ଚାଲିଯିବାକୁ ପେରିୟାରଙ୍କ ଉପରେ ରାଜାଜୀଙ୍କ ସମେତ ଅନେକ ସବର୍ଣ୍ଣ ନେତା ବାରମ୍ବାର ଚାପ ପକାଇଥିଲେ। କିନ୍ତୁ ସେ କୌଣସି ପ୍ରକାର ଚାପର ବଶବର୍ତ୍ତୀ ନହୋଇ ସତ୍ୟାଗ୍ରହ ଅବ୍ୟାହତ ରଖିଥିଲେ। ପରେ ଖୋଦ୍ ନାରାୟଣ ଗୁରୁ ଏହି ଆନ୍ଦୋଳନରେ ସାମିଲ ହେବାକୁ ଆସିଥିଲେ। ସେତେବେଳେ ସମଗ୍ର କେରଳ ଓ ତାମିଲଡ଼ାଡ଼ୁ ଏହି ଆନ୍ଦୋଳନକୁ ନେଇ ସରଗରମ ହୋଇ ଉଠିଥିଲା। ଆନ୍ଦୋଳନରେ ଅସବର୍ଣ୍ଣ କୁହାଯାଉଥିବା ଜାତିମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବା ସହିତ ସବର୍ଣ୍ଣ ଜାତିମାନଙ୍କରୁ ବି ଅନେକ ପ୍ରଗତିଶୀଳ ବ୍ୟକ୍ତି ଏହି ଆନ୍ଦୋଳନକୁ ସମର୍ଥନ କରିବାକୁ ଆଗେଇ ଆସିଥିଲେ। ୧୪ ନଭେମ୍ବର ଦିନ ସାଙ୍ଗାନସେରି ପମେଶ୍ୱରନ୍ ପିଲ୍ଲାଙ୍କ ନେତୃତ୍ୱରେ ୨୭ ହଜାରରୁ ଉର୍ଦ୍ଧ୍ୱ ସବର୍ଣ୍ଣ ଲୋକଙ୍କ ଦସ୍ତଖତ ସମ୍ବଳିତ ଏକ ଚିଠି ତ୍ରାଭାଙ୍କୋରର ମହାରାଣୀଙ୍କୁ ଅର୍ପଣ କରାଯାଇଥିଲା। ସେଥିରେ ଭାଇକମ୍‌ରେ ରହିଥିବା ଜାତିଗତ କଟକଣାକୁ ଉଚ୍ଛେଦ କରିବାକୁ ସିଧାସଳଖ ନିବେଦନ କରାଯାଇଥିଲା। ଆନ୍ଦୋଳନ ପ୍ରତି ଚାରି ପଟୁ ବର୍ଦ୍ଧିତ ଜନ ସମର୍ଥନକୁ ଦେଖି ମହାରାଣୀ ଆନ୍ଦୋଳନକାରୀଙ୍କ ଦାବିକୁ ମାନିବାକୁ ପ୍ରସ୍ତୁତ ହୋଇଯାଇଥିଲେ। କିନ୍ତୁ ତାଙ୍କର ଏକ ସର୍ତ୍ତ ଥିଲା। ସେ ମନ୍ଦିର ଚାରିପାଖର ରାସ୍ତାରେ ପ୍ରବେଶ ପାଇଁ କଟକଣାକୁ ଉଠାଇବାକୁ ପ୍ରସ୍ତୁତ ଥିଲେ, କିନ୍ତୁ ସେ ମନ୍ଦିର ଭିତରକୁ ପ୍ରବେଶର ଅନୁମତି ଦେବାକୁ ଚାହୁଁ ନଥିଲେ। ଏହା ସହିତ ସେ ପେରିୟାରଙ୍କ ସହ ସିଧାସଳଖ କୌଣସି ଆଲୋଚନା କିମ୍ବା ବୁଝାମଣା କରିବାକୁ ଭୟ କରୁଥିଲେ। ସେଥିପାଇଁ ସେ ରାଜାଜୀଙ୍କ ସହ ଯୋଗାଯୋଗ କରି ତାଙ୍କ ଜରିଆରେ ଗାନ୍ଧିଜୀଙ୍କୁ ଡକେଇଥିଲେ। ଗାନ୍ଧିଜୀ ପେରିୟାରଙ୍କ ସହ ଲମ୍ବା କଥାଭାଷା କରି କଂଗ୍ରେସ କେବଳ ରାସ୍ତା ଉପରକୁ ପ୍ରବେଶ ପାଇଁ ଦାବି କରୁଛି ଓ ମନ୍ଦିର ଭିତରକୁ ପଶିବା ଆମର ଦାବି ନୁହେଁ ବୋଲି କହିବା ସହିତ ଏ ବିଷୟରେ ନିଜର ମତ ଦେବାକୁ କହିଥିଲେ। ପେରିୟାର ଗାନ୍ଧୀଙ୍କୁ ସ୍ପଷ୍ଟଭାବେ କହିଥିଲେ, ‘ମନ୍ଦିର ଭିତରକୁ ପ୍ରବେଶ ହୁଏତ କଂଗ୍ରେସର ଲକ୍ଷ୍ୟ ନ ହୋଇପାରେ କିନ୍ତୁ ଅସବର୍ଣ୍ଣଙ୍କ ମନ୍ଦିର ପ୍ରବେଶ ଏବେ ବି ମୋର ଲକ୍ଷ୍ୟ ରହିଛି, ଯାହାକୁ ମୁଁ ଛାଡ଼ିପାରିବ ନାହିଁ। ଅବଶ୍ୟ ଏହା ହୁଏତ ଆମର ତୁରନ୍ତ ଲକ୍ଷ୍ୟ ନହୋଇପାରେ।’ ଏହାର ତୁରନ୍ତ ପରେ ପରେ ମହାରାଣୀ ମନ୍ଦିର ଚାରିପାଖ ରାସ୍ତାରେ ଅସବର୍ଣ୍ଣଙ୍କ ପ୍ରବେଶ ଉପରେ ରହିଥିବା କଟକଣାକୁ ହଟେଇଥିଲେ ଏବଂ ଆନ୍ଦୋଳନର ଐତିହାସିକ ବିଜୟ ହୋଇଥିଲା। ଶହ ଶହ ବର୍ଷର ଅମାନବିକ ଓ ଜାତିଗତ କଟକଣାକୁ ଭାଙ୍ଗି ଅସବର୍ଣ୍ଣ ଲୋକେ ମନ୍ଦିର ଚାରିପାଖର ରାସ୍ତାରେ ଯିବାର ଅଧିକାର ପାଇଥିଲେ। ଭାଇକମ୍‌ର ଏହି ଐତିହାସିକ ଆନ୍ଦୋଳନର ବିଜୟର ପ୍ରଭାବ ଏତେ ଥିଲା ଯେ ପରବର୍ତ୍ତୀ ସମୟରେ ତାହା ସମଗ୍ର କେରଳ ଓ କର୍ଣ୍ଣାଟକରେ ଅସବର୍ଣ୍ଣଙ୍କ ମନ୍ଦିର ପ୍ରବେଶ ଆନ୍ଦୋଳନ ପାଇଁ ବାଟ ଖୋଲିଥିଲା। ୧୯୩୩ରେ କମ୍ୟୁନିଷ୍ଟ ନେତା ଏ କେ ଗୋପାଳନଙ୍କ ନେତୃତ୍ୱରେ କେରଳ ପ୍ରସିଦ୍ଧ ଗୁରୁଭାୟୁର ମନ୍ଦିରରେ ପ୍ରବେଶ ଆନ୍ଦୋଳନ ସଂଗଠିତ ହୋଇଥିଲା। ୧୯୩୬ ମସିହା ବେଳକୁ କେରଳର ସବୁ ଛୋଟବଡ଼ ମନ୍ଦିରରେ ଅସବର୍ଣ୍ଣଙ୍କ ପ୍ରବେଶ ଆନ୍ଦୋଳନ ଏତେ ବ୍ୟାପକ ହୋଇଥିଲା ଯେ ସେହିବର୍ଷ ତ୍ରାଭାଙ୍କୋରର ମହାରାଜା ବଳରାମ ବର୍ମା ଏକ ଆଦେଶ ଜାରୀ କରି ହିନ୍ଦୁଧର୍ମର ସବୁ ଜାତିମାନଙ୍କୁ କେରଳର ସବୁ ମନ୍ଦିରରେ ପ୍ରବେଶର ଅନୁମତି ଦେବାକୁ ବାଧ୍ୟ ହୋଇଥିଲେ। ଏହି ଆନ୍ଦୋଳନ ଦ୍ୱାରା ଡ଼ଃ ବି.ଆର୍ ଆମ୍ବେଦକର ବି ପ୍ରଭାବିତ ହୋଇ ପରବର୍ତ୍ତୀ ସମୟରେ ମହାଡ଼ର ଐତିହାସିକ ସର୍ବସାଧାରଣ ପୁଷ୍କରିଣୀ ପ୍ରବେଶ ସତ୍ୟାଗ୍ରହ ଓ ନାସିକର କାଲାରାମ ମନ୍ଦିରରେ ପ୍ରବେଶ ଆନ୍ଦୋଳନ ସଂଗଠିତ କରିଥିଲେ। ଓଡ଼ିଶାରେ ମଧ୍ୟ ପଦ୍ମଶ୍ରୀ ମୋହନ ନାୟକଙ୍କ ନେତୃତ୍ୱରେ ପୁରୀ ଜଗନ୍ନାଥ ମନ୍ଦିର ଭିତରକୁ ଦଳିତମାନଙ୍କ ପ୍ରବେଶ ଆନ୍ଦୋଳନ ହୋଇଥିଲା। ଏସବୁ ଆନ୍ଦୋଳନର ପରିଣାମ ସ୍ୱରୂପ ତାମିଲନାଡ଼ୁ ଓ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ୧୯୪୮ ବେଳକୁ ମନ୍ଦିର ପ୍ରବେଶ ଆଇନ ପ୍ରଣୟନ କରିବାକୁ ସରକାରମାନେ ବାଧ୍ୟ ହୋଇଥିଲେ। ଭାଇକମ୍ ଆନ୍ଦୋଳନର ଶହେ ବର୍ଷ ପରେ ମଧ୍ୟ ଏହି ଐତିହାସିକ ଆନ୍ଦୋଳନର ପ୍ରାସଙ୍ଗିକତା ଆଜି ବି ଜାଜୁଲ୍ୟମାନ ହୋଇରହିଛି। ଆଇନ ରହିଥିବା ସତ୍ତ୍ୱେ ଆଜି ବି ଦେଶର ଅନେକ ସ୍ଥାନରେ ବିଶେଷ କରି ଗ୍ରାମାଞ୍ଚଳରେ ଦଳିତ ଲୋକେ ମନ୍ଦିର ଭିତରେ ପ୍ରବେଶର ଅଧିକାର ହାସଲ କରିନାହାନ୍ତି। ଏହି ପରିପ୍ରେକ୍ଷୀରେ ସମାଜରେ ଜାତିବ୍ୟବସ୍ଥା ପରି ସାମାଜିକ ଅସମାନତାର ସମାପ୍ତି ପାଇଁ ତଥା ଦଳିତ ଓ ଶୁଦ୍ରମାନଙ୍କ ଗଣତାନ୍ତ୍ରିକ ଅଧିକାର ଓ ଆତ୍ମସମ୍ମାନର ପ୍ରତିଷ୍ଠା ପାଇଁ ଏହି ଆନ୍ଦୋଳନ ସବୁବେଳେ ପ୍ରେରଣା ଦେଇଆସୁଥିବ। ଫୋନ୍- ୯୪୩୭୧୬୬୩୯୧