କୁପୁତ୍ରମାନଙ୍କ ମାତୃପୂଜା!

Dec 1, 2019 - 05:49
 1311
କୁପୁତ୍ରମାନଙ୍କ ମାତୃପୂଜା!
ଦେବେନ୍ଦ୍ର ପୃଷ୍ଟି ଜଗନ୍ମାତର୍ମାତସ୍ତବ ଚରଣସେବା ନ ରଚିତା/ ନ ବା ଦତ୍ତ ଦେବୀ ଦ୍ରବିଣମପି ଭୂୟସ୍ତବ ମୟା/ ତଥାପି ତ୍ୱଂ ସ୍ନେହଂ ମୟି ନିରୂପମଂ ଯତ୍‌ପ୍ରକୁରୁଷେ/ କୁପୁତ୍ରୋ ଯାୟତେ କ୍ୱଚିଦପି କୁମାତା ନଭବତି। ଦେବ୍ୟପରାଧ କ୍ଷମାପନ ସ୍ତୋତ୍ରମରେ ଏଇ ଭାଷାରେ ମା’ ଜଗଜ୍ଜନନୀ ଶିବାଙ୍କର ସ୍ତୁତି କରିଛନ୍ତି ଶ୍ରୀ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟ। ସେ କହିଛନ୍ତି, ହେ ଜଗତମାତା ମୁଁ ଆପଣଙ୍କର ଚରଣ ସେବା କରିପାରିନି କି ଆପଣଙ୍କୁ ସେବାପୂଜାରେ ଅନେକ କିଛି ଦ୍ରବ୍ୟ ଦେଇନାହିଁ। ତଥାପି ଆପଣ ଉପମା ବିହୀନ ଭାବେ ମୋ ପ୍ରତି ସ୍ନେହ ମମତା ଢାଳି ଦେଇଛନ୍ତି। ସଂସାରରେ କୁପୁତ୍ର ବହୁତ ଅଛନ୍ତି କିନ୍ତୁ କୁମାତା କେଉଁଠି କେବେ ବି ନାହାନ୍ତି। ଆଉ ସେଇଥିପାଇଁ ହିଁ ଜଗତରେ ମା’ଙ୍କ ବଦଳରେ ମହିଷାସୁରମାନଙ୍କ ରାଜୁତି ଚାଲିଛି। ମା’ ସେମାନଙ୍କୁ ଶୂଳବିଦ୍ଧ କରିବା ପରିବର୍ତ୍ତେ କ୍ଷମା କରିଦେଉଥିବାରୁ ସେମାନଙ୍କ ସଂଖ୍ୟା ବଢ଼ିଚାଲିଛି ଏବଂ ଦୁର୍ଗାମାନେ ନାନାଦି ପୀଡ଼ା ଓ ଯାତନା ସହି ଚାଲିଛନ୍ତି। ଭାରତୀୟ ହିନ୍ଦୁ ପୁରାଣରେ ଦେବୀ ଦୁର୍ଗାଙ୍କୁ ଦିଆଯାଇଛି ଅନନ୍ୟ ସ୍ଥାନ। ପୁରାଣ ଅନୁସାରେ ପ୍ରତିଷ୍ଠା ପାଇଥିବା ହିନ୍ଦୁ ସାମାଜିକ ସଂସ୍କୃତିରେ ଶାରଦୀୟ ଦୁର୍ଗାପୂଜା ମଧ୍ୟ ମାନ୍ୟତା ପାଇଛି ପାର୍ବଣର। ଏ ପର୍ବ ପବିତ୍ର। ଏ ପୂଜା ସାର୍ବଜନୀନ। ମହାଭାରତୀୟ ସଂସ୍କୃତିରେ ନାରୀଶକ୍ତିକୁ ପୂଜା କରିବାର ପରମ୍ପରା ବହୁ ପ୍ରାଚୀନ। ରାମାୟଣରେ ରାମଚନ୍ଦ୍ର ଦୁର୍ଗା ପୂଜା କରିଥିବାର ବର୍ଣ୍ଣନା ରହିଛି। ତାହା ଇତିହାସ ନହୋଇପାରେ। କିନ୍ତୁ ସାହିତ୍ୟ ନିଶ୍ଚୟ। ଅର୍ବାଚୀନ ଯୁଗର ପ୍ରାଚୀନ ସାହିତ୍ୟରେ ଯାହା ଉଲ୍ଲିଖିତ ତାହା ଆଧୁନିକ ବିଜ୍ଞାନ ଯୁଗରେ ମଧ୍ୟ ପ୍ରଚଳିତ। ବିଶେଷକରି ହିନ୍ଦୁ ଶାକ୍ତମାନଙ୍କ ମଧ୍ୟରେ ଦୁର୍ଗା ପୂଜା ଅଲଙ୍ଘନୀୟ। ବ୍ରାହ୍ମଣ, କ୍ଷତ୍ରୀୟ ବା ଖଣ୍ଡାୟତମାନଙ୍କ ଘରେ ଦୁର୍ଗା ପୂଜା ଏକ ବାର୍ଷିକ ବ୍ରତ ଭାବେ ପ୍ରଚଳିତ। ଅନ୍ୟ ବର୍ଗ ଓ ଜାତିର ଲୋକଙ୍କ ପାଇଁ ସୃଷ୍ଟି ହୋଇଛି ସାର୍ବଜନୀନ ଦୁର୍ଗାପୂଜା ବିଧି। ଏହି ପୂଜା ଏତେ ଲୋକପ୍ରିୟ ଯେ ଭାରତରେ ଅନ୍ୟ ଧର୍ମର ଲୋକମାନେ ବସବାସ କରୁଥିବା ସତ୍ତ୍ୱେ ଜାତୀୟ ଓ ରାଜ୍ୟ ସରକାରମାନେ ଏହି ହିନ୍ଦୁ ପର୍ବ ପାଇଁ ଅତି କମରେ ତିନି ଦିନ ଛୁଟି ଘୋଷଣା କରନ୍ତି। ଅନେକ ସମୟରେ ରାଜନୀତିକ ଦୃଷ୍ଟିକୋଣରୁ ଏହି ଛୁଟି ପୂର୍ବରୁ ସରକାରମାନେ କର୍ମଚାରୀମାନଙ୍କ ପାଇଁ ମହଙ୍ଗା ଭତ୍ତା ମଂଜୁର କରନ୍ତି। ଘରୋଇ କ୍ଷେତ୍ରରେ କମ୍ପାନୀମାନେ ବୋନସ୍‌ ଦେବାର ପରମ୍ପରା ମଧ୍ୟ ରହିଛି। ଅନେକ ସମୟରେ ଲୋକଙ୍କୁ ସନ୍ତୁଷ୍ଟ କରିବାକୁ ମଧ୍ୟ ସରକାରଙ୍କ ତରଫରୁ ଅନେକ ପ୍ରକଳ୍ପ ଓ କାର୍ଯ୍ୟକ୍ରମ ଘୋଷଣା ହୋଇଥାଏ। ଦୁର୍ଗାପୂଜାରେ ନୂଆ ବ୍ୟବସାୟ ଆରମ୍ଭ ହୁଏ। ନୂଆ ଦୋକାନ ଖୋଲେ। ଗାଡ଼ି କିଣାଯାଏ, ପୂଜାହୁଏ। ନୂଆ ପୋଷାକ ପିନ୍ଧାଯାଏ। ପିଠାପଣା, ଭୋଗରାଗ, ନାଚଗୀତ, ବାଜାବାଣ, ସାଜସଜାର ଆଡ଼ମ୍ବର ଭିତରେ ପୂଜା ପାଆନ୍ତି ମା’ ଦୁର୍ଗା। କିନ୍ତୁ ହାୟ! କେହି କ’ଣ ପୋଛନ୍ତି ମା’ର ଯାତନା? ଦୂର କରନ୍ତି ତା’ର ଦୁଃଖ, ଦୈନ୍ୟ ଓ ଦୁର୍ଦ୍ଦଶା? ଦୁର୍ଗାଙ୍କ ରୂପଲାବଣ୍ୟରେ ଅନ୍ଧ ଶୁମ୍ଭନିଶୁମ୍ଭ ତାଙ୍କୁ ପାଇବାର ଲୋଭରେ ହିତାହିତ ଜ୍ଞାନଶୂନ୍ୟ ହୋଇ ମରଣମୁହଁରେ ଭାସିଗଲେ। ମହିଷାସୁର ମଧ୍ୟ ଦୁର୍ଗାଙ୍କ ପ୍ରତି ଯୌନ ଆବେଗ ପୋଷଣ କରି ଶକ୍ତହୀନ ହେଲା ଓ ମଲା। ଏକଥା ଆଧୁନିକ ସମୟର କେତେ ମହିଷାସୁର ବୁଝିଛନ୍ତି? କେତେ ଶୁମ୍ଭ ଓ ନିଶୁମ୍ଭ ଦୁର୍ଗାଙ୍କୁ କେବଳ ରୂପସୀ ଭାବେ ଗ୍ରହଣ ନକରି ମା’ କିମ୍ବା ଶକ୍ତି ଭାବେ ବିଶ୍ୱାସ କରୁଛନ୍ତି? ଆଜିର ଭାରତୀୟ ସମାଜରେ ଯେତେବେଳେ ଦୁର୍ଗା ଓ କାଳୀମାନେ ସହସ୍ର ପରିବାରରେ ନିର୍ଯାତିତା, ସହସ୍ର ଗଳିରେ ଧର୍ଷିତା, ସହସ୍ର ବଜାରରେ ପଣ୍ୟ ସେତେବେଳେ ଏ ସାର୍ବଜନୀନ ପୂଜାର ମାନେ କ’ଣ? ମାନେ କ’ଣ ମେଢ଼ ଓ ମଣ୍ଡପରେ ଲକ୍ଷଲକ୍ଷ ଟଙ୍କାର ସାଜସଜା? ଗୁରୁତ୍ୱ କ’ଣ କୁମାରୀ ପୂଜା ଓ ନବମାତୃକା ଉପାସନାର? ସପ୍ତସତୀ ଚଣ୍ଡିପାଠର ଅର୍ଥ କ’ଣ? ଅର୍ଥ କ’ଣ ରାବଣପୋଡ଼ିର ବା ବିଜୟା ଦଶମୀର? ଅସତ୍ୟ ଉପରେ ସତ୍ୟର ବିଜୟ ଏଠି କାହିଁ? ଅନ୍ୟାୟ ଉପରେ ନ୍ୟାୟର ଶୂଳ ବିଦ୍ଧ ହେଉଛି କେଉଁଠି? ଗର୍ବ ଓ ଅହଂକାରର ବଳି କାହିଁ? ବଳି ପଡ଼ୁଛନ୍ତି ନିରୀହ ପଶୁ, ବଳି ପଡ଼ୁଛି ମାନବିକତା। ଭୋଗବାଦର ସଭ୍ୟତାରେ ଉପଭୋକ୍ତାଙ୍କ ପାଇଁ ଦୁର୍ଗାପୂଜା ଆଣୁଛି ରିହାତି ଓ ଉପହାରର ଭେଟି। ବ୍ୟାବସାୟିକ ସଂସ୍କୃତିରେ ଦୁର୍ଗାପୂଜା ହୋଇଯାଇଛି ଏକ ମନୋରଂଜନ କାର୍ଯ୍ୟକ୍ରମ। ଚାନ୍ଦାଭେଦା, ମଦମେଲୋଡ଼ି, ଚିକ୍‌ମିକ୍‌ ଆଲୁଅ ଓ ଚକ୍‌ମକ୍‌ ଚେହେରା ଭିତରେ ପଇଁତରା ମାରୁଥିବା ରାବଣ ଓ ମହିଷାସୁରମାନଙ୍କୁ ଚିହ୍ନୁଛି କିଏ, ମାରୁଛି କିଏ? ଗଣତନ୍ତ୍ରର ଗଣ୍ଠିଲି ଭିତରୁ ସରକାରର ସୌଧ ଯାଏଁ, ନ୍ୟାୟପାଳିକାର ନିକିତି ଭିତରୁ ଭିଡ଼ତନ୍ତ୍ରର ରାଜୁତି ଯାଏଁ ଅନ୍ୟାୟ ଓ ଶୋଷଣର ରାଜପଥ ବହୁତ ଲମ୍ବା ଓ ପ୍ରଶସ୍ତ। ଘରେ ମା’, ଦାଣ୍ଡରେ ବୋହୂ, ବଜାରଘାଟରେ ଖୁଡ଼ୀ ଓ ମାଉସୀ, ଝିଅଝିଆରି କେହି ବି ସୁରକ୍ଷିତ ନାହାନ୍ତି। ଆଜିର ମହିଷାସୁରମାନେ ତିନିଚାରି ବର୍ଷର କଅଁଳ ଶିଶୁକନ୍ୟାଙ୍କଠାରୁ ଆରମ୍ଭ କରି ସତୁରୀ ଅଶି ବର୍ଷର ବୁଢ଼ୀ ମା’ମାନଙ୍କୁ ମଧ୍ୟ ଛାଡ଼ୁ ନାହାନ୍ତି। ଗର୍ଭରୁ ବି କରାଯାଉଛି କନ୍ୟାଭ୍ରୁଣହତ୍ୟା କରୁଛନ୍ତି ଆଜିର ଅନେକ କଂସ। ଅସମାନ ମଜୁରୀ, ଅସମାନ ମର୍ଯ୍ୟାଦା, ଅସମାନ ବିବାହ ଓ ଅସମାନ ପାରିବାରିକ ଏବଂ ସାମାଜିକ ବିଧି- ସବୁଠି ବଳି ପଡ଼ୁଛନ୍ତି ସୃଷ୍ଟି, ସ୍ଥିତି ଓ ବିଲୟର ଶକ୍ତିସଂପନ୍ନା ନାରୀ, ଈଶ୍ୱରଙ୍କ ବାସ୍ତବାତାର। ଘରେ ହେଉ ବା ବାହାରେ ଆଜିର ମା’ମାନେ ଯଦି ଦୁର୍ଗା ହେଉଥାନ୍ତେ ତେବେ ବାଟ ଓ ବଜାରରେ ଶୂଳବିଦ୍ଧ ହୁଅନ୍ତେ ଅନେକ ମହିଷାସୁର। କିନ୍ତୁ ମା’ କେବଳ ମା’ ହୋଇ ରହିଯାଉଛନ୍ତି, ଦୁର୍ଗା କି କାଳୀ ହେଉ ନାହାନ୍ତି। କୁପୁତ୍ରମାନଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଦୁର୍ଗା ଓ କାଳୀଙ୍କର ଆବଶ୍ୟକତା ରହିଛି। ମାତ୍ର, ଶଙ୍କରାଚାର୍ଯ୍ୟଙ୍କ ଭାଷାରେ ମା’ ସବୁବେଳେ ମା’। ସେ ସ୍ନେହମୟୀ ଓ କରୁଣାମୟୀ। କୁପୁତ୍ରମାନଙ୍କୁ ମଧ୍ୟ କ୍ଷମା କରିଦେଉଛନ୍ତି। କ୍ଷମା ପାଉଥିବା କୁପୁତ୍ରମାନେ ତଥାପି ନତମସ୍ତକ ନୁହନ୍ତି, ତଥାପି ହେଜୁ ନାହାନ୍ତି କଂସ, ରାବଣ ଓ ମହିଷାସୁରମାନେ। ସେମାନଙ୍କ ପାଇଁ ପୁଣି କେବେ ଓ କି ରୂପ ଧାରଣ କରିବେ ମା’ ଦୁର୍ଗା? (ସୌ-ଓଡ଼ିଶା ରିପୋର୍ଟର)