କୃଷକ- ସବୁଜ ବିପ୍ଲବର ସେନାପତି

Mar 26, 2019 - 04:58
 744
କୃଷକ- ସବୁଜ ବିପ୍ଲବର ସେନାପତି
ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି, ବିଜ୍ଞାନ ମିହିର ରାଉତ ଆପଣମାନେ ଅନେକ ବିପ୍ଲବର ନାଁ ଶୁଣିଥିବେ। ଫରାସୀ ରାଷ୍ଟ୍ର ବିପ୍ଲବ, ଅଗଷ୍ଟ ବିପ୍ଲବ, ଶିଳ୍ପ ବିପ୍ଲବ ଇତ୍ୟାଦି। ସବୁ ବିପ୍ଲବର ଆଗରେ ସେନାପତି ରହି ବିପ୍ଲବର ଲକ୍ଷ୍ୟ ହାସଲ କରିଛନ୍ତି। କିନ୍ତୁ ମୁଁ ହେଉଛି ସେହି ବିପ୍ଲବର ସେନାପତି ଯାହାର ଆଦି ଅନ୍ତ ନାହିଁ। ସୃଷ୍ଟିର ଆରମ୍ଭରୁ ସେ ବିପ୍ଲବ ଲାଗି ରହିଛି। ଘାତପ୍ରତିଘାତ ଭିତରେ ସେହି ବିପ୍ଲବର ସେନାପତି ସାଜି ମୁଁ ବିପ୍ଲବର ବହ୍ନି ବଳୟରେ ଝାସ ଦେଇଛି। ଜଗତର କଲ୍ୟାଣ, ପଶୁପକ୍ଷୀ ସମଗ୍ର ସୃଷ୍ଟିର ଜୀବମାନଙ୍କ ହିତାର୍ଥେ ମୁଁ କର୍ତ୍ତବ୍ୟ ସମାଧାନ ପାଇଁ ବଦ୍ଧପରିକର। ତାହା ହେଉଛି ସବୁଜ ବିପ୍ଲବ ଯାହାର ସେନାପତି ମୁଁ, ପେସାରେ କୃଷକ। ଗ୍ରାମ ବହୁଳ, କୃଷିସମୃଦ୍ଧ ଭାରତ ଭୂମିରେ କୃଷି ହେଉଛି ଜୀବନର ଉତ୍ସ ଏବଂ କୃଷକ ହେଉଛି ଜାତିର ମେରୁଦଣ୍ଡ। ଦେଶର ସଂଖ୍ୟାଧିକ କୃଷକ ସମ୍ପ୍ରଦାୟର ବଳିଷ୍ଠ ସ୍କନ୍ଧ ଉପରେ ଆଶ୍ରିତ ହୋଇ ଗଠିତ ହୋଇଛି ଆମର ସଭ୍ୟତା ଓ ସଂସ୍କୃତି। କିନ୍ତୁ ଭାରତବର୍ଷରେ କୃଷି ଓ କୃଷକର ଶୋଚନୀୟ ଦୁର୍ଗତି ଓ ଦୁରାବସ୍ଥା ଯେତେବେଳେ ଚକ୍ଷୁରେ ପଡେ଼ ସେତେବେଳେ ଚୂର୍ଣ୍ଣୀଭୂତ ହୁଏ ସକଳ ଆଶା। ସମୟ ଥିଲା କାଠ ଲଙ୍ଗଳରେ ହଡ଼ାବଳଦ ସାଜି ମୁଁ ଗତାନୁଗତିକ ଧାରାରେ ଯେ ଭଳି ଭୂକର୍ଷଣ କରି ଆସୁଥିଲି ତାହା ଦେଶ ପାଇଁ ପର୍ଯ୍ୟାପ୍ତ ନଥିଲା। ଆଧୁନିକ କୃଷି ଯନ୍ତ୍ରପାତି ଉପଯୋଗ ନିମନ୍ତେ ପୁଞିର ଅଭାବ ଥିଲା। ଅଜ୍ଞତା ଓ ଅନଭିଜ୍ଞତାର ଆବରଣ ତଳେ ମୋର ସମସ୍ତ ପରାକ୍ରମ ଲୁଚି ଯାଉଥିଲା। ଅଭାବର ଦୁନିର୍ବାର ପୀଡ଼ନରେ ମୁଁ ମୋର ସଂଚିତ ବିହନକୁ ଉଦରସ୍ଥ କରି ଦେଉଥିଲି। ପ୍ରକୃତି ଉପରେ ଭରସା କରି ମୁଁ ମୋର ଜୀବନ ସଂଗ୍ରାମ ଜାରି ରଖିଥିଲି। ବେଳେବେଳେ ପ୍ରଳୟଙ୍କାରୀ ପ୍ଲାବନ ଓ ମରୁଡ଼ିର କରାଳଗ୍ରାମରେ ବର୍ଷସାରା ଲହୁଲୁହ ଦେଇ ଉପୁଜାଇଥିବା ଫସଲ ଧୂଳିସାତ ହେଉଥିଲା। ଦାରିଦ୍ର୍ୟର ସୀମାରେଖା ତଳେ ମୁଁ ଜର୍ଜରିତ ହୋଇ ଜୀବିକା ନିବାର୍ହ କରୁଥିଲିତ। ସ୍ତ୍ରୀ , ଛୁଆପିଲା ସଂସାର ମୋର ସୁଖ ସ୍ୱାାଚ୍ଛନ୍ଦ୍ୟର ବାସ୍ନା ଟିକେ ପାଇପାରୁ ନଥିଲେ। ଆର୍ଥିକ ଅନଟନରେ ଭବିଷ୍ୟତର ଦାୟାଦଙ୍କୁ ମୁଁ ଉଚ୍ଚଶିକ୍ଷା ଦେଇପାରିଲି ନାହିଁ। ସେ ଦୁର୍ବିସହ ଜୀବନ କଥା ଥରେ ମନରେ ଚିନ୍ତାକଲେ ଜର୍ଜରିତ ଅନ୍ତରାତ୍ମା ମୋର କାନ୍ଦିଉଠେ। କିନ୍ତୁ ଆଜିର ଗତାନୁଗତିକ ଧାରାରେ କାଠ ଲଙ୍ଗଳ ସହିତ ବଳଦ ଯୋଡ଼ି ରୌଦ୍ରତାପକ୍ଲିଷ୍ଟ ବୈଶାଖର ଆକାଶ ତଳେ ମୁଁ ଆଉ ଚାଷକରୁ ନାହିଁ। ପରିବର୍ତ୍ତନର ସୁଅରେ ମୋର ଗତାନୁଗତିକ ଚାଷ ପଦ୍ଧତି ସମ୍ପୂର୍ଣ୍ଣ ଓଲଟି ଯାଇଛି। ଏବେ ମୁଁ କଳଲଙ୍ଗଳରେ ବସି ଚାଷ କରୁଛି। ବିହନ ବୁଣୁଛି, ବିଲ ବାଛୁଛି, ଯାନ୍ତ୍ରିକ ଉପାୟରେ ଫସଲ ଅମଳ କରୁଛି। ବଢି ମରୁଡ଼ିକୁ ମୋର ଖାତିର ନାହିଁ। ନୂତନ ଗବେଷଣାର ସଘନ ଚାଷ ପ୍ରଣାଳୀକୁ ମୁଁ ଆପଣେଇ ନେଇଛି। ବୈଜ୍ଞାନିକ ଚିନ୍ତାଧାରାରେ ପାରସ୍ପରିକ ସହଯୋଗ ଓ ମୈତ୍ରୀ ଚିନ୍ତାର ବିକାଶ ଫଳରେ ପ୍ରାତ୍ୟହିକ ଜୀବନରେ ସୁଖ ଓ ସ୍ୱାଚ୍ଛନ୍ଦ୍ୟର ଆବିର୍ଭାବ ଘଟିଛି। କୃଷି ବିଶ୍ବବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ବୈଜ୍ଞାନିକମାନେ ଗାଁ ଗାଁକୁ ଯାଇ ବିଭିନ୍ନ ଉପାୟମାନ ଶିକ୍ଷାଦେଉଛନ୍ତି। ଶାସ୍ତ୍ରୀଙ୍କ ଭାଷାରେ ଜୟ ଜବାନ , ଜୟ କିଷାନ ଉକ୍ତିର ସାର୍ଥକତା ଆଜି ଉପଲବ୍ଧି ହେଉଛି। କିନ୍ତୁ ଆହୁରି ଅନେକ ସମସ୍ୟାର ସମାଧାନ ଏ ପର୍ଯ୍ୟନ୍ତ ହୋଇପାରି ନାହିଁ। ସାମାଜିକ, ଆର୍ଥିକ ଇତ୍ୟାଦି ନାନା କାରଣ ଏଥିପାଇଁ ଦାୟୀ। ପ୍ରଥମତ ଲୋକସଂଖ୍ୟା ତୁଳନାରେ କର୍ଷଣଯୋଗ୍ୟ ଜମି ଦିନକୁ ଦିନ ହ୍ରାସ ପାଉଛି। ଦିନକୁ ଦିନ ଚାଷ ଉପଯୋଗୀ ଜମିର ପରିମାଣ କମୁଛି। ଶିଳ୍ପ ବିପ୍ଲବର ଆଧାରରେ ଚାଷଜମିରେ ବିଭିନ୍ନ କଳକାରଖାନା ବସାଯାଉଛି। ମାଟିକୁ ପରୀକ୍ଷା ନକରି ଅନଭିଜ୍ଞତା ସହକାରରେ ରାସାୟନିକ ସାରର ପ୍ରୟୋଗ କରାଯାଉଛି। ଏହା ଦ୍ୱାରା ମାଟିର ଉର୍ବରତା ହ୍ରାସ ପାଉଛି। ଆଜିର ସମାଜରେ ଦେଶର ଭବିଷ୍ୟତମାନେ ଯେନତେନ ପ୍ରକାରେଣ ଶିକ୍ଷା ସମାପ୍ତ ପରେ କୃଷିକୁ ହେୟ ମନେକରୁଛନ୍ତି। ଅନଭିଜ୍ଞ ସରକାରୀ ଅଧିକାରୀ, ଲାଂଚମିଛର କାରବାର ମଧ୍ୟ କୃଷକଙ୍କ ପାଇଁ ବାଧକ ସାଜିଛି। କୃଷକ ଆଜି ଆର୍ଥିକ ଅନଟନରେ ଭାରାକ୍ରାନ୍ତ। ତାର ଦୂରୀକରଣ ପାଇଁ ଆମ ଦେଶର ବ୍ୟାଙ୍କଗୁଡ଼ିକ ତତ୍ପର ନୁହନ୍ତି। ରଣବୋଝରେ ଚାଷୀ ଆଜି ହନ୍ତସନ୍ତ। ଭାରତୀୟ କୃଷକର ପିଣ୍ଡରେ ପୁନର୍ଜୀବନ ସଂଚାର କରିବାର ହେଲେ ଆବଶ୍ୟକ ରାଷ୍ଟ୍ରୀୟ ସହଯୋଗ। ଶିକ୍ଷା ଦୀକ୍ଷା ବଳରେ କୃଷକର କୃଷିଜ୍ଞାନ ଓ ଚେତାନରେ ଏକ ପରିବର୍ତ୍ତନ ଆଣିବାକୁ ହେବ। କୃଷକମାନଙ୍କୁ ତାଲିମ ଦେଇ କୌଶଳ ସଂପନ୍ନ କରିବାକୁ ପଡ଼ିବ। ଆଜି ବି କୃଷିକୁ ବନ୍ୟା ବିତ୍ପାତ ଓ ମରୁଡ଼ିରୁ ରକ୍ଷା କରିବାକୁ ସରକାର ସମ୍ପୂର୍ଣ୍ଣ ରୂପେ ସକ୍ଷମ ହୋଇନାହାନ୍ତି। ଏ ଦିଗରେ ଧ୍ୟାନ ଦେବାକୁ ପଡ଼ିବ। ସହପ୍ରାଧ୍ୟାପକ, ମତ୍ସ୍ୟ ବିଜ୍ଞାନ ବିଭାଗ, ଏମ୍ଏସ୍ ସ୍ୱାମୀନାଥନ କୃଷି ବିଶ୍ୱ ବିଦ୍ୟାଳୟ, ପାରଳାଖେମୁଣ୍ଡି