କୁତ୍ତାକ୍‌, ବେରହମପୁର ଓ ଶାଲିପୁର ଭଲ ଲାଗୁଛି!

Jul 29, 2019 - 05:22
 1218
କୁତ୍ତାକ୍‌, ବେରହମପୁର ଓ ଶାଲିପୁର ଭଲ ଲାଗୁଛି!
ବୈଷ୍ଣବ ଯେନା ବର୍ତ୍ତମାନର ମୁମ୍ୱାଇ ମହାନଗରୀ ସମେତ କୋଲକତା, ଗୁଆହାଟୀ ଏବଂ ପୁଣେ (ପୁନେ) ମହାନଗରୀ ଗୁଡିକରେ ନାମ ନିକଟ ଅତୀତରେ ଏହା ନଥିଲା। ଏହା ଯଥାକ୍ରମେ ବମ୍ୱେଇ, କାଲକାଟା, ଗୌହାଟୀ ଏବଂ ପୁନା ଥିଲା। ମାତ୍ର ସେହି ସହର ତଥା ସେହି ରାଜ୍ୟର ଐତିହ୍ୟକୁ ବିଶ୍ୱାସ କରୁଥିବା ଲୋକ ସେଗୁଡ଼ିକର ବନାନ ଶୁଦ୍ଧିକରଣ କରିଦେଲେ। ଯାହାଫଳରେ ବମ୍ବେଇ ସଂଶୋଧନ ହୋଇ ମୁମ୍ବାଇ, କାଲକାଟା ସଂଶୋଧନ ହୋଇ କୋଲକାତା, ଗୌହାଟି ସଂଶୋଧନ ହୋଇ ଗୁଆହାଟୀ ଏବଂ ପୁନା ସଂଶୋଧନ ହୋଇ ପୁଣେ ହୋଇଗଲା। ଏହାକୁ ଦୃଷ୍ଟିରେ ରଖିଲେ ଆମ ଓଡ଼ିଶାର ଲୋକ ନିଜ ଆଡ଼ୁ ନ୍ୟୁନ ହୋଇ ଯାଆନ୍ତି। ବ୍ରିଟିଶ ଶାସନ କାଳରେ ଯେଉଁସବୁ ସହରର ନାମ ବିକୃତିକରଣ କରାଯାଇଥିଲା ତାହା ସେହିପରି ରହିଯାଇଛି। ସେଥିପାଇଁ ସଫଳ ଉଦ୍ୟମ ହୋଇନାହିଁ। ଯାହା କିଛି ହୋଇଛି ତାହା ସେହି ଅଞ୍ଚଳରେ ରହିଯାଇଛି। ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ଆସିପାରି ନାହିଁ। ବିଶେଷକରି କେନ୍ଦ୍ରାପଡ଼ା, ଆଳି, ସାଲେପୁର, ବ୍ରହ୍ମପୁର, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼, ବରଗଡ଼, ଜୟପୁର, ଭବାନୀପାଟଣା, ଅନୁଗୁଳ, ରେଢାଖୋଲ, ପାଟଣାଗଡ଼, ଧର୍ମଗଡ଼, ଲାଞ୍ଜିଗଡ଼, ଜୁନାଗଡ଼, ଖଡ଼ିଆଳ, ବଡ଼ମ୍ୱା, ଆଠଗଡ଼ ଆଦି କ୍ଷେତ୍ରରେ ଏହାର ଜ୍ୱଳନ୍ତ ପ୍ରମାଣ ଅଛି। ଓଡ଼ିଆଙ୍କ ଭାବାବେଗ ଥିବା ସହରଗୁଡ଼ିକର ମର୍ଯ୍ୟାଦା ଇଂରାଜୀରେ ହାନି ହୋଇଯାଉଛି। ଏକଥା ସମସ୍ତେ ଜାଣନ୍ତି ଯେ, ବ୍ରିଟିଶ ଶାସନ କାଳରେ ଓଡ଼ିଶା ରାଜ୍ୟ ବିହାର ସହିତ ଯୁକ୍ତ ହୋଇ ତତ୍କାଳୀନ କଲିକତା ପ୍ରେସିଡେନ୍ସି ଅଧୀନରେ ଥିଲା। ବ୍ରିଟିଶ ସରକାର ଓଡ଼ିଶାରେ ଶାସନ କାର୍ଯ୍ୟ ତୁଲାଇବା ପାଇଁ କଲିକତା ବା ବଙ୍ଗ ପ୍ରଦେଶରୁ ଶିକ୍ଷିତ ବଙ୍ଗାଳୀମାନଙ୍କୁ ଓଡ଼ିଶା ଆଣିଥିଲେ। ଓଡ଼ିଶାରେ ଶାସନ କାର୍ଯ୍ୟ ପାଇଁ ଆସିଥିବା ସେହି ଇଂରାଜୀ ଜ୍ଞାନ ଥିବା ବଙ୍ଗାଳୀମାନେ ନିଜସ୍ୱ ଢଙ୍ଗରେ ଓଡ଼ିଶାର ଗ୍ରାମ ଓ ସହରମାନଙ୍କ ନାମ ଲେଖି ଚାଲିଲେ। ସାଧାରଣତଃ ବଙ୍ଗାଳୀମାନେ ‘ଡ’ ଆଉ ‘ର’ ମଧ୍ୟରେ ପାର୍ଥକ୍ୟ ରଖନ୍ତି ନାହିଁ। ଓଡ଼ିଆ ଶବ୍ଦରେ ଥିବା ‘ଡ’କୁ ସେମାନେ ‘ର’ କରିଦେଲେ ଏବଂ କେତେକ ସ୍ଥାନରେ ‘ର’କୁ ମଧ୍ୟ ‘ଡ’ କରିଦେଲେ। ପୁରୀକୁ ପୁଡ଼ି କହିବା ତାହାର ଏକ ନିଚ୍ଛକ ଉଦାହରଣ। ଏହାଛଡ଼ା ବଙ୍ଗାଳୀମାନେ ‘ଣ’ ଏବଂ ‘ଳ’ ଉଚ୍ଚାରଣ ସାଧାରଣତଃ ‘ନ’ ଏବଂ ‘ଲ’ ମାଧ୍ୟମରେ କହିଥାଆନ୍ତି। ‘ବ’ ଫଳା ଏବଂ ‘ଯ’ ଫଳାର ଉଚ୍ଚାରଣ ଯାହା କରନ୍ତି ତାହା ଓଡ଼ିଆଙ୍କ ଠାରୁ ଭିନ୍ନ। ଓଡ଼ିଶାର କଥା ଓ ଭାଷାକୁ ଗୁରୁତ୍ୱ ନ ଦେଇ ସେମାନେ ତାଙ୍କ ଢଙ୍ଗରେ ଇଂରାଜୀ ନାମକରଣ କରିନେଲେ। ଯାହାଫଳରେ କେନ୍ଦ୍ରାପଡ଼ା ହୋଇଗଲା କେନ୍ଦ୍ରାପାରା, ବଡ଼ମ୍ୱା ହୋଇଗଲା ଉନମ୍ବା, ବାଲେଶ୍ୱର ହୋଇଗଲା ବାଲାଶୋର, କେନ୍ଦୁଝର ହୋଇଗଲା କେଉଁଝର, ନିମାପଡ଼ା ହୋଇଗଲା ନିମାପାରା, ଭବାନୀପାଟଣା ହୋଇଗଲା ଭୱାନୀପାଟନା, ଖଡ଼ିଆଳ ହୋଇଗଲା ଖରିଆର, ବ୍ରହ୍ମପୁର ହୋଇଗଲା ବେରହମପୁର, ଜୟପୁର ହୋଇଗଲା ଜେପୋର, ଖୋର୍ଦ୍ଧା ହୋଇଗଲା ଖୁର୍ଦ୍ଧା, ଅନୁଗୁଳ ହୋଇଗଲା ଅନଗୁଲ, ରେଢାଖୋଲ ହୋଇଗଲା ରୈରାଖୋଲ ଇତ୍ୟାତି। ରାଜ୍ୟର ଗଡ଼ଜାତ ଅଞ୍ଚଳଭାବେ ଜଣାଶୁଣା ସ୍ଥାନ ମାନଙ୍କରେ ନାମ ଶେଷରେ ‘ଗଡ଼’ଯୁକ୍ତ ହୋଇଥାଏ। ମାତ୍ର ବେଙ୍ଗଲିମାନେ ସେହି ଗଡ଼ର ଭିନ୍ନ ବନାନ କଲେ ଯାହାଫଳରେ ସୁନ୍ଦରଗଡ଼ ପରିବର୍ତ୍ତେ ସୁନ୍ଦରଗର୍‌ହ ଲେଖାହେଲା। ସେହି କ୍ରମରେ କେଉଁଝରଗର୍‌ହ, ବରଗର୍‌ହ, ଲାଞ୍ଜିଗର୍‌ହ, ଜୁନାଗର୍‌ହ, ଟିଟିଲାଗର୍‌ହ, ଧର୍ମଗର୍‌ହ, ଆଠଗର୍‌ହ ପ୍ରଭୃତି ଇଂରାଜୀ ନାମ ଆସିଲା। ଦେବଗଡ଼ର ନାମ ଦେଓଗର୍‌ହ ହୋଇଗଲା। ଏହିପରି ବହୁ ନାମକରଣ ରହିଛି ହିସାବ କଲେ ହଜାରରୁ ଅଧିକ ହେବ। ସାଲେପୁର ଏକ ଐତିହ୍ୟସମ୍ପନ୍ନ ସ୍ଥାନ। ମାତ୍ର ଇଂରାଜୀରେ ଏହା ସାଲିପୁର ବା ଶାଳୀପୁର ହୋଇଯାଇଛି। ଏହାର କାରଣ ସମ୍ପର୍କରେ କିଛି ତଥ୍ୟ ନାହିଁ। ତେବେ ଆଳିର ଇଂରାଜୀ ନାମ ଅଉଲ କାହିଁକି ହେଲା, ତାହାର ତଥ୍ୟ ରହିଛି। ଆଳିର ରାଜମାତା ସୁଶ୍ରୀ ଦେବୀଙ୍କ କହିବା ଅନୁସାରେ ବ୍ରିଟିଶ ଶାସନ କାଳରେ ଜଣେ ଅଣଓଡ଼ିଆ ମୁସଲମାନ ପ୍ରଶାସକ କେନ୍ଦ୍ରାପଡ଼ା ଆସିଲେ। ସେ ଆଦୌ ‘ଆଳି’ ଉଚ୍ଚାରଣ କରିପାରିଲେ ନାହିଁ। ସେ ଖାଲି ‘ଆଲ୍’ ବୋଲି କହିଲେ। ତାଙ୍କର ଉଚ୍ଚାରଣକୁ ଆଧାର କରି ତତ୍କାଳୀନ କିରାଣୀ ଅଉଲ ବୋଲି ଲେଖିଦେଲେ। ବେଙ୍ଗଲୀମାନେ ପାଲ୍‌କୁ ପଅଲ୍‌ ଅନୁରୂପ କାର୍ଯ୍ୟ ଏଠାରେ କରିଦେଲେ। କେନ୍ଦୁଝର ଜିଲ୍ଲାରେ କେତେକ ପୁରୁଣା ଲୋକ ଦାବୀ କରନ୍ତି ଯେ, କେନ୍ଦୁଝର ଜିଲ୍ଲାରେ ବ୍ୟାପକ କେନ୍ଦୁଗଛ ଥିଲା ଯାହାର ଫଳ ଅତ୍ୟନ୍ତ ସୁସ୍ୱାଦୁ। ଏହାର ମୂଳ ବା ଚେରଠାରୁ ବାହାରୁଥିବା ଝରଣାର ପାଣି ମଧ୍ୟ ସୁସ୍ୱାଦୁ। ସାମଗ୍ରିକ ଭାବେ କହିବାକୁ ଗଲେ କେନ୍ଦୁଗଛପୂର୍ଣ୍ଣ ଜଙ୍ଗଲର ଝରଣାରୁ ପୂଣ୍ୟତୋୟା ବୈତରଣୀର ସୃଷ୍ଟି। ମାତ୍ର ଏହାର ଇଂରାଜୀ ନାମକରଣରୁ କେନ୍ଦୁ ଉଠିଗଲା ତାହା ହୋଇଗଲା କେଉଁଝର। ଆମେ ଜାଣିବାରେ ବାଲେଶ୍ୱରର ଅସଲ ନାମ ହେଉଛି ବାଳେଶ୍ୱର। ବାଲେଶ୍ୱର ଜିଲ୍ଲାଟି ହେଉଛି ଶୈବ ସଂସ୍କୃତିର ଆଦିପୀଠ। ଏହା ଈଶ୍ୱରଙ୍କ ସ୍ଥାନ। ସୋରର ପୁରାତନ ନାମ ବା ଆଦିନାମ ହେଉଛି ଈଶ୍ୱର। ସେହିଠାରେ ଈଶ୍ୱର ଜନ୍ମ ହୋଇଥିଲେ। ଈଶ୍ୱର ବାଳକ ହେଲା ପରେ ବାଲେଶ୍ୱର (ବାଳେଶ୍ୱର) ଠାରେ ଲୀଳାଖେଳା କଲେ। ତାହା ପରେ ଲଙ୍ଗଳଧରି ଖେଳୁଥିବାରୁ ନାମ ଲଙ୍ଗଳେଶ୍ୱର। ଜଳଶାୟୀ ହୋଇଥିବା କ୍ଷେତ୍ରର ନାମ ଜଳେଶ୍ୱର ଏବଂ ଚନ୍ଦନ ଲାଗି କ୍ଷେତ୍ରର ନାମ ଚନ୍ଦନେଶ୍ୱର। ମାତ୍ର ଆଶ୍ଚର୍ଯ୍ୟଜନକ ଘଟଣାକ୍ରମରେ ବାଲେଶ୍ୱର ହୋଇଛି ବାଲାଶୋର ଏବଂ ସୋର (ଈଶ୍ୱର) ହୋଇଛି ସୋରୋ। ରାଜ୍ୟର ଅନ୍ୟତମ ପ୍ରାଚୀନ ତଥା ଐତିହ୍ୟସ୍ଥଳ ହେଉଛି ଭଦ୍ରକ। ରାଜଧାନୀରେ ବସବାସ କରୁଥିବା ମୂଳ ଭଦ୍ରକର ବାସିନ୍ଦାମାନଙ୍କୁ ନେଇ ଭଲ ଏକ ଥଟ୍ଟାମଜା ଚାଲେ। ଭୁବନେଶ୍ୱରିଆ ବନ୍ଧୁମାନେ ପଚାରନ୍ତି, ତୁମ ଘର ଭଦ୍ର ‘କ’ ନା ଭଦ୍ର ‘ଖ’? କାରଣ ଏହି ସହର କଚେରୀ ଅଞ୍ଚଳରେ ଭଦ୍ରକ ହୋଇଥିବା ବେଳେ ଷ୍ଟେସନରେ ଭଦ୍ରଖ। ଓଡ଼ିଶାର ସର୍ବପୁରାତନ ପ୍ରାଚୀନ ସହର ହେଉଛି ବ୍ରହ୍ମପୁର। ଏହି ସହରର ଆଦି କ୍ଷେତ୍ର ଗୋଷାଣି ନୂଆଗାଁରେ ବ୍ରହ୍ମାଙ୍କର ସାଧାନା କ୍ଷେତ୍ର ଥିଲା। ସେହିଠାରେ ବ୍ରହ୍ମା ସୃଷ୍ଟି ସର୍ଜନା କରିଥିଲେ ବୋଲି ଲୋକ କଥା ରହିଛି। ସେହି କାରଣରୁ ଏହି ସଂସ୍କୃତି ସମ୍ପନ୍ନ ସହରର ନାମ ହେଉଛି ବ୍ରହ୍ମପୁର। ମାତ୍ର ତାହାର ନାମ ଉଚ୍ଚାରଣ କରିନପାରି କେହିଜଣେ ବେରହମପୁର ଲେଖିଦେଲେ। ଓଡ଼ିଶା ଓ ଆନ୍ଧ୍ରକୁ ଛାଡ଼ିଦେଲେ ଦେଶର ଅନ୍ୟ ସ୍ଥାନରେ ଏହାକୁ ବେରହମପୁର ବୋଲି କୁହାଯାଉଛି, ଯାହାକି ଓଡ଼ିଆ ଅସ୍ମିତା ପ୍ରତି ଶକ୍ତ ଆଘାତ। ସେହିପରି ଏକ ଯୁଦ୍ଧରେ ବିଜୟ ପରେ କୋରାପୁଟ ଜିଲ୍ଲାର ଏକ ସ୍ଥାନରେ ଜୟପୁର ସହର ସ୍ଥାପନ କରିଥିଲେ ସେଠାକାର ଜଣେ ରାଜା। ଏବେ ଜୟପୁର ଯେଉଁ ବିରାଟ ପାହାଡ଼ ତଳେ ଶୋଭାପାଉଛି ସେହି ପାହାଡ଼ ଉପରେ ଜୟ (ବିଜୟ) ସ୍ତମ୍ଭ ଅଛି। ବର୍ଷକରେ ଥରେ ସେଠାରେ ମଶାଲ ଜଳାଯାଏ। ଏସବୁ ସତ୍ତ୍ୱେ ଜୟପୁର ହୋଇଛି ଜେପୋର। ସର୍ବୋପରି କେନ୍ଦ୍ରାପଡ଼ା ସହରର ନାମକରଣକୁ ନେଇ ବିଶେଷ କଥନ ଅଛି। ସେହି ଅଞ୍ଚଳରେ ପ୍ରାଚୀନ କଳାରେ କନ୍ଦରାସୁର ନାମକ ଜଣେ ଦୁରାଚାରୀ ଅସୁର ପ୍ରବଳ ଅତ୍ୟାଚାର କରୁଥିଲା। ସ୍ଥାନୀୟ ଲୋକେ ସେଥିରୁ ମୁକ୍ତି ପାଇବା ପାଇଁ ବଡ଼ ଠାକୁର ବଳଦେବଙ୍କୁ ପ୍ରାର୍ଥନା କରିଥିଲେ। ବଳଦେବ ପ୍ରକଟ ହୋଇ କନ୍ଦରାସୁରକୁ ବଦ୍ଧ କରିବା ସହିତ ତାହାର ଝିଅକୁ ବିବାହ କରିଥିଲେ। ସେହି ସ୍ଥାନର ନିଜେ ନାମକରଣ କରିଥିଲେ କେନ୍ଦ୍ରାପଡ଼ା। ସେହି କେନ୍ଦ୍ରାପଡ଼ା ହେଉଛି ଓଡ଼ିଶାର ପ୍ରଥମ ମାନ୍ୟତାପ୍ରାପ୍ତ ସହର ଅର୍ଥାତ୍ ମୁନିସିପାଲିଟି। ରାଜ୍ୟ ଭିତରେ ଏହା କେନ୍ଦ୍ରାପଡ଼ା। ମାତ୍ର ରାଜ୍ୟ ଏବଂ ଦେଶ ବାହାରେ ଏହା କେନ୍ଦ୍ରାପାରା । ସେହିପରି କଟକ କଥା ସମେସ୍ତ ଜାଣନ୍ତି। ଏହା ଓଡ଼ିଶାର ପ୍ରାଣକେନ୍ଦ୍ର ଓ ପୁରାତନ ରାଜଧାନୀ। ରାଜ୍ୟ ବାହାରେ ଏହା ହେଉଛି କୁତ୍ତାକ। କିଛିଦିନ ତଳେ ରବୀନ୍ଦ୍ର ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ପାଇଁ ଏକ ବିଦେଶୀ ଦଳ ଆସିଥିଲେ। ସେମାନେ ବାରମ୍ୱାର କୁତ୍ତାକ୍ କହିବାରୁ ଉପସ୍ଥିତ ଲୋକଙ୍କ ମଧ୍ୟରେ ମୃଦ୍ୟୁ ଗୁଞ୍ଜରଣ ସୃଷ୍ଟି ହୋଇଥିଲା। ନିକଟରେ ଅନୁଗୁଳ ସହରର ନାମକରଣକୁ ନେଇ ସ୍ଥାନୀୟ ଲୋକ ଏକ ପ୍ରତିବାଦ ସଭା କରିଥିଲେ। ସେମାନେ ଜାଣିବାକୁ ଚାହିଁଥିଲେ ଅସଲ ଅନୁଗୁଳ ସହରର ନାମ କ’ଣ? ଓଡ଼ିଆରେ କେତେକ ଏହାକୁ ଅନୁଗୁଳ ଓ ଆଉ କେତେକ ଅନୁଗୋଳ ଲେଖୁଛନ୍ତି। ବିଭିନ୍ନ ଦପ୍ତରରେ ଏପରି ବିବିଧତା ଥିବା ଫଳକ ଲଗାଯାଇଛି। ଏହାଛଡ଼ା ଏହାରା ଇଂରାଜ ନାମ ହେଉଛି ଅନଗୁଲ। ଏକଥା ସ୍ୱୀକାର୍ଯ୍ୟ ଯେ, ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଅମଳରେ ଓରିସା ଏବଂ ଓରିୟା ଯଥାକ୍ରମେ ଓଡ଼ିଶା ଏବଂ ଓଡ଼ିଆ ହୋଇପାରିଛି। ଏଥିପାଇଁ ସରକାରଙ୍କ ଉଦ୍ୟମ ପ୍ରସଶଂନୀୟ। ସାମ୍ୱିଧାନିକ ବିଧିବ୍ୟବସ୍ଥା ଅନୁସାରେ ଏପରି ସଂଶୋଧନ ହୋଇଛି। ଏହାକୁ ନେଇ ଉଚ୍ଚ ମହଲରେ ଏକ ଜମାଣିଆ ଆଲୋଚନା ହୁଏ। ଜାଣି ଶୁଣିବା ଲୋକେ ମଜାରେ କୁହନ୍ତି ନବୀନ ପଟ୍ଟନାୟକ ହେଉଛନ୍ତି ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ, ଅନ୍ୟମାନେ ଓରିସାର। ସେହିପରି ଭାବେ ଓଡ଼ିଆ ଭାଷାକୁ ପ୍ରାଚୀନ ଭାଷା ଭାବରେ ଶାସ୍ତ୍ରୀୟ ମାନ୍ୟତା ମିଳିଛି। ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରଚେଷ୍ଟା ହେଲାଣି। ଓଡ଼ିଶାର ଐତିହ୍ୟ ସୁରକ୍ଷା ତଥା ପୁନରୁଦ୍ଧାର ପାଇଁ ବହୁକଥା କରାଯାଉଛି। କିନ୍ତୁ ଐତିହ୍ୟପୂର୍ଣ୍ଣ ସ୍ଥାନଗୁଡ଼ିକର ଇଂରାଜୀ ବନାନ ଶୁଦ୍ଧିକରଣ କରାଯାଉ ନାହିଁ। ସରକାର କରୁନାହାନ୍ତି କିମ୍ୱା ସମ୍ପୃକ୍ତ ସ୍ଥାନ ଗୁଡ଼ିକର ବୁଦ୍ଧିଜୀବୀ, ଶିକ୍ଷିତ, ରାଜନେତା ତଥା ସଚେତନ ନାଗରିକମାନେ ଏହି ଆଙ୍ଗ୍ଲୋ ବେଙ୍ଗଲୀ ଭୁଲର ସଂଶୋଧନ ପାଇଁ ଚାପ ପ୍ରୟୋଗ କରୁନାହାଁନ୍ତି, ଯାହାକି ବିସ୍ମୟ ସୃଷ୍ଟି କରିଛି। ଫୋ-୯୪୩୭୦୦୭୨୦୦