କଳାଜହ୍ନର ଯନ୍ତ୍ରଣା

Jul 5, 2020 - 06:06
 1131
କଳାଜହ୍ନର ଯନ୍ତ୍ରଣା
ଦେବେନ୍ଦ୍ର ପୃଷ୍ଟି କୃଷ୍ଣ ପକ୍ଷ ଦ୍ୱିତୀୟାରେ କଳାଜହ୍ନ ଉଇଁଛି ଦାଣ୍ଡରେ ଦେଖ, ଆକାଶର କୃଷ୍ଣଗର୍ତ୍ତ ପରି ଶୋଷିନିଏ ବାସନାର ସମସ୍ତ ବାରିଧି, ସାଗର ସାଗର ଲୋକ, ପରାର୍ଦ୍ଧ ପରାର୍ଦ୍ଧ ଇଚ୍ଛା, ଛୋଟବଡ଼ ଛୁଆଁ ଓ ଅଛୁଆଁ ଯେତେ ଭେଦ ନିଏ ଯେଉଁଠି ସମାଧି। ସେ ବି ଏକ ଆଖି ବୋଲି ବିଶ୍ୱ କହେ ପଲକ ପଡ଼େନି ଯା’ର ଅହର୍ନିଶି ନିଦ୍ରାହୀନତାରେ, ମାଛ ପରି ସେ କି ଶୁଏ ମେଲି ତା’ର ଚକା ଆଖି ସଂସାରର ପାପତାପ ଦୁଃଖ ଓ ଜଞ୍ଜାଳ ଜଳେ ଅବିରତେ ପହଁରି ପହଁରି! ଅବା ସିଏ ପଡ଼ିଛି ପ୍ରେମରେ କା’ର ବାହୁ ମେଲି ଆଲିଙ୍ଗନ କରିବାକୁ ତା’ ପ୍ରୀତିର ପାତ୍ର ବା ପାତ୍ରୀଙ୍କୁ ସର୍ବଦା ଜାଗ୍ରତ ଯେଉଁ ପ୍ରେମିକର ମନ ସିଏ ହିଁ ତ ରହେ ନିଦ୍ରାହୀନ! ସେ ଶୋଇଲେ ଚେଇଁବ କି ଜଗତ ଜୀବନ? ସେଥିପାଇଁ କିଅବା ସେ ମେଲିଛି ନୟନ? ସେ ଆଜି କରିବ ଯାତ୍ରା ତା’ ଜନ୍ମର ଏନ୍ତୁଡ଼ିଶାଳକୁ ସେ କି ଏକ ଭୂତ ଏଇ ଜଗତର ଯାହାର ହୁଅଇ ମୃତ୍ୟୁ ଜନ୍ମ ଜନ୍ମାନ୍ତର? ସେ ଯଦି ଜନ୍ମିଛି ଏଇ ପୃଥିବୀର ଏଇ ଛୋଟ କୋଣରେ କେଉଁଠି, ତା’ ଜନ୍ମ ଆଗରୁ ଥିଲା ଏ ନିଆଁ, ଆକାଶ, ପାଣି, ପବନ ଓ ମାଟି, ତେବେ ସିଏ କେମିତିକା ଜଗତ କରତା ଏବଂ ଆମେ ସବୁ ତା’ ରଥର ବାଡ଼ଗ୍ରାହୀ, ହରତା କରତା? ଏଇ ଆଖି, ଏଇ ବାହୁ, ଏଇ ଘୋଡ଼ା, ଏଇ ରଥ, ଡାହୁକର ଡାକ, ଘଣ୍ଟଘଣ୍ଟା, ଖୋଳତାଳ, ସଂକୀର୍ତ୍ତନ, ଥାଟପଟୁଆର ସବୁ କିଛି ଦୃଶ୍ୟମାନ ଚଳମାନ ବିଶ୍ୱ- ଚର୍ମ ଚକ୍ଷୁର ଚିତ୍ର- ଏ ନୁହେଁ ବ୍ରହ୍ମାଣ୍ଡ, ନୁହେଁ ବ୍ରହ୍ମାଣ୍ଡର ମେଳା ବା ମେଖଳା ଏ ତ ଏକ ପିଲା ଖେଳ- ମଣିଷର ଈଶ୍ୱରୀୟ ଲୀଳା!